କରୁଣାକର ସିଂହ
କରୁଣାକର ସିଂହ | |
|---|---|
| ମୃତ୍ୟୁ | ୧୧ ଫେବୃୟାରୀ ୧୮୫୮ |
| ମୃତ୍ୟୁର କାରଣ | ଫାଶୀ ଦିଆଗଲା |
| ପ୍ରସିଦ୍ଧି | ଭାରତୀୟ ସ୍ଵାଧୀନତା ସଂଗ୍ରାମୀ |
| ଆନ୍ଦୋଳନ | ସମ୍ବଲପୁର ବିଦ୍ରୋହ |
କରୁଣାକର ସିଂହ ନାଇକ, ଯିଏ "କରୁଣାକର ସିଂହ" ନାମରେ ଅଧିକ ପରିଚିତ, ଝାରସୁଗୁଡା ଜିଲ୍ଲାର କୋଲାବିରାରୁ ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ, ବୀର ସୁରେନ୍ଦ୍ର ସାଏଙ୍କ ସହିତ ବ୍ରିଟିଶମାନଙ୍କ ବିରୋଧରେ ହୋଇଥିବା ସମ୍ବଲପୁର ବିଦ୍ରୋହରେ ଯୋଗଦେଇଥିଲେ ।[୧]
କରୁଣାକର ସିଂହ ନାଇକ ସୁରେନ୍ଦ୍ର ସାଏ ତଥା ଅନ୍ୟ ବିଦ୍ରୋହୀମାନଙ୍କ ପାଇଁ ବହୁତ ସହାୟତା କରିଥିଲେ । ବିଦ୍ରୋହ କାଳରେ ସେ ଯୋଗାଯୋଗ ମାର୍ଗକୁ ସୁରକ୍ଷା କରୁଥିଲେ ତଥା ସେନା ଓ ସାମଗ୍ରୀ ପହଞ୍ଚିବାରକୁ ବ୍ୟବସ୍ଥା କରୁଥିଲେ । ଏ କଥା ମଧ୍ୟ ବିଶ୍ୱାସ କରାଯାଏ ଯେ ସୁରେନ୍ଦ୍ର ସାଏଙ୍କ ଅନୁପସ୍ଥିତି ସମୟରେ ସେ ବିଦ୍ରୋହୀମାନଙ୍କ ନେତୃତ୍ୱ ନେଉଥିଲେ । ବିଦ୍ରୋହ ସମୟରେ, ବ୍ରିଟିଶ ସେନା କୋଲାବିରାରେ ତାଙ୍କ ଘରକୁ ଆକ୍ରମଣ କରିଥିଲା ।[୨] ସେଠାରେ "ଅଗ୍ନିତୀର୍ଥ" ନାମକ ଏକ ଯୁଦ୍ଧ ହୋଇଥିଲା । ଏହାକୁ ବିଦ୍ରୋହୀମାନଙ୍କ ଶେଷ ପ୍ରତିରକ୍ଷା ସ୍ଥଳୀ ଭାବେ ସ୍ମରଣ କରାଯାଏ । କରୁଣାକର ସିଂ, ତାଙ୍କ ଭାଇ ଓ ପୁତୁରା, ବ୍ରିଟିଶ ସେନାଙ୍କ ବିରୋଧରେ ସାହସିକ ଭାବରେ ଯୁଦ୍ଧ କରିଥିଲେ ।[୩]
କୋଲାବିରା ବିଦ୍ରୋହରେ ସାହସିକତା
[ସମ୍ପାଦନା]କୁଡୋପାଲି ଘଟଣାରେ, ବ୍ରିଟିଶମାନେ ବୀର ସୁରେନ୍ଦ୍ର ସାଇଙ୍କ ଭାଇ ଛବିଳା ସାଇ ସହ ୫୩ ଜଣ ବିଦ୍ରୋହୀଙ୍କୁ ହତ୍ୟା କଲେ ଓ ୧୧ ଜଣଙ୍କୁ ବନ୍ଦୀ କଲେ । ତା’ପରେ ସେମାନେ ୪ ନଭେମ୍ବର ୧୮୫୭ରେ ଖିନ୍ଦାରେ ଆକ୍ରମଣ କଲେ । କିନ୍ତୁ ସେଠାରେ ବିଦ୍ରୋହୀମାନେ ପୂର୍ବରୁ ସେହି ସ୍ଥାନ ପରିତ୍ୟାଗ କରି ଚାଲିଯାଇଥିବାରୁ, ସେଇ ଆକ୍ରମଣ ବିଫଳ ହୋଇଗଲା ।
ତା’ପରେ ୬ ନଭେମ୍ବରରେ ବ୍ରିଟିଶମାନେ କୋଲାବିରାକୁ ଆସିଲେ । ସେମାନେ ଝରଘାଟି ପାହାଡ଼ରେ ସୁରେନ୍ଦ୍ର ସାଏଙ୍କୁ ଧରିବାକୁ ଚେଷ୍ଟା କଲେ । କିନ୍ତୁ ବିଦ୍ରୋହୀମାନେ ଆକସ୍ମିକ ଭାବରେ ବ୍ରିଟିଶ ସେନାଙ୍କୁ ଆକ୍ରମଣ କରିଦେଲେ । ଏହି ଯୁଦ୍ଧରେ କିଛି ବ୍ରିଟିଶ ସେନା ନିହତ ହେଲେ ଓ କିଛି ଆହତ ହେଲେ । ପରେ ବିଦ୍ରୋହୀମାନେ ଅଧିକ ଆକ୍ରମଣ ନକରି, ସେଠାରୁ ଅପସରିଗଲେ । କୋଲାବିରାରେ ବ୍ରିଟିଶମାନେ କରୁଣାକରଙ୍କ ଦୁର୍ଗକୁ ଆକ୍ରମଣ କଲେ । ଦୁର୍ଗଯାଏଁ ପହଞ୍ଚିବା କଷ୍ଟକର ହେଉଥିଲା, କାରଣ ରାସ୍ତାରେ କଣ୍ଟା ବାଉଁସ ଜଙ୍ଗଲ ଥିଲା । କ୍ରୋଧରେ ସେମାନେ ଗ୍ରାମର ଦେବସ୍ଥଳୀ ଓ ଖାଲି ଘରଗୁଡ଼ିକୁ ପୋଡ଼ିଦେଲେ । ପରେ ବଡ଼ ବଡ଼ ତୋପରେ ଦୁର୍ଗକୁ ଗୋଲାବାରୁଦ ମାରି ନଷ୍ଟ କରିଦେଲେ । କରୁଣାକର ସିଂହ ନାଇକ, ତାଙ୍କ ଭାଇ ଖଗେଶ୍ୱର ଓ ପୁତୁରା କହ୍ନେଇ ନାଇକ, ସେଇ ସମୟରେ ବ୍ରିଟିଶମାନଙ୍କୁ ସାହସର ସହ ପ୍ରତିରୋଧ କଲେ । କିନ୍ତୁ ସାହାଯ୍ୟ ଓ ଖଦ୍ୟ ତଥା ଯୁଦ୍ଧ ସାମଗ୍ରୀ ଶେଷ ହୋଇଯିବାରୁ ସେମାନେ ଅସହାୟ ହୋଇପଡ଼ିଲେ ।
କରୁଣାକର କିପରି ବନ୍ଦୀ ହେଲେ, ସେଥିପାଇଁ ଭିନ୍ନ ଭିନ୍ନ କଥା ଅଛି । କେହି କହନ୍ତି ସେ ଶୋଇଥିବା ଅବସ୍ଥାରେ ବନ୍ଦୀ ହେଲେ, କେହି କହନ୍ତି ସେ ଓ ତାଙ୍କ ସହଚରମାନେ ‘କିଛି କ୍ଷତି ହେବ ନାହିଁ’ ବୋଲି ପ୍ରତିଶ୍ରୁତି ପାଇ ଆତ୍ମସମର୍ପଣ କଲେ । ଆଉ କେହି କହନ୍ତି, ପ୍ରଥମେ କରୁଣାକର ବନ୍ଦୀ ହେଲେ, ପରେ ତାଙ୍କ ସହଚରମାନେ ସେଇ ପ୍ରତିଶ୍ରୁତିରେ ଆତ୍ମସମର୍ପଣ କଲେ । ଅନ୍ୟାନ୍ୟ ବିଦ୍ରୋହୀମାନେ ମୁକ୍ତ ହେଲେ, କିନ୍ତୁ କରୁଣାକରଙ୍କ ସମ୍ପତ୍ତି ବ୍ରିଟିଶଙ୍କ ବିଶ୍ୱାସଘାତକ ସହାୟକ ରାଇ ରୂପ ସିଂହଙ୍କୁ ଦେଇଦିଆଗଲା । କିନ୍ତୁ ଶେଷରେ ବ୍ରିଟିଶମାନେ ୧୧ ଫେବୃଆରୀ ୧୮୫୮ରେ ସମ୍ବଲପୁରରେ କରୁଣାକରଙ୍କୁ ଫାସି ଦେଲେ । ତାଙ୍କ ଭାଇ ଓ ପୁତୁରାଙ୍କୁ ୨୨ ଡିସେମ୍ବର ୧୮୬୧ରେ ଫାସି ଦିଆଗଲା ।[୪]
ଆଧାର
[ସମ୍ପାଦନା]- ↑ "Wayback Machine" (PDF). magazines.odisha.gov.in. Archived from the original (PDF) on 2018-12-20. Retrieved 2025-08-16.
- ↑ "Kolabira Fort and the freedom struggle". indianculture.gov.in/. Retrieved 17 August 2025.
- ↑ "Karunakar Singh-A True Revolutionary: His Role & Resistance Against British". www.studocu.com. Retrieved 16 August 2025.
- ↑ "Karunakar Singh". ChakraFoundation.Org (in ଆମେରିକୀୟ ଇଂରାଜୀ). Retrieved 2025-08-16.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |