ଟାହିଆ

ଉଇକିପିଡ଼ିଆ‌ରୁ

ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ବିଜେ ନିମନ୍ତେ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି । ପହଣ୍ଡି ସମୟରେ ବିଗ୍ରହମାନଙ୍କ ମସ୍ତକରେ ସୁଦୃଶ୍ୟ ଟାହିଆ (ମକୁଟ) ପିନ୍ଧାଯାଇଥାଏ । ରାଘବ ଦାସ ମଠରେ ଟାହିଆକୁ ଶିଳ୍ପୀମାନେ ପାରମ୍ପରିକ ଭାବେ ତିଆରି କରିଥାନ୍ତି ।

ତିଆରି[ସମ୍ପାଦନା]

ସ୍ୱତନ୍ତ୍ର ମାପରେ ବାଉଁଶ, କଦଳି ପଟୁକା, ସୋଲ, ଜରି, ରଙ୍ଗୀନ କନା, ପଇତା ସୁତା, ରଙ୍ଗରେ ଟାହିଆ ପ୍ରସ୍ତୁତି କାରାଯାଇଥାଏ । ପ୍ରାଥମିକ ସ୍ତରରେ ବାଉଁଶ କାଠିକୁ ସ୍ୱତନ୍ତ୍ର କାଠ ନିର୍ମିତ ଯନ୍ତାରେ ଖଞ୍ଜାଯାଏ । ଟାହିଆର ସମସ୍ତ କାମ ସରିବା ପର୍ଯ୍ୟନ୍ତ ଏହା ଯନ୍ତାରେ ରହିଥାଏ । ସବୁ କାର୍ଯ୍ୟ ସମ୍ପନ୍ନ ହେବା ପରେ ଏହାକୁ ଯନ୍ତାରୁ କାଢ଼ିନିଆଯାଏ । ଟାହିଆ ସମ୍ପୁର୍ଣ୍ଣ ହେବା ପୂର୍ବରୁ ଏଥିରେ ମଲ୍ଲୀ, ମାଳତି, ଟଗର, ପଦ୍ମ ଫୁଲ ଏବଂ ଦୁବ ଆଦି ଖଞ୍ଜାଯାଇଥାଏ । ଟାହିଆର ଅଗ୍ରଭାଗରେ ଦୁବକିଆ ଲଗାଯାଇଥାଏ । ପାନପତ୍ର ଆକୃତିର ଟାହିଆଗୁଡିକର ଉଚ୍ଚତା ପ୍ରାୟ ଛଅ ଫୁଟ ଏବଂ ବ୍ୟାସ ସାଢେ ଆଠ ଫୁଟ । ସୋଲ ତିଆରି କଦମ୍ବ ଫୁଲ, ଟାହିଆକୁ ସୁଦୃଶ୍ୟ କରି ଗଢିଥାଏ । ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।[୧]

ବ୍ୟବହାର[ସମ୍ପାଦନା]

ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା ପହଣ୍ଡି ବିଜେ ନିମନ୍ତେ ସ୍ୱତନ୍ତ୍ର ବେଶରେ ସଜ୍ଜିତ ହୋଇଥାନ୍ତି । ତାହାକୁ ସେନାପଟା ଲାଗି କୁହାଯାଏ । ପହଣ୍ଡି ସମୟରେ ବୀରବେଶୀ ଜଗନ୍ନାଥଙ୍କୁ ସୁଦୃଶ୍ୟ ଟାହିଆ ପିନ୍ଧାଯାଇଥାଏ । ବିଗ୍ରହମାନଙ୍କୁ ସେନାପଟା ଲାଗି ବେଶ ପରେ ମଙ୍ଗଳାର୍ପଣ କରାଯାଇ ଡୋର ଲାଗି କରାଯାଇଥାଏ । ସ୍ନାନ ପୂର୍ଣିମା ଦିବସରେ ରତ୍ନବେଦୀରୁ ବିଗ୍ରହମାନେ ପହଣ୍ଡି ବିଜେରେ କଳାହାଟ ଦ୍ୱାର ଜୟବିଜୟ ଦ୍ୱାର, ଜଗମୋହନ, ସାତପାହାଚ, ପାଟ ଅଗଣା, ଆନନ୍ଦ ବଜାର ଦେଇ ସ୍ନାନବେଦୀକୁ ଆସନ୍ତି । ସାତ ପାହାଚରେ ବିଗ୍ରହମାନଙ୍କୁ ଟାହିଆ ପିନ୍ଧା ଯାଇଥାଏ । ଗୋଟି ପହଣ୍ଡି ଓ ଧାଡ଼ି ପହଣ୍ଡିରେ ବିଜେ ଟାହିଆ ଲାଗି ହୋଇଥାଏ । ସ୍ନାନବେଦୀକୁ ଗୋଟି ପହଣ୍ଡି ସମୟରେ, ସ୍ନାନବେଦୀରୁ ଅଣସର ପିଣ୍ଡିକୁ ଧାଡ଼ି ପହଣ୍ଡିରେ, ଅଣସର ପିଣ୍ଡିରୁ ଧାଡ଼ି ପହଣ୍ଡିରେ ରଥକୁ, ରଥରୁ ଆଡ଼ପ ମଣ୍ଡପରେ ଆବସ୍ଥାନ ନିମନ୍ତେ ଗୋଟି ପହଣ୍ଡିରେ, ଯଜ୍ଞବେଦୀରୁ ବାହୁଡ଼ା ରଥକୁ ଧାଡ଼ି ପହଣ୍ଡିରେ, ନୀଳାଦ୍ରୀବିଜେ ସମୟରେ ଗୋଟି ପହଣ୍ଡିରେ ବିଗ୍ରହମାନଙ୍କୁ ଟାହିଆ ଲାଗି କରାଯାଇଥାଏ ।[୨]

ଇତିହାସ[ସମ୍ପାଦନା]

ପୁରୁଷୋତ୍ତମ ଦେବଙ୍କ ସମୟରେ ମହାପ୍ରଭୁଙ୍କର ଚାପରେ ନରେନ୍ଦ୍ର ପୁଷ୍କରିଣୀରେ ଝଡ଼ ବତାଶରେ ମଦନମୋହନଙ୍କ ଚାପଟି ବୁଡ଼ିଯାଇଥିଲା । ସେହି ସମୟରେ ରାଘବ ଦାସ ମଠ ମହନ୍ତ ମଦନମୋହନବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ । ଗଜପତି ପୁରୁଷୋତ୍ତମ ଦେବ ସେହି ଦିନଠାରୁ ରାଘବ ଦାସ ମଠକୁ ମହାପ୍ରଭୁଙ୍କର ପହଣ୍ଡିର ସମସ୍ତ ଟାହିଆ ଯୋଗାଇଦେବା ନିମନ୍ତେ ସ୍ଥାବର ଭୂସମ୍ପତି ଯୋଗାଇଦେଇଥିଲେ । ସେବେଠାରୁ ଏପର୍ଯ୍ୟନ୍ତ ମଠ ପକ୍ଷରୁ ଏହି ସେବା ଯୋଗାଇଦିଆଯାଉଛି । [୩]

ଟାହିଆଲାଗି ବେଶ[ସମ୍ପାଦନା]

ଟାହିଆ ପିନ୍ଧା ସମୟର ବେଶକୁ ଟାହିଆଲାଗି ବେଶ କୁହାଯାଏ ।

ଗୀତରେ ଟାହିଆ[ସମ୍ପାଦନା]

ସାଲବେଗ ଏକଦା ଗାଇ ଉଠିଥିଲେ...

ତ୍ରୀରଙ୍ଗୀ ଛନ୍ଦେ ଉଭା
କରେ ମୂରଲୀ ଶୋଭା
ଜୁଡ଼ାଟି ବାନ୍ଧିଅଛି ଟାହିଆ...

ଆଧାର[ସମ୍ପାଦନା]

  1. "ରାଘବ ଦାସ ମଠରେ ତିଆରି ଚାଲିଛି ଟାହିଆ". ଧରିତ୍ରୀ. ୨୧ ଅଗଷ୍ଟ ୨୦୧୫. Retrieved 21 August 2015. {{cite news}}: Check date values in: |date= (help)
  2. "ରାଘବ ଦାସ ମଠରେ ତିଆରି ଚାଲିଛି ଟାହିଆ". ଧରିତ୍ରୀ. ୨୧ ଅଗଷ୍ଟ ୨୦୧୫. Retrieved 21 August 2015. {{cite news}}: Check date values in: |date= (help)
  3. "ରାଘବ ଦାସ ମଠରେ ତିଆରି ଚାଲିଛି ଟାହିଆ". ଧରିତ୍ରୀ. ୨୧ ଅଗଷ୍ଟ ୨୦୧୫. Retrieved 21 August 2015. {{cite news}}: Check date values in: |date= (help)