ଥର୍ମୋମିଟର

ଉଇକିପିଡ଼ିଆ‌ରୁ
(ତାପମାନ ଯନ୍ତ୍ରରୁ ଲେଉଟି ଆସିଛି)
ଜ୍ୱର ମାପିବା ନିମନ୍ତେ ବ୍ୟବହୃତ ପାରଦ ଥର୍ମୋମିଟର
ସେଲସିୟସ ଓ ଫାରେନହାଇଟ ଥର୍ମୋମିଟର

ଥର୍ମୋମିଟର ବା ତାପମାନ ଯନ୍ତ୍ର କୌଣସି ପଦାର୍ଥର ତାପମାତ୍ରା ମାପିବା ପାଇଁ ବ୍ୟବହାର କରାଯାଉଥିବା ଏକ ଉପକରଣ । ତାପମାତ୍ରା ମାପ ପାଇଁ ଏବେ ବିଭିନ୍ନ ପ୍ରକାରର ଥର୍ମୋମିଟର ବ୍ୟବହୃତ ହେଉଛି । ସର୍ବପ୍ରଥମେ ୧୫୯୩ ମସିହାରେ ଇଟାଲୀୟ ବୈଜ୍ଞାନିକ ଗାଲିଲିଓ ଗାଲିଲି ଏକ ଥର୍ମୋମିଟର ତିଆରି କରିଥିଲେ[୧] । ସେ ସେହି ଥର୍ମୋମିଟରଟିରେ ଜଳ ବ୍ୟବହାର କରିଥିଲେ । ତାପମାତ୍ରା ବଦଳିଲେ କାଚନଳୀ ମଧ୍ୟରେ ଜଳର ଅବସ୍ଥିତି ବଦଳୁଥିଲା । ଏଥିରୁ ବସ୍ତୁର ତାପମାତ୍ରା ଜଣାପଡ଼ୁଥିଲା । ତେବେ ଏହି ଥର୍ମୋମିଟରେ କେତେକ ଅସୁବିଧା ଥିଲା । ତେଣୁ ଅଲଗା ଥର୍ମୋମିଟର ତିଆରି ପାଇଁ ଚେଷ୍ଟା ଚାଲିଲା । ଅନ୍ୟଏକ ଥର୍ମୋମିଟରେ ପାରଦ ବ୍ୟବହାର କରାଯାଏ । ଏଥିରେ ଗୋଟିଏ ପାରଦ ଥଳି ରହିଥାଏ । ତା ସହିତ ଗୋଟିଏ ବନ୍ଦ ସରୁ କାଚନଳୀକୁ ଯୋଡ଼ି ଦିଆଯାଇଥାଏ । ସେହି ପାରଦ ଥଳିଟିକୁ କୌଣସି ବସ୍ତୁସହ ଲଗାଇଲେ କାଚନଳି ମଧ୍ୟରେ ପାରଦର ଉଚ୍ଚତା କମି ଯାଏ ବା ବଢ଼ିଯାଏ । କାଚନଳୀ ମଧ୍ୟରେ ପାରଦର ଉଚ୍ଚତାରୁ ସେହି ବସ୍ତୁର ତାପମାତ୍ରା ଜଣାପଡ଼େ ।

ଥର୍ମୋମିଟରଟିକୁ ବରଫଗୁଣ୍ଡ ମଧ୍ୟ ବୁଡ଼ାଇ ରଖିଲେ କାଚନଳୀରେ ପାରଦର ସ୍ତମ୍ଭଟି ତଳକୁ ଖସି ଯେଉଁଠାରେ ରହେ ତାହାକୁ ଜଳର ହିମାଙ୍କ କୁହାଯାଏ । ସେହିପରି ଥର୍ମୋମିଟର ଅଗ୍ରକୁ ଫୁଟନ୍ତା ପାଣିରେ ବୁଡ଼ାଇ ରଖିଲେ ପାରଦ ସ୍ତମ୍ଭ ଉପରକୁ ଉଠି ଯେଉଁଠାରେ ରହେ ତାକୁ ଜଳର ସ୍ଫୁଟନାଙ୍କ କୁହାଯାଏ । ବିଭିନ୍ନ ପ୍ରକାର ଥର୍ମୋମିଟରେ ଜଳର ହିମାଙ୍କ ଓ ସ୍ଫୁଟନାଙ୍କ ଅଲଗା ଅଲଗା ହୋଇଥାଏ । ଏବେ ସାଧାରଣତଃ ଫାରେନହାଇଟ ଓ ସେଲ୍ସିଅସ୍ ଥର୍ମୋମିଟର ବ୍ୟବହୃତ ହେଉଛି । ତେବେ ଭାରତରେ ସେଲସିୟସ ଥର୍ମୋମିଟର ବ୍ୟବହାର ଅଧିକ । ସୁଇଡେନର ଜ୍ୟୋତିର୍ବିଦ ଆଣ୍ଡରସ୍ ସେଲସିୟସ୍ ୧୭୪୨ ମସିହାରେ ଏହି ଥର୍ମୋମିଟର ଉଦ୍ଭାବନ କରିଥିଲେ । ଏଥିରେ ଜଳର ହିମାଙ୍କ ହେଉଛି ୦ ସେ. ଓ ସ୍ଫୁଟନାଙ୍କ ୧୦୦ସେ. । ଜର୍ମାନୀର ପଦାର୍ଥ ବିଜ୍ଞାନୀ ଡାନିଏଲ୍ ଗାବ୍ରିଏଲ ଫାରେନହାଇଟ ୧୭୨୪ ମସିହାରେ ଗୋଟିଏ ଥର୍ମୋମିଟର ଉଦ୍ଭାବନ କରିଥିଲେ । ଏହି ଫାରେନ୍ହାଇଟ୍ ଥର୍ମୋମିଟରେ ଜଳର ହିମାଙ୍କ ହେଉଛି ୩୨ ଫା. ଓ ଜଳର ସ୍ଫୁଟନାଙ୍କ ୨୧୨ ଫା. ।

ଏହି ଦୁଇ ପ୍ରକାରର ଥର୍ମୋମିଟରକୁ ବାଦ ଦେଲେ କେଲଭିନ୍ ସ୍କେଲ ନାମରେ ଆଉ ଗୋଟିଏ ପ୍ରକାରର ଥର୍ମୋମିଟର ରହିଛି । ଏହାକୁ ୱଲିୟମ ଥମସନ ବାହାର କରିଥିଲେ । ସେ ପରେ ଲର୍ଡ଼ କେଲଭିନ୍ ରୂପେ ପରିଚିତ ହେବାରୁ ଏହି ସ୍କେଲଟି ତାଙ୍କ ନାମ ଅନୁସାରେ କେଲ୍ଭିନ୍ ସ୍କେଲ ରୂପେ ପରିଚିତ ହେଲା । ଏହି ସ୍କେଲଟିରେ ଏକ ଡିଗ୍ରୀ ତାପମାତ୍ରା ସେଲ୍ସିୟସ ସ୍କେଲରେ ଏକ ଡିଗ୍ରୀ ତାପମାତ୍ରା ସହ ସମାନ । ମାତ୍ର ଏଥିରେ ଜଳର ହିମାଙ୍କ ୨୭୩ କେ. ଓ ଜଳର ସ୍ଫୁଟନାଙ୍କ ୩୭୩ କେ. ହୋଇଥାଏ । ଏଥିରେ ୦କେ.କୁ ପରମ ଶୂନ ତାପମାତ୍ରା ରୂପେ ନିଆଯାଇଛି । ଏହି ତାପମାତ୍ରା ହେଉଛି ସବୁଠାରୁ କମ୍ ତାପମାତ୍ରା ।

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]