କାର୍ତ୍ତିକ ପୂର୍ଣ୍ଣିମା

ଉଇକିପିଡ଼ିଆ ରୁ
(Kartik Poornima ରୁ ଲେଉଟି ଆସିଛି)
Jump to navigation Jump to search
କାର୍ତ୍ତିକ ପୂର୍ଣ୍ଣିମା
DangaBhasa KarikPurnima Bhubaneswar.JPG
କାର୍ତ୍ତିକ ପୂର୍ଣ୍ଣମାରେ ଡଙ୍ଗାଭସା
ଅନ୍ୟ ନାମରାସ ପୂର୍ଣ୍ଣିମା
ପାଳନକାରୀହିନ୍ଦୁ, ଶିଖ ଓ ଜୈନ ଧର୍ମାବଲମ୍ବୀ
ପ୍ରକାରଧାର୍ମିକ
ପର୍ବ ପାଳନପୂଜା, ଡଙ୍ଗାଭସା
ତାରିଖକାର୍ତ୍ତିକ ପୂର୍ଣ୍ଣିମା
୨୦୧୮ ତାରିଖ୨୩ ନଭେମ୍ବର (ଶୁକ୍ରବାର)
୨୦୧୯ ତାରିଖdate missing (please add)
ସମ୍ପର୍କିତରାସ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣମା, ରାସ ବା ରାସ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ ‌। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଓତପ୍ରୋତ ଭାବେ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହା ଏତେ ନିବିଡ଼ ଭାବରେ ସଂପୃକ୍ତ ଯେ ଏହି ଦିବସର ଗୁରୁତ୍ୱକୁ ବାଦ ଦେଲେ ଖ୍ରୀଷ୍ଟପୂର୍ବୀୟ କାଳରେ ଓଡ଼ିଶାରେ ନୌବାଣିଜ୍ୟ ସମ୍ପର୍କରେ ଚିନ୍ତା ବି କରାଯାଇ ପାରେ ନାହିଁ । ଅତଏବ ଧର୍ମଗତ ତଥା ଐତିହାସିକ ଉଭୟ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅତୀବ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ।

ବିଶ୍ୱଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଶାରଦୀୟ ବନ୍ଦନା ପରେପରେ ଚନ୍ଦ୍ର ଏବଂ ମା କାଳୀଙ୍କ ଆରାଧନା ଅତ୍ୟନ୍ତ ଆଡ଼ମ୍ବର ସହକାରେ ସମାହିତ ହୁଏ । ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଏହି ମାସରେ ଅତ୍ୟନ୍ତ ଉତ୍ସାହର ସହିତ ସମ୍ପାଦିତ ହୁଏ ଓଡ଼ିଶାର ପୁରପଲ୍ଲୀରେ ।

ବୈଶିଷ୍ଟ୍ୟ[ସମ୍ପାଦନା]

ଓଡ଼ିଶାର ଆଦିକବି ଶୂଦ୍ରମୁନି ସାରଳା ଦାସ ରଚିତ ମହାଭାରତର ଆଦିପର୍ବରେ କାର୍ତ୍ତିକ ମାସର ପବିତ୍ରତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏହିପର୍ବରେ ବର୍ଣ୍ଣିତ କାର୍ତ୍ତିକ ପୂର୍ଣ୍ଣିମା ଦିନ ଭୋଜରାଜଭୀଷ୍ମଙ୍କ ଗଙ୍ଗାସ୍ନାନ ଯାତ୍ରା ପ୍ରସଙ୍ଗରୁ ଜଣାଯାଏ ଯେ,କାର୍ତ୍ତିକ ମାସରେ ମୃତ୍ୟୁବରଣ କଲେ ବୈକୁଣ୍ଠ ପ୍ରାପ୍ତି ହୁଏ । ପୁନଶ୍ଚ କାର୍ତ୍ତିକ ଏକ ଧର୍ମ ମାସ ରୂପେ ମଧ୍ୟ ପରିଚିତ । ଏହି ମାସରେ ବୟସ୍କ ତଥା ଧର୍ମପ୍ରାଣ ଆବାଳ- ବୃଦ୍ଧ- ବନିତା ପ୍ରତ୍ୟହ ପ୍ରାତଃକାଳରେ ସ୍ନାନ ସମାପନ ପୂର୍ବକ ଦେବ ଦର୍ଶନ ଏବଂ ନଗର ସଂକୀର୍ତ୍ତନରେ ଆତ୍ମବିଭୋର ହୋଇ ଉଠୁଥିବାର ଦେଖାଯାଏ । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚକ ନାମରେ ପରିଚିତ । ଏହି ପାଞ୍ଚଦିନ ପ୍ରତ୍ୟେକ ହିନ୍ଦୁ ଆମିଷ ପରିହାର ପୂର୍ବକ ଶ୍ରଦ୍ଧା ଭାବନା ତଥା ଧର୍ମୀୟ ମନୋଭାବରେ ଦେବତାଙ୍କୁ ପୂଜା କରିଥାନ୍ତି । କୁହାଯାଏ ଯେ ଏହି ପାଞ୍ଚଦିନକାଳ ବଗ ମଧ୍ୟ ଆମିଷ ସ୍ପର୍ଶ କରେ ନାହିଁ । ସେ ଯାହା ହେଉନା କାହିଁକି ଏହି ମାସର ଶୁକ୍ଳପକ୍ଷ ଏକାଦଶୀ ବା ବଡ ଏକାଦଶୀ ଠାରୁ ପୂର୍ଣ୍ଣମୀ ପାଞ୍ଚଦିନ ଧରି ଅନୁଷ୍ଠିତ ମହାପଞ୍ଚକ ହିନ୍ଦୁମାନଙ୍କ ପାଇଁ ଧର୍ମଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ପିଣ୍ଡ ପ୍ରଦାନ ଓଡ଼ିଶାରେ ସଂପ୍ରତି ପ୍ରଚଳିତ ନାହିଁ ସତ୍ୟ, ମାତ୍ର ବ୍ରତ ପାଳନ ଏବେ ବି ଓଡ଼ିଆ ପରମ୍ପରାରେ ଅନୁସୃତ । ଏହି ଦିନ ମହିଳାମାନେ ରାଇ- ଦାମୋଦର ବ୍ରତର ଉଦ୍ ଯାପନ କରିଥାନ୍ତି । ବିଧବାମାନଙ୍କ ପକ୍ଷରେ ଏହି ମାସଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ I ସେମାନେ ହବିଷ୍ୟ ପାଳନ ପୂର୍ବକ ପ୍ରତ୍ୟହ ସନ୍ଧ୍ୟାରେ ଆକାଶଦୀପ ପ୍ରଜ୍ଜଳନ କରିଥାନ୍ତି । ପ୍ରତ୍ୟେକ ଦିନ ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗକରି ସ୍ନାନ କରି ସେମାନେ ଦେବଦେବୀ ଦର୍ଶନ ପାଇଁ ଯାଆନ୍ତି ଏବଂ ଦେବାଳୟରୁ ଫେରିବା ପରେ କାର୍ତ୍ତିକ ମାହାତ୍ମ୍ୟ ପାଠ ବା ଶ୍ରବଣରେ ମନଦିଅନ୍ତି । ତୁଳସୀ ବୃକ୍ଷକୁ ଏହିମାସରେ ଅତ୍ୟନ୍ତ ଭକ୍ତି ସହକାରେ ଆରାଧନା କରାଯାଏ ।

କିମ୍ବଦନ୍ତୀ[ସମ୍ପାଦନା]

କିମ୍ବଦନ୍ତୀ ରହିଛି ଯେ ରାକ୍ଷସ ଜଳନ୍ଧର ନିଜ ସତୀ ସ୍ୱାଧୀ ପତ୍ନୀ ତୁଳସୀଙ୍କ ପାତିବ୍ରତ୍ୟ ବଳରେ ବଳୀୟାନ ହୋଇ ଉଠିଥିଲା ଏବଂ ବୃନ୍ଦାବତୀଙ୍କ ସତୀତ୍ୱ ଅମ୍ଳାନ ରହିଥିବା ପର୍ଯ୍ୟନ୍ତ ଦେବତାମାନେ ବହୁ ଚେଷ୍ଟା ସତ୍ତ୍ୱେ ଜଳନ୍ଧର କୌଣସି ଅନିଷ୍ଟ କରିପାରି ନଥିଲେ ।

ବିଶେଷତା[ସମ୍ପାଦନା]

ଆକାଶଦୀପ ପ୍ରତିଷ୍ଠା ପବିତ୍ର କାର୍ତ୍ତିକ କୃତ୍ୟର ଆଉ ଏକ ମହତ୍ତ୍ୱପୂର୍ଣ୍ଣ ଅବଦାନ । କାର୍ତ୍ତିକ ମାସ ବେଳକୁ ପିତୃପକ୍ଷ ଆରମ୍ଭ ହୋଇଯାଇଥାଏ । ପ୍ରେତପୁରୁଷ ତଥା ପିତୃଗଣଙ୍କୁ ପଥ ପ୍ରଦର୍ଶନ ଏବଂ ସେମାନଙ୍କ ଅନ୍ଧକାରାଚ୍ଛନ୍ନ ଦୁର୍ଗମ ପଥକୁ ଆଲୋକିତ କରିବା ସକାଶେ ଉଚ୍ଚ ସ୍ଥାନରେ ଏହି ପ୍ରଦୀପ ପ୍ରଜ୍ଜଳନ ବିଧି ପ୍ରଚଳିତ । ତେଣୁ ପ୍ରାୟତଃ ପ୍ରତ୍ୟେକ ଗ୍ରାମରେ ଏକ ଉଚ୍ଚ ବାଉଁଶ ଖୁଣ୍ଟ ଉପରେ ପ୍ରତି ସନ୍ଧ୍ୟାରେ ଆକାଶଦୀପ ରଖାଯାଉଥାଏ । ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ପ୍ରଚଳିତ। ସେ ଦିନ ପ୍ରତ୍ୟୁଷରୁ ଆବାଳ- ବୃଦ୍ଧା- ବନିତା ନଦୀ ବା ପୁଷ୍କରଣୀରେ ବୁଡ ପକାଇ କଦଳୀ ବାହୁଙ୍ଗା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ସେସବୁ ଭସାଇ ଦିଅନ୍ତି । ଏହି ସମୟରେ ସମସ୍ତେ ଉତ୍ ଫୁଲ୍ଲିତ ଚିତ୍ତରେ ଗାନ କରନ୍ତି ' ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ।’ ଏହି ଅବସରରେ ପ୍ରତ୍ୟେକ ପୁଣ୍ୟ ଅର୍ଜନ ସକାଶେ ମନାସ କରିଥାନ୍ତି । ବିଶ୍ୱାସ ରହିଛି ଯେ ଏହିଦିନ ପ୍ରତ୍ୟୁଷରୁ ସ୍ନାନପୂର୍ବକ ଦେବଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ । ଆଷାଢ଼, କାର୍ତ୍ତିକ, ମାଘବୈଶାଖ- ଏଇ ଚାରିମାସ ହେଉଛି ସୂର୍ଯ୍ୟଙ୍କର ଅୟନାନ୍ତ କାଳ । ସମ୍ଭବତଃ ଏହି ଅୟନାନ୍ତ ଦିବସମାନଙ୍କରେ ସୌରଦେବଙ୍କ ଉପାସନା କରାଯାଏ । ପୌରାଣିକ ଅନୁଧ୍ୟାନରୁ ଏହି ଚାରିମାସ ଧର୍ମ ଦୃଷ୍ଟିରୁ ଶୁଭପ୍ରଦ ଏବଂ ଦେବଦେବୀଙ୍କ ଉପାସନା ସକାଶେ ଅତ୍ୟନ୍ତ ଅନୁକୂଳ । ତେଣୁ ଏହି ଚାରିମାସର ଆଦ୍ୟବର୍ଣ୍ଣ ‘ ଆ କା ମା ବୈ ’ ଜନଜୀବନକୁ ଯେ ପ୍ରଭାବିତ କରୁ ନ ଥିବ ତାହା କୁହାଯାଇ ନପାରେ । ହୁଏତ ଗଙ୍ଗା ବା ଲକ୍ଷ୍ମୀନାରାୟଣ ଉପାସନା କରିବା ଛଳରେ ଓଡ଼ିଶାର ନରନାରୀ ଜଳରେ ସ୍ୱଦେଶ ସଂସ୍କୃତିର ପ୍ରତୀକ ଉପାସନା ସାମଗ୍ରୀ ତାମ୍ବୁଳ, ଅକ୍ଷତ ଓ ତିଳ ନିକ୍ଷେପ ପୂର୍ବକ ପ୍ରତିଦାନ ସ୍ୱରୂପ ଦେବତାଙ୍କ ଠାରୁ ପୁଣ୍ୟ କାମନା କରିଥାନ୍ତି I ଏହି ଅବକାଶରେ ଶ୍ୟାମଦେଶ (ଥାଇଲ୍ୟାଣ୍ଡ )ରେ କଦଳୀପଟୁଆ ନିର୍ମିତ ଛୋଟଛୋଟ ଡଙ୍ଗା ଭସାଇବା ପରମ୍ପରା ଏବେ ମଧ୍ୟ ପ୍ରଚଳିତ I ଏହି ପୂର୍ଣ୍ଣିମା ଅବକାଶରେ ପ୍ରାଚୀନ ଉତ୍କଳର ରାଜଧାନୀ ଐତିହାସିକ କଟକନଗରୀ ଉପକଣ୍ଠସ୍ଥ ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡ଼ିଆରେ ଅନୁଷ୍ଠିତ ବାଲିଯାତ୍ରାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଓଡ଼ିଶାର ଏକ ପ୍ରଧାନ ଉତ୍ସବ । ଉତ୍କଳର ବିଲୁପ୍ତ ନୌପରମ୍ପରା ସହିତ ଏହାର ସଂପୃକ୍ତି ବହୁଭାବରେ ସ୍ୱୀକୃତ । କାର୍ତ୍ତିକ ପୂର୍ଣ୍ଣିମା ବୋଇତ ବନ୍ଦାଣ ଦିବସ ନାମରେ ମଧ୍ୟ ଖ୍ୟାତ । ବହୁ ପୁରାକାଳରୁ ଏହି ଉତ୍ସବ ପାଳିତ ହୋଇଆସୁଛି ।[୨]

ଆଧାର[ସମ୍ପାଦନା]

  1. "2015 Kartik Purnima". DrikPanchang. Retrieved 2 November 2014.
  2. ସମାଜ, ପୃଷ୍ଠା- ୭, ୧୮- ୨୪.୧୧.୧୨

ବାହାର ତଥ୍ୟ[ସମ୍ପାଦନା]