କସ୍ତୁରୀ

ଉଇକିପିଡ଼ିଆ ରୁ
ଏହି ଲେଖାଟି ସୁଗନ୍ଧ ଦ୍ରବ୍ୟ ବାବଦରେ । ଓଡ଼ିଆ କଥାଚିତ୍ର ନିମନ୍ତେ, କସ୍ତୁରୀ (କଥାଚିତ୍ର) ପ୍ରସଙ୍ଗଟି ଦେଖନ୍ତୁ ।
କସ୍ତୁରୀ ଥଳି

ଏକ ନିର୍ଦ୍ଧିଷ୍ଟ ପ୍ରଜାତିର ପୁରୁଷ ମୃଗର ନାଭି ଓ ଗୁହ୍ୟାଙ୍ଗର ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଏକ ଗୋଟାଳିଆ କୋଷରୁ କସ୍ତୁରୀ ମିଳେ । ଅତର ଓ ଔଷଧ ପାଇଁ କସ୍ତୁରୀ ବ୍ୟବହାର ହୁଏ । କସ୍ତୁରୀ କ୍ଷୁଦ୍ର କ୍ଷୁଦ୍ର ଦାନା ବିଶିଷ୍ଟ ଓ ତିବ୍ର ସୁଗନ୍ଧୟୁକ୍ତ ଏହା କଟୁତିକ୍ତ, କ୍ଷାରୟୁକ୍ତ, ଉଷ୍ଣବୀର୍ଯ୍ୟ, ଶୁକ୍ର-ବର୍ଦ୍ଧକ ଓ ଗୁରୁ, କାମୋଦ୍ଦୀପକ, ଆକ୍ଷେପ-ନାଶକ, ସ୍ଵେଦଜନ୍ମକ, ବଳକାରକ ଓ କିଞ୍ଚିତ୍ ମାଦକ ଏହା କଫ, ବାୟୁ, ବିଷଦୋଷ, ବମି, ଶୀତ, ଦୁର୍ଗନ୍ଧ ଓ ଶୋଷନାଶକ ୟେଉଁ କସ୍ତୁରୀ ନିଜ ଗନ୍ଧରେ କେତକୀ ଫୁଲର ଗନ୍ଧକୁ ନଷ୍ଟ କରେ, ଅଗ୍ନିରେ ପଡ଼ିଲେ ୟହିଁରୁ ଚମଡ଼ାପୋଡ଼ାର ଗନ୍ଧ ବାହାରେ ତାହା ଉତ୍କୃଷ୍ଟ କସ୍ତୁରୀ ।

ସ୍ଥାନଭେଦରେ କସ୍ତୁରୀ ୩ ପ୍ରକାର: କାମରୂପୀ, ନୈପାଳୀ ଓ କାଶ୍ମୀରୀ । କାମରୂପ କୃଷ୍ଣବର୍ଣ୍ଣ, ନୈପାଳୀ ନୀଳ ଓ କାଶ୍ମୀରୀ କପିଳ କାମରୂପୀ ଶ୍ରେଷ୍ଠ, ନୈପାଳୀ ମଧ୍ୟମ ଓ କାଶ୍ମୀରୀ ନିକୃଷ୍ଟ । ଆକାର ଅନୁସାରେ କସ୍ତୁରୀ ୫ପ୍ରକାର: ଧୂଳିପରି ସୁକ୍ଷ୍ମଦାନା ଥିବା କସ୍ତୁରିକୁ ଖରିକା, ରାଶିପରି ଦାନାଯୁକ୍ତ କସ୍ତୁରୀକୁ ତିଳିକା, କୋଳଥ ଆକାର କସ୍ତୁରିକୁ କୁଳତ୍‌ଥିକା, ଖଣ୍ଡଖଣ୍ଡ କସ୍ତୁରିକୁ ପିଣ୍ଡିକା ଓ ବଡ଼ବଡ଼ ଖଣ୍ଡ କସ୍ତୁରିକୁ ନାୟିକା କସ୍ତୁରି ବୋଲି କୁହାଯାଏ । ପିଣ୍ଡିକା ଓ ନାୟିକା ଅଧିକ ଦାମୀ ଓ ପ୍ରଭାବଶାଳୀ । କସ୍ତୁରୀ ନିଜର ସୁଗନ୍ଧିରେ କେତକୀ ଫୁଲର ଫୁଲର ସୁଗନ୍ଧି ବି ନାଶ କରିପାରେ ।

ଶ୍ରୀମନ୍ଦିରରେ କସ୍ତୁରୀ[ସମ୍ପାଦନା]

ଏହା ଜଗନ୍ନାଥଙ୍କ ବନକଲାଗିରେ ବ୍ୟବହୃତ ହୁଏ । ଏହା ରଙ୍ଗରେ ମିଶିଥିଲେ ଏହା ରଙ୍ଗର ଔଜ୍ଜଳତା ବଢ଼ାଇଥାଏ । ଏହାଛଡ଼ା ଅଣସର ସମୟରେ ଗୁପ୍ତନୀତି ଯଥା ଖଡିଲାଗି, ଖଳିଲାଗି ଓ ଚନ୍ଦନସର୍ବାଙ୍ଗ ପାଇଁ କସ୍ତୁରୀ ନିହାତି ଆବଶ୍ୟକ । ଗୋଟିଏ ଥର ଶ୍ରୀଜୀଉମାନଙ୍କର ମୁଖସିଙ୍ଗାର ପାଇଁ ଅନ୍ୟୁନ ୫ଗ୍ରାମ କସ୍ତୁରୀ ଆବଶ୍ୟକ । ବର୍ଷକୁ ମନ୍ଦିରରେ ଅନ୍ୟୁନ ଶହେଗ୍ରାମ କସ୍ତୁରୀ ବ୍ୟବହାର କରାଯାଇଥାଏ ।

ଶ୍ରୀମୁଖ ପାଇଁ ବ୍ୟବହୃତ ରଙ୍ଗରେ ଏହା କିଞ୍ଚିତ ପରିମାଣରେ ଥିଲେ ମଧ୍ୟ କୀଟ ଓ ପୋକ ଦାଉରୁ ଶ୍ରୀମୁଖକୁ ରକ୍ଷା କରେ । ଜଗନ୍ନାଥଙ୍କ ଅନ୍ୟ ଅବତାର ଶ୍ରୀକୃଷ୍ଣଙ୍କର ଲଲାଟରେ କସ୍ତୁରୀ ତିଳକ ଶୋଭା ପାଇବାର ବର୍ଣ୍ଣନା ରହିଛି । ଅତର ଓ ଔଷଧ ପାଇଁ କସ୍ତୁରୀ ବ୍ୟବହାର ହୁଏ । ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସଂଶୋଧିତ ଆଇନ ୧୯୯୧ରେ ଏହି କାରବାରକୁ ନିଷେଧ କରାଯାଇଛି । ତେଣୁ ଶ୍ରୀଜୀଉଙ୍କ ବନକ ଲାଗି ପାଇଁ କସ୍ତୁରୀ ମିଳିବା ସହଜ ହେଉନାହିଁ । [୧]

ଆଧାର[ସମ୍ପାଦନା]

  1. ପ୍ରମେୟ, ପୃଷ୍ଠା-୩, ସୋମବାର, ୨୭ ମେ ୨୦୧୩