Jump to content

ସାରନାଥ

Coordinates: 25°22′41″N 83°01′30″E / 25.3780°N 83.0251°E / 25.3780; 83.0251
ଉଇକିପିଡ଼ିଆ‌ରୁ
(Sarnathରୁ ଲେଉଟି ଆସିଛି)
ସାରନାଥ
Historical Town
View of Sarnath, looking from the ancient Mulagandha Kuty Vihara towards the Dhamek Stupa
View of Sarnath, looking from the ancient Mulagandha Kuty Vihara towards the Dhamek Stupa
ସାରନାଥ is located in India
ସାରନାଥ
ସାରନାଥ
ସାରନାଥ is located in Uttar Pradesh
ସାରନାଥ
ସାରନାଥ
Coordinates: 25°22′41″N 83°01′30″E / 25.3780°N 83.0251°E / 25.3780; 83.0251
Country India
Stateଉତ୍ତର ପ୍ରଦେଶ
DistrictVaranasi
Languages
 • LocalBhojpuri
Time zoneUTC+5:30

ସାରନାଥ (ଯାହା ହରିଣ ଉଦ୍ୟାନ, ସାରଙ୍ଗନାଥ, ଇସିପତନ ହରିଣ ଉଦ୍ୟାନ, ଋଷିପତନ, ମିଗଦୟା କିମ୍ବା ମୃଗଦାବ ନାମରେ ମଧ୍ୟ ପରିଚିତ) ହେଉଛି ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ବାରାଣସୀର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ ଏକ ସହର । ଲଳିତବିସ୍ତର ସୂତ୍ର ଅନୁସାରେ, ଗୌତମ ବୁଦ୍ଧ ନିଜ ବୋଧିଲାଭ ପରେ ବୋଧଗୟାରୁ "ବାରାଣସୀ ବାହାରେ, ପତିତ ଋଷିମାନଙ୍କ ପାହାଡ଼ ନିକଟରେ ଥିବା ହରିଣ ଉଦ୍ୟାନକୁ" ନିଜ ପ୍ରଥମ ଉପଦେଶ ସ୍ଥଳ ପାଇଁ ଚୟନ କରିଥିଲେ । ଏହି ଉପଦେଶକୁ ଧମ୍ମଚକ୍କପବତ୍ତନ ସୂତ୍ର ବୋଲି କୁହାଯାଏ ।[] ସାରନାଥ ବୌଦ୍ଧମାନଙ୍କ ଆଠଟି ପ୍ରମୁଖ ତୀର୍ଥସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ ଓ ଏହାକୁ ୟୁନେସ୍କୋ ଦ୍ଵାରା ବିଶ୍ଵ ଐତିହ୍ୟ ସ୍ଥଳ ଭାବରେ ଘୋଷଣା ପାଇଁ ନାମିତ/ମନୋନୀତ କରାଯାଇଛି ।[] ସାରନାଥରେ ଗୌତମ ବୁଦ୍ଧଙ୍କ ସଂଘର ପ୍ରଥମ ସମ୍ମିଳନୀ ହୋଇଥିଲା, ଯେତେବେଳେ ସେ ନିଜ ପ୍ରଥମ ପାଞ୍ଚ ଶିଷ୍ୟ; କୌନ୍ଦନ୍ନା, ଆସାଜି, ଭଦ୍ଦିୟା, ଭାପ୍ପା ଓ ମହାନାମଙ୍କୁ ପ୍ରଥମ ଉପଦେଶ ଦେଇଥିଲେ । ଏହା ଧର୍ମଚକ୍ର ପ୍ରଥମ ପରିବର୍ତ୍ତନ ବୋଲି ପରିଚିତ। ଏହି ଉପଦେଶ ପ୍ରାୟ ଖ୍ରୀପୂ ୫୨୮ ମସିହାରେ ହୋଇଥିଲା, ସେତେବେଳେ ବୁଦ୍ଧଙ୍କ ବୟସ ପ୍ରାୟ ୩୫ ବର୍ଷ ଥିଲା ।

ଗୌତମ ବୁଦ୍ଧଙ୍କ ପୂର୍ବରୁ ଯିଏ ବୁଦ୍ଧ ଥିଲେ, ସେହି କାଶ୍ୟପ ବୁଦ୍ଧ ସାରନାଥରେ ଜନ୍ମଗ୍ରହଣ କରିଥିଲେ ଓ ସେଠିକୁ ଫେରି ନିଜ ପୁରୁଷ ଓ ନାରୀ ସଂଘ ସହିତ ପ୍ରଥମ ଉପଦେଶ ଦେଇଥିଲେ । କିଛି ତଥ୍ୟ ଅନୁସାରେ, “ସାରନାଥ” ନାମଟି “ସାରଙ୍ଗନାଥ” ରୁ ଆସିଛି, ଯାହାର ଅର୍ଥ “ହରିଣଙ୍କ ନାଥ” । ବୌଦ୍ଧ ଇତିହାସ ଅନୁସାରେ, ଏକ ସ୍ଥାନୀୟ ରାଜାଙ୍କ ଶିକାର ଯାତ୍ରା ସମୟରେ ଜଣେ ହରିଣ (ନର ହରିଣ) ନିଜ ପ୍ରାଣ ବଳିଦାନ କରି ଜଣେ ମାତା ହରିଣଙ୍କୁ ବଞ୍ଚାଇବାକୁ ପ୍ରସ୍ତୁତ ହେଲେ, ଯେଉଁଥିରେ ରାଜା ତା’କୁ ମାରିବାକୁ ଲକ୍ଷ୍ୟ କରିଥିଲେ । ଏହି ଘଟଣାରେ ପ୍ରଭାବିତ ହୋଇ, ରାଜା ଘୋଷଣା କଲେ ଯେ ଏହି ଉଦ୍ୟାନ ଆଗାମୀ ଦିନରେ ହରିଣମାନଙ୍କ ପାଇଁ ଆଶ୍ରୟସ୍ଥଳ ହେବ।[][]

ମହାପରିନିର୍ବାଣ ସୂତ୍ର (ଦୀଘ ନିକାୟର 16ତମ ସୂତ୍ର) ଅନୁସାରେ, ବୁଦ୍ଧ ସାରନାଥକୁ ସେହି ଚାରିଟି ବୌଦ୍ଧ ତୀର୍ଥସ୍ଥାନ ମଧ୍ୟରୁ ଗୋଟିଏ ବୋଲି କହିଥିଲେ, ଯେଉଁଗୁଡ଼ିକୁ ତାଙ୍କ ଭକ୍ତମାନେ ଶ୍ରଦ୍ଧାଭାବରେ ଦେଖିବା ଓ ସମ୍ମାନ ଜଣାଇବା ଉଚିତ ।[] ଅନ୍ୟ ତିନିଟି ସ୍ଥାନ ହେଲା — ଲୁମ୍ବିନୀ (ବୁଦ୍ଧଙ୍କ ଜନ୍ମସ୍ଥାନ), ବୋଧଗୟା (ଯେଉଁଠାରେ ବୁଦ୍ଧ ବୋଧିଲାଭ କରିଥିଲେ), ଓ କୁଶିନଗର (ଯେଉଁଠାରେ ବୁଦ୍ଧ ପରିନିର୍ବାଣ ପାଇଥିଲେ) ।

ପୁରାତନ ସମୟରେ ଏଠି ଘନ ଜଙ୍ଗଲ ଥିଲା ଓ ହରିଣମାନେ ଏଠି ବିହାର କରୁଥିଲେ । ସେତେବେଳେ ଏହି ସ୍ଥାନକୁ “ଋଷିପତ୍ତନ” ଓ “ମୃଗଦାୟ” ବୋଲି କୁହାଯାଉଥିଲା । ଜ୍ଞାନ ପ୍ରାପ୍ତି ପରେ ଗୌତମ ବୁଦ୍ଧ ନିଜ ପ୍ରଥମ ଉପଦେଶ ଏଠି ଦେଇଥିଲେ । ସମ୍ରାଟ ଅଶୋକଙ୍କ ଶାସନକାଳରେ ଏଠାରେ ବହୁ ନିର୍ମାଣ କାର୍ଯ୍ୟ ହୋଇଥିଲା । ଭାରତର ରାଷ୍ଟ୍ରଚିହ୍ନରେ ଥିବା ସିଂହମୁଣ୍ଡ ମୂର୍ତ୍ତି ସାରନାଥର ଅଶୋକ ସ୍ତମ୍ଭର ଶୀର୍ଷ ଅଂଶରୁ ଗ୍ରହଣ କରାଯାଇଛି । ଏଠାର ଧମେଖ ସ୍ତୂପ ଆଜି ମଧ୍ୟ ସାରନାଥର ପ୍ରାଚୀନ ଐତିହ୍ୟକୁ ସ୍ମରଣ କରାଏ । ବିଦେଶୀ ଆକ୍ରମଣ ଓ ଧର୍ମୀୟ ବିରୋଧର କାରଣରୁ ପରେ ସାରନାଥର ମହତ୍ତ୍ୱ କମିଗଲା । ମୃଗଦାୟରେ ସାରଙ୍ଗନାଥ ମହାଦେବଙ୍କ ମୂର୍ତ୍ତି ସ୍ଥାପିତ ହେଲା ଓ ଏହାର ନାମ ସାରନାଥ ହୋଇଗଲା ।

ସାରନାଥ ବାରାଣସୀର ଉତ୍ତର-ପୂର୍ବ ଦିଗରେ ପ୍ରାୟ 8 କିଲୋମିଟର (ପାଞ୍ଚ ମାଇଲ୍) ଦୂରରେ, ଗଙ୍ଗା ଓ ବରୁଣା ନଦୀମାନଙ୍କ ସଂଗମ ସ୍ଥଳ ନିକଟରେ ଅବସ୍ଥିତ।

ପ୍ରାଚୀନ ନାମ

[ସମ୍ପାଦନା]

ଏହାର ପ୍ରାଚୀନ ନାମ ଥିଲା ଋଷିପତନ (ଇସିପତନ କିମ୍ବା ମୃଗଦାବ) — ଅର୍ଥାତ୍ “ହରିଣମାନଙ୍କ ଜଙ୍ଗଲ”। ଋଷିପତନ ଶବ୍ଦର ଅର୍ଥ “ଋଷିଙ୍କ ପତନ ସ୍ଥଳ” ବା ଆଶ୍ରୟ ସ୍ଥଳ । ହରିଣମାନଙ୍କ ଚରଣ ସ୍ଥଳ ଭାବେ ଏହାର ନାମ ମୃଗଦାବ ପଡ଼ିଲା, ଯାହାର ଉଲ୍ଲେଖ ନିଗ୍ରୋଧମୃଗ ଜାତକ ରେ ମଧ୍ୟ ମିଳେ । ଆଧୁନିକ ନାମ “ସାରନାଥ” “ସାରଙ୍ଗନାଥ” (ହରିଣଙ୍କ ନାଥ) ରୁ ଉତ୍ପନ୍ନ, ଯାହା ଗୌତମ ବୁଦ୍ଧଙ୍କ ସହ ସମ୍ବନ୍ଧିତ। ଏହାର ଏକ ବୋଧିସତ୍ତ୍ୱ କଥା ସହିତ ମଧ୍ୟ ସମ୍ପର୍କ ଅଛି; ବୋଧିସତ୍ତ୍ୱ ନିଜ ପୂର୍ବଜନ୍ମରେ ଯେତେବେଳେ ମୃଗଦାବରେ ହରିଣମାନଙ୍କ ରାଜା ଥିଲେ, ସେ ଜଣେ ଗର୍ଭବତୀ ହରିଣୀଙ୍କ ପ୍ରାଣ ବଞ୍ଚାଇବା ପାଇଁ ନିଜ ପ୍ରାଣ ବଳିଦାନ କରିଥିଲେ । ଏହି କାରଣରୁ ଏହି ଅଞ୍ଚଳକୁ “ସାରଙ୍ଗନାଥ” କିମ୍ବା “ସାରନାଥ” ବୋଲି କୁହାଯାଇଲା । ଦୟାରାମ ସାହଣୀଙ୍କ ଅନୁସାରେ, ପୌରାଣିକ ସାହିତ୍ୟରେ ଶିବଙ୍କୁ ମଧ୍ୟ “ସାରଙ୍ଗନାଥ” ବୋଲି କୁହାଯାଇଛି, ଓ କାଶୀ ନଗରୀ ନିକଟରେ ଥିବାରୁ ଏହି ସ୍ଥାନ ଶିବ ଉପାସନାର ପବିତ୍ର ସ୍ଥଳ ହୋଇଯାଇଥିଲା । ସାରନାଥରେ ଥିବା “ସାରନାଥ ଶିବ ମନ୍ଦିର” ଏହାର ପ୍ରମାଣ ।

ଇତିହାସ

[ସମ୍ପାଦନା]

ବୁଦ୍ଧଙ୍କ ପ୍ରଥମ ଉପଦେଶ (ପ୍ରାୟ ଖ୍ରୀପୂ 533) ପରେ ପ୍ରାୟ ୩୦୦ ବର୍ଷ ପର୍ଯ୍ୟନ୍ତ ସାରନାଥର ଇତିହାସ ଅଜ୍ଞାତ ରହିଛି, କାରଣ ପ୍ରତ୍ନତାତ୍ତ୍ଵିକ ଖୋଦନରେ ସେହି ଯୁଗର କୌଣସି ଅବଶେଷ ମିଳିନାହିଁ । ସାରନାଥର ସମୃଦ୍ଧି ଓ ବୌଦ୍ଧ ଧର୍ମର ବିକାଶ ପ୍ରଥମେ ସମ୍ରାଟ ଅଶୋକଙ୍କ ଶାସନକାଳରେ ଦେଖାଯାଏ । ସେ ଏଠି ଧର୍ମରାଜିକା ସ୍ତୂପ, ଧମେଖ ସ୍ତୂପସିଂହ ସ୍ତୁପ ନିର୍ମାଣ କରିଥିଲେ । ତାଙ୍କ ଉତ୍ତରାଧିକାରୀମାନଙ୍କ ଶାସନରେ ସାରନାଥ ପୁଣିନି ଅବନତି ଦିଗକୁ ଗତିକଲା । ଖ୍ରୀପୂ ଦ୍ୱିତୀୟ ଶତାବ୍ଦୀରେ ଶୁଙ୍ଗ ବଂଶ ଆସିଲା, କିନ୍ତୁ ସେହି ସମୟର ଲିପି ଏଠି ମିଳିନାହିଁ । ପ୍ରଥମ ଖ୍ରୀଷ୍ଟାବ୍ଦୀରେ ଉତ୍ତର ଭାରତରେ କୁଷାଣ ବଂଶ ସ୍ଥାପିତ ହେଲା ଓ ବୌଦ୍ଧ ଧର୍ମ ପୁଣି ଉନ୍ନତିଲାଭ କଲା । କନିଷ୍କ ରାଜ୍ୟକାଳର ତୃତୀୟ ବର୍ଷରେ ଭିକ୍ଷୁ ବଳ ଏଠି ଏକ ବୋଧିସତ୍ତ୍ୱ ମୂର୍ତ୍ତି ସ୍ଥାପନା କଲେ । କନିଷ୍କ ନିଜ ଶାସନକାଳରେ ସାରନାଥ ସହ ଭାରତର ବିଭିନ୍ନ ସ୍ଥାନରେ ବହୁ ବୌଦ୍ଧ ବିହାର ଓ ସ୍ତୂପ ନିର୍ମାଣ କଲେ ।

ଏକ ସ୍ଥାନୀୟ ପୌରାଣିକ କଥା ଅନୁସାରେ, ବୌଦ୍ଧ ଧର୍ମର ପ୍ରସାର ପୂର୍ବରୁ ସାରନାଥ ଶିବ ଉପାସନାର କେନ୍ଦ୍ର ଥିଲା । କିନ୍ତୁ ଗୟା ପରି ଅନ୍ୟାନ୍ୟ ସ୍ଥାନର ଇତିହାସ ଦେଖି ଲାଗେ ଯେ, ବୌଦ୍ଧ ଧର୍ମ ପତନ ପରେ ଶିବ ଉପାସନା ଏଠି ପ୍ରଚଳିତ ହୋଇଥିଲା । ଦେଖାଯାଏ ଯେ, ପୁରାତନ ବିଶାଳ ସହରମାନଙ୍କ ନିକଟରେ (ଯଥା ପ୍ରାଚୀନ ବିଦିଶାର ସାଞ୍ଚୀ, ଅଯୋଧ୍ୟାର ସାକେତ ଆଦି) ଯେପରି ସାରନାଥ ମୂଳତଃ ଋଷିମାନେ ଓ ତପସ୍ବୀମାନଙ୍କ ଆଶ୍ରମ ସ୍ଥଳ ଥିଲା, ଯେଉଁଠାରେ ସେମାନେ କାଶୀର କୋଳାହଳରୁ ଦୂରରେ ରହି ତଥାପି ମହାନ ନଗରୀର ସାନିଧ୍ୟରେ ବାସ କରୁଥିଲେ ।

ସାରନାଥର ଇତିହାସର ସର୍ବାଧିକ ଗୌରବମୟ ସମୟ ଥିଲା ଗୁପ୍ତ ଯୁଗ । ସେତେବେଳେ ଏହା ମଥୁରା ସହିତ ଉତ୍ତର ଭାରତର ସର୍ବୋତ୍କୃଷ୍ଟ କଳାକେନ୍ଦ୍ର ଥିଲା । ହର୍ଷବର୍ଧନଙ୍କ ଶାସନକାଳରେ ହୁଏନସାଙ୍ଗ ଭାରତ ଆସିଥିଲେ ଓ ସେ ସାରନାଥକୁ ବହୁତ ସମୃଦ୍ଧ ବୋଲି ବର୍ଣ୍ଣନା କରିଥିଲେ । ହର୍ଷ ପରେ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ସାରନାଥ ବିଭିନ୍ନ ଶାସକଙ୍କ ଅଧୀନରେ ରହିଲା, କିନ୍ତୁ ସେମାନଙ୍କ ଯୁଗରେ ବିଶେଷ କୌଣସି ଉପଲବ୍ଧି ହୋଇନଥିଲା ।

ମହମୁଦ ଗଜନଭିଙ୍କ ୧୦୧୭ ଖ୍ରୀ.ରେ ବାରାଣସୀ ଆକ୍ରମଣ ସମୟରେ ସାରନାଥ ବିଶେଷ ଭାବରେ ନଷ୍ଟ ହୋଇଗଲା । ପୁନଃ ୧୦୨୬ ଖ୍ରୀ.ରେ ସମ୍ରାଟ ମହୀପାଳଙ୍କ ଶାସନକାଳରେ ସ୍ଥିରପାଳ ଓ ବସନ୍ତପାଳ ନାମକ ଦୁଇ ଭାଇ ସମ୍ରାଟଙ୍କ ପ୍ରେରଣାରେ କାଶୀର ମନ୍ଦିରମାନଙ୍କ ସହିତ ଧର୍ମରାଜିକା ସ୍ତୂପ ଓ ଧର୍ମଚକ୍ରର ମରାମତି କଲେ । ଗାହଡ଼ବାଳ ବଂଶ ଶାସନକାଳରେ ଗୋବିନ୍ଦଚନ୍ଦ୍ରଙ୍କ ରାଣୀ କୁମାରଦେବୀ ସାରନାଥରେ ଜଣେ ବିହାର ନିର୍ମାଣ କରାଇଥିଲେ ; ଖୋଦନରେ ମିଳିଥିବା ଏକ ଶିଳାଲେଖ ଏହାର ପ୍ରମାଣ । ଏହା ପରେ ସାରନାଥର ଐଶ୍ୱର୍ଯ୍ୟର ଶେଷ ହୋଇଗଲା ।

ପରବର୍ତ୍ତୀ ବିକାଶ

[ସମ୍ପାଦନା]

ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଉପନିବେଶୀ ଶାସନ କାଳରେ, ସାରନାଥ ଭଳି ପ୍ରାଚୀନ ସ୍ଥଳଗୁଡ଼ିକ ଉପରେ ବ୍ୟାପକ ପୁରାତତ୍ତ୍ୱ ଅଧ୍ୟୟନ କରାଯାଇଥିଲା । କିଛି ପୁନରୁଦ୍ଧାର କାର୍ଯ୍ୟ ଦଶକ ପରେ ହୋଇଥିଲା । ଏହାର ପରିଣାମ ସ୍ୱରୂପ, ସାରନାଥ ପୁନରାୟ ବୌଦ୍ଧ ଓ ଜୈନ ଧର୍ମାନୁଗାମୀଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥଳ ଭାବରେ ତାହାର ପୁରୁଣା ମର୍ଯ୍ୟାଦା ଫେରି ପାଇଛି । ୧୯୯୮ ମସିହାରେ, ସାରନାଥକୁ ସଂଯୁକ୍ତ ରାଷ୍ଟ୍ର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (UNESCO) ଦ୍ୱାରା ବିଶ୍ୱ ସାଂସ୍କୃତିକ ଐତିହ୍ୟ ତାଲିକାରେ “ଅସାଧାରଣ ସାର୍ବଭୌମ ମୂଲ୍ୟ” ବୋଲି ନାମାଂକିତ କରାଯାଇଥିଲା ।

ଏହି ନାମାଙ୍କନରେ ଦୁଇଟି ସ୍ମାରକ ଗୋଷ୍ଠୀ ଅନ୍ତର୍ଭୁକ୍ତ ଅଛି — “ଗୋଷ୍ଠୀ A” ଭାବେ ଚୌଖଣ୍ଡି ସ୍ତୂପ ରହିଛି, ଯେଉଁଠି “ଗୋଷ୍ଠୀ B” ଭିତରେ ଅନ୍ୟ ସମସ୍ତ ସ୍ମାରକ (ଯେପରିକି ମନ୍ଦିର, ସ୍ତୂପ, ବିହାର ଓ ଅଶୋକ ସ୍ତମ୍ଭ) ଅନ୍ତର୍ଭୁକ୍ତ ହୋଇଛି ।[]

  1. Samye Translations, "Sarnath: The First Turning of the Dharma Wheel", Nekhor: Circling the Sacred
  2. "Sarnath struggles for recognition as heritage bid gathers dust", The Times of India, 19 April 2024
  3. Khenpo Sonam Tsering,The Great Pilgrimage Sites in India, 2021
  4. Varanasi on Line, "Sarnath"
  5. "Maha-parinibbana Sutta: The Great Discourse on the Total Unbinding". www.accesstoinsight.org. Retrieved 2025-10-31.
  6. Centre, UNESCO World Heritage. "Ancient Buddhist Site, Sarnath, Varanasi, Uttar Pradesh". UNESCO World Heritage Centre (in ଇଂରାଜୀ). Retrieved 2025-10-31.