ସୋନମ ୱାଙ୍ଗଚୁକ
ସୋନମ ୱାଙ୍ଗଚୁକ | |
|---|---|
Wangchuk in 2017 | |
| ଜନ୍ମ | ୧ ସେପ୍ଟେମ୍ବର ୧୯୬୬ |
| ଶିକ୍ଷାନୁଷ୍ଠାନ | NIT Srinagar (B.Tech.) CRAterre |
| ବୃତ୍ତି(ସମୂହ) | Engineer, educator |
| Students' Educational and Cultural Movement of Ladakh | |
| ପ୍ରସିଦ୍ଧି | Ice Stupa, SECMOL, Ladags Melong, Operation New Hope |
| ବୈବାହିକ-ସାଥୀ | Gitanjali J Angmo[୧] |
| ପିତାମାତା |
|
| ପୁରସ୍କାର | Global Award for Sustainable Architecture (2017)[୨] Fred M. Packard Award (2016) [୩] Rolex Awards for Enterprise (2016) Real Heroes Award (2008) Ashoka Fellowship for Social Entrepreneurship (2002) ରାମନ୍ ମ୍ୟାଗ୍ସେସେ ସମ୍ମାନ (2018) |
ସୋନମ ୱାଙ୍ଗଚୁକ (୧ ସେପ୍ଟେମ୍ବର ୧୯୬୬ – ) ଲଦାଖର ଜଣେ ଇଞ୍ଜିନିୟର ଓ ଶିକ୍ଷା ସଂସ୍କାରକ।
ସେ ଲଦାଖର ଶିକ୍ଷାମୂଳକ ଓ ସାଂସ୍କୃତିକ ଆନ୍ଦୋଳନର ସ୍ଥାପକ ଭାବେ ପରିଚିତ । ସୌର ଶାକ୍ତିରେ ଚାଲୁଥିବା SECMOL କ୍ୟାମ୍ପସର ଆକୃତି ତିଆରି କରିବା ପାଇଁ ମଧ୍ୟ ସେ ପରିଚିତ । ସେ ରାନ୍ଧିବା, ଆଲୋକ କିମ୍ବା ତାପ ପାଇଁ କୌଣସି ଜୀବାଶ୍ମ ଇନ୍ଧନ ବ୍ୟବହାର କରନ୍ତି ନାହିଁ। ୱାଙ୍ଗଚୁକଙ୍କୁ ୨୦୧୬ ମସିହାରେ ଲସ୍ ଏଞ୍ଜେଲସ୍ରେ ‘ରୋଲେକ୍ସ ଅୱାର୍ଡ ଫର୍ ଏଣ୍ଟରପ୍ରାଇଜ’ ପ୍ରଦାନ କରାଯାଇଥିଲା । ବିଶ୍ୱସ୍ତରରେ ପ୍ରତିଷ୍ଠିତ ଏହି ପୁରସ୍କାର ଏପର୍ଯ୍ୟନ୍ତ କେବଳ ୧୪୦ ଜଣଙ୍କୁ ମିଳିଛି । ୧୯୯୪ ମସିହାରେ ‘ଅପରେସନ୍ ନ୍ୟୁ ହୋପ୍’ ଆରମ୍ଭ ହେବା ସମୟରେ ସେ ସରକାରୀ ଓ ଗ୍ରାମୀଣ ସମୁଦାୟମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିଥିଲେ। ସେ ‘ବରଫ ସ୍ତୂପ’ ପ୍ରଯୁକ୍ତିର ଆବିଷ୍କାର କରିଥିଲେ, ଯାହା ଦ୍ୱାରା କୃତ୍ରିମ ହିମନଦୀ ତିଆରି ହୁଏ । ଏଥିରେ ଶଙ୍କୁଆକାର ବରଫ ଗଠନ ମାଧ୍ୟମରେ ଶୀତକାଳରେ ପାଣି ସଞ୍ଚୟ କରାଯାଏ ।
ବାଲ୍ୟକାଳ
[ସମ୍ପାଦନା]ୱାଙ୍ଗଚୁକଙ୍କ ଜନ୍ମ ଜମ୍ମୁ ଓ କାଶ୍ମୀରର ଲେହ ଜିଲ୍ଲାର ଆଳିଟୋ ନିକଟସ୍ଥ ଉଲେତୋକୋପୋ ଗାଁରେ ହୋଇଥିଲା । ତାଙ୍କ ବାପା ରାଜ୍ୟସଭା ସଦସ୍ୟ ଓ ମନ୍ତ୍ରୀ ଥିଲେ । ଗାଁରେ କୌଣସି ବିଦ୍ୟାଳୟ ନଥିବାରୁ ୯ ବର୍ଷ ବୟସ ପର୍ଯ୍ୟନ୍ତ ସେ ଔପଚାରିକ ଶିକ୍ଷା ଗ୍ରହଣ କରିପାରିନଥିଲେ । ଏହି ସମୟରେ ତାଙ୍କ ମାଆ ତାଙ୍କୁ ମାତୃଭାଷାର ପ୍ରାଥମିକ ଶିକ୍ଷା ଦେଇଥିଲେ । ୧୯୭୭ ମସିହାରେ ୱାଙ୍ଗଚୁକ ଦିଲ୍ଲୀକୁ ଚାଲି ଯାଇ ଏକ ବିଶେଷ କେନ୍ଦ୍ରୀୟ ବିଦ୍ୟାଳୟରେ ଭର୍ତ୍ତି ହେଲେ।
ସଂଗଠନ
[ସମ୍ପାଦନା]ଏଡ୍ୟୁକେସନାଲ୍ ଆଣ୍ଡ କଲ୍ଚରାଲ୍ ମୁଭମେଣ୍ଟ ଅଫ୍ ଲଦାଖ (SECMOL)
[ସମ୍ପାଦନା]ଯେଉଁ ଛାତ୍ରଛାତ୍ରୀମାନେ ଶିକ୍ଷାରେ ମେଧାବୀ ହୋଇଥିଲେ ମଧ୍ୟ ପରିସ୍ଥିତି ବା ଦାରିଦ୍ର୍ୟ କାରଣରୁ ଅଧିକ ପଢ଼ିପାରୁନଥିଲେ କିମ୍ବା ଇଚ୍ଛିତ କ୍ଷେତ୍ରରେ ପ୍ରବେଶ କରିପାରୁନଥିଲେ, ସେମାନଙ୍କ ପାଇଁ ୱାଙ୍ଗଚୁକ କାମ କରନ୍ତି । ଏହି ଉଦ୍ଦେଶ୍ୟରେ ସେ ୧୯୮୮ ମସିହାରେ ଏକ ସଂସ୍ଥା ସ୍ଥାପନା କରିଥିଲେ । ଏହି ସଂସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ଦେଇ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ସେ ଲାଗି ରହିଛନ୍ତି । ଶିକ୍ଷା ଓ ପରିବେଶ କ୍ଷେତ୍ରରେ ସେ ଗତ ୨୦ ବର୍ଷ ଧରି ନିରନ୍ତର କାମ କରୁଛନ୍ତି । ଏହି ଉଦ୍ଦେଶ୍ୟରେ ସେ ‘ଏଡ୍ୟୁକେସନାଲ୍ ଆଣ୍ଡ କଲ୍ଚରାଲ୍ ମୁଭମେଣ୍ଟ ଅଫ୍ ଲଦାଖ (SECMOL)’ ନାମକ ସଂଗଠନ ଗଠନ କରିଛନ୍ତି ।
ଏଠାରେ ରହି ସେ ଅନେକ ସ୍ଥାନୀୟ ଭାଷା ଶିଖିଥିଲେ। ଲଦାଖରେ ଶିକ୍ଷାକାର୍ଯ୍ୟ ଆରମ୍ଭ କରିବାବେଳେ ସେ ଦେଖିଥିଲେ ଯେ ଛାତ୍ରଛାତ୍ରୀମାନେ ପ୍ରଶ୍ନର ଉତ୍ତର ଜାଣୁଥିଲେ, କିନ୍ତୁ ଭାଷା ହେଉଛି ସେମାନଙ୍କର ସବୁଠୁ ବଡ଼ ବାଧକ। ତେଣୁ ସେ ସ୍ଥାନୀୟ ଭାଷାରେ ପଢ଼ାଇବା ଆରମ୍ଭ କଲେ। ଜମ୍ମୁ–କାଶ୍ମୀର ସରକାରଙ୍କ ସହଯୋଗରେ ସେ ଲଦାଖର ବିଦ୍ୟାଳୟଗୁଡ଼ିକ ପାଇଁ ସ୍ଥାନୀୟ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିଥିଲେ । ୧୯୯୪ ମସିହାରେ ସେ ବିଦ୍ୟାଳୟରୁ ବାହାର କରାଯାଇଥିବା ୧୦୦୦ ଜଣ ଯୁବକଙ୍କୁ ଏକତ୍ର କରି ଏମିତି ଏକ ବିଦ୍ୟାଳୟ ସ୍ଥାପନା କଲେ, ଯାହା ଛାତ୍ରମାନଙ୍କ ଦ୍ୱାରା ସ୍ଵୟଂ ପରିଚାଳିତ ହୋଇଥାଏ ।
ଏହି ବିଦ୍ୟାଳୟରେ ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତିର ବ୍ୟବହାର କରାଯାଏ ।[୪] ୱାଙ୍ଗଚୁକଙ୍କ ମତରେ ଚିରାଚରିତ ପାଠ୍ୟକ୍ରମରେ ପରିବର୍ତ୍ତନ ଆବଶ୍ୟକ । ସେ କହନ୍ତି ଯେ ପୁସ୍ତକୀୟ ଜ୍ଞାନଠାରୁ ପ୍ରାୟୋଗିକ ଶିକ୍ଷା ଅଧିକ ଉପକାରୀ । ଏହି ସମସ୍ତ କଥାକୁ ପ୍ରାୟୋଗିକ ରୂପ ଦେବା ପାଇଁ ସେ ଅନବରତ ପ୍ରୟାସରତ ।
କାର୍ଯ୍ୟଜୀବନ
[ସମ୍ପାଦନା]୧୯୮୮ ମସିହାରେ ସ୍ନାତକ ଡିଗ୍ରୀ ଲାଭ କରିବା ପରେ, ୱାଙ୍ଗଚୁକ ତାଙ୍କ ଭାଇ ଓ ପାଞ୍ଚଜଣ ସହପାଠୀଙ୍କ ସହିତ ‘ଷ୍ଟୁଡେଣ୍ଟସ୍ ଏଡ୍ୟୁକେସନାଲ୍ ଆଣ୍ଡ କଲ୍ଚରାଲ୍ ମୁଭମେଣ୍ଟ ଅଫ୍ ଲଦାଖ (SECMOL)’ ଆରମ୍ଭ କରିଥିଲେ । ସାସ୍ପୋଲ୍ର ସରକାରୀ ହାଇସ୍କୁଲରେ ଶିକ୍ଷା ସୁଧାର ପରୀକ୍ଷା କରିବା ପରେ, SECMOL ସରକାରୀ ଶିକ୍ଷା ବିଭାଗ ଓ ଗ୍ରାମବାସୀଙ୍କ ସହଯୋଗରେ ‘ଅପରେସନ୍ ନ୍ୟୁ ହୋପ୍’ ଆରମ୍ଭ କଲେ ।
ଜୁନ୍ ୧୯୯୩ ରୁ ଅଗଷ୍ଟ ୨୦୦୫ ପର୍ଯ୍ୟନ୍ତ, ୱାଙ୍ଗଚୁକ ଲଦାଖର ଏକମାତ୍ର ମୁଦ୍ରିତ ପତ୍ରିକା ‘ଲଦାଗ୍ସ ମେଲଙ୍ଗ’ ସ୍ଥାପନା କରି ତାହାର ସମ୍ପାଦକ ଭାବେ କାମ କରିଥିଲେ । ୨୦୦୧ ମସିହାରେ ସେ ହିଲ୍ କାଉନସିଲ୍ ସରକାରରେ ଶିକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ।[୫] ୨୦୦୨ ମସିହାରେ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ସଂଗଠନ ମୁଖ୍ୟମାନଙ୍କ ସହିତ ସେ ‘ଲଦାଖ ଭଲଣ୍ଟେରି ନେଟୱର୍କ (LVN)’ ସ୍ଥାପନା କରି ୨୦୦୫ ପର୍ଯ୍ୟନ୍ତ ତାହାର କାର୍ଯ୍ୟକାରି ସମିତିର ସଚିବ ଭାବେ କାମ କରିଥିଲେ । ସେ ‘ଭିଜନ୍ ଡକ୍ୟୁମେଣ୍ଟ ଲଦାଖ ୨୦୨୫’ ର ଖସଡା କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇ ୨୦୦୪ ମସିହାରେ ଶିକ୍ଷା ଓ ପର୍ଯ୍ୟଟନ ନୀତି ପ୍ରସ୍ତୁତିର ଦାୟିତ୍ୱ ପାଇଥିଲେ । ୨୦୦୫ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂ ଏହି ଡକ୍ୟୁମେଣ୍ଟର ଔପଚାରିକ ଉଦଘାଟନ କରିଥିଲେ । ସେହି ବର୍ଷ ୱାଙ୍ଗଚୁକଙ୍କୁ ଭାରତ ସରକାରଙ୍କ ମାନବ ସମ୍ପଦ ବିକାଶ ମନ୍ତ୍ରଣାଳୟରେ ପ୍ରାଥମିକ ଶିକ୍ଷା ପାଇଁ ଜାତୀୟ ପ୍ରଶାସନିକ ପରିଷଦର ସଦସ୍ୟ କରାଯାଇଥିଲା ।୨୦୦୭ ରୁ ୨୦୧୦ ପର୍ଯ୍ୟନ୍ତ ସେ ଶିକ୍ଷା ସୁଧାର କାର୍ଯ୍ୟରେ ଶିକ୍ଷା ମନ୍ତ୍ରଣାଳୟକୁ ସହଯୋଗ ଦେଇଥିବା ଡେନିଶ ସ୍ୱେଚ୍ଛାସେବୀ ସଂଗଠନ ‘MS’ ପାଇଁ ଶିକ୍ଷା ପରାମର୍ଶଦାତା ଭାବେ କାମ କରିଥିଲେ ।
୨୦୧୩ ମସିହାର ଶେଷ ଦିଗରେ ସେ ‘ବରଫ ସ୍ତୂପ’ ର ଏକ ନମୁନା ଉନ୍ନତ କରିଥିଲେ, ଯାହା ଏକ କୃତ୍ରିମ ହିମନଦୀ ଓ ଶୀତକାଳରେ ବ୍ୟର୍ଥ ହେଉଥିବା ପାଣିକୁ ବଡ଼ ବରଫ ଶଙ୍କୁ ଆକାରରେ ସଞ୍ଚୟ କରି ରଖେ । ବସନ୍ତ ଋତୁର ଶେଷରେ ବରଫ ତରଳିଲେ, ଚାଷୀମାନଙ୍କୁ ଯେତେବେଳେ ପାଣିର ଆବଶ୍ୟକତା ଥାଏ ସେତେବେଳେ ଏହା ମିଳେ ।[୬][୭][୮] ୨୦୧୩ ମସିହାରେ ସେ ଜମ୍ମୁ–କାଶ୍ମୀର ରାଜ୍ୟ ଶାଳା ଶିକ୍ଷା ବୋର୍ଡରେ ନିଯୁକ୍ତ ହେଲେ । ୨୦୧୪ ମସିହାରେ ସେ ଜମ୍ମୁ–କାଶ୍ମୀର ରାଜ୍ୟ ଶିକ୍ଷା ନୀତି ଓ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତି ପାଇଁ ବିଶେଷଜ୍ଞ ପ୍ୟାନେଲର ସଦସ୍ୟ ହେଲେ । ୨୦୧୫ ଠାରୁ ସେ ‘ସୋନମ୍ ହିମାଲୟନ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଆଲ୍ଟରନେଟିଭ୍ସ’ ସ୍ଥାପନା ପାଇଁ କାମ ଆରମ୍ଭ କରିଛନ୍ତି । ପର୍ବତାଞ୍ଚଳର ବିଶ୍ୱବିଦ୍ୟାଳୟ ସହିତ ଅନେକ ବିଶ୍ୱବିଦ୍ୟାଳୟ ଜୀବନର ବାସ୍ତବତାରୁ କିପରି ଦୂରେଇ ଯାଇଛି, ଏଥିପାଇଁ ସେ ଚିନ୍ତିତ ।
୨୦୧୬ ମସିହାରେ ୱାଙ୍ଗଚୁକ ‘ଫାର୍ମଷ୍ଟେ ଲଦାଖ’ ନାମକ ଏକ ପ୍ରକଳ୍ପ ଆରମ୍ଭ କଲେ, ଯାହା ମାଧ୍ୟମରେ ପର୍ଯ୍ୟଟକମାନେ ଲଦାଖର ସ୍ଥାନୀୟ ପରିବାରମାନଙ୍କ ସହ ରହିପାରନ୍ତି । ଏହି ପ୍ରକଳ୍ପଟି ପ୍ରଧାନତଃ ମାଆ ଓ ମଧ୍ୟବୟସ୍କ ମହିଳାମାନଙ୍କ ଦ୍ୱାରା ପରିଚାଳିତ । ୧୮ ଜୁନ୍ ୨୦୧୬ ତାରିଖରେ ଚେତସାଙ୍ଗ ରିନପୋଛେ ଏହି ପ୍ରକଳ୍ପର ଔପଚାରିକ ଉଦଘାଟନ କରିଥିଲେ ।
ଗିରଫ
[ସମ୍ପାଦନା]୨୪ ସେପ୍ଟେମ୍ବର ୨୦୨୫ ରେ ଲେହରେ ହୋଇଥିବା ଏକ ପ୍ରତିବାଦ ଆନ୍ଦୋଳନ ସମୟରେ ବିଜେପି କାର୍ଯ୍ୟାଳୟକୁ ନିଆଁ ଲଗାଯାଇଥିଲା ଏବଂ ଲଦାଖ ହିଲ୍ କାଉନସିଲ୍ର ପ୍ରାଙ୍ଗଣକୁ ଭଙ୍ଗାରୁଜା କରାଯାଇଥିଲା । ଏହି ଭଙ୍ଗାରୁଜା ରୋକିବା ପାଇଁ ଶେଷରେ ପୁଲିସକୁ କଠୋର କାର୍ଯ୍ୟାନୁଷ୍ଠାନରେ ନେବାକୁ ପଡିଥିଲା, ଫଳରେ ପୁଲିସ ଅଧିକାରୀମାନେ ପ୍ରତିବାଦକାରୀମାନଙ୍କ ଉପରେ ଗୁଳି ଚଳାଇଥିଲେ । ଏଥିରେ ଚାରିଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଆହତ ହୋଇଥିଲେ । ସହରରେ କର୍ଫ୍ୟୁ ଜାରି କରାଯାଇଥିଲା ଏବଂ ଏହା ସହିତ ବ୍ୟାପକ ଗିରଫଦାରୀ ଚାଲିଥିଲା ।
ଗୃହ ମନ୍ତ୍ରଣାଳୟ ୱାଙ୍ଗଚୁକଙ୍କୁ ଏହି ପ୍ରତିବାଦ ରାଲିକୁ ସରକାର ବିରୁଧରେ ଉତ୍ତେଜିତ କରିଥିବା ଅଭିଯୋଗ ଲଗାଇଥିଲା ।[୯] ୱାଙ୍ଗଚୁକ ଏହି ଅଭିଯୋଗକୁ ଅସ୍ୱୀକାର କରି କହିଥିଲେ ଯେ, ଏହି ପ୍ରତିବାଦ ହେଉଛି ସରକାର ପ୍ରତି ଲୋକମାନଙ୍କ ଅସନ୍ତୋଷ ଓ ହତାଶାର ପ୍ରତିବିମ୍ବ । ଦୁଇ ଦିନ ପରେ, ଲଦାଖର ପୁଲିସ ମହାନିର୍ଦ୍ଦେଶକ (DGP)ଙ୍କ ନେତୃତ୍ୱରେ ସଂଖ୍ୟାଧିକ ପୁଲିସ କର୍ମଚାରୀ ଜାତୀୟ ସୁରକ୍ଷା ଆଇନ (NSA) ଅନୁଯାୟୀ ୱାଙ୍ଗଚୁକଙ୍କୁ ଗିରଫ କରିଥିଲେ।[୧୦]
ଆଧାର
[ସମ୍ପାଦନା]- ↑ "Innovator, national asset: Anand Mahindra on meeting real life 'Phunsukh Wangdu'". Business Today. 7 April 2022. Retrieved 30 September 2025.
- ↑ Rana, Nikita (2 June 2017). "World Environment Day 2017: Sonam Wangchuk's ice stupas ensure there's water in Ladakh". Firstpost.
- ↑ "Packard Awardees". IUCN. 10 June 2020. Archived from the original on 18 February 2020. Retrieved 13 December 2025.
- ↑ Ashiq, Peerzada (2023-02-04). "Sonam Wangchuk | The man from the mountains". The Hindu (in Indian English). ISSN 0971-751X. Retrieved 2025-12-13.
- ↑ "Sonam Wangchuk: The real 'Phunsuk Wangdu'". JharkhandFeed. 19 January 2017. Archived from the original on 11 April 2018. Retrieved 19 January 2017.
- ↑ Yashwant, Shailendra (18 May 2016). "Sonam Wangchuk's Ice Stupas Are Firing Up Interest From Ladakh To The Swiss Alps". The Huffington Post.
- ↑ Tyagi, Chhavi (14 December 2016). "Sonam Wangchuk's Ice Stupas Are Firing Up Interest From Ladakh To The Swiss Alps". The Economic Times.
- ↑ "3 इडियट्स में आमिर खान के किरदार को इंस्पायर करने वाले इंजीनियर को मिला ग्लोबल अवॉर्ड" (in ହିନ୍ଦୀ). Jansatta. 17 November 2016.
- ↑ "Ladakh statehood protest turns violent; BJP office in Leh attacked amid shutdown seeking for sixth schedule extension". The Hindu (in ଇଂରାଜୀ). Retrieved 2025-12-13.
- ↑ "Ladakh Statehood activist Sonam Wangchuk detained under NSA in Leh". The Hindu (in ଇଂରାଜୀ). Retrieved 2025-12-13.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |