ହେମନ୍ତ କୁମାର

ଉଇକିପିଡ଼ିଆ‌ରୁ
ହେମନ୍ତ କୁମାର
Background information
ମୂଳ ନାମ
হেমন্ত কুমার
ଜନ୍ମ ସମୟରେ ନାମହେମନ୍ତ କୁମାର ମୁଖୋପାଧୟ
ଜନ୍ମ(1920-06-16)୧୬ ଜୁନ ୧୯୨୦
ଭାରଣାସି, ବନାରସ ରାଜ୍ୟ, ବ୍ରିଟିଶ ଭାରତ (ବର୍ତ୍ତମାନ "ଉତ୍ତର ପ୍ରଦେଶ", ଭାରତ)
ମୃତ୍ୟୁ୨୬ ସେପ୍ଟେମ୍ବର ୧୯୮୯(1989-09-26) (ବୟସ ୬୯)
କଲିକତା, ୱେଷ୍ଟ ବେଙ୍ଗଳ, ଭାରତ
ଶୈଳୀୱାର୍ଲ୍ଡ଼ ମ୍ୟୁଜିକ, ପପ୍ ମ୍ୟୁଜିକ
ପେଷାଗୀତିକାର, ମ୍ୟୁଜିକ ଡ଼ୀରେକ୍ଟର, ନିର୍ଦ୍ଦେଶକ
ବାଦ୍ୟଯନ୍ତ୍ରଗୀତ ଗାଇବା
କାର୍ଯ୍ୟକାଳ୧୯୯୩ - ୧୯୮୯

ହେମନ୍ତ କୁମାର ମୁଖାର୍ଜି (ହେମନ୍ତ କୁମାର ଭାବେ ପରିଚିତ), ଜଣେ ପ୍ରଚ୍ଛଦପଟ୍ଟ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ପ୍ରଯୋଜକ ଥିଲେ । ହିନ୍ଦୀ, ବଙ୍ଗଳା ସମେତ ବହୁ ଆଞ୍ଚଳିକ ଭାଷାରେ ସେ କଣ୍ଠଦାନ କରିଥିଲେ । ସେ ଚଳଚ୍ଚିତ୍ର ସଙ୍ଗୀତରେ ଶାସ୍ତ୍ରୀୟ ରାଗର ମିଶ୍ରଣ କରିବାକୁ ଚେଷ୍ଟା କରିଥିଲେ । ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସେ ଦୁଇଥର ଜାତୀୟ ପୁରସ୍କାର ଲାଭ କରିଥିଲେ ।

ଜନ୍ମ ଓ ପାଠପଢ଼ା[ସମ୍ପାଦନା]

ପବିତ୍ର ବାରାଣସୀ ପୀଠରେ ୧୯୨୦ ମସିହା ଜୁନ ୧୬ ତାରିଖରେ ହେମନ୍ତ କୁମାରଙ୍କ ଜନ୍ମ । ସେ ବାରାଣସୀରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କ ପରିବାର ଏକ ବେଙ୍ଗୋଲି ପରିବାର ଥିଲା । ସେମାନେ ପଶ୍ଚିମବଙ୍ଗର "ବାହାରୁ" ଗ୍ରାମରେ ରହୁଥିଲେ । ପରେ ୧୯୦୦ ମସିହାରେ ତାଙ୍କ ପରିବାର କଲିକତାକୁ ସ୍ଥାନାନ୍ତରିତ ହୋଇଆସିଥିଲେ । ହେମନ୍ତଙ୍କ ଜନ୍ମ ପରେ ତାଙ୍କ ମା' ବାରାଣସୀ ଛାଡ଼ି କଲିକତାକୁ ଚାଲିଆସିଲେ । ହେମନ୍ତଙ୍କ ପିଲବେଳ କଲିକତାରେ କଟିଥିଲା । ସେ ନାସିରୁଦ୍ଦିନ୍ ବିଦ୍ୟାପିଠରେ ପାଠପଢ଼ା ଆରମ୍ଭ କରିଥିଲେ ଓ ପରେ ଭବାନୀପୁରର ମିତ୍ରା ଇନଷ୍ଟିଚ୍ୟୁଶନ ସ୍କୁଲରେ ନାମ ଲେଖାଇଥିଲେ । ସେଠାରେ ତାଙ୍କର ସାକ୍ଷାତ ସୁଭାଷ ମୁଖୋପଧ୍ୟାୟଙ୍କ ସହ ହୋଇଥିଲା; ଯିଏ ପରବର୍ତ୍ତୀ ସମୟରେ ତାଙ୍କର ପରମ ମିତ୍ର ହୋଇଥିଲେ ।

ସାହିତ୍ୟରୁ ସଙ୍ଗୀତ[ସମ୍ପାଦନା]

ସୁଭାଷ ମୁଖୋପଧ୍ୟାୟ ସ୍ୱଭାବରେ ଜଣେ କବି ଥିଲେ ଓ ପରବର୍ତ୍ତୀ ପର୍ଯ୍ୟାୟରେ ସେ ବଙ୍ଗଳାର ଜଣେ ଲୋକପ୍ରିୟ କବି ଭାବେ ବିବେଚିତ ହୋଇଥିଲେ । ତାଙ୍କର ଆଉଜଣେ ମିତ୍ର ହେଲେ ସନ୍ତୋଷ କୁମାର ଘୋଷ । "ହେମନ୍ତ, ସନ୍ତୋଷ ଓ ସୁଭାଷ"ଙ୍କ ମଧ୍ୟରେ ଅତୁଟ ବନ୍ଧୁତା ଥିଲା । 'ସୁଭାଷ' କବିତା ଲେଖୁଥିବା ବେଳେ 'ସନ୍ତୋଷ' ଗୀତ ଗାଉଥିଲେ ଓ 'ହେମନ୍ତ' ଗପ ଲେଖୁଥିଲେ । ଇଣ୍ଟର୍ ମେଡ଼ିଏଟ ପାସ କରିବା ପରେ ହେମନ୍ତ "ବେଙ୍ଗଲ ଟେକନିକାଲ ଇନଷ୍ଟିଚ୍ୟୁଟ ଅଫ ଯାଦବପୁର"ରେ ନାମ ଲେଖାଇଥିଲେ । ତାଙ୍କ ପାରିବାରଙ୍କ ଉଦ୍ଦେଶ୍ୟ ଥିଲା ଇଞ୍ଜିନିୟରିଂ କରେଇବା । କିନ୍ତୁ ଏଥିରେ ହେମନ୍ତଙ୍କ ତିଳେ ମାତ୍ର ଇଚ୍ଛା ନଥିଲା । ତେଣୁ ସେ ଇଞ୍ଜିନିୟରିଂ ଛାଡ଼ି ସଙ୍ଗୀତ ଆଡକୁ ଧ୍ୟାନ ଦେଲେ । ଯଦିଓ ଏହାକୁ ନେଇ ପାରିବାର ପକ୍ଷରୁ ପ୍ରଚଣ୍ଡ ପ୍ରତିରୋଧ କରାଗଲା; ତଥାପି ତାଙ୍କ ଦୃଢ଼ ମନବଳ ଏ କ୍ଷେତ୍ରରେ ପ୍ରାଥମିକ ସଫଳତା ଆଣିଥିଲା । ସଙ୍ଗୀତ ସହିତ ସାହିତ୍ୟକୁ ନେଇ ବହୁ ସ୍ୱପ୍ନ ଦେଖୁଥିଲେ । "ଦେଶ" ପରି ପତ୍ରିକାରେ ତାଙ୍କର ଗଳ୍ପ ପ୍ରକାଶିତ ହୋଇ ତାଙ୍କୁ ଜଣେ ଲୋକପ୍ରିୟ ଗାଳ୍ପିକର ମାନ୍ୟତା ପ୍ରଦାନ କରିଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସଙ୍ଗୀତକୁ ଗୁରୁତ୍ୱ ଦେବାକୁ ଯାଇ ସାହିତ୍ୟକୁ ପଛକୁ ଛାଡ଼ିବାକୁ ପଡ଼ିଲା ।

ସଙ୍ଗୀତାୟନ[ସମ୍ପାଦନା]

"ସୁଭାଷ"; ହେମନ୍ତଙ୍କ ସଙ୍ଗୀତର ଜଣେ ବଡ଼ ଫ୍ୟାନ ଥିଲେ । ତାଙ୍କ ପ୍ରୋତ୍ସାହନରେ ହିଁ ହେମନ୍ତ ଅଲ ଇଣ୍ଡିଆ ରେଡିଓରେ ନିଜର ପ୍ରଥମ ଗୀତ ରେକର୍ଡ କରିଥିଲେ । ପ୍ରସିଦ୍ଧ ବଙ୍ଗଳା ସଙ୍ଗିତଜ୍ଞା "ଶୈଳେଶ ଦତ୍ତଗୁପ୍ତା"ଙ୍କଠାରୁ ସେ ଗୀତ ଶିଖୁଥିଲେ ; ପୁଣି "ଓସ୍ତାଦ ଫୈୟାଜ ଖାଁ"ଙ୍କ ଛାତ୍ର "ଫଣୀଭୂଷଣ ବାନାର୍ଜୀ"ଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରୁଥିଲେ । ୧୯୩୭ ମସିହାରେ ସେ ନିଜ ପ୍ରଥମ ଗ୍ରାମଫୋନ ରେକର୍ଡ କରିଥିଲେ । ସେଥିରେ ଥିବା ଗୀତ ଦ୍ୱୟ ହେଲା - "ଜାନିତେ ଯଦି ଗୋ ତୁମି" ଓ "ବଲୋ ଗୋ ବଲୋ ମୋରେ" । ଏହି ଗୀତ ଦ୍ୱୟକୁ "ନରେଶ ଭଟ୍ଟାଚାର୍ଯ୍ୟ" ଲେଖିଥିଲେ ଏବଂ ସଙ୍ଗୀତ କମ୍ପୋଜ୍ କରିଥିଲେ "ଶୈଳେଶ ଦତ୍ତଗୁପ୍ତା" । ଏହି ଗୀତ ହେମନ୍ତଙ୍କୁ ଜଣେ ସଫଳ ଗାୟକର ମାନ୍ୟତା ଦେଇଥିଲା । ଏହାପରେ ସେ ଗ୍ରାମଫୋନ କମ୍ପାନୀ ପକ୍ଷରୁ ଅଣ ଫିଲ୍ମଗୀତ ରେକର୍ଡ ପାଇଁ ଅଫର ପାଇବାକୁ ଲାଗିଲେ । ୧୯୪୦ ମସିହାରେ ସେ ଗ୍ରାମଫୋନ କମ୍ପାନୀରେ ପ୍ରଥମ ହିନ୍ଦୀ ଗୀତ ରେକର୍ଡ କରିଥିଲେ । ସେହି ଗୀତ ଦୁଇଟି ଥିଲା - "କିତନା ଦୁଃଖ ଭୁଲାୟା ତୁମନେ" ଏବଂ "ଓ ପ୍ରିତ୍ ନିଭାନେ ବାଲେ" । ଏହି ଗୀତ ଦୁଇଟିର ଗୀତକାର ଥିଲେ "ଫୈୟାଜ ହାସମି" ଏବଂ ସଙ୍ଗୀତକାର ଥିଲେ "କମଲ ଦାସ ଗୁପ୍ତା" । ହେମନ୍ତଙ୍କ ପ୍ରଥମ ଫିଲ୍ମ ଥିଲା "ନିମାଇଁ ସନ୍ୟାସୀ" । ଏହି ବଙ୍ଗଳା ଫିଲ୍ମର ସଙ୍ଗୀତକାର ଥିଲେ "ହରିପ୍ରସନ୍ନ ଦାସ" । ୧୯୪୪ ମସିହାରେ ସେ ପ୍ରଥମଥର ପାଇଁ ହିନ୍ଦୀ ଫିଲ୍ମରେ ଗୀତ ଗାଇଥିଲେ । ଫିଲ୍ମ ଥିଲା "ଇରାଦା" ଓ ଏହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ "ପଣ୍ଡିତ ଅମରନାଥ" । ରବୀନ୍ଦ୍ର ସଙ୍ଗୀତରେ ଜଣେ ପ୍ରବୀଣ ଗାୟକ ଥିଲେ ହେମନ୍ତ । ସେ ପ୍ରଥମ ଥର ପାଇଁ ବେଙ୍ଗୋଲି ଫିଲ୍ମ "ପ୍ରିୟ ବାନ୍ଧବୀ"ରେ ରବୀନ୍ଦ୍ର ସଙ୍ଗୀତ ଗାଇଥିଲେ । ୧୯୪୭ ମସିହାରେ ପ୍ରଥମଥର ପାଇଁ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ତାହା ଥିଲା ବଙ୍ଗଳା ଫିଲ୍ମ "ଅଭିୟାତ୍ରି" । ୧୯୫୧ ମସିହାରେ ବମ୍ବେ ଆସିଲେ ହେମନ୍ତ । ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା "ଆନନ୍ଦ ମଠ"(୧୯୫୨) । ଏହି ଫିଲ୍ମରେ ବନ୍ଦେ ମାତରମ୍ ଗୀତକୁ ଲତା ମଙ୍ଗେସକର । "ଆନନ୍ଦ ମଠ" ଫିଲ୍ମର ସଫଳତା ହେମନ୍ତଙ୍କୁ ବମ୍ବେରେ ଅବସ୍ଥାପିତ କରିବା ପାଇଁ ଯଥେଷ୍ଟ ଥିଲା [୧]

ପାରିବାରିକ ଜୀବନ[ସମ୍ପାଦନା]

ହେମନ୍ତଙ୍କ ଦୁଇଭାଈ ଓ ଗୋଟିଏ ଭଉଣୀ ଥିଲେ । ତାଙ୍କ ଭାଈ "ତାରାଜ୍ୟୋତି" ହେଉଛନ୍ତି ଜଣେ ପ୍ରସିଦ୍ଧ କ୍ଷୁଦ୍ରଗଳ୍ପ ଲେଖକ । ତାଙ୍କ ସାନଭାଈ "ଅମଲ ମୁଖାର୍ଜୀ" ଜଣେ ମ୍ୟୁଜିକ କମ୍ପୋଜର । ହେମନ୍ତ, ବଙ୍ଗଳା ଗାୟିକା "ବେଲା ମୁଖାର୍ଜୀ"ଙ୍କୁ ବିବାହ କରିଥିଲେ (ମୃତ୍ୟୁ ୨୫ ଜୁନ ୨୦୦୯)[୨] । ତାଙ୍କର ଗୋଟିଏ ପୁଅ "ଜୟନ୍ତ" ଓ ଗୋଟିଏ ଝିଅ "ରାନୁ" । ଜୟନ୍ତଙ୍କ ବିବାହ ୭୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ "ମୌସୁମୀ"ଙ୍କୁ ବିବାହ କରିଥିଲେ । ୧୯୮୯ ମସିହା ସେପ୍ଟେମ୍ବର ୨୬ ତାରିଖରେ "ହେମନ୍ତ କୁମାର"ଙ୍କ ଦେହାନ୍ତ ଘଟିଥିଲା ।

ଆଧାର[ସମ୍ପାଦନା]

  1. Hemant Kumar: That velvet touch http://www.screenindia.com/old/fullstory.php?content_id=17266
  2. "Singer passes away". The Times of India. 26 June 2009. Archived from the original on 2012-10-24. Retrieved 2009-07-21.

ଅଧିକ ତଥ୍ୟ[ସମ୍ପାଦନା]