ଡେଙ୍ଗୁ ଜର

ଉଇକିପିଡ଼ିଆ ରୁ
ଡେଙ୍ଗୁ ଜରରେ ଚର୍ମରେ ହେଉଥିବା ପରିବର୍ତ୍ତନ

ଗ୍ରୀଷ୍ମ ମଣ୍ଡଳ ଓ ଅନୁଗ୍ରୀଷ୍ମ ମଣ୍ଡଳ ସ୍ଥାନରେ ଦେଖାଯାଉଥିବା ଏହା ଏକ ଭୁତାଣୁ ବା ଭାଇରସ ଜନିତ ସଂକ୍ରାମକ ରୋଗ । ଏହି ରୋଗରେ ମୂଖ୍ୟତଃ ଜର ହୁଏ ।
ଡେଙ୍ଗୁ ଭାଇରସ ଏଡିସ ପ୍ରଜାତିର ମଶା ଦ୍ବାରା ବାହିତ ହୁଅନ୍ତି । ଏଥିରେ ମୂଖ୍ୟ ଭୂମିକା ନିଏ ଏଡିସ ଇଜିପ୍ଟି (Aedes aegyptiନାମକ ମଶା। ଚାରି ପ୍ରକାରର ଭାଇରସ ଯୋଗୁ ଏହି ରୋଗ ହୁଏ । ଯେ କୌଣସି ଗୋଟିଏ ପ୍ରକାର ଭାଇରସଦ୍ବାରା ରୋଗ ହେଲେ ସେହି ଭାଇରସ ବିରୁଦ୍ଧରେ ଜୀବନ ବ୍ୟାପି ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୁଏ କିନ୍ତୁ ଅନ୍ୟ ତିନି ପ୍ରକାର ଭାଇରସ ବିରୁଦ୍ଧରେ ସ୍ବଳ୍ପକାଳୀନ ପ୍ରତିରୋଧ ସୃଷ୍ଟି ହୁଏ । ଅନ୍ୟ ଭାଇରସ ଯୋଗୁ ପୁନଃ ସଂକ୍ରମଣ ହେଲେ ରୋଗ ଅତ୍ୟଧିକ ଜଟିଳ ହୋଇଯାଏ । ଏହା ନିମନ୍ତେ କୌଣସି ଟୀକା ନ ଥିବାରୁ ମଶାମାନଙ୍କର ବଂଶ ବୃଦ୍ଧି ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଯଥା ଅଳିଆ ଆବର୍ଜନାର ପରିସ୍କାର, ପାଣି ଜମିବାକୁ ନ ଦେବା ଇତ୍ୟାଦି ଦିଗରେ ଧ୍ୟାନ ଦିଆଯାଏ ।
ଡେଙ୍ଗୁ ନିମନ୍ତେ କେବଳ ସାହାଯ୍ୟକାରୀ ଚିକିତ୍ସା ଉପଲବ୍ଧ । ଏହି ରୋଗର ରୋଗୀସଂଖ୍ୟା ୧୯୬୦ ମସିହାଠାରୁ ବଢିବାରେ ଲାଗିଛି ଓ ପ୍ରତି ବର୍ଷ ୫୦ ରୁ ୧୦୦ ନିୟୁତ ଲୋକ ଆକ୍ରାନ୍ତ ହେଉଛନ୍ତି । ଏହା ଏକ ବିଶ୍ବବ୍ୟାପୀ ସମସ୍ୟା ହୋଇଯାଇଛି। ପ୍ରାୟ ୧୧୦ଟି ଦେଶରେ ଏହା ଆଞ୍ଚଳିକ ରୋଗରେ ପରିଣତ ହୋଇଛି ।

କାରଣ[ସମ୍ପାଦନା]

ଭୁତାଣୁ[ସମ୍ପାଦନା]

ଟି.ଇ.ଏମ. ମାଇକ୍ରୋଗ୍ରାମରେ କଳା କଳା ବିନ୍ଦୁ ଗୁଡିକ ଡେଙ୍ଗୁ ଭୁତାଣୁ

ଫ୍ଲାଭିଭିରିଡେ ପରିବାରର ଜେନସ ଫ୍ଲାଭିଭାଇରସ ଏକ ପ୍ରକାର ଆର୍.ଏନ୍.ଏ. ଭାଇରସ ଯାହା ଡେଙ୍ଗୁ ଜର କରାଏ । ଏହି ଜେନସର ଅନ୍ୟାନ୍ୟ ଭୂତାଣୁ ଗୁଡ଼ିକ ହେଲେ ହଳଦିଆ ଜର ଭୂତାଣୁ, ଜାପାନୀ ମସ୍ତିଷ୍କ ଜର ଭୂତାଣୁ, ଟିକଜାତ ମସ୍ତିଷ୍କ ଜର ଭୂତାଣୁ ଇତ୍ୟାଦି । ଏହି ଭାଇରସକୁ ଆର୍ବୋଭାଇରସ୍ ମଧ୍ୟ କହନ୍ତି ।
ଡେଙ୍ଗୁ ଭାଇରସରେ ତିନି ପ୍ରକାର ପ୍ରୋଟିନ ମଲିକ୍ୟୁଲ ଥାଏ ଓ ୧୧୦୦ ନ୍ୟୁକ୍ଲିଓଟାଇଡ ବେସ ଥାଏ । ରୋଗୀ ଦେହରେ ୭ ପ୍ରକାର ପ୍ରୋଟିନ ମୋଲିକ୍ୟୁଲ (NS1, NS2a, NS2b, NS3, NS4a, NS4b, NS5) ଦେଖାଯାଏ । ଚାରି ପ୍ରକାର ସେରୋଟାଇପ (DENV-1, DENV-2, DENV-3 and DENV-4) ଭାଇରସ ଦ୍ବାରା ଏହି ରୋଗ ହୁଏ ଓ ଯେ କୌଣସି ଗୋଟିଏ ପ୍ରକାରର ସେରୋଟାଇପ ନିମନ୍ତେ କେବଳ ସେହି ଭାଇରସ ନିମନ୍ତେ ରୋଗୀ ଦେହରେ ପ୍ରତିରୋଧ ଶକ୍ତି ଉତ୍ପନ୍ନ ହୁଏ ।
ଥରେ ଡି.ଇ.ଏନ୍.ଭି-୧ ଭାଇରସ ଦ୍ବାରା ଆକ୍ରାନ୍ତ ହେଲେ ପରେ ବା ଡି.ଇ.ଏନ୍.ଭି-୩ ଦ୍ବାରା ଆକ୍ରାନ୍ତ ହେଲେ ଅବସ୍ଥା ଅତି ଜଟିଳ ହୁଏ । କିନ୍ତୁ ଡି.ଇ.ଏନ୍.ଭି-୩ ଦ୍ବାରା ଆକ୍ରାନ୍ତ ହେବା ପରେ ଡି.ଇ.ଏନ୍.ଭି-୨ ବିରୁଦ୍ଧରେ ପ୍ରତିରୋଧ ଶକ୍ତି ଜାତ ହୁଏ ।

ସଞ୍ଚରଣ[ସମ୍ପାଦନା]

ଏଡିସ ଇଜିପ୍ଟି ମଶା କାମୁଡୁଛି

ଡେଙ୍ଗୁ ଭାଇରସ ଏଡିସ ଜାତୀୟ ମଶା ମୂଖ୍ୟତଃ ଏଡିସ ଇଜିପ୍ଟିଦ୍ବାରା ( Aedes aegypti )ବିସ୍ତାର ଲାଭ କରେ । ଏହି ମଶା ଅକ୍ଷାଂଶ ୩୫ ଉତ୍ତର ଓ ଦକ୍ଷିଣ ଭିତରେ ସମୁଦ୍ର ପତ୍ତନରୁ ୧୦୦୦ମିଟର ଉଚ୍ଚରେ ବାସ କରନ୍ତି । ଏମାନେ ସକାଳେ ଓ ସଂନ୍ଧ୍ୟା ବେଳେ କାମୁଡନ୍ତି । ଡେଙ୍ଗୁ ରୋଗ ବିସ୍ତାରକାରୀ ଅନ୍ୟ ମଶାମାନଙ୍କର ନାମ: ଏଡିସ ଆଲବୋପିକ୍ଟସ, ଏ.ପଲିନେସିଏନସିସ ଏବଂ ଏ.ସ୍କୁଟେଲାରିସ । ମଣିଷ ହେଉଛି ଏମାନଙ୍କର ମୁଖ୍ୟ ଶିକାର ଓ ବାହକ। ଗୋଟିଏ ମାତ୍ର ମଶା କାମୁଡା ଦ୍ବାରା ମଣିଷ ସଂକ୍ରମିତ ହୋଇ ପାରିବ । ମାଈ ଏଡିସ ମଶା ଗୋଟିଏ ଡେଙ୍ଗୁ ରୋଗୀକୁ କାମୁଡି ରକ୍ତ ଶୋଷିଲେ ତାହାର ଖାଦ୍ୟ ନଳୀ କାନ୍ଥର (Wall) ଜୀବକୋଷ ସଂକ୍ରମିତ ହୁଏ । ୮ରୁ ୧୦ ଦିନ ମଧ୍ୟରେ ଏହି ମଶାର ଲାଳ ଗ୍ରନ୍ଥିରେ (Salivary gland) ଭୁତାଣୁ ପହଞ୍ଚି ଯାଏ । ଏହା ପରେ ଏହି ମଶା ସୁସ୍ଥ ମଣିଷକୁ କାମୁଡିଲେ ଏହାର ଶୁଣ୍ଢ ମାଧ୍ୟମରେ ଏହି ଲାଳ ସହ ଏଡିସ ଭୁତାଣୁ ଦେହରେ ପ୍ରବେଶ କରେ । ଏହି ଭୁତାଣୁଦ୍ବାରା ମଶାର କିଛି ଅନିଷ୍ଟ ହୁଏ ନାହିଁ । ସେହି ମଶାଟି ବଞ୍ଚିଥିବାଯାଏ କେବଳ ଏହି ଭୂତାଣୁର ବାହକ ହୋଇଥାଏ । ହେଲେ ମଶାଟି ଥରକୁ ଥର ସୁସ୍ଥ ମଣିଷକୁ କାମୁଡି ରୋଗ ସୃଷ୍ଟି କରେ । ଏହି ମଶା ଘର ଭିତରେ ବା ଆଖପାଖରେ ଜମାଟ ବାନ୍ଧି ରହିଥିବା ଜଳ ଭିତରେ ରହି ଅଣ୍ଡା ଦେଇ ବଂଶ ବିସ୍ତାର କରେ ।
ସଂକ୍ରମିତ ରକ୍ତ ଗ୍ରହଣ ଓ ଅଙ୍ଗ ରୋପଣ ସମୟରେ ଏହି ଭୁତାଣୁ ଅନ୍ୟ ମଣିଷ ଦେହରେ ପ୍ରବେଶ କରେ । ପ୍ରସବ ସମୟରେ ମାଆଠାରୁ ଶିଶୁ ଦେହକୁ ସଂକ୍ରମିତ ହୁଏ । ସିଙ୍ଗାପୁରରେ ପ୍ରତି ୧୦୦୦୦ ରକ୍ତ ଦେବା ସମୟରେ ୧.୬ ରୁ ୬ଜଣ ଏହି ରୋଗ ଦ୍ବାରା ଆକ୍ରାନ୍ତ ହୁଅନ୍ତି ।

ପୂର୍ବ ସଂପୃକ୍ତି(Predisposition) ଓ ପ୍ରବଣତା[ସମ୍ପାଦନା]

ଶିଶୁ ଓ ଅଳ୍ପ ବୟସ ପିଲାମାନଙ୍କପାଇଁ ଏହିରୋଗ ଘାତକ ହୋଇଥାଏ । ଏହି ରୋଗର ବିଶେଷତ୍ତ୍ବ ଏହି ଯେ ଏହା ଭଲ ସ୍ବାସ୍ଥ୍ୟବାନ ପିଲାମାନଙ୍କ ଦେହରେ ଅଧିକ ହୁଏ ଯାହା କି ଅନ୍ୟ ରୋଗ କ୍ଷେତ୍ରରେ ଠିକ ବିପରୀତ ହୁଏ । ପୁରୁଷମାନଙ୍କ ଅପେକ୍ଷା ମହିଳାମାନେ ଅଧିକ ସଂଖ୍ୟାରେ ଏହି ରୋଗପ୍ରବଣ ହୋଇଥାନ୍ତି । ମଧୁମେହ ବା ଶ୍ବାସ ରୋଗ ଥିଲେ ଡେଙ୍ଗୁ ପ୍ରାଣ ଘାତକ ହୋଇଯାଏ ।
ଆଫ୍ରିକାବାସୀମାନଙ୍କ ଦେହରେ ଗ୍ଲୁକୋଜ-୬-ଡିହାଇଡ୍ରୋଜେନେସ ଡେଫିସିଏନ୍ସି ନାମକ ଜିନ୍ ବ୍ୟତିକ୍ରମ ଯୋଗୁ ସେମାନେ ଡେଙ୍ଗୁ ପ୍ରବଣ ହୁଅନ୍ତି ।

କିପରି ହୁଏ[ସମ୍ପାଦନା]

ମଶା କାମୁଡିଲେ ତାହାର ଶୁଣ୍ଢ ଚର୍ମ ଫୁଟେଇ ଦିଏ ଓ ଭୁତାଣୁ ତାହାର ଲାଳ ସହ ରକ୍ତ ମଧ୍ୟରେ ପ୍ରବେଶ କରି ଶ୍ବେତ ରକ୍ତ କଣିକାକୁ ଆକ୍ରାନ୍ତ କରେ । ଏହି ରକ୍ତ କଣିକା ମଧ୍ୟରେ ବଂଶ ବିସ୍ତାର କରି ଭୁତାଣୁ ସାରା ଶରୀରର ବିଭିନ୍ନ ଅଙ୍ଗରେ ଖେଳିଯାଏ । ଶ୍ବେତ ରକ୍ତ କଣିକାରେ ଥିବା ପ୍ରୋଟିନ ଇଣ୍ଟରଫେରନ୍ ପ୍ରତିକ୍ରିୟା ସୃଷ୍ଟି କରି ଜର, ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ସୃଷ୍ଟିକରେ ଓ ବହୁତ ଯନ୍ତ୍ରଣା କରାଏ । ମାରାତ୍ମକ ଅବସ୍ଥାରେ ଭୁତାଣୁ ସଂଖ୍ୟା ଅହେତୁକ ଭାବରେ ଅଧିକ ହେଲେ ଯକୃତ ଓ ଅସ୍ଥି ମଜ୍ଜାକୁ ଆକ୍ରମଣ କରେ । ରକ୍ତ ଓ ରକ୍ତର ଜଳୀୟ ଅଂଶ ରକ୍ତକଣିକାରୁ ବାହାରି ଯାଇ ଶରୀରର ଛିଦ୍ରରେ ଜମା ହୋଇ ରହନ୍ତି । ଫଳରେ ରକ୍ତ ଥାଇବି ତାହା ରକ୍ତକଣିକା ଭିତରେ ନ ଥିବାରୁ ରକ୍ତାଳ୍ପତା ଦେଖାଯାଏ ଓ ରକ୍ତ ଚାପ (Blood pressure) କମିଯାଏ । ଅସ୍ଥିମଜ୍ଜାଗତ ତ୍ରୁଟି ଯୋଗୁ ରକ୍ତାଣୁ ଚକ୍ତିକା ବା ପ୍ଲାଟେଲେଟ (Platelet) ସୃଷ୍ଟି କମିଯାଏ, ଫଳରେ ରକ୍ତ ଜମାଟ ବାନ୍ଧିବା ଶକ୍ତି କମିଯାଏ । ଏହା ଦ୍ବାରା ଅଧିକ ରକ୍ତ ସ୍ରାବ ହୁଏ ଯାହାର ପରିଣାମ ଅତ୍ୟନ୍ତ ଭୟାନକ ହୁଏ ।

ଭୁତାଣୁ ବିସ୍ତାର (Viral replication)[ସମ୍ପାଦନା]

ଚର୍ମ ଭିତରେ ପ୍ରବେଶ କରିବା କ୍ଷଣି ଭୁତାଣୁ ଚମର ଲାଙ୍ଗରହାନସ୍ କୋଷ (ଏକ ପ୍ରକାର ଡେନ୍ଡ୍ରାଇଟିକ କୋଷ) ସଙ୍ଗରେ ବାନ୍ଧି ହୋଇଯାଏ । ଏହି ବନ୍ଧନ ଭୁତାଣୁ ପ୍ରୋଟିନ ଓ କୋଷ ପ୍ରୋଟିନ (ଡି.ସି ସାଇନ୍ ରେସେପ୍ଟର) ମଧ୍ୟରେ ସଂଘଟିତ ହୁଏ । ଏହି ଡେନ୍ଡ୍ରାଇଟିକ କୋଷଗୁଡ଼ିକ ନିକଟସ୍ଥ ଲସିକା ଗ୍ରନ୍ଥିକୁ ଚାଲି ଯାଆନ୍ତି । ଏହା ମଧ୍ୟରେ ଭୁତାଣୁର ଜେନୋମର ପ୍ରତିରୁପ କୋଷର ଏଣ୍ଡୋପ୍ଲାଜମିକ୍ ରେଟିକୁଲମକୁ ଯାଇ ବହୁ ସଂଖ୍ୟରେ ଭୁତାଣୁର ପ୍ରତିରୁପ ସୃଷ୍ଟି କରନ୍ତି । ଏଗୁଡିକ ଗଲଗି-ଆପାରାଟସକୁ ଯାଇ ସେଠାରେ ପରିପକ୍ବ ହୁଅନ୍ତି । ଏହି ସ୍ଥାନରୁ ବାହାରି ଶ୍ବେତ ରକ୍ତ କଣିକାରେ ବିଶେଷତଃ ମୋନୋସାଇଟ ଓ ମାକ୍ରୋଫେଜରେ ପ୍ରବେଶ କରନ୍ତି ।
ସଂକ୍ରମିତ କୋଷଗୁଡିକ ପ୍ରତିକ୍ରିୟା ସୃଷ୍ଟି କରି ଇନ୍ଟରଫେରନ (ଏକ ପ୍ରକାର୍ ସାଇଟୋକାଇନ୍) ନିର୍ଗତ କରନ୍ତି । ଏହା ପ୍ରତିରୋଧ ସୃଷ୍ଟି କରିବାରେ ସାହାଯ୍ୟ କରେ । ଏହା ସହିତ ଅନେକ ପ୍ରକାର ଆଣ୍ଟିବଡି ମଧ୍ୟ ପ୍ରସ୍ତୁତ ହୁଏ । ଆଣ୍ଟିବଡି ଭୁତାଣୁ ସହ ସଂଯୁକ୍ତ ହୋଇ ଫେଗୋସାଇଟ କୋଷ ଦ୍ବାରା ନଷ୍ଟ ହୋଇଯାଆନ୍ତି । କିନ୍ତୁ ବେଳେ ବେଳେ ଏହି ଭୂତାଣୁ ଫେଗୋସାଇଟ ସହିତ ମିଶି ଯାଏ, ତେଣୁ କିଛି କ୍ଷତିଗ୍ରସ୍ତ ହୁଏ ନାହି। ।

ଜଟିଳ ରୋଗ[ସମ୍ପାଦନା]

ଗୋଟିଏ ପ୍ରକାର ଭୁତାଣୁ ଦ୍ବାରା ଆକ୍ରାନ୍ତ ଥିବା ବେଳେ ଆଉ ଗୋଟିଏ ପ୍ରକାର(Strain) ଭୁତାଣୁ ଆକ୍ରମଣ କଲେ ଡେଙ୍ଗୁ ଅତ୍ୟନ୍ତ ଜଟିଳ ହୋଇଯାଏ । ଏହାର ସଠିକ କାରଣ ଏ ପର୍ଯ୍ୟନ୍ତ ଜଣା ପଡିନାହିଁ ।
ଜଟିଳ ରୋଗରେ ଦୁଇଟି କଠିନ ସମସ୍ୟା ଉତ୍ପନ୍ନ ହୁଏ । ୧. ସରୁ ରକ୍ତ ନଳୀର ଏଣ୍ଡୋଥେଲିଅମ କୋଷ ସଠିକ କାମ କରି ପାରେ ନାହିଁ । ରକ୍ତ ନଳୀ ମଧ୍ୟରୁ ବାହାରି ଯାଇ ଛାତି ଭିତରେ ଓ ପେଟ ଭିତରେ ଜମା ହୋଇ ରହିଯାଏ । ୨. ରକ୍ତ ଜମାଟ ବାନ୍ଧି ପାରେ ନାହିଁ । ଏଣୁ ଅତ୍ୟଧିକ ରକ୍ତ ସ୍ରାବ ହୁଏ । ବେଶି ସଂଖ୍ୟାରେ ଭୁତାଣୁ ଥିଲେ ରୋଗ ଅଧିକ ଜଟିଳ ହୁଏ ।

ଲକ୍ଷଣ ଓ ଚିହ୍ନ[ସମ୍ପାଦନା]

ଡେଙ୍ଗୁ ଜରର ଲକ୍ଷଣ ସମୂହ

ଡେଙ୍ଗୁ ଭୁତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଲୋକମାନଙ୍କ ମଧ୍ୟରୁ ୮୦% ଲୋକଙ୍କର ସାମାନ୍ୟ ଜର ଛଡା ଅନ୍ୟ କିଛି ବେଶୀ ଅସୁବିଧା ହୁଏ ନାହିଁ । ୫% ଲୋକଙ୍କର ରୋଗ ଅତ୍ୟଧିକ ବଢି ଯାଏ । ସାମାନ୍ୟ କିଛି ଲୋକଙ୍କର ପ୍ରାଣ ଘାତକ ହୁଏ । ଭୁତାଣୁ ଦେହରେ ପ୍ରବେଶ କରିବା ପରଠାରୁ ରୋଗର ଲକ୍ଷଣ ପ୍ରକାଶ ପାଇବା ଭିତରେ ୩ ରୁ ୧୪ ଦିନ ବିତିଯାଏ । ଏହାକୁ ଇନକ୍ୟୁବେସନ ସମୟ କହନ୍ତି । ଅଧିକାଂଶ କ୍ଷେତ୍ରରେ ଏହି ସମୟ ୪ ରୁ ୭ ଦିନ ରହେ । ଡେଙ୍ଗୁ ପ୍ରବଣ ଇଲାକାରୁ ଆସିଥିବା ଲୋକର ଯଦି ୧୪ ଦିନ ପରେ ଜର ହୁଏ ତେବେ ଧରି ନେବାକୁ ହେବ ଏହା ଡେଙ୍ଗୁ ନୁହେଁ । ପିଲାମାନଙ୍କଠାରେ ଏହି ରୋଗ ମାରାତ୍ମକ ହୁଏ । ଜରର ଆରମ୍ଭ ବେଳେ ସର୍ଦି, ଝାଡା ଓ ବାନ୍ତି ଲାଗେ ଓ ଦେହର ତାପମାତ୍ରା ଅଧିକ ହୁଏ ।

ରୋଗ କ୍ରମ[ସମ୍ପାଦନା]

ରୋଗ କ୍ରମ

ଡେଙ୍ଗୁର ବିଶିଷ୍ଟ ଲକ୍ଷଣ ମଧ୍ୟରେ ହଠାତ ଜର, ଆଖି ପଛ ପଟେ ମୁଣ୍ଡ ବଥା, ପେଶୀ ତଥା ଗଣ୍ଠି ଯନ୍ତ୍ରଣା ଅନୁଭବ ଓ ଚର୍ମର ରଙ୍ଗ, ରୁପ ବଦଳି ଯାଏ(Rash) ।
ଜର ସମୟରେ ଉଚ୍ଚ ମାନର ଉତ୍ତାପ ରହେ ଯେପରିକି 40 °C (104 °F)। ଏହା ସହ ମୁଣ୍ଡ ବ୍ୟଥା ୨ ରୁ ୭ଦିନ ରହେ । ବାନ୍ତି ମଧ୍ୟ ହୋଇପାରେ । ଇଂରାଜୀରେ ଏହାକୁ ଏହି କାରଣରୁ ଭଙ୍ଗା ହାଡ ଜର କହନ୍ତି (breakbone fever) । ରୋଗର ଅବଧିକୁ ତିନିଟି ଅବସ୍ଥାରେ ବିଭକ୍ତ କରାଯାଏ: ୧.ପ୍ରାରମ୍ଭିକ(ଜର) , ୨.ଗୁରୁତର(ମାରାତ୍ମକ) ଓ ୩. ଆରୋଗ୍ୟ ଅବସ୍ଥା ।
ଜର ସମୟରେ ଉତ୍ତାପ ୪୦ସେ. ରହେ । ମୁଣ୍ଡ ବଥା, ବାନ୍ତି ଓ ଶାରିରୀକ ଯନ୍ତ୍ରଣା ୨ ରୁ ୭ ଦିନ ଧରି ଲାଗି ରହେ । ୫୦ ରୁ ୮୦ % ଗୋଗୀଙ୍କର ଚର୍ମ ପ୍ରଥମ ବା ଦ୍ଵିତୀୟ ଦିନରେ ଲାଲ ଦେଖାଯାଏ । ତା ପରେ ମିଳିମିଳା ରୋଗୀର ଚର୍ମ ପରି ଦେଖାଯାଏ । ଚମରେ ଅତି କ୍ଷୁଦ୍ର ରକ୍ତିମ ଦାଗ ଦେଖାଯାଏ, ଯାହା ଚାପ ପ୍ରୟୋଗ କଲେ ମଧ୍ୟ ଚାଲି ଯାଏ ନାହିଁ । ଅତି ସରୁ ରକ୍ତ କଣିକା ଫାଟି ଯିବାରୁ ରକ୍ତ ବାହାରି ଆସି ଶରୀରର ଛିଦ୍ରରେ ଜମାଟ ବାନ୍ଧିବାରୁ ଏହି ଭଳି ଦେଖାଯାଏ । ଜର କମି ଯାଏ ଓ ପୁନଶ୍ଚ ୨/୩ ଦିନ ନିମନ୍ତେ ଆଉ ଥରେ ହୁଏ । ଅନେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଯାଏ ।
କେତେକ ଲୋକ ଏହା ପରେ ମାରାତ୍ମକ ଅବସ୍ଥାକୁ ଯାଆନ୍ତି । ଦିନେ ବା ଦୁଇ ଦିନ ନିମନ୍ତେ ଉଚ୍ଚ ଉତ୍ତାପ କମିଯାଏ । ରକ୍ତ ନଳୀମାନଙ୍କରୁ ରକ୍ତର ତରଳ ଅଂଶ ବାହାରି ଯାଇ ଛାତି ଓ ପେଟରେ ଜମା ହୋଇଯାଏ । ସୁତରାଂ ସଞ୍ଚାଳନ କ୍ରିୟାରେ ରକ୍ତ ଅଭାବ ପଡେ ଓ ମୂଖ୍ୟ ଅଙ୍ଗମାନଙ୍କର (Vital organs) ରକ୍ତ ଯୋଗାଣ ବହୁତ କମିଯାଏ । ଏଣୁ ସେହି ଅଙ୍ଗମାନଙ୍କର କର୍ମ କ୍ଷମତା କମିଯାଏ ବା ବନ୍ଦ ହୋଇଯାଏ ।ଏତିକି ବେଳେ ଖାଦ୍ୟ ନଳୀରୁ ପ୍ରଚୁର ରକ୍ତ ସ୍ରାବ ହୁଏ । ଡେଙ୍ଗୁ ସକ୍ ଓ ରକ୍ତ କ୍ଷରଣ ୫% ରୋଗୀଙ୍କ ଠାରେ ଦେଖାଯାଏ । ରୋଗୀ ଆଗରୁ ଯଦି ଅନ୍ୟ ସେରୋ ଟାଇପ ଡେଙ୍ଗୁ ଦ୍ବାରା ଆକ୍ରାନ୍ତ ହୋଇଥାଅନ୍ତି ତେବେ ଆହୁରି ମାରାତ୍ମକ ଅବସ୍ଥା ହୁଏ ।
ତା ପରେ ଆରୋଗ୍ୟ ଅବସ୍ଥା ଆସେ । ଜମା ହୋଇଥିବା ତରଳ ପଦାର୍ଥ ୨/୩ ଦିନ ମଧ୍ୟରେ ଶୋଷି ହୋଇଯାଏ । ଉଲ୍ଲେଖନୀୟ ଭାବରେ ରୋଗ ଉନ୍ନତି ଲାଭ କରେ । କେତେକ ରୋଗୀଙ୍କର ଦେହ କୁଣ୍ଡେଇ ହୁଏ ଓ ହୃତପିଣ୍ଡ ଗତି କମିଯାଏ ଓ ବେଳେ ବେଳେ ଫୋଟକା ଭଳି ରସ ବାହାରେ ଓ ଚମ ଉତୁରି ଯାଏ । ଏତିକି ବେଳେ ମସ୍ତିଷ୍କରେ ତରଳ ଅଂଶ ବେଶି ହୋଇଯିବାରୁ ରୋଗୀ ଅଚେତ ହୋଇଯାଏ ଓ ତାକୁ ବାତ (Convulsion) ମାରେ । ପ୍ରାୟ ଚାରି ସପ୍ତାହ ପର୍ଯ୍ୟନ୍ତ ଥକ୍କା ଲାଗେ ।

ଆନୁସଙ୍ଗିକ ସମସ୍ୟା[ସମ୍ପାଦନା]

ଅନ୍ୟାନ୍ୟ ଅଙ୍ଗ ଡେଙ୍ଗୁ ଜର ସହିତ ବା ଅଲଗା ଆକ୍ରମିତ ହୋଇ ପାରନ୍ତି । ୦.୫ ରୁ ୬% ମାରାତ୍ମକ ରୋଗୀମାନଙ୍କର ଚେତନା ଚାଲିଯାଏ । ଏହା ମସ୍ତିଷ୍କ ଉପରେ ଡେଙ୍ଗୁର ପ୍ରଭାବ ଯୋଗୁ ଅଥବା ଅନ୍ୟ ଅଙ୍ଗ ଯେପରିକି ଯକୃତ ଆକ୍ରମିତ ହେବା ଯୋଗୁ ହୋଇପାରେ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

ରୋଗୀର ଇତିହାସ, ରୋଗୀର ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ଅନୁସାରେ ଡେଙ୍ଗୁ ରୋଗ ନିର୍ଣ୍ଣୟ କରାଯାଏ ବିଶେଷତଃ ଆଞ୍ଚଳିକ-ରୋଗ ବା ଏଣ୍ଡେମିକ୍ ଡିଜିଜ୍ କ୍ଷେତ୍ରରେ । ପ୍ରାରମ୍ଭ ବେଳେ ଏହାର ଲକ୍ଷଣ ଅନ୍ୟ ଭୁତାଣୁ ରୋଗ ସହ ମିଶି ଯାଉଥିବାରୁ ରୋଗ ନିର୍ଣ୍ଣୟରେ ଅସୁବିଧା ହୁଏ । ସମ୍ଭାବ୍ୟ ଡେଙ୍ଗୁ ନିର୍ଣ୍ଣୟ ନିମନ୍ତେ ଜର ସହ ଆଉ ଦୁଇଟି ଲକ୍ଷଣ ଆବଶ୍ୟକ । ସେଗୁଡିକ ହେଲା: ବାନ୍ତି ଲାଗିବା, ବାନ୍ତି ହେବା,ଚର୍ମରେ କୁଣ୍ଡିଆ(Rash), ଶାରୀରିକ ପୀଡା, ରକ୍ତରେ ସ୍ଵଳ୍ପ ଲୋହିତ ରକ୍ତ କଣିକା ଓ ଯୁକ୍ତ ଟ୍ୟୁନିକେଟ ପରୀକ୍ଷା। ସାଙ୍ଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ । ଯେଉଁ ସ୍ଥାନମାନଙ୍କରେ ପରୀକ୍ଷାଗାର ନାହିଁ, ସେଠାରେ ଟ୍ୟୁନିକେଟ ପରୀକ୍ଷା ନିର୍ଣ୍ଣାୟକ ହୁଏ । ରକ୍ତ ଚାପ ମାପିବା ସମୟରେ ସିସ୍ଟୋଲିକ ଓ ଡାୟାସ୍ଟୋଲିକ ଚାପର ମଧ୍ୟ ସ୍ଥାନରେ ୫ ମିନିଟ ଚାପ ଯନ୍ତ୍ରର ଫିତା ଫୁଲେଇ ରଖାଗଲେ ସୁକ୍ଷ୍ମ ରକ୍ତ ସ୍ରାବ ହେବ । ବେଶୀ ସଂଖ୍ୟକ ରକ୍ତ ସ୍ରାବ ଚିହ୍ନ ଦେଖାଗଲେ ଡେଙ୍ଗୁ ସମ୍ଭାବନା ଅଧିକ ହୁଏ ।
ସାଙ୍ଘାତିକ ଡେଙ୍ଗୁ ହେବାର ଅବ୍ୟବହିତ ପୂର୍ବରୁ ଲକ୍ଷଣ ପ୍ରକାଶ ପାଏ । ଯେଉଁ ସ୍ଥାନମାନଙ୍କରେ ପରୀକ୍ଷାଗାର ନାହିଁ, ସେଠାରେ ଟ୍ୟୁନିକେଟ ପରୀକ୍ଷା ନିର୍ଣ୍ଣାୟକ ହୁଏ । ରକ୍ତ ଚାପ ମାପିବା ସମୟରେ ସିସ୍ଟୋଲିକ ଓ ଡାୟାସ୍ଟୋଲିକ ଚାପର ମଧ୍ୟ ସ୍ଥାନରେ ୫ ମିନିଟ ଚାପ ଯନ୍ତ୍ରର ଫିତା ଫୁଲେଇ ରଖାଗଲେ ସୁକ୍ଷ୍ମ ରକ୍ତ ସ୍ରାବ ହେବ । ବେଶୀ ସଂଖ୍ୟକ ରକ୍ତ ସ୍ରାବ ଚିହ୍ନ ଦେଖାଗଲେ ଡେଙ୍ଗୁ ସମ୍ଭାବନା ଅଧିକ ହୁଏ ।
ଗ୍ରୀଷ୍ମ ଓ ଅନୁଗ୍ରୀଷ୍ମ ଅଞ୍ଚଳରେ ୨ ସପ୍ତାହ ଜର ହେଲେ ଡେଙ୍ଗୁ ହେବା ଚିନ୍ତା କରିବା ଉଚିତ । ଏହାର ଲକ୍ଷଣ ଚିକୁନଗୁନିଆ ଲକ୍ଷଣ ସହ ମିଶୁଥିବାରୁ ଏହାର ନିର୍ଣ୍ଣୟ ଅସୁବିଧା ଜନକ ହୁଏ । ପ୍ରାୟ ସମ ଲକ୍ଷଣ ବିଶିଷ୍ଟ ଅନ୍ୟ ରୋଗମାନଙ୍କ ନାମ: ମ୍ୟାଲେରିଆ, ଲେପ୍ଟୋସ୍ପାଇରୋସିସ୍, ଭୁତାଣୁ ରକ୍ତ ସ୍ରାବ ଜର, ଟାଇଫଏଡ, ମେନିଙ୍ଗୋକୋକାଲ ଜର, ମିଳିମିଳା ଓ ଇନଫ୍ଲୁଏଞ୍ଜା ।
ପରୀକ୍ଷାଗାରରେ ପ୍ରଥମ ପରିବର୍ତ୍ତନ ଦେଖାଯାଏ: କମ ଶ୍ଵେତ ରକ୍ତ କଣିକା, ତା ପରେ ଅଳ୍ପ ପ୍ଲାଟେଲେଟ୍ ଓ ଏସିଡିସିସ । ମଧ୍ୟମ ଧରଣର ଅଧିକ ଆମିନୋଟ୍ରନ୍ସଫରେଜ ମିଳେ । ରକ୍ତ ଗାଢ ହେବା ଯୋଗୁ ଆଲବୁମିନ କମ ହୁଏ ଓ ହେମାଟୋକ୍ରିଟ ବଢିଯାଏ । ପ୍ଲୁରା ଓ ପେରିଟୋନିଅମରେ ତରଳ ପଦାର୍ଥ(Effusion) ଜମିଯାଏ । ଅବୟବମାନଙ୍କରେ ରକ୍ତ ନାଳୀ ଦବି ଗଲେ ସାଂଘାତିକ ବୋଲି ସୂଚନା ମିଳେ ।

ବର୍ଗୀ କରଣ[ସମ୍ପାଦନା]

ଡବ୍ଲ୍ୟୁ.ଏଚ.ଓ. ୨୦୦୯ ମସିହାରେ ଡେଙ୍ଗୁକୁ ଦୁଇ ଭାଗରେ ବିଭକ୍ତ କଲେ: ଜଟିଳତା ବିହୀନ ଓ ମାରାତ୍ମକ । ଅତ୍ୟଧିକ ରକ୍ତ ସ୍ରାବ, ଅଙ୍ଗର ଅକାମୀ ହେବା ଓ ପ୍ଲାଜ୍ମାରୁ ସ୍ରାବ କ୍ଷେତ୍ରରେ ଏହାକୁ ମାରାତ୍ମକ ଧରାଯାଏ । ଏହା ନ ଥିଲେ ଜଟିଳ ନୁହେଁ ବୋଲି ଧରାଯାଏ । ଡେଙ୍ଗୁ ରକ୍ତ ସ୍ରାବ ଜରକୁ ଗ୍ରେଡ ୧ ରୁ ୪ ପର୍ଯ୍ୟନ୍ତ ବିଭକ୍ତ କରାଯାଏ । ଲକ୍ଷଣ ଅନୁସାରେ ଗ୍ରେଡ କରାଯାଏ । ଗ୍ରେଡ ୧: ସହଜରେ ଚର୍ମ ତଳେ ରକ୍ତ ସ୍ରାବ, ଟ୍ୟୁନିକେଟ ପରୀକ୍ଷାରେ ଯୁକ୍ତ ଓ ଜର । ଗ୍ରେଡ ୨: ଚର୍ମରେ ଓ ଅନ୍ୟ ସ୍ଥାନରେ ସ୍ଵତଃ ରକ୍ତ ସ୍ରାବ । ଗ୍ରେଡ ୩: ସକ୍ । ଗ୍ରେଡ ୪: ରକ୍ତ ଚାପ ନେଇ ହୁଏ ନାହିଁ ଓ ନାଡୀ ମିଳେ ନାହିଁ । ଗ୍ରେଡ ୩ ଓ ୪ କୁ ଡେଙ୍ଗୁ ସକ୍ ସିନଡ୍ରୋମ କୁହାଯାଏ ।

ପରୀକ୍ଷାଗାର ଯାଞ୍ଚ[ସମ୍ପାଦନା]

ଅଣୁଜୀବ ବିଜ୍ଞାନ ପଦ୍ଧତିରେ ଡେଙ୍ଗୁ ନିର୍ଣ୍ଣୟ କରାଯାଏ । ବିଭିନ୍ନ ପରୀକ୍ଷା ମଧ୍ୟରେ କୋଷ କଲଚର୍, ପି.ସି.ଆର ଦ୍ଵାରା ନ୍ୟୁକ୍ଲିକ ଏସିଡ ଅନୁସନ୍ଧାନ, ଭୁତାଣୁ ଆଣ୍ଟିଜେନ ଅନୁସନ୍ଧାନ ଓ ନିର୍ଦ୍ଦିଷ୍ଟ ଆଣ୍ଟିବଡି ଅନୁସନ୍ଧାନ ଉଲ୍ଲେଖଯୋଗ୍ୟ । ଭୁତାଣୁ ଅଲଗା କଲେ ବା ନ୍ୟୁକ୍ଲିକ ଏସିଡ ମିଳିଲେ ଡେଙ୍ଗୁ ନିର୍ଣ୍ଣୟ ଯଥାର୍ଥ ମନେ କରାଯାଏ କିନ୍ତୁ ଏହି ପରୀକ୍ଷା ଅତ୍ୟନ୍ତ ଖର୍ଚ ସାପେକ୍ଷ । ପ୍ରଥମ ୭ ଦିନରେ ପି.ସି.ଆର ଓ ଆଣ୍ଟିଜେନ ଅନୁସନ୍ଧାନ ଫଳପ୍ରଦ ହେଲେ ସଠିକ ଡେଙ୍ଗୁ ନିର୍ଣ୍ଣୟ ବୋଲି ଧରାଯାଏ ।
କେତେକ ଆଣ୍ଟିବଡି ପରୀକ୍ଷା ଦ୍ଵାରା ଡେଙ୍ଗୁ ଆକ୍ରମଣର ବହୁତ ଦିନ ପରେ ମଧ୍ୟ ପୂର୍ବରୁ ଡେଙ୍ଗୁ ଥିବା ଜଣାଯାଇପାର ।

ଚିକିତ୍ସା ଓ ଉପଚାର[ସମ୍ପାଦନା]

ଡେଙ୍ଗୁ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ଶରୀରରେ ଜଳାଭାବ ଦେଖାଗଲେ ଘରୋଇ ଭାବରେ ପାଟିରେ ଜଳ ବା ଲୁଣିଆ ପାଣି ଦିଆଯାଏ । ଡାକ୍ତରଖାନାରେ ଶିରାରେ ରକ୍ତ ଓ ସାଲାଇନ ପାଣି ବା ଶିରାରେ ଦେଇ ହେଉଥିବା କୌଣସି ତରଳ ପଦାର୍ଥ (Intravenous fluid) ଦିଆଯାଏ । ସଙ୍କେତ ଚିହ୍ନ ଥିଲେ ବା ପୂର୍ବରୁ କିଛି ଦେହ ଅସୁସ୍ଥ ଥିଲେ ଡାକ୍ତରଖାନା ଯିବାକୁ ପଡେ ।
ଶିରା ମାଧ୍ୟମ ଜଳ ଯୋଜନ(Intravenous fluid) ଦିନେ ବା ଦୁଇ ଦିନ ଦରକାର ହୁଏ । ଦିନକୁ ୧ମି.ଲି./କେଜି/ଘଣ୍ଟା ପରିସ୍ରା ହେବା ପର୍ୟ୍ୟନ୍ତ ଓ ରକ୍ତ ପରୀକ୍ଷା କରି ସଠିକ ମାତ୍ରା ଆସିବା ପର୍ୟ୍ୟନ୍ତ ଜଳ ଯୋଜନ କରାଯାଏ । ନାକ ବାଟ ଦେଇ ନଳୀ ମାଧ୍ୟମ ଖାଦ୍ୟ ଦେବା, ପେଶୀରେ ଇଞ୍ଜେକସନ ଦେବା ଇତ୍ୟାଦି ଏ ରୋଗରେ ରକ୍ତ ସ୍ରାବ ନ ହେବା ନିମନ୍ତେ ଦିଆଯାଏ ନାହିଁ । ଯନ୍ତ୍ରଣା ଉପଶମ ନିମନ୍ତେ ପାରାସେଟାମଲ ଦିଆଯାଏ । ଏନ୍.ଏସ୍.ଆଇ.ଡି. ଜାତୀୟ ଔଷଧ ଦେଲେ ରକ୍ତ ସ୍ରାବ ହୋଇପାରେ, ଏଣୁ ଏହି ସବୁ ଔଷଧ ଟାଳି ଦିଆଯାଏ । ରକ୍ତଗତ କିଛି ଅସୁବିଧା ଥିଲେ ଯଥା ଶିଘ୍ର ରକ୍ତ ଟ୍ରାନସଫ୍ୟୁଜ କରିବା ଆବଶ୍ୟକ ହୁଏ । ପ୍ୟାକ୍ଡ କଣିକା ଓ ସମ୍ପୂର୍ଣ୍ଣ ରକ୍ତ ଦିଆଯାଏ । ପ୍ଲାଟେଲେଟ ଓ ବରଫିକୃତ ପ୍ଲାଜମା ଦିଆଯାଏ ନାହିଁ ।
ଆରୋଗ୍ୟ ହୋଇଆସୁଥିବା ସମୟରେ ଶିରାରେ ତରଳ ପଦାର୍ଥ ଦିଆଯିବା ଦରକାର ହୁଏ ନାହିଁ । ଦେହରେ ଅତ୍ୟଧିକ ଜଳ ସଞ୍ଚାର ହେଉଥିଲେ ଫୁରୋସେମାଇଡ ଭଳି ଔଷଧ ଦରକାର ହୁଏ ।

ରୋଗ ଅନୁଶୀଳନ[ସମ୍ପାଦନା]

ଡେଙ୍ଗୁ ପ୍ରବଣ ସ୍ଥାନ, ଲାଲ ଚିହ୍ନିତ ସ୍ଥାନ ମହାମାରୀ ପ୍ରବଣ


ବିନା ଚିକିତ୍ସାରେ ୧-୫% ଓ ଚିକିତ୍ସିତ <୧% ଲୋକ ମୃତ୍ୟୁ ବରଣ କରନ୍ତି । ଅନ୍ୟ ସମସ୍ତେ ଆରୋଗ୍ୟ ଲାଭ କରନ୍ତି । ସଂଘାତିକ ରୋଗୀମାନଙ୍କ ଭିତରୁ ପ୍ରାୟ ୨୬% ଲୋକ ମରି ଯାଆନ୍ତି । ଶହେ ଦଶଟି ଦେଶରେ ଏହା ଆଞ୍ଚଳିକ(Endemic) ରୋଗ ହୋଇ ରହିଛି । ପ୍ରତି ବର୍ଷ ୫୦-୧୦୦ ନିୟୁତ ଲୋକ ରୋଗାକ୍ରାନ୍ତ ହୁଅନ୍ତି ଓ ଅଧା ନିୟୁତ ଲୋକ ଡାକ୍ତରଖାନାରେ ଆଡମିଶନ ହୁଅନ୍ତି ।
ଅସାମର୍ଥ୍ୟ ଜୀବନ ବର୍ଷ(disability-adjusted life year (DALY))- ଅସୁସ୍ଥ ବା ଅପମୃତ୍ୟୁ ଜନିତ କାର୍ଯ୍ୟ ହାନୀ ବର୍ଷ । ଡେଙ୍ଗୁ ରୋଗରେ ୧୬୦୦ ବର୍ଷ କ୍ଷତି/ ଏକ ନିୟୁତ ଜନ ସଂଖ୍ୟାରେ ଆକଳନ ହୋଇଛି । ଏହାର ଯକ୍ଷ୍ମା ଓ ଅନ୍ୟାନ୍ୟ ଶିଶୁ ଗୋଗ ସହ ସାମଞ୍ଜସ୍ୟ ରହିଛି । ମ୍ୟାଲେରିଆ ପରେ ଗ୍ରୀଷ୍ମ ମଣ୍ଡଳୀୟ ଜଳବାୟୁରେ ମ୍ୟାଲେରିଆ ପରେ ଉଲ୍ଲେଖନୀୟ ରୋଗ ହିସାବରେ ଏହା ଦ୍ଵିତୀୟ ସ୍ଥାନ ଅଧିକାର କରିଛି । ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ହେଳା କରାଯାଉଥିବା ରୋଗମାନଙ୍କର ତାଲିକାରେ ଏହା ପ୍ରଥମ ୧୬ ମଧ୍ୟରେ ଅଛି ।
ଦକ୍ଷିଣ ପୂର୍ବ ଏସିଆରେ ଦେଖା ଯାଉଥିବା ଡେଙ୍ଗୁ କ୍ରମେ କ୍ରମେ ଦକ୍ଷିଣ ଚୀନ, ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ଆମେରିକାକୁ ବିସ୍ତାର ଲାଭ କରୁଛି । ୟୁରୋପକୁ ମଧ୍ୟ ଯିବା ସମ୍ଭାବନା ଅଛି।

ନିବାରଣ[ସମ୍ପାଦନା]

ଜମି ରହିଥିବା ଜଳ ନିଷ୍କାସନ ପ୍ରଚେଷ୍ଟା

ଏଡିସ୍ ଇଜିପ୍ଟି ମଶାଙ୍କୁ ନିର୍ମୂଳ କରିବା ନିମନ୍ତେ ତାଙ୍କ ବାସସ୍ଥାନ ନିର୍ମୂଳ କରିବା ଆବଶ୍ୟକ । କୌଣସି ସ୍ଥାନରେ ବା ପାତ୍ରରେ ଜଳ ଜମି ରହୁଥିଲେ ତାହା ନିଷ୍କାସନ କରିବା ବା ସେହି ଜଳରେ ପୋକ ମରା ଔଷଧ ପକାଇବା ଆବଶ୍ୟକ । ଜୈବିକ ନିୟନ୍ତ୍ରଣ ଉପାୟରେ ମଶାର ଶତ୍ରୁ କୀଟମାନଂକଦ୍ବାରା ସେମାନଂକୁ ନିପାତ କରାଯାଇ ପାର । ମଶା କାମୁଡାରୁ ରକ୍ଷା ପାଇବା ନିମନ୍ତେ ମଶାରୀ ବ୍ୟବହାର ଓ ଦେହକୁ ଘୋଡେଇ ହେବା ଭଳି ପୋଷାକ ପିନ୍ଧିବା ଦରକାର । ମଶା ନ କାମୁଡିବା ନିମନ୍ତେ ମଧ୍ୟ ଔଷଧ ମିଳୁଛି ଯାହା ଲଗାଇଲେ ମଶା କାମୁଡିବେ ନାହିଁ
ଡେଙ୍ଗୁ ଭୁତାଣୁ ବିରୁଦ୍ଧରେ କୌଣସି ଟୀକା ନାହିଁ । ତେଣୁ ଜନ ସାଧାରଣଙ୍କର ଆବଗତି, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କର ମିଳିତ ଉଦ୍ୟମ ଓ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଉପରେ ଡବ୍ଲ୍ୟ.ଏଚ.ଓ. ଜୋର ଦେଉଛି ।

ଇତିହାସ[ସମ୍ପାଦନା]

ଚୀନ ଦେଶରେ ୨୬୫ ରୁ ୪୨୦ ମସିହାରେ ଲିଖିତ ଜିନ ରାଜବଂଶର ଡାକ୍ତରୀ ଅଭିଧାନରେ ଉଡନ୍ତା ପତଙ୍ଗ ଓ 'ଜଳୀୟ ବିଷ' ବିଷୟରେ ଉଲ୍ଲେଖ ଅଛି । ଏହା ବୋଧହୁଏ ସଂସାରର ଡେଙ୍ଗୁ ବିଷୟରେ ପ୍ରଥମ ଆଲେଖ୍ୟ । ୧୭୦୦ ଶତାବ୍ଦୀରେ ବିଭିନ୍ନ ମହାମାରୀର ବର୍ଣ୍ଣନା ଅଛି । ଡେଙ୍ଗୁ ବିଷୟରେ ଏସିଆ, ଆଫ୍ରିକା ଓ ଉତ୍ତର ଆମେରିକାରେ ୧୭୭୯ ଓ ୧୭୮୦ ମସିହାରେ ମହାମାରୀ ହେବାର ବିଜ୍ଞପ୍ତି ଅଛି । ସେହି ସମୟଠାରୁ ଆରମ୍ଭ କରି ୧୯୪୦ ମସିହା ପର୍ଯ୍ୟନ୍ତ ଅନେକ ମହାମାରୀ ହୋଇଛି।
୧୯୦୬ ମସିହାରେ ପ୍ରଥମେ ଏଡିସ ମଶା ଡେଙ୍ଗୁର ବାହକ ବୋଲି ନିଶ୍ଚିତ ହେଲେ । ୧୯୦୭ ମସିହାରେ ଏହା ଭୁତାଣୁ ଜନିତ ରୋଗ ବୋଲି ଜଣା ପଡିଲା । ସେତେବେଳେ ହଳଦିଆ ଜର (Yellow fever)ପରେ ଏହା ଦ୍ଵିତୀୟ ଭୁତାଣୁ ରୋଗ ବୋଲି ପ୍ରମାଣିତ ହେଲା । ଡେଙ୍ଗୁ ସଂକ୍ରମଣ ବିଷୟରେ ଜନ୍ ବର୍ଟନ୍ ଓ ଜୋସେଫ୍ ଙ୍କ ଦ୍ଵାରା ଅନ୍ଵେଷ୍ଵଣ ସମାପ୍ତ ହେଲା ।
ଦ୍ଵିତୀୟ ମହାଯୁଦ୍ଧ ପରେ ପରିବେଶ ବିଶୃଙ୍ଖଳା ଯୋଗୁ ଏହି ରୋଗ ଅଧିକ ବ୍ୟାପକ ହେବାକୁ ଲାଗିଲା । ଫିଲିପାଇନ୍ସରେ ୧୮୫୩ ମସିହାରେ ଏହାର ମାରାତ୍ମକ ଦିଗ ପ୍ରତି ଆଲୋକପାତ କରା ଯାଇଥିଲା ।୧୯୮୧ ମସିହାରେ ମଧ୍ୟ ଓ ଦକ୍ଷିଣ ଆମେରିକାରେ ଡେଙ୍ଗୁ ରକ୍ତସ୍ରାବ ଜର ଓ ସକ୍ ସିନ୍ଡ୍ରୋମ ବିଷୟରେ ଜଣା ପଡିଥିଲା ।

ଗବେଷଣା[ସମ୍ପାଦନା]

ଗୁପି/ପୋସେଲିଆ/Poecillia Reticulata/million fish ଏକ ପ୍ରକାର ମାଛ ଯିଏ ମଶା ଲାର୍ଭା ଖାଇଯାଏ

ମଶା ବଂଶ ନିପାତ ଓ ଟୀକା ଦେବା ଦ୍ଵାରା ଡେଙ୍ଗୁ ନିରାକରଣ ସମ୍ଭବ । ମଶା ବଂଶ ବିସ୍ତାର ରୋକିବାକୁ ଅନେକ ପ୍ରକାର ନୂଆ ଉପାୟର ଅନୁସନ୍ଧାନ ଚାଲିଛି । ଏଡିସ ମଶା ମାରିବା ନିମନ୍ତେ ପୋସେଲିଆ ରେଟିକୁଲାଟା(Poecilia reticulata) ମାଛ ଜଳାଶୟରେ ଛାଡିଲେ ମଶାର ଲାର୍ଭାକୁ ମାଛ ଖାଇଯାଆନ୍ତି, ଫଳରେ ମଶାର ବଂଶ ବିସ୍ତାର ହୋଇପାରେ ନାହିଁ । ମଶାମାନଙ୍କ ଦେହରେ ଵ୍ଵଲବାଚିଆ(Wolbachia )ଜୀବାଣୁ ସଂକ୍ରମଣ କରେଇ ତାଙ୍କ ଦେହରେ ଡେଙ୍ଗୁ ପ୍ରତିରୋଧ ଶକ୍ତି ସୃଷ୍ଟି କରାଯାଉଛି । ମଶା ଦେହରେ ଡେଙ୍ଗୁ ନ ହେଲେ ମଣିଷ ଦେହରେ ହେବ ନାହିଁ ।
ଡେଙ୍ଗୁର ଚାରି ପ୍ରକାର ସେରୋଟାଇପ(serotypes)ବିରୁଦ୍ଧରେ ଟୀକା ପ୍ରସ୍ତୁତ ଚେଷ୍ଟା ଚାଲିଛି । ଏ ଦିଗରେ ଗୋଟିଏ ମୂଖ୍ୟ ଅସୁବିଧା ହେଲା: ଆଣ୍ଟିବଡି ଡିପେଣ୍ଡେଣ୍ଟ ଏନହାନସମେଣ୍ଟ(antibody-dependent enhancement ବା ADE), ଏହି ଅବସ୍ଥା ଉତ୍ପନ୍ନ ହେଲେ ଡେଙ୍ଗୁ ସମ୍ଭାବନା ବହୁତ ଅଧିକ ହୋଇଯାଏ । ଆଦର୍ଶ ଟୀକାର ଗୁଣ: ଏକ ବା ଦୁଇ ଇଞ୍ଜେକସନ ଦେଇ ଚାରି ପ୍ରକାର ଭୁତାଣୁ ବିରୁଦ୍ଧରେ ପ୍ରତିରୋଧ କ୍ଷମତା ଥିବ, ସହଜରେ ନିଆ ଅଣା କରାଯାଇ ପାରୁଥିବ, ନଷ୍ଟ ନ ହେବା ଭଳି ଜମା(Store) କରି ରଖି ହେଉଥିବ, ସହଜରେ ଓ ଅଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବ । ୨୦୧୨ ମସିହାରେ ଅନେକ ଚେଷ୍ଟା ଚାଲିଛି । ଦୁର୍ବଳିକୃତ ହଳଦିଆ ଜର ଭୁତାଣୁ ଓ ଚାରି ସେରୋଟାଇପ ଡେଙ୍ଗୁ ଭୁତାଣୁ ନେଇ ଚେଷ୍ଟା ଚାଲିଛି ।
ଏହା ବ୍ୟତିତ ଭୁତାଣୁ ବିରୋଧି ଔଷଧ ଆବିଷ୍କାର ଚେଷ୍ଟା ମଧ୍ୟ ଚାଲିଛି

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]