ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ
ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (National Green Tribunal–NGT) ଭାରତରେ ପରିବେଶ ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରାକୃତିକ ସମ୍ପଦ ସମ୍ବନ୍ଧୀୟ ମାମଲାଗୁଡ଼ିକର ଶୀଘ୍ର ନିଷ୍ପତ୍ତି ପାଇଁ ଗଠିତ ଏକ ଆଇନସମ୍ମତ ସଂସ୍ଥା ଅଟେ। ଏହା ୨୦୧୦ ମସିହାରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ ଆଇନ ଅନୁସାରେ ସ୍ଥାପିତ ହୋଇଥିଲା।[୧] ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପରେ ପରିବେଶ ସୁରକ୍ଷା ପାଇଁ ଏକ ଆଇନସମ୍ମତ ସଂସ୍ଥା ସ୍ଥାପନ କରିଥିବା ବିଶ୍ୱର ତୃତୀୟ ଦେଶ ହେଉଛି ଭାରତ। ଏହାର ଜାତୀୟ ମୁଖ୍ୟାଳୟ ନୂଆ ଦିଲ୍ଲୀରେ ଅବସ୍ଥିତ ଏବଂ ଆଞ୍ଚଳିକ ମୁଖ୍ୟାଳୟଗୁଡ଼ିକ ଭୋପାଳ, ପୁଣେ, କଲକାତା ଏବଂ ଚେନ୍ନାଇ ସହରରେ ଅଛି।
ଇତିହାସ ଏବଂ ଉଦ୍ଦେଶ୍ୟ
[ସମ୍ପାଦନା]ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (NGT) ୨୦୧୦ ମସିହାରେ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ ଆଇନ ଅନୁସାରେ ପରିବେଶ ସମ୍ବନ୍ଧୀୟ ମାମଲାଗୁଡ଼ିକର ନିର୍ବାହ ଏବଂ ସେସବୁ ସମ୍ପର୍କିତ ନିଷ୍ପତ୍ତିଗୁଡ଼ିକର ଶୀଘ୍ର କାର୍ଯ୍ୟାନ୍ବୟନ ପାଇଁ ଏକ ଆଇନସମ୍ମତ ସଂସ୍ଥା ଭାବେ ଗଠିତ ହୋଇଥିଲା । ଏହି ନ୍ୟାୟାଧିକରଣର ନିର୍ଦ୍ଦେଶ ଅନୁସାରେ ଆବେଦନ ଏବଂ ଅର୍ଜିଗୁଡ଼ିକୁ ଛଅ ମାସର ମଧ୍ୟରେ ନିଷ୍ପତ୍ତି କରାଯିବା ଆବଶ୍ୟକ।[୨]
ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛି। ଯଥା—ବାୟୁ ପ୍ରଦୂଷଣ ରୋକିବା ଉଦ୍ଦେଶ୍ୟରେ ଦିଲ୍ଲୀର ସଡ଼କରେ ପନ୍ଦର ବର୍ଷରୁ ଅଧିକ ପୁରୁଣା ଡିଜେଲ ଯାନ ଚଳାଚଳକୁ ଅବୈଧ ଘୋଷଣା କରିବା। ଏହାସହ ଏକ ପୃଥକ ଆଦେଶରେ ଛତିଶଗଡ଼ ରାଜ୍ୟର ହସ୍ଦେଓ–ଆରଣ୍ଡ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ କୋଇଲା ବ୍ଲକଗୁଡ଼ିକୁ ଦିଆଯାଇଥିବା ମଞ୍ଜୁରିକୁ ବାତିଲ କରାଯାଇଥିଲା।
ନଭେମ୍ବର ୨୦୧୬ରେ, ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣର କଲିକତା ବେଞ୍ଚ ପରିବେଶ ସଂବେଦନଶୀଳ ଅଞ୍ଚଳ ଭାବେ ସୁନ୍ଦରବନରେ ବନ୍ୟଜନ୍ତୁ ସୁରକ୍ଷା ପାଇଁ ନିର୍ମାଣ କାର୍ଯ୍ୟ ଏବଂ ଶବ୍ଦ ପ୍ରଦୂଷଣ ଉପରେ ପ୍ରତିବନ୍ଧ ଲାଗୁ କରିଥିଲା ।
ଗଠନ
[ସମ୍ପାଦନା]ଦିଲ୍ଲୀରେ ମୁଖ୍ୟାଳୟ ଥିବା ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣରେ ଜଣେ ଅଧ୍ୟକ୍ଷ ଥାନ୍ତି, ଯିଏ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ନ୍ୟାୟାଧୀଶ ହୋଇଥିବା ଦରକାର। ନ୍ୟାୟାଧିକରଣର ନ୍ୟାୟିକ ସଦସ୍ୟମାନେ ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ନ୍ୟାୟାଧୀଶ ହେବା ଉଚିତ। ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ ବେଞ୍ଚରେ ଦଶଜଣ ନ୍ୟାୟିକ ସଦସ୍ୟ ଏବଂ ଦଶଜଣ ବିଶେଷଜ୍ଞ ସଦସ୍ୟ ଅଛନ୍ତି। ଜଙ୍ଗଲ ସଂରକ୍ଷଣ, ପରିବେଶ ଏବଂ ସମାନ କ୍ଷେତ୍ରରେ କମ୍ ନୁହେଁ ୧୫ ବର୍ଷର ଅନୁଭବ ସହିତ ବୃତ୍ତିଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତି ବିଶେଷଜ୍ଞ ସଦସ୍ୟ ହେବାକୁ ଯୋଗ୍ୟ।
କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ପୂର୍ବତନ ନ୍ୟାୟାଧୀଶ ଜଷ୍ଟିସ୍ ଡା. ଜୱାଦ ରହିମଙ୍କୁ ୨୦୧୮ ମସିହାରେ କାର୍ଯ୍ୟବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିଲା। ଅଗଷ୍ଟ ୨୦୨୩ ଠାରୁ ଜଷ୍ଟିସ୍ ପ୍ରକାଶ ଶ୍ରୀବାସ୍ତବ ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଅଛନ୍ତି।[୩]
କ୍ଷମତା
[ସମ୍ପାଦନା]ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ (NGT) କୁ NGT ଆଇନର ସୂଚୀ–I ରେ ଉଲ୍ଲେଖିତ ଆଇନଗୁଡ଼ିକର କାର୍ଯ୍ୟାନ୍ବୟନ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକର ନିଷ୍ପତ୍ତି କରିବା ଶକ୍ତି ଦିଆଯାଇଛି। ଏହା ସମସ୍ତ ସିଭିଲ ସ୍ୱଭାବର ଏବଂ ପରିବେଶ ସମ୍ବନ୍ଧୀୟ ମାମଲାଗୁଡ଼ିକୁ ଶୁଣାଣି କରେ, ଯାହା ନିମ୍ନଲିଖିତ ଆଇନଗୁଡ଼ିକ ଅନ୍ତର୍ଗତ ଅଟେ:[8]
- ଜଳ (ପ୍ରଦୂଷଣ ରୋକଥାମ ଏବଂ ନିୟନ୍ତ୍ରଣ) ଆଇନ, ୧୯୭୪;
- ଜଳ (ପ୍ରଦୂଷଣ ରୋକଥାମ ଏବଂ ନିୟନ୍ତ୍ରଣ) ସେସ୍ ଆଇନ, ୧୯୭୭;
- ଜଙ୍ଗଲ (ସଂରକ୍ଷଣ) ଆଇନ, ୧୯୮୦;
- ବାୟୁ (ପ୍ରଦୂଷଣ ରୋକଥାମ ଏବଂ ନିୟନ୍ତ୍ରଣ) ଆଇନ, ୧୯୮୧;
- ପରିବେଶ (ସୁରକ୍ଷା) ଆଇନ, ୧୯୮୬;
- ସାର୍ବଜନୀନ ଦାୟିତ୍ୱ ବୀମା ଆଇନ, ୧୯୯୧;
- ଜୈବ ବିବିଧତା ଆଇନ, ୨୦୦୨।
ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣ ଉପରୋକ୍ତ ଆଇନଗୁଡ଼ିକ ସମ୍ବନ୍ଧୀୟ ସମସ୍ତ ପ୍ରକାର ଉଲ୍ଲଂଘନ କିମ୍ବା ସେସବୁ ଆଇନ ଅନ୍ତର୍ଗତ ଥିବା କୌଣସି ସରକାରୀ ସିଦ୍ଧାନ୍ତ କିମ୍ବା ଆଦେଶକୁ ବିଚାର କରେ। କିନ୍ତୁ, ଭାରତୀୟ ଜଙ୍ଗଲ ଆଇନ, ୧୯୨୭; ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨; ଏବଂ ଗଛ, ଜଙ୍ଗଲ ଇତ୍ୟାଦିର ସୁରକ୍ଷା ସହ ସମ୍ବନ୍ଧିତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟିତ ଅନ୍ୟାନ୍ୟ ଆଇନଗୁଡ଼ିକ ଅନ୍ତର୍ଗତ ବିଷୟଗୁଡ଼ିକୁ ଶୁଣାଣି କରିବାରୁ ଏହି ନ୍ୟାୟାଧିକରଣକୁ ବଞ୍ଚିତ କରାଯାଇଛି।
ରାଷ୍ଟ୍ରୀୟ ସବୁଜ ନ୍ୟାୟାଧିକରଣର ନିୟମ ୨୨ ଅନୁଯାୟୀ, ଏହାର ଆଦେଶକୁ ପୁନର୍ବିଚାର କରାଯାଇପାରେ। ଯଦି ନ୍ୟାୟାଧିକରଣ ସମ୍ମୁଖରେ ଦାଖଲ ହୋଇଥିବା ପୁନର୍ବିଚାର ଅର୍ଜି ବିଫଳ ହୁଏ, ତେବେ ସେହି ଆଦେଶ ବିରୋଧରେ ୯୦ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ ଆପିଲ୍ କରାଯାଇପାରେ।
ଆଧାର
[ସମ୍ପାଦନା]- ↑ Bhargav, Praveen. "Everything you need to know about the National Green Tribunal (NGT)". Conservation India (in ଆମେରିକୀୟ ଇଂରାଜୀ). Retrieved 2026-01-10.
- ↑ "NGT". www.greentribunal.gov.in. Retrieved 10 January 2026.
- ↑ "HON'BLE MR. JUSTICE PRAKASH SHRIVASTAVA". https://www.greentribunal.gov.in/. Retrieved 10 January 2026.
{{cite web}}: External link in(help)|website=
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |