Jump to content

ମାଡ୍ରାସ ଉଚ୍ଚ ନ୍ୟାୟାଳୟ

ଉଇକିପିଡ଼ିଆ‌ରୁ
(Madras High Courtରୁ ଲେଉଟି ଆସିଛି)


ମାଡ୍ରାସ ଉଚ୍ଚ ନ୍ୟାୟାଳୟ ଭାରତର ତିନିଟି ପ୍ରେସିଡେନ୍ସି ସହରରେ ମହାରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ୨୬ ଜୁନ୍ ୧୮୬୨ ରେ ଜାରି କୃତ ଲେଟର୍ସ ପେଟେଣ୍ଟ ଦ୍ୱାରା ସ୍ଥାପିତ ତିନିଟି ଉଚ୍ଚ ନ୍ୟାୟାଳୟମାନଙ୍କ ମଧ୍ୟରୁ ଅନ୍ୟତମ ଏବଂ ଏହା ତାମିଲନାଡୁ ରାଜ୍ୟର ସବୁଠାରୁ ବଡ଼ ନ୍ୟାୟାଳୟ ଅଟେ । ଏହି ନ୍ୟାୟାଳୟର ମାଡ୍ରାସ ସହର ଉପରେ ମୂଳ ବିଚାରାଧିକାର ଓ ସମ୍ପୂର୍ଣ୍ଣ ରାଜ୍ୟ ଉପରେ ଅପିଲ ବିଚାରାଧିକାର ଭଳି କ୍ଷମତା ରହିଅଛି । ଏହା ସହିତ ଲେଟର୍ସ ପେଟେଣ୍ଟ ଅନୁଯାୟୀ ଓ ଭାରତୀୟ ସଂବିଧାନ ଅନୁଯାୟୀ ଏହି ଉଚ୍ଚ ନ୍ୟାୟାଳୟର ରିଟ୍ ଜାରି ପାଇଁ ବିଶେଷ ମୂଳ ବିଚାରାଧିକାର ସହିତ ସାଧାରଣ ଓ ଦଣ୍ଡ ମାମଲାରେ ବି ଅସାଧାରଣ ମୂଳ ବିଚାରାଧିକାର ମଧ୍ୟ ରହିଛି ।

ମୁଖ୍ୟ ବିଚାରପତି ହେଉଛନ୍ତି ରାଜ୍ୟର ନ୍ୟାୟବ୍ୟବସ୍ଥାର ମୁଖ୍ୟ ଓ ସେ ନ୍ୟାୟବ୍ୟବସ୍ଥା ପ୍ରଶାସନରେ ଗୃହୀତ ନୀତିର ମୁଖ୍ୟ ଦାୟିତ୍ୱ ନିବାହ କରନ୍ତି । ଏହି ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତି ସହିତ ଅନ୍ୟ ୭୪ ଜଣ ବିଚାରପତି ଅଛନ୍ତି।[]

ଇତିହାସ

[ସମ୍ପାଦନା]

୧୮୧୭ ରୁ ୧୮୬୨ ପର୍ଯ୍ୟନ୍ତ, ମାଡ୍ରାସ ସୁପ୍ରିମ କୋର୍ଟ ଚେନ୍ନାଇ ବୀଚ୍ ରେଳଷ୍ଟେସନ ସମ୍ମୁଖରେ ଅବସ୍ଥିତ ଥିଲା । ୧୮୬୨ ରୁ ୧୮୯୨ ପର୍ଯ୍ୟନ୍ତ ଉଚ୍ଚ ନ୍ୟାୟାଳୟ ବି ଏଠାରେ କାର୍ଯ୍ୟ କରୁଥିଲା । ତେବେ ବର୍ତ୍ତମାନର ଭବନଗୁଡିକ ୧୨ ଜୁଲାଇ ୧୮୯୨ ରେ ସାର୍ ଆର୍ଥର କଲିନ୍ସଙ୍କୁ ତାଲା ହସ୍ତାନ୍ତର କରି ବେଲ୍ବି ବାରନ୍ ୱେନଲକ୍ ନାମକ ତତ୍କାଳୀନ ମାଡ୍ରାସ ଗଭର୍ଣ୍ଣରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା।

୨୬ ଜୁନ ୧୮୬୨ ରେ ରାଣୀ ଭିକ୍ଟୋରିଆଙ୍କ ଦ୍ୱାରା ଜାରି ହୋଇଥିବା ଲେଟେର ପେଟେଣ୍ଟ ଦ୍ୱାରା ମାଡ୍ରାସ (ଚେନ୍ନାଇ), ବମ୍ବେ (ମୁମ୍ବାଇ) ଓ କଲିକତା (କୋଲକାତା) – ଏହି ତିନିଟି ବ୍ରିଟିଶ ଭାରତୀୟ ପ୍ରେସିଡେନ୍ସି ସହରରେ ଗୋଟିଏ ଲେଖାଏଁ ଉଚ୍ଚ ନ୍ୟାୟାଳୟ ସ୍ଥାପନ କରିବା ପାଇଁ ଆଦେଶ ଦିଆଯାଇଥିଲା । ଏହି ଆଦେଶ ବ୍ରିଟିଶ ସଂସଦର Indian High Courts Act, 1861 ଅନୁଯାୟୀ ଜାରି ହୋଇଥିଲା । ଏହି ତିନି ଉଚ୍ଚ ନ୍ୟାୟାଳୟର ବିଶେଷତ୍ଵ ଏହି ଯେ ସେଗୁଡ଼ିକ ବ୍ରିଟିଶ ଚାର୍ଟର ଆଦେଶ ମାଧ୍ୟମରେ ସ୍ଥାପିତ ହୋଇଥିଲେ, କିନ୍ତୁ ଅନ୍ୟାନ୍ୟ ଉଚ୍ଚ ନ୍ୟାୟାଳୟଗୁଡିକ ଭାରତର ସଂବିଧାନ ଅନୁଯାୟୀ ସ୍ଥାପିତ ହେଲେ । ତେବେ ଭାରତୀୟ ସଂବିଧାନଦ୍ଵାରା ଏହି ପୁରୁଣା ନ୍ୟାୟାଳୟଗୁଡ଼ିକୁ ସ୍ୱୀକୃତି ଦିଆଯାଇଛି ।

ମାଡ୍ରାସ ଉଚ୍ଚ ନ୍ୟାୟାଳୟ, ତତକାଳୀନ ମାଡ୍ରାସର ସୁପ୍ରିମ କୋର୍ଟ ଅଫ୍ ଜୁଡିକେଚର ସହ ସଦର ଦିୱାନି ଅଦାଲତକୁ ମିଶାଇ ସୃଷ୍ଟି କରାଯାଇଥିଲା । ଏହି ଉଚ୍ଚ ନ୍ୟାୟାଳୟର ପ୍ରାରମ୍ଭିକ ବିଚାରପତିମାନେ ହେଲେ ହଲୋୱେ, ଇନେସ୍ ଓ ମୋର୍ଗାନ । ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ଦାୟୀତ୍ଵ ବହନ କରିଥିବା ପ୍ରଥମ ଭାରତୀୟ ବିଚାରପତି ଥିଲେ ନ୍ୟାୟମୂର୍ତ୍ତି ଟି. ମୁଥୁସ୍ୱାମୀ ଅୟ୍ୟର । ଅନ୍ୟ ପ୍ରାରମ୍ଭିକ ଭାରତୀୟ ବିଚାରପତି ମାନେ ଥିଲେ ଭି. କୃଷ୍ଣସ୍ୱାମୀ ଅୟ୍ୟର ଓ ପି. ଆର୍. ସୁନ୍ଦରମ୍ ଅୟ୍ୟର ।

୧୮୭୦ ଦଶକରେ ଭାରତୀୟ ଅଧିବକ୍ତାମାନଙ୍କ ହିତରେ ମୂଳ ବିଚାରାଧିକାର (Original Side Jurisdiction) ପ୍ରତି ନବୀନତା ଆଣିବାରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ପ୍ରଥମ ଥିଲା । ୧୯୯୬ ରେ ସହରର ନାମ ମାଡ୍ରାସ ରୁ ଚେନ୍ନାଇ କୁ ବଦଳି ଯାଇଥିଲେ ବି, ନ୍ୟାୟାଳୟ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ଭାବେ ଚାଲୁଥିଲା । ତାମିଲନାଡୁ ବିଧାନସଭା ଏକ ସଂଯୁକ୍ତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ର ସରକାର ସମ୍ମୁଖରେ ଏହି ନ୍ୟାୟାଳୟର ନାମକୁ ତାମିଲନାଡୁ ଉଚ୍ଚ ନ୍ୟାୟାଳୟ ଭାବେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲେ ।[]

ମଦୁରାଇ ବେଞ୍ଚ

[ସମ୍ପାଦନା]

୨୦୦୪ ମସିହାରେ ପ୍ରତିଷ୍ଠିତ, ମାଡ୍ରାସ ଉଚ୍ଚ ନ୍ୟାୟାଳୟର ମଦୁରାଇ ବେଞ୍ଚ ତାମିଲନାଡୁର ଦକ୍ଷିଣ ଅଞ୍ଚଳର ଚଉଦଟି ଜିଲ୍ଲାର ମାମଲା ଦେଖାଶୁଣା କରେ, କାରଣ ମୂଳ ନ୍ୟାୟାଳୟ ରାଜ୍ୟର ଉତ୍ତର ଅଞ୍ଚଳର ରାଜଧାନୀ ଚେନ୍ନାଇରେ ଅବସ୍ଥିତ। ଏହି ବେଞ୍ଚଟି ମଦୁରାଇରେ ଅବସ୍ଥିତ ଓ ଏହାର ଅଧୀନରେ କନ୍ୟାକୁମାରୀ, ତିରୁନେଲ୍ଭେଲି, ଥୁତୁକୁଡି, ଟେଙ୍କାସି, ମଦୁରାଇ, ଡିଣ୍ଡିଗୁଲ୍, ରାମନାଥପୁରମ୍, ବିରୁଧୁନଗର୍, ଥେନି, ଶିବଗଙ୍ଗା, ପୁଡୁକୋଟାଇ, ତଞ୍ଜାଭୁର୍, ତିରୁଚିରାପ୍ପଲି ଓ କରୁର୍ ଜିଲ୍ଲା ଅଛି ।

ଏହି ନ୍ୟାୟାଳୟ ପ୍ରାଙ୍ଗଣରେ ପ୍ରାରମ୍ଭରେ ୧୨ଟି ଅଦାଲତ କକ୍ଷ ଥିଲା, ଯାହା ବର୍ତ୍ତମାନ ସୁପ୍ରିମ୍ କୋର୍ଟ, ଦିଲ୍ଲୀ ଓ ମଦ୍ରାସ ଉଚ୍ଚ ନ୍ୟାୟାଳୟର ଆଦର୍ଶରେ ସଜ୍ଜିତହୋଇ ୨୫ଟି କକ୍ଷକୁ ବଢାଯାଇଛି । ୨୪ ଜୁଲାଇ ୨୦୦୪ ରେ ଉଦ୍‌ଘାଟିତ ହେବା ପରଠାରୁ ଏହି ନ୍ୟାୟାଳୟ ଦକ୍ଷିଣ ତାମିଲନାଡୁରେ ବିଚାର ପ୍ରକ୍ରିୟାକୁ ଦ୍ରୁତ କରିଛି ।[]

  1. Court, Madras High. "Madras High Court". hcmadras.tn.gov.in (in ଇଂରାଜୀ). Archived from the original on 2025-05-01. Retrieved 2025-07-12.
  2. "Rename Madras high court as Tamil Nadu HC and not as Chennai HC, resolution passed by TN assembly says". The Times of India. 2016-08-01. ISSN 0971-8257. Retrieved 2025-07-12.
  3. "The 'green bench' that has delivered landmark judgements". The Hindu (in Indian English). 2013-07-14. ISSN 0971-751X. Retrieved 2025-07-12.