ସାରନାଥ
ସାରନାଥ | |
|---|---|
Historical Town | |
View of Sarnath, looking from the ancient Mulagandha Kuty Vihara towards the Dhamek Stupa | |
| Coordinates: 25°22′41″N 83°01′30″E / 25.3780°N 83.0251°E | |
| Country | |
| State | ଉତ୍ତର ପ୍ରଦେଶ |
| District | Varanasi |
| Languages | |
| • Local | Bhojpuri |
| Time zone | UTC+5:30 |
ସାରନାଥ (ଯାହା ହରିଣ ଉଦ୍ୟାନ, ସାରଙ୍ଗନାଥ, ଇସିପତନ ହରିଣ ଉଦ୍ୟାନ, ଋଷିପତନ, ମିଗଦୟା କିମ୍ବା ମୃଗଦାବ ନାମରେ ମଧ୍ୟ ପରିଚିତ) ହେଉଛି ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ବାରାଣସୀର ଉତ୍ତର-ପୂର୍ବ ଦିଗରେ ଅବସ୍ଥିତ ଏକ ସହର । ଲଳିତବିସ୍ତର ସୂତ୍ର ଅନୁସାରେ, ଗୌତମ ବୁଦ୍ଧ ନିଜ ବୋଧିଲାଭ ପରେ ବୋଧଗୟାରୁ "ବାରାଣସୀ ବାହାରେ, ପତିତ ଋଷିମାନଙ୍କ ପାହାଡ଼ ନିକଟରେ ଥିବା ହରିଣ ଉଦ୍ୟାନକୁ" ନିଜ ପ୍ରଥମ ଉପଦେଶ ସ୍ଥଳ ପାଇଁ ଚୟନ କରିଥିଲେ । ଏହି ଉପଦେଶକୁ ଧମ୍ମଚକ୍କପବତ୍ତନ ସୂତ୍ର ବୋଲି କୁହାଯାଏ ।[୧] ସାରନାଥ ବୌଦ୍ଧମାନଙ୍କ ଆଠଟି ପ୍ରମୁଖ ତୀର୍ଥସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ ଓ ଏହାକୁ ୟୁନେସ୍କୋ ଦ୍ଵାରା ବିଶ୍ଵ ଐତିହ୍ୟ ସ୍ଥଳ ଭାବରେ ଘୋଷଣା ପାଇଁ ନାମିତ/ମନୋନୀତ କରାଯାଇଛି ।[୨] ସାରନାଥରେ ଗୌତମ ବୁଦ୍ଧଙ୍କ ସଂଘର ପ୍ରଥମ ସମ୍ମିଳନୀ ହୋଇଥିଲା, ଯେତେବେଳେ ସେ ନିଜ ପ୍ରଥମ ପାଞ୍ଚ ଶିଷ୍ୟ; କୌନ୍ଦନ୍ନା, ଆସାଜି, ଭଦ୍ଦିୟା, ଭାପ୍ପା ଓ ମହାନାମଙ୍କୁ ପ୍ରଥମ ଉପଦେଶ ଦେଇଥିଲେ । ଏହା ଧର୍ମଚକ୍ର ପ୍ରଥମ ପରିବର୍ତ୍ତନ ବୋଲି ପରିଚିତ। ଏହି ଉପଦେଶ ପ୍ରାୟ ଖ୍ରୀପୂ ୫୨୮ ମସିହାରେ ହୋଇଥିଲା, ସେତେବେଳେ ବୁଦ୍ଧଙ୍କ ବୟସ ପ୍ରାୟ ୩୫ ବର୍ଷ ଥିଲା ।
ଗୌତମ ବୁଦ୍ଧଙ୍କ ପୂର୍ବରୁ ଯିଏ ବୁଦ୍ଧ ଥିଲେ, ସେହି କାଶ୍ୟପ ବୁଦ୍ଧ ସାରନାଥରେ ଜନ୍ମଗ୍ରହଣ କରିଥିଲେ ଓ ସେଠିକୁ ଫେରି ନିଜ ପୁରୁଷ ଓ ନାରୀ ସଂଘ ସହିତ ପ୍ରଥମ ଉପଦେଶ ଦେଇଥିଲେ । କିଛି ତଥ୍ୟ ଅନୁସାରେ, “ସାରନାଥ” ନାମଟି “ସାରଙ୍ଗନାଥ” ରୁ ଆସିଛି, ଯାହାର ଅର୍ଥ “ହରିଣଙ୍କ ନାଥ” । ବୌଦ୍ଧ ଇତିହାସ ଅନୁସାରେ, ଏକ ସ୍ଥାନୀୟ ରାଜାଙ୍କ ଶିକାର ଯାତ୍ରା ସମୟରେ ଜଣେ ହରିଣ (ନର ହରିଣ) ନିଜ ପ୍ରାଣ ବଳିଦାନ କରି ଜଣେ ମାତା ହରିଣଙ୍କୁ ବଞ୍ଚାଇବାକୁ ପ୍ରସ୍ତୁତ ହେଲେ, ଯେଉଁଥିରେ ରାଜା ତା’କୁ ମାରିବାକୁ ଲକ୍ଷ୍ୟ କରିଥିଲେ । ଏହି ଘଟଣାରେ ପ୍ରଭାବିତ ହୋଇ, ରାଜା ଘୋଷଣା କଲେ ଯେ ଏହି ଉଦ୍ୟାନ ଆଗାମୀ ଦିନରେ ହରିଣମାନଙ୍କ ପାଇଁ ଆଶ୍ରୟସ୍ଥଳ ହେବ।[୩][୪]
ମହାପରିନିର୍ବାଣ ସୂତ୍ର (ଦୀଘ ନିକାୟର 16ତମ ସୂତ୍ର) ଅନୁସାରେ, ବୁଦ୍ଧ ସାରନାଥକୁ ସେହି ଚାରିଟି ବୌଦ୍ଧ ତୀର୍ଥସ୍ଥାନ ମଧ୍ୟରୁ ଗୋଟିଏ ବୋଲି କହିଥିଲେ, ଯେଉଁଗୁଡ଼ିକୁ ତାଙ୍କ ଭକ୍ତମାନେ ଶ୍ରଦ୍ଧାଭାବରେ ଦେଖିବା ଓ ସମ୍ମାନ ଜଣାଇବା ଉଚିତ ।[୫] ଅନ୍ୟ ତିନିଟି ସ୍ଥାନ ହେଲା — ଲୁମ୍ବିନୀ (ବୁଦ୍ଧଙ୍କ ଜନ୍ମସ୍ଥାନ), ବୋଧଗୟା (ଯେଉଁଠାରେ ବୁଦ୍ଧ ବୋଧିଲାଭ କରିଥିଲେ), ଓ କୁଶିନଗର (ଯେଉଁଠାରେ ବୁଦ୍ଧ ପରିନିର୍ବାଣ ପାଇଥିଲେ) ।
ପୁରାତନ ସମୟରେ ଏଠି ଘନ ଜଙ୍ଗଲ ଥିଲା ଓ ହରିଣମାନେ ଏଠି ବିହାର କରୁଥିଲେ । ସେତେବେଳେ ଏହି ସ୍ଥାନକୁ “ଋଷିପତ୍ତନ” ଓ “ମୃଗଦାୟ” ବୋଲି କୁହାଯାଉଥିଲା । ଜ୍ଞାନ ପ୍ରାପ୍ତି ପରେ ଗୌତମ ବୁଦ୍ଧ ନିଜ ପ୍ରଥମ ଉପଦେଶ ଏଠି ଦେଇଥିଲେ । ସମ୍ରାଟ ଅଶୋକଙ୍କ ଶାସନକାଳରେ ଏଠାରେ ବହୁ ନିର୍ମାଣ କାର୍ଯ୍ୟ ହୋଇଥିଲା । ଭାରତର ରାଷ୍ଟ୍ରଚିହ୍ନରେ ଥିବା ସିଂହମୁଣ୍ଡ ମୂର୍ତ୍ତି ସାରନାଥର ଅଶୋକ ସ୍ତମ୍ଭର ଶୀର୍ଷ ଅଂଶରୁ ଗ୍ରହଣ କରାଯାଇଛି । ଏଠାର ଧମେଖ ସ୍ତୂପ ଆଜି ମଧ୍ୟ ସାରନାଥର ପ୍ରାଚୀନ ଐତିହ୍ୟକୁ ସ୍ମରଣ କରାଏ । ବିଦେଶୀ ଆକ୍ରମଣ ଓ ଧର୍ମୀୟ ବିରୋଧର କାରଣରୁ ପରେ ସାରନାଥର ମହତ୍ତ୍ୱ କମିଗଲା । ମୃଗଦାୟରେ ସାରଙ୍ଗନାଥ ମହାଦେବଙ୍କ ମୂର୍ତ୍ତି ସ୍ଥାପିତ ହେଲା ଓ ଏହାର ନାମ ସାରନାଥ ହୋଇଗଲା ।
ସାରନାଥ ବାରାଣସୀର ଉତ୍ତର-ପୂର୍ବ ଦିଗରେ ପ୍ରାୟ 8 କିଲୋମିଟର (ପାଞ୍ଚ ମାଇଲ୍) ଦୂରରେ, ଗଙ୍ଗା ଓ ବରୁଣା ନଦୀମାନଙ୍କ ସଂଗମ ସ୍ଥଳ ନିକଟରେ ଅବସ୍ଥିତ।
ପ୍ରାଚୀନ ନାମ
[ସମ୍ପାଦନା]ଏହାର ପ୍ରାଚୀନ ନାମ ଥିଲା ଋଷିପତନ (ଇସିପତନ କିମ୍ବା ମୃଗଦାବ) — ଅର୍ଥାତ୍ “ହରିଣମାନଙ୍କ ଜଙ୍ଗଲ”। ଋଷିପତନ ଶବ୍ଦର ଅର୍ଥ “ଋଷିଙ୍କ ପତନ ସ୍ଥଳ” ବା ଆଶ୍ରୟ ସ୍ଥଳ । ହରିଣମାନଙ୍କ ଚରଣ ସ୍ଥଳ ଭାବେ ଏହାର ନାମ ମୃଗଦାବ ପଡ଼ିଲା, ଯାହାର ଉଲ୍ଲେଖ ନିଗ୍ରୋଧମୃଗ ଜାତକ ରେ ମଧ୍ୟ ମିଳେ । ଆଧୁନିକ ନାମ “ସାରନାଥ” “ସାରଙ୍ଗନାଥ” (ହରିଣଙ୍କ ନାଥ) ରୁ ଉତ୍ପନ୍ନ, ଯାହା ଗୌତମ ବୁଦ୍ଧଙ୍କ ସହ ସମ୍ବନ୍ଧିତ। ଏହାର ଏକ ବୋଧିସତ୍ତ୍ୱ କଥା ସହିତ ମଧ୍ୟ ସମ୍ପର୍କ ଅଛି; ବୋଧିସତ୍ତ୍ୱ ନିଜ ପୂର୍ବଜନ୍ମରେ ଯେତେବେଳେ ମୃଗଦାବରେ ହରିଣମାନଙ୍କ ରାଜା ଥିଲେ, ସେ ଜଣେ ଗର୍ଭବତୀ ହରିଣୀଙ୍କ ପ୍ରାଣ ବଞ୍ଚାଇବା ପାଇଁ ନିଜ ପ୍ରାଣ ବଳିଦାନ କରିଥିଲେ । ଏହି କାରଣରୁ ଏହି ଅଞ୍ଚଳକୁ “ସାରଙ୍ଗନାଥ” କିମ୍ବା “ସାରନାଥ” ବୋଲି କୁହାଯାଇଲା । ଦୟାରାମ ସାହଣୀଙ୍କ ଅନୁସାରେ, ପୌରାଣିକ ସାହିତ୍ୟରେ ଶିବଙ୍କୁ ମଧ୍ୟ “ସାରଙ୍ଗନାଥ” ବୋଲି କୁହାଯାଇଛି, ଓ କାଶୀ ନଗରୀ ନିକଟରେ ଥିବାରୁ ଏହି ସ୍ଥାନ ଶିବ ଉପାସନାର ପବିତ୍ର ସ୍ଥଳ ହୋଇଯାଇଥିଲା । ସାରନାଥରେ ଥିବା “ସାରନାଥ ଶିବ ମନ୍ଦିର” ଏହାର ପ୍ରମାଣ ।
ଇତିହାସ
[ସମ୍ପାଦନା]ବୁଦ୍ଧଙ୍କ ପ୍ରଥମ ଉପଦେଶ (ପ୍ରାୟ ଖ୍ରୀପୂ 533) ପରେ ପ୍ରାୟ ୩୦୦ ବର୍ଷ ପର୍ଯ୍ୟନ୍ତ ସାରନାଥର ଇତିହାସ ଅଜ୍ଞାତ ରହିଛି, କାରଣ ପ୍ରତ୍ନତାତ୍ତ୍ଵିକ ଖୋଦନରେ ସେହି ଯୁଗର କୌଣସି ଅବଶେଷ ମିଳିନାହିଁ । ସାରନାଥର ସମୃଦ୍ଧି ଓ ବୌଦ୍ଧ ଧର୍ମର ବିକାଶ ପ୍ରଥମେ ସମ୍ରାଟ ଅଶୋକଙ୍କ ଶାସନକାଳରେ ଦେଖାଯାଏ । ସେ ଏଠି ଧର୍ମରାଜିକା ସ୍ତୂପ, ଧମେଖ ସ୍ତୂପ ଓ ସିଂହ ସ୍ତୁପ ନିର୍ମାଣ କରିଥିଲେ । ତାଙ୍କ ଉତ୍ତରାଧିକାରୀମାନଙ୍କ ଶାସନରେ ସାରନାଥ ପୁଣିନି ଅବନତି ଦିଗକୁ ଗତିକଲା । ଖ୍ରୀପୂ ଦ୍ୱିତୀୟ ଶତାବ୍ଦୀରେ ଶୁଙ୍ଗ ବଂଶ ଆସିଲା, କିନ୍ତୁ ସେହି ସମୟର ଲିପି ଏଠି ମିଳିନାହିଁ । ପ୍ରଥମ ଖ୍ରୀଷ୍ଟାବ୍ଦୀରେ ଉତ୍ତର ଭାରତରେ କୁଷାଣ ବଂଶ ସ୍ଥାପିତ ହେଲା ଓ ବୌଦ୍ଧ ଧର୍ମ ପୁଣି ଉନ୍ନତିଲାଭ କଲା । କନିଷ୍କ ରାଜ୍ୟକାଳର ତୃତୀୟ ବର୍ଷରେ ଭିକ୍ଷୁ ବଳ ଏଠି ଏକ ବୋଧିସତ୍ତ୍ୱ ମୂର୍ତ୍ତି ସ୍ଥାପନା କଲେ । କନିଷ୍କ ନିଜ ଶାସନକାଳରେ ସାରନାଥ ସହ ଭାରତର ବିଭିନ୍ନ ସ୍ଥାନରେ ବହୁ ବୌଦ୍ଧ ବିହାର ଓ ସ୍ତୂପ ନିର୍ମାଣ କଲେ ।
ଏକ ସ୍ଥାନୀୟ ପୌରାଣିକ କଥା ଅନୁସାରେ, ବୌଦ୍ଧ ଧର୍ମର ପ୍ରସାର ପୂର୍ବରୁ ସାରନାଥ ଶିବ ଉପାସନାର କେନ୍ଦ୍ର ଥିଲା । କିନ୍ତୁ ଗୟା ପରି ଅନ୍ୟାନ୍ୟ ସ୍ଥାନର ଇତିହାସ ଦେଖି ଲାଗେ ଯେ, ବୌଦ୍ଧ ଧର୍ମ ପତନ ପରେ ଶିବ ଉପାସନା ଏଠି ପ୍ରଚଳିତ ହୋଇଥିଲା । ଦେଖାଯାଏ ଯେ, ପୁରାତନ ବିଶାଳ ସହରମାନଙ୍କ ନିକଟରେ (ଯଥା ପ୍ରାଚୀନ ବିଦିଶାର ସାଞ୍ଚୀ, ଅଯୋଧ୍ୟାର ସାକେତ ଆଦି) ଯେପରି ସାରନାଥ ମୂଳତଃ ଋଷିମାନେ ଓ ତପସ୍ବୀମାନଙ୍କ ଆଶ୍ରମ ସ୍ଥଳ ଥିଲା, ଯେଉଁଠାରେ ସେମାନେ କାଶୀର କୋଳାହଳରୁ ଦୂରରେ ରହି ତଥାପି ମହାନ ନଗରୀର ସାନିଧ୍ୟରେ ବାସ କରୁଥିଲେ ।
ସାରନାଥର ଇତିହାସର ସର୍ବାଧିକ ଗୌରବମୟ ସମୟ ଥିଲା ଗୁପ୍ତ ଯୁଗ । ସେତେବେଳେ ଏହା ମଥୁରା ସହିତ ଉତ୍ତର ଭାରତର ସର୍ବୋତ୍କୃଷ୍ଟ କଳାକେନ୍ଦ୍ର ଥିଲା । ହର୍ଷବର୍ଧନଙ୍କ ଶାସନକାଳରେ ହୁଏନସାଙ୍ଗ ଭାରତ ଆସିଥିଲେ ଓ ସେ ସାରନାଥକୁ ବହୁତ ସମୃଦ୍ଧ ବୋଲି ବର୍ଣ୍ଣନା କରିଥିଲେ । ହର୍ଷ ପରେ ଅନେକ ଶତାବ୍ଦୀ ପର୍ଯ୍ୟନ୍ତ ସାରନାଥ ବିଭିନ୍ନ ଶାସକଙ୍କ ଅଧୀନରେ ରହିଲା, କିନ୍ତୁ ସେମାନଙ୍କ ଯୁଗରେ ବିଶେଷ କୌଣସି ଉପଲବ୍ଧି ହୋଇନଥିଲା ।
ମହମୁଦ ଗଜନଭିଙ୍କ ୧୦୧୭ ଖ୍ରୀ.ରେ ବାରାଣସୀ ଆକ୍ରମଣ ସମୟରେ ସାରନାଥ ବିଶେଷ ଭାବରେ ନଷ୍ଟ ହୋଇଗଲା । ପୁନଃ ୧୦୨୬ ଖ୍ରୀ.ରେ ସମ୍ରାଟ ମହୀପାଳଙ୍କ ଶାସନକାଳରେ ସ୍ଥିରପାଳ ଓ ବସନ୍ତପାଳ ନାମକ ଦୁଇ ଭାଇ ସମ୍ରାଟଙ୍କ ପ୍ରେରଣାରେ କାଶୀର ମନ୍ଦିରମାନଙ୍କ ସହିତ ଧର୍ମରାଜିକା ସ୍ତୂପ ଓ ଧର୍ମଚକ୍ରର ମରାମତି କଲେ । ଗାହଡ଼ବାଳ ବଂଶ ଶାସନକାଳରେ ଗୋବିନ୍ଦଚନ୍ଦ୍ରଙ୍କ ରାଣୀ କୁମାରଦେବୀ ସାରନାଥରେ ଜଣେ ବିହାର ନିର୍ମାଣ କରାଇଥିଲେ ; ଖୋଦନରେ ମିଳିଥିବା ଏକ ଶିଳାଲେଖ ଏହାର ପ୍ରମାଣ । ଏହା ପରେ ସାରନାଥର ଐଶ୍ୱର୍ଯ୍ୟର ଶେଷ ହୋଇଗଲା ।
ପରବର୍ତ୍ତୀ ବିକାଶ
[ସମ୍ପାଦନା]ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଉପନିବେଶୀ ଶାସନ କାଳରେ, ସାରନାଥ ଭଳି ପ୍ରାଚୀନ ସ୍ଥଳଗୁଡ଼ିକ ଉପରେ ବ୍ୟାପକ ପୁରାତତ୍ତ୍ୱ ଅଧ୍ୟୟନ କରାଯାଇଥିଲା । କିଛି ପୁନରୁଦ୍ଧାର କାର୍ଯ୍ୟ ଦଶକ ପରେ ହୋଇଥିଲା । ଏହାର ପରିଣାମ ସ୍ୱରୂପ, ସାରନାଥ ପୁନରାୟ ବୌଦ୍ଧ ଓ ଜୈନ ଧର୍ମାନୁଗାମୀଙ୍କ ପାଇଁ ଏକ ପବିତ୍ର ତୀର୍ଥସ୍ଥଳ ଭାବରେ ତାହାର ପୁରୁଣା ମର୍ଯ୍ୟାଦା ଫେରି ପାଇଛି । ୧୯୯୮ ମସିହାରେ, ସାରନାଥକୁ ସଂଯୁକ୍ତ ରାଷ୍ଟ୍ର ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (UNESCO) ଦ୍ୱାରା ବିଶ୍ୱ ସାଂସ୍କୃତିକ ଐତିହ୍ୟ ତାଲିକାରେ “ଅସାଧାରଣ ସାର୍ବଭୌମ ମୂଲ୍ୟ” ବୋଲି ନାମାଂକିତ କରାଯାଇଥିଲା ।
ଏହି ନାମାଙ୍କନରେ ଦୁଇଟି ସ୍ମାରକ ଗୋଷ୍ଠୀ ଅନ୍ତର୍ଭୁକ୍ତ ଅଛି — “ଗୋଷ୍ଠୀ A” ଭାବେ ଚୌଖଣ୍ଡି ସ୍ତୂପ ରହିଛି, ଯେଉଁଠି “ଗୋଷ୍ଠୀ B” ଭିତରେ ଅନ୍ୟ ସମସ୍ତ ସ୍ମାରକ (ଯେପରିକି ମନ୍ଦିର, ସ୍ତୂପ, ବିହାର ଓ ଅଶୋକ ସ୍ତମ୍ଭ) ଅନ୍ତର୍ଭୁକ୍ତ ହୋଇଛି ।[୬]
ଆଧାର
[ସମ୍ପାଦନା]- ↑ Samye Translations, "Sarnath: The First Turning of the Dharma Wheel", Nekhor: Circling the Sacred
- ↑ "Sarnath struggles for recognition as heritage bid gathers dust", The Times of India, 19 April 2024
- ↑ Khenpo Sonam Tsering,The Great Pilgrimage Sites in India, 2021
- ↑ Varanasi on Line, "Sarnath"
- ↑ "Maha-parinibbana Sutta: The Great Discourse on the Total Unbinding". www.accesstoinsight.org. Retrieved 2025-10-31.
- ↑ Centre, UNESCO World Heritage. "Ancient Buddhist Site, Sarnath, Varanasi, Uttar Pradesh". UNESCO World Heritage Centre (in ଇଂରାଜୀ). Retrieved 2025-10-31.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |