ଇତି ସାମନ୍ତ
ଇତି ସାମନ୍ତ | |
---|---|
ଜନ୍ମ | ୧୯୭୦ କଲରାବାଙ୍କ, କଟକ ଜିଲ୍ଲା |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ପତ୍ରିକା ସମ୍ପାଦିକା, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା, ପ୍ରକାଶିକା |
କାଦମ୍ବିନୀ ମିଡ଼ିଆ | |
ପିତାମାତା | ନୀଳିମାରାଣି ସାମନ୍ତ[୧], ଅନାଦି ଚରଣ ସାମନ୍ତ |
ସମ୍ପର୍କୀୟ | ଅଚ୍ୟୁତ ସାମନ୍ତ (ଭାଇ) |
ପୁରସ୍କାର | ରାଜୀବଗାନ୍ଧୀ ସଦଭାବନା ସମ୍ମାନ, ୨୦୦୮ |
ୱେବସାଇଟ | www.kadambini.org |
ଇତି ସାମନ୍ତ ଜଣେ ଓଡ଼ିଆ ଲେଖିକା ଏବଂ ଚଳଚ୍ଚିତ୍ର ପ୍ରଯୋଜିକା । ସେ ଓଡ଼ିଆ ସାହିତ୍ୟ ପତ୍ରିକା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଭାବରେ କାର୍ଯ୍ୟ କରୁଛନ୍ତି ।[୨]
ଜୀବନୀ
[ସମ୍ପାଦନା]ଇତି ସାମନ୍ତ କଟକ ଜିଲ୍ଲାର କଲରାବାଙ୍କ ଗ୍ରାମରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଅନାଦି ଚରଣ ସାମନ୍ତ ଏବଂ ମାତା ନୀଳିମାରାଣି ସାମନ୍ତଙ୍କର[୧] ସାତଜଣ ସନ୍ତାନଙ୍କ ମଧ୍ୟରୁ ସେ ସର୍ବକନିଷ୍ଠା ଥିଲେ । ଚାଳିଶ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଆର୍ଥିକ ଅସ୍ୱଚ୍ଛଳତା ମଧ୍ୟରେ କାଳାତିପାତ କରିଥିଲେ । ସେତେବେଳେ ତାଙ୍କୁ ପ୍ରାୟ ଦୁଇ ବର୍ଷ ବୟସ ହୋଇଥିଲା । ମାତା ନୀଳମଣି ସାମନ୍ତ ଏକାକୀ ନିଜ ସମସ୍ତ ସନ୍ତାନଙ୍କୁ ପାଳିଥିଲେ ।[୩] ସ୍କୁଲଶିକ୍ଷା ସରିବାପରେ ମାଆଙ୍କ କଥାନୁସାରେ ସେ ଇଲେକ୍ଟୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ଇଞ୍ଜିନିଅରିଂ ପଢ଼ିଥିଲେ । ମାତ୍ର ତା'ପରେ ଓଡ଼ିଆ ସାହିତ୍ୟ ଏବଂ ମାସ-କମ୍ୟୁନିକେସନ ଓ ଜର୍ଣ୍ଣାଲିଜିମରେ ସ୍ନାତକୋତ୍ତର ଶିକ୍ଷା ଲାଭକଲେ । ଏହାପରେ ବିଶ୍ୱଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ପି.ଏଚ.ଡ଼ି ଡିଗ୍ରୀ ଲାଭ କରିଥିଲେ । ନିଜ ଭାଇ ଅଚ୍ୟୁତ ସାମନ୍ତଙ୍କ ସହ ମିଶି ସେ କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ଆରମ୍ଭ କରିଥିଲେ । ଏହି ସଂସ୍ଥା ଜରିଆରେ ସେ ଓଡ଼ିଆଭାଷା ଏବଂ ସଂସ୍କୃତି ପ୍ରସାର ଦିଗରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି ।
ରଚନାବଳୀ
[ସମ୍ପାଦନା]- ତଥାପି (କ୍ଷୁଦ୍ରଗଳ୍ପ ସଂକଳନ)
- ଇତି ତୋର ଲିପ୍ସା (କ୍ଷୁଦ୍ରଗଳ୍ପ ସଂକଳନ)
- କଥାବାର୍ତ୍ତା (ସାକ୍ଷାତକାର ସଂକଳନ)
- ଝଡ଼ ପରର ସୂର୍ଯ୍ୟ ଓ କ୍ରାନ୍ତିଧାରା (କ୍ଷୁଦ୍ରଗଳ୍ପ ଏବଂ ଚଳଚ୍ଚିତ୍ର ଆଲେଖ)
- ନିରବ ଆଳାପ (ଉପନ୍ୟାସ)
- ଇତିବୃତ୍ତି -୧ (ସମ୍ପାଦକୀୟ ସଂକଳନ)
- ଇତିବୃତ୍ତି -୨ (ସମ୍ପାଦକୀୟ ସଂକଳନ)
- କଥାରେ କଥାରେ ଉପନ୍ୟାସରେ ନାରୀଚରିତ୍ର
- ଚର୍ଚ୍ଚାରେ ଚନ୍ଦ୍ରଶେଖର(ସମ୍ପାଦିତ)
- କାଦମ୍ବିନୀ ଆମ ରୋଷେଇ (ସଂଗ୍ରହ ଏବଂ ସଂକଳନ)
ଚଳଚ୍ଚିତ୍ର କ୍ଷେତ୍ରରେ ଅବଦାନ
[ସମ୍ପାଦନା]ଇତି ସାମନ୍ତ ଅନେକ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି । ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର କଥାନ୍ତର ଓଡ଼ିଶାରେ ମହାବାତ୍ୟା-ପ୍ରଭାବିତ ଶରଣାର୍ଥୀଙ୍କ ଉପରେ ଆଧାରିତ ।[୪] ଚଳଚ୍ଚିତ୍ରଟି ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ଅନେକ ସମାଲୋଚକଙ୍କଦ୍ୱାରା ଆଦୃତ ହୋଇଛି । ଅନ୍ୟ ଏକ ଚଳଚ୍ଚିତ୍ର କ୍ରାନ୍ତିଧାରା ରାଜନୀତିରେ ଜଣେ ମହିଳାଙ୍କ ସଂଘର୍ଷ ଉପରେ ଆଧାରିତ ହୋଇଛି । ସଂସ୍କୃତି ବିଭାଗରୁ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ଗୃହୀତ କ୍ଷୁଦ୍ର ଚଳଚ୍ଚିତ୍ର କାହାଣୀ ନୁହେଁ ତାଙ୍କ ନିଜର ଜୀବନୀ ଉପରେ ଆଧାରିତ । ସେ ମଧ୍ୟ ଚିଠି ଏବଂ କନ୍ୟାରତ୍ନ ନାମକ ଚଳଚ୍ଚିତ୍ରଦ୍ୱୟ ପ୍ରସ୍ତୁତ କରିଛନ୍ତି । ଏତଦବ୍ୟତୀତ ଓଡ଼ିଶା ସରକାରଙ୍କ ପାଇଁ ଇତି ସାମନ୍ତ ଅନେକ ପ୍ରଚାରଧର୍ମୀ ବୃତ୍ତଚିତ୍ର ପ୍ରସ୍ତୁତି କରିଛନ୍ତି ।
ଅନ୍ୟାନ୍ୟ ଅବଦାନ
[ସମ୍ପାଦନା]ଇତି ସାମନ୍ତ ମାସିକ ପତ୍ରିକା କାଦମ୍ବିନୀ ଏବଂ ମାସିକ ଶିଶୁ ପତ୍ରିକା କୁନିକଥାର ସମ୍ପାଦକ ଦାୟିତ୍ୱ ନିର୍ବାହ ସହ ନିଜ ମାଆ ନୀଳମଣି ସାମନ୍ତଙ୍କ ନାମରେ ନୀଳମଣି ଚାରିଟେବଲ ଟ୍ରଷ୍ଟ ତିଆରି କରି ନିଜ ନିଜ ଜନ୍ମଭୂମି କଲରାବାଙ୍କର ଉନ୍ନୟନ କରୁଛନ୍ତି । ସେ ମଧ୍ୟ ଓଡ଼ିଆ ସାହିତ୍ୟ ଏକାଡେମୀର ଜଣେ ସଦସ୍ୟ । ଓଡ଼ିଶା ଡାକ ବିଭାଗର ଡାକମଞ୍ଚର ସେ ଜଣେ ସଦସ୍ୟ ଅଟନ୍ତି ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Social activist Nilimarani passes away". The New Indian Express. Retrieved 12 August 2018.
- ↑ "Kadambini Media Pvt Ltd". kadambini.org. Retrieved 12 August 2018.
- ↑ "KIIT Founder Achyuta Samanta's Mother Neelimarani dies at 89 -". Odisha News Insight. 2 August 2016. Retrieved 12 August 2018.
- ↑ "Capturing the aftermath of a tragedy". The Hindu (in Indian English). 8 August 2006. Retrieved 12 August 2018.