ମୂତ୍ରାଙ୍ଗ ସଂକ୍ରମଣ
ମୂତ୍ରାଙ୍ଗ ସଂକ୍ରମଣ | |
---|---|
ବିଭାଗ | urology[*] |
ଆଇସିଡ଼ି-୧୦ | N39.0 |
ଆଇସିଡ଼ି-୯-ସିଏମ୍ | 599.0 |
ରୋଗ ଡାଟାବେସ | 13657 |
ମେଡ଼ିସିନ-ପ୍ଲସ | 000521 |
ଇ-ମେଡ଼ିସିନ | emerg/625 emerg/626 |
Patient UK | ମୂତ୍ରାଙ୍ଗ ସଂକ୍ରମଣ |
MeSH | D014552 |
ମୂତ୍ରାଙ୍ଗ ସଂକ୍ରମଣ (Urinary Tract) ଅର୍ଥ ମୂତ୍ର ପ୍ରସ୍ତୁତ କରିବା ଯନ୍ତ୍ର ବୃକ୍କ (Kidney), ମୂତ୍ର ପରିବହନ ନଳୀ (Ureter), ମୂତ୍ରାଶୟ (Urinary Bladder) ଓ ନିଷ୍କାସନ ନଳୀ (Urethra) ସମୂହର ଯେ କୌଣସି ଅଂଶର ସଂକ୍ରମଣ ।[୧] ଏହାର ବିଭିନ୍ନ ଅଂଶ ଜୀବାଣୁଦ୍ୱାରା ସଂକ୍ରମିତ ହୋଇଥାଏ । ନିମ୍ନ ମୂତ୍ରାଙ୍ଗ ବା ମୂତ୍ରାଶୟ ସଂକ୍ରମଣକୁ ସିସ୍ଟାଇଟିସ (Cystitis), ପରିବହନ ନଳୀର ପ୍ରାରମ୍ଭିକ ଅଂଶ ସଂକ୍ରମଣକୁ ପାଏଲୋନେଫ୍ରାଇଟିସ୍ (Pyelonephritis).[୨], ନିଷ୍କାସନ ନଳୀ ସଂକ୍ରମଣକୁ ୟୁରେଥ୍ରାଇଟିସ୍ (Urethritis) କୁହାଯାଏ । ନିମ୍ନ ମୂତ୍ରାଙ୍ଗ ସଂକ୍ରମଣରେ ମୂତ୍ରତ୍ୟାଗ ସମୟରେ ଯନ୍ତ୍ରଣା ହୁଏ, ବାରମ୍ବାର ପରିସ୍ରା ହୁଏ ଓ ମୂତ୍ରାଶୟ ଖାଲି ଥିଲେ ମଧ୍ୟ ପରିସ୍ରା କରିବାକୁ ଅନୁଭବ ହୁଏ ।[୧] ବୃକ୍କ ସଂକ୍ରମଣ ହେଲେ ଉପରଲିଖିତ ଲକ୍ଷଣ ସହିତ ଜ୍ୱର ଓ ପେଟ ଦୁଇ ପାଖରେ ଯନ୍ତ୍ରଣା ହୁଏ ।[୨] କ୍ୱଚିତ ପରିସ୍ରା ରକ୍ତାକ୍ତ ହୁଏ ।[୩] ରୋଗୀ ଅତି ଛୋଟ ବା ଅତି ବୟସ୍କ ହୋଇଥିଲେ ଲକ୍ଷଣ ଅନିଶ୍ଚିତ ବା ଅନିର୍ଦ୍ଦିଷ୍ଟ ଥାଏ ।[୧][୪]
ଏହି ସଂକ୍ରମଣ ନିମନ୍ତେ ଅନେକ ଜୀବାଣୁ ଓ କବକ ଦାୟୀ ଥିଲେ ମଧ୍ୟ ମୂଖ୍ୟତଃ ଏସ୍କେରିସିଆ କୋଲାଇ ଜୀବାଣୁ ଯୋଗୁ ଏହି ରୋଗ ହୁଏ । ଏହି ସଙ୍କଟ ସୃଷ୍ଟି କରିବାରେ ମହିଳା ଯୌନାଙ୍ଗ, ଯୌନ ସମ୍ପର୍କ, ମଧୁମେହ, ମୋଟାପଣ ଓ ପାରିବାରିକ ଇତିହାସମାନଙ୍କ ଭୂମିକା ଥାଏ ।[୫] ଯୌନ କ୍ରୀଡ଼ା ଏହାର ସଙ୍କଟ ସୃଷ୍ଟି ନିମନ୍ତେ ଦାୟୀ ଥିଲେ ମଧ୍ୟ ଏହି ରୋଗକୁ ଯୌନ ସଞ୍ଚାରିତ ରୋଗ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ ।[୬] ମୂତ୍ରାଶୟ ସଂକ୍ରମଣ ପରେ ବୃକ୍କ ସଂକ୍ରମଣ ହେଉଥିଲେ ମଧ୍ୟ ତାହା ରକ୍ତ ବାହିତ ସଂକ୍ରମଣ ଯୋଗୁ ହୋଇପାରେ ।[୭] ଯୁବତୀ ଓ ସୁସ୍ଥ ମହିଳାଙ୍କର କେବଳ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୮] ଅନିଶ୍ଚିତ ଲକ୍ଷଣ ଥଲେ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ହୁଏ କାରଣ ସଂକ୍ରମଣ ନ ଥାଇ ମଧ୍ୟ ଜୀବାଣୁ ରହିପାରେ ।[୯] ଚିକିତ୍ସା ନିସ୍ଫଳ ହେଲେ ବା ଜଟିଳ ଥିଲେ ପରିସ୍ରା କଲଚର ଉପକାରୀ ହୁଏ ।[୧୦]
ରୋଗ ଜଟିଳ ନ ଥିଲେ ମୂତ୍ରାଙ୍ଗ ସଂକ୍ରମଣରେ କିଛି ଦିନ ପାଇଁ ନାଇଟ୍ରିଫୁରାଣ୍ଟଏନ ବା ଟ୍ରାଇମେଥୋପ୍ରିମ/ସଲ୍ଫାମେଥୋକ୍ସାଜୋଲ ଭଳି ଆଣ୍ଟିବାୟୋଟିକ ଦିଆଯାଏ ।[୩] ବିଭିନ୍ନ ଆଣ୍ଟିବାୟୋଟିକ ନିମନ୍ତେ ପ୍ରତିରୋଧ ବଢ଼ୁଛି ।[୧] ଜଟିଳ ରୋଗରେ ଶିରାଭ୍ୟନ୍ତର ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ ।[୩] ୨ ବା ୩ ଦିନ ମଧ୍ୟରେ କିଛି ଉପଶମ ନ ହେଲେ ଅଧିକ ନିର୍ଣ୍ଣୟାତ୍ମକ ପରୀକ୍ଷା କରାଯାଏ ।[୧୦] ଫେନାଜୋପାଇରିଡିନ ଦେଲେ ଲକ୍ଷଣ ଉପଶମ ହୋଇପାରେ ।[୧] ପରିସ୍ରାରେ ଶ୍ୱେତ ରକ୍ତ କଣିକା ଥାଇ ଲକ୍ଷଣ ନ ଥିଲେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ ନାହିଁ,[୧୧] କିନ୍ତୁ ଗର୍ଭାବସ୍ଥା ଏହାର ଏକ ବ୍ୟତିକ୍ରମ ।[୧୨] ବାରମ୍ବାର ସଂକ୍ରମଣ ହେଉଥଲେ ଲକ୍ଷଣ ଆରମ୍ଭ ହେବା ମାତ୍ରେ ଅଳ୍ପ ଦିନ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ ବା ପ୍ରତିଷେଧ ନିମନ୍ତେ ଦୀର୍ଘକାଳୀନ ଆଣ୍ଟିବାୟୋଟିକ ଦିଆଯାଏ ।[୧୩]
ପ୍ରତିବର୍ଷ ପ୍ରାୟ ୧୫୦ ନିୟୁତ ଲୋକ ମୂତ୍ରାଙ୍ଗ ସଂକ୍ରମଣ ରୋଗରେ ପୀଡ଼ିତ ହୁଅନ୍ତି ।[୫] ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ବେଶୀ ହୁଏ ।[୩] ମହିଳାଙ୍କର ରୋଗ ସାଧାରଣତଃ ଜୀବାଣୁ ଯୋଗୁ ହୁଏ ।[୧୪] ଯେ କୌଣସି ବର୍ଷର ଅନୁଶୀଳନରେ ଦେଖାଯାଏ ୧୦% ମହିଳାଙ୍କର ଏହି ରୋଗ ଅଛି ଓ ୫୦% ମହିଳା ଜୀବନର କୌଣସି ନା କୌଣସି ସମୟରେ ଏହି ରୋଗର ଶୀକାର ହୁଅନ୍ତି ।[୩][୮] ପ୍ରାୟ ୧୬ରୁ ୩୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ହୁଏ । ବାରମ୍ବାର ଏହି ରୋଗ ହୋଇପାରେ ।[୩] ପୁରାକାଳରେ ଏହି ରୋଗ ଥିଲେ ମଧ୍ୟ ଖ୍ରୀ:ପୂ: ୧୫୫୦ରେ ପ୍ରଥମେ ଲିଖିତ ଏବର୍ସ ପାପିରସରେ ଏହାର ବର୍ଣ୍ଣନା ଦେଖିବାକୁ ମିଳେ ।[୧୫]
ଚିହ୍ନ ଓ ଲକ୍ଷଣ
[ସମ୍ପାଦନା]ମୂତ୍ରାଶୟ ସଂକ୍ରମଣକୁ ନିମ୍ନ ମୂତ୍ରାଙ୍ଗ ସଂକ୍ରମଣ ଅନ୍ତର୍ଭୁକ୍ତ କରାଯାଏ । ପରିସ୍ରା କଲାବେଳେ ଜଳାପୋଡା ହୁଏ ଓ ବହୁତ ଥର ପରିସ୍ରା ଲାଗେ । ଅଧିକ ଯନ୍ତ୍ରଣା ହୁଏ ନାହିଁ ବା ମହିଳାମାନଙ୍କର କୌଣସି ଯୌନାଙ୍ଗ ନିଷ୍କାସନ ହୁଏ ନାହିଁ [୮]। ସ୍ଥଳ ବିଶେଷରେ ଅଲ୍ପ ବା ଅଧିକ ଲକ୍ଷଣ ପ୍ରକାଶ ପାଏ [୨] ଏବଂ ସୁସ୍ଥ ମହିଳାମାନଙ୍କର ପ୍ରାୟ ୬ ଦିନ ପର୍ଯ୍ୟନ୍ତ ଲକ୍ଷଣ ପ୍ରକାଶ ପାଏ । ପେଟ ତଳ ପଟେ ଥିବା ଅସ୍ଥି ଉପର ସ୍ଥାନରେ ବା ଅଣ୍ଟାରେ କଷ୍ଟ ଅନୁଭବ ହୁଏ ।
ପାଏଲୋନେଫ୍ରାଇଟିସ୍ ରୋଗ ହେଲେ ପେଟର ଦୁଇ ପାର୍ଶ୍ୱରେ କଷ୍ଟ ହୁଏ, ଜର ହୁଏ, ବାନ୍ତି ବାନ୍ତି ଲାଗେ ବା ବାନ୍ତି ହୁଏ । କ୍ୱଚିତ ପରିସ୍ରାରେ ରକ୍ତ ପଡେ ବା ପୂଜ ପଡେ।
ଶିଶୁଙ୍କର
[ସମ୍ପାଦନା]ପିଲାମାନଙ୍କର ସଂକ୍ରମଣରେ ଜର ହୁଏ । ସେଥି ନିମନ୍ତେ ୨ ବର୍ଷ ବୟସରୁ କମ୍ ଝିଅ ଓ ସୁନ୍ନତ କରାଯାଇଥିବା ପୁଅମାନଙ୍କର ଜର ହେଲେ ପରିସ୍ରା କଲଚର କରିବାକୁ ଉପଦେଶ ଦିଆଯାଏ । ଶିଶୁମାନେ ଏହି ସମୟରେ ଅଳ୍ପ ଖାଆନ୍ତି, ବାନ୍ତି କରନ୍ତି, ବେଶୀ ଶୁଅନ୍ତି । କାମଳ ରୋଗର ଲକ୍ଷଣ ମଧ୍ୟ କେଖାଯାଏ । ଅଧିକ ବୟସର ପିଲାମାନଙ୍କର ମୂତ୍ରାଶୟ ନିୟନ୍ତ୍ରଣ ରହେନି, ପରିସ୍ରା ବୋହିଯାଏ ।
ବୟସ୍କମାନଙ୍କର
[ସମ୍ପାଦନା]ବୟସ୍କ ଲୋକଙ୍କର ଉପର ଲିଖିତ ଲକ୍ଷଣ ପ୍ରାୟ ଦେଖଯାଏ ନାହିଁ । ପରିସ୍ରା ବୋହିଯିବା, ମାନସିକ ପରିବର୍ତ୍ତନ ହେବା କିମ୍ବା ଦୁର୍ବଳତା ଅନୁଭବ କରିବା ଲକ୍ଷଣ ସବୁ ଦେଖାଯାଏ । ବେଳେ ବେଳେ ରକ୍ତ ପୂଜ-ବିଷାକ୍ତ ହେବା ଭଳି ଲକ୍ଷଣ ଦେଖାଯାଏ । ଅଧିକ ବୟସ୍କ ବ୍ୟକ୍ତିମାନଙ୍କର ଡେମେନ୍ସିଆ ବା ପୂର୍ବରୁ ପରିସ୍ରା ବୋହୁଥିବା ଲକ୍ଷଣ ଥିଲେ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ ଓ ସଙ୍ଗେ ସଙ୍ଗେ ରୋଗ ଧରି ହୁଏ ନାହିଁ ।
କାରଣ
[ସମ୍ପାଦନା]ଏହା ଏକ ଜୀବାଣୁ ଜନିତ ରୋଗ ଓ ମୂଖ୍ୟତଃ ଇ-କୋଲାଇ (E.coli ବା Escherichia coli) ଜୀବାଣୁ ଏହି ରୋଗ ୮୦ରୁ ୮୫% ଲୋକମାନଙ୍କଠାରେ ସୃଷ୍ଟି କରେ । ସ୍ଟାଫିଲୋକୋକସ୍ ସାପ୍ରୋଫାଇଟିକସ୍ (Staphylococcus saprophyticus) ୫ରୁ ୧୦% ଲୋକଙ୍କଠାରେ ଦେଖାଯାଏ । ମୂତ୍ରାଙ୍ଗରେ କିଛି ଅସୁବିଧା ଥିଲେ ବା ମୂତ୍ର ନଳୀ ପ୍ରୟୋଗ କଲେ ଅନ୍ୟ ଜୀବାଣୁ ଯଥା କ୍ଲେବସିଲା (Klebsiella), ପ୍ରୋଟିଅସ (Proteus), ସୁଡୋମୋନାସ୍ (Pseudomonas) ଓ ଏଣ୍ଟେରୋବ୍ୟାକ୍ଟର (Enterobacter) ଏହି ରୋଗ ସୃଷ୍ଟିରେ ସହାୟକ ହୁଅନ୍ତି । ରକ୍ତଗତ ସ୍ଟାଫିଲୋକୋକସ୍ ଅରିଅସ୍ (Staphylococcus aureus) ସଂକ୍ରମଣ ଥିଲେ ମୂତ୍ରାଙ୍ଗର ମଧ୍ୟ ସଂକ୍ରମିତ ହୁଏ । ବହୁତ ଅଳ୍ପ କ୍ଷେତ୍ରରେ ଭୁତାଣୁ ଓ କବକଦ୍ୱାରା ସଂକ୍ରମଣ ହୁଏ ।
ଲିଙ୍ଗ
[ସମ୍ପାଦନା]ନାରୀମାନଙ୍କର ମୂତ୍ର ନିଷ୍କାସନ ନଳୀ ମଳଦ୍ୱାରର ଅତି ନିକଟରେ ଥିବାରୁ ସଂକ୍ରମଣ ସମ୍ଭାବନା ଅଧିକ ରହେ । ଅଳ୍ପ ବୟସ୍କା ଯୁବତୀ ଯେତେ ଅଧିକ ଯୌନ ସମ୍ଭୋଗ କରିବେ ସେତେ ଅଧିକ ସଂକ୍ରମଣ ହେବ । ୭୫ରୁ ୯୦% ମୂତ୍ରାଶୟ ସଂକ୍ରମଣ ଯୌନ ସଂମ୍ଭୋଗ ଯୋଗୁ ହୁଏ । ଏଣୁ ବିବାହ ପରେ ପରେ ଏହି ରୋଗ ହେଲେ ହନିମୁନ ସିସ୍ଟାଇଟିସ୍(honeymoon cystitis) ହୋଇଛି ବୋଲି କୁହାଯାଏ । ଶୁକ୍ରାଣୁମାରୀ ଔଷଧ ଯୋଗୁ ସଂକ୍ରମଣ ସମ୍ଭାବନା ବଢିଯାଏ ।
ଋତୁ ବିରତି (Menopause) ପରେ ଯୌନ କ୍ରିୟା ଏତେ ସଂକ୍ରମଣ କରାଏ ନାହିଁ । ଏହି ସମୟରେ ଏସ୍ଟ୍ରୋଜେନ ହରମୋନ କ୍ଷରଣ ଦେହରେ କମିଯିବା ହେତୁ ଯୋନି ପଥରେ ରକ୍ଷାକାରୀ ଯୋନିପଥ ବିଜାଣୁ ସଂଖ୍ୟା କମିଯାଏ । ଏଣୁ ସଂକ୍ରମଣ ଅଧିକ ହୁଏ ।
ମୂତ୍ର ନିସ୍ତାରକ ନଳୀ
[ସମ୍ପାଦନା]ମୂରାଶୟରେ ପରିସ୍ରା ରହି ମଧ୍ୟ ପରିସ୍ରା ନ ବାହାରିଲେ ମୂତ୍ର ନିସ୍ତାରକ ନଳୀ ପ୍ରୟୋଗ କରି ବାହାର କରାଯାଏ । ଏହି ପ୍ରୟୋଗଦ୍ୱାରା ମୂତ୍ରାଙ୍ଗ ସଂକ୍ରମଣ ଅଧିକ ହୁଏ । ଏଣୁ ଏହି ନଳୀ ପ୍ରୟୋଗ ସମୟରେ ବହୁ ଅଧିକ ଯତ୍ନ ସହ ଜୀବାଣୁ ମୁକ୍ତ ପଦ୍ଧତି ଅବଲମ୍ବନ କରାଯାଏ ।
ଅନ୍ୟାନ୍ୟ
[ସମ୍ପାଦନା]- ଡାଏବେଟିସ୍ ଥିଲେ, ସୁନ୍ନତ ହୋଇଥିଲେ, ବଡ଼ ପ୍ରୋଷ୍ଟେଟ ଥିଲେ, ଓ ପାରିବାରିକ ଇତିହାସ ଥିଲେ ମୂତ୍ରାଙ୍ଗ ସଂକ୍ରମଣ ଅଧିକ ହୁଏ ।
- ମେରୁ ଦଣ୍ଡ ଆଘାତ ହେଲେ ପରିସ୍ରା ବନ୍ଦ ହୋଇଯିବାଦ୍ୱାରା ବାରମ୍ବାର ନଳୀ ଭର୍ତ୍ତି କରି ପରିସ୍ରା ବାହାର କରିବାକୁ ପଡେ । ଏଣୁ ଅଧିକ ସଂକ୍ରମଣ ହୁଏ ।
ରୋଗ ସୃଷ୍ଟି
[ସମ୍ପାଦନା]ମଣିଷର ଅନ୍ତ ନଳୀରୁ ଜୀବାଣୁ ବାହାରି ମୂତ୍ର ନିଷ୍କାସନ ପଥ ଦେଇ ମୂତ୍ରାଶୟରେ ପ୍ରବେଶ କରନ୍ତି । ମହିଳାମାନଙ୍କର ଏହି ପଥରେ ଅଧିକ ହେବା ଦେଖାଯାଏ । ମୂତ୍ରାଶୟ ଭିତରେ ପ୍ରବେଶ କରି ତାହାର କାନ୍ଥରେ ଲାଖି ରହି ଏକ ବାୟୋଫିଲମ୍ ସୃଷ୍ଟି କରନ୍ତି ଯାହା ପ୍ରତିରୋଧ ପ୍ରଣାଳୀକୁ ପ୍ରତିରୋଧ କରେ । ଏହା ଛଡା ରକ୍ତ ଓ ଲସିକା ମାଧ୍ୟମରେ ମଧ୍ୟ ଜୀବାଣୁ ଆସି ସଂକ୍ରମଣ କରନ୍ତି ।
ରୋଗ ନିରୋଧ
[ସମ୍ପାଦନା]ଜନ୍ମ ନିରୋଧ ବଟିକା ବା କଣ୍ଡୋମ୍ ବ୍ୟବହାର ଓ ସହବାସ ପରେ ମୂତ୍ର ତ୍ୟାଗ କଲେ ସଂକ୍ରମଣ ହେବନାହିଁ: ଏ କଥା ପ୍ରମାଣିତ ହୋଇ ନାହିଁ । ସେହି ଭଳି ଅନ୍ତଃ ବସ୍ତ୍ର, ମଳ ମୂତ୍ର ତ୍ୟାଗ ପରେ ନିଜସ୍ୱ ସ୍ୱାସ୍ଥ୍ୟ ରକ୍ଷା ପ୍ରଣାଳୀ ଓ ସ୍ନାନ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ଯାହା ସଂକ୍ରମଣ ନ ହେବାରେ ସାହାଯ୍ୟ କରିବ । ଟାମ୍ପନ ଓ ଡୁସ ବ୍ୟବହାରର ଫଳ ବିଷୟରେ ମଧ୍ୟ ପରିକ୍ଷିତ ବିବରଣୀ ନାହିଁ ।
ବାରମ୍ବାର ସଂକ୍ରମିତ ହେଉଥିବା ମହିଳାମାନଙ୍କୁ ଡାଏଫ୍ରାମ ତଥା ଶୁକ୍ରାଣୁନାଶୀ ଔଷଧ ବ୍ୟବହାର କରିବାକୁ ନିଷେଧ କରାଯାଉଛି । କ୍ରାନବେରି ରସ ବା ବଟିକା ଖାଇଲେ କମ ହୁଏ କିନ୍ତୁ ବେଶୀ ଦିନ ବ୍ୟବହାରର ଫଳ ଜଣା ନାହିଁ । ଏହା ଦୁଇ ଥର ଖାଇଲେ ଉତ୍ତମ ।
ଔଷଧ
[ସମ୍ପାଦନା]ପୁନଃପୌନିକ ରୋଗ ହେଲେ ପ୍ରତ୍ୟହ ଆଣ୍ଟିବାୟୋଟିକ ବ୍ୟବହାର ଉପାଦେୟ ଅଟେ । ଔଷଧ ମଧ୍ୟରେ ନାଇଟ୍ରୋଫୁରାଣ୍ଟଏନ୍, ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍ସାଜୋଲ୍ ଅଧିକ ବ୍ୟବହୃତ ହୁଏ । ମେଥେନାମିନ୍ ବ୍ୟବହାର କଲେ ମୂତ୍ରାଶୟରେ ଫରମାଲଡେହାଇଡ୍ ତିଆରି ହୋଇଯାଏ ଓ ଏହା ନିମନ୍ତେ ସ୍ୱତଃ ପ୍ରତିରୋଧା ହୋଇ ପାରେ ନାହିଁ । ସହବାସ ଯୋଗୁ ହେଉଥିଲେ ଔଷଧ ବ୍ୟବହାର ଆବଶ୍ୟକ । ଋତୁସ୍ରାବ ବନ୍ଦ ପରେ ଜୋନିପଥରେ ଏସ୍ଟ୍ରୋଜେନ ବ୍ୟବହାର କଲେ ବାରମ୍ବାର ହେଉଥିବା ରୋଗ କମ୍ ହୁଏ । ୨୦୧୧ ମସିହା ସୁଦ୍ଧା କେତେଗୁଡିଏ ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା ଚାଲିଛି ।
ଶିଶୁଙ୍କଠାରେ
[ସମ୍ପାଦନା]ବୃକକର କୌଣସି ସମସ୍ୟା ନ ଥିଲେ ପୁନଃପୌନିକ ସଂକ୍ରମଣ ଯୋଗୁ ମାତ୍ର୍ ୦.୩୩% ପିଲାଙ୍କର କିଡନି/ବୃକକ ରୋଗ ହୁଏ । ରୋଗ ନ ହେବା ପାଇଁ ଆଣ୍ଟିବାୟୋଟିକ ବ୍ୟବହାର ଉତ୍ସାହପ୍ରଦ ନୁହେଁ ।
ରୋଗ ନିର୍ଣ୍ଣୟ
[ସମ୍ପାଦନା]ଉପଯୁକ୍ତ ଲକ୍ଷଣ ଦେଖାଗଲେ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ ନାହିଁ ଓ ଔଷଧ ଦିଆ ଯାଇପାରେ । ଜଟିଳ ଥିଲେ ପରିସ୍ରା ଆନାଲିସିସ୍ କରି ସେଥିରେ ନାଇଟ୍ରାଇଟ, ଶ୍ୱେତ ରକ୍ତ କଣିକା ତଥା ତାହାର ଇଷ୍ଟରେଜ ଅଛି କି ନାହିଁ ଦେଖିବାକୁ ପଡେ । ଅଣୁବୀକ୍ଷଣ ଯନ୍ତ୍ରଦ୍ୱାରା ପରିସ୍ରାରେ ଜୀବାଣୁ, ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା ଉପସ୍ଥିତି ନିର୍ଣ୍ଣୟ କରାଯାଇ ରୋଗ ଚିହ୍ନଟ କରାଯାଏ । ପରିସ୍ରା କଲଚରରେ ଜୀବାଣୁ କଲୋନି ସଂଖ୍ୟା ୧୦୩ ମି.ଲି. ବା ତାଠାରୁ ଅଧିକ ହେଲେ ସଂକ୍ରମଣ ଅଛି ବୋଲି ଧରାଯାଏ । ସୁଗ୍ରାହିତା (Sensitivity) ପରୀକ୍ଷାଦ୍ୱାରା କେଉଁ ଔଷଧ ଉପକାର କରିବ ତାହା ଜଣାପଡ଼ିବ । ବିଯୁକ୍ତାତ୍ମକ କଲଚର ଥିଲେ ମଧ୍ୟ ଆଣ୍ଟିବାୟୋଟିକଦ୍ୱାରା ମହିଳାମାନେ ଉପକାର ପାଆନ୍ତି । ବୟସ୍କ ଲୋକମାନଙ୍କ ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ।
ବର୍ଗୀକରଣ
[ସମ୍ପାଦନା]- ମୂତ୍ରାଶୟ ସଂକ୍ରମଣକୁ ନିମ୍ନ ମୂତ୍ରାଙ୍ଗ (lower urinary tract infection) ସଂକ୍ରମଣ କହନ୍ତି ।
- ଉର୍ଦ୍ଧ୍ୱ ମୂତ୍ରାଙ୍ଗ ସଂକ୍ରମଣକୁ ପାୟେଲୋନେଫ୍ରାଇଟିସ୍ କହନ୍ତି ।
- ପରିସ୍ରାରେ ଜୀବାଣୁ ଥାଇ କୌଣସି ଲକ୍ଷଣ ନ ଥିଲେ ଲକ୍ଷଣ ବିହୀନ ଜୀବାଣୁ ପରିସ୍ରା (asymptomatic bacteriuria) କୁହାଯାଏ ।
- ବହୁମୂତ୍ର, ଗର୍ଭାବସ୍ଥା, ପୁରୁଷ ରୋଗୀ ଓ ପ୍ରତିରୋଧ ଶକ୍ତି ବିହୀନ ରୋଗୀ; ଏହି ଭଳି ଲୋକଙ୍କର ଉର୍ଦ୍ଧ୍ୱ ମୂତ୍ରାଙ୍ଗ ସଂକ୍ରମଣ ହେଲେ ତାହାକୁ ଜଟିଳ ମୂତ୍ରାଙ୍ଗ ସଂକ୍ରମଣ କହନ୍ତି ।
- ସୁସ୍ଥ ଋତୁ ବିରତି ହୋଇଥିବା ମହିଳାଙ୍କର ରୋଗକୁ ଜଟିଳତା ବିହୀନ ସଂକ୍ରମଣ କହନ୍ତି ।
- ଶିଶୁମାନଙ୍କର ଜର ଥିଲେ ଉପର ଅଂଶର ସଂକ୍ରମଣ ଥିବା ଧରାଯାଏ ।
ଶିଶୁଙ୍କଠାରେ
[ସମ୍ପାଦନା]ପିଲାମାନଙ୍କ ରୋଗ ନିର୍ଣ୍ଣୟ ନିମନ୍ତେ ଯୁକ୍ତତ୍ମକ ପରିସ୍ରା ସୂଚନା ଆବଶ୍ୟକ । ପରିସ୍ରା ସଂଗ୍ରହ ବେଳେ ବାହାର ଜୀବାଣୁ ମିଶ୍ରିତ ଥିବା ସମ୍ଭାବନା ରହେ । ପରିସ୍ରା ଦ୍ୱାର ସଫା କରି ସାରି ପରିସ୍ରା କରୁଥିବା ବେଳେ ମଝି ଧାରରୁ ଗୋଟିଏ ପରିସ୍କାର ଜୀବାଣୁ ମୂକ୍ତ ପାତ୍ରରେ ପରିସ୍ରା ସଂଗ୍ରହ କଲେ ଉତ୍ତମ ସୂଚନା ମିଳେ । ଦୁଇ ବର୍ଷରୁ କମ ବୟସର ପିଲାମାନଙ୍କ ନିମନ୍ତେ ରେନାଲ୍ ଅଲଟ୍ରାସାଉଣ୍ଡ ଓ ମୂତ୍ର ତ୍ୟାଗ ବେଳେ ସିସ୍ଟୋୟୁରେଥ୍ରୋଗ୍ରାମ ପରୀକ୍ଷା କରିବା ନିମନ୍ତେ ଆମେରିକାନ୍ ଏକାଡେମି ଅଫ୍ ପେଡିଆଟ୍ରିକ୍ସ ଉପଦେଶ ଦେଇଛି । ଛଅ ବର୍ଷ ବୟସରୁ କମ ପିଲାମାନଙ୍କର ନିୟମିତ ଇମେଜିଙ୍ଗ କରିବାକୁ ଉପଦେଶ ଦିଆଯାଏ ।
ଭେଦାତ୍ମକ ରୋଗ ନିର୍ଣ୍ଣୟ
[ସମ୍ପାଦନା]ପ୍ରାୟ ସମ ଲକ୍ଷଣ ପ୍ରକାଶ କରୁଥିବା ଅନ୍ୟ ରୋଗ ବିଷୟରେ ଜାଣିବା ଆବଶ୍ୟକ । ମହିଳାଙ୍କର ସର୍ଭିସାଇଟିସ୍ ବା ଭାଜାଇନାଇଟିସ୍ ରୋଗ ଥାଇ ପାରେ । ଯୁବକମାନଙ୍କର କ୍ଲାମିଡିଆ ଟ୍ରାକୋମାଟିସ୍ କିମ୍ବା ଗନେରିଆ ରୋଗ ଥାଇ ପାରେ । ପୁରୁଷମାନଙ୍କର ପ୍ରୋସ୍ଟାଇଟିସ ରୋଗ ମଧ୍ୟ ଧ୍ୟାନରେ ରଖିବାକୁ ପଡେ ।
ଚିକିତ୍ସା
[ସମ୍ପାଦନା]ଏହି ରୋଗର ମୂଖ୍ୟ ଔଷଧ ହେଲା ଆଣ୍ଟିବାୟୋଟିକ । ପୋଡାଜଳା ହେଉଥିଲେ କିଛି ଦିନ ପାଇଁ ଫେନାଜୋପାଇରିନ୍ ଦିଆ ଯାଇପାରେ, କିନ୍ତୁ ଏହାର ମେଥେମୋଗ୍ଲୋବିନେମିଆ ଜଟିଳତା ଧ୍ୟାନରେ ରଖି ଚିକିତ୍ସା କରିବାକୁ ପଡେ । ଯନ୍ତ୍ରଣା ସକାଶେ ପାରାସେଟାମଲ୍ ଔଷଧ ଦିଆଯାଏ ।
ବାରମ୍ବାର ସଂକ୍ରମଣ ଭୋଗୁଥିବା ମହିଳାଙ୍କୁ ନିଜେ ପୂର୍ବରୁ ବ୍ୟବହାର କରିଥିବା ଔଷଧ କିଣି ଖାଇବାକୁ ପରାମର୍ଶ ଦିଆଯାଏ ।
ଜଟିଳତା ବିହୀନ
[ସମ୍ପାଦନା]ଏହି ଅବସ୍ଥାରେ ସେଫାଲୋସ୍ପୋରିନ୍, ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍ସାଜୋଲ, ନାଇଟ୍ରୋଫୁରାଣ୍ଟଏନ୍ ଓ ଫ୍ଲୋରୋକୁଇନୋଲୋନ ଔଷଧ ଦିଆଯାଏ । ଟ୍ରାଇମେଥୋପ୍ରିମ ବା ସଲଫାମେଥୋକ୍ସାଜୋଲ ତଥା ଫ୍ଲୋରୋକୁଇନୋଲୋନ ଔଷଧ ତିନି ଦିନ ଦେଲେ ୟଥେଷ୍ଟ ହୁଏ । ନାଇଟ୍ରୋଫୁରାଣ୍ଟଏନ୍ ୫ରୁ ୭ ଦିନ ଦିଆଯାଏ । ଔଷଧ ଦେବାର ୩୬ ଘଣ୍ଟା ଭିତରେ ରୋଗ ଉପଶମ ଆରମ୍ଭ ହୁଏ । ବିନା ଚିକିତ୍ସାରେ ମଧ୍ୟ ୫୦% ଲୋକ କିଛି ଦିନ ବା କିଛି ସପ୍ତାହ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି । ପ୍ରଥମରୁ ଫ୍ଲୋରୋକୁଇନୋଲୋନ ଦେଲେ ଔଷଧ ପ୍ରତିରୋଧ ସୃଷ୍ଟି ହୁଏ, ତେଣୁ ଆମେରିକାର ଇନଫେକ୍ସସ ଡିଜିଜ ସୋସାଇଟି ଏହା ଦେବାକୁ ମନା କରେ । କେତେକ ଦେଶରେ ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍ସାଜୋଲ ନ ଦେଇ କେବଳ ଟ୍ରାଇମେଥୋପ୍ରିମ ଦେବାକୁ ନିର୍ଦ୍ଦେଶ ଥାଏ । ଶିଶୁମାନଙ୍କୁ ତିନି ଦିନ ଔଷଧ ଦେଲେ ଯଥେଷ୍ଟ ।
ପାଏଲୋନେଫ୍ରାଇଟିସ୍
[ସମ୍ପାଦନା]ଏହି ରୋଗ ନିର୍ଣ୍ଣୟ ହେବା ସଙ୍ଗେ ସଙ୍ଗେ ପାଟିରେ ବା ଶିରାରେ ଆଣ୍ଟିବାୟୋଟିକ ଦିଆଯାଏ । ୧୦%ରୁ କମ୍ ଔଷଧ ପ୍ରତିରୋଧ ଥିବା ସ୍ଥାନରେ ସିପ୍ରୋଫ୍ଲୋକ୍ସାସିନ୍ ଦିଆଯାଏ । ଅଧିକ ପ୍ରତିରୋଧ ଥିଲେ ଶିରା ମାଧ୍ୟମରେ ସେଫଟ୍ରିଆକ୍ସନ ଦିଆଯାଏ । ସାଂଘାତିକ ହୋଇଥିଲେ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ଆବଶ୍ୟକ । ଦୁଇ ତିନି ଦିନ ଚିକିତ୍ସା ପରେ ଉନ୍ନତି ନ ହେଲେ ମୂତ୍ର ନଳୀ ବାଧା ବା ପଥର ଥିବା ସନ୍ଦେହ କରିବା ଆବଶ୍ୟକ ।
ରୋଗ ଅନୁଶୀଳନ
[ସମ୍ପାଦନା]ମହିଳାମାନେ ବାରମ୍ବାର ଭୋଗୁଥିବା ରୋଗମାନଙ୍କ ଭିତରେ ମୂତ୍ରାଙ୍ଗ ସଂକ୍ରମଣ ଅନ୍ୟତମ । ୧୬ରୁ ୩୫ ବର୍ଷ ବୟସ୍କ ମହିଳାଙ୍କର ଅଧିକ ରୋଗ ହୁଏ । ୧୦% ମହିଳା ପ୍ରତି ବର୍ଷ ଭୋଗନ୍ତି ଓ ୬୦% ମହିଳା ଜୀବନ କାଳ ମଧ୍ୟରେ ଥରେ ହେଲେ ଭୋଗନ୍ତି । ମହିଳା ରୋଗୀଙ୍କ ସଂଖ୍ୟା ପୁରୁଷ ରୋଗୀ ସଂଖ୍ୟାର ୪ଗୁଣ ଥାଏ । ପାଏଲୋନେଫ୍ରାଇଟିସ୍ ରୋଗ ଅନ୍ୟ ନିମ୍ନ ମୂତ୍ରାଙ୍ଗ ସଂକ୍ରମଣ ଅପେକ୍ଷା ୨୦ରୁ ୩୦ ଭାଗ କମ । ପାଏଲୋନେଫ୍ରାଇଟିସ୍ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୪୦% ରୋଗୀ ଡାକ୍ତରଖାନାରୁ ରୋଗ ଆଣି ଥାଆନ୍ତି । ପରିସ୍ରାରେ ଜୀବାଣୁ ଥାଇ ଲକ୍ଷଣ ନ ଥିବା ସନ୍ତାନ ଜନ୍ମକାରୀ ମହିଳା ସଂଖ୍ୟା ୨ରୁ ୭% ଥିବା ବେଳେ କେୟାର ହୋମରେ ଥିବା ବୟସ୍କ ମହିଳାମାନଙ୍କର ସଂଖ୍ୟା ୫୦% ଥାଏ । ୭୫ ବର୍ଷ ବୟସ୍କ ପୁରୁଷମାନଙ୍କର ସଂଖ୍ୟା ୭ ରୁ୧୦% ରହେ ।
ଲୋକ ସଂଖ୍ୟାର ୧୦% ପିଲା ବେଳେ ଏହି ରୋଗ ଭୋଗିବା ସମ୍ଭାବନା ଥାଏ । ୩ ବର୍ଷ ବୟସରୁ କମ ସୁନ୍ନତ ହୋଇଥିବା ପିଲାମାନଙ୍କର ଅଧିକ ସଂକ୍ରମଣ ହୁଏ । ଏକ ବର୍ଷ ବୟସରୁ କମ ଝିଅଙ୍କର ଏହି ପୁଅ ପିଲାମାନଙ୍କଠାରି କମ ହୁଏ । ଏହି ହିସାବ କିନ୍ତୁ ସ୍ଥାନ ଅନୁସାରେ ବଦଳି ପାରେ ।
ସମାଜ ଓ ସଂସ୍କୃତି
[ସମ୍ପାଦନା]ଆମେରିକାରେ ପ୍ରତି ବର୍ଷ ୭ ନିୟୁତ ରୋଗୀ ଚିହ୍ନଟ ହୁଅନ୍ତି, ଏକ ନିୟୁତ ରୋଗୀ ଜରୁରୀ ସେବାକୁ ଆସନ୍ତି ଓ ଏକ ଲକ୍ଷ ରୋଗୀ ଆଡମିସନ ହୁଅନ୍ତି । କାର୍ଯ୍ୟ ଦିବସ ହ୍ରାସ ଜନିତ ଓ ଚିକିତ୍ସା ଖର୍ଚ୍ଚ ଜନିତ ଅର୍ଥର ପରିମାଣ ବହୁତ ଅଧିକ ହୁଏ । ଆମେରିକାରେ ୧.୬ ବିଲିଅନ ଡଲାର ପ୍ରତିବର୍ଷ ଏଥି ନିମନ୍ତେ ଖର୍ଚ୍ଚ ହୁଏ ।
ଇତିହାସ
[ସମ୍ପାଦନା]ଖ୍ରୀ.ପୂ. ୧୫୫୦ରେ ଏବର୍ସ୍ ପାପିରସ ଉପରେ ଏହି ରୋଗ ବିଷରେ ପ୍ରଥମ ଲିଖିତ ବିବରଣି ଅଛି । ସେତେବେଳେ ମିଶରରେ ଏହାକୁ "ମୂତ୍ରାଶୟରୁ ଉତ୍ତାପ ପରିବ୍ୟାପ୍ତ ରୋଗ" କୁହାଯାଉଥିଲା । ୧୯୩୦ ମସିହାରେ ଆଣ୍ଟିବାୟୋଟିକ ଆବିର୍ଭାବ ପୂର୍ବରୁ ଏହାକୁ ରକ୍ତ ସ୍ରାବ ପଦ୍ଧତି, ବିଭିନ୍ନ ଗୁଳ୍ମ ଲତା ଓ ବିଶ୍ରାମଦ୍ୱାରା ଚିକିତ୍ସା ହେଉଥିଲା ।
ଗର୍ଭାବସ୍ଥାରେ
[ସମ୍ପାଦନା]ଗର୍ଭାବସ୍ଥାରେ ପ୍ରୋଜେସ୍ଟେରନ ହରମୋନ୍ ଅଧିକ ମାତ୍ରାରେ ବୋହୁଥିବାରୁ ମାଂସ ପେଶୀମାନଙ୍କର ଟୋନ (Tone) ଅଧିକ ହୁଏ । ମୂତ୍ରାଶୟରୁ ମୂତ୍ର ଏହି ଅଧିକ ଟୋନ ଯୋଗୁ ଉପରକୁ ଉଠି ବୃକକ ପର୍ଯ୍ୟନ୍ତ ଯାଏ ଓ ଏହା ସଂକ୍ରମିତ ହୁଏ । ଗର୍ଭାବସ୍ଥାରେ ଲକ୍ଷଣ ବିହୀନ ଜୀବାଣୁ ମିଶ୍ରିତ ପରିସ୍ରା ସଂକଟ ଜନକ ନ ହେଲେ ମଧ୍ୟ ୨୫ରୁ ୪୦% ବୃକକ ସଂକ୍ରମଣ ସଂକଟ ରହେ । ତେଣୁ ପରିସ୍ରାରେ ଜୀବାଣୁ ବାହାରିଲେ ଲକ୍ଷଣ ନ ଥିଲେ ମଧ୍ୟ ସେଫାଲେକ୍ସିନ କିମ୍ବା ନାଇଟ୍ରୋଫୁରାଣ୍ଟଏନ ଔଷଧ ଦିଆଯାଏ । ବୃକକ ସଂକ୍ରମଣ ହେଲେ ଅପରିପକ୍ୱ ଶିଶୁ ଜନ୍ମ ବା ପ୍ରି-ଏକ୍ଲାମ୍ପସିଆ ହେବାର ସମ୍ଭାବନା ରହେ । ଏଥିରେ ବାତ ମାରିବା ସମ୍ଭାବନା ବହୁତ ଅଧିକ ରହେ ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Urinary Tract Infection". CDC. April 17, 2015. Retrieved 9 February 2016.
- ↑ ୨.୦ ୨.୧ ୨.୨ Lane, DR; Takhar, SS (August 2011). "Diagnosis and management of urinary tract infection and pyelonephritis". Emergency medicine clinics of North America. 29 (3): 539–52. doi:10.1016/j.emc.2011.04.001. PMID 21782073. ଆଧାର ଭୁଲ: Invalid
<ref>
tag; name "EM2011" defined multiple times with different content - ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ Salvatore, S; Salvatore, S, Cattoni, E, Siesto, G, Serati, M, Sorice, P, Torella, M (June 2011). "Urinary tract infections in women". European journal of obstetrics, gynecology, and reproductive biology. 156 (2): 131–6. doi:10.1016/j.ejogrb.2011.01.028. PMID 21349630.
{{cite journal}}
: CS1 maint: multiple names: authors list (link) - ↑ Woodford, HJ; George, J (February 2011). "Diagnosis and management of urinary infections in older people". Clinical Medicine. London. 11 (1): 80–3. doi:10.7861/clinmedicine.11-1-80. PMID 21404794.
- ↑ ୫.୦ ୫.୧ Flores-Mireles, AL; Walker, JN; Caparon, M; Hultgren, SJ (May 2015). "Urinary tract infections: epidemiology, mechanisms of infection and treatment options". Nature reviews. Microbiology. 13 (5): 269–84. PMID 25853778.
- ↑ Study Guide for Pathophysiology (5 ed.). Elsevier Health Sciences. 2013. p. 272. ISBN 9780323293181.
- ↑ Introduction to Medical-Surgical Nursing. Elsevier Health Sciences. 2015. p. 909. ISBN 9781455776412.
- ↑ ୮.୦ ୮.୧ ୮.୨ Nicolle LE (2008). "Uncomplicated urinary tract infection in adults including uncomplicated pyelonephritis". Urol Clin North Am. 35 (1): 1–12, v. doi:10.1016/j.ucl.2007.09.004. PMID 18061019.
- ↑ Jarvis, William R. (2007). Bennett & Brachman's hospital infections (5th ed.). Philadelphia: Wolters Kluwer Health/Lippincott Williams & Wilkins. p. 474. ISBN 9780781763837.
- ↑ ୧୦.୦ ୧୦.୧ Colgan, R; Williams, M, Johnson, JR (2011-09-01). "Diagnosis and treatment of acute pyelonephritis in women". American family physician. 84 (5): 519–26. PMID 21888302.
{{cite journal}}
: CS1 maint: multiple names: authors list (link) - ↑ Ferroni, M; Taylor, AK (November 2015). "Asymptomatic Bacteriuria in Noncatheterized Adults". The Urologic clinics of North America. 42 (4): 537–45. PMID 26475950.
- ↑ Glaser, AP; Schaeffer, AJ (November 2015). "Urinary Tract Infection and Bacteriuria in Pregnancy". The Urologic clinics of North America. 42 (4): 547–60. PMID 26475951.
- ↑ "Recurrent uncomplicated cystitis in women: allowing patients to self-initiate antibiotic therapy". Rev Prescire. 22 (361): 835–837. Nov 2013. PMID 24669389.
- ↑ Colgan, R; Williams, M (2011-10-01). "Diagnosis and treatment of acute uncomplicated cystitis". American family physician. 84 (7): 771–6. PMID 22010614.
- ↑ Al-Achi, Antoine (2008). An introduction to botanical medicines : history, science, uses, and dangers. Westport, Conn.: Praeger Publishers. p. 126. ISBN 978-0-313-35009-2.
ଅଧିକ ତଥ୍ୟ
[ସମ୍ପାଦନା]- ମୂତ୍ରାଙ୍ଗ ସଂକ୍ରମଣ at Curlie