ଶ୍ରୀମନ୍ଦିରର ଗଣେଶ ମନ୍ଦିର

ଉଇକିପିଡ଼ିଆ‌ରୁ

ଶ୍ରୀମନ୍ଦିର ଭିତରେ ଗାଣପତ୍ୟଙ୍କ ପ୍ରଭାବ ରହିଥିବା ଜଣାଯାଏ । ମନ୍ଦିର ଭିତରେ ଦେଖାଯାଉଥିବା ଗଣପତି ବା ଗଣେଶଙ୍କ ଭିତରୁ ଏହା ପୂର୍ବନୁମାନ କରାଯାଇଛି । ଶ୍ରୀମନ୍ଦିର ଭିତରେ ମୋଟ ୪୫ଟି ଗଣେଶ ମନ୍ଦିର ଅଛି । ସେମାନକ ଭିତରୁ ଭିତର ବେଢାରେ ୨୩ଟି ଓ ବାହାର ବେଢାରେ ୨୨ଟି ରହିଛି ।

ଭିତର ବେଢାରେ[ସମ୍ପାଦନା]

  • କଳ୍ପବଟ ଗଣେଶ - ଦକ୍ଷିଣ ଦ୍ୱାର ଭିତର ଗୁମୁଟ ସମୁଖସ୍ତ କଳ୍ପବଟ ତଳେ ଏହି ମନ୍ଦିର ରହି ଅଛି । ପଥର ନିର୍ମିତ ଏହି ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖେ ଅଟନ୍ତି । ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଗଣେଶ ମନ୍ଦିର ଅପେକ୍ଷା ଏହି ମନ୍ଦିରରେ ଅଧିକ ଭକ୍ତ ଆସିଥାନ୍ତି ।
  • ଭଣ୍ଡ ଗଣେଶ - ଭଣ୍ଡ ଗଣେଶ ବା କାଞ୍ଚି ଗଣେଶ ମନ୍ଦିରଟି ଭିତର ବେଢାର ପଶ୍ଚିମ ପାଖରେ ଥିବା ସାକ୍ଷୀ ଗୋପାଳ ମନ୍ଦିରକୁ ଲାଗି ରହିଛି । ରାଜା ପୁରୁଷୋତ୍ତମ ଦେବ କାଞ୍ଚି ଜୟ କରିଥିବା ବେଳେ ଏହି ଗଣେଶଙ୍କୁ ଆଣି ପ୍ରତିଷ୍ଠା କରିଥିବା ନେଇ ଜଣାଯାଏ ।
  • ନାଟ ଗଣେଶ - ଭିତର ବେଢାରେ ଥିବା ଜଳ କ୍ରୀଡାମଣ୍ଡପ ନିକଟରେ ଏହି ମନ୍ଦିର ରହିଛି । କଳା ମୁଗୁନି ପଥର ନିର୍ମିତ ଏହି ନଟ ଗଣେଶ ଅଷ୍ଟଭୁଜ ବିଶିଷ୍ଟ ଓ ଦକ୍ଷିଣାଭିମୁଖୀ ।
  • ନୃତ୍ୟଭଙ୍ଗୀ ଗଣେଶ - ବିମଳା ମନ୍ଦିର ପ୍ରବେଶ ଦ୍ୱାର ବା ପାର୍ଶ୍ୱରେ ଏକ ଠଣାରେ ନୃତ୍ୟ ଭଙ୍ଗରେ ଏକ କ୍ଷୁଦ୍ର ଗଣେଶ ଦଣ୍ଡାୟମାନ ରହିଛନ୍ତି ସେ । ପୂର୍ବାଭିମୁଖୀ ହୋଇ ଦଣ୍ଡାୟମାନ କରିଛନ୍ତି । ବିମଳାଙ୍କ ଜଗମୋହନ ଭିତର ଗମ୍ଭୀରାର ପ୍ରବେଶ ଦ୍ୱାର ଡାହାଣ ପାଖ କାନ୍ଥରେ ଏକ ଛୋଟ ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ହୋଇ ବିରାଜମାନ କରିଛନ୍ତି । ବଟ ଗଣେଶ ମନ୍ଦିର ଦକ୍ଷିଣ-ପୂର୍ବ ଦିଗରେ ଥିବା ହରିସହଦେବଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ୱ ଦେବତା ଭାବେ ଗଣେଶ ବିଦ୍ୟମାନ ଅଛନ୍ତି ।
  • ସର୍ବମଙ୍ଗଳା (ବଟ ମଙ୍ଗଳା) ମନ୍ଦିର ଜଗମୋହନରେ କ୍ଷୂଦ୍ର ଗଣେଶ ମୂର୍ତ୍ତି ବିଦ୍ୟମାନ ଅଛନ୍ତି ।
  • ଭିତର ବେଢାର ପଞ୍ଚ ମହାଦେବ ମନ୍ଦିରର ମାର୍କଣ୍ଡେଶ୍ୱର ମନ୍ଦିର ଭିତର କାନ୍ଥରେ ପୂର୍ବାଭିମୁଖୀ ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ପୂଜା ପାଉଥିବା ବେଳେ ମନ୍ଦିର କାନ୍ଥରେ ଗଣେଶଙ୍କର ଚିତ୍ର ପ୍ରତିମା ରହିଛି ।
  • ଇନ୍ଦ୍ରାଣୀ ଦେବୀଙ୍କ ମନ୍ଦିର ପ୍ରବେଶ ଦ୍ୱାର ବାମ ପାର୍ଶ୍ୱରେ ଏକ ଦକ୍ଷିଣାଭିମୁଖୀ ଗଣେଶ ମୂର୍ତ୍ତି ଓ ଉପର ଦିଗରେ ଏକ ଚିତ୍ର ଗଣେଶ ଦୃଶ୍ୟମାନ ହେଉଛନ୍ତି ।
  • ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଉପର ଅନେକ ଖମ୍ବରେ ୪ଟି ଗଣେଶ ମୂର୍ତି ଅଛନ୍ତି । ମୁକ୍ତିମଣ୍ଡପ ପଛ ପାଖରେ ଥିବା ଏକ ସରଘରେ ଗଣେଶ ମୂର୍ତି ବିଦ୍ୟମାନ ।
  • ଶ୍ରୀମନ୍ଦିର ଦକ୍ଷିଣ ଘର ବାରଣ୍ଡାର ଡାହାଣପଟ କାନ୍ଥରେ ପଥର ତିଆରି ଏକ କ୍ଷୁଦ୍ର ଗଣେଶ ମୂର୍ତ୍ତି ଦକ୍ଷିଣାଭିମୁଖୀ ହୋଇ ରହିଛନ୍ତି । ସେହି ଗୃହର ଉତ୍ତର ପାର୍ଶ୍ୱର ମୂଳମନ୍ଦିର ଗାତ୍ରରେ ୨ଟି ଗଣେଶ ମୂର୍ତ୍ତି ରହିଛନ୍ତି ।
  • ମୁଖ୍ୟମନ୍ଦିର ବିମାନର ଦକ୍ଷିଣପୂର୍ବ ରାହାପାଗ ଅଂଶରେ ତଳୁପ୍ରାୟ ୩୦ରୁ ୪୦ ଫୁଟ ଉଞ୍ଚରେ ଏକ ଦକ୍ଷିଣାଭିମୁଖୀ ଗଣେଶ ଏବଂ ପା ଭାଗରେ ପଟା ଅଂଶରେ କେତେକ ଦେବାଦେବୀଙ୍କ ସହ ଏକ ଗଣେଶ ମୂର୍ତ୍ତି ଅବସ୍ଥିତ ।[୧]

ବାହାର ବେଢାରେ[ସମ୍ପାଦନା]

ଶ୍ରୀମନ୍ଦିରର ସିଂହଦ୍ୱାର ଗୁମୁଟର ବାମ ପାଖ କାନ୍ଥରେ ଗଣେଶଙ୍କର ଏକ ଚିତ୍ରରେ ପ୍ରତିମା ସମେତ ବାହାର ବେଢାରେ ଗଣେଶଙ୍କର ମୋଟ ୨୨ଟି ମନ୍ଦିର ରହିଛି ।[୨]

  • ବାଇଶି ପାହାଚ ବାମ ପାଖ କାଶୀ ବିଶ୍ୱନାଥ ମନ୍ଦିର ଦକ୍ଷିଣ ଦିଗରେ ପାର୍ଶ୍ୱ ଦେବତା ଗଣେଶ ଅଛନ୍ତି ।
  • ଦକ୍ଷିଣପଟ କାନ୍ଥରେ ଗଣେଶଙ୍କର ଦୁଇଟି କ୍ଷୁଦ୍ର ମୂର୍ତ୍ତି ଅଛି ।
  • ବାଇଶି ପାହାଚର ବାମ ପଟରେ ଥିବା ନୃସିଂହ ମନ୍ଦିର ଭିତରେ ଉତ୍ତରାଭିମୁଖୀ ଗଣେଶ ବିଦ୍ୟମାନ ।
  • ବାଇଶି ପାହାଚ ଅତିକ୍ରମ କରିବା ପରେ ଭିତରବେଢା ଗୁମୁଟ ବାମ ପାଖେ ଘଣ୍ଟ ମୁଣ୍ଡେଇ ଠାକୁରାଣୀଙ୍କ ନିକଟରେ ଗଣେଶଙ୍କର ଏକ ଚିତ୍ର ପ୍ରତିମା ରହିଛି ।
  • ଆନନ୍ଦବଜାରରେ ଥିବା ସରକାରୀ ପସରା ଗୃହ ଭିତର ପ୍ରସ୍ତର ନିର୍ମିତ ଏକ ଗଣେଶ ମୂର୍ତ୍ତି ରହିଛି ।
  • ଦକ୍ଷିଣଦ୍ୱାର ଗୁମୁଟର ଡାହାଣପଟ ଠଣାରେ କଳା ମୁଗୁନି ପଥରରେ ନିର୍ମିତ ଏକ ଛୋଟ ଗଣେଶ ମୂର୍ତ୍ତି ରହିଛି ।
  • ଦକ୍ଷିଣଦ୍ୱାର ଗୁମୁଟ ପାର ହୋଇ ବାମ ପାଖ ବୁଢୀମା ଠାକୁରାଣୀଙ୍କ ମନ୍ଦିର ଦ୍ୱାରର ଡାହାଣପଟ କାନ୍ଥରେ ଗଣେଶଙ୍କ ଚିତ୍ର ପ୍ରତିମା ରହିଛି ।
  • ଦକ୍ଷିଣଦ୍ୱାର ବୁଢୀମା ମନ୍ଦିର ସାମ୍ନା ରାମଚନ୍ଦ୍ର ମନ୍ଦିରର ବାମ ପଟ କାନ୍ଥରେ ଏକ ଗଣେଶ ମୂର୍ତ୍ତି ରହିଛି ।
  • ଏହି ମନ୍ଦିର ନିକଟରୁ ଡାହାଣଦିଗ ରୋଷକୁ ଯିବା ରାସ୍ତାରେ ଡାହାଣ ପାଖରେ ଥିବା ମହାଦେବ ମନ୍ଦିର କବାଟରେ ଗଣେଶଙ୍କ ଚିତ୍ର ପ୍ରତିମା ରହିଛି ।
  • ଦକ୍ଷିଣଦ୍ୱାର ବାହାର ବେଢାରୁ ରୋଷ ଦ୍ୱାର ଦକ୍ଷିଣଶ୍ୱର ମହାଦେବଙ୍କ ମନ୍ଦିର ପଛ ପାଖରେ ଗଣେଶ ପାର୍ଶ୍ୱଦେବତା ଭାବେ ରହିବାସ୍ଥଳେ ମନ୍ଦିର ଭିତରେ ଗଣେଶଙ୍କର ଚିତ୍ର ପ୍ରତିମା ଅଛି ।
  • ରୋଷ ପରିସରରେ ଥିବା ଏକ ସରଘରେ ପଥର ନିର୍ମିତ ଗଣେଶ ମୂର୍ତ୍ତି ରହିଛି ।
  • ରୋଷ ଘରେ ଥିବା ଗଙ୍ଗା ଓ ଯମୁନା କୂଅ ନିକଟସ୍ଥ କାନ୍ଥରେ ଦୁଇଟି ପଥର ନିର୍ମିତ ଗଣେଶ ମୂର୍ତ୍ତି ଦେଖାଯାଏ ।
  • ରୋଷଘର ମୁଖ୍ୟ ଦ୍ୱାରର ବାମ ପାଖରେ ଏକ ଗଣେଶ ମୂର୍ତ୍ତି ରହିଛି ।ଏହାକୁ 'ରୋଷ ଗଣେଶ' ବୋଲି କୁହାଯାଏ ।
  • ପଶ୍ଚିମ ଦ୍ୱାର ଗୁମୁଟର ଭିତର ପଟ ଦ୍ୱାର ବନ୍ଧ ଉପରେ ନୃତ୍ୟଭଙ୍ଗୀରେ ଅଷ୍ଟଭୂଜ ବିଶିଷ୍ଟ ଏକ ଗଣେଶ ମୂର୍ତ୍ତି ରହିଛି ।[୨]
  • ନିଳାଚଳ ଉପବନର ପ୍ରବେଶ ଦ୍ୱାର ନିକଟରେ ଥିବା ଚାରିଧାମ ମନ୍ଦିର ଭିତରେ ଏକ ଗଣେଶ ମୂର୍ତ୍ତି ବିରାଜିତ ।
  • ନୀଳାଚଳ ଉପବନର ପରିସରରେ ଥିବା ଚକ୍ରନାରାୟଣ ମନ୍ଦିର ମଣ୍ଡପ ଭିତରେ ଏକ ଉତ୍ତରଭିମୁଖୀ ଗଣେଶ ମୂର୍ତ୍ତି ରହିଛି ।
  • ପଶ୍ଚିମଦ୍ୱାର ବାମପାଖ ନୀଳାଦ୍ରିବିହାର ଭିତରେ ଥିବା ଧବଳେଶ୍ୱର ମନ୍ଦିର ପୂର୍ବପଟ ପାର୍ଶ୍ୱଦେବତା ରୂପେ ଗଣେଶ ବିଗ୍ରହ ରହିଛନ୍ତି ।
  • ଉତ୍ତରଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଲାବେଳେ ବାମ ପାର୍ଶ୍ୱରେ ଏକ ଛୋଟ ଗଣେଶ ମନ୍ଦିର ଅବସ୍ଥିତ ।
  • ସେଠାରେ ଗଣେଶ ପଶ୍ଚିମାଭିମୁଖୀ ହୋଇ ରହିଛନ୍ତି ।
  • ଉତ୍ତରଦ୍ୱାର ବେଢା ଲୋକନାଥ ବା ସୋମନାଥ ମନ୍ଦିର ବାମ ପାଖରେ ଏକ ଗଣେଶ ବିଗ୍ରହ ରହିଛନ୍ତି ।
  • ଶୀତଳାଙ୍କ ମନ୍ଦିର ଭିତରେ ଏକ ଗଣେଶ ମୂର୍ତ୍ତି ବିରାଜିତ ।
  • ଉତ୍ତରଦ୍ୱାର ପାହାଚ ଉପର ବାମପାଖରେ ଥିବା ପର୍ଶୁନାଥ ଓ ଧବଳେଶ୍ୱର ମନ୍ଦିରର ଦକ୍ଷିଣପାଖ ଦେବତା ଗଣେଶ ଥିବା ସ୍ଥଳେ ଧବଳେଶ୍ୱର ମନ୍ଦିର ସାମ୍ନାପଟ କାନ୍ଥରେ ଗଣେଶଙ୍କର ଏକ ଚିତ୍ର ପ୍ରତିମା ରହିଛି ।
  • କୋଇଲି ବୈକୁଣ୍ଠର ଦହନ ପାଖରେ ଥିବା ବୈକୁଣ୍ଠଶ୍ୱର ମହାଦେବଙ୍କ ମନ୍ଦିରର ଦକ୍ଷିଣ ଦିଗରେ ପାର୍ଶ୍ୱଦେବତା ଭାବେ ଅଷ୍ଟଭୁଜ ଗଣେଶ ବିରାଜମାନ ରହିଛନ୍ତି ।[୨]

ଅଧିକ ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. * ପ୍ରମେୟ, ପୃଷ୍ଠା - ୨, ତାରିଖ - ୫ ଜୁନ୍ ୨୦୧୫
  2. ୨.୦ ୨.୧ ୨.୨ "ଶ୍ରୀମନ୍ଦିର ବାହାର ବେଢାରେ ୨୨ ଗଣେଶ ମନ୍ଦିର". ପ୍ରମେୟ. ୬ ଜୁନ ୨୦୧୫. Archived from the original on 5 March 2016. Retrieved 14 September 2015. {{cite news}}: Check date values in: |date= (help)