Jump to content

କରୁଣାକର ସିଂହ

ଉଇକିପିଡ଼ିଆ‌ରୁ
(Karunakar Singhରୁ ଲେଉଟି ଆସିଛି)
କରୁଣାକର ସିଂହ
ମୃତ୍ୟୁ୧୧ ଫେବୃୟାରୀ ୧୮୫୮
ମୃତ୍ୟୁର କାରଣଫାଶୀ ଦିଆଗଲା
ପ୍ରସିଦ୍ଧିଭାରତୀୟ ସ୍ଵାଧୀନତା ସଂଗ୍ରାମୀ
ଆନ୍ଦୋଳନସମ୍ବଲପୁର ବିଦ୍ରୋହ

କରୁଣାକର ସିଂହ ନାଇକ, ଯିଏ "କରୁଣାକର ସିଂହ" ନାମରେ ଅଧିକ ପରିଚିତ, ଝାରସୁଗୁଡା ଜିଲ୍ଲାର କୋଲାବିରାରୁ ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ, ବୀର ସୁରେନ୍ଦ୍ର ସାଏଙ୍କ ସହିତ ବ୍ରିଟିଶମାନଙ୍କ ବିରୋଧରେ ହୋଇଥିବା ସମ୍ବଲପୁର ବିଦ୍ରୋହରେ ଯୋଗଦେଇଥିଲେ ।[]

କରୁଣାକର ସିଂହ ନାଇକ ସୁରେନ୍ଦ୍ର ସାଏ ତଥା ଅନ୍ୟ ବିଦ୍ରୋହୀମାନଙ୍କ ପାଇଁ ବହୁତ ସହାୟତା କରିଥିଲେ । ବିଦ୍ରୋହ କାଳରେ ସେ ଯୋଗାଯୋଗ ମାର୍ଗକୁ ସୁରକ୍ଷା କରୁଥିଲେ ତଥା ସେନା ଓ ସାମଗ୍ରୀ ପହଞ୍ଚିବାରକୁ ବ୍ୟବସ୍ଥା କରୁଥିଲେ । ଏ କଥା ମଧ୍ୟ ବିଶ୍ୱାସ କରାଯାଏ ଯେ ସୁରେନ୍ଦ୍ର ସାଏଙ୍କ ଅନୁପସ୍ଥିତି ସମୟରେ ସେ ବିଦ୍ରୋହୀମାନଙ୍କ ନେତୃତ୍ୱ ନେଉଥିଲେ । ବିଦ୍ରୋହ ସମୟରେ, ବ୍ରିଟିଶ ସେନା କୋଲାବିରାରେ ତାଙ୍କ ଘରକୁ ଆକ୍ରମଣ କରିଥିଲା ।[] ସେଠାରେ "ଅଗ୍ନିତୀର୍ଥ" ନାମକ ଏକ ଯୁଦ୍ଧ ହୋଇଥିଲା । ଏହାକୁ ବିଦ୍ରୋହୀମାନଙ୍କ ଶେଷ ପ୍ରତିରକ୍ଷା ସ୍ଥଳୀ ଭାବେ ସ୍ମରଣ କରାଯାଏ । କରୁଣାକର ସିଂ, ତାଙ୍କ ଭାଇ ଓ ପୁତୁରା, ବ୍ରିଟିଶ ସେନାଙ୍କ ବିରୋଧରେ ସାହସିକ ଭାବରେ ଯୁଦ୍ଧ କରିଥିଲେ ।[]

କୋଲାବିରା ବିଦ୍ରୋହରେ ସାହସିକତା

[ସମ୍ପାଦନା]

କୁଡୋପାଲି ଘଟଣାରେ, ବ୍ରିଟିଶମାନେ ବୀର ସୁରେନ୍ଦ୍ର ସାଇଙ୍କ ଭାଇ ଛବିଳା ସାଇ ସହ ୫୩ ଜଣ ବିଦ୍ରୋହୀଙ୍କୁ ହତ୍ୟା କଲେ ଓ ୧୧ ଜଣଙ୍କୁ ବନ୍ଦୀ କଲେ । ତା’ପରେ ସେମାନେ ୪ ନଭେମ୍ବର ୧୮୫୭ରେ ଖିନ୍ଦାରେ ଆକ୍ରମଣ କଲେ । କିନ୍ତୁ ସେଠାରେ ବିଦ୍ରୋହୀମାନେ ପୂର୍ବରୁ ସେହି ସ୍ଥାନ ପରିତ୍ୟାଗ କରି ଚାଲିଯାଇଥିବାରୁ, ସେଇ ଆକ୍ରମଣ ବିଫଳ ହୋଇଗଲା ।

ତା’ପରେ ୬ ନଭେମ୍ବରରେ ବ୍ରିଟିଶମାନେ କୋଲାବିରାକୁ ଆସିଲେ । ସେମାନେ ଝରଘାଟି ପାହାଡ଼ରେ ସୁରେନ୍ଦ୍ର ସାଏଙ୍କୁ ଧରିବାକୁ ଚେଷ୍ଟା କଲେ । କିନ୍ତୁ ବିଦ୍ରୋହୀମାନେ ଆକସ୍ମିକ ଭାବରେ ବ୍ରିଟିଶ ସେନାଙ୍କୁ ଆକ୍ରମଣ କରିଦେଲେ । ଏହି ଯୁଦ୍ଧରେ କିଛି ବ୍ରିଟିଶ ସେନା ନିହତ ହେଲେ ଓ କିଛି ଆହତ ହେଲେ । ପରେ ବିଦ୍ରୋହୀମାନେ ଅଧିକ ଆକ୍ରମଣ ନକରି, ସେଠାରୁ ଅପସରିଗଲେ । କୋଲାବିରାରେ ବ୍ରିଟିଶମାନେ କରୁଣାକରଙ୍କ ଦୁର୍ଗକୁ ଆକ୍ରମଣ କଲେ । ଦୁର୍ଗଯାଏଁ ପହଞ୍ଚିବା କଷ୍ଟକର ହେଉଥିଲା, କାରଣ ରାସ୍ତାରେ କଣ୍ଟା ବାଉଁସ ଜଙ୍ଗଲ ଥିଲା । କ୍ରୋଧରେ ସେମାନେ ଗ୍ରାମର ଦେବସ୍ଥଳୀ ଓ ଖାଲି ଘରଗୁଡ଼ିକୁ ପୋଡ଼ିଦେଲେ । ପରେ ବଡ଼ ବଡ଼ ତୋପରେ ଦୁର୍ଗକୁ ଗୋଲାବାରୁଦ ମାରି ନଷ୍ଟ କରିଦେଲେ । କରୁଣାକର ସିଂହ ନାଇକ, ତାଙ୍କ ଭାଇ ଖଗେଶ୍ୱର ଓ ପୁତୁରା କହ୍ନେଇ ନାଇକ, ସେଇ ସମୟରେ ବ୍ରିଟିଶମାନଙ୍କୁ ସାହସର ସହ ପ୍ରତିରୋଧ କଲେ । କିନ୍ତୁ ସାହାଯ୍ୟ ଓ ଖଦ୍ୟ ତଥା ଯୁଦ୍ଧ ସାମଗ୍ରୀ ଶେଷ ହୋଇଯିବାରୁ ସେମାନେ ଅସହାୟ ହୋଇପଡ଼ିଲେ ।

କରୁଣାକର କିପରି ବନ୍ଦୀ ହେଲେ, ସେଥିପାଇଁ ଭିନ୍ନ ଭିନ୍ନ କଥା ଅଛି । କେହି କହନ୍ତି ସେ ଶୋଇଥିବା ଅବସ୍ଥାରେ ବନ୍ଦୀ ହେଲେ, କେହି କହନ୍ତି ସେ ଓ ତାଙ୍କ ସହଚରମାନେ ‘କିଛି କ୍ଷତି ହେବ ନାହିଁ’ ବୋଲି ପ୍ରତିଶ୍ରୁତି ପାଇ ଆତ୍ମସମର୍ପଣ କଲେ । ଆଉ କେହି କହନ୍ତି, ପ୍ରଥମେ କରୁଣାକର ବନ୍ଦୀ ହେଲେ, ପରେ ତାଙ୍କ ସହଚରମାନେ ସେଇ ପ୍ରତିଶ୍ରୁତିରେ ଆତ୍ମସମର୍ପଣ କଲେ । ଅନ୍ୟାନ୍ୟ ବିଦ୍ରୋହୀମାନେ ମୁକ୍ତ ହେଲେ, କିନ୍ତୁ କରୁଣାକରଙ୍କ ସମ୍ପତ୍ତି ବ୍ରିଟିଶଙ୍କ ବିଶ୍ୱାସଘାତକ ସହାୟକ ରାଇ ରୂପ ସିଂହଙ୍କୁ ଦେଇଦିଆଗଲା । କିନ୍ତୁ ଶେଷରେ ବ୍ରିଟିଶମାନେ ୧୧ ଫେବୃଆରୀ ୧୮୫୮ରେ ସମ୍ବଲପୁରରେ କରୁଣାକରଙ୍କୁ ଫାସି ଦେଲେ । ତାଙ୍କ ଭାଇ ଓ ପୁତୁରାଙ୍କୁ ୨୨ ଡିସେମ୍ବର ୧୮୬୧ରେ ଫାସି ଦିଆଗଲା ।[]

  1. "Wayback Machine" (PDF). magazines.odisha.gov.in. Archived from the original (PDF) on 2018-12-20. Retrieved 2025-08-16.
  2. "Kolabira Fort and the freedom struggle". indianculture.gov.in/. Retrieved 17 August 2025.
  3. "Karunakar Singh-A True Revolutionary: His Role & Resistance Against British". www.studocu.com. Retrieved 16 August 2025.
  4. "Karunakar Singh". ChakraFoundation.Org (in ଆମେରିକୀୟ ଇଂରାଜୀ). Retrieved 2025-08-16.