ହରିଜନ (ପତ୍ରିକା)
ହରିଜନ | |
| ସମ୍ପାଦକ | ଆର.ଭି. ଶାସ୍ତ୍ରୀ (ପ୍ରଥମ ସଂପାଦକ) |
|---|---|
| ପ୍ରକାଶ ଅବୃତ୍ତି | ସାପ୍ତାହିକ |
| ପ୍ରକାଶକ | ହରିଜନ ସେବକ ସଂଘ |
| ସଂସ୍ଥାପକ | ମହାତ୍ମା ଗାନ୍ଧୀ |
| ପ୍ରଥମ ସଂଖ୍ୟା | ୧୧ ଫେବୃଆରୀ ୧୯୩୩ |
| ଦେଶ | ଭାରତ |
| ଭାଷା | ଇଂରାଜୀ ଭାଷା |
ମହାତ୍ମା ଗାନ୍ଧୀ ୧୯୩୩ ମସିହାରୁ ହରିଜନ ନାମକ ଗୋଟିଏ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ । ଏହା ତାଙ୍କର ଅସ୍ପୃଶ୍ୟତା ବିରୋଧୀ ଅଭିଯାନ ଏବଂ ହରିଜନ ସେବକ ସଂଘର ପ୍ରମୁଖ ମାଧ୍ୟମ ଭାବେ କାମ କରୁଥିଲା । ପତ୍ରିକାର ନାମର ଅର୍ଥ “ଭଗବାନଙ୍କ ସନ୍ତାନ”, ଯାହାକି ସେହି “ଅସ୍ପୃଶ୍ୟ” ସମୁଦାୟଙ୍କୁ ସୂଚିତ କରୁଥିଲା, ଯେଉଁମାନଙ୍କୁ ଗାନ୍ଧୀ ମୁକ୍ତ କରିବାକୁ ଚାହୁଁଥିଲେ ।
ମୂଳ ପତ୍ରିକଟି ଇଂରେଜୀରେ ପ୍ରକାଶିତ ହେବା ସ୍ଥଲେ ଏହାର ସହୋଦର ପ୍ରକାଶନଗୁଡ଼ିକ ଥିଲା — ଗୁଜରାଟୀରେ ହରିଜନ ବନ୍ଧୁ ଏବଂ ହିନ୍ଦୀରେ ହରିଜନ ସେବକ । ଏହି ସବୁ ପତ୍ରିକା ନିୟମିତ ଲେଖା ମାଧ୍ୟମରେ ଭାରତର ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରିବା ସହ ଅସମାନତାରେ ପୀଡ଼ିତମାନଙ୍କ ଅଧିକାର ସପକ୍ଷରେ କହୁଥିଲେ ଏବଂ ଅସ୍ପୃଶ୍ୟତାର ସମାପ୍ତି ପାଇଁ ଆହ୍ୱାନ କରୁଥିଲେ ।[୧]
୧୯୩୩ରୁ ୧୯୫୫ ପର୍ଯ୍ୟନ୍ତ ଏହା ନିୟମିତ ପ୍ରକାଶିତ ହୋଇଥିଲା, କିନ୍ତୁ ୧୯୪୦ ଦଶକର "ଭାରତ ଛାଡ଼" ଆନ୍ଦୋଳନ ସମୟରେ କିଛି ସମୟ ପାଇଁ ଏହାର ପ୍ରକାଶନ ବନ୍ଦ ରହିଥିଲା । ହରିଜନ ସାଧାରଣତଃ ପ୍ରତି ଶନିବାରରେ ପ୍ରକାଶିତ ହେଉଥିଲା । ପ୍ରଥମେ ଏହାର ମୂଲ୍ୟ ଥିଲା ଗୋଟିଏ ଅଣା, ଏବଂ ଏଥିରେ ଆଠଟି ପୂରା ପୃଷ୍ଠା ରହୁଥିଲା । ଏହା ସହିତ ହିନ୍ଦୀରେ (ହରିଜନ ସେବକ) ଏବଂ ଗୁଜରାଟୀରେ (ହରିଜନବନ୍ଧୁ) ନାମରେ ସହୋଦର ପ୍ରକାଶନଗୁଡ଼ିକ ମଧ୍ୟ ଆରମ୍ଭ ହୋଇଥିଲା ।[୨][୩]
ମହାତ୍ମା ଗାନ୍ଧୀଙ୍କୁ ଜାନୁଆରୀ ୧୯୩୨ରେ ଗିରଫ କରାଗଲାପରେ ୟଙ୍ଗ ଇଣ୍ଡିଆ ପ୍ରକାଶନ ବନ୍ଦ ହୋଇଯାଇଥିଲା । ଏହି ସମୟରେ ୟଙ୍ଗ ଇଣ୍ଡିଆର ଏକ ପ୍ରତିସ୍ଥାପନ ରୂପେ ହରିଜନ ସ୍ଥାପିତ ହୋଇଥିଲା । ୧୧ ଫେବୃଆରୀ ୧୯୩୩ରେ ପୁଣେରୁ ହରିଜନର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା, ଯାହାର ସମ୍ପାଦକ ଥିଲେ ଆର.ଭି. ଶାସ୍ତ୍ରୀ । ପ୍ରଥମେ ୧୦,୦୦୦ କପି ପ୍ରକାଶିତ ହୋଇଥିଲା ଏବଂ ଏଥିରେ ଗାନ୍ଧୀଙ୍କ ଅସ୍ପୃଶ୍ୟତା ବିଷୟରେ ଅନେକ ଲେଖା ରହିଥିଲା । ଏହି ସଂସ୍କରଣରେ ବି.ଆର୍. ଅମ୍ବେଦକରଙ୍କ ଏକ ସନ୍ଦେଶ ମଧ୍ୟ ଥିଲା, ଯେଉଁଥିରେ ସେ ସମଗ୍ର ହିନ୍ଦୁ ଧର୍ମରୁ ଜାତି ବ୍ୟବସ୍ଥାକୁ ସମୂଳେ ନିରାକରଣ କରିବାକୁ ଆହ୍ୱାନ କରିଥିଲେ । ଏହା ଗାନ୍ଧୀଙ୍କ ଭାବଧାରା ସହିତ ବିରୋଧାଭାସୀ ଥିଲା, କାରଣ ଗାନ୍ଧୀ ବର୍ଣ୍ଣ ବ୍ୟବସ୍ଥାକୁ ଅତୁଟ ରଖିବାକୁ ଚାହୁଁଥିଲେ, କିନ୍ତୁ ଏଥିରୁ ଅସ୍ପୃଶ୍ୟତା ଓ ଉଚ୍ଚ-ନିମ୍ନତାକୁ ହଟାଇବା ପକ୍ଷରେ ଥିଲେ । ପରବର୍ତ୍ତୀ ସଂସ୍କରଣମାନଙ୍କରେ ଜାତିବ୍ୟବସ୍ଥା ବିଷୟରେ ଚର୍ଚ୍ଚା ଚାଲିଥିଲା । ରବୀନ୍ଦ୍ରନାଥ ଠାକୁରଙ୍କ ସହ ଅନେକ ଚିନ୍ତକଙ୍କ ଲେଖା ମଧ୍ୟ ପ୍ରକାଶ ପାଇଥିଲା, କିନ୍ତୁ ଅମ୍ବେଦକର ପୁଣି କେବେ ମଧ୍ୟ ଏଥିପାଇଁ ଲେଖିଲେ ନାହିଁ । କାରଣ ସେ ବିଶ୍ୱାସ କରୁଥିଲେ ଯେ ପତ୍ରିକାଟି ହିନ୍ଦୁଙ୍କ ସପକ୍ଷବାଦୀ ଥିଲା ଏବଂ ଦଳିତମାନଙ୍କ ପ୍ରତି ଅବହେଳାପୂର୍ଣ୍ଣ ଥିଲା ।
ଗାନ୍ଧୀଙ୍କ ସାଧାରଣ ଯୋଗଦାନରେ ସେତେବେଳର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପ୍ରଶ୍ନଗୁଡ଼ିକରେ ଆଲୋଚନା ଥିଲା । ତାହା ସହିତ ହରିଜନରେ କବିତା, ସମାଜିକ ସମତା ପ୍ରଚାରକ ଲେଖା ଏବଂ ସେହି ସମୟରେ ଦଳିତମାନଙ୍କୁ ଭର୍ତ୍ତି କରିବା ଆରମ୍ଭ କରିଥିବା ଧାର୍ମିକ ଓ ଶିକ୍ଷାଗତ ସଂସ୍ଥାଗୁଡ଼ିକ ସମ୍ପର୍କରେ ସୂଚନା ମଧ୍ୟ ପ୍ରକାଶିତ ହେଉଥିଲା । ଏହାର ନିୟମିତ ସ୍ତମ୍ଭ ଥିଲା ପ୍ରଶ୍ନ ପେଟି (Question Box), ଯେଉଁଠାରେ ଗାନ୍ଧୀ ଦୈନିକ ପ୍ରଶ୍ନର ଉତ୍ତର ଦେଉଥିଲେ ଏବଂ ବିଭିନ୍ନ ବିଷୟରେ ନିଜ ପକ୍ଷକୁ ସମର୍ଥନ କରୁଥିଲେ ।
ଉଦ୍ଦେଶ୍ୟ
[ସମ୍ପାଦନା]ଏହି ପତ୍ରିକାର ଉଦ୍ଦେଶ୍ୟ ଥିଲା ତାହାର ପ୍ରକାଶକ ହରିଜନ ସେବକ ସଂଘ ("ଅସ୍ପୃଶ୍ୟ ସମାଜର ସେବକମାନଙ୍କ ସଂଘ")ର ଅଭିଯାନକୁ ସମର୍ଥନ କରିବା, ଯାହାର ମୂଳ ଲକ୍ଷ୍ୟ ଥିଲା ଭାରତରେ ଅସ୍ପୃଶ୍ୟତାର ସମାପ୍ତି । ଅସ୍ପୃଶ୍ୟତା ବିରୋଧରେ ସଂଘର୍ଷକୁ ପ୍ରଚାର କରିବା ଏବଂ “ଅସ୍ପୃଶ୍ୟ” ବୋଲି ଗଣାଯାଉଥିବା ବ୍ୟକ୍ତି ବେଶେଷଙ୍କ ଉନ୍ନତି ପାଇଁ ପ୍ରଚେଷ୍ଟା କରିବା ।
ଗାନ୍ଧିଜୀ ଜୀବନର ଶେଷ ନିଃଶ୍ଵାସ ଯାଏଁ ହରିଜନରେ ଲେଖିବା ଜାରି ରଖିଥିଲେ । ଗାନ୍ଧିଜୀଙ୍କ ବିୟୋଗ ପରେ ତତକାଳୀନ ଗଭର୍ଣ୍ଣର ଜେନେରାଲ ସି ରାଜଗୋପାଳାଚାରୀ ଉକ୍ତ ପତ୍ରିକାରେ ଲେଖିଥିଲେ,
“Harijan was Bapu’s voice. And when his body has been consigned to the elements, Harijan cannot go on”.[୧]
ବାହାର ଆଧାର
[ସମ୍ପାଦନା]- Bodurant, Joan V., ed. (1973). Harijan: Collected Issues of Gandhi's Journal, 1933-1955 (19 vols.). New York: Garland Publishing.
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Kar, Souribandhu. "Gandhi and Harijan" (PDF). magazines.odisha.gov.in/. Archived from the original (PDF) on 24 April 2025. Retrieved 24 September 2025.
- ↑ Guha, Ramachandra (2018). Gandhi : the years that changed the world, 1914-1948 (in ଇଂରାଜୀ). Alfred A Knopf. ISBN 9780385532327.
- ↑ Chakrabarty, Bidyut (2006). Social and Political Thought of Mahatma Gandhi. Routledge, Taylor & Francis. pp. 116–129. ISBN 978-0-415-36096-8.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |