ଗୁନୁଙ୍ଗ ମୁଲୁ ଜାତୀୟ ଉଦ୍ୟାନ
ଗୁନୁଙ୍ଗ ମୁଲୁ ଜାତୀୟ ଉଦ୍ୟାନ, ଯାହାକୁ ସାଧାରଣତଃ ମୁଲୁ ଜାତୀୟ ଉଦ୍ୟାନ ବୋଲି ମଧ୍ୟ କୁହାଯାଏ, ମାଲେସିଆର ସାରାୱାକ୍ ରାଜ୍ୟର ମିରି ଡିଭିଜନରେ ଅବସ୍ଥିତ ଗୋଟିଏ ଜାତୀୟ ଉଦ୍ୟାନ ଅଟେ ।[୧] ଏହା ୟୁନିସ୍କୋ (UNESCO) ଦ୍ୱାରା ଘୋଷିତ ଏକ ବିଶ୍ୱ ଐତିହ୍ୟ ସ୍ଥଳ । ଏହାର ଅନ୍ତର୍ଭୁକ୍ତ ଗୁମ୍ଫାଗୁଡିକ ଏବଂ ପାହାଡ଼ୀ କାର୍ଷ୍ଟସବୁ ଉଷ୍ଣମଣ୍ଡଳୀୟ ପର୍ବତ ଜଙ୍ଗଲ ଅଞ୍ଚଳରେ ଅବସ୍ଥିତ । ଏହି ଉଦ୍ୟାନ ତାହାର ଅସାଧାରଣ ଗୁମ୍ଫାଗୁଡ଼ିକ ପରିଦର୍ଶନ ପାଇଁ ପର୍ଯ୍ୟଟକ ବହୁସଂଖ୍ୟାରେ ଆସନ୍ତି । ବିଶେଷତଃ 1977–1978 ମସିହାରେ ରୋୟାଲ ଜିଓଗ୍ରାଫିକାଲ ସୋସାଇଟି ଅଭିଯାନ, ଯେଉଁଥିରେ ୧୦୦ ରୁ ଅଧିକ ବିଜ୍ଞାନୀ ୧୫ମାସ ଧରି ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଏହା ଏକ ବିଶେଷ ଅଭିଯାନ ଭାବେ ପ୍ରସିଦ୍ଧ। ଏହି ଅଭିଯାନ ପରେ ମୁଲୁ କେଭ୍ସ ପ୍ରୋଜେକ୍ଟ ନାମରେ ପରିଚିତ ଧାରାବାହିକ ଭାବେ ୨୦ରୁ ଅଧିକ ଅନୁସନ୍ଧାନ ଅଭିଯାନର ମଧ୍ୟ ଶୁଭାରମ୍ଭ ହୋଇଥିଲା ।[୨]
ଏହି ଜାତୀୟ ଉଦ୍ୟାନଟିର ନାମ ମାଉଣ୍ଟ ମୁଲୁ ରୁ ନିଆଯାଇଛି, ଯାହା ସାରାୱାକ୍ର ଦ୍ୱିତୀୟ ଉଚ୍ଚତମ ପର୍ବତ ଅଟେ ।
ଇତିହାସ
[ସମ୍ପାଦନା]୧୯୭୪ ମସିହାରେ, ମୁଲୁ ପର୍ବତ ଓ ତାହାର ଆଖପାଖ ଅଞ୍ଚଳକୁ ସାରାୱାକ୍ ସରକାର ଦ୍ୱାରା ଜାତୀୟ ଉଦ୍ୟାନ ଭାବରେ ଘୋଷିତ କରାଯାଇଥିଲା । ୧୯୭୮ ମସିହାରେ, ରୋୟାଲ ଜିଓଗ୍ରାଫିକାଲ ସୋସାଇଟି ମୁଲୁ ଜାତୀୟ ଉଦ୍ୟାନରେ ଗୋଟିଏ ଅଭିଯାନ ଦଳ ଗଠନ କରିଥିଲା । ଏହି ଅଭିଯାନ ୧୫ ମାସ ପର୍ଯ୍ୟନ୍ତ ଚାଲିଥିଲା ଏବଂ ପ୍ରାୟ ୫୦ କିଲୋମିଟର ଲମ୍ବା ଗୁମ୍ଫାମାନଙ୍କର ଅନୁସନ୍ଧାନ କରାଯାଇଥିଲା । ସେ ସମୟରେ ମୁଲୁରେ କୌଣସି ବିମାନବନ୍ଦର କିମ୍ବା ପ୍ରବେଶ ପଥ ଉପଲବ୍ଧ ନଥିଲା । ସେହିକାରଣରୁ ଅଭିଯାନ ଦଳର ସୁବିଧା ନିମିତ୍ତ ଲାଙ୍ଗ ପାଲା ନାମକ ସ୍ଥାନରେ ଗୋଟିଏ ଆଧାର ଶିବିର ସ୍ଥାପିତ କରାଯାଇଥିଲା ।
ଡିସେମ୍ବର ୧୯୮୦ ମସିହାରେ, ଆଉ ଗୋଟିଏ ବ୍ରିଟିଶ ଅଭିଯାନ ଦଳକୁ ୪ ମାସ ପାଇଁ ମୁଲୁ ଗୁମ୍ଫାମାନଙ୍କ ଅନୁସନ୍ଧାନ ପାଇଁ ପଠାଯାଇଥିଲା। ଏହି ଅଭିଯାନ ସମୟରେ ସାରାୱାକ୍ ଚେମ୍ବର ନାମକ ବିଶାଳ ଗୁମ୍ଫାର ସନ୍ଧାନ ମିଳିଥିଲା ।
୧୯୮୪ ମସିହାରେ, ଗୁନୁଙ୍ଗ ମୁଲୁକୁ ଆସିଆନ ହେରିଟେଜ ପାର୍କ ଭାବେ ଘୋଷଣା କରାଯାଇଥିଲା ଏବଂ ୧୯୮୫ ମସିହାରେ ଏହି ଉଦ୍ୟାନଟି ସାଧାରଣ ଲୋକଙ୍କ ପାଇଁ ଆଧିକାରିକ ଭାବେ ଖୋଲାଯାଇଥିଲା । ପରେ ୨୦୦୦ ମସିହାରେ, ଗୁନୁଙ୍ଗ ମୁଲୁ ଜାତୀୟ ଉଦ୍ୟାନକୁ UNESCO ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳ ଭାବେ ଘୋଷିତ କରାଯାଇଥିଲା ।[୩]
ପରିଦର୍ଶନ ସୁବିଧା
[ସମ୍ପାଦନା]୧୯୭୪ ଖ୍ରୀଷ୍ଟାବ୍ଦରୁ ସାରାୱାକ୍ ସରକାର ଜାତୀୟ ଉଦ୍ୟାନର ପ୍ରବେଶକୁ ସୀମିତ କରିବା ଉଦ୍ଦେଶ୍ୟରେ ସେମାନେ ଏହାର ଯୋଗାଯୋଗ ନିମିତ୍ତ ସଡ଼କ ନିର୍ମାଣ କରିନାହାନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ଉଦ୍ୟାନର ପରିବେଶୀୟ ସଂହତି ଓ ସମ୍ପଦକୁ ସୁରକ୍ଷିତ ରଖିବା । ୧୯୯୮ ମସିହାର "ଜାତୀୟ ଉଦ୍ୟାନ ଓ ପ୍ରକୃତି ସଂରକ୍ଷଣ ଆଇନ" ଏବଂ ୧୯୯୯ ମସିହାର "ଜାତୀୟ ଉଦ୍ୟାନ ଓ ପ୍ରକୃତି ସଂରକ୍ଷଣ ବିଧି" ପାରିତ କରାଯାଇଛି, ଯାହା ଉଦ୍ୟାନର ପରିଚାଳନାକୁ ନିୟନ୍ତ୍ରଣ କରେ । ଉଦ୍ୟାନର ୯୦% ଅଂଶ ଓ ଗୁମ୍ଫାମାନଙ୍କର ୯୫% ଅଂଶ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି, ମାତ୍ର ଗବେଷଣାକାର୍ଯ୍ୟ ପାଇଁ ଅନୁମତି ରହିଛି ।
ସାଧାରଣ ଲୋକଙ୍କ ପାଇଁ ମାତ୍ର ଚାରିଟି ଗୁମ୍ଫ ଖୋଲା ରହେ; ଯଥା କ୍ଲିଅରୱାଟର ଗୁହା, ଉଇଣ୍ଡ ଗୁହା, ଡିଅର ଗୁହା ଏବଂ ଲାଙ୍ଗ୍ସ ଗୁହା । ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ଅନୁମତିପତ୍ର ଏବଂ ଉଦ୍ୟାନ ମାର୍ଗଦର୍ଶକ ଆବଶ୍ୟକ । ପର୍ଯ୍ୟଟକମାନେ ୧୦ ଜଣିଆ ଦଳରେ ବିଭକ୍ତ ହୋଇ ୨୦ ମିନିଟ୍ ଅନ୍ତରରେ ଏହି ଚାରିଟି ଗୁମ୍ଫା ଦର୍ଶନ କରିପାରିବେ ।
ଆଧାର
[ସମ୍ପାଦନା]- ↑ "Homepage - OFFICIAL PAGE Mulu National Park World Heritage Area" (in ଆମେରିକୀୟ ଇଂରାଜୀ). Retrieved 2025-10-29.
- ↑ "RGS Expedition 1977-78 – Mulu Caves Project" (in ଆମେରିକୀୟ ଇଂରାଜୀ). Retrieved 2025-10-29.
- ↑ Centre, UNESCO World Heritage. "Gunung Mulu National Park". UNESCO World Heritage Centre (in ଇଂରାଜୀ). Retrieved 2025-10-29.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |