କୁରତୁଲ ଏନ ହୈଦର
କୁରତୁଲ ଏନ ହୈଦର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଆଲିଗଡ଼, ଉତ୍ତର ପ୍ରଦେଶ | ୨୦ ଜାନୁଆରୀ ୧୯୨୭
ମୃତ୍ୟୁ | ୨୧ ଅଗଷ୍ଟ ୨୦୦୭ ନୋଏଡ଼ା | (ବୟସ ୮୦)
ଛଦ୍ମନାମ | ଐନି ଆପା |
ବୃତ୍ତି | ଲେଖିକା |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଲକ୍ଷ୍ନୌ ବିଶ୍ୱ ବିଦ୍ୟାଳୟ, ଇନ୍ଦ୍ରପ୍ରସ୍ଥ ମହାବିଦ୍ୟାଳୟ |
ଶୈଳୀ | ଔପନ୍ୟାସିକା ଓ ଗାଳ୍ପିକା |
ସାହିତ୍ୟ କୃତି | ଆଗ କା ଦରିଆ ( ୧୯୫୯ ) |
ଦସ୍ତଖତ |
କୁରତୁଲ ଏନ ହୈଦର (୨୦ ଜାନୁଆରୀ ୧୯୨୭ - ୨୧ ଅଗଷ୍ଟ ୨୦୦୭) ଉର୍ଦ୍ଦୁ ଭାଷାର ଜଣେ ଗାଳ୍ପିକା, ଔପନ୍ୟାସିକା, ଶିକ୍ଷାବିତ ଓ ସାମ୍ବାଦିକ ଥିଲେ । ଉର୍ଦ୍ଦୁ ଭାଷାର ଏହି ସାହିତ୍ୟିକ ୧୯୫୯ ମସିହାର ରଚନା ଆଗ କା ଦରିଆ ପାଇଁ ପରିଚିତ । ଏହି ଉପନ୍ୟାସର କଥାବସ୍ତୁ ୪ର୍ଥ ଶତାବ୍ଦୀର ଅବିଭାଜିତ ଭାରତ ଇତିହାସରୁ ଆରମ୍ଭ ହୋଇ ଭାରତ ବିଭାଜନ ପର୍ଯ୍ୟନ୍ତ ବ୍ୟାପ୍ତ । ଐନୀ ୧୯୬୭ ମସିହାରେ "ପତଝର କି ଆୱାଜ" ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯ରେ "ଆଖରୀ ଶବ କେ ହମସଫର" ପାଇଁ ଜ୍ଞାନପୀଠ ପୁରସ୍କାର ଓ ୧୯୯୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ପାଇଥିଲେ । ୨୦୦୫ ମସିହାରେ ତାଙ୍କ ପଦ୍ମ ଭୂଷଣ ପୁରସ୍କାର ମିଳିଥିଲା ।[୧]
ଜୀବନୀ
[ସମ୍ପାଦନା]ଐନୀ ୧୯୨୭ ମସିହା ଜାନୁଆରୀ ୨୦ ତାରିଖରେ ଉତ୍ତର ପ୍ରଦେଶର ଆଲିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପୈତୃକ ଘର ଉତ୍ତର ପ୍ରଦେଶର ନେହତୌର । ଇରାନର କବି କୁରତ-ଉଲ-ଐନ ତାହିରାଙ୍କ ନାମ ଅନୁସାର ଐନୀଙ୍କ ନାମ କୁରତୁଲ ଐନ ରଖା ଯାଇଥିଲା । "କୁରତୁଲ ଐନ"ର ଅର୍ଥ ଆଖିର ସାନ୍ତ୍ୱନା । ଐନୀ ଲେଖାଲେଖି ଆରମ୍ଭ କରିବା ବେଳକୁ କବିତା ପ୍ରଧାନ ଉର୍ଦ୍ଦୁ ସାହିତ୍ୟରେ ଉପନ୍ୟାସ ଏକ ପ୍ରମୁଖ ବିଭାଗ ଭାବରେ ସ୍ୱୀକୃତ ହୋଇ ନଥିଲା । ଉର୍ଦ୍ଦୁ ଉପନ୍ୟାସରେ ନୂତନତ୍ୱ ଆଣି ଐନୀ ଏହାକୁ ଗ୍ରହଣୀୟ କରିଥିଲେ । ଐନୀଙ୍କୁ ଉର୍ଦ୍ଦୁ ସାହିତ୍ୟର "ଗ୍ରାଣ୍ଡ ଡେମ" ବୋଲି ଉଲ୍ଲେଖ କରାଯାଏ ।[୧]
କୁରତୁଲ "ଐନୀ ଆପା" ଭାବରେ ପରିଚିତ ଥିଲେ । ଐନିଙ୍କର ପିତାମାତା ଉଭୟ ସାହିତ୍ୟିକ ଥିଲେ । ପିତା ସଜ୍ଜାଦ ହୈଦର ଇଲଦାରିମ(୧୮୮୦-୧୯୪୩) ଜଣେ ପ୍ରମୁଖ ଉର୍ଦ୍ଦୁ ଗାଳ୍ପିକ ଥିଲେ । ମାତା ନଜର ଜାହାରା (୧୮୯୪ - ୧୯୪୩) ଜଣେ ଔପନ୍ୟାସିକା ଥିଲେ । ନଜର ଜାହାରା ବିବାହ ପୂର୍ବରୁ ବିନ୍ତ-ଇ-ନଜରୁଲ ବକର ନାମରେ ଲେଖୁଥିଲେ ।
ଐନୀ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜ[୨] ଓ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର "ଇସାବେଲା ଥୋବର୍ଣ୍ଣ ମହାବିଦ୍ୟାଳୟ"ରେ ପାଠ ପଢ଼ିଥିଲେ । ସେ ୧୯୪୭ରେ ପାକିସ୍ତାନ ଚାଲିଯାଇଥିଲେ । ପରେ କିଛି ସମୟ ଇଂଲଣ୍ଡରେ ରହିବା ପରେ ୧୯୬୦ ମସିହାରେ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତ ଫେରି ସେ ପ୍ରାୟ ୨୦ ବର୍ଷ ମୁମ୍ବାଇରେ ରହିଥିଲେ । ପରେ ଦିଲ୍ଲୀ ନିକଟସ୍ଥ ନୋଏଡ଼ାରେ ରହିଥିଲେ । ସେ ଆଜୀବନ ଅବିବାହିତ ଥିଲେ ।
ଭାରତ ବିଭାଜନ ସମୟରେ ଐନୀ ପାକିସ୍ତାନ ଚାଲି ଯାଇଥିଲେ ।[୩]. ୧୯୫୯ ମସିହାରେ ପ୍ରକାଶିତ ଉପନ୍ୟାସ "ଆଗ କା ଦରିଆ" ପାକିସ୍ତାନରେ ବିବାଦିତ ହୋଇଥିଲା । ପୁସ୍ତକଟି ପ୍ରକାଶ ହେବା ପରେ ପରେ ଐନୀ ଭାରତକୁ ଚାଲି ଆସିଥିଲେ । ସାମ୍ବାଦିକତାକୁ ନିଜ ବୃତି ଭାବରେ ଆବୋରୀ ଥିଲେ ମଧ୍ୟ ଐନୀ ନିୟମିତ ଭାବରେ ଉପନ୍ୟାସ, ଗଳ୍ପ ଓ ଅନୁବାଦ ପ୍ରକାଶ କରୁଥିଲେ । ତାଙ୍କର ୩୦ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ୧୯୬୪ରୁ ୧୯୬୮ ପର୍ଯ୍ୟନ୍ତ ସେ ଇମ୍ପ୍ରିଣ୍ଟ ପତ୍ରିକାର ସମ୍ପାଦନା କରିଥିଲେ । ୧୯୬୮ରୁ ୧୯୭୫ ପର୍ଯ୍ୟନ୍ତ ସେ "ଇଲୁଷ୍ଟ୍ରେଟଡ଼ ଉଇକ୍ଲି" ପତ୍ରିକାର ସମ୍ପାଦନା ମଣ୍ଡଳୀରେ ଥିଲେ । ତାଙ୍କ ଲିଖିତ ପୁସ୍ତକଗୁଡ଼ିକ ଇଂରାଜୀ ଓ ଅନ୍ୟ ଭାଷାକୁ ଅନୁବାଦିତ ହୋଇଛି ।
ଐନୀ ଭାରତରେ ଆଲିଗଡ଼ ବିଶ୍ୱବିଦ୍ୟାଳୟ ଏବଂ ବିଦେଶରେ କାଲିଫର୍ଣ୍ଣିଆ, ଚିକାଗୋ, ଉସକନସିନ ଓ ଆରିଜୋନା ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବରେ ଶିକ୍ଷାଦାନ କରିଥିଲେ । ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ସେ "ପ୍ରଫେସର ଅଫ ଏମିରିଟସ" ଓ ଆଇଓ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଲେଖା କାର୍ଯ୍ୟକ୍ରମର "ଇନ ରେସିଡେନ୍ସି"(୧୯୭୯) ଥିଲେ ।
ରଚନାବଳୀ
[ସମ୍ପାଦନା]୧୧ବର୍ଷ ବୟସରୁ ଐନୀ ସାହିତ୍ୟ ସର୍ଜନା ଆରମ୍ଭ କରିଥିଲେ । ସେ ୧୨ଟି ଉପନ୍ୟାସ ଓ ୪ଟି ଗଳ୍ପ ସଂକଳନ ରଚନା କରିଥିଲେ । ବହୁ କ୍ଲାସିକ ପୁସ୍ତକର ସେ ଅନୁବାଦ କରିଥିଲେ । ତାଙ୍କ ନିଜ ପୁସ୍ତକ ଇଂରାଜୀ ଓ ଅନ୍ୟ ଭାଷାକୁ ମଧ୍ୟ ଅନୁବାଦିତ ହୋଇଥିଲା ।[୪]
"ଆଗ କା ଦୂନିଆ" ଉପନ୍ୟାସ ଐତିହାସିକ ପୃଷ୍ଠଭୂମୀରେ ଲେଖା ଯାଇଥିଲା । ଏହା ୪ର୍ଥ ଶତାବ୍ଦୀରୁ ସ୍ୱାଧୀନତା ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ ଅବିଭକ୍ତ ଭାରତର ଇତିହାସ ଉପରେ ପର୍ଯ୍ୟବସିତ । ଏଥିରେ ପାକିସ୍ତାନ ସପକ୍ଷବାଦୀଙ୍କ ଦୃଷ୍ଟିକୋଣରୁ ଲେଖା ଯାଇଥିଲା । "ରିଭର ଅଫ ଫାୟାର" ପୁସ୍ତକ ବିଷୟରେ ଦ ଟାଇମସ ଲିଟରାରୀ ପତ୍ରିକାରେ ଆମେର ହୁସେନ ଲେଖିଥିଲେ ଯେ, ଏହି ଉପନ୍ୟାସ ସ୍ପାନୀସ ଉପନ୍ୟାସ "ୱାନ ହଣ୍ଡ୍ରେଡ଼ ଇୟରସ୍ ଅଫ ସଲିଚୁଡ଼" ସହିତ ତୁଳନୀୟ । ୨୦୧୯ରେ ନ୍ୟୁୟର୍କ ଟାଇମସ ଆଦିତି ଶ୍ରୀରାମ ଲେଖିଥିଲେ ଯେ ୧୯୫୯ର ଏହି ଉପନ୍ୟାସ ୨୦୧୯ରେ ମଧ୍ୟ ଉପଯୋଗୀ ।[୫] କମିଲ ଏହସାନ "ଦ ନେସନ"ରେ ଲେଖିଥିଲେ ଯେ ରିଭର ଅଫ ଫାୟାର ୨୫୦୦ ବର୍ଷର ଆଧୁନିକ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶର ଏକ ପୂର୍ଣ୍ଣ ଓ ସମନ୍ୱିତ ଇତିହାସ ପରିବେଷଣ କରେ ।[୩]
ନଅ ବର୍ଷ ବୟସରେ ଐନୀଙ୍କର ପ୍ରଥମ କ୍ଷୁଦ୍ର ଗଳ୍ପ "ବି-ଚୁହିଆ" ଶିଶୁପତ୍ରିକା "ଫୁଲ"ରେ ପ୍ରକାଶିତ ହୋଇଥିଲା । ୧୯ ବର୍ଷ ବୟସରେ ସେ ପ୍ରଥମ ଉପନ୍ୟାସ "ମେରେ ଭି ସନମ ଖାନେ" ଲେଖିଥିଲେ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜ୍ଞାନପୀଠ ପୁରସ୍କାର - ୧୯୮୯ (ଆଖିର-ଏ-ଶବ କେ ହମସଫର)
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୬୭(ପତଝଡ଼ କି ଆୱାଜ)
- ସୋଭିଏତ ଲ୍ୟାଣ୍ଡ ନେହେରୁ ପୁରସ୍କାର - ୧୯୬୯
- ଗାଲିବ ସମ୍ମାନ - ୧୯୮୫
- ବାହାଦୂର ଶାହା ଜଫର ପୁରସ୍କାର - ୨୦୦୦(ଉର୍ଦ୍ଦୁ ଏକାଡେମୀଦ୍ୱାରା ପ୍ରଦତ୍ତ)
- ପଦ୍ମଶ୍ରୀ - ୧୯୮୪
- ପଦ୍ମ ଭୂଷଣ - ୨୦୦୫[୧][୪]
ମୃତ୍ୟୁ
[ସମ୍ପାଦନା]ଐନୀ ନୋଏଡ଼ାର ଏକ ଡାକ୍ତରଖାନାରେ ୨୦୦୭ ଅଗଷ୍ଟ ୨୧ରେ ମୃତ୍ୟୁବରଣ କରିଥିଲେ । ଜାମିଆ ମିଲିଆ ଇସଲାମିଆ ଶ୍ମଶାନରେ ତାଙ୍କର ଶେଷ କର୍ମ ସମ୍ପାଦିତ ହୋଇଥିଲା ।
ସମାଲୋଚନା
[ସମ୍ପାଦନା]ଏହା ବିଶ୍ୱାସ କରାଯାଉଥିଲା ଯେ, ଐନୀଙ୍କର ରଚନାରେ ଅନେକ ଭୁଲ ରହିଥିଲେ ମଧ୍ୟ ତାଙ୍କ ସାମାଜିକ ପ୍ରତିଷ୍ଠା ଯୋଗୁ, ସେ ବେଶୀ ଆଲୋଚନାର ସମ୍ମୁଖିନ ହୋଇ ନଥିଲେ । ଉର୍ଦ୍ଦୁ ଔପନ୍ୟାସିକ ପୈଗମ ଅଫକି ନିଜ ପ୍ରସଙ୍ଗ "ଆଗ କା ଦରିଆ - ଚନ୍ଦ ସୱାଲାତ"ରେ ଲେଖିଥିଲେ ଯେ, ଯେହେତୁ "ଐନୀ ଆଗ କା ଦରିଆ" ଖୁବ କମ ବୟସରେ ଲେଖିଥିଲେ ଓ ତାଙ୍କ ଆଖପାଖର ସମସ୍ତ ଲୋକ ଭାରତ ଛାଡ଼ି ପାକିସ୍ତାନ ଚାଲି ଯାଇଥିଲେ ସେ ଭାରତରେ ରହି ଯାଇଥିବା ଲୋକଙ୍କ ଦୃଷ୍ଟିକୋଣ ତାଙ୍କ ପୁସ୍ତକରେ ପ୍ରତିଲକ୍ଷିତ ହୋଇ ନଥିଲା । ପୈଗାମଙ୍କର ଏହି ମନ୍ତବ୍ୟ ପରେ ଐନୀ ପୁସ୍ତକର ଇଂରାଜୀ ଅନୁବାଦରେ କିଛି ପରିବର୍ତ୍ତନ କରିଥିଲେ ।
ରଚନାବଳୀ
[ସମ୍ପାଦନା]- ମେରେ ଭି ସନମ ଖାନେ - ୧୯୪୯
- ସଫିନା-ଏ-ଗମ-ଏ-ଦିଲ - ୧୯୫୨
- ପତଝଡ଼ କି ଆୱାଜ - ୧୯୬୫
- ରୋଶନୀ କା ରଫତାର - ୧୯୮୨
- ଚାୟ କା ବାଗ - ୧୯୬୫
- କର କେ ଜାହାନ ଦରାଜ ହୈ
- ଗରଦୀଶ-ଏ-ରଙ୍ଗ-ଏ-ଚମନ
- ଆଖିର-ଏ-ଶବ କେ ହମସଫର
- ଚାନ୍ଦନୀ ବେଗମ
ଅନୁବାଦ
[ସମ୍ପାଦନା]- Sound of the Falling Leaves. Asia Publishing House, 1996. ISBN 0-948724-44-7.
- A Season of Betrayals: A Short Story and Two Novellas. Oxford University Press, 2000. ISBN 0-19-579417-6.
- River of Fire. Translated by Qurratulain Hyder. New Directions Pub., 2003. ISBN 0-8112-1533-4.
- Fireflies in the Mist. New Directions Publishing, 2010. ISBN 0-8112-1865-1
- The Exiles. tr. by Nadeem Aslam. Hesperus Press, 2010. ISBN 1-84391-854-4.
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Qurratulain Hyder". Encyclopædia Britannica. 18 January 2013. Retrieved 7 July 2014.
- ↑ "Vital statistics of colleges that figure among India's top rankers". India Today. 21 May 2001. Retrieved 7 July 2014.
- ↑ ୩.୦ ୩.୧ Ahsan, Kamil (22 July 2019). "The Alternate India". The Nation. Archived from the original on 26 July 2019. Retrieved 26 July 2019.
- ↑ ୪.୦ ୪.୧ "Famous Indian Urdu writer is dead". BBC. 21 August 2007. Retrieved 7 July 2014.
- ↑ Sriram, Aditi (8 April 2019). "An Urdu Epic Puts India's Partition Into Historical Perspective". The New York Times. Retrieved 26 July 2019.
- The text and the context: an encounter with Jnanpith laureates (Citation and Biography). Bharatiya Jnanpith. 1994. ISBN 9788170191827.
ବାହାର ଆଧାର
[ସମ୍ପାଦନା]- Remembering Ainee Aapa, Obituary published by Aaj Archived 2017-01-13 at the Wayback Machine.
- Library of Congress South Asian Literary Recordings Project
- Writer's Muse found at Jahane Rumi blog Archived 2007-09-28 at the Wayback Machine.
- More information about her
- Zee News announcement of her death
- Deccan Herald announcement of her death
- Obituary published by the Friday Times, Pakistan Archived 2008-01-06 at the Wayback Machine.