ବାଳକୃଷ୍ଣ କର
ବାଳକୃଷ୍ଣ କର | |
---|---|
ଜନ୍ମ | |
ମୃତ୍ୟୁ | ୫ ଅଗଷ୍ଟ ୧୯୫୭ | (ବୟସ ୭୦)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ପ୍ୟାରୀମୋହନ ଏକାଡେମୀ, ରେଭେନ୍ସା ମହାବିଦ୍ୟାଳୟ |
ଉଲ୍ଲେଖନୀୟ କୃତି | ସହକାର, ମାତୃଭୂମୀ |
ପିତାମାତା(s) | ଚିନ୍ତାମଣି କର, ପାନ ଦେବୀ |
ବାଳକୃଷ୍ଣ କର (୬ ଏପ୍ରିଲ ୧୮୮୭ - ୫ ଅଗଷ୍ଟ ୧୯୫୭) ଜଣେ ଓଡ଼ିଆ ସାହିତ୍ୟିକ, ସମ୍ପାଦକ ଓ ସାମ୍ବାଦିକ ଥିଲେ । ଛାପା ବ୍ଲକ୍ ତିଆରି କରିବାରେ ସେ ଥିଲେ ଓଡ଼ିଶାର ପ୍ରଥମ ବ୍ୟକ୍ତି ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ବାଳକୃଷ୍ଣ କଟକ ଜିଲ୍ଲାର ସାଲେପୁର ଥାନା ଜିଗ୍ନିପୁର ନିକଟସ୍ଥ ତୀରବନ୍ଧା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାତାଙ୍କ ନାମ ହେଲା ପାନ ଦେବୀ ଓ ପିତା ହେଲେ ଚିନ୍ତାମଣି କର ।[୧] ଗ୍ରାମ୍ୟ ଚାଟଶାଳୀରୁ ଶିକ୍ଷାରମ୍ଭ କରି ସେଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ବୃତ୍ତି ଲାଭ କଲେ । ତାପରେ ମେଟକାଫ ମାଇନର ବିଦ୍ୟାଳୟରୁ ବୃତ୍ତି ଲାଭ କରି ପଡଢ଼ିବା ସହ କଟକର ପ୍ୟାରୀମୋହନ ଏକାଡେମୀରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ୍ କଲେ । ୧୯୧୪ରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଲାଭ କରିବା ପରେ । ସ୍ନାତକୋତ୍ତର ଓ ଆଇନ ପଢ଼ିବାକୁ କଲିକତା ଗଲେ, କିନ୍ତୁ ଦେଶମିଶ୍ରଣ ଆନ୍ଦୋଳନରେ ଯୋଗ ଦେଇ ପଢ଼ା ଛାଡିଲେ । କିଛିବର୍ଷ କନିକା ଉଚ୍ଚ ବିଦ୍ୟାଳୟ ଓ କେନ୍ଦ୍ରାପଡ଼ା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କଲା ପରେ ନିଜ ପୁଞ୍ଜିରୁ ସେ ସାଲେପୁରରେ ଏକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରି ଅବୈତନିକ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ପରେ ସାମାନ୍ୟ ଅର୍ଥ ସଞ୍ଚୟ କରି କଟକରେ ସାରସ୍ୱତ ପ୍ରେସ୍ ସ୍ଥାପନା କଲେ । ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ସଂପାଦନାରେ ପ୍ରକାଶ ପାଉଥିବା ସହକାର ପତ୍ରିକାର ସଂପାଦନା ଦାୟିତ୍ୱ ନିଜ ହାତକୁ ନେଲେ । ୧୯୨୯-୩୦ରୁ ୧୯୫୩ ପର୍ଯ୍ୟନ୍ତ ତାଙ୍କରି ପୃଷ୍ଠପୋଷକତାରେ ସହକାର ନୂତନ ଜୀବନ୍ୟାସ ପାଇଲା । ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ଲୋକାଭିମୁଖୀ କରିବା ପାଇଁ ତାଙ୍କରି ଉଦ୍ୟମରେ ସହକାରରେ 'ଆନନ୍ଦଲହରୀ ଉପନ୍ୟାସମାଳା' ସିରିଜରେ ବହୁ ଉପନ୍ୟାସ ପ୍ରକାଶ ପାଇଥିଲା । ତାଙ୍କ ସ୍ମୃତିରେ କଟକ ଦରଘା ବଜାର ସ୍ଥିତ ସାରସ୍ୱତ ପ୍ରେସର ସାମନା ରାସ୍ତାର ନାମ 'ବାଳକୃଷ୍ଣ କର' ମାର୍ଗ ରଖାଯାଇଛି । ଉତ୍କଳ ସାହିତ୍ୟ ସମାଜ ଶ୍ରୀରାମଚନ୍ଦ୍ର ଭବନରେ ତାଙ୍କ ପ୍ରତିକୃତି ସ୍ଥାନୀତ ।
ପତ୍ରିକା ସଂପାଦନା ଓ ସାରସ୍ୱତ ସର୍ଜନା
[ସମ୍ପାଦନା]ଜୀବନ କାଳ ଭିତରେ ବାଳକୃଷ୍ଣ 'ସହକାର' ସହ ଦ୍ୱିମାସିକ ପତ୍ରିକା 'ଭାରତୀ', ମାସିକ ଶିଶୁ ପତ୍ରିକା 'ଜହ୍ନମାମୁଁ', ଓ ମଧୁକୋଷ ପ୍ରକାଶ କରିପାରିଥିଲେ । ତାଙ୍କରି ସଂପାଦନାରେ ମାତୃଭୂମି ଦୈନିକ ସମ୍ବାଦପତ୍ର ମଧ୍ୟ ଆତ୍ମପ୍ରକାଶ ଲାଭ କରିଥିଲା ।[୨] ଓଡ଼ିଆ ଭାଷାର ପ୍ରଥମ ବିଶ୍ୱକୋଷ 'ଶିଶୁ ସଂଖାଳି ୧ମ ଭାଗ' ୧୯୩୬ରେ ପ୍ରକାଶ ପାଇଥିଲା । ସମାଜର କର୍ମକର୍ମାଣୀ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ସେ ରଚନା କରିଥିଲେ 'ପୁରୋହିତ ସର୍ବସ୍ୱ' ୫ଖଣ୍ଡ ଓ ତାର ଅନୁବାଦ ଟୀକା ୪ ଖଣ୍ଡ । ବାଳକୃଷ୍ଣ ଏକାଧାରରେ ଥିଲେ ଜଣେ ସଫଳ ଶିଶୁ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଅନୁବାଦକ ।
ପ୍ରକାଶିତ ରଚନାବଳୀ
[ସମ୍ପାଦନା]- ଚନ୍ଦ୍ରଗୁପ୍ତ (ନାଟକ) ୧୯୨୬
- ଶିବଦାସ (ନାଟକ) ୧୯୨୭, ୧୯୩୭
- ନୂଆ ପାଠ
- ଚାରୁ ପାଠ ୩ଖଣ୍ଡ
- ବୀର ଚରିତ ମାଳା
- ସତୀ ଚରିତ ମାଳା
- ସପନ ପୁରୀ (ଶିଶୁ ଉପନ୍ୟାସ)
- ମୈଥିଳୀ
- ପଦ୍ମିନୀ
- ଫୁଲ ଚାଙ୍ଗୁଡ଼ି
- ନୀତି ମଞ୍ଜରୀ ବା ଏସପ୍ କଥା ୧୯୨୯
- ଶିଶୁ ରାମାୟଣ ୧୯୨୩
- ସେ ଦେଶର ପୁରାଣ କଥା[୩]
ସମ୍ପାଦନା
[ସମ୍ପାଦନା]- ସାରସ୍ୱତ ରାମାୟଣ ୧୯୩୧
- ସାରସ୍ୱତ ଗୀତା
- ପୁରୋହିତ ସର୍ବସ୍ୱ[୪]
- ଶିଶୁ ସଂଖାଳି ୧ମ ଓ ୨ୟ ଭାଗ
ଆଧାର
[ସମ୍ପାଦନା]- ↑ ଜେନା, ମୁରାରୀ ମୋହନ (୧୯୬୬). ସାହିତ୍ୟିକ ବାଳକୃଷ୍ଣ କର. କଟକ: ଜଗନ୍ନାଥ ରଥ. pp. ୭୬.
- ↑ P.E.N. All-India Centre, Bombay; All-India Centre of the P.E.N. (1972). The Indian P.E.N. P.E.N. All-India Centre. Retrieved 24 September 2024.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. 968–970. ISBN 81-903352-3-5.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (3rd ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୪୦୨, ୮୨୦. ISBN 81-7400-331-2.