Jump to content

ନରହରି ତୀର୍ଥ

ଉଇକିପିଡ଼ିଆ‌ରୁ
(Narahari Tirthaରୁ ଲେଉଟି ଆସିଛି)
Lord Vishnu holding his divine Panchjanya counch shell

ନରହରି ତୀର୍ଥ (ପ୍ରା. 1243 – ପ୍ରା. 1333[]) ଜଣେ ଦ୍ୱୈତ ବେଦାନ୍ତ ଦାର୍ଶନିକ, ଶାସ୍ତ୍ରଜ୍ଞ, ରାଜନୀତିଜ୍ଞ ଏବଂ ମାଧ୍ବାଚାର୍ଯ୍ୟଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ । ଶ୍ରୀପାଦରାଜଙ୍କ ସହିତ ସେ ହରିଦାସ ଆନ୍ଦୋଳନର ଆଦି ପ୍ରବର୍ତ୍ତକ ଭାବରେ ଗଣ୍ୟ । ଯଦିଓ ତାଙ୍କ ଶାସ୍ତ୍ରୀୟ କୃତିମାନଙ୍କ ମଧ୍ୟରୁ କେବଳ ଦୁଇଟି ଗ୍ରନ୍ଥ ଉପଲବ୍ଧ, କିନ୍ତୁ ସେଗୁଡିକ ତାଙ୍କର ସ୍ପଷ୍ଟତା ଓ ଅନାବଶ୍ୟକ ବର୍ଣ୍ଣନା ରହିତ ରୀତି ପାଇଁ ପରିଚିତ । ‘ରଘୁକୁଳତିଳକ’ ଛଦ୍ମ ନାମରେ ତାଙ୍କ କିଛି କୃତି କାବ୍ୟ ରହିଅଛି । ପୂର୍ବ ଗଙ୍ଗ ରାଜମାନଙ୍କ ଦରବାରରେ ଜଣେ ଶକ୍ତିଶାଳୀ ମନ୍ତ୍ରୀ ଭାବେ ଏବଂ ପରେ ମାଧ୍ବାଚାର୍ୟମଠର ପୀଠାଧିଶ ଭାବେ କାମ କରିବା ସମୟରେ, ନରହରି ସିଂହାଚଳମ୍ ମନ୍ଦିରକୁ ଏକ ପ୍ରସିଦ୍ଧ ଶିକ୍ଷା କେନ୍ଦ୍ର ଏବଂ ବୈଷ୍ଣବ ଧାର୍ମିକ ପୀଠ ରୂପେ ସେ ଗଢ଼ିଥିଲେ।[]

ତାଙ୍କ ପ୍ରାରମ୍ଭିକ ଜୀବନ ବିଷୟରେ ବିଶେଷ କିଛି ଜଣାଯାଏ ନାହିଁ, କେବଳ ଏତିକି ଯେ ସେ କଳିଙ୍ଗର (ଆଜିର ଉତ୍ତର ଆନ୍ଧ୍ର ଓ ଓଡିଶା) ପୂର୍ବ ଗଙ୍ଗ ସାମ୍ରାଜ୍ୟରେ ଜଣେ ମନ୍ତ୍ରୀ ଥିଲେ ଏବଂ ସନ୍ନ୍ୟାସୀ ହେବା ପୂର୍ବରୁ ନରସିଂହ ଦେବ–ଦ୍ୱିତୀୟଙ୍କ ରେଜେଣ୍ଟ (ପ୍ରଶାସକ) ଭାବରେ ସେବା କରିଥିଲେ । ତାଙ୍କ ଜୀବନ ବିଷୟକ ସୂଚନା 'ନରହରିୟତିସ୍ତୋତ୍ର', ନାରାୟଣ ପଣ୍ଡିତଙ୍କ ‘ମାଧ୍ବ ବିଜୟ’ ଓ ଶ୍ରୀକୂର୍ମମ୍ ଓ ସିଂହାଚଳମ୍ ମନ୍ଦିରର ଶିଳାଳିପିରୁ ମିଳିଥାଏ, ଯେଉଁଥିରେ ସେ ରେଜେଣ୍ଟ ଥିବା କଥା ଲିପିବଦ୍ଧ ଅଛି । ଏହି ଶିଳାଳିପିଗୁଡିକ ସେ ଶାସ୍ତ୍ରୀୟ ଜ୍ଞାନ ଓ ତରବାରୀ ଚାଳନାରେ ପାରଙ୍ଗତ ଥିବାକୁ ମଧ୍ୟ ସୂଚାଉଛି । ତେବେ ସ୍ପଷ୍ଟ ପ୍ରମାଣ ଅଛି ଯେ ସେ ଭାନୁଦେବ–ପ୍ରଥମ ଓ ତାଙ୍କ ଅଭିଭାବ୍ୟ ନରସିଂହ ଦେବ–ଦ୍ୱିତୀୟଙ୍କ ଆଶ୍ରୟ ପାଇଥିଲେ ଏବଂ ସେ କଳିଙ୍ଗ ସମଗ୍ରରେ ମାଧ୍ବ ଦର୍ଶନର ପ୍ରଚାର କରିଥିଲେ । ତାଙ୍କ ଶାରୀରୀକ ଅବଶେଷ ହମ୍ପି ନିକଟରେ ଚକ୍ରତୀର୍ଥରେ ରହିଛି ।

ନରହରିଙ୍କ ‘ଭାବପ୍ରକାଶିକା’, ଯାହା ମାଧ୍ବଙ୍କ ‘ଗୀତା ଭାଷ୍ୟ’ର ଭାଷ୍ୟ, ଦ୍ୱୈତ ସାହିତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ କୃତି, କାରଣ ଜୟତୀର୍ଥ ଓ ରାଘବେନ୍ଦ୍ର ତୀର୍ଥ ଏହାକୁ ଉଦ୍ଧୃତ କରିଥିବା ମିଳେ । ଯଦିଓ ସେ କନ୍ନଡ ଭାଷାଭୂମିର ନ ଥାଇପାରନ୍ତି, ତଥାପି ତାଙ୍କର ବହୁ କୃତି କନ୍ନଡରେ ଥିଲା; ଆଜି ତାଙ୍କ କେବଳ ତିନୋଟି କନ୍ନଡ ରଚନା ଅବଶିଷ୍ଟ ଉପଲବ୍ଦ । ନରହରି ଓ ଶ୍ରୀପାଦରାଜଙ୍କୁ ହରିଦାସ ଆନ୍ଦୋଳନର ପ୍ରବର୍ତ୍ତକ ଭାବରେ ଦେଖାଯାଏ, କାରଣ ସେମାନେ ମାଧ୍ବଙ୍କ ଶିକ୍ଷାକୁ ସରଳ ଭାବରେ ଲୋକଭାଷା କନ୍ନଡରେ ଗୀତ ଓ ସ୍ତୋତ୍ର ଆକାରରେ ରଚନା କରିଥିଲେ । ପାରମ୍ପରିକ ଭାବରେ, ନରହରିଙ୍କୁ ଉଡୁପିର ଟୁଳୁ ଭୂମିରେ ଖେଳାଯାଇଥିବା ‘ଆଟା’ ନାମକ ରଙ୍ଗମଞ୍ଚ ଶୈଳୀର ପ୍ରବର୍ତ୍ତକ ବୋଲି ମନେ କରାଯାଏ, ଯାହା ପରେ ‘ଯକ୍ଷଗାନ‘ ଓ ‘ବାୟଳାଟ’ (ଖୋଲାମଞ୍ଚ ନାଟକ) ଭାବେ ପରିଚିତ ହେଲା ଏବଂ ଆଜି ଟୁଳୁ ନାଡୁ, କର୍ଣ୍ଣାଟକ ଓ କେରଳର କାସରଗୋଡ ଅଞ୍ଚଳରେ ବିକଶିତ ହୋଇ ଚାଲିଛି।

  1. Journal of the Andhra Historical Society, Volume 11. Andhra Historical Research Society. 1938. p. 155. Sri Narahari tirtha is known to have died in 1333 A.D, at the ripe old age of ninety. Obviously, he was born in 1243 A.D.
  2. Sundaram 1969, p. 77.