"ଭାରତୀୟ ସମ୍ବିଧାନର ମୁଖବନ୍ଧ ଓ ମୌଳିକ ବୈଶିଷ୍ଟ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"{{ଛୋଟ|Preamble and Salient Features of the Constitution of India}} ଭାରତୀୟ ସମ୍ବିଧାନର ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୭:୦୧, ୧୧ ସେପ୍ଟେମ୍ବର ୨୦୧୩ ଅନୁସାରେ କରାଯାଇଥିବା ବଦଳ

ଭାରତୀୟ ସମ୍ବିଧାନର ବୈଶିଷ୍ଟ୍ୟ ବର୍ଣ୍ଣନା କଲାବେଳେ କେତେକ ପ୍ରଧାନ ବ୍ୟବସ୍ଥା ପ୍ରତି ଦୃଷ୍ଟିଦେବାକୁ ହୁଏ ।

ସମ୍ବିଧାନର ମୁଖବନ୍ଧ(Preamble)

ଭାରତୀୟ ସମ୍ବିଧାନର ମୁଖବନ୍ଧ

ମୁଖବନ୍ଧ, ପ୍ରସ୍ତାବନା, ପୂର୍ବାଭାସ ବା ପ୍ରାକ୍‌କଥନ ସମ୍ବିଧାନର ମୁଖ ସଦୃଶ । ଜାତିର ଅଭୀପ୍ସା, ଆକାଙ୍‌କ୍ଷା ଓ ଲକ୍ଷ୍ୟ ଏଥିରେ ସନ୍ନିବେଶିତ ହୋଇଛି । ସମ୍ବିଧାନର ପ୍ରଣେତାମାନେ ଭାରତବାସୀଙ୍କ ତରଫରୁ ସମ୍ବିଧାନ ପ୍ରଣୟନ କରି ସେମାନଙ୍କ ହାତରେ ଅର୍ପଣ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ମୁଖବନ୍ଧରେ ଲେଖାଯାଇଅଛି - ‘ଆମ୍ଭେ ଭାରତ ବାସୀ ଦୃଢ଼-ସଂକଳ୍ପବଦ୍ଧ ହୋଇ ଭାରତକୁ ଏକ ସାର୍ବଭୌମ, ଧର୍ମନିରପେକ୍ଷ, ସମାଜବାଦୀ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରାଷ୍ଟ୍ର ହିସାବରେ ଗଠନ କରିବାକୁ ଓ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟବିଚାର, ଚିନ୍ତା, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମଉପାସନାର ସ୍ୱାଧୀନତା, ପ୍ରତିଷ୍ଠା ଓ ସୁଯୋଗର ସମତା ଏବଂ ସେମାନଙ୍କ ମଧ୍ୟରେ ଭାତୃତ୍ୱର ବିକାଶ କରାଇବା ସଙ୍ଗେ ସଙ୍ଗେ ବ୍ୟକ୍ତିର ମର୍ଯ୍ୟାଦା ଓ ଜାତିର ଐକ୍ୟ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେଇ "ଆମରି ଶାସନ ବିଧାୟକ ସଭାରେ, ୧୯୪୯ ମସିହା ନଭେମ୍ବର ମାସର ଆଦ୍ୟ ୨୬ ତାରିଖ ଦିନ, ଏହି ସମ୍ବିଧାନକୁ ଅଙ୍ଗୀକୃତ, ଅଧିନିୟମିତ ଏବଂ ଆତ୍ମାର୍ପିତ କରୁଛୁ ।"[୧]

ସମ୍ବିଧାନ ଚିଠା କମିଟିର ଚେୟାରମ୍ୟାନ୍‌ ଡକ୍ଟର ଭୀମାରାଓ ରାମଜୀ ଆମ୍ବେଦକର (ବି.ଆର. ଆମ୍ବେଦକର) ଶାସନ ବିଧାୟକ ସଭାରେ ଘୋଷଣା କରିଥିଲେ ଯେ "ଏହି ପ୍ରସ୍ତାବନାରେ ସଦସ୍ୟମାନଙ୍କର ବାସନା ପରିସ୍ଫୁଟ ହୋଇଅଛି । ଜନସାଧାରଣ ଯେ ଏ ସମ୍ବିଧାନର ଚେର, ଉତ୍ସ ଓ ଜନସାଧାରଣ ଯେ ସାର୍ବଭୌମ ତାହା ଏଥିରେ ରୂପାୟିତ ହୋଇଛି ।"[୨] ଏହାକୁ ୪୨ଶ ସଂଶୋଧନରେ ଏକ ସମାଜବାଦୀ ଓ ଧର୍ମନିରପେକ୍ଷ ରାଷ୍ଟ୍ରରେ[୩] ପରିଣତ କରିବାକୁ ଘୋଷଣା କରାଯାଇଛି ।

ମୁଖବନ୍ଧ ପାଠକଲେ ୩ଟି ବିଷୟ ଜଣାଯାଏ । (୧) ସମ୍ବିଧାନର ଉତ୍ସ ଓ ମୂଳଭିତ୍ତି (୨) ସମ୍ବିଧାନର ଆଦର୍ଶ ଓ ଆଭିମୁଖ୍ୟ, (୩) ସମ୍ବିଧାନ ପ୍ରଣୟନର ତାରିଖ । ଏହି ମୁଖବନ୍ଧର ଉପାଦେୟତା ଉପରେ ଭାରତର ସୁପ୍ରିମକୋର୍ଟ କହିଛନ୍ତି. "ଭାରତର ଜନସାଧାରଣଙ୍କ ଦ୍ୱାରା କି କି ସାଧାରଣ ଉଦ୍ଦେଶ୍ୟ ସାଧିତ କରିବା ପାଇଁ ସମ୍ବିଧାନ ପ୍ରବର୍ତ୍ତିତ ଓ ପ୍ରତିଷ୍ଠା କରିଛନ୍ତି, ତାହା ଏହି ମୁଖବନ୍ଧରୁ ସ୍ପଷ୍ଟ ହୁଏ ।" ବିଖ୍ୟାତ ଆଇନଜ୍ଞ ଆଲ୍ଲାଦି କ୍ରିଷ୍ଣାସ୍ୱାମୀ ଆୟାରଙ୍କ ମତରେ "ସମ୍ବିଧାନ ପ୍ରଣେତାମାନଙ୍କର ମନର କଥା ରୂପାୟିତ କରିଥାଏ । କେଉଁ କେଉଁ ଅଭାବ-ଅସୁବିଧାକୁ ଦୂରୀଭୂତ କରାଯିବ, ତାହାର ଇଙ୍ଗିତ ମୁଖବନ୍ଧରେ ରହିଥାଏ ।"[୪] ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ଶ୍ରୀ ମହାଜନଙ୍କ ମତରେ "ମୁଖବନ୍ଧର ଗମ୍ଭୀର ଘୋଷଣାର ଭାଷା ଓ ଶୈଳୀ ସମ୍ବିଧାନକୁ ପବିତ୍ର କରିଦେଇଛି ।"[୫] ଗାନ୍ଧିଜୀଙ୍କ ପରିକଳ୍ପିତ ସ୍ୱାଧୀନ ଭାରତର ଆଶା-ଆକାଙ୍‌କ୍ଷା ଏଥିରେ ପ୍ରତିଫଳିତ ହୋଇଛି ।

ମୁଖବନ୍ଧରେ ଭାରତ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ମଧ୍ୟ ରହିଛି । ଏଥିରେ ଘୋଷଣା କରାଯାଇଛି ଯେ,

  1. ଭାରତ ଏକ ସ୍ୱାଧୀନ ଓ ସାର୍ବଭୌମ ରାଷ୍ଟ୍ର ।
  2. ଭାରତ ଏକ ସାଧାରଣତନ୍ତ୍ର ରାଷ୍ଟ୍ର ।
  3. ଭାରତରେ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠିତ ହେବ ।
  4. ନ୍ୟାୟବିଚାର, ସମତା ଓ ମୈତ୍ରୀ ସମସ୍ତଙ୍କୁ ନିଶ୍ଚିତ ଭାବେ ମିଳିବ ।
  5. ବ୍ୟକ୍ତି ମର୍ଯ୍ୟାଦା ଓ ଜାତିର ଏକତା ଓ ସଂହତି ।
  6. ଜନତାର ସାର୍ବଭୌମତ୍ୱ ।
  7. ସମାଜବାଦ ଓ ଧର୍ମନିରପେକ୍ଷତା ଆଦି ସମ୍ବିଧାନର ଲକ୍ଷ୍ୟ ।

ବିଖ୍ୟାତ ରାଜନୀତିକ ଦାର୍ଶନିକ ଆର୍ଣ୍ଣେଷ୍ଟ ବାର୍କରଙ୍କ ମତରେ "ଭାରତ ସମ୍ବିଧାନର ମୁଖବନ୍ଧରେ ସମ୍ବିଧାନର ସଂକ୍ଷିପ୍ତ ସାର ଓ ଯୁକ୍ତି ସନ୍ନିବେଶିତ ହୋଇଅଛି । ଫଳରେ ଏହା ସମ୍ବିଧାନର ଚାବିକାଠି ରୂପେ କାର୍ଯ୍ୟ କରିବ ।"[୪]

ଜନତାର ସାର୍ବଭୌମତ୍ୱ ପ୍ରତିଷ୍ଠା କରି ସମ୍ବିଧାନର ପ୍ରଣେତାମାନେ କହିଦେଇଛନ୍ତି ଯେ. "ସରକାର ସର୍ବଦା ଜନତା ଦ୍ୱାରା ସୃଷ୍ଟି ଓ ଜନତାର ସିଦ୍ଧାନ୍ତ ଦ୍ୱାରା ଆବଦ୍ଧ ରହିବ ।" ପଣ୍ଡିତ ଜବାହରଲାଲ ନେହେରୁ ୧୯୪୬ ମସିହା ଡିସେମ୍ବର ୧୩ ତାରିଖ ଦିନ ଯେଉଁ ଅବଜେକ୍ଟିଭ ରିଜୋଲ୍ୟୁସନ(Objective Resolution) ବା "ଆଭିମୁଖ୍ୟ ପ୍ରସ୍ତାବ" ପେଶ କରିଥିଲେ, ସେଥିରେ ଥିବା ସମସ୍ତ ବ୍ୟବସ୍ଥା ସମ୍ବିଧାନର ମୁଖବନ୍ଧରେ ଉଲ୍ଲେଖ କରାଯାଇଛି ।[୬] ମାନବ ସମାଜ ଯେଉଁ ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଇଥାଏ, ସେସବୁ ଦର୍ଶନର ସମାହାର ଏହି ମୁଖବନ୍ଧରୁ ମିଳିବ । ପଣ୍ଡିତ ଠାକୁରଦାସ ଭାର୍ଗବ ଶାସନ ବିଧାୟକ ସଭାରେ ମୁଖବନ୍ଧକୁ "ସମ୍ବିଧାନର ଆତ୍ମା" ରୂପେ ବର୍ଣ୍ଣନା କରିଥିଲେ ।[୪] ଶାସନ ବିଧାୟକ ସଭାରେ ମୁଖବନ୍ଧକୁ "ସମ୍ବିଧାନର ଉପାଦେୟତାର ମାପକାଠି" ରୂପେ ଘୋଷଣା କରାଯାଇଛି । ତେବେ ବିଚାରାଳୟରେ ସମ୍ବିଧାନର ମୁଖବନ୍ଧକୁ ଆଇନ ହିସାବରେ ଗଣାଯାଇପାରିବ ନାହିଁ । ଏହା କେବଳ ସମ୍ବିଧାନର ଆଭିମୁଖ୍ୟ ଦର୍ଶାଏ; ଅନ୍ତର୍ନିହିତ ଉଦ୍ଦେଶ୍ୟ ପ୍ରତିପାଦିତ କରେ ଓ ଦର୍ପନ ରୂପେ କାମ ଦିଏ, କିନ୍ତୁ ଆଇନ ପରି ଫଳ ଦେଇପାରିବ ନାହିଁ ।

ଭାରତ ଏକ ସାର୍ବଭୌମ ରାଷ୍ଟ୍ର(Sovereign State)

ସମ୍ବିଧାନରେ ଭାରତକୁ ଏକ ସାର୍ବଭୌମ ରାଷ୍ଟ୍ରରୂପେ ଘୋଷଣା କରାଯାଇଛି ।[୩] ଡକ୍ଟର ଆମ୍ବେଦକର ଶାସନ ବିଧାୟକ ସଭାରେ କହିଥିଲେ, "ଭାରତକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ ବହୁ ରାଜ୍ୟରେ ବିଭାଗ କରିଥିଲେ ମଧ୍ୟ, ରାଷ୍ଟ୍ରର ଏକତା ଅକ୍ଷୁଣ୍ଣ ରହିବ ଓ ସାର୍ବଭୌମତ୍ୱ କେନ୍ଦ୍ରୀଭୂତ ଓ ଏକୀକରଣ ହୋଇ ରହିବ ।" ଭାରତର ଆଭ୍ୟନ୍ତରୀଣ ଓ ବହିର୍ଦ୍ଦେଶ ସାର୍ବଭୌମତ୍ୱ ପ୍ରତିଷ୍ଠିତ ହୋଇଛି । ଅବଶ୍ୟ ଯେ କୌଣସି ସ୍ୱାଧୀନ ରାଷ୍ଟ୍ର ସାର୍ବଭୌମ କ୍ଷମତା ଉପଭୋଗ କରିଥାଏ । ସ୍ୱାଧୀନ ସାଧାରଣତନ୍ତ୍ର ରାଷ୍ଟ୍ର ହେବା ମାତ୍ରେ ରାଷ୍ଟ୍ର ଯେ ସାର୍ବଭୌମ, ଏଥିରେ ସନ୍ଦେହ ନଥାଏ । ତଥାପି ଉପନିବେଶ ଶାସନର ଅବସାନ ହେଲା ବୋଲି ଘୋଷଣା ସହ ଏହି ଶବ୍ଦ ପ୍ରୟୋଗରେ ପ୍ରତିଫଳିତ ହୋଇଛି । ବାହାର ରାଷ୍ଟ୍ର ସହିତ ବନ୍ଧୁତା ସ୍ଥାପନ କରି, ସେମାନଙ୍କ ସହିତ ସହଯୋଗ କଲେ ମଧ୍ୟ ଭାରତ ଯେ ନିଜର ଭାଗ୍ୟ ନିଜେ ନିୟନ୍ତ୍ରଣ କରିବ ଏହି ମନୋଭାବ ଓ ଦୃଢ଼ତା ସମ୍ବିଧାନରେ ଉଲ୍ଲେଖ କରାଯାଇଛି । କମନୱେଲ୍‌ଥ ବା ରାଜ୍ୟଗୋଷ୍ଠୀର ସଭ୍ୟ ହେଲେ ମଧ୍ୟ ଭାରତ ତା’ର ସାର୍ବଭୌମତ୍ୱ ବଜାୟ ରଖିଛି । ସାଧାରଣତନ୍ତ୍ର ରାଷ୍ଟ୍ର ହୋଇ ନିଜ ଇଚ୍ଛାରେ ଅନ୍ୟ ରାଜ୍ୟମାନଙ୍କ ସହିତ ମିଳିମିଶି କାର୍ଯ୍ୟ କରିବା ଦ୍ୱାରା ରାଷ୍ଟ୍ରର ସାର୍ବଭୌମତ୍ୱରେ ଆଞ୍ଚ ଆସେ ନାହିଁ । ୧୯୪୯ ମସିହା ଏପ୍ରିଲ ୨୭ ତାରିଖ ଦିନ ରାଜ୍ୟଗୋଷ୍ଠୀ ପ୍ରଧାନମନ୍ତ୍ରୀ ଶାନ୍ତି ସମ୍ମିଳନୀରେ ଶାନ୍ତି. ମୈତ୍ରୀ ଓ ପ୍ରଗତି ପାଇଁ ସମାନ ମର୍ଯ୍ୟାଦା ସହ ସଭ୍ୟ ହୋଇ ରହିବାକୁ ସାଧାରଣତନ୍ତ୍ର ଭାରତର ଘୋଷଣାକୁ ସ୍ୱାଗତ କରାଯାଇଥିଲା । ନେହେରୁଙ୍କ ଯୁକ୍ତି ଥିଲା ଯେ ଜାତିସଂଘର ସଦସ୍ୟ ହିସାବରେ ଭାରତର ବହିଃନିର୍ଦ୍ଦେଶୀୟ ସାର୍ବଭୌମତ୍ୱରେ ଯେତେ ଆଞ୍ଚ ଆସେ, ରାଜ୍ୟଗୋଷ୍ଠୀ ସଭ୍ୟ ହିସାବରେ ସ୍ୱାଧୀନ ରାଷ୍ଟ୍ର ହୋଇ ଇଂଲଣ୍ଡର ରାଣୀଙ୍କୁ ରାଜ୍ୟଗୋଷ୍ଠୀର ମୁଖ୍ୟ ଓ ରାଜ୍ୟଗୋଷ୍ଠୀର ସଙ୍କେତ ହିସାବରେ ଗ୍ରହଣ କରିବା ଦ୍ୱାରା ସେଭଳି ଆଞ୍ଚ ଆସିବ ନାହିଁ ।[୭] ଭାରତ ରାଜ୍ୟଗୋଷ୍ଠୀର ସଦସ୍ୟ ହୋଇ ରହିବାର ନିଷ୍ପତିକୁ ଶାସନ ବିଧାୟକ ସଭା ୧୯୪୯ ମସିହା ମେ ମାସ ୧୭ ତାରିଖ ଦିନ ମଞ୍ଜୁର କରିଥିଲେ ।[୮] ରାଜ୍ୟଗୋଷ୍ଠୀର ମୁଖ୍ୟ ହିସାବରେ ସେ କେବଳ "ସଙ୍କେତ" ରୂପେ ରହିବେ । ତାଙ୍କର କିଛି କ୍ଷମତା ରହିବ ନାହିଁ କି କାର୍ଯ୍ୟ ବି ରହିବ ନାହିଁ । ଜାତୀୟ ସଙ୍କେତ ଅଶୋକସ୍ତମ୍ଭ ଭଳି ରାଜ୍ୟଗୋଷ୍ଠୀର ସଙ୍କେତ ରୂପେ ଇଂଲଣ୍ଡର ରାଣୀ ରହିବେ । ଏ ସଙ୍କେତକୁ ଯେ କୌଣସି ସମୟରେ ଫିଙ୍ଗି ଦିଆଯାଇପାରେ । ରାଜ୍ୟଗୋଷ୍ଠୀରୁ ଯେ କୌଣସି ସମୟରେ ଭାରତ ଓହରି ଯାଇପାରିବ । ଏଥିରେ ସାର୍ବଭୌମତ୍ୱ ଉପରେ ଆଞ୍ଚ ଆସିବାର ପ୍ରଶ୍ନ ଉଠେ ନାହିଁ ।

ବୃହତ୍ତମ ଲିଖିତ ସମ୍ବିଧାନ(Longest Written Constitution)

ସମ୍ବିଧାନ ପ୍ରବର୍ତ୍ତିତ ହେଲାବେଳେ ସର୍ବମୋଟ ୩୯୫ ଧାରା ଓ ୮ଟି ତାଲିକା ଥିଲା ।[୯] ବିଭିନ୍ନ ସମ୍ବିଧାନ ସଂଶୋଧନ ଦ୍ୱାରା କେତେକେ ନୂଆ ଧାରା ଯୋଡ଼ା ଯାଇଛି ଓ କେତୋଟି ପୁରୁଣା ଧାରା କାଟି ଦିଆଯାଇଛି । ଆଉ କେତେକ ତାଲିକା ଅଧିକା ଯୋଡ଼ି ଦିଆଯାଇଛି । ଫଳରେ ମାର୍ଚ୍ଚ ୨୦୧୩ ସୁଦ୍ଧା ୪୪୮ଟି ଧାରା ଓ ୧୨ଟି ତାଲିକା ରହିଛି । (ଯଦିଓ ସମ୍ବିଧାନର ଶେଷ ଧାରା କ୍ରମାଙ୍କ ୩୯୫; ପୁରୁଣା କ୍ରମାଙ୍କରେ ପରିବର୍ତ୍ତନ ନ କରାଯାଇ ସମ୍ବିଧାନ ସଂଶୋଧନ ଦ୍ୱାରା ନୂତନ ଧାରାକୁ ଉପକ୍ରମାଙ୍କ ଭାବେ ଉଲ୍ଲେଖ କରାଯାଇଛି । ଉଦାହରଣ ସ୍ୱରୂପ "ଶିକ୍ଷା ଆଇନ:ଧାରା ୨୧-କ" କୁ ୮୬ତମ ସମ୍ବିଧାନ ସଂଶୋଧନ ପରେ ଗ୍ରହଣ କରାଯାଇଥିଲା ।) ଏତେ ବଡ଼ ସମ୍ବିଧାନ ଆଉ କେଉଁଠାରେ ଦେଖିବାକୁ ମିଳେନାହିଁ । ହରିବିଷ୍ଣୁ କାମାଥ ଏ ବିଷୟରେ ଥରେ ଆଲୋଚନା କଲାବେଳେ କହିଥିଲେ, "ଆମ ଶାସନ ବିଧାୟକ ସଭାର ସଙ୍କେତ ହେଲା ହାତୀ । ତେଣୁ ଆମ ସମ୍ବିଧାନ ମଧ୍ୟ ହାତୀ ପରି ବଡ଼ ହୋଇଛି ।"[୧୦]

ସମ୍ବିଧାନର ଆକାର ବଡ଼ ହେବାର କେତେକେ କାରଣ ମଧ୍ୟ ରହିଛି ।

  • ବିଭିନ୍ନ ଦେଶର ସମ୍ବିଧାନର ଭଲ ଅଂଶ ଆଣି ଆମ ସମ୍ବିଧାନରେ ଭର୍ତ୍ତି କରାଯାଇଛି । ବିଲାତର ସଂସଦୀୟ ଶାସନ, ଆମେରିକାର ମୌଳିକ ଅଧିକାର, ଆୟାରଲାଣ୍ଡର ରାଷ୍ଟ୍ରନୀତି ସମ୍ପର୍କୀୟ ନିର୍ଦ୍ଦେଶ, ୧୯୩୫ ମସିହା ଆଇନରୁ ଜରୁରୀକାଳୀନ ବ୍ୟବସ୍ଥା ଇତ୍ୟାଦି ଅଣାଯାଇଛି ।
  • ୧୯୩୫ ଆଇନରୁ ଅଧିକାଂଶ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଚାରାଳୟ, ନିର୍ବାଚନ, ପ୍ରଶାସନିକ ସେବା, ଭାଷା ସଂସଦର କାର୍ଯ୍ୟପ୍ରଣାଳୀ ଇତ୍ୟାଦି ବିଷୟରେ ପୂର୍ଣ୍ଣାଙ୍ଗ ବ୍ୟବସ୍ଥା ରଖିବାକୁ ଚେଷ୍ଟା କରାଯାଇଛି ।
  • ଭାରତର ଅନେକ ସମସ୍ୟା ରହିଛି ଯାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡ଼ିଥିଲା । ତାହା ହେଉଛି - ତଫସିଲଭୁକ୍ତ ଜାତି ଓ ଆଦିବାସୀଙ୍କ ପାଇଁ ଗୋଟିଏ ପରିଚ୍ଛେଦ, ଜରୁରୀକାଳୀନ ବ୍ୟବସ୍ଥା ପାଇଁ ଗୋଟିଏ, ସରକାରୀ ଭାଷା ପାଇଁ ଆଉ ଗୋଟିଏ; ଏହିପରି କେତେକେ ପରିଚ୍ଛେଦ ରଖାଯାଇଛି ।
  • ଆମର ସଂଘ ଶାସନର ସମ୍ବିଧାନ ଓ ରାଜ୍ୟର ସମ୍ବିଧାନ ଉଭୟ ଏହି ସମ୍ବିଧାନରେ ସନ୍ନିବେଶିତ କରାଯାଇଛି । ଅବଶ୍ୟ ଜାମ୍ମୁ-କାଶ୍ମୀର ରାଜ୍ୟର ନିଜର ସ୍ୱତନ୍ତ୍ର ସମ୍ବିଧାନ ପ୍ରବର୍ତ୍ତନ କରିବାର କ୍ଷମତା ରହିଛି; କିନ୍ତୁ ଆମେରିକା ସଂଘ ସରକାରଙ୍କ ସମ୍ବିଧାନ ଲିପିବଦ୍ଧ ହୋଇଛି ଓ ରାଜ୍ୟମାନଙ୍କର ଅଲଗା ଅଲଗା ସମ୍ବିଧାନ ରହିଛି ।
  • କେନ୍ଦ୍ର-ରାଜ୍ୟ ସଂପର୍କ ନେଇ ବିସ୍ତୃତ ବ୍ୟବସ୍ଥା କରାଯାଇଛି । ପ୍ରଶାସନିକ, ଆର୍ଥିକ ତଥା ଆଇନଗତ ସଂପର୍କ ସବୁ ବିସ୍ତୃତ ଭାବେ ଉଲ୍ଲେଖ ରହିଛି ।
  • ମୌଳିକ ଅଧିକାର ଓ ରାଷ୍ଟ୍ରନୀତି ନିର୍ଦ୍ଦେଶ ଉପରେ ଦୁଇଟି ଅଧ୍ୟାୟ ରହିଛି ।

ସମ୍ବିଧାନର ଚିଠା ପ୍ରସ୍ତୁତ କଲାବେଳେ ଓ ଶାସନ ବିଧାୟକ ସଭାରେ ଗ୍ରହଣ କଲାବେଳେ ବିଭିନ୍ନ ସମ୍ବିଧାନର ଭଲଗୁଣ ସଂଗ୍ରହ କରିବା ପାଇଁ ଯେଉଁ ବ୍ୟଗ୍ରତା ପ୍ରକାଶ ପାଇଥିଲା, ତାହାରି ଫଳରେ ସମ୍ବିଧାନ ବଡ଼ ରୂପ ଧାରଣ କରିଛି । ସମାଲୋଚକମାନଙ୍କୁ ଉତ୍ତର ଦେଇ ଡକ୍ଟର ଆମ୍ବେଦକର କହିଥିଲେ, "ଆମେ ଭଲ ଭଲ ବ୍ୟବସ୍ଥା ଆହରଣ କରିବାରେ ଲଜ୍ଜିତ ନୋହୁଁ । ଏଥିରେ ନକଲ କରିବାର କିଛି ନାହିଁ । ସମ୍ବିଧାନ ଉପରେ ମୌଳିକ ଚିନ୍ତାଧାରାର ଏକଚାଟିଆ ମାଲିକାନା ସ୍ୱତ୍ୱ କାହାର ନାହିଁ ।"

ନମନୀୟତା-ଅନମନୀୟତାର ସମାହାର(Blending of Flexibility and Rigidity)

ସଂସଦୀୟ ଶାସନ(Parliamentary form of Government)

ସଂଘ ଶାସନ ଓ ଐକିକ ପ୍ରବୃତ୍ତି(Federalism with Unitary Spirit)

ମୌଳିକ ଅଧିକାର(Fundamental Rights)

ରାଷ୍ଟ୍ରୀୟ ନୀତି-ନିର୍ଦ୍ଦେଶାତ୍ମକ ତତ୍ତ୍ୱ(Directive Principles of State Policy)

ସ୍ୱାଧୀନ ଓ ନିରପେକ୍ଷ ବିଚାର ସଂସ୍ଥା

ସାର୍ବଜନୀନ ଭୋଟକ୍ଷମତା(Universal Suffrage)

ଧର୍ମନିରପେକ୍ଷ ରାଷ୍ଟ୍ର(Secular State)

ମୌଳିକ କର୍ତ୍ତବ୍ୟ(Fundamental Duties)

ସମ୍ବିଧାନର ପଞ୍ଚସ୍ତମ୍ଭ(Five Pillars)

ଅନ୍ୟାନ୍ୟ ବୈଶିଷ୍ଟ୍ୟ

ଆଧାର

  1. Tmh (1 March 2007). Tmh General Knowledge Manual. Tata McGraw-Hill Education. pp. 3–. ISBN 978-0-07-061999-9. Retrieved 11 September 2013.
  2. Dr. W.L. Pande (1 January 2008). Face Reading. Global Vision Publishing House. pp. 174–. ISBN 978-81-8220-283-2. Retrieved 11 September 2013.
  3. ୩.୦ ୩.୧ "The Constitution (Forty-Second Amendment) Act, 1976". Government of India. Retrieved 11 September 2013.
  4. ୪.୦ ୪.୧ ୪.୨ Laxmikanth (2010). Indian Polity For Upsc 3E. Tata McGraw-Hill Education. pp. 4–. ISBN 978-0-07-015316-5. Retrieved 11 September 2013.
  5. C. P. Barthwal (1998). Social Justice in India. Bharat Book Centre. Retrieved 11 September 2013.
  6. general studies indian polity. Upkar Prakashan. pp. 74–. Retrieved 11 September 2013.
  7. Raj Darbari (1983). Commonwealth and Nehru. Vision Books. Retrieved 11 September 2013.
  8. Verinder Grover (1 January 1992). Great Britain, Commonwealth and India's Foreign Policy. Deep & Deep. pp. 415–. ISBN 978-81-7100-344-0. Retrieved 11 September 2013.
  9. "Constitution of india". Ministry of Law and Justice, Govt. of India.
  10. "CONSTITUENT ASSEMBLY OF INDIA DEBATES (PROCEEDINGS)- VOLUME VII". Retrieved 2013-09-11.

ଆହୁରି ପଢ଼ନ୍ତୁ