ତରାଜୁ

ଉଇକିପିଡ଼ିଆ ରୁ
ନ୍ୟାୟର ନିକିତି

ତରାଜୁ, ନିକିତି, ତୁଳା ବା ଦଣ୍ଡି ହେଉଛି କୌଣସି ସ୍ଥୂଳ ପଦାର୍ଥର ଓଜନ ମାପକ ଯନ୍ତ୍ର ବିଶେଷ । ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ହେବା ସହିତ ଘରୋଇ କାମରେ ଯଥା ରୋଷେଇ ଘରେ, ଦେହର ଓଜନ ମାପିବା ଆଦିରେ ମଧ୍ୟ ଏହାର ବ୍ୟବହାର ହୋଇଥାଏ । ନ୍ୟାୟର ପ୍ରତୀକ ଭାବରେ ଦର୍ଶିତ ନାରୀମୂର୍ତ୍ତି ଆଖିରେ ଅନ୍ଧପୋଟଳି ବାନ୍ଧି ହାତରେ ଏକ ଦୁଇ ପଲା ବିଶିଷ୍ଟ ତରାଜୁ ଧରିଥିବାର ଦେଖାଯାଏ ଯାହା ନିରପେକ୍ଷତାକୁ ଦର୍ଶାଇଥାଏ ।

ଇତିହାସ[ସମ୍ପାଦନା]

ସର୍ବପ୍ରଥମେ ତୁଳାଯନ୍ତ୍ରର ବ୍ୟବହାର କେବେ ହେଲା ତାର ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ । ପ୍ରତ୍ନତତ୍ତ୍ୱବିଦ୍ ମାନଙ୍କ ମତରେ କୃଷି ଭିତ୍ତିକ ସମାଜର ପ୍ରତିଷ୍ଠା ସହିତ ସମ୍ଭବତଃ କୃଷି ଉତ୍ପାଦର ବିନିମୟ ପାଇଁ ଖ୍ରୀପୂ ୨୪୦୦ ରୁ ୧୮୦୦ ମଧ୍ୟରେ ଏହାର ପ୍ରଥମ ବ୍ୟବହାର ହୋଇଥିଲା । ମସୃଣ ଘନୀକୃତ ପଥରଖଣ୍ଡମାନଙ୍କ ର ଆବିଷ୍କାର ଏବଂ ସେଗୁଡ଼ିକର ଓଜନ ଏକ ସାଧାରଣହାରର ଗୁଣିତକ ହୋଇଥିବାରୁ ଆପେକ୍ଷିକ ବସ୍ତୁତ୍ଵ ମାପିବା ପାଇଁ ତରାଜୁରେ ସେଗୁଡ଼ିକର ବ୍ୟବହାର ହେବା ମନେ କରାଯାଏ । ଖ୍ରୀ.ପୂ. ୧୮୭୯ ସମୟରେ ଇଜିପଟରେ ଭାରର ଚିହ୍ନଥିବା ପଥର ଖୋଦାଇ ଓ ପ୍ରାଚୀର ଚିତ୍ରାକ୍ଷରର ଆବିଷ୍କାରରୁ ମିଶରର ବଣିକମାନଙ୍କ ଦ୍ଵାରା ଏହାର ବ୍ୟବହାରର ପ୍ରମାଣ ମିଳେ । ଅନେକ ଐତିହାସିକଙ୍କ ମତରେ ତରାଜୁର ବ୍ୟବହାର ୫୦୦୦ ବର୍ଷ ପୁରାତନ ।

କ୍ରମବିକାଶ[ସମ୍ପାଦନା]

ଦୁଇପଲା ତରାଜୁ[ସମ୍ପାଦନା]

ଦୁଇପଲା ବିଶିଷ୍ଟ ତରାଜୁ

ସର୍ବପ୍ରଥମେ ବ୍ୟବହୃତ ତରାଜୁ ସମବାହୁ ଦୁଇପଲା ବିଶିଷ୍ଟ ଥିଲା । ଏହା ମାନବ ଆବିଷ୍କୃତ ପ୍ରଥମ ମାପକ ଯନ୍ତ୍ର।[୧] କାଷ୍ଠ ନିର୍ମିତ ଏକ ମସୃଣ ଦଣ୍ଡର ଦୁଇ ଅଗ୍ରରେ ଦୁଇଟି ରନ୍ଧ୍ର ଦେଇ ରଜ୍ଜୁଦ୍ଵାରା ଦୁଇଟି ପଲା ଝୁଲାଇ ରଖିବା ଏବଂ କେନ୍ଦ୍ରରେ ଅନ୍ୟ ଏକ ରନ୍ଧ୍ର ଦେଇ ରଜ୍ଜୁ ସାହାଯ୍ୟରେ ତରାଜୁକୁ ଟେକି ଧରିବା ପାଇଁ ବ୍ୟବସ୍ଥା ଥିଲା । ପରବର୍ତ୍ତୀ ସମୟରେ କାଷ୍ଠ ପରିବର୍ତ୍ତେ ପିତ୍ତଳ ବା ଲୁହାଦଣ୍ଡ ଏବଂ ରଜ୍ଜୁ ପରିବର୍ତ୍ତେ ଲୁହା ଶିକୁଳିର ବ୍ୟବହାର ସହିତ ଦଣ୍ଡର କେନ୍ଦ୍ରରେ ଏକ ସୂଚକର ଉପଯୋଗ କରାଗଲା । ସୂଚକଟି ଏକ ଲୌହ ବନ୍ଧନୀର ମଧ୍ୟଭାଗରେ କେବଳ ପଲା ଦ୍ଵୟର ସମତୁଲ ଅବସ୍ଥାରେ ଭୂଲମ୍ବ ଭାବେ ରହିପାରେ । ଇପ୍ସିତ ପଦାର୍ଥର ବସ୍ତୁତ୍ଵ ନିର୍ଣ୍ଣୟ ପାଇଁ ଲୁହା ବଟକରାର ବ୍ୟବହାର ହେଲା । ଏହା ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ଓଜନ ପାଇଁ ଏବେ ମଧ୍ୟ ବ୍ୟବହୃତ ହେଉଅଛି । ଏପରି ତରାଜୁ କ୍ଷୁଦ୍ରାତିକ୍ଷୁଦ୍ର ପଦାର୍ଥର ଓଜନ ମାପରେ ମଧ୍ୟ ବ୍ୟବହାର କରାଯାଏ କାରଣ ପୃଥିବୀର ବିଭିନ୍ନ ଜାଗାରେ ରହି ମାଧ୍ୟାକର୍ଷଣ ଶକ୍ତିର ବିଭିନ୍ନତା (ଯାହା ପ୍ରାୟ ୦.୫%ବଦଳିଥାଏ) ଉପରେ ଏହା କମାନୀ ନିକିତି ପରି ପ୍ରଭାବିତ ହୁଏ ନାହିଁ। [୨]

କମାନୀ ତରାଜୁ[ସମ୍ପାଦନା]

୧୭୭୦ ଖ୍ରୀଷ୍ଟାବ୍ଦରେ ରିଚାର୍ଡ ସଲଟର ଏହି ତରାଜୁକୁ ଗଠନ କରିଥିଲେ । ସେ ଏକ ନିର୍ଦ୍ଧାରିତ ବୃଦ୍ଧି ସ୍ଥିରାଙ୍କ (streching constant ) ବିଶିଷ୍ଟ କମାନୀର ଶୀର୍ଷ ଅଗ୍ରରେ ଏକ ସୂଚକ ଓ ନିମ୍ନ ଅଗ୍ରରେ ଗୋଟିଏ ଆଙ୍କୁଡ଼ି (hook) ସଂଯୁକ୍ତ କରି କମାନୀର ଶୀର୍ଷ ଅଗ୍ରକୁ ଦୃଢ଼ଭାବେ ଏକ ପାତ ସହିତ ଢଳେଇ କରି ରଖିଲେ ଯେପରିକି ଦୁଇପଲା ତରାଜୁ କମାନୀ ତରାଜୁ କମାନୀଟି ପାତ ଉପରେ ମୁକ୍ତଭାବେ ପ୍ରସାରିତ ହୋଇପାରେ, ପାତଟିର ପୃଷ୍ଠଦେଶରେ କିମ୍ବା ପାତ ସହିତ ସଂଯୁକ୍ତ ଅନ୍ୟ ଏକ ଅର୍ଦ୍ଧଗୋଲାକାର ପାତର ପୃଷ୍ଠରେ ଅଂଶାଙ୍କିତ (calibrated) ମାପକ ରଖିଲେ । କମାନୀଟିର ଆଙ୍କୁଡିରେ କୌଣସି ପଦାର୍ଥକୁ ଝୁଲାଇ ରଖିବା ଦ୍ଵାରା କମାନୀଟି ପ୍ରସାରିତ ହୋଇଥାଏ ଏବଂ ସୂଚକଟି କମାନୀ ସହିତ ତଳକୁ ଟାଣି ହୋଇ ମାପକ ଉପରେ ଗତିକରି ପଦାର୍ଥର ଓଜନକୁ ଦର୍ଶାଇଥାଏ । ସୁତରାଂ କୌଣସି ସ୍ଥାନର ମାଧ୍ୟାକର୍ଷଣ ବଳ ଉପରେ ପଦାର୍ଥର ଓଜନ ଭିନ୍ନ ଭିନ୍ନ ହୋଇପାରେ । ଏକାଧିକ କି.ଗ୍ରା. ଓଜନର ପଦାର୍ଥ ପାଇଁ ଏହାର ବ୍ୟବହାର ସହଜସାଧ୍ୟ ହୋଇଥାଏ କାରଣ ଏହାକୁ ସାଙ୍ଗରେ ନେଇଯିବାରେ ଅସୁବିଧା ନ ଥାଏ ।

ବୈଶ୍ଳେଷିକ ତରାଜୁ[ସମ୍ପାଦନା]

ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ କ୍ଷୁରଧାର (knife edge)ର ଆବିଷ୍କାର ଦ୍ଵାରା ଗବେଷଣା ଓ ବିଜ୍ଞାନଗାରରେ ମାତ୍ରାତ୍ମକ ବିଶ୍ଳେଷଣ ପାଇଁ, ବିଶେଷକରି ଖୁବ୍ ଅଳ୍ପ ପରିମାଣର ପଦାର୍ଥର ବସ୍ତୁତ୍ଵ ନିର୍ଣ୍ଣୟ କରିବା ପାଇଁ, ଆବଶ୍ୟକ ତରାଜୁର ବିକାଶ ସମ୍ଭବ ହେଲା । ଊନବିଂଶ ଶତାବ୍ଦୀର ଶେଷଆଡ଼କୁ ଏ ପ୍ରକାର ତରାଜୁର ଗଠନ ଇଉରୋପରେ ହିଁ ହୋଇଥିଲା । ତରାଜୁର ପିତ୍ତଳ ନିର୍ମିତ ଦଣ୍ଡର (beam) କେନ୍ଦ୍ରରେ ଗୋଟିଏ 'V' ଆକୃତିର କ୍ଷୁରଧାର ଖଚିତ ଥାଏ । କ୍ଷୁରଧାରଟି ଏକ ସହାୟକ ସ୍ତମ୍ଭ ଉପରିସ୍ଥ ମସୃଣ ପାତ ଉପରେ ରହି କେନ୍ଦ୍ରଠାରୁ ସମଦୂରତାରେ ସହାୟକ ସ୍ତମ୍ଭର ବାହୁଦ୍ଵୟ ଉପରେ ସ୍ଥିତ ଦୁଇଟି କୀଳକ ଉପରେ, ଦଣ୍ଡଟିକୁ ଦୃଢ଼ ଭାବେ ଭୂସମାନ୍ତର ଅବସ୍ଥାରେ ରହିବାରେ ସାହାଯ୍ୟ କରେ । ଦଣ୍ଡଟିର ଦୁଇଅଗ୍ରରେ ଖଚିତ ଆଉ ଦୁଇଟି "ʌ" ଆକୃତିର କ୍ଷୁରଧାର ଉପରେ ପଲା ଝୁଲାଇବା ପାଇଁ ଦୁଇଟି ଝୁଲଣ (hanger) ଥାଏ । ସହାୟକ ସ୍ତମ୍ଭର ପାଦ ଦେଶରେ ଥିବା ଏକ ନବ (knob) ସାହାଯ୍ୟରେ ସହାୟକ ଏବଂ ତାହାର ବାହୁଦ୍ଵୟକୁ ଅବନମିତ କରି ଦଣ୍ଡଟିକୁ କୀଳକଦ୍ଵୟ ଉପରୁ ମୁକ୍ତ କରାଯାଏ । ଏହି ମୁକ୍ତ ଅବସ୍ଥାରେ ଦଣ୍ଡର କେନ୍ଦ୍ର ସହିତ ସଂଲଗ୍ନ ସୂଚକର ଅଗ୍ର ଏକ ସ୍କେଲ ଉପରେ ଗତି କରିଥାଏ । ପଲାସ୍ଥିତ ପଦାର୍ଥ ଓ ବ୍ୟବହୃତ ବଟକରାର ସ୍ଥୂଳ ସମତୁଲତା ସୂଚକ ଦ୍ଵାରା ସ୍ଥିରୀକୃତ ହେବା ପରେ ସୂକ୍ଷ୍ମ ସମତୁଲତା ପାଇଁ ଅଂଶାଙ୍କିତ ଦଣ୍ଡ ଉପରେ ଏକ ୧୦ ମିଲିଗ୍ରାମର ରାଇଡର ବ୍ୟବହାର ଆବଶ୍ୟକ ହୋଇଥାଏ । ସଂପୂର୍ଣ୍ଣ ବ୍ୟବସ୍ଥାଟି ପଦାର୍ଥ ଓ ବଟକରା ରଖିବା ଏବଂ କାଢ଼ିବା ପାଇଁ ଦୁଇଟି ଦ୍ଵାର ଥିବା ଏକ ସ୍ଵଚ୍ଛ ବାକ୍ସ ମଧ୍ୟରେ ଥାଏ । ଏହା ବାୟୁ ପ୍ରବାହର ପ୍ରଭାବକୁ ଦୂର କରିଥାଏ ।

ଏକପଲା ତରାଜୁ[ସମ୍ପାଦନା]

ସମ୍ଭବତଃ ଦୁଇପଲା ତରାଜୁର ବ୍ୟବହାର ପୂର୍ବରୁ ଭାରତରେ ଏକ ଏକପଲା ବିଶିଷ୍ଟ ତରାଜୁର ପ୍ରଚଳନ ଥିଲା ଯାହାକୁ "ବିଶା" କୁହାଯାଉଥିଲା । କାଠ ବା ପିତ୍ତଳ ନିର୍ମିତ ଦଣ୍ଡରେ ଗୋଟିଏ ଅଗ୍ରରେ ପଲା ବଦଳରେ ଏକ ସ୍ଥିରଭାର (fixed weight) ଓଜନର ପିଣ୍ଡ ଥାଏ । ପିଣ୍ଡଠାରୁ ବିଭିନ୍ନ ଦୂରତାରେ ଦଣ୍ଡ ଉପରେ ରେଖାଚିହ୍ନ ଥାଏ ଯାହା ଉପରେ ପଲାଟିକୁ ଝୁଲାଇ ରଖା ଯାଇପାରେ । ପିଣ୍ଡ ନିକଟବର୍ତ୍ତୀ ରେଖା ଉପରେ ଶୂନ୍ୟପଲାର ଭାର ପ୍ରତି ସନ୍ତୁଳିତ (moment) ଓ ନମୁନା ଭାରର ପଲାସହିତ ଆଘୂର୍ଣ୍ଣ ସମାନ ହେବା ନିୟମ ଉପରେ ତରାଜୁଟି ଆଧାରି ତ ଥିଲା । ସମ୍ଭବତଃ ପରବର୍ତ୍ତୀ ସମୟରେ ଯାନ୍ତ୍ରିକ କୌଶଳର ଉପଯୋଗ ଦ୍ଵାରା ଏହି ନିୟମକୁ ଆଧାର କରି ବିଭିନ୍ନ ଉନ୍ନତରୁ ଉନ୍ନତତର ତରାଜୁର ବିକାଶ ହେଲା । ଆଧୁନିକ ଏକ ପଲା ତରାଜୁ, ଦୁଇପଲା ତରାଜୁର ସହଜାତ ତ୍ରୁଟିକୁ , (ଦଣ୍ଡର ପରମ ସମବାହୁତାରେ ଜଟିଳତା ଏବଂ ସଂବେଦନଶୀଳତା (sensitivity) ପାଇଁ ସମସ୍ତ କ୍ଷୁରଧାରର ଏକ ସରଳରେଖାରେ ଖଚିତ ହେବା), ଦୁଇଟି କ୍ଷୁରଧାର ଓ ଅସମବାହୁ ବିଶିଷ୍ଟ ଦଣ୍ଡର ବ୍ୟବହାର ଦ୍ଵାରା ଦୂର କରିଥାଏ । ଦୁଇଟି କ୍ଷୁରଧାର ଭିତରୁ ଗୋଟିଏ ଆଲମ୍ବ (fulcrum)ର କାର୍ଯ୍ୟ ଓ ଅନ୍ୟଟି ଦଣ୍ଡର ଛୋଟବାହୁ ଅଗ୍ରରେ ଏକ ଝୁଲଣ ମାଧ୍ୟମରେ ପଲା ଓ ଏକାଧିକ ବିଭିନ୍ନ ବସ୍ତୁତ୍ଵର ବଳୟ ବା ଓଜନମାନଙ୍କୁ ଧରି ରଖିବା କାର୍ଯ୍ୟ ସଂପାଦିତ କରିଥାଏ । ଦଣ୍ଡର ବଡ଼ବାହୁର ଅଗ୍ରରେ ଦଣ୍ଡର ଅଂଶ ବିଶେଷଭାବେ ଏକ ନିର୍ଦ୍ଦିଷ୍ଟ ଭାର ବିରୋଧାତ୍ମକ ଓଜନର (counter weight) କାର୍ଯ୍ୟ କରିଥାଏ । ସ୍ଥିରଭାର ସହିତ ପଲା ଓ ସମସ୍ତ ବଳୟ ବା ଓଜନର ଏକତ୍ରିତ ବସ୍ତୁତ୍ଵର ସମତୁଲତା ଥାଏ । ପଲା ଉପରେ କୌଣସି ସାମଗ୍ରୀ ରଖିଲେ ଏହି ସମତୁଲତା ନଷ୍ଟ ହୋଇଥାଏ । ତେଣୁ ସମତୁଲତାକୁ ପୁନଃସ୍ଥାପିତ କରିବା ପାଇଁ ବଳୟ ଗୁଡ଼ିକ ଏକ କ୍ରମରେ କାଢ଼ିନିଆଯାଏ । ବଳୟ ଗୁଡ଼ିକର ଅପସାରଣ ଓ ପୁନଃସ୍ଥାପନ, ତରାଜୁ ପ୍ରକୋଷ୍ଠ ସମ୍ମୁଖ ପ୍ୟାନେଲରେ ଥିବା ଡାଏଲମାନଙ୍କ ଦ୍ଵାରା କରାଯାଏ । ପ୍ରକୋଷ୍ଠର ପଛପଟେ ଏକ ଆଲୋକୀୟ ବ୍ୟବସ୍ଥା ଥାଏ ଯାହା ପ୍ରକୋଷ୍ଠର ସମ୍ମୁଖ ପ୍ୟାନେଲରେ ଥିବା ପ୍ରକ୍ଷେପଣ ପରଦାକୁ (projector screen) ଆଲୋକିତ କରିଥାଏ । ପରଦାଟିରେ ଏକ ନିର୍ଦ୍ଦେଶ ଚିହ୍ନ ଥାଏ ଏବଂ ପରଦା ପଛପଟେ ଏକ ଗତିଶୀଳ ମାପକ ଥାଏ । ନିର୍ଦ୍ଦେଶ ଚିହ୍ନ ଉପରେ ମାପକର ସ୍ଥିତି ସାମଗ୍ରୀରେ ଦଶମିକ ସହସ୍ରାଂଶ ଓଜନକୁ ଦର୍ଶାଇ ଥାଏ । ତରାଜୁଟିକୁ ପ୍ରକୋଷ୍ଠର ପାର୍ଶ୍ୱ ପ୍ୟାନେଲରେ ଥିବା ଏକ ତ୍ରିକୋଣୀୟ ପ୍ରଚଳନ ଗୋଲାକ, ସ୍ଵିଚ ଖୋଲିବା ଓ ବନ୍ଦକରିବାର କାର୍ଯ୍ୟ କରିଥାଏ ।

ଡିଜିଟାଲ ତରାଜୁ[ସମ୍ପାଦନା]

ଡିଜିଟାଲ କିଚେନ ତରାଜୁ, ଏକପ୍ରକାରର ଷ୍ଟ୍ରେନଗେଜ ତରାଜୁ

ମୋନୋବ୍ଲକ କୌଶଳରେ, ଷ୍ଟ୍ରେନଗେଜ ନିର୍ମିତ ଲୋଡ଼ ସେଲ, ଟ୍ରାନସ ଡ୍ୟୁସର, ଗେନ ଆଂପ୍ଲିଫ।ୟାର, ଡିଜିଟାଲ ଫିଲଟର ଓ ମାଇକ୍ରୋକଣ୍ଟ୍ରୋଲର ସଂଯୋଗ ଦ୍ଵାରା ଏହା ଗଠିତ । ନମୁନା ପଦାର୍ଥର ଭାରକୋଷ (load cell) ଉପରେ ସୃଷ୍ଟ ଚାପକୁ ଟ୍ରାନ୍ସଡ୍ୟୁସର ସାମାନ୍ୟ କିଛି ମିଲିଭୋଲଟର ବୈଦ୍ୟୁତିକ ସଙ୍କେତକୁ ପରିବର୍ତ୍ତିତ କରିଥାଏ । ସଙ୍କେତ ପ୍ରବର୍ଦ୍ଧକ (amplifier) ଉତ୍ପନ୍ନ ଆନାଲଗ ସଙ୍କେତକୁ ଡିଜିଟାଲ କନଭର୍ଟର ଦ୍ଵିଆଧାରୀ ସଙ୍କେତକୁ ପରିବର୍ତ୍ତନ କରିଥାଏ ଯାହାକୁ ମାଇକ୍ରୋକଣ୍ଟ୍ରୋଲର ସଂସାଧିତ କରି ବସ୍ତୁର ଓଜନକୁ ଏକ ତରଳ ସ୍ଫଟିକ ପ୍ରଦର୍ଶନ ଫଳକରେ ସଂଖ୍ୟା ଆକାରରେ ପ୍ରଦର୍ଶିତ କରିଥାଏ ।

ଇଲେକ୍ଟ୍ରନିକ ତରାଜୁ[ସମ୍ପାଦନା]

କୌଣସି ସ୍ଥାୟୀ ଚୁମ୍ବକର ଦୁଇ ମେରୁ ମଧ୍ୟରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେଲେ ଏକ ବିଦ୍ୟୁତ ଚୁମ୍ବକୀୟ ବଳର ସୃଷ୍ଟି ହୁଏ, ଯାହା ସ୍ରୋତବାହକ କୁଣ୍ଡଳୀକୁ ଚୁମ୍ବକୀୟ କ୍ଷେତ୍ର ବାହାରକୁ ଠେଲିଥାଏ । ଏହି ନିୟମ ଉପରେ ଆଧାରିତ ସର୍ଭୋମୋଟର (servo motor) ବ୍ୟବହାରରେ ଇଲେକଟ୍ରନିକ ତରାଜୁ କାର୍ଯ୍ୟ କରିଥାଏ । ଏପରି ତରାଜୁରେ ପଲାଟି ମୋଡ଼କ ବଳକୁ ( torsional force) ପ୍ରତିହତ କରିବା ପାଇଁ ସିଧାସଳଖ ଏକ କଠିନ ସମାନ୍ତର ଚତୁର୍ଭୁଜ ଭାର ଅବରୋଧକ ( load constraint ) ସହିତ ସଂଯୁକ୍ତ ଥାଏ । ନମୁନା ପଦାର୍ଥର ପଲା ଉପରେ ସୃଷ୍ଟ ଚାପ ସର୍ଭୋମୋଟରର କୁଣ୍ଡଳୀକୁ ବିସ୍ଥାପିତ କରିଥାଏ । ବିସ୍ଥାପନ ଯୋଗୁଁ ଏକ ପ୍ରତିକାରକ ପରିପଥରେ (compensating circuit ) ସଂସାଧନ (correction) ବିଦ୍ୟୁତ ସ୍ରୋତ ପ୍ରବାହିତ ହୁଏ, ଯାହାର ଚୁମ୍ବକୀୟ ବଳ ଶୂନ୍ୟପରିଚୟକର (null detector ) ସୂଚକଟିକୁ ଶୂନ୍ୟସ୍ଥାନରେ ପୁନଃସ୍ଥାପିତ କରିଥାଏ । ଏହି ସଂସାଧିତ ସ୍ରୋତର ମାତ୍ରା ହିଁ ପଦାର୍ଥର ଓଜନକୁ ସୂଚାଇଥାଏ । (ସଂସାଧନ ସ୍ରୋତର ପରିମାଣ ନିର୍ଦ୍ଦିଷ୍ଟ ଓଜନମାନଙ୍କ ସାହାଯ୍ୟରେ ଅଂଶାଙ୍କିତ ହୋଇଥାଏ । [୩]

ଆଧାର[ସମ୍ପାଦନା]

  1. Sanders, L. A Short History of Weighing. Birmingham, England: W. & T. Avery, Ltd. (1947, revised 1960) (http://www.averyweigh-tronix.com/download.aspx?did=6249
  2. Hodgeman, Charles, Ed. (1961). Handbook of Chemistry and Physics, 44th Ed. Cleveland, USA: Chemical Rubber Publishing Co.  p.3480-3485
  3. ବିଜ୍ଞାନ ଦିଗନ୍ତ, ୧୦ ଅଗଷ୍ଟ , ୨୦୧୨

ବାହାର ଆଧାର[ସମ୍ପାଦନା]

  • Encyclopedia Britannica, P 820-821.
  • Quantitativ e Analysis : Day & Underwood;Prentice Hall India Ltd.