ୱିଲ୍ପାଟ୍ଟୁ ଜାତୀୟ ଉଦ୍ୟାନ
| ୱିଲ୍ପାଟ୍ଟୁ ଜାତୀୟ ଉଦ୍ୟାନ | |
|---|---|
IUCN Category II (National Park) | |
One of the many trails within the park | |
| ଅବସ୍ଥାନ | North Western and North Central provinces, Sri Lanka |
| ପାଖ ସହର | Mannar, Anuradhapura, Puttalam |
| କ୍ଷେତ୍ରଫଳ | 1,316.671km2 |
| ସ୍ଥାପିତ | 1905 (Wildlife sanctuary) 25 December 1938 (National park) |
| ପରିଚାଳନା | Department of Wildlife Conservation |
ୱିଲ୍ପାଟ୍ଟୁ ଜାତୀୟ ଉଦ୍ୟାନ (ଉଇଲୁ-ପାଟ୍ଟୁ; ଝିଲ୍ଲମାନଙ୍କ ଭୂମି) ଶ୍ରୀଲଙ୍କା ଦ୍ୱୀପରେ ଅବସ୍ଥିତ ଏକ 1,317 ବର୍ଗ କିଳୋମିଟର (131,693 ହେକ୍ଟେୟାର) ବିସ୍ତୃତ ଉଦ୍ୟାନ ଅଟେ ।ଏହି ଉଦ୍ୟାନର ଅନନ୍ୟ ବିଶେଷତା “ଉଇଲୁସ୍” (ଅର୍ଥାତ ପ୍ରାକୃତିକ ଝିଲ୍ଲମାନ) ର ଅସ୍ତିତ୍ୱ ଅଟେ । ଉଇଲ୍ପାଟ୍ଟୁ ଶ୍ରୀଲଙ୍କାର ସବୁଠୁ ବଡ଼ ଏବଂ ସବୁଠୁ ପୁରୁଣା ଜାତୀୟ ଉଦ୍ୟାନ ଅଟେ। ଏହା ଅନୁରାଧାପୁରରୁ ୩୦ କିଳୋମିଟର ପଶ୍ଚିମରେ ଏବଂ ପୁଟ୍ଟଲମରୁ ୨୬ କିଳୋମିଟର ଉତ୍ତରରେ (କଲମ୍ବୋରୁ ପ୍ରାୟ ୧୮୦ କିଳୋମିଟର ଉତ୍ତରରେ) ଅବସ୍ଥିତ ।
ୱିଲପାଟ୍ଟୁରେ ପ୍ରାୟ ଏକଶତ ଛଅଟି ଛୋଟ ହ୍ରଦ (ଝିଲ୍ଲ; ଉଇଲୁ) ରହିଛି । ଉଇଲ୍ପାଟ୍ଟୁ ତାହାର ଚିତାବାଘ (ପ୍ୟାନ୍ଥେରା ପାର୍ଦୁସ୍ କୋଟିୟା) ସଂଖ୍ୟା ପାଇଁ ବିଶ୍ୱର ଶୀର୍ଷ ଜାତୀୟ ଉଦ୍ୟାନମାନଙ୍କ ମଧ୍ୟରେ ଏହାର ସ୍ଥାନ ରହିଛି । Wilderness and Wildlife Conservation Trust ଦ୍ଵାରା ୨୦୧୫ ଜୁଲାଇରୁ ଅକ୍ଟୋବର ମଧ୍ୟରେ କରାଯାଇଥିବା ଏକ କ୍ୟାମେରା ସର୍ଭେରୁ ଜଣାଯାଇଛି ଯେ ସେତେବେଳେ ସର୍ଭେ ଅଞ୍ଚଳରେ ପ୍ରାୟ ଅଣଚାସଟି ଚିତାବାଘର ଫୋଟୋଚିତ୍ର ଦେଖିବାକୁ ମିଳିଥିଲା ।[୧] ଶ୍ରୀଲଙ୍କା ଗୃହଯୁଦ୍ଧ ସମୟରେ ସୁରକ୍ଷା ସମସ୍ୟା ସମ୍ପର୍କରେ ଚିନ୍ତା କାରଣରୁ ଏହି ଉଦ୍ୟାନକୁ ଡିସେମ୍ବର ୧୯୮୮ରୁ ୧୬ ମାର୍ଚ୍ଚ ୨୦୦୩ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା, ଏବଂ ୧୬ ବର୍ଷ ପରେ ପୁନଃ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଥିଲା ।
ଇତିହାସ
[ସମ୍ପାଦନା]ମହାବଂଶ (ପାଳି ଭାଷାରେ ଉପଲବ୍ଧ ଶ୍ରୀଲଙ୍କାର ଇତିହାସ) ରେ ଲେଖାଯାଇଛି ଯେ ୫୪୩ ଖ୍ରୀଷ୍ଟପୂର୍ବରେ ରାଜକୁମାର ବିଜୟ ତମ୍ବପଣି ନାମକ ସ୍ଥାନରେ ଅବତରଣ କରିଥିଲେ, ଯାହା ବର୍ତ୍ତମାନ କୁଦିରିମଲାଇ ପଏଣ୍ଟ (ହର୍ସ ପଏଣ୍ଟ) ନାମରେ ଜ୍ଞାତ । ସେ କୁବେନି ସହିତ ବିବାହ କରି ସିଂହଳ ଜାତିର ସ୍ଥାପନା କରିଥିଲେ । ୧୯୦୫ ମସିହାରେ ଏହି ଅଞ୍ଚଳକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା ଏବଂ ୧୯୩୮ମସିହାରେ ଏହାକୁ ଜାତୀୟ ଉଦ୍ୟାନ ମର୍ଯ୍ୟାଦା ଦିଆଯାଇଥିଲା ।[୨]
ଜଳବାୟୁ
[ସମ୍ପାଦନା]ଏଠାର ବାର୍ଷିକ ବର୍ଷା ପ୍ରାୟ ୧୦୦୦ ମିଲିମିଟର ଏବଂ ବାର୍ଷିକ ସାଧାରଣ ତାପମାତ୍ରା ପ୍ରାୟ 27.2° ସେଲସିଅସ୍ ଅଟେ । ମାର୍ଚ୍ଚ ମାସରେ ପ୍ରାକ-ମୌସୁମୀ ଏବଂ ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଥିବା ପୂର୍ବ-ଉତ୍ତର ମୌସୁମୀ ଏଠାରେ ବର୍ଷାର ମୁଖ୍ୟ ସ୍ରୋତ।
ବନସ୍ପତି ଏବଂ ପ୍ରାଣୀ
[ସମ୍ପାଦନା]ୱିଲପାଟ୍ଟୁ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳର ନିମ୍ନ ଶୁଷ୍କ ଅଞ୍ଚଳରେ ଅବସ୍ଥିତ । ଏଠାରେ ବିଭିନ୍ନ ପ୍ରକାର ଗୁଳ୍ମ ଓ ବୃକ୍ଷ ଦେଖିବାକୁ ମିଳେ । ଉଇଲ୍ପାଟ୍ଟୁ ଜାତୀୟ ଉଦ୍ୟାନରେ ପ୍ରାୟ ୩୧ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କ ଚିହ୍ନଟ ହୋଇଛି । ହାତୀ, ଚିତାବାଘ, ଭାରତୀୟ ଭାଲୁ, ଜଙ୍ଗଲି ମହିଷ, ନେଉଳ, ତଥା ପେଚା, ବାଜ, ଭାରତୀୟ ମୟୂର, ସର୍ପଚିଲ, ବାଇଲି ବଗୁଲା, କୋଇଲି ଇତ୍ୟାଦି ପକ୍ଷୀ ଏଠାରେ ବାସ କରନ୍ତି । ମଗର ମାଛ, ଝିଟିପିଟି ଜାତୀୟ ଜୀବ, ଭାରତୀୟ କୋବ୍ରା ଏବଂ ଫ୍ଲାପ୍-ଶେଲ୍ କଚ୍ଛପ ଏଠାର ସାଧାରଣ ସରିସୃପ ।[୨]
ସୀମା ସଂପ୍ରସାରଣ
[ସମ୍ପାଦନା]ୱିଲପାଟ୍ଟୁ ଜାତୀୟ ଉଦ୍ୟାନର ପ୍ରାରମ୍ଭିକ ସୀମା ଦକ୍ଷିଣରେ ପୁତ୍ତଲମ ଜିଲ୍ଲା ଏବଂ ପୂର୍ବରେ ଅନୁରାଧାପୁର ଜିଲ୍ଲା ମଧ୍ୟରେ ସୀମିତ ଥିଲା । ୧୦ ଅକ୍ଟୋବର ୨୦୧୨ ରେ, ଶ୍ରୀଲଙ୍କା ସରକାର ବନ ସଂରକ୍ଷଣ ଆଦେଶ (ଅଧ୍ୟାୟ 451) ର ଧାରା 3 ଅନୁସାରେ ସରକାରୀ ଗେଜେଟ ଦ୍ଵାରା ସୂଚନା ପ୍ରକାଶ କରି ଉଦ୍ୟାନର ସୀମାକୁ ବିସ୍ତାର କରାଯାଇ ଉତ୍ତର ପ୍ରଦେଶର ଅଞ୍ଚଳଗୁଡ଼ିକୁ ମଧ୍ୟ ସମ୍ମିଳିତ କରାଗଲା । ୨୦୧୨ ମସିହାରେ ୱିଲପାଟ୍ଟୁ ଜାତୀୟ ଉଦ୍ୟାନର ଏହି ସୀମା ବିସ୍ତାରକୁ ଆଭ୍ୟନ୍ତରୀଣ ଭାବେ ବିସ୍ଥାପିତ ଲୋକମାନଙ୍କ ପାଇଁ ଗୁରୁତର ବାଧା ବୋଲି ବିବେଚନା କରାଗଲା, କାରଣ ଯେଉଁମାନେ ଏଲଟିଟିଇ ଦ୍ୱାରା ଉତ୍ତର ପ୍ରଦେଶରୁ ମୁସଲମାନମାନଙ୍କ ବିସ୍ଥାପନରେ ପ୍ରଭାବିତ ହୋଇଥିଲେ ଓ ନିଜ ଜନ୍ମଭୂମିକୁ ଫେରିବାକୁ ଚାହୁଁଥିଲେ, ଏହାଦ୍ୱାରା ପ୍ରଭାବିତ ହେଲେ ।[୩]
ଗ୍ୟାଲେରୀ
[ସମ୍ପାଦନା]ଜାତୀୟ ଉଦ୍ୟାନ ଭିତରେ ତୋଳାଯାଇଥିବା ବିଭିନ୍ନ ପ୍ରାଣୀଙ୍କ ଛବି।
ଆଧାର
[ସମ୍ପାଦନା]- ↑ Kittle, A. M.; Watson, A. C.; Samaranayake, P. K. L. (2021). "Edge effects and distribution of prey forage resources influence how an apex predator utilizes Sri Lanka's largest protected area". Journal of Zoology (in ଇଂରାଜୀ). 314 (1): 31–42. doi:10.1111/jzo.12870. ISSN 1469-7998.
- 1 2 "Wilpattu National Park - Natural World Safaris". www.naturalworldsafaris.com (in ଇଂରାଜୀ). Retrieved 2025-10-21.
- ↑ "Muslims Caged In Musali". Colombo Telegraph. 2017-04-09. Retrieved 2021-04-26.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |