ଛତୁ

ଉଇକିପିଡ଼ିଆ ରୁ
ଛତୁ

ଛତୁକୁ ଖାଦ୍ୟରୂପେ ବ୍ୟବହାର କରାଯାଏ । ସାରାବିଶ୍ୱରେ ପ୍ରାୟ ୪୦୦ପ୍ରକାର ଛତୁ ଦେଖାଯାଏ; ତନ୍ମଧ୍ୟରୁ ଅନ୍ୟୁନ ୨୦୦ପ୍ରଜାତିର ଛତୁ ଅଧୁନା ଅବଲୁପ୍ତପ୍ରାୟ । ଛତୁ ମଧ୍ୟରେ ବାଲି ଛତୁ, ବୁଢ଼ାବୁଢ଼ୀ ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁର ବେଶ୍ ଆଦର ରହିଛି । ଛତୁକୁ ତରକାରୀ ଛଡ଼ା ଭାଜି ଓ ନିଆଁରେ ପୋଡ଼ି ଖିଆଯାଏ । ତେବେ ବାଲି ଛତୁର ସ୍ୱାଦ ଅତୀବ ରୁଚିକର, ତେବେ ମଧ୍ୟ ବୁଢ଼ାବୁଢ଼ୀ ଓ ହୁଙ୍କା ଛତୁର ମଧ୍ୟ ବେଶ୍ ଆଦର ରହିଛି ।ଏହି ଛତୁସବୁ ବର୍ଷାଋତୁରେ ଫୁଟିଥାଏ । ବର୍ଷା ହେଲେ ଗ୍ରାମରେ ବସବାସ କରୁଥିବା ଲୋକମାନେ ଛତୁ ତୋଳିବା ପାଇଁ ସକାଳୁ ଉଠି ପଡ଼ିଆ, ବଣ, ବିଲ ଆଦି ଅଞ୍ଚଳରେ ଘୁରିବୁଲନ୍ତି । ମାତ୍ର ବିଗତ ୨୦ବର୍ଷ ହେବ ଅଧିକାଂଶ ଛତୁ ଆଉ ଦେଖିବାକୁ ମିଳୁନାହିଁ ।

ଫୁଟୁଥିବା ସ୍ଥାନ[ସମ୍ପାଦନା]

ଦେଶୀଛତୁ ମଧ୍ୟରେ ବୁଢ଼ାବୁଢ଼ୀ ଛତୁ ଓ ବାଲି ଛତୁ ଖୋଲା ପଡ଼ିଆରେ ଫୁଟୁଥିବା ବେଳେ ନାଡ଼ ଛତୁ ବଣବୁଦା ତଥା ସନ୍ତସନ୍ତିଆ ସ୍ଥାନମାନଙ୍କରେ ଫୁଟେ । ହୁଙ୍କା ଛତୁ ମାଟିକାନ୍ଥ କିମ୍ବା ଉଇହୁଙ୍କାରେ ଫୁଟୁଥିବାସ୍ଥଳେ ପାଳଛତୁ ପଚାସଢ଼ା ଗଛପତ୍ର, ନଡା କିମ୍ବା ପାଳଗଦାରେ ଫୁଟିଥାଏ । ବାଲିଛତୁ ଛୋଟ ଓ ବଡ଼ ଆକାରରେ ଫୁଟୁଥିବା ବେଳେ ହୁଙ୍କାଛତୁ ଅତି ଛୋଟଛୋଟ ଆକାରରେ ଫୁଟୁଥିବାର ଦେଖାଯାଏ । ତେଣୁ ସେଗୁଡିକୁ ତୋଳିବାକୁ ବହୁତ ସମୟ ଲାଗେ । ଏହା ବ୍ୟତୀତ ନାଡ଼ଛତୁର ଉପର ଅଂଶ ଛୋଟ ଏବଂ ନିମ୍ନଅଂଶ ପ୍ରାୟ ୬ରୁ ୮ଇଞ୍ଚ ପର୍ଯ୍ୟନ୍ତ ମାଟି ଭିତରକୁ ଯାଇଥିବା ଯୋଗୁଁ ତା’କୁ ଏପରି ନାମ ଦିଆଯାଇଛି। କିନ୍ତୁ ପାଳଛତୁ ଅନ୍ୟ ପ୍ରଜାତିର ଛତୁ ଅପେକ୍ଷା ଆକାରରେ ବଡ଼ ଓ ତୋଳିବାକୁ ସହଜ । କିନ୍ତୁ ବୁଢ଼ାବୁଢ଼ୀ ଛତୁ କେବଳ ଖୋଲା ପଡ଼ିଆରେ ମେଞ୍ଚାମେଞ୍ଚା ହୋଇ ଫୁଟୁଥିବାର ଦେଖାଯାଏ ଏବଂ ଅଧିକାଂଶ ଘାସ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ରହିଯାଉଥିବାରୁ, ସେଗୁଡ଼ିକୁ ଖୋଜି ତୋଳିବା ଟିକେ କଷ୍ଟକର ହୋଇଥାଏ ।

ଫାର୍ମ ଛତୁ[ସମ୍ପାଦନା]

ପାଣିପାଗ ଓ ପରିବେଶର ପରିବର୍ତ୍ତନ ଯୋଗୁଁ ପ୍ରାକୃତିକ ଉପାୟରେ ଉତ୍ପନ ହେଉଥିବା ଦେଶୀଛତୁ ବହୁଳ ପରିମାଣରେ ହ୍ରାସ ଘଟିଛି । ଅନ୍ୟ ପକ୍ଷରେ ଜନସଂଖ୍ୟା ଦୃତ ଗତିରେ ବୃଦ୍ଧି ଘଟିବାରୁ ଛତୁର ଚାହିଦାକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ପଦ୍ଧତିରେ ଏବେ ଛତୁଚାଷ କରାଯାଉଛି । ସେଥି ମଧ୍ୟରେ ଧିଙ୍ଗିରି, ପାଳ ଏବଂ ଦୁଧଛତୁ ଅନ୍ୟତମ । ପାଳଛତୁ ଉଭୟ ଖରା ଓ ବର୍ଷା ଋତୁରେ ଚାଷ କରାଯାଉଥିବାବେଳେ ଧିଙ୍ଗିରି ଛତୁ କେବଳ ଶୀତଋତୁରେ ଚାଷ କରାଯାଇ ଥାଏ । ସେହିପରି ଦୁଧ ଛତୁ ନାତିଶୀତୋଷ୍ଣ ଜଳବାୟୁରେ ଚାଷ କରାଯାଏ । କାଶ୍ମୀର, ହିମାଚଳ ପ୍ରଦେଶ, ହରିଆଣା, ରାଜସ୍ଥାନ ଆଦି ଅଞ୍ଚଳରେ ବହୁଳ ଭାବରେ ଉତ୍ପାଦନ କରାଯାଏ । [୧]

ଆଧାର[ସମ୍ପାଦନା]

  1. ପ୍ରତାପ କେଶରୀ ପାତ୍ର, ରବିବାର ସମାଜ, ପୃଷ୍ଠା-୩, ୨୦-୨୬.୧୦.୨୦୧୩

ଅଧିକ ତଥ୍ୟ[ସମ୍ପାଦନା]

ଚିହ୍ନଟ[ସମ୍ପାଦନା]

Research associations[ସମ୍ପାଦନା]