ବଂଶୀ

ଉଇକିପିଡ଼ିଆ‌ରୁ

ବାଉଁଶ ନଳରେ ତିଆରି ଏକ ପ୍ରକାର ବାଦ୍ୟ । ବଂଶୀ ଦୁଇ ପ୍ରକାର; ଏକ ପ୍ରକାର ବଂଶୀର ଗୋଟିଏ ମୁଣ୍ଡର ରନ୍ଧ୍ରରେ ଫୁଙ୍କିବାକୁ ହୁଏ, ଯାହାକୁ ରାଧା ବଂଶୀ କୁହାଯାଏ ଏବଂ ଅନ୍ୟ ବଂଶୀର ପାର୍ଶ୍ୱସ୍ଥ ଛିଦ୍ରକୁ ଓଠ ପାଖେ ସ୍ପର୍ଶ କରି ସେ ରନ୍ଧ୍ରରେ ତୀର୍ଯ୍ୟଭାବରେ ପୁଙ୍କିବାକୁ ହୁଏ, ଯାହାକୁ କୃଷ୍ଣ ବଂଶୀ କୁହାଯାଏ ।

ବଂଶୀ

ପୌରାଣିକ ମତେ ଶ୍ରୀକୃଷ୍ଣଙ୍କର ବଂଶୀନାଦ ଶୁଣିଲେ କ୍ରମାନ୍ୱୟରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ ଏହି ଅବସ୍ଥା ଅନୁସାରେ ଗୋପ କନ୍ୟାମାନଙ୍କର ବିଭିନ୍ନ ଶ୍ରେଣୀ ବିଭାଗ କରାହୋଇଅଛି ଯଥା: ବେଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା ।

ପ୍ରଥମ ବଂଶୀ ଉଚ୍ଚାଟନ, ପ୍ରକାଶ ବେଦକନ୍ୟା ଗଣ
ସ୍ତମ୍ଭନନାଦେ ବଂଶୀ ଶୁଣି, ଉଦିତ ଦେବତା ନନ୍ଦିନୀ
ବଶୀକରଣ ନାଦ ବଂଶୀ, ତହୁଁ ସମ୍ଭୁତ ମୁନି ଅଂଶୀ
ମୋହନନାଦେ ୟେ ମରଲୀ, ତହୁଁ ବିଦିତ ବ୍ରଜବାଳୀ — ଭୂପତି. ପ୍ରେମପଞ୍ଚାମୃତ[୧]

କୃଷ୍ଣ ବଂଶୀ ସହ

କୃଷ୍ଣାବତାରରେ ନନ୍ଦନନ୍ଦନ ଶ୍ରୀକୃଷ୍ଣ କେତେବେଳେ ଓ କାହାଠାରୁ ବଂଶୀଟି ପାଇଲେ ଓ ବଜାଇବା ଶିକ୍ଷା କରିଥିଲେ ସେ ସମ୍ପର୍କରେ ଶ୍ରୀମଦ୍ ଭାଗବତରେ କିଛି ଦେଖାଯାଏ ନାହିଁ । ତେବେ ବୈଷ୍ଣବମାନଙ୍କ ମତରେ ସୃଷ୍ଟି ଆରମ୍ଭରେ ପିତାମହ ବ୍ରହ୍ମା ଦେବଗଣଙ୍କୁ ନେଇ ସହସ୍ର ବର୍ଷ ବ୍ୟାପୀ ଏକ ଯାଗ କରିଥିଲେ । ଯାଗ ଶେଷରେ ସେହି ଯଜ୍ଞକୁଣ୍ଡରୁ ଏକ ବାଂଶ (ବାଉଁଶ ଗଛ) ସୃଷ୍ଟିହେଲା । ପଚିଶ ପବ ଦୈର୍ଘ୍ୟ ବିଶିଷ୍ଟ ଏହି ବାଂଶରୁ ପ୍ରଥମେ ବିଭିନ୍ନ ଦେବତା ପାଇଁ ଧନୁ ତିଆରି ହେଲା ।

  • ନଅପବରେ କୋଦଣ୍ଡ ଧନୁ
  • ସାତପବରେ ପିନାକ ଧନୁ
  • ପାଞ୍ଚପବରେ ସାରଙ୍ଗ ଧନୁ ଓ
  • ତିନିପବରେ ଗାଣ୍ଡିବ ଧନୁ ନିର୍ମିତ ହେବାପରେ ଶେଷ ଏକପବରେ ବେଦବ୍ରହ୍ମା କୃଷ୍ଣାବତାର ପାଇଁ ଏହି ବଂଶୀ ତିଆରି କରିଥିଲେ । ବୈଷ୍ଣବୀୟ ସାହିତ୍ୟଗୋବିନ୍ଦ ଲୀଳାମୃତର ବର୍ଣ୍ଣନା ଅନୁଯାୟୀ ରାମକୃଷ୍ଣ ବେନିଭାଇ ଗୋଚାରଣ ପାଇଁ ଯିବାପୂର୍ବରୁ ଏ ସମ୍ପର୍କରେ ପ୍ରଶିକ୍ଷଣ ପାଇଁ ଗୋପର ବିଶିଷ୍ଟ ଗୋପାଳ ଗୋବର୍ଦ୍ଧନ ମହାମଲ୍ଲ ମହାଭୋଇଙ୍କ ନିକଟକୁ ଯାଇଥିଲେ । ବଣରେ ଗାଈ ଚରାଇବାକୁ ହେବ ସେ ସମ୍ପର୍କରେ ପରାମର୍ଶ ଦେବା ସହ ମହାଭୋଇ କୃଷ୍ଣଙ୍କୁ ଗୋଟିଏ ଶିଙ୍ଗା, ହଳେ କଠଉ, ବାଘନଖୀ ମାଳି, ନଅପବ ଥିବା ଗୋଟିଏ ଲଉଡି ଓ ଏକ ବେଣୁ ପ୍ରଦାନ କରିଥିଲେ । କିନ୍ତୁ ହରିବଂଶ ଓ ବ୍ରହ୍ମବୈବର୍ତ୍ତ ପୁରାଣ ମତରେ ପ୍ରଳୟ କାଳରେ ଏ ବେଣୁ ବରୁଣଙ୍କ ନିକଟରେ ସଂରକ୍ଷିତ ଥିଲା । ବୃନ୍ଦାବନରେ ଗୋପୀଙ୍କ ସହିତ ରାସଲୀଳା ପାଇଁ ସମ୍ମୋହକ ଅସ୍ତ୍ରଭାବେ ବ୍ରହ୍ମା ଏହାକୁ କୃଷ୍ଣଙ୍କୁ ପ୍ରଦାନ କରିଥିଲେ । ଏହିବଂଶୀ ପାଞ୍ଚପ୍ରକାର
  1. ଅଳାବେଣୀ
  2. ଖୁରଲୀ
  3. ମୁରଲୀ: କବି ଗୌରାଙ୍ଗଚରଣଙ୍କ ଶ୍ରୀକୃଷ୍ଣ ଲୀଳାକାବ୍ୟରେ ବତିଶ ଅଙ୍ଗୁଳ ଷଡରନ୍ଧ୍ର ବିଶିଷ୍ଟ ଜମ୍ଭୁନଦ ରତ୍ନବନ୍ଧ ଜଡ଼ିତ ବଂଶୀକୁ ମୁରଲୀ କୁହାଯାଏ
  4. ସୁରଲୀ: ବତିଶ ଅଙ୍ଗୁଳ ଦୈର୍ଘ୍ୟ ଓ ପଞ୍ଚରନ୍ଧ୍ର ବିଶିଷ୍ଟ । ଦୁଇରନ୍ଧ୍ରରେ ଯନ୍ତ୍ରବନ୍ଧ ଦିଆଯାଇଥାଏ । ଯମୁନାଘାଟରେ ନଟନାଗର ଏହି ମୁରଲୀ ବଜାଇ ହୁନ୍ଦର କରନ୍ତି
  5. ବଂଶୀ: ଷୋଳ ଅଙ୍ଗୁଳ ଓ ସପ୍ତରନ୍ଧ୍ରଯୁକ୍ତ ତିନିରନ୍ଧ୍ରରେ କଳକ ନଳି । ବଶ କରୁଥିବାରୁ ତାର ନାମ ବଂଶୀ । ତିନିସ୍ୱରରେ ବଂଶୀବାଦନ କଲେ ତ୍ରିଭୁବନବାସୀ ମଦନଜ୍ୱାଳାରେ ଘାରି ହୁଅନ୍ତି । ଆଠ ଆଙ୍ଗୁଳ ବିଶିଷ୍ଟ ଖୁରଲୀରେ ଦଶଗୋଟି ମଣ୍ଡଳାକାର ରନ୍ଧ୍ର, ଯେତେବେଳେ କୃଷ୍ଣ ଗାଈ ନେଇ ଯାଆନ୍ତି ସେତେବେଳେ ଏହି ଖୁରଲୀ ବଜାନ୍ତି । ପଞ୍ଚରନ୍ଧ୍ର ଦୁଇଯନ୍ତ୍ରଯୁକ୍ତ ଅଳାବେଣୁ ବଜାନ୍ତି ଗୋପାଳ ବାଳକଙ୍କ ସହ କ୍ରୀଡାକୌତୁକ ସମୟରେ । ଭକ୍ତି ରସାମୃତ ସିନ୍ଧୁରେ କିନ୍ତୁ ଦ୍ୱାଦଶାଙ୍ଗୁଳ ଓ ଛଅଟି ଛିଦ୍ରଯୁକ୍ତକୁ ପରିକାଶ୍ୟ ବେଣୁ , ଦ୍ୱିହସ୍ତ ପରିମିତ ଚାରିରନ୍ଧ୍ରଯୁକ୍ତକୁ ମନୋହାରିଣୀ ମୁରଲୀ ଓ ସପ୍ତଦଶାଙ୍ଗୁଳ ନଅଟି ଛିଦ୍ରଯୁକ୍ତକୁ ବଶକାରିଣୀ ବଂଶୀ ବୋଲି କୁହାଯାଏ । ବାଂଶରୁ ତିଆରି ବଂଶୀକୁ ଆନନ୍ଦିନୀ, ସ୍ୱର୍ଣ୍ଣନିର୍ମିତ ବଂଶୀକୁ ଆକର୍ଷଣୀ ଓ ମଣିମୟ ବଂଶୀକୁ ସମ୍ମୋହନୀ ବୋଲି କହିଛନ୍ତି । ଶ୍ରୀକୃଷ୍ଣଙ୍କ ବଂଶୀସ୍ୱନ ଶୁଣି ଗୋପୀମାନଙ୍କ ମଧ୍ୟରେ ସ୍ତମ୍ବନ ମୋହନ, ବଶୀକରଣ ଆଦି ଭାବ ଜାଗ୍ରତ ହେଉଥିଲା ଏହି ବଂଶୀସ୍ୱନରେ ଶ୍ରୀକୃଷ୍ଣ ତ୍ରିଭୁବନକୁ ମୋହିତ କରିପାରୁଥିଲା । [୨]

ଆଧାର[ସମ୍ପାଦନା]

  1. http://dsal.uchicago.edu/cgi-bin/philologic/getobject.pl?p.30:11.praharaj[permanent dead link] ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୫୨୭୮-୭୯
  2. ସମାଜ

ଅଧିକ ତଥ୍ୟ[ସମ୍ପାଦନା]

A selection of historic flutes from around the world at The Metropolitan Museum of Art