ଢୁମ୍ପା

ଉଇକିପିଡ଼ିଆ ରୁ
Jump to navigation Jump to search
ଢୁମ୍ପା ସଙ୍ଗୀତ
Dhumpa Music.jpg
୨୦୧୭ ମସିହା ଡିସେମ୍ବର ମାସରେ ପଠାଣି ସାମନ୍ତ ସ୍ମୃତି ପରିଷଦ ବାର୍ଷିକ ଉତ୍ସବ ଅବସରରେ ଖଣ୍ଡପଡ଼ାରେ ଢୁମ୍ପାବାଦନ ଓ ଗାୟନ
ମାଧ୍ୟମସଙ୍ଗୀତ
ସଂସ୍କୃତିଓଡ଼ିଆ ଚଳଣି
ସୃଷ୍ଟିଆଠଗଡ଼, ଓଡ଼ିଶା
 ଭାରତ
ସମୟ କାଳଅଷ୍ଟାଦଶ ଶତାବ୍ଦୀ
ଗୀତ-ସଙ୍ଗୀତଓଡ଼ିଶୀ ସଙ୍ଗୀତ
କଳାକାରଗାୟକ, ଢୁମ୍ପାବାଦକ
ଖଣ୍ଡପଡ଼ାର ଗଦାଧର ଢୁମ୍ପା ପରିଷଦର କଳାକାରମାନଙ୍କଦ୍ୱାରା କବି ଗଦାଧର ସିଂହସାମନ୍ତଙ୍କ ପ୍ରସିଦ୍ଧ ରଚନା 'ଢୁମ୍ପା ସଙ୍ଗୀତରେ ବାଳୀ' ଗୀତଟିର ପରିବେଷଣ

ଢୁମ୍ପା ଏକ ପାରମ୍ପରିକ ବାଦ୍ୟଯନ୍ତ୍ର। ଏହା ସହ ଗାନ କରାଯାଉଥିବା ଗୀତକୁ ଢୁମ୍ପା ସଂଗୀତ କହାଯାଏ। ଢୁମ୍ପା ଓଡ଼ିଶାର ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ଏକ ପ୍ରକାର ପାରମ୍ପରିକ ସଙ୍ଗୀତ ଓ ବାଦ୍ୟଯନ୍ତ୍ର।। ଏହା ସର୍ବପ୍ରଥମେ ଅଷ୍ଟାଦଶ ଶତାବ୍ଦୀରେ କବିସୂର୍ଯ୍ୟ ବଳଦେବ ରଥଙ୍କଦ୍ୱାରା ଆରମ୍ଭ କରାଯାଇଥିଲା। ଏଥିରେ ବ୍ୟବହୃତ ପ୍ରମୁଖ ବାଦ୍ୟଯନ୍ତ୍ର 'ଢୁମ୍ପା' ଅନୁସାରେ ଏହାକୁ ଢୁମ୍ପା ସଙ୍ଗୀତ ବୋଲାଯାଏ। ନୟାଗଡ଼ର ଖଣ୍ଡପଡ଼ା[୧] ଅଞ୍ଚଳରେ ମଇ ବା ଭେଣ୍ଡିଆମର୍ଦ୍ଦନ ଗଛ ଛେଲିରୁ ଏହି ବିରଳ ବାଦ୍ୟ ପ୍ରସ୍ତୁତ ହେଉଥିବା ବେଳେ ଗଞ୍ଜାମର ଦିଗପହଣ୍ଡି ଅଞ୍ଚଳରେ ଏହି ବାଦ୍ୟ ବାଉଁଶରେ ପ୍ରସ୍ତୁତ ହୋଇଥାଏ।

ଇତିହାସ[ସମ୍ପାଦନା]

ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଢୁମ୍ପା ସଙ୍ଗୀତକୁ ସର୍ବପ୍ରଥମେ କବିସୂର୍ଯ୍ୟ ବଳଦେବ ରଥ(୧୭୮୯-୧୮୪୫) ଆରମ୍ଭ କରି ଏହାକୁ ବର୍ତ୍ତମାନ କଟକ ଜିଲ୍ଲାରେ ଥିବା ଆଠଗଡ଼ରେ ପ୍ରଚାର କରିଥିଲେ। ଢୁମ୍ପା ସଙ୍ଗୀତରେ ବୋଲାଯାଉଥିବା ପ୍ରଥମ ଗୀତଗୁଡ଼ିକୁ ମଧ୍ୟ ସେ ହିଁ ରଚନା କରିଥିଲେ। ବଳଦେବ ରଥ ରଚିତ ସବୁ ଢୁମ୍ପା ଏବେ ନ ମିଳୁଥିଲେ ମଧ୍ୟ କୁଳମଣି ଦାଶଙ୍କଦ୍ୱାରା ସମ୍ପାଦିତ 'କବିସୂର୍ଯ୍ୟ ଗ୍ରନ୍ଥାବଳୀ'ରେ ତିନି ଗୋଟି ଢୁମ୍ପା ଶ୍ରେଣୀୟ ରଚନା ମିଳିଥାଏ । ଏଗୁଡ଼ିକ ହେଲା- ଛୋଟ ଢୁମ୍ପା, ନିଆଳୀଗଭା ଢୁମ୍ପା ଓ ଜାଈଫୁଲ ଢୁମ୍ପା।

କବିସୂର୍ଯ୍ୟ ଆଠଗଡ଼ରୁ ନୟାଗଡ଼ ଆସିବା ପରେ ଏହି ଅଞ୍ଚଳରେ ଢୁମ୍ପା ପ୍ରସାରିତ ହୋଇଥିଲା। ଖଣ୍ଡପଡ଼ା ଗଡ଼ଜାତରେ ରାଜାଙ୍କର ସଂଗୀତ ଆଗ୍ରହ ହେତୁ ଏ ଅଞ୍ଚଳରେ ଢୁମ୍ପା ବାଦ୍ୟର ବିକାଶ ହେଲା। କବିସୂର୍ଯ୍ୟଙ୍କ ଲିଖିତ ମୂଳ ଢୁମ୍ପା ସଂଗୀତ ଦୁଷ୍ପ୍ରାପ୍ୟ ହୋଇଯାଇଥିବା ବେଳେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କବି ଓ ପଣ୍ଡିତ ଗଦାଧର ସିଂହସାମନ୍ତ (ବିଶ୍ବ ପ୍ରସିଦ୍ଧ ଜ୍ୟୋତିର୍ବିଦ୍‌ ପଠାଣି ସାମନ୍ତଙ୍କ ମଧ୍ୟମ ପୁତ୍ର) ଅନେକ ଢୁମ୍ପାସଂଗୀତ ରଚନା କରି ପୁଣି ଏହି ପରମ୍ପରାକୁ ଆଗକୁ ବଢ଼ାଇଲେ।

ଦଶପଲ୍ଲା,ରଣପୁର,ପାରଳାଖେମୁଣ୍ଡି, ବଡମ୍ବା ଇତ୍ୟାଦି ଗଡଜାତ ମାନଙ୍କରେ ରାଜକୀୟ ପୃଷ୍ଠପୋଷକତାରେ ପ୍ରସିଦ୍ଧ ଲୋକଗୀତର ସମ୍ମାନ ଲାଭ କରିଥିଲା। ଏବେ ତାହା ଲୁପ୍ତପ୍ରାୟ। ତଥାପି ଏହି ଲୋକକଳାକୁ ବଞ୍ଚାଇ ରଖିବାପାଇଁ ଖଣ୍ଡପଡାର କିଛି କଳାକାର ପ୍ରୟାସ ଜାରି ରଖିଛନ୍ତି। ଦେଶ ସ୍ବାଧୀନ ହେବାର ପୂର୍ବରୁ ଓ ପରେ ପରେ ଖଣ୍ଡପଡାର ତତ୍କାଳୀନ ରାଜା ସାହେବ ଦିବଙ୍ଗତ ହରିହର ସିଂହ ମର୍ଦ୍ଦରାଜ ମଧ୍ୟ ଜଣେ ଢୁମ୍ପାପ୍ରେମୀ ଏବଂ ଏହି କଳାର ପୃଷ୍ଠପୋଷକ ଥିଲେ।

ଗଦାଧର ସିଂହସାମନ୍ତଙ୍କ ଅନ୍ତେ ଖଣ୍ଡପଡ଼ା ଅଞ୍ଚଳର କୁମ୍ଭାରପଡ଼ା ଗ୍ରାମର ବିଶିଷ୍ଟ ପାଲାଗାୟକ ଗାୟକ କେଶରୀ ଉଦୟନାଥ ରଥଶର୍ମା ମଧ୍ୟ ବେଶ୍‌ କେତୋଟି ଢୁମ୍ପା ସଂଗୀତ ରଚନା କରିଥିଲେ। ରଥଶର୍ମାଙ୍କ ରଚିତ ଢୁମ୍ପାସଂଗୀତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଲାଗାୟକଙ୍କ ଦ୍ବାରା ପ୍ରସିଦ୍ଧିଲାଭ କରିଛି।

ସାଙ୍ଗୀତିକ ଦୃଷ୍ଟିରୁ ଉଭୟ କବିସୂର୍ଯ୍ୟ ବଳଦେବ ରଥ ଓ ଗଦାଧର ସିଂହସାମନ୍ତ ଓଡ଼ିଶୀ ସଙ୍ଗୀତର ପ୍ରବୀଣ ଆଚାର୍ଯ୍ୟ ହୋଇଥିବାରୁ ଢୁମ୍ପା ସଙ୍ଗୀତ ବିଶୁଦ୍ଧ ଓଡ଼ିଶୀ ରାଗତାଳରେ ରଚିତ ହୋଇଥିବା ଦେଖାଯାଏ । ଘଣ୍ଟାରବ, ଆହାରୀ, ଭୈରବୀ ଆଦି କେତୋଟି ପାରମ୍ପରିକ ଓଡ଼ିଶୀ ରାଗ ଢୁମ୍ପାରେ ବିଶେଷ ପ୍ରସିଦ୍ଧି ଲାଭ କରିଥିବା ଲକ୍ଷ୍ୟ କରାଯାଏ । ଗୀତଗୁଡ଼ିକରେ ଏକ ବିଶେଷ ପ୍ରକାର ଝୁଙ୍କ ଲକ୍ଷ୍ୟ କରାଯାଏ, ଏବଂ ତାହା ସହିତ ମଝିରେ ମଝିରେ ତାଳର ବାଣୀଗୁଡ଼ିକ 'ଝେଣାଖିଟା ଝେଣାଖିଟା ଝେଣାଖିଟା ତା, ତା ତା ଝେଣାଖିଟା' ଇତ୍ୟାଦି ପାଟାକ୍ଷରଗୁଡ଼ିକ ବିଶେଷ ଢଙ୍ଗରେ ଉଚ୍ଚାରଣ କରାଯାଏ । ଏହିସବୁ ନିର୍ଦ୍ଦିଷ୍ଟ ଜିନିଷଦ୍ୱାରା ଢୁମ୍ପା ସଙ୍ଗୀତର ବୈଶିଷ୍ଟ୍ୟ ପ୍ରତିପାଦିତ ହୁଏ ।

ଢୁମ୍ପା[ସମ୍ପାଦନା]

ଢୁମ୍ପା ସଙ୍ଗୀତରେ ବାଳୀ
ହର୍ମ୍ୟ ସରୋବରେ ରମ୍ୟ କେଳି କରେ
ସେ କି ସୁବର୍ଣ୍ଣ ମରାଳୀ

—ଗଦାଧର ସିଂହସାମନ୍ତ

ଢୁମ୍ପା ମଇ ବା ଭେଣ୍ଡିଆ ମର୍ଦ୍ଦନ ଗଛରେ ନିର୍ମିତ ଏକ ବାଦ୍ୟଯନ୍ତ୍ର ଅଟେ। ଏହା ଯୋଗୁଁ ଏହାକୁ ବ୍ୟବହାର କରି ବୋଲାଯାଉଥିବା ସଙ୍ଗୀତକୁ ଢୁମ୍ପା ସଙ୍ଗୀତ ବୋଲାଯାଏ। ଗଞ୍ଜାମର ଦିଗପହଣ୍ଡି ଅଞ୍ଚଳରେ ଏହି ବାଦ୍ୟ ବାଉଁଶରେ ପ୍ରସ୍ତୁତ ହୋଇଥାଏ।

ଢୁମ୍ପାର ଦୁଇପଟକୁ ରସିରେ ବାନ୍ଧି ଝୁଲେଇ ଦିଆହୁଏ।ଜଣେ ପୃଥୁଳ ପେଟଧାରୀ ବ୍ୟକ୍ତି ନିଜ ପେଟଉପରେ, ଢୁମ୍ପାର ଗୋଟିଏ ପାଖ ଟାଣି, ମୃଦୁ ମୃଦୁ ମାଡ କରନ୍ତି ଓ ଅପସାରିତ କରନ୍ତି।ଏହିପରି ପ୍ରକ୍ରିୟାକୁ "ଢୁମ୍ପିବା" କୁହାଯାଏ ଏବଂ ସେଥିପାଇଁ ଏହାକୁ ଢୁମ୍ପା ସଂଗୀତ କୁହାଯାଏ।

ନିର୍ମାଣ[ସମ୍ପାଦନା]

ଯେଉଁଦିନ ଢୁମ୍ପା ସଙ୍ଗୀତର ଆସର ଜମିବା ଠିକ ହୁଏ, ସେଦିନ ସକାଳେ ଆଠ ଦଶ ଜଣ ଯୁବକ ଆଠ ଦଶ ହାତ ଲମ୍ବର ଦଉଡ଼ା ଓ ଠେଙ୍ଗା ଧରି ଜଙ୍ଗଲକୁ ବାହାରି ଯାଆନ୍ତି । ଦିନସାରା ଜଙ୍ଗଲରେ ବୁଲି ଶାଖା ଓ ଗଣ୍ଠିହୀନ ଆଠଶହ ହାତର ମଇ କିମ୍ବା ଭେଣ୍ଡିଆ ମର୍ଦ୍ଦନ ଗଛଟିଏ ଯୋଗାଡ଼ କରାଯାଏ । ଗଛର ଯେଉଁଠାରୁ ଶାଖା ବାହାରିଥାଏ ସେଠାରୁ ଉପରକୁ ହାଣିଦିଆଯାଏ । ତା ପରେ ଗଛର ଛେଲିକୁ ଚାରିପଟୁ ଘେରିଘେରି କଟାଯାଏ । ଗଛର ମଞ୍ଜ ସେହିପରିଥାଏ । ଦଉଡ଼ାରେ ବାନ୍ଧି ଠେଙ୍ଗାଦ୍ୱାରା ଯୁବକମାନେ ଗଛର ଛେଲିକୁ ମୋଡ଼ନ୍ତି । ଏପରି ଭାବରେ ତଳୁ ଉପରକୁ ମୋଡ଼ି ଶେଷରେ ଗଛର ଛାଲିକୁ ହାତଦ୍ୱାରା ଦହିଖୁଆ ମନ୍ଥିଲା ପରି ମନ୍ଥିଲେ ଗଛରୁ ଖୋଳାପାଟି ଗଛର ମଞ୍ଜ ଗଣ୍ଠିରୁ ବାହାରି ଆସେ । ସଙ୍ଗେ ସଙ୍ଗେ ବଣର ବିଭିନ୍ନ ପତ୍ର ତାର ଖୋଳ ଭିତରେ ଭର୍ତ୍ତି କରାଯାଏ ।[୨]

ଋତୁ[ସମ୍ପାଦନା]

ବର୍ଷାଦିନେ ଗଛର ଛାଲି ତଳେ ଲାଳ ଅଂଶ ଥିବାରୁ ଛାଲି ସହଜରେ ବାହାରିଯାଏ । ଏଣୁ ସବୁ ସମୟ ଅପେକ୍ଷା ବର୍ଷାଋତୁ ଢୁମ୍ପା ସଙ୍ଗୀତ ପାଇଁ ଉପଯୁକ୍ତ ସମୟ । ଅନ୍ୟ ଋତୁରେ ଢୁମ୍ପା ତିଆରି କରିବା ପାଇଁ ଗଛର ଗଣ୍ଡିକୁ ବଣରୁ କାଟି ଆଣି ପାଣିରେ କଷାଯାଏ । ଗଣ୍ଡି ମଝିର କାଠଟିକୁ ଦଉଡ଼ି ଓ ଠେଙ୍ଗାଦ୍ୱାରା ମନ୍ଥି ମନ୍ଥି ବାହାର କରାଯାଏ । ପୂର୍ବ କାଳରେ ରାଜା ମହାରାଜାମାନେ ବଣଭୋଜି କରିବାକୁ ଗଲେ ଢୁମ୍ପା ସଙ୍ଗୀତରେ ଆସର ଜମାଉଥିଲେ ।[୨]

ବାଜଣା[ସମ୍ପାଦନା]

ଯେଉଁଠାରେ ସଙ୍ଗୀତ ଆସର ହେବା ସ୍ଥିର ହୁଏ, ବୃକ୍ଷତଳ ହେଉ ବା ସଙ୍ଗୀତ ମଣ୍ଡପ ଉପରେ ହେଉ, ଢୁମ୍ପାଟିକୁ ଦଉଡ଼ିରେ ଓହଳାଯାଏ। ଜଣେ ଅପେକ୍ଷାକୃତ ଥନ୍ତଲାପେଟ ଲୋକ ଢୁମ୍ପାର ଗୋଟିଏ ପାଖରେ ଠିଆ ହୁଅନ୍ତି ବା ବସନ୍ତି। ସଙ୍ଗୀତ ମଝିରେ ଢୁମ୍ପାଟିକୁ ନିଜ ପେଟ ଆଡ଼କୁ ସାମାନ୍ୟ ଟାଣି ଆଣିଲେ ବିଚିତ୍ର ସ୍ୱର ଉତ୍ପନ୍ନ ହୁଏ। ଆଠ ଦଶଜଣ ଲୋକ ଜଣକା ଦୁଇଟି ଲେଖାଏଁ କ୍ଷୁଦ୍ର ବାଉଁଶ କାଠିରେ ଅନ୍ୟ ଦୁଇଜଣ ଦୁଇପଟେ "ତାରିଖିଟା ତାକଝିଣା" ତାଳରେ ଢୁମ୍ପା ଉପରେ ବାଜଣା କରନ୍ତି। କେତେକ ସ୍ଥଳେ ବାଡ଼ିର ଶେଷ ଭାଗରେ ପିତ୍ତଳ ଘାଗୁଡ଼ି ଲାଗିଥାଏ। ଜଣେ କିମ୍ବା ଦୁଇଜଣ ସଙ୍ଗୀତ ଗାନ କରନ୍ତି। ଗୋଟିଏ ଢୁମ୍ପାଯନ୍ତ୍ର, ଗୋଟିଏ ବା ଦୁଇଟି ଆସରରେ ନଷ୍ଟ ହୋଇଯାଏ।ଏହି ଆସରରେ ହେବା ସଙ୍ଗୀତର ମାଦକତା ଏତେ ଯେ ଲୋକ ଦିନରାତି ନ ଜାଣି ଶୁଣୁଥାନ୍ତି ।[୨]

ପରବର୍ତ୍ତୀ କାଳରେ ଢୁମ୍ପା ସଙ୍ଗୀତ ଦଳଗୁଡ଼ିକରେ ହାରମୋନିଅମ, ତବଲା, ବଂଶୀ, ଥାଳି, ବୀଣା, ନାଗରା ଓ ମର୍ଦ୍ଦଳ ବାଦକମାନେ ମଧ୍ୟ ଅଂଶଗ୍ରହଣ କରିଲେ । କେବେ କେବେ ଗୋଟିପୁଅମାନେ ମଧ୍ୟ ଭାଗ ନେଇଥାନ୍ତି ।[୩]

ରକ୍ଷଣାବେକ୍ଷଣ[ସମ୍ପାଦନା]

ଧୀରେ ଧୀରେ ଢୁମ୍ପା ସଙ୍ଗୀତ ଶ୍ରୋତାଙ୍କ ଅଭାବ ଯୋଗୁଁ ବିରଳ ହୋଇଗଲାଣି । ଅଧୁନା ଗଦାଧର ସିଂହସାମନ୍ତଙ୍କ ଜନ୍ମସ୍ଥାନ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ାରେ ୧୦-୧୫ ଜଣ ଢୁମ୍ପା ବାଦକ[୪] ଓ ମାତ୍ର ୩-୪ ଜଣ ଢୁମ୍ପାସଂଗୀତ ଗାୟକ ଅଛନ୍ତି। ଅନୁରୂପ ଭାବେ ୩୦-୪୦ ଜଣ ଢୁମ୍ପା ସଙ୍ଗୀତକାର କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ଦିଗପହଣ୍ଡିଠାରେ ରହୁଛନ୍ତି। ତେଣୁ ଏହି ସଙ୍ଗୀତର ରକ୍ଷଣାବେକ୍ଷଣ ଲାଗି ଭାରତ ସରକାର ଓ ଓଡ଼ିଶା ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। କଲିକତାର ଇଷ୍ଟର୍ଣ୍ଣ ଜୋନ କଲଚରାଲ ସେଣ୍ଟର (ଏଜିସିସି) ନିଜ ଗୁରୁ-ଶିଷ୍ୟ ପରମ୍ପରା ପ୍ରକଳ୍ପ ଅନ୍ତର୍ଗତରେ ଢୁମ୍ପା ସଙ୍ଗୀତର ପ୍ରଚାର ପ୍ରସାର କରୁଛି ।[୫] ସୁରେଶ ମହାପାତ୍ର (ବର୍ତ୍ତମାନ ଅଶୀବର୍ଷ ଉପରେ ବୟସ),ସ୍ୱର୍ଗତ ନରସିଂହ ସିଂହସାମନ୍ତ,ସ୍ୱର୍ଗତ ବୈଦ୍ୟନାଥ ଷଡଙ୍ଗୀ,ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ, ସ୍ୱର୍ଗତ ଗଙ୍ଗାଧର ଦାଶ,ଶ୍ରୀଯୁକ୍ତ ଲିଙ୍ଗରାଜ ରଥ ପ୍ରମୁଖ ଖଣ୍ଡପଡ଼ାର ପ୍ରସିଦ୍ଧ ଢୁମ୍ପା ସଂଗୀତଜ୍ଞ ଭାବେ ଜଣା। ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗ ଚିତ୍ରଶିଳ୍ପୀ କିଶୋର ରଥ ମଧ୍ୟ ଜଣେ ଜଣାଶୁଣା ଢୁମ୍ପା ସଂଗୀତଜ୍ଞ। କିଶୋର ରଥଙ୍କର ଘର ଖଣ୍ଡପଡ଼ାରେ ଓ ସେ "ଗଦାଧର ଢୁମ୍ପା ସଂଗୀତ ପରିଷଦ"ର ଜଣେ କଳାକାର।[୬] ଗଞ୍ଜାମର ଦିଗପହଣ୍ଡି ଅଞ୍ଚଳରେ ଏହାର ପ୍ରମୁଖ ଗୁରୁମାନଙ୍କ ମଧ୍ୟରେ ଗୁରୁ ପ୍ରଦୀପ ରଥ, କାଳିନ୍ଦୀ ଚରଣ ରଥ ଓ ଗଙ୍ଗାଧର ଦାଶ ଅନ୍ୟତମ।[୫] ଖଣ୍ଡପଡ଼ାରେ "ଗଦାଧର ଢୁମ୍ପା ସଂଗୀତ ପରିଷଦ" ପକ୍ଷରୁ ପ୍ରତିବର୍ଷ ପଠାଣି ସାମନ୍ତ ଜୟନ୍ତୀ ଓ ଅନ୍ୟାନ୍ୟ ଉତ୍ସବରେ ଢୁମ୍ପା ପରିବେଷଣ କରାଯାଉଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଓ ରାଜଧାନୀର ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଖଣ୍ଡପଡ଼ାର ଢୁମ୍ପା ଦେଖିବାକୁ ମିଳେ।[୭]

ବଳଦେବ ଢୁମ୍ପା ସଂଗୀତ[ସମ୍ପାଦନା]

କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ସବୁ ଢୁମ୍ପା ଏବେ ମିଳୁ ନ ଥିଲେ ମଧ୍ୟ କୁଳମଣି ଦାଶଙ୍କଦ୍ୱାରା ସମ୍ପାଦିତ 'କବିସୂର୍ଯ୍ୟ ଗ୍ରନ୍ଥାବଳୀ'ରେ ତିନି ଗୋଟି ଢୁମ୍ପା ଶ୍ରେଣୀୟ ରଚନା ଉଦ୍ଧାର ହୋଇଛି। ଏଗୁଡ଼ିକ ହେଲା- ଛୋଟ ଢୁମ୍ପା, ନିଆଳୀଗଭା ଢୁମ୍ପା ଓ ଜାଈଫୁଲ ଢୁମ୍ପା। କବିସୂର୍ଯ୍ୟଙ୍କ ରଚିତ ଜାଈଫୁଲ ଢୁମ୍ପା ଓ ନିଆଳୀଗଭା ଢୁମ୍ପା ନିମ୍ନରେ ଦିଆଗଲା।

ଜାଈଫୁଲ ଢୁମ୍ପା

କରୀଗତି ଚାନ୍ଦମୁହିଁ,

କରି ଗତି ରସେ ରଜନୀ ପୁହାଏ,

ଜାଈଫୁଲ ରେ, ତୋ ରୂପ ଲାବଣ୍ୟ ଚାହିଁ । ୧ ।

ଖରପରଶୁମୋହନା,

ଖଣ୍ଡପରସା ବଚନକୁ କହ,

ଜାଈଫୁଲ ରେ, ଖଣ୍ଡ ହୃଦୟ ବେଦନା । ୨ ।

ଗିରୀଷମ କାଳେ ଧନ,

ଗିରିସମ କୁଚେ ଲେପି ଚନ୍ଦନ,

ଜାଈଫୁଲ ରେ, କରୁଥାଉ ଆଲିଙ୍ଗନ । ୩ ।

ଘନସାର ମୋ ହୃଦରୁ,

ଘନସାରକେଶୀ ଝାଡି଼ ଦେଇ କରି,

ଜାଈଫୁଲ ରେ, ଗାଢେ଼ ଆଲିଙ୍ଗନ କରୁ । ୪ ।

ନାଗରମଣିକି ତତେ,

ନାଗମଣିକୁମ୍ଭସ୍ତନା ସମାନ ରେ,

ଜାଈଫୁଲ ରେ, ହୋଇବେ ନୋହେ ପରତେ । ୫ ।

ଚନ୍ଦ୍ରମୁହୀଁ ପ୍ରାଣଧନ,

ଚନ୍ଦ୍ର ମୁହିଁ ଚାଳି ରତି କଲା କାଳେ,

ଜାଈଫୁଲ ରେ, ଶୀତ୍କାରେ ଭଜୁ ଅଜ୍ଞାନ । ୬ ।

ଛାଇ ବିପରୀତ ମୋର,

ଛାଇଟି ପରାଏ ଦେହକୁ ନ ଛାଡେ଼,

ଜାଈଫୁଲ ରେ, ସେରୂପେ ଥିବି ପାଶର । ୭ ।

ଜାତୀକରଜା ସୁକେଶୀ,

ଜାତିକର ଦିବ୍ୟହୀରକ ସୁଦନ୍ତୀ,

ଜାଈଫୁଲ ରେ, ଚନ୍ଦ୍ରଚନ୍ଦ୍ରମା ସୁହାସୀ । ୮ ।

ନିଆଳୀଗଭା ଢୁମ୍ପା

ତୋ ଚାରୁ ଚାହାଣି ଚାହିଁ,

ମରି ତୁ ଆବୁର ସାରି ପକା ପଛେ, ମୋ ନିଆଳୀ,

ମୋ ଦେହ ତ ସହୁ ନାହିଁ। ୧ ।

ଦିଅ ଯେତେ ଇଚ୍ଛା ଦଣ୍ଡ,

ଝୁମି କାମ ସଙ୍ଗେ ଝୁଣି ଦେବି ସିନା, ମୋ ନିଆଳୀ,

ଝଲି ଝଲମଲ ଗଣ୍ଡ। ୨ ।

ହେବୁଟି କି ଶିରଗଭା,

କାଳ ସହୁନାହିଁ ବାଳମୃଗଦୃଶା, ମୋ ନିଆଳୀ,

ନୂଆ ବିକଶିତ ଶୋଭା। ୩।

ତୋହ ପରି ତୁହି ସିନା,

ବିଜେ କଲା ପୁରେ ପୁରି ରହିଥାଏ, ମୋ ନିଆଳୀ,

ବନଜ-ବନ-ବାସନା। ୪ ।

ଅଛି ଯେବେ ଅନୁକମ୍ପା,

କାତି ଝିଙ୍କି ପଛେ ଛାତିରେ ପ୍ରହାର, ମୋ ନିଆଳୀ,

ହୀରା ବୁଲାକି ନ କମ୍ପା। ୫ ।

ପାସୋର ବାସର ଲାଜ,

ପଛକୁ ପକାଇ ନ ଦେଲେ ନ ଚଳେ, ମୋ ନିଆଳୀ,

ବିଧି ନିଷେଧକୁ ଆଜ। ୬ ।

ତୋ କୁଚ ତ କରକଶ,

ସବୁ ଗୁମାନ ଆଉ କେତେବେଳକୁ, ମୋ ନିଆଳୀ,

ଥରେ ମୋହ କରେ କଷ। ୭ ।

ଚୁମ୍ବନେ କଲେ ଶରଧା,

ଚରଣଠାରୁ କବରୀଯାଏ ତୋର, ମୋ ନିଆଳୀ,

କାହିଁ ପୂରି ନାହିଁ ସୁଧା। ୮ ।

ଚତୁରଦଶ ଭୁବନେ,

ରସବତୀ ଚକ୍ର ଚୁଡ଼ାମଣି ବୋଲି, ମୋ ନିଆଳୀ,

ତୋ ବିନା ଆନେ ନ ମାନେ। ୯ ।

କାହିଁକି ଚାଲୁ ତୁ ତଳେ,

ଘାଣ୍ଟି ହେଉଅଛି କଣ୍ଠୀରବମଧ୍ୟ, ମୋ ନିଆଳୀ,

ମୋ ମନଯାକ ବିକଳେ। ୧୦ ।

ଆନ ନାହିଁ ତୋର ବିନା,

ଅଷ୍ଟଦୁର୍ଗଧରାବର ଆରେ ଧୀରା, ମୋ ନିଆଳୀ,

ତୋହର ଅଧୀନ ସିନା। ୧୧ ।

ଗଦାଧର ଢୁମ୍ପା ସଂଗୀତ[ସମ୍ପାଦନା]

ପଠାଣି ସାମନ୍ତଙ୍କ ମଧ୍ୟମ ପୁତ୍ର ଗଦାଧର ସିଂହସାମନ୍ତ (୧୮୭୭-୧୯୬୪) ଉଭୟ ଓଡ଼ିଆ ଓ ସଂସ୍କୃତ ଭାଷାରେ ପଣ୍ଡିତ ଥିଲେ। ସେ ଉଭୟ ଭାଷାରେ ସଂଗୀତ ଓ କାବ୍ୟ ରଚନା କରିଛନ୍ତି। ଏହା ଭିନ୍ନ ସେ ବହୁ ସଂଖ୍ୟାରେ ଢୁମ୍ପା ସଂଗୀତର ରଚୟିତା। ତାଙ୍କ ନାମରେ ଖଣ୍ଡପଡ଼ାରେ "ଗଦାଧର ଢୁମ୍ପା ସଂଗୀତ ପରିଷଦ" ପ୍ରତିଷ୍ଠା ହୋଇଛି ଯାହା ବର୍ତ୍ତମାନ ଏହି ଲୁପ୍ତପ୍ରାୟ ପରମ୍ପରାକୁ ବଞ୍ଚାଇ ରଖିଛି।

ଗଦାଧରଙ୍କ ଢୁମ୍ପାସଂଗୀତ[୮]

ତୁ ବୋଲ ସଖୀ ଝେଣାଖିଟା ତାରେ

ସୁନ୍ଦର କୁଚ କୁମ୍ଭ ଯୁଗଳ ମଣ୍ଡି କୁସୁମ ହାରେ ।୦।

ଚିର ପାନ୍ଥ ହୃଦୟ କମ୍ପା,ଚଳ ଭଙ୍ଗି ଧରଇ ଶମ୍ପା,

ଧରଣୀ କିପରି ପୂର୍ଣ୍ଣ କରଇ ଜଳଧର ଜଳଧାରେ ।୧।

ଦର କମ୍ପିତ କରି ଝମ୍ପା,ଧନ ବାଦନ କର ଢୁମ୍ପା,

ମୌକ୍ତିକପରି ଦିଶିବ ଝାଳବିନ୍ଦୁ ଚିକୁର ଭାରେ ।୨।

ପହିଲେ ତ ଝୁମୁକି କାଠି,ଭଲ ନୃତ୍ୟ କରଇ ମାଠି,

ସଦ୍ୟ ବିବିଧ ବାଦ୍ୟ ଶବଦ ଶକ୍ର ପଦକୁ ସାରେ ।୩।

ଲୟ ଖଞ୍ଜିଥିବୁଟି ତାଳେ ସବୁ ଗୀତ ପଠନ କାଳେ,

କାନ କରିବୁ ଦାନ ଚପଳ ଗାନ-ମାନଠାରେ ।୪।

ହସି ମାତି ସଜନୀ ସଙ୍ଗେ,ସୁଖ ଭୁଂଜ କୁତୁକ ରଙ୍ଗେ,

ଆଜ ଶୁଣ ଗଦାଧର ମୃଗରାଜ ବଚନ ବାରେ ।୫।

ଶ୍ୟାମ ! ଫେରିଯା ହେ, କାମନାଟି ପୂରିଲାଣି,

ବାମନୟନାର ସୌଭାଗ୍ୟ ସୁନ୍ଦର ବୀଜ ତ ଗଜୁରିଲାଣି ।୦।

ତୁମ୍ଭ ହୃଦ ଘନ ଶିଳାରେ ଶୟନ ଯୋଗ କେଣେ ଗଲା ଚାଲି,

ଏଣିକି କୋମଳ ଜଳରୂହ ଦଳ ତଳପେ ଶୋଉଛି ଖାଲି ।୧।

ସେତ ଏ ସଂସାର ସାର,ଅଳଙ୍କାର କି ହେବ ଭୂଷଣ ଭାର?

ବିଧିକି କେବଳ ବଳୟ ଯୁଗଳ ମଣିବନ୍ଧେ ଅଛି ତାର ।୨।

ନତଶିରେ ନ୍ୟାସି ଥାଏ ଛାର ବାସି ଅତସୀ କୁସୁମ ମାଳା,

ଶୁଭ୍ର ସୁକୁମାର ବିସଲତା ହାର ଏବେ ଲମ୍ବାଇଛି ବାଳା ।୩।

ସୁତୀକ୍ଷ୍ଣ କରଜେ ତା କଳେବର ଯେ ଭାଗ୍ୟରୁ ନୁହନ୍ତେ ଚିରା,

ଏବେ ତ ନିଖୁଣ ରହିଛି ସେ ଗୁଣ,ପଣ୍ଡିତ ମଣ୍ଡଳୀ ହୀରା ।୪।

କୁଞ୍ଜତଳେ ମାତି ବିଧୂସର କାନ୍ତି ବହିବା ନୋହିଲା ତେଣୁ,

ଜାଗି ସଖୀପନ୍ତି ଲାଗି କରୁଛନ୍ତି କର୍ପୂର ଚନ୍ଦନ ରେଣୁ ।୫।

ଭଲ ଶିକ୍ଷାପାଇ ଗଲ ଯା ଭୁଲାଇ କଲ ବଡ଼ ଉପକାର,

କଲେ ଏହିଭଳି ଦେବ ଚନ୍ଦ୍ରାବଳୀ ସୁବିଧାରେ ପୁରସ୍କାର ।୬।

ରହି ଗଦାଧର ପାରିନ୍ଦ୍ର ହାଜର ହା କିଶୋରୀ ଡାକି ଡାକି,

ସେ ଅଭିସରଣ ବାହୁଡା ଚରଣ ଧୂଳିକି ରହିଛି  ଟାକି ।୮।

“ସରି ହେବିକିରେ ତୋତେ ଜୀବଧନ !

ଭୂପାଳ ଜେମା ତୁ ମୁହିଁ ଗୋପାଳ ନନ୍ଦନ।୦।

ତୋ ତନୁ ହେମ ମଞ୍ଜୁଳା, ମୋ ଅଙ୍ଗ ଅଙ୍ଗାର କଳା,

ତୁ ରତ୍ନ ଲଲାମା ମୁହିଁ ଶିଖଣ୍ଡ ମଣ୍ଡନ ।୧।

ତୋ କଣ୍ଠରେ ମୋତିହାର, ଗୁଞ୍ଜାମାଳି ମୋର ସାର,

ତୁ ସଉଧରେ ବିଳସୁ ମୁଁ  ବୁଲଇ ବନ ।୨।

ତୋ ହୃଦୟେ ସୁମନସ, ମଣ୍ଡିତ ହରଙ୍କ ବାସ

ମୋ ହୃଦେ କରେ ସଦନ ଚଣ୍ଡାଳ ମଦନ ।୩।

ତୁ ଚନ୍ଦ୍ର ଚନ୍ଦନ ଗୋଳି, ଶ୍ରୀଅଙ୍ଗେ ହେଉଛୁ ବୋଳି

ମୁହିଁ ଗେରୁ ଚିତ୍ରେ ସାଜିଅଛି ଅପଘନ ।୪।

ତୁ ବାଣୀ ପରିବାଦିନୀ, ବାଦନରେ ବିନୋଦିନୀ

ମୁହିଁ ଖଣ୍ଡେ ବେଣୁ ଫୁଙ୍କି କରାଉଛି ସ୍ୱନ ।୫।

ସ୍ତନ,ନିତମ୍ବ କବରୀ ଭୂଷାଭାର ଅଛୁ ଧରି

ଛାର ମାର ଭାର ଧାରଣରେ ମୁଁ  ଉଚ୍ଛନ୍ନ ।୬।

ଧୀରା ବିଭୂଷଣବତୀ, ସଖୀ ତୋତେ ଖଟିଛନ୍ତି

ମୋତେ ଭଜେ ଗଦାଧର ମୂଢ ଅକିଂଚନ ।୭।

ଗଦାଧରଙ୍କ ରଚିତ ଆଉ କିଛି ଢୁମ୍ପାସଂଗୀତର ଘୋଷା (ପ୍ରଥମ ପଦ)

"ରାଜୀବାନନୀ ଆଜ ଆସିବଟି ହେ, ରାଜୀବାନନୀ,

ଆସିବ ନାହିଁ ସେ ମହା ମହିଧର ଅଗାଧ ସିନ୍ଧୁରେ ଭାସିବଟି ହେ,

ରାଜୀବାନନୀ।"


"ଶୋଭା ଦିଶେ କିରେ ଖଣ୍ଡାରେ ନ ଥିଲେ ପାଳି,

ଭଣ୍ଡାରେ ନ ଥିଲେ ସଲକ୍ଷଣ ହୀରା ଥଣ୍ଡାରେ ନ ଥିଲେ ଗାଳି,

ଶୋଭା ଦିଶେ କିରେ..."


"ଝୁଲି ଝୁଲି କିଏ ଆସୁଥାଏରେ ,ମୋର ଝୁମୁରୁ ଝୁମୁରୁ ପାୟେ,

କାଇଁଚ ମାଳିଆ କାଳିଆ ସୁନା ହେ'ଟି ମୁଁ ମରିଯାଏ,ଝୁଲି ଝୁଲି..."


"ସଖୀ !  ଆଜ ମୁଁ ଲାଜେ ମଲି,

ମନା କରୁଥିଲୁ କିପାଁ ଯମୁନାକୁ ଗଲି ଗୋ,

ଉଠି ଆସୁ ଆସୁ ସରୁ,ବସନ ପିନ୍ଧି ଜଳରୁ,

ଲତା ଉଢାଳେ ଦିଶିଲା ଗୋରଚନା କଲି ଗୋ,

ଆଜ ମୁଁ ଲାଜେ ମଲି।"


"ଧରା ମଣ୍ଡିଲାରେ,ଯତୀବୃନ୍ଦ ସୁମତି ହରା,

ବିପିନ ବିହାର ସମୟକୁ ପଡିଥିଲା ଡାହାଣିଆ ଖରା।"


"ଢୁମ୍ପା ସଙ୍ଗୀତରେ ବାଳୀ

ହର୍ମ୍ୟ ସରୋବରେ ରମ୍ୟ କେଳି କରେ

ସେ କି ସୁବର୍ଣ୍ଣ ମରାଳୀ"

ଆଧାର[ସମ୍ପାଦନା]

  1. http://www.odiannews.com/news-detail.php?id=569
  2. ୨.୦ ୨.୧ ୨.୨ କବିସୂର୍ଯ୍ୟ ଗ୍ରନ୍ଥାବଳୀ, ସମ୍ପାଦକ- ଡଃ ତ୍ରିନାଥ ପଟ୍ଟନାୟକ । ଧର୍ମଗ୍ରନ୍ଥ ଷ୍ଟୋର, କଟକ । ନୂତନ ମୁଦ୍ରଣ, ୨୦୧୦ ।
  3. "Rare music show performed at Berhampur". The Hindu. Chennai, India. ଡିସେମ୍ବର ୨, ୨୦୦୯ ।
  4. [୧]
  5. ୫.୦ ୫.୧ "Revival of Dhumpa on the cards". The Hindu. Chennai, India. August 4, 2008. Retrieved 17 March 2013.
  6. http://www.odiannews.com/news-detail.php?id=569
  7. http://sambad.in/metro/dhumpa-sangeet-214449/
  8. https://www.kulamanisarangi.in/470/