Jump to content

ବରାହ ପୁରାଣ

ଉଇକିପିଡ଼ିଆ‌ରୁ
(Varaha Puranaରୁ ଲେଉଟି ଆସିଛି)
The third avatar of lord Vishnu who saved the earth and killed the demon Hiranyaksha.

ବରାହ ପୁରାଣ ବେଦବ୍ୟାସଙ୍କ ଦ୍ୱାରା ରଚିତ ୧୮ଟି ପୁରାଣ ମଧ୍ୟରୁ ଗୋଟିଏ । ଏଥିରେ ୨୪ ହଜାର ଶ୍ଲୋକ ରହିଛି । ଏହି ପୁରାଣରେ ଭଗବାନ ବିଷ୍ଣୁଙ୍କ ତୃତୀୟ ଅବତାର ବରାହ ଅବତାର ବିଷୟରେ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରାଯାଇଛି । ବରାହ ପୁରାଣ ଏକ ବୈଷ୍ଣବ ପୁରାଣ । ଏଥିରେ ମୋଟ ୨୧୭ ଅଧ୍ୟାୟ ଅଛି ।

ବରାହ ପୁରାଣରେ ଭଗବାନ ବିଷ୍ଣୁଙ୍କ ବରାହ ଅବତାରର ପ୍ରମୁଖ କଥା ସହିତ ଅନେକ ତୀର୍ଥ, ବ୍ରତ, ଯଜ୍ଞ, ଦାନ ଆଦିର ବିସ୍ତୃତ ବର୍ଣ୍ଣନା ଦେଖିବାକୁ ମିଳେ । ଏଥିରେ ଭଗବାନ ନାରାୟଣଙ୍କ ପୂଜା ପ୍ରଣାଳୀ, ଶିବ-ପାର୍ବତୀଙ୍କ କଥା, ସୌର ଶୁକରକ୍ଷେତ୍ରରେ ଥିବା ସୂକର/ବରାହ ତୀର୍ଥ, ଆଦିତ୍ୟତୀର୍ଥ, ଚକ୍ରତୀର୍ଥ, ବୈବସ୍ୱତତୀର୍ଥ, ଶାଖୋଟକତୀର୍ଥ, ରୂପତୀର୍ଥ, ସୋମତୀର୍ଥ, ଯୋଗତୀର୍ଥ ପରି ତୀର୍ଥର ମହତ୍ତ୍ୱ, ମୋକ୍ଷଦାୟିନୀ ନଦୀମାନଙ୍କ ଉତ୍ପତ୍ତି ଏବଂ ମାହାତ୍ମ୍ୟ ସହିତ ତ୍ରିଦେବଙ୍କ ମହିମାରେ ବିଶେଷ ଆଲୋକପାତ ହୋଇଛି।[][]

ବିସ୍ତାର

[ସମ୍ପାଦନା]

ଏହି ପୁରାଣ ଦୁଇଟି ଭାଗରେ ବିଭକ୍ତ ଏବଂ ସନାତନ ଭଗବାନ ବିଷ୍ଣୁଙ୍କ ମାହାତ୍ମ୍ୟର ବର୍ଣ୍ଣନା ଏଥିରେ ରହିଛି । ବରାହ ପୁରାଣର ଶ୍ଲୋକ ସଂଖ୍ୟା ୨୪ ହଜାର[] ଏବଂ ପ୍ରଥମେ ପ୍ରାଚୀନ କାଳରେ ମହର୍ଷି ବେଦବ୍ୟାସ ଏହାକୁ ଲେଖିଥିଲେ।[] ଏଥିରେ ଭଗବାନ ଶ୍ରୀହରିଙ୍କ ବରାହ ଅବତାରର ପ୍ରମୁଖ କଥା ସହିତ ଅନେକ ତୀର୍ଥ (ପ୍ରାୟତଃ ସୋରୋ ସୂକରକ୍ଷେତ୍ର), ବ୍ରତ, ଯଜ୍ଞ-ଯଜନ, ଶ୍ରାଦ୍ଧ-ତର୍ପଣ, ଦାନ ଏବଂ ଅନୁଷ୍ଠାନ ଆଦିର ଶିକ୍ଷାପ୍ରଦ ଏବଂ ଆତ୍ମକଲ୍ୟାଣକାରୀ ବର୍ଣ୍ଣନା ମିଳେ । ଭଗବାନ ଶ୍ରୀହରିଙ୍କ ମହିମା, ପୂଜା ପ୍ରଣାଳୀ, ହିମାଲୟ କନ୍ୟା ଭାବେ ଗୌରୀଙ୍କ ଉତ୍ପତ୍ତି, ତଥା ଭଗବାନ ଶଙ୍କରଙ୍କ ସହିତ ତାଙ୍କର ବିବାହର ରୋମାଞ୍ଚକ କଥା ଏଥିରେ ବିସ୍ତାର ଭାବରେ ଉଲ୍ଲିଖିତ । ଏହା ବ୍ୟତୀତ ସୋରୋ ସୂକରକ୍ଷେତ୍ରର ଆଦିତ୍ୟତୀର୍ଥ, ଚକ୍ରତୀର୍ଥ, ରୂପତୀର୍ଥ, ଯୋଗତୀର୍ଥ, ସୋମତୀର୍ଥ, ଶାଖୋଟକତୀର୍ଥ, ବୈବସ୍ୱତତୀର୍ଥ ଆଦି ତୀର୍ଥର ବର୍ଣ୍ଣନା, ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କର ଲୀଳାରେ ପ୍ରଭାବିତ ମଥୁରାମଣ୍ଡଳ ଏବଂ ବ୍ରଜର ସମସ୍ତ ତୀର୍ଥଙ୍କ ମହିମା ଏବଂ ପ୍ରଭାବର ବିସ୍ତୃତ ଏବଂ ରୋଚକ ଉଲ୍ଲେଖ ମଧ୍ୟ ରହିଛି ।

କଥାବସ୍ତୁ

[ସମ୍ପାଦନା]

ବରାହ ପୁରାଣରେ ପ୍ରଥମେ ପୃଥିବୀ ଏବଂ ବରାହ ଭଗବାନଙ୍କ ଶୁଭ ସମ୍ବାଦ ରହିଛି, ଯାହା ସତ୍ୟୟୁଗରେ ସୋରୋର ସୂକରକ୍ଷେତ୍ରର ଗୃଦ୍ଧବଟ ବୃକ୍ଷ ତଳେ ଘଟିଥିଲା । ପରେ ଆଦି ସତ୍ୟୟୁଗର ବୃତ୍ତାନ୍ତରେ ରୈମ୍ୟର ଚରିତ୍ର, ପରେ ଦୁର୍ଜେୟ, ପରେ ଶ୍ରାଦ୍ଧକଳ୍ପ, ମହାତପା, ଗୌରୀଙ୍କ ଉତ୍ପତ୍ତି, ବିନାୟକ, ନାଗଗଣ, ସେନାପତି କାର୍ତ୍ତିକେୟ, ଆଦିତ୍ୟଗଣ, ଦେବୀ ଧନଦା ଏବଂ ବୃଷଭଙ୍କ କଥା ଉଲ୍ଲେଖ ଅଛି । ତାପରେ ସତ୍ୟତପା ବ୍ରତର କଥା, ପରେ ଅଗସ୍ତ୍ୟ ଗୀତା ଏବଂ ରୁଦ୍ର ଗୀତା ଗାୟନ ରହିଛି । ମହିଷାସୁର ବଦ୍ଧରେ ବ୍ରହ୍ମା, ବିଷ୍ଣୁ ଏବଂ ରୁଦ୍ରଙ୍କ ଶକ୍ତିର ମାହାତ୍ମ୍ୟ ବର୍ଣ୍ଣନା ଅଛି । ତାପରେ ବିଭିନ୍ନ ତୀର୍ଥମାନଙ୍କ ମାହାତ୍ମ୍ୟ, ମଥୁରାର ଶ୍ରେଷ୍ଠତା, ଶ୍ରାଦ୍ଧବିଧି, ଯମଲୋକର ବର୍ଣ୍ଣନା, କର୍ମଫଳ, ବିଷ୍ଣୁ ବ୍ରତ, ଗୋକର୍ଣ୍ଣର ପାପନାଶକ ମାହାତ୍ମ୍ୟ ଆଦିର ବିସ୍ତାର ଉଲ୍ଲେଖ ଅଛି । ଏହିପରି ଭାବରେ ବର୍ଣ୍ଣନା ସହ ପୂର୍ବଭାଗ ସମାପ୍ତ ଅଟେ । ଉତ୍ତରଭାଗରେ ପୁଲସ୍ତ୍ୟ ଏବଂ ପୁରୁରାଜଙ୍କ ସମ୍ବାଦ ରୂପେ ସମସ୍ତ ତୀର୍ଥମାନଙ୍କ ମାହାତ୍ମ୍ୟ ଏବଂ ପରେ ସମସ୍ତ ଧର୍ମର ବ୍ୟାଖ୍ୟା ଏବଂ ପୁଷ୍କର ନାମକ ପୂଣ୍ୟ ପର୍ବର ବର୍ଣ୍ଣନା ମିଳେ ।

ଚଳଚ୍ଚିତ୍ର ରୂପାନ୍ତର

[ସମ୍ପାଦନା]

ମହା ଅବତାର ନରସିଂହ ଚଳଚ୍ଚିତ୍ର (୨୦୨୫ରେ ମୁକ୍ତି)ର ନିର୍ମାତାମାନେ କାହାଣୀ ଗଠନ ପାଇଁ ବିଭିନ୍ନ ଐତିହାସିକ ଏବଂ ଶାସ୍ତ୍ରୀୟ ସନ୍ଦର୍ଭ ସମ୍ମିଳିତ କରିଛନ୍ତି, ବିଶେଷତଃ ପ୍ରହ୍ଲାଦପୁରୀ ମନ୍ଦିରର ଅବଶେଷ, ହମ୍ପୀର ପୁନଃସ୍ଥାପିତ ଧର୍ମକ୍ଷେତ୍ର, ଏବଂ ଅହୋବିଲମର ନବନରସିଂହ ମନ୍ଦିର ପରି ଐତିହାସିକ ସ୍ଥଳ ସହିତ ବିଷ୍ଣୁ ପୁରାଣ, ନରସିଂହ ପୁରାଣ, ବରାହ ପୁରାଣ ଏବଂ ଶ୍ରୀମଦ୍ଭାଗବତ ପୁରାଣ ଭଳି ପବିତ୍ର ଗ୍ରନ୍ଥରୁ ପ୍ରେରଣା ଗ୍ରହଣ କରାଯାଇଛି ।[]

  1. Dalal 2014, p. 444.
  2. Rocher 1986, pp. 241–242.
  3. Hazra 1940, p. 7 with footnote 42.
  4. वराहपुराण, गीताप्रेस गोरखपुर
  5. "CBFC | Search Film". cbfcindia.gov.in. Retrieved 2025-11-23.