Jump to content

ମାୟାସଭା

ଉଇକିପିଡ଼ିଆ‌ରୁ
(Mayasabhaରୁ ଲେଉଟି ଆସିଛି)
MayaSabha

ମାୟାସଭା, ବା “ମାୟା ମହଲ” (Hall of Illusions) ଭାରତୀୟ ମହାକାବ୍ୟ ମହାଭାରତ ରେ ଉଲ୍ଲେଖ ହୋଇଥିବା ଏକ ପୌରାଣିକ ପ୍ରାସାଦ ଅଟେ । ଏହା ଇନ୍ଦ୍ରପ୍ରସ୍ଥରେ ଅବସ୍ଥିତ ଥିଲା ଏବଂ ଏହାକୁ ଦାନବ ରାଜା ଏବଂ ଅସୁର ଶିଳ୍ପୀ ମାୟା (ମୟାସୁର) ଦ୍ୱାରା ନିର୍ମିତ କରାଯାଇଥିଲା ।[] ଖାଣ୍ଡବପ୍ରସ୍ଥରେ ପାଣ୍ଡବମାନଙ୍କ ଆଧିପତ୍ୟ ପରେ ତାଙ୍କ ପାଇଁ ନିର୍ମିତ ଏହି ମହଲ ଅସାଧାରଣ ସୌନ୍ଦର୍ଯ୍ୟ, ଅତି ଜଟିଳ ନିର୍ମାଣକଳା ଏବଂ ଧନ, ଶକ୍ତି ଓ ଦିବ୍ୟ କୃପାର ପ୍ରତୀକ ଭାବେ ପ୍ରସିଦ୍ଧ ।

ପୃଷ୍ଠଭୂମି

[ସମ୍ପାଦନା]

ମୟା ଥିଲେ ଋଷି କଶ୍ୟପ ଓ ତାଙ୍କ ଭାର୍ଯ୍ୟା ଦନୁଙ୍କ ପୁଅ ଏବଂ ଦାନବମାନଙ୍କ ମଧ୍ୟରେ ଏକ ଶିଳ୍ପକଳା ଓ ସ୍ଥପତ୍ୟର ନିପୁଣ ଶିଳ୍ପି । ବ୍ରହ୍ମାଙ୍କ ଆଶୀର୍ବାଦରେ ସେ ଅସୁର ଓ ଦେବତା, ଉଭୟଙ୍କ ପାଇଁ ଅତ୍ୟନ୍ତ ଚମତ୍କାର ନିର୍ମାଣଗୁଡ଼ିକ କରି ଖ୍ୟାତି ଲାଭ କରିଥିଲେ ।[] ମୟାଙ୍କ ସମ୍ପର୍କ ପାଣ୍ଡବମାନଙ୍କ ସହ ସେତେବେଳେ ଆସିଲା, ଯେତେବେଳେ ଖାଣ୍ଡବବନ ଦାହ ଘଟିଲା । ଶ୍ରୀକୃଷ୍ଣ ଓ ଅର୍ଜୁନ ଅଗ୍ନିଦେବଙ୍କ ପାଇଁ ସେଇ ବନକୁ ଅଗ୍ନିଦେବଙ୍କୁ ଭୋଜନ ଭାବରେ ଦେଇଥିଲେ । ଯେତେବେଳେ ଅଗ୍ନି ସମଗ୍ର ବନକୁ ଜାଳିବା ଆରମ୍ଭ କରିଦେଲା, ମୟା ଜୀବନ ରକ୍ଷା ପାଇଁ ପଳାଇଲେ । ସେତେବେଳେ ଶ୍ରୀକୃଷ୍ଣ ତାଙ୍କ ଉପରେ ସୁଦର୍ଶନ ଚକ୍ର ନିକ୍ଷେପ କରିବାକୁ ଯାଉଥିଲେ, ମାୟା ଭୟଭୀତ ହୋଇ ଅର୍ଜୁନଙ୍କ ଆଶ୍ରୟ ନେଲେ । ଅର୍ଜୁନ ମଧ୍ୟସ୍ଥ ହୋଇ କୃଷ୍ଣ ଓ ଅଗ୍ନିଙ୍କୁ ବିରତ କଲେ ଏବଂ ମାୟାଙ୍କ ଜୀବନ ବଞ୍ଚାଇଲେ । ଋଣୀ ହୋଇ ମାୟା ଅର୍ଜୁନଙ୍କ ପ୍ରତି ଭକ୍ତି ଓ କୃତଜ୍ଞତା ପ୍ରକାଶ କରି ସେମାନଙ୍କୁ ପୁରସ୍କାର ଭାବେ କିଛି ଅର୍ପଣ କରିବାକୁ ପ୍ରତିଞ୍ଜା କଲେ । ଅର୍ଜୁନ ପ୍ରଥମେ କୌଣସି ପୁରସ୍କାର ନେବାକୁ ଅସ୍ୱୀକାର କଲେ, କହିଲେ ଯେ ମୟାଙ୍କୁ ରକ୍ଷା କରିବା ହିଁ ପୁଣ୍ୟ । କିନ୍ତୁ ମୟାଙ୍କ ଅନୁରୋଧରେ କୃଷ୍ଣ ଏହାକୁ ଏକ ସୁଯୋଗ ଭାବି, ମୟାଙ୍କୁ ଆଦେଶ ଦେଲେ ଯେ ସେ ଇନ୍ଦ୍ରପ୍ରସ୍ଥରେ ଯୁଧିଷ୍ଠିରଙ୍କ ପାଇଁ ଏକ ଅପୂର୍ବ ଓ ଅତୁଲନୀୟ ମହଲ ନିର୍ମାଣ କରୁନ୍ତୁ ।

ନିର୍ମାଣ

[ସମ୍ପାଦନା]

ମୟା ଅତ୍ୟନ୍ତ ଭକ୍ତି ଓ ସଠିକ ଯୋଜନା ସହିତ ମାୟାସଭାର ନିର୍ମାଣ ଆରମ୍ଭ କଲେ । ସେ ଇନ୍ଦ୍ରପ୍ରସ୍ଥରେ ପାଞ୍ଚ ହଜାର ହସ୍ତ ଚଉକ ଜମି ଚୟନ କଲେ, ଯେଉଁଠି ପରିବେଶ ଶୁଭ ଓ ସୁନ୍ଦର ଥିଲା । ଶୁଭ ମୁହୂର୍ତ୍ତ ଦିନେ ସେ ବ୍ରାହ୍ମଣମାନଙ୍କୁ ଦାନ ଦେଇ ଯଜ୍ଞ କରି ନିର୍ମାଣ କାମ ଆରମ୍ଭ କଲେ । ମାୟାସୁର ବିଭିନ୍ନ ସ୍ଥାନରୁ ଦୁର୍ଲଭ ଜିନିଷ ଆଣି ଏହି ମହଲରେ ଖଞ୍ଜିଥିଲେ । ସେ ପାଣ୍ଡବମାନଙ୍କ ପାଇଁ ଅସୁର ଲୋକରୁ କିଛି ଦିବ୍ୟ ଉପହାର ମଧ୍ୟ ଆଣିଲେ; ଭୀମଙ୍କ ପାଇଁ ଦିବ୍ୟ ଗଦା ଓ ଅର୍ଜୁନଙ୍କ ପାଇଁ ଦେବଦତ୍ତ ଶଂଖ । ଚଉଦ ମାସ ଧରି ଚାଲିଥିବା ଏହି ନିର୍ମାଣ କାମ ଶେଷରେ ଏକ ଅପୂର୍ବ ସ୍ଥପତ୍ୟ ରଚନାରେ ପରିଣତ ହେଲା । ସଭାରେ ସୁବର୍ଣ୍ଣ ସ୍ତମ୍ଭ, ମୂଲ୍ୟବାନ ରତ୍ନ ଲାଗିଥିବା କାନ୍ଥ ସହିତ ମାନବ ଓ ଦିବ୍ୟ କଳାର ମିଶ୍ରିତ ଶିଳ୍ପ ସଜାଣି ଥିଲା । ମୂଲ୍ୟବାନ ପଥରରେ ଖଚିତ ଚଟାଣ ଜଳାଶୟର ଭ୍ରମ ସୃଷ୍ଟି କରୁଥିଲା, ରତ୍ନଖଚିତ ସୋପାନ ଏହାର ରୂପକୋଟିକୁ ବଢ଼ାଇ ଦେଇଥିଲା । ସୁବର୍ଣ୍ଣ ପଦ୍ମ ଓ ପକ୍ଷୀ ଥିବା ଏକ ରତ୍ନଖଚିତ ସରୋବର ଏହାର ଆଭାକୁ ଆହୁରି ବଢ଼ାଇଥିଲା ।[]

ମହାଭାରତରେ ଭୂମିକା

[ସମ୍ପାଦନା]

ମାୟାସଭା ପାଣ୍ଡବମାନଙ୍କ ବୃଦ୍ଧିଶୀଳ ଶକ୍ତି ଓ ସମୃଦ୍ଧିର ପ୍ରତୀକ ହୋଇ ଉଭା ହେଲା । ଏହାର ଅଦ୍ଭୁତ ସୌନ୍ଦର୍ଯ୍ୟ ଓ ଭବ୍ୟତା ସମଗ୍ର ଜଗତରେ ପ୍ରଶଂସା ଲାଭ କଲା ଏବଂ ଯୁଧିଷ୍ଠିରଙ୍କ ମହାନତାକୁ ପ୍ରକାଶ କଲା । ଏହି ସଭା ମହାଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାର କେନ୍ଦ୍ରସ୍ଥଳ ହେଲା; ବିଶେଷତଃ ଯୁଧିଷ୍ଠିରଙ୍କ ରାଜସୂୟ ଯଜ୍ଞ, ଯାହା ତାଙ୍କ ସାମ୍ରାଜ୍ୟ ସ୍ଥାପନ ଓ ପାଣ୍ଡବମାନଙ୍କ ଶ୍ରେଷ୍ଠତାର ପ୍ରତୀକ ଥିଲା । ମୟାସଭା ଦର୍ଶନ ସମୟରେ, କୌରବ ରାଜକୁମାର ଦୁର୍ଯୋଧନ ଏକ ପ୍ରତିଫଳିତ ସ୍ଫଟିକ ମାଟିକୁ ଜଳ ଭାବି ସେଠାରେ ପଡ଼ି ଅପମାନିତ ହେଲେ । ଏହି ଘଟଣା ତାଙ୍କର ଇର୍ଷ୍ୟାକୁ ଆହୁରି ଜୋରଦାର କଲା ଏବଂ ପାଣ୍ଡବମାନଙ୍କ ପ୍ରତି ତାଙ୍କର ଶତ୍ରୁତାକୁ ଗଭୀର କଲା, ଯାହାର ଫଳାଫଳ ହେଲା ମହାଭାରତ ଯୁଦ୍ଧ ।[]

  1. "- Savitri". savitri.in. Retrieved 2025-11-04.
  2. www.wisdomlib.org (2019-01-28). "Story of Maya". www.wisdomlib.org (in ଇଂରାଜୀ). Retrieved 2025-11-04.
  3. "The construction and inauguration of Maya Sabha in Indraprastha – Vyasa Mahabharata" (in ଆମେରିକୀୟ ଇଂରାଜୀ). Retrieved 2025-11-04.
  4. Krishnaraj, Maithreyi, ed. (2012). Motherhood in India: Glorification without Empowerment? (in ଇଂରାଜୀ). Taylor & Francis. p. 118. ISBN 978-1-136-51779-2. Retrieved 18 January 2025.