ବଲ୍ଲଭାଚାର୍ଯ୍ୟ
| ଶ୍ରୀ ବଲ୍ଲଭାଚାର୍ଯ୍ୟ | |
|---|---|
| ଜନ୍ମ | ୨୭ ଅପ୍ରେଲ ୧୪୭୯ ଚମ୍ପାରନ, ଛତିଶଗଡ |
| ମୃତ୍ୟୁ | ୨୬ ଜୁନ ୧୫୩୧ ବନାରସ |
| ସଂସ୍ଥାପକ | ପୁଷ୍ଟିମାର୍ଗ ଶୁଦ୍ଧାଦ୍ଵୈତ |
| Order | ବେଦାନ୍ତ |
| ଦର୍ଶନ | शुद्धाद्वैत, पुष्टिमार्ग |
ଶ୍ରୀ ବଲ୍ଲଭାଚାର୍ଯ୍ୟ (୧୪୭୯–୧୫୩୧ ଇ.) ଯିଏ ବଲ୍ଲଭ, ମହାପ୍ରଭୁ, ମହାପ୍ରଭୁଜୀ ଏବଂ ବିଷ୍ଣୁସ୍ଵାମୀ କିମ୍ବା ବଲ୍ଲଭାଚାର୍ଯ୍ୟ ନାମରେ ମଧ୍ୟ ପରିଚିତ, ସେ ଜଣେ ଭାରତୀୟ ହିନ୍ଦୁ ସନ୍ଥ ଓ ଦାର୍ଶନିକ ଥିଲେ । ସେ ବ୍ରଜରେ ବୈଷ୍ଣବ ଧର୍ମର କୃଷ୍ଣ କେନ୍ଦ୍ରିତ ପୁଷ୍ଟିମାର୍ଗ ଓ ଶୁଦ୍ଧାଦ୍ୱୈତ ବେଦାନ୍ତ ଦର୍ଶନର ମୂଳ ସ୍ଥାପକ । ତାଙ୍କୁ ଭଗବାନ୍ କୃଷ୍ଣଙ୍କର ଅବତାର ବୋଲି ବିଶ୍ଵାସ କରାଯାଏ । ସେ ବେଦଶାସ୍ତ୍ରରେ ପାରଙ୍ଗତ ଥିଲେ । ବର୍ତ୍ତମାନ ତାଙ୍କର ଏହି ମତବାଦ ବା ପରମ୍ପରାକୁ ବଲ୍ଲଭ ସମ୍ପ୍ରଦାୟ କିମ୍ବା ପୁଷ୍ଟିମାର୍ଗ ସମ୍ପ୍ରଦାୟ ନାମରେ ଜଣାଯାଏ । ସେ ସନାତନ ହିନ୍ଦୁ ଧର୍ମର ଜଗଦ୍ଗୁରୁ ଆଚାର୍ଯ୍ୟ ଏବଂ ପୁଷ୍ଟିମାର୍ଗ ବଲ୍ଲଭ ସମ୍ପ୍ରଦାୟର ଭକ୍ତି ପରମ୍ପରା ଏବଂ ଶୁଦ୍ଧାଦ୍ୱୈତ ଦର୍ଶନର ସ୍ଥାପକ ଆଚାର୍ଯ୍ୟ । ସେ ନିଜର ବେଦାନ୍ତ ବ୍ୟାଖ୍ୟା ପରେ ଏହି ସମ୍ପ୍ରଦାୟକୁ ସ୍ଥାପନ କଲେ । ସେ ବେଦବ୍ୟାସ ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ଜଗଦ୍ଗୁରୁ ଆଚାର୍ଯ୍ୟ ଏବଂ ପ୍ରଚଳିତ ଚାରି ବୈଷ୍ଣବ ସମ୍ପ୍ରଦାୟରୁ ଗୋଟିଏ — ରୁଦ୍ର ସମ୍ପ୍ରଦାୟର ପ୍ରମୁଖ ଆଚାର୍ଯ୍ୟ ।
ଜନ୍ମ
[ସମ୍ପାଦନା]ବଲ୍ଲଭାଚାର୍ଯ୍ୟଙ୍କ ଜନ୍ମ ବିକ୍ରମ ସମ୍ୱତ ୧୫୩୫, ବୈଶାଖ କୃଷ୍ଣ ଏକାଦଶୀ ଦିନ ଦକ୍ଷିଣ ଭାରତର କଙ୍କରୱାଡ଼ ଗ୍ରାମରେ ହୋଇଥିଲା ।[୧] ଏହି ସ୍ଥାନ ଆଜିର ଛତିସଗଡ଼ର ରାୟପୁର ନିକଟସ୍ଥ ଚମ୍ପାରଣ୍ୟ ।[୨] ତାଙ୍କ ବାପାଙ୍କ ନାମ ସୋମଯାଜୀ ଦୀକ୍ଷିତ ଲକ୍ଷ୍ମଣ ଭଟ୍ଟଜୀ, ଓ ମାତାଙ୍କ ନାମ ଇଲ୍ଲମାଗାରୁଜୀ । "ବଲ୍ଲଭ" ଶବ୍ଦର ଅର୍ଥ — ପ୍ରିୟ କିମ୍ବା ପ୍ରେମୀ — ଯାହା ଭଗବାନ୍ ବିଷ୍ଣୁ ଓ କୃଷ୍ଣଙ୍କର ଏକ ନାମ । ବଲ୍ଲଭାଚାର୍ଯ୍ୟ ଛୋଟବେଳାରୁ ହିଁ ବେଦ, ସ୍ମୃତି, ବେଦାଙ୍ଗ, ଉପବେଦ, ଉପନିଷଦ, ପୁରାଣ ଏବଂ ଷଡ୍ଦର୍ଶନ, ବେଦାନ୍ତ, ଆଗମ, ବୈଷ୍ଣବ ତନ୍ତ୍ର, ଜୈନ, ବୌଦ୍ଧ ଏବଂ ଚାର୍ବାକ ବିଚାରଧାରା, କାବ୍ୟ, ସାହିତ୍ୟ ଓ କଳାର ଅଧ୍ୟୟନ କରିଥିଲେ । କମ ବୟସରୁ ତାଙ୍କ ଅଗାଧ ଜ୍ଞାନ ଦେଖି ଲୋକେ ତାଙ୍କୁ ବାଳ ସରସ୍ୱତୀ ବାକ୍ୟପତି ବୋଲି କହିଥିଲେ । ପରେ ସେ ୨୦ ବର୍ଷ ଧରି ସାରା ଭାରତ ଉପମହାଦ୍ୱୀପରେ ଭ୍ରମଣ କଲେ ଓ ଭକ୍ତି ଆନ୍ଦୋଳନର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଲେ । ତାଙ୍କ ମାତା ଇଲ୍ଲମ୍ମାଗାରୁ ବିଜୟନଗର ସାମ୍ରାଜ୍ୟର ରାଜପୁରୋହିତ ପରିବାରର ପୁତ୍ରୀ ଥିଲେ ।
ତାଙ୍କ ବିବାହ ଶ୍ରୀ ଦେବ ଭଟ୍ଟଜୀଙ୍କ କନ୍ୟା ଶ୍ରୀ ମହାଲକ୍ଷ୍ମୀଦେବୀ ସହ ହୋଇଥିଲା । ଦୁଇପୁଅ ହେଲେ;ଶ୍ରୀ ଗୋପୀନାଥ ଓ ଶ୍ରୀ ବିଟ୍ଠଳନାଥ ।
ଶାସ୍ତ୍ରାର୍ଥରେ ବିଜୟ
[ସମ୍ପାଦନା]ବଲ୍ଳଭ ଯେତେବେଳେ ନିଜ ପୂର୍ବପୁରୁଷର ଗାଁ କାଙ୍କରବାଡାରେ ବସବାସ କରୁଥିଲେ, ସେ ସୁଣିଲେ ଯେ ବିଜୟନଗରର ରାଜା କୃଷ୍ଣଦେବରାୟଙ୍କ ଦରବାରରେ ଗୋଟିଏ ଦାର୍ଶନିକ ତର୍କ (ଶାସ୍ତ୍ରାର୍ଥ) ଚାଲୁଅଛି ଏବଂ ସେଠାରେ ବୈଷ୍ଣବ ଦାର୍ଶନିକ ପନ୍ଥୀମାନେ ଅଦ୍ୱୈତ ବେଦାନ୍ତ ପଣ୍ଡିତମାନଙ୍କ ସମ୍ମୁଖରେ ପରାଜିତ ହେଉଥିଲେ । ଏହା ଶୁଣି ସଙ୍ଗେ ସଙ୍ଗେ ବଲ୍ଳଭ ବିଜୟନଗରକୁ ଯାଇ ତର୍କରେ ଯୋଗଦେଲେ ଏବଂ ମାଧ୍ବ ପନ୍ଥର ବ୍ୟାସତୀର୍ଥଙ୍କ ନେତୃତ୍ୱ ନେଉଥିବା ବୈଷ୍ଣବ ଶିବିରରେ ଯୋଗଦେଲେ । ନିଜ ବିଦ୍ୟା ଏବଂ ତର୍କକଳାର କୌଶଳରେ ବଲ୍ଳଭ ଅଦ୍ୱୈତ ପଣ୍ଡିତମାନଙ୍କୁ ପରାଜିତ କଲେ । ଏହା ଫଳରେ ରାଜା କୃଷ୍ଣଦେବରାୟ ତାଙ୍କୁ ବହୁତ ଧନ ଦେଇରେ ସମ୍ମାନିତ କଲେ, ଯେଉଁ ଧନର ବହୁତ ଅଂଶ ସେ ହ୍ମଣମାନଙ୍କୁ ବଣ୍ଟନ କଲେ ।[୩]
ବଲ୍ଳଭଙ୍କୁ ମାଧ୍ବ ସମ୍ପ୍ରଦାୟ ଏବଂ ବିଷ୍ଣୁସ୍ୱାମୀ ସମ୍ପ୍ରଦାୟ ଉଭୟ ପକ୍ଷରୁ "ଆଚାର୍ୟ" ଉପାଧି ପ୍ରଦାନ କରିବା ପାଇଁ ଡକରା ଆସିଲା । କିନ୍ତୁ ବଲ୍ଳଭ ବିଷ୍ଣୁସ୍ୱାମୀ ପନ୍ଥର ଆଚାର୍ୟ ହୋଇବାକୁ ଚୟନ କଲେ । ବିଷ୍ଣୁସ୍ୱାମୀ ସମ୍ପ୍ରଦାୟ ବିଷୟରେ ଅତ୍ୟନ୍ତ କମ୍ ତଥ୍ୟ ମିଳେ, ଏବଂ ବଲ୍ଳଭଙ୍କ ସମୟରେ ଏହି ପନ୍ଥର ଅନୁଗାମୀମାନେ ଅତି କମ୍ ଥିଲେ । ତେବେ ବ୍ୟାପକ ମତ ହେଉଛି—ବଲ୍ଳଭ ନିଜ ଶାସ୍ତ୍ରୀୟ ପନ୍ଥକୁ ପ୍ରତିଷ୍ଠିତ କରିବା ପାଇଁ ବିଷ୍ଣୁସ୍ୱାମୀ ପନ୍ଥକୁ ବାଛିଥିଲେ ।[୪]
କୃତି
[ସମ୍ପାଦନା]ସେ ବହୁତ ଗ୍ରନ୍ଥ ରଚନା କରିଥିଲେ —
- ବ୍ରହ୍ମସୂତ୍ର ଅନୁଭାଷ୍ୟ
- ଷୋଡଶ ଗ୍ରନ୍ଥ (ଷୋହଳ ସ୍ତୋତ୍ର)
- ଶ୍ରୀ ସୁବୋଧିନୀ (ଭାଗବତ ପୁରାଣ ଉପରେ ଟୀକା)
- ତତ୍ତ୍ୱାର୍ଥ ଦୀପ
- ମଧୁରାଷ୍ଟକ
- ଗାୟତ୍ରୀ ଭାଷ୍ୟ ଇତ୍ୟାଦି ।
ତାଙ୍କ ଗୀତ ଓ ସାହିତ୍ୟରେ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା, ମାତା ଯଶୋଦାଙ୍କ ନିର୍ମଳ ପ୍ରେମ, ତାଙ୍କ ଦେବୀୟ ଦୟା ଓ ରାକ୍ଷସ ଜୟ କଥା ଗୀତିକା ଓ ରୂପକରେ ପ୍ରସ୍ତୁତ ହୋଇଛି ।
ଦୀକ୍ଷା
[ସମ୍ପାଦନା]ସେ ଶ୍ରୀ ରୁଦ୍ରସମ୍ପ୍ରଦାୟର ଜଗଦ୍ଗୁରୁ ବିଳ୍ୱମଙ୍ଗଳାଚାର୍ଯ୍ୟଜୀଙ୍କ ନିକଟରୁ ଅଷ୍ଟାଦଶାକ୍ଷର ଗୋପାଳମନ୍ତ୍ର ଦୀକ୍ଷା ଗ୍ରହଣ କଲେ ।ପରେ ସେ ରୁଦ୍ର ବିଷ୍ଣୁସ୍ୱାମୀ ସମ୍ପ୍ରଦାୟର ତିଲକ ଓ ସମ୍ରାଜ୍ୟାଭିଷେକ ଲାଭ କଲେ । ତ୍ରିଦଣ୍ଡୀ ସନ୍ୟାସ ଦୀକ୍ଷା ସେ ସ୍ୱାମୀ ନାରାୟଣେନ୍ଦ୍ରତୀର୍ଥଙ୍କ ନିକଟରୁ ପାଇଲେ । ପରେ ଭଗବତ୍ ପ୍ରେରଣାରେ ସେ ବ୍ରଜରେ ଗୋକୁଳ ପହଞ୍ଚିଲେ ଓ ଗୋବର୍ଧନ ପର୍ବତରେ ନିଜର ଗାଦି ସ୍ଥାପନ କଲେ ଏବଂ ସମ୍ୱତ୍ ୧୫୭୬ରେ ଶ୍ରୀନାଥଜୀଙ୍କ ମନ୍ଦିର ନିର୍ମାଣ କଲେ ।[୪]
ମତ
[ସମ୍ପାଦନା]ବଲ୍ଲଭାଚାର୍ଯ୍ୟ ତପସ୍ୟା, ସନ୍ୟାସ ଓ ବୈରାଗ୍ୟ ଜୀବନକୁ ଅସ୍ୱୀକାର କରି କହିଥିଲେ “ପ୍ରେମପୂର୍ଣ୍ଣ କୃଷ୍ଣଭକ୍ତିଦ୍ୱାରା ଗୃହୀ ମଧ୍ୟ ମୋକ୍ଷ, ଭଗବତ୍କୃପା, ଗୋଲୋକ ଓ ଭଗବତ୍ ସେବା ପ୍ରାପ୍ତ କରିପାରିବେ।” ଏହା ତତକାଳୀନ ସମଗ୍ର ଭାରତରେ ବହୁତ ପ୍ରଭାବଶାଳୀ ହେଲା । ଶ୍ରୀ ବଲ୍ଲଭାଚାର୍ଯ୍ୟଙ୍କ ମତାନୁସାରେ ତିନିଟି ସତ୍ତା ସ୍ୱୀକାର୍ଯ୍ୟ:
- ବ୍ରହ୍ମ:ବ୍ରହ୍ମଙ୍କର ତିନି ରୂପ, ଆଧିଦୈବିକ, ଆଧ୍ୟାତ୍ମିକ ଓ ଅନ୍ତର୍ୟାମୀ । ସେ ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କୁ ପରବ୍ରହ୍ମ ମାନିଛନ୍ତି ଓ ଶ୍ରୀକୃଷ୍ଣଙ୍କ ଲୀଳାକୁ ଆନନ୍ଦର ମୂଳ ବୋଲି କହିଛନ୍ତି ।
- ଜଗତ:ଜଗତ୍ ହେଉଛି ବ୍ରହ୍ମର ଲୀଳାବିଲାସ । ଏହା ସତ୍ୟ । ଅହଂକାର ଓ ମମତାରୁ ଘଟିଥିବା ସଂସାର ମିଥ୍ୟା ।
- ଜୀବ:ଜୀବ ହେଉଛି ବ୍ରହ୍ମର ଅଂଶ ଓ ଅନେକ ଜୀବ ଅଛନ୍ତି । ଜଗତର କେବେ ନାଶ ନାହିଁ, ଏହା ଆବିର୍ଭାବ–ତିରୋଭାବଶୀଳ ।
ସମ୍ମାନ
[ସମ୍ପାଦନା]ତାଙ୍କ ପରମ୍ପରା ପୁଷ୍ଟିମାର୍ଗ ବଲ୍ଲଭ ସମ୍ପ୍ରଦାୟର ଆଚାର୍ଯ୍ୟମାନେ ଓ ଶିଷ୍ୟମାନେ ସଂରକ୍ଷଣ କରିଆସୁଛନ୍ତି । ବିଶେଷତଃ ନାଥଦ୍ୱାରା ଓ ଦ୍ୱାରକାଧୀଶ ମନ୍ଦିର, ତାଙ୍କ ପରମ୍ପରାର ପ୍ରମୁଖ ତୀର୍ଥ । ୧୯୭୭ ମସିହାରେ ଭାରତ ସରକାର ତାଙ୍କ ସମ୍ମାନରେ ଏକ ଟଙ୍କିଆ ଡାକ ଟିକେଟ୍ ଜାରି କରିଥିଲା ।
ଆଧାର
[ସମ୍ପାଦନା]- ↑ Barz 1992, p. 23.
- ↑ Śāstrī 1977, p. 43.
- ↑ Barz, Richard K. (1992). The Bhakti Sect of Vallabhācārya (in ଇଂରାଜୀ). Munshiram Manoharlal.
- ↑ ୪.୦ ୪.୧ Mandir Mandal Nathadvara. Vallabh Digvijay By Yadunath Ji Maharaj Mandir Mandal Nathadvara.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |