ବିଜୁଳି

ଉଇକିପିଡ଼ିଆ ରୁ
ବିଜୁଳି

ପୃଥିବୀରେ ପ୍ରତ୍ୟେକ ସେକେଣ୍ଡରେ ପ୍ରାୟ ୪୦-୫୦ଥର ବା ପ୍ରତ୍ୟେକ ବର୍ଷ ୧୪୦ କୋଟି ଥର ବିଜୁଳି ତିଆରି ହେଇଥାଏ । [୧] ଆକାଶରେ ଭାସମାନ ବାଦଲକଣିକା ଗୁଡ଼ିକରେ ଚାର୍ଜ ରହିଥାଏ । ବାଦଲର ଉପରିଭାଗରେ ଥିବା କଣିକାଗୁଡ଼ିକରେ ଯୁକ୍ତାତ୍ମକଚ଼ାର୍ଜ ରହିଥିବା ବେଳେ ନିମ୍ନଭାଗରେ ଥିବା କଣିକାଗୁଡ଼ିକରେ ବିଯୁକ୍ତାତ୍ମକଚ଼ାର୍ଜ ରହିଥାଏ । ଆମେ ଜାଣୁ ପାନିଆରେ ନୁଖୁରାମୁଣ୍ଡ କୁଣ୍ଡେଇବା ପରେ ତାକୁ କାଗଜ ଟୁକୁରା ଆଡ଼କୁ ଦେଖେଇଲେ, କାଗଜ ଟୁକୁରାଗୁଡ଼ିକ ପାନିଆ ଆଡ଼କୁ ଟାଣି ହେଇଆସେ । କାରଣ ମୁଣ୍ଡକୁଣ୍ଡେଇବା ଫଳରେ ପାନିଆ ଚାର୍ଜିତ ହୋଇଥାଏ ଓ ତାହା କାଗଜ ଟୁକୁରାକୁ ବିପରୀତ ଢଙ୍ଗରେ ଚାର୍ଜିତ କରେ । ଠିକ୍ ସେମିତି ବାଦଲର ନିମ୍ନଭାଗ ଚାର୍ଜିତ ହେଇଥିବାରୁ ବାଦଲ ତଳେ ଥିବା ଭୂମିଉପରେ ଯୁକ୍ତାତ୍ମକଚାର୍ଜ ଜମାହୁଏ । ଯେତେବେଳେ ବାଦଲତଳ ଓ ଭୂମିଉପରର ପରସ୍ପର ବିପରୀତ ଚାର୍ଜ ମିଶିବାକୁ ଯାଆନ୍ତି, ବାୟୁ ମଧ୍ୟଦେଇ ଏକ ବିଦ୍ୟୁତସ୍ରୋତ ପ୍ରବାହିତ ହୁଏ, ଯାହାକୁ ବିଜୁଳିରୂପରେ ଆମେ ଦେଖୁ । ବିଦ୍ୟୁତ ସ୍ରୋତର ପ୍ରବାହ ଯୋଗୁଁ ଯେମିତି ଘରେ ହିଟର୍ ଗରମ ହୁଏ, ଠିକ୍ ସେମିତି ବିଜୁଳିସ୍ରୋତ ଯେଉଁପଥ ଦେଇ ପ୍ରବାହିତ ହୁଏ, ବାୟୁକଣିକା ଗରମ ହୋଇ ସେଇ ସ୍ଥାନର ତାପମାତ୍ରା ପ୍ରାୟ ୩୦,୦୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ରେ ପହଞ୍ଚିଯାଏ । ତୁଳନାପାଇଁ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଫୁଟନ୍ତାପାଣିର ତାପମାତ୍ରା ମାତ୍ର ୧୦୦ ଡିଗ୍ରୀ ସେଣ୍ଟିଗ୍ରେଡ୍ । ବାୟୁ ଉତ୍ତପ୍ତ ହେଲେ ତାହାର ଆୟତନ ବୃଦ୍ଧିପାଏ । ବିଜୁଳିସ୍ରୋତପାଇଁ ସ୍ରୋତପଥରେ ଉପସ୍ଥିତ ବାୟୁର ଆୟତନ ଗୋଟିଏ ସେକେଣ୍ଡର ଲକ୍ଷେଭାଗରୁ ଏକଭାଗ ସମୟ ମଧ୍ୟରେ ପ୍ରାୟ ହଜାରେଗୁଣ ବଢିଯାଏ । ଉକ୍ତ ସଂପ୍ରସାରିତ ବାୟୁ ସ୍ରୋତପଥକୁ ଘେରି ରହିଥିବା ସ୍ଥିରବାୟୁକୁ ହଠାତ୍ ଠେଲିଦିଏ, ଯାହାକି ବାୟୁକଣିକାରେ ଜୋର୍ କମ୍ପନ ସୃଷ୍ଟିକରେ । ଫଳରେ ଏକ ଶକ୍ତିଶାଳୀ ଶବ୍ଦ ତରଙ୍ଗ ସୃଷ୍ଟିହୁଏ । ତାକୁ ଆମେ ଘଡ଼ଘଡ଼ି କହୁ । ଏସବୁ ନିମିଷେକ ଭିତରେ ଘଟିଯାଏ ।

ବେଳେବେଳେ ବିଜୁଳି ମାରୁ ମାରୁ ଘଡ଼ଘଡ଼ି ମାରେ ତ ଆଉ କେତେବେଳେ ବହୁସମୟ ପରେ ମାରେ । ଅର୍ଥାତ୍ ସେମାନଙ୍କ ଭିତରେ ଏଇ ସମୟ ବ୍ୟବଧାନ ଆମପାଇଁ ସର୍ବଦା ସମାନ ରହେନା । କିନ୍ତୁ ଉଭୟେ ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ଆକାଶରେ ସୃଷ୍ଟିହୁଅନ୍ତି । ସତ କହିଲେ, ବିଜୁଳିପାଇଁ ଘଡ଼ଘଡ଼ିର ସୃଷ୍ଟି ହେଇଥାଏ । ଶବ୍ଦ ଓ ଆଲୋକ ଉଭୟ ତରଙ୍ଗହେଲେ ମଧ୍ୟ ଶବ୍ଦ ତୁଳନାରେ ଆଲୋକ ଅତି କ୍ଷୀପ୍ର । ଗୋଟିଏ ସେକେଣ୍ଡରେ ଶବ୍ଦ ମାତ୍ର ୩୩୨ ମିଟର ଗତି କଲାବେଳେ ଆଲୋକ ଗତିକରେ ୨,୯୯,୭୯୨,୪୫୮ ମିଟର । ଅର୍ଥାତ୍ ଶବ୍ଦଠାରୁ ଆଲୋକ ନଅ ଲକ୍ଷ ଗୁଣ ଶୀଘ୍ର ଗତି କରିପାରେ । ତେଣୁ ବିଜୁଳି ସୃଷ୍ଟିହେବାର ଅତିକମ୍ ସମୟ ଭିତରେ ତାହାର ଆଲୋକ ଆମ ଆଖିପାଖରେ ପହଞ୍ଚି ଯାଉଥିବାରୁ ଆମେ ବିଜୁଳିକୁ ଦେଖିପାରୁ । କିନ୍ତୁ ଆଲୋକ ତୁଳନାରେ ଧ୍ବନି ତରଙ୍ଗ ଧୀରେ ଧୀରେ ଗତିକରି ବହୁସମୟ ପରେ ଆସି ଆମ କାନପରଦା ପାଖରେ ପହଞ୍ଚୁଥିବାରୁ ଆମେ ଡେରିରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ପାଉ । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଶବ୍ଦ ଗତି କରିବାପାଇଁ ଏକ ମାଧ୍ୟମ ଜରୁରି, ମାତ୍ର ଆଲୋକ ଶୂନ୍ୟରେ ଯାଇପାରେ । ଶବ୍ଦ ସୃଷ୍ଟିହୁଏ କଂପନରୁ, ମାତ୍ର ଆଲୋକ ଏକ ବିଦୁ୍ୟତ୍-ଚୁମ୍ବକୀୟ ତରଙ୍ଗ ।

ବିଜୁଳି ଓ ଘଡଘଡ଼ି ମଧ୍ୟରେ ରହୁଥିବା ସମୟ ବ୍ୟବଧାନରୁ ଆମେ ମୋଟାମୋଟି ଭାବେ ବିଜୁଳି ଉତ୍ପନ୍ନ ହୋଇଥିବା ସ୍ଥାନର ଉଚ୍ଚତା ହିସାବ କରିପାରିବା । ଘଡ଼ଘଡ଼ି ଏକ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପ୍ରାୟ ୩ ସେକେଣ୍ଡ ସମୟ ନିଏ । ଅର୍ଥାତ୍ ବିଜୁଳି ମାରିବାର ତିନି ସେକେଣ୍ଡ୍ ପରେ ଘଡ଼ଘଡ଼ି ଶୁଣିଲେ ଆମେ ଧରିନେବା ଯେ ଏକ କିଲୋମିଟର୍ ଉଚ୍ଚାରେ ବିଜୁଳି ଓ ଘଡ଼ଘଡ଼ି ସୃଷ୍ଟିହେଇଛି । ସାଧାରଣତଃ ୨୪ କି.ମି.ରୁ ଅଧିକ ଦୂରରେ ଘଡ଼ଘଡ଼ି ସୃଷ୍ଟି ହେଲେ ଆମେ ତାହା ଶୁଣିପାରୁନାହିଁ ।

ଆଧାର[ସମ୍ପାଦନା]

  1. Oliver, John E. (2005). Encyclopedia of World Climatology. National Oceanic and Atmospheric Administration. ISBN 978-1-4020-3264-6. http://books.google.com/?id=-mwbAsxpRr0C&pg=PA452. Retrieved February 8, 2009.