ଫର୍ମୁଲା ୱାନ୍

ଉଇକିପିଡ଼ିଆ‌ରୁ
(Formula Oneରୁ ଲେଉଟି ଆସିଛି)
ଫର୍ମୁଲା ୱାନ୍ ମୋଟର ଦୌଡ଼
ଫର୍ମୁଲା-୧ ମୋଟର ଦୌଡ଼
୨୦୧୨ ମସିହାର ମାଲେସିଆ ଗ୍ରଁ-ପ୍ରିରେ ମୋଟର ଦୌଡ଼ ଆରମ୍ଭ ବେଳର ଚିତ୍ର
Highest governing bodyଏଫ୍. ଆଇ. ଏ. (ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ)
First played୧୯୫୦
Characteristics
Team members୧୦ ମୋଟର ଇଞ୍ଜିନ୍ ନିର୍ମାତାଙ୍କ ଦଳ (ପ୍ରତି ଦଳ ପକ୍ଷରୁ ଦୁଇଟି ଲେଖାଏଁ (ସର୍ବମୋଟ ୨୦) ଚାଳକ)
Categorizationଚାଳକମାନଙ୍କ ମଧ୍ୟରେ ପ୍ରତିଯୋଗିତା, ଇଞ୍ଜିନ୍ ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗିତା
Venueପରିକ୍ରମଣ ସଡ଼କ (ରେସିଂ ସର୍କିଟ୍)

ଫର୍ମୁଲା ୱାନ୍ ବା ଫର୍ମୁଲା-୧ (ଇଂରାଜୀରେ Formula One ବା Formula 1 ବା F1,ଇଂରାଜୀ ଉଚ୍ଚାରଣ ଫୋର୍ମ୍ୟୁଲା ୱନ୍) ବିଶ୍ୱର ସର୍ବୋତ୍କୃଷ୍ଟ ଓ ବ୍ୟୟବହୁଳ ମୋଟର ଦୌଡ଼ ପ୍ରତିଯୋଗିତା । ଦୌଡ଼ରେ ଭାଗ ନେଉଥିବା ଏହି ଖୋଲା ଚାରି-ଚକିଆ ମୋଟର ଗାଡ଼ିଗୁଡ଼ିକରେ ଜଣେ ଚାଳକ ବସିପାରୁଥିବା ଭଳି ବ୍ୟବସ୍ଥା ଥାଏ ଓ ଏମାନେ ଅତି ଦ୍ରୁତ ବେଗରେ ଗତି କରନ୍ତି । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘ (Fédération Internationale de l'Automobile – FIA) ଏହି ଦୌଡ଼ ପ୍ରତିଯୋଗିତାର ନିୟମ ପ୍ରଣୟନ, ସଞ୍ଚାଳନ ଓ ନିୟନ୍ତ୍ରଣ କରିଥାଏ । ୧୯୫୦ ମସିହାରେ ପ୍ରଥମେ ଏହି ମୋଟର ଦୌଡ଼ ଆୟୋଜିତ ହୋଇଥିଲା ଏବଂ ତାହା ପରଠାରୁ ଏହି ପ୍ରତିଯୋଗିତାକୁ ଉଚ୍ଚତମ ମାନର ମୋଟର ଦୌଡ଼ ପ୍ରତିଯୋଗିତା ଭାବେ ବିବେଚନା କରାଯାଇଥାଏ । ଅନ୍ତର୍ଜାତୀୟ ଅଟୋମୋବାଇଲ୍ ମହାସଂଘଦ୍ୱାରା ପ୍ରଣିତ ନିୟମାବଳୀକୁ ଫର୍ମୁଲା (ଯାହା ସବୁ ନିର୍ମାତା ଓ ଚାଳକ ମାନିବାକୁ ବାଧ୍ୟ) ଏବଂ ମାନରେ ଉତ୍କୃଷ୍ଟତା ପାଇଁ କ୍ରମାଙ୍କ କୁ ମିଶାଇ ଏହି ମୋଟର ଦୌଡ଼କୁ ଫର୍ମୁଲା-୧ ବୋଲି କୁହାଯାଇଥାଏ ।[୧] ପ୍ରତିବର୍ଷ ହେଉଥିବା ମୋଟର ଦୌଡ଼ ପ୍ରତିଯୋଗିତାକୁ “ଫର୍ମୁଲା-୧ କ୍ରୀଡ଼ାବର୍ଷ” ବା “ଫର୍ମୁଲା-୧ ସିଜନ୍” ବୋଲି କୁହାଯାଏ । ଗୋଟିଏ କ୍ରୀଡ଼ାବର୍ଷରେ ଅନେକ ଦେଶରେ ଗୋଟିଏ ଲେଖାଏଁ ମୋଟର ଦୌଡ଼ ଅନୁଷ୍ଠିତ ହୁଏ ଯାହାକୁ ଗ୍ରାଁ-ପ୍ରି (ଇଂରାଜୀରେ Grands Prix) ବୋଲି କୁହାଯାଏ । ଏହି ଦୌଡ଼ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଦୌଡ଼ ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍) କିମ୍ବା କିଛି ଦେଶରେ ସାଧାରଣ ଯାତାୟତ ପାଇଁ ଉଦ୍ଦୀଷ୍ଟ ସଡ଼କ ବ୍ୟବହୃତ ହୋଇଥାଏ ।

ପ୍ରତିଟି ଦୌଡ଼ରେ ଚାଳକ ଓ ଇଞ୍ଜିନ୍ ନିର୍ମାତାଙ୍କ ଗାଡ଼ି କେଉଁ ସ୍ଥାନରେ ରହିଲା – ତାହାକୁ ଭିତ୍ତି କରି ପଏଣ୍ଟ୍ ପ୍ରଦାନ କରାଯାଏ । କ୍ରୀଡ଼ାବର୍ଷ ଶେଷରେ ସର୍ବାଧିକ ପଏଣ୍ଟ୍ ହାସଲ କରିଥିବା ଗାଡ଼ି ଚାଳକ ଓ ଗାଡ଼ି ନିର୍ମାତାଙ୍କୁ ବିଜେତା ଘୋଷିତ କରାଯାଏ । ପ୍ରତି କ୍ରୀଡ଼ାବର୍ଷରେ ଏହିପରି ଦୁଇଟି ବାର୍ଷିକ ବିଜେତା ପୁରସ୍କାର ପ୍ରଦାନ କରାଯାଏ । ପ୍ରତିଟି ଦୌଡ଼ରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଗାଡ଼ି ଚାଳକଙ୍କୁ ସେହି ଦୌଡ଼ ଶେଷରେ ସମ୍ମାନିତ କରାଯାଏ । ପ୍ରତି ଗାଡ଼ି ଚାଳକଙ୍କ ପାଖରେ ମହାସଂଘ ପ୍ରଦତ୍ତ ଓ ବୈଧ ବିଶେଷ ଅନୁମତି ପତ୍ର (ଏଫ୍. ଆଇ. ଏ. ସୁପର୍ ଲାଇସେନ୍ସ) ରହିବା ଅନିବାର୍ଯ୍ୟ ।[୨] ଯେଉଁ ସବୁ ଦୌଡ଼ ସଡ଼କକୁ ମହାସଂଘ ସର୍ବୋତ୍ତମ (୧) ମାନ୍ୟତା ଦେଇଛି, କେବଳ ସେହିଠାରେ ଏହି ପ୍ରତିଯୋଗିତା ସବୁ ଅନୁଷ୍ଠିତ ହୁଏ ।[୨] ଅଧିକାଂଶ ଦୌଡ଼ ସଡ଼କ ଜନବସତିରୁ ଦୂରରେ ସ୍ୱତନ୍ତ୍ର ଭାବେ ନିର୍ମିତ, କିନ୍ତୁ ଆଉ କିଛି ନଗର ମଧ୍ୟରେ ଅବସ୍ଥିତ ।

ଫର୍ମୁଲା-୧ ଗାଡ଼ି ବା କାର୍ ବିଶ୍ୱର ଦ୍ରୁତତମ ଦୌଡ଼ ଗାଡ଼ି । ବାୟୁଗତି ବିଜ୍ଞାନର ଉପଯୋଗ ଯୋଗୁଁ ଏହି ସବୁ ଗାଡ଼ିର ଗଠନ ଶୈଳୀ ସାଧାରଣ ଗାଡ଼ିଙ୍କଠାରୁ ଭିନ୍ନ ଓ ଏମାନେ ଅତ୍ୟୁଚ୍ଚ ବେଗ ପ୍ରାପ୍ତ କରିପାରନ୍ତି । ୨୦୧୭ ମସିହାରେ ଫର୍ମୁଲା-୧ ଗାଡ଼ିଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ କରାଯାଇଥିଲା[୩] ଯାହା ଅନୁସାରେ ଗାଡ଼ିର ଚକ, ଗାଡ଼ିର ସମ୍ମୁଖ ଓ ପଶ୍ଚାତ୍ ଭାଗରେ କିଛି ପରିବର୍ତ୍ତନ କରିବାର ଅନୁମତି ମିଳିଲା ଓ ଗାଡ଼ିମାନଙ୍କ ସର୍ବାଧିକ ବେଗ ପ୍ରାୟ ୩୭୫ କି.ମି. ପ୍ରତି ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରିବାରେ ଏହା ସହାୟକ ହେଲା ।[୪]

ପାରମ୍ପରିକ ଭାବେ ଏହି ମୋଟର ଦୌଡ଼ ମୁଖ୍ୟତଃ ୟୁରୋପରେ ଅନୁଷ୍ଠିତ ହେଉଥିଲା, କିନ୍ତୁ ବର୍ତ୍ତମାନ ସମୟରେ ଏହା ସମଗ୍ର ବିଶ୍ୱରେ ଅନୁଷ୍ଠିତ ହେଉଛି । ୨୦୧୮ କ୍ରୀଡ଼ାବର୍ଷର ୨୧ଟି ଦୌଡ଼ରୁ ୧୧ଟି ଅଣ-ୟୁରୋପୀୟ ଦେଶମାନଙ୍କରେ ଅନୁଷ୍ଠିତ ହୋଇଥିଲା । ଏକ ମଧ୍ୟମ ମାନର ଫର୍ମୁଲା-୧ ଦଳ ପାଇଁ ବାର୍ଷିକ ହାରାହାରି ୧୨ କୋଟି ଆମେରିକୀୟ ଡଲାର୍ ଖର୍ଚ୍ଚ ହୋଇଥାଏ ।[୫] ଅର୍ଥବହୁଳତା ଓ ଲୋକପ୍ରିୟତା କାରଣରୁ ଫର୍ମୁଲା-୧ ମୋଟର ଦୌଡ଼ ବ୍ୟବସାୟର କେନ୍ଦ୍ରସ୍ଥଳ ।

ଇତିହାସ[ସମ୍ପାଦନା]

ଫର୍ମୁଲା ୱାନ୍ ପୁରୁଣା ଲୋଗୋ ‍‌(୧୯୯୩-୨୦୧୭)
ଫର୍ମୁଲା ୱାନ୍ ନୂଆ ଲୋଗୋ

୧୯୨୦ ଓ ୧୯୩୦ ଦଶନ୍ଧିରେ ୟୁରୋପରେ ଆୟୋଜନ ହେଉଥିବା ଗ୍ରାଁ-ପ୍ରି ମୋଟର ରେସିଂରୁ ଫର୍ମୁଲା ୱାନ୍ ମୋଟର ଦୌଡ଼ର ପ୍ରାରମ୍ଭ ହୋଇଥିଲା । ସମସ୍ତ ପ୍ରତିଯୋଗୀ ମୋଟର ଗାଡ଼ି ଯେଉଁ ନିର୍ଦ୍ଦିଷ୍ଟ ନିୟମାବଳୀକୁ ମାନନ୍ତି, ତାହାକୁ ଫର୍ମୁଲା ବୋଲି କୁହାଯାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୪୬ ମସିହାରେ ନୂତନ ରୂପେ ଫର୍ମୁଲା ୱାନ୍‍ର ନିୟମାବଳୀ ନିର୍ଦ୍ଧାରଣ କରାଗଲା ଓ ଏକ ସୌଜନ୍ୟମୂଳକ ମୋଟର ଦୌଡ଼ର ଆୟୋଜନ କରାଗଲା । ବିଶ୍ୱଯୁଦ୍ଧ ପୂର୍ବରୁ କିଛି ନିୟମ ନିର୍ଦ୍ଧାରିତ ହୋଇ ସାରିଥିଲେ ହେଁ ଯୁଦ୍ଧ କାରଣରୁ ୧୯୪୭ ମସିହା ପର୍ଯ୍ୟନ୍ତ ପ୍ରତିଯୋଗିତାମୂଳକ ଦୌଡ଼ର ଆୟୋଜନ କରାଯାଇନଥିଲା । ୧୯୫୦ ମସିହାରେ ଯୁକ୍ତରାଜ୍ୟର ସିଲ୍‍ଭରଷ୍ଟୋନ୍ ରେସିଂ ସର୍କିଟ୍ ପ୍ରଥମ ଥର ପାଇଁ ମୋଟର ଦୌଡ଼ରେ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜନ କରିଥିଲା । ୧୯୫୮ ମସିହାରେ ଗାଡ଼ି ନିର୍ମାତା କମ୍ପାନୀମାନଙ୍କ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରାଗଲା । ୧୯୬୦ ଓ ୧୯୭୦ ଦଶନ୍ଧିରେ ଦକ୍ଷିଣ ଆଫ୍ରିକା ଓ ଯୁକ୍ତରାଜ୍ୟରେ ଜାତୀୟ ସ୍ତରର ମୋଟର ଦୌଡ଼ ଆୟୋଜିତ ହେଉଥିଲା । ଅଣ-ଚାମ୍ପିୟନ୍‍ସିପ୍ ପ୍ରତିଯୋଗିତା ବହୁ ବର୍ଷ ପର୍ଯ୍ୟନ୍ତ ଆୟୋଜିତ ହେଉଥିଲା, କିନ୍ତୁ ବ୍ୟୟର ଚାପରେ ୧୯୮୩ ମସିହା ପରେ ଏଗୁଡ଼ିକର ଆୟୋଜନ ବନ୍ଦ ହୋଇଯାଇଥିଲା ।[୬] ୨୦୧୭ ମସିହା ନଭେମ୍ବର ମାସ ୨୬ ତାରିଖରେ ଆବୁଧାବି ନଗରର ୟାସ୍ ମରିନା ସର୍କିଟ୍‍ଠାରେ ଫର୍ମୁଲା ୱାନ୍‍ର ନୂତନ ଲୋଗୋ ବିମୋଚିତ ହୋଇଥିଲା । ୧୯୯୩ ମସିହାରୁ ରହିଆସିଥିବା ଫର୍ମୁଲା ୱାନ୍‍ର ପାରମ୍ପରିକ “ଫ୍ଲାଇଂ ୱାନ୍” ଲୋଗୋର ବ୍ୟବହାର ଏହାପରେ ବନ୍ଦ ହୋଇଯାଇଥିଲା ।[୭]

ପ୍ରତିଯୋଗିତାମୂଳକ ମୋଟର ଦୌଡ଼ର ପୁନରାରମ୍ଭ[ସମ୍ପାଦନା]

୧୯୫୧ ବର୍ଷର ମୋଟର ଦୌଡ଼ ବିଜେତା ଜୁଆନ୍ ମାନୁଏଲ୍ ଫାଙ୍ଗିଓଙ୍କ ଆଲ୍‍ଫା ରୋମିଓ ଗାଡ଼ି
୧୯୬୩ ମସିହାର ଓଲନ୍ଦାଜ ଗ୍ରାଁ-ପ୍ରି

ଦ୍ୱିତୀୟ ବିଶ୍ୱଯୁଦ୍ଧର ଯୋଗୁଁ ୧୯୩୯ ମସିହାରୁ ବନ୍ଦ ଥିବା ମୋଟର ଦୌଡ଼ ପୁଣି ୧୯୫୦ ମସିହାରେ ପୁନରାବର୍ତ୍ତନ କରିଥିଲା । ଇଟାଲୀର ଜିସେପୋ ଫାରିନା ନିଜରି ଦଳର ଜୁଆନ୍ ମାନୁଏଲ୍ ଫାଙ୍ଗିଓଙ୍କୁ ହରାଇ ୧୯୫୦ ମସିହାର ବିଶ୍ୱ ବିଜେତା ଚାଳକ ହେବାର ଗୌରବ ଲାଭ କରିଥିଲେ । ଉଭୟ ଚାଳକ ଦୌଡ଼ରେ ଆଲ୍‍ଫା ରୋମିଓ ଗାଡ଼ି ଚଲାଉଥିଲେ । ତେବେ ଫାଙ୍ଗିଓ ୧୯୫୧ରୁ ନେଇ ୧୯୫୭ ପର୍ଯ୍ୟନ୍ତ ପାଞ୍ଚ ବର୍ଷ କ୍ରମାଗତ ଭାବେ ବିଶ୍ୱ ବିଜେତା ଚାଳକ ହେବାର ଗୌରବ ମଣ୍ଡନ କରିଥିଲେ । ତାଙ୍କର ଏହି କୀର୍ତ୍ତିମାନ ୪୫ ବର୍ଷ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ରହିଥିଲା ଯାହାକୁ ପରେ ଜର୍ମାନୀ ଦେଶର ଚାଳକ ମାଇକେଲ୍ ଶୁମାକର୍ ଅତିକ୍ରମ କରିଥିଲେ । ଫାଙ୍ଗିଓଙ୍କ ସମୟରେ ଯୁକ୍ତରାଜ୍ୟ ନାଗରିକ ଷ୍ଟରଲିଂ ମସ୍ ମଧ୍ୟ କଡ଼ା ପ୍ରତିଦ୍ୱନ୍ଦୀ ଥିଲେ କିନ୍ତୁ କେବେ ବି ଦୌଡ଼ ଜିତିପାରିନଥିଲେ ।[୮][୯] ଫର୍ମୁଲା ୱାନ୍ ଦୌଡ଼ର ଆରମ୍ଭ ହେବାର ପ୍ରଥମ ଦଶନ୍ଧିରେ ଫାଙ୍ଗିଓ ଅଧିକାଂଶ ଦୌଡ଼ ଜିତିଥିବାରୁ ତାଙ୍କୁ ଫର୍ମୁଲା ୱାନ୍‍ର “ଗ୍ରାଣ୍ଡ୍ ମାଷ୍ଟର୍” ବୋଲି କୁହାଯାଏ ।

ସେହି ସମୟରେ ସାଧାରଣ ବାହନ ନିର୍ମାଣକାରୀ କମ୍ପାନୀ ଯଥା – ଆଲ୍‍ଫା ରୋମିଓ, ଫେରାରି, ମର୍ସେଡିସ୍-ବେଞ୍ଜ୍, ମାସେରାଟି ଦୌଡ଼ରେ ଭାଗ ନେଉଥିଲେ । ପ୍ରଥମ କିଛି ବର୍ଷ ପ୍ରାକ୍-ବିଶ୍ୱଯୁଦ୍ଧର ପତଳା ଚକ ଓ ସାମନାରେ ଇଞ୍ଜିନ୍ ରହିଥିବା ଗାଡ଼ି ଓ ୧୯୫୨-୫୩ ବର୍ଷରେ ଫର୍ମୁଲା -୨ରେ ବ୍ୟବହୃତ କମ୍ ଶକ୍ତିଶାଳୀ ଗାଡ଼ିକୁ ବ୍ୟବହାର କରି ଚାଳକମାନେ ଦୌଡ଼ରେ ଅଂଶଗ୍ରହଣ କରିଥିଲେ ।[୧୦][୧୧] ୧୯୫୪ରେ ଇଞ୍ଜିନ୍ ପାଇଁ ଫର୍ମୁଲା (ବା ନିୟମ) ପ୍ରସ୍ତୁତ ହେବା ପରେ ମର୍ସେଡିସ୍-ବେଞ୍ଜ୍ କମ୍ପାନୀ ଉନ୍ନତ ମାନର ଦୌଡ଼ ମୋଟର ଗାଡ଼ି ନିର୍ମାଣ କରିଥିଲେ । ୧୯୫୫ ମସିହାରେ ଲେ ମନ୍ସରେ ଆୟୋଜିତ ମୋଟର ଦୌଡ଼ରେ ଏକ ଭୟଙ୍କର ଦୁର୍ଘଟଣା ହୋଇଥିଲା ଯାହା ପରେ ମର୍ସେଡିସ୍-ବେଞ୍ଜ୍ କମ୍ପାନୀ ମୋଟର ଦୌଡ଼ରୁ ଓହରି ଯିବାର ନିଷ୍ପତ୍ତି ନେଇଥିଲା ।[୧୨]

ଇଂରେଜ ଗାଡ଼ି ଚାଳକଙ୍କ ଆଧିପତ୍ୟ[ସମ୍ପାଦନା]

ଭାନୱାଲ୍ ମୋଟର କମ୍ପାନୀ ତରଫରୁ ମାଇକ୍ ହଥର୍ଣ୍ଣ ୧୯୫୮ ମସିହାରେ ବିଶ୍ୱ ବିଜେତା ହୋଇଥିଲେ । ଷ୍ଟର୍ଲିଂ ମସ୍ କୌଣସି ବର୍ଷ ବିଜୟଶ୍ରୀ ହାସଲ କରି ନଥିଲେ ହେଁ ଜଣେ ପୋଖତ ଚାଳକ ଭାବେ ପରିଚିତ ଥିଲେ । ୧୯୫୮ରୁ ନେଇ ୧୯୭୪ ମଧ୍ୟରେ ହଥର୍ଣ୍ଣ, ଜିମ୍ କ୍ଲାର୍କ୍, ଜ୍ୟାକି ଷ୍ଟୁଆର୍ଟ୍, ଜନ୍ ସର୍ଟିସ୍ ଓ ଗ୍ରାହାମ୍ ହିଲ୍‍ଙ୍କ ପରି ଇଂରେଜ ମୋଟର ଚାଳକମାନେ ୯ ବର୍ଷ ବିଶ୍ୱବିଜୟୀ ଚାଳକ ଓ ବ୍ରିଟେନ୍‍ର ମୋଟର ଗାଡ଼ି କମ୍ପାନୀମାନେ ୧୪ ବର୍ଷ ଶ୍ରେଷ୍ଠ ନିର୍ମାତା ହେବାର ଗୌରବ ଲାଭ କରିଥିଲେ । ଲୋଟସ୍ ନାମକ ବ୍ରିଟିଶ୍ ରେସିଂ ଦଳ ନିଜର ସ୍ୱତନ୍ତ୍ର ଗାଡ଼ି ନିର୍ମାଣ ଶୈଳୀ ପାଇଁ ବହୁ ପରିଚିତ ଥିଲା ଓ ୧୯୬୮ ମସିହାରେ ପ୍ରଥମ ଥର ପାଇଁ ଗାଡ଼ିର ଶରୀରରେ ବିଜ୍ଞାପନ ବହନ କରାଇଥିଲା ।[୧୩]

ମୋଟର ଦୌଡ଼ ଓ ଯୋଜନା[ସମ୍ପାଦନା]

୨୦୧୦ ମସିହାର କାନାଡ଼ା ଗ୍ରାଁ-ପ୍ରିରେ ମକ୍ଲାରେନ୍ ଦଳର ଲୁଇସ୍ ହାମିଲ୍‍ଟନ୍ ଓ ଜେନ୍ସନ୍ ବଟନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଥିଲେ

ଏକ ଫର୍ମୁଲା ୱାନ୍ ଗ୍ରାଁ-ପ୍ରି ସପ୍ତାହର ଶୁକ୍ରବାର, ଶନିବାର ଓ ରବିବାର ଦିନ ଅନୁଷ୍ଠିତ ହୁଏ । ଶୁକ୍ରବାର ଦିନ ପ୍ରତି ଦଳକୁ ଦୁଇଟି ଓ ଶନିବାର ଦିନ ଗୋଟିଏ ଅଭ୍ୟାସ ସମୟ ପ୍ରଦାନ କରାଯାଏ । ମୋନାକୋ ସହରରେ ଏହି ଅଭ୍ୟାସ ଶୁକ୍ରବାର ପରିବର୍ତ୍ତେ ଗୁରୁବାର ଦିନ ହୋଇଥାଏ, ଯାହା ଏକ ବ୍ୟତିକ୍ରମ । ପ୍ରତି ଫର୍ମୁଲା ୱାନ୍ ଦଳରେ ଜଣେ ଅତିରିକ୍ତ ଚାଳକ ମଧ୍ୟ ରହିଥାନ୍ତି ଯେଉଁମାନେ କେବଳ ଶୁକ୍ରବାର ଦିନ ଅଭ୍ୟାସ କରିପାରିବେ । କିନ୍ତୁ ଶୁକ୍ରବାରରେ କେବଳ ଦୁଇଟି ଗାଡ଼ିକୁ ଅଭ୍ୟାସ ପର୍ଯ୍ୟାୟ ମିଳୁଥିବାରୁ ଦୌଡ଼ର ଦୁଇ ମୁଖ୍ୟ ଚାଳକଙ୍କ ମଧ୍ୟରୁ ଜଣକୁ ଶୁକ୍ରବାର ଦିନ ଅଭ୍ୟାସ କରିବାର ସୁଯୋଗ ମିଳେନାହିଁ । ଶନିବାରର ଶେଷ ଅଭ୍ୟାସ ପରେ ଏକ ଯୋଗ୍ୟତା ନିର୍ଣ୍ଣୟ ପ୍ରତିଯୋଗିତା (ଇଂରାଜୀରେ Qualifying Race) ଅନୁଷ୍ଠିତ ହୁଏ । ଏହି ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟରେ ଚାଳକଙ୍କ ପ୍ରଦର୍ଶନ ଅନୁସାରେ ସେମାନେ ରବିବାରର ମୁଖ୍ୟ ଦୌଡ଼ରେ କେଉଁ ସ୍ଥାନରୁ ଦୌଡ଼ ଆରମ୍ଭ କରିବେ ତାହା ନିର୍ଦ୍ଧାରିତ ହୋଇଥାଏ ।[୧୪][୧୫]

ଗାଡ଼ିର ଚକ ସମ୍ବନ୍ଧୀୟ ନିୟମ[ସମ୍ପାଦନା]

୨୦୧୬ ମସିହାରୁ ଲାଗୁ ହୋଇଥିବା ନୂଆ ନିୟମ ଅନୁଯାୟୀ ଇଟାଲୀ ଦେଶର ପିରେଲି କମ୍ପାନୀ ପ୍ରତି ଗ୍ରାଁ-ପ୍ରି ପାଇଁ ସବୁ ଦଳକୁ ତିନି ପ୍ରକାରର ଚକ ଯୋଗାଇ ଦେଇଥାଏ । ପ୍ରତି ଦଳ ନିଜର ଯୋଜନା ଅନୁଯାୟୀ ଏହି ଚକଗୁଡ଼ିକୁ ବ୍ୟବହାର କରିପାରିବେ । ପ୍ରତି ଦୌଡ଼ର ମାସେ ବା ତାହା ପୂର୍ବରୁ କେଉଁ ପ୍ରକାରର ଚକ ଦିଆଯିବ ତାହାର ଘୋଷଣା କରା ଯାଇଥାଏ । ପ୍ରଥମ ପାଞ୍ଚଟି ଦୌଡ଼ ପାଇଁ ପ୍ରତି ଚାଳକଙ୍କ ପାଖରେ ୭ଟି ପ୍ରକାରର ନରମ, ୪ ପ୍ରକାରର ମଧ୍ୟମ ଓ ୨ ପ୍ରକାରର ଶକ୍ତ ଚକ ରହିଥାଏ । ଦୌଡ଼, ଅଭ୍ୟାସ ବା ଯୋଗ୍ୟତା ନିର୍ଣ୍ଣୟ ସମୟରେ ଚକ ନଷ୍ଟ ହୋଇଯାଉଥିଲେ ପିରେଲି ଆହୁରି ଚକ ଯୋଗାଇ ଦିଏ ।[୧୬]

ଯୋଗ୍ୟତା ନିର୍ଣ୍ଣୟ ପର୍ଯ୍ୟାୟ[ସମ୍ପାଦନା]

ପରିକ୍ରମା ପଥ ନିକଟସ୍ଥ ଏକ ନିୟନ୍ତ୍ରଣ କେନ୍ଦ୍ରରୁ ପ୍ରତି ଦଳର ଯୋଜନାକାରୀ ଓ ନିର୍ବାହକମାନେ ନିଜ ଚାଳକ ଓ ବୈଷୟିକ ବିଜ୍ଞାନୀମାନଙ୍କ ସହିତ କଥା ହୋଇଥାନ୍ତି

ଯୋଗ୍ୟତା ନିର୍ଣ୍ଣୟ ଓ ଅଭ୍ୟାସ କିଛି ମାତ୍ରାରେ ଭିନ୍ନ । ଜଣ ଜଣ କରି ଚାଳକମାନେ ଗୋଟିଏ ବା ଦୁଇଟି ଚେଷ୍ଟାରେ ଯେତେ ସମ୍ଭବ କମ୍ ସମୟରେ ଗୋଟିଏ ପରିକ୍ରମା ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତି । ଯେଉଁ ଚାଳକ ସର୍ବନିମ୍ନ ସମୟରେ ଗୋଟିଏ ଘେରା ମାରନ୍ତି, ସେ ମୁଖ୍ୟ ଦୌଡ଼ ଦିନ ପ୍ରଥମ ସ୍ଥାନରୁ ଆରମ୍ଭ କରିଥାନ୍ତି (ଏହାକୁ “ପୋଲ୍ ପୋଜିସନ୍” ବୋଲି କୁହନ୍ତି) । ପ୍ରାୟ ୨୬ଟି ଗାଡ଼ି ମୁଖ୍ୟ ଦୌଡ଼ରେ ଭାଗ ନିଅନ୍ତି । ୧୯୯୦ ଦଶନ୍ଧିରେ ବହୁ ଦଳ ଯୋଗ ଦେଉଥିବାରୁ ନିମ୍ନରେ ରହୁଥିବା ଦଳଙ୍କର ଆଉ ଏକ “ପ୍ରାକ୍-ଯୋଗ୍ୟତା ନିର୍ଣ୍ଣୟ” ଆୟୋଜିତ ହେଉଥିଲା ଓ ସେଥିରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଗାଡ଼ି ମୁଖ୍ୟ ଯୋଗ୍ୟତା ନିର୍ଣ୍ଣୟକୁ ଉତ୍ତୀର୍ଣ୍ଣ ହେଉଥିଲେ । ୨୦୦୦ ମସିହା ପରଠାରୁ ଯୋଗ୍ୟତା ନିର୍ଣ୍ଣୟ ମାପଦଣ୍ଡରେ ଅନେକ ପରିବର୍ତ୍ତନ କରାଗଲା ।

୨୦୧୧ ମସିହାର ବ୍ରାଜିଲ୍ ଗ୍ରାଁ-ପ୍ରିରେ ଲୋଟସ୍ ଦଳର ଚାଳକ ଜାର୍ଣ୍ଣୋ ଟ୍ରୁଲି ବିରତି (pit-stop) ନେବା ବେଳର ଦୃଶ୍ୟ

୨୦୦୬ ମସିହାରେ ଯୋଗ୍ୟତା ଲାଭ ପାଇଁ ଲାଗୁ ହୋଇଥିବା ନିୟମ ବର୍ତ୍ତମାନ ପ୍ରଚଳନରେ ରହିଛି । ଏହାକୁ "ନକ୍ ଆଉଟ୍ କ୍ୱାଲିଫାଇଂ" ବୋଲି କୁହାଯାଏ । ଏହା ଅନୁସାରେ ତିନୋଟି ପର୍ଯ୍ୟାୟରେ (Q୧, Q୨ ଓ Q୩) ଯୋଗ୍ୟତା ଲାଭ କରିବାର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟରେ (Q୧) ସମସ୍ତ ଚାଳକ ଗୋଟିଏ ଲେଖାଏଁ ପରିକ୍ରମା କରନ୍ତି ଓ ଯେତେ କମ୍ ସମୟରେ ହୋଇପାରିବ ନିଜ ପରିକ୍ରମଣ ସାରିବାକୁ ଚେଷ୍ଟା କରନ୍ତି । ସବୁଠାରୁ ଅଧିକ ସମୟ ନେଇଥିବା ୫ଟି ଗାଡ଼ି Q୧ ପର୍ଯ୍ୟାୟରେ ନକ୍-ଆଉଟ୍ ହୋଇଥାନ୍ତି । ନେଇଥିବା ସମୟ ଅନୁସାରେ ସେମାନେ ମୁଖ୍ୟ ଦୌଡ଼ରେ ଶେଷ ୫ଟି ସ୍ଥାନରୁ ଦୌଡ଼ ଆରମ୍ଭ କରିବାର ଯୋଗ୍ୟତା ଲାଭ କରନ୍ତି । ଅନ୍ୟ ସମସ୍ତେ Q୨କୁ ଅଗ୍ରସର ହୁଅନ୍ତି । ଏକ ପର୍ଯ୍ୟାୟରେ ଚାଳକମାନେ ଯେତେ ଥର ଚାହିଁବେ ସେତୋଟି ପରିକ୍ରମା କରିପାରିବେ ଓ ସମସ୍ତ ପରିକ୍ରମା ମଧ୍ୟରୁ ଶ୍ରେଷ୍ଠ ପରିକ୍ରମାଟି ଯୋଗ୍ୟତା ପାଇଁ ଗଣାହୁଏ । ଆଗାମୀ ପର୍ଯ୍ୟାୟକୁ ଉନ୍ନୀତ ହେଲେ ପୂର୍ବ ପର୍ଯ୍ୟାୟର ସମୟ ଆଉ ଗଣା ନଯାଇ ନୂତନ ଭାବେ ଗଣନା ଆରମ୍ଭ ହୁଏ ।[୧୭] ବର୍ତ୍ତମାନ ସମୟରେ ସମୁଦାୟ ୨୦ଟି ଗାଡ଼ି ଦୌଡ଼ରେ ଭାଗ ନେଉଛନ୍ତି । Q୧ ପର୍ଯ୍ୟାୟ ୧୮ ମିନିଟ୍ ଲମ୍ବା ଚାଲେ ଓ ଏଥିରେ ଅଧିକ ସମୟ ନେଇଥିବା ୫ଟି ଗାଡ଼ି ଆଗାମୀ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇପାରନ୍ତି ନାହିଁ । Q୧ର ଦ୍ରୁତତମ ଗାଡ଼ିର ୧୦୭%ରୁ ଅଧିକ ସମୟ ନେଉଥିବା ୫ଟି ଗାଡ଼ି ବାହାରି ଯାଇଥାନ୍ତି । ଆଗାମୀ ପର୍ଯ୍ୟାୟ Q୨ରେ ଅବଶେଷ ୧୫ଟି ଗାଡ଼ି ୧୫ ମିନିଟ୍ ପର୍ଯ୍ୟନ୍ତ ପରିକ୍ରମା କରିପାରିବେ ଓ ସବୁଠାରୁ ଧୀର ୫ଟି ଗାଡ଼ିଙ୍କୁ ଆଗାମୀ ପର୍ଯ୍ୟାୟକୁ ଯିବା ପାଇଁ ଅନୁମତି ମିଳେନାହିଁ । Q୩ ପର୍ଯ୍ୟାୟ ୧୨ ମିନିଟ୍ ଧରି ଚାଲେ ଯେଉଁଥିରେ ବାକି ୧୦ଟି ଗାଡ଼ି ନିଜର ସର୍ବୋତ୍କୃଷ୍ଟ ସମୟ ହାସଲ କରିବାକୁ ଚେଷ୍ଟା କରନ୍ତି ଓ ମୁଖ୍ୟ ଦୌଡ଼ର ପ୍ରଥମ ୧୦ଟି ସ୍ଥାନ ଏହି ପର୍ଯ୍ୟାୟରେ ନିର୍ଣ୍ଣିତ ହୋଇଥାଏ ।

ମୁଖ୍ୟ ଦୌଡ଼[ସମ୍ପାଦନା]

ପୂର୍ବ ଦିନ ହାସଲ କରିଥିବା ନିଜ କ୍ରମାଙ୍କ ଅନୁଯାୟୀ ଗାଡ଼ିମାନେ ମୁଖ୍ୟ ଦୌଡ଼ ଦିନ ନିଜର ନିର୍ଦ୍ଧାରିତ ସ୍ଥାନରେ ଧାଡ଼ିରେ ଛିଡ଼ା ହୁଅନ୍ତି । ପ୍ରଥମେ ଗୋଟିଏ ଅଭ୍ୟାସ ପରିକ୍ରମା (ଇଂରାଜୀରେ Warm-up Lap) ହୁଏ ଯେଉଁଥିରେ କେବଳ ଇଞ୍ଜିନ୍‍ ଓ ଚକକୁ ଗରମ କରିବା, ପରିକ୍ରମା ପଥକୁ ଆଉ ଥରେ ଟିକିନିଖି କରି ପରଖିନେବା ଓ ଦଳର ସହଯୋଗୀଙ୍କୁ ରାସ୍ତାରୁ ନିଜର ସମସ୍ତ ସାମଗ୍ରୀ ଉଠାଇନେବାକୁ ସମୟ ଦିଆଯାଏ । ଏହି ପରିକ୍ରମାରେ ଆଗରେ ଥିବା ଗାଡ଼ିମାନଙ୍କୁ ଅତିକ୍ରମ କରିବା ମନା ।

ସାଉବର୍ ସି୨୪ ଦଳର ଜାକ୍ ଭିଲନୌ ୨୦୦୫ ମସିହାର ଯୁକ୍ତରାଷ୍ଟ୍ର ଆମେରିକୀୟ ଗ୍ରାଁ-ପ୍ରିରେ ଯୋଗ୍ୟତା ହାସଲ କରିବା ବେଳର ଚିତ୍ର

ଅଭ୍ୟାସ ପରିକ୍ରମା ପରେ ଗାଡ଼ିମାନେ ନିଜ କ୍ରମାଙ୍କ ସ୍ଥାନରେ ପୁଣି ଛିଡ଼ା ହୁଅନ୍ତି । ସେମାନଙ୍କ ସମ୍ମୁଖରେ ୩ଟି ଧାଡ଼ି ୫ଟି ଲାଲ୍ ଆଲୁଅ ବତୀ ରହିଥାଏ । ପ୍ରତି ଧାଡ଼ି ୧ ସେକେଣ୍ଡ ବ୍ୟବଧାନରେ ଜଳି ସମସ୍ତ ଆଲୁଅ ଲିଭିଗଲେ ଦୌଡ଼ ଆରମ୍ଭ ହୁଏ । କୌଣସି ଗାଡ଼ିର ଇଞ୍ଜିନରେ ତ୍ରୁଟି ଦେଖାଦେଇ ଗାଡ଼ି ସ୍ଥିର ହୋଇ ରହିଗଲେ ତାହାର ଚାଳକ ହାତ ଉଠାଇ ସଙ୍କେତ ଦିଅନ୍ତି । ଏପରି ଅବସ୍ଥାରେ ଖରାପ ଗାଡ଼ିକୁ ବାହାର କରାଯାଏ ଓ ଦୌଡ଼ ପୁଣି ଥରେ ଆରମ୍ଭ ହୁଏ । ଖରାପ ହୋଇଯାଇଥିବା ଗାଡ଼ିର ପଛକୁ ଥିବା ସମସ୍ତ ଗାଡ଼ି ଗୋଟିଏ ଉପର କ୍ରମାଙ୍କୁ ଯାଇ ପୁଣି ଦୌଡ଼ ଆରମ୍ଭ ହୁଏ । ପ୍ରବଳ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଭଲ ନଥିଲେ ଏକ ସୁରକ୍ଷା ଗାଡ଼ି (ଇଂରାଜୀରେ Safety Car) ଆଗରେ ରଖି ଦୌଡ଼ ଆରମ୍ଭ ହେଉଥିଲା । ୨୦୧୭ ପରଠାରୁ ଆଉ ଏକ ନିୟମ ଲାଗୁ କରାଯାଇଛି । ମୁଖ୍ୟ ଦୌଡ଼ର ପୁନରାରମ୍ଭ ସବୁବେଳେ ସ୍ଥିରାବସ୍ଥାରୁ ହେବା ଜରୁରୀ । ଆରମ୍ଭ ପୂର୍ବରୁ ଭୀଷଣ ବର୍ଷା ହୋଇ ରାସ୍ତା ଖରାପ ହେଲେ ଗାଡ଼ିମାନେ ଫେରିଆସନ୍ତି ଓ ବର୍ଷା ଛାଡ଼ି ରାସ୍ତା ଶୁଖିବା ପରେ ଦୌଡ଼ ଆରମ୍ଭ ହୁଏ ।[୧୮]

ସାଧାରଣ ପରିସ୍ଥିତିରେ ଯେଉଁ ଗାଡ଼ି କିଛି ନିର୍ଦ୍ଦିଷ୍ଟ ପରିକ୍ରମା ପ୍ରଥମେ ପୂର୍ଣ୍ଣ କରିଥାଏ ତାହାକୁ ବିଜୟୀ ଘୋଷିତ କରାଯାଏ । ଦୌଡ଼ ମଧ୍ୟରେ ବର୍ଷା, ଅନ୍ୟ ପ୍ରାକୃତିକ ବା କୃତ୍ରିମ କାରଣରୁ ବିପଜ୍ଜନକ ଅବସ୍ଥା ସୃଷ୍ଟି ହେଲେ ଦୌଡ଼ର ନିୟନ୍ତ୍ରକ ଲାଲ୍ ପତାକା ଦେଖାଇବାର ଅନୁମତି ଦିଅନ୍ତି ଓ ମୋଟର ଦୌଡ଼ ବନ୍ଦ କରିଦିଆଯାଏ ।

୧୯୫୦ ଦଶନ୍ଧିରେ ସମୁଦାୟ ୩୦୦ରୁ ୬୦୦ କିଲୋମିଟର୍ ଅତିକ୍ରମ କରିବା ପାଇଁ ଯେତୋଟି ପରିକ୍ରମା ଦରକାର ତାହା ପୂର୍ବରୁ ନିର୍ଦ୍ଧାରଣ କରି ଦୌଡ଼ ଆରମ୍ଭ ହେଉଥିଲା । ୧୯୬୬ ମସିହାରେ ଦୌଡ଼ ପାଇଁ ସର୍ବାଧିକ ଅତିକ୍ରାନ୍ତ ପଥ ୪୦୦ କିଲୋମିଟର୍ ଓ ପରେ ୧୯୭୧ ମସିହାରେ ଏହି ଦୂରତାକୁ ୩୨୫ କିଲୋମିଟର୍‍କୁ କମାଇ ଦିଆଗଲା । ୧୯୮୯ ମସିହାରେ ଦୌଡ଼ର ସର୍ବାଧିକ ଅତିକ୍ରାନ୍ତ ପଥ ୩୦୫ କିଲୋମିଟର୍ ହେବ ବୋଲି ଧାର୍ଯ୍ୟ କରାଗଲା । ସାଧାରଣତଃ ୨ ଘଣ୍ଟା ମଧ୍ୟରେ ଏହି ମୋଟର ଦୌଡ଼ ସମାପ୍ତ ହୁଏ । ମୋନାକୋ ପରି ସ୍ଥାନରେ ସହରର ଯାତାୟତ ସଡ଼କରେ ଦୌଡ଼ ଆୟୋଜନ ହେଉଥିବାରୁ ଦୁଇ ଘଣ୍ଟା ମଧ୍ୟରେ ଖେଳ ସାରିବା ପାଇଁ ଦୌଡ଼ ଦୂରତାକୁ ୩୦୫ କିଲୋମିଟର୍‍ରୁ କମାଇ ଦିଆଯାଇଥାଏ ।

ଦୌଡ଼ ବେଳେ ଗାଡ଼ିମାନେ ପରସ୍ପରକୁ ଅତିକ୍ରମ କରି ଆଗକୁ ଯାଇ ପାରିବେ । ଯଦି ଏକ ଗାଡ଼ି ଦ୍ରୁତ ବେଗରେ ଗୋଟିଏ ଘେରା ବୁଲିଯାଏ ଓ ତାହା ସମ୍ମୁଖରେ ପୂର୍ବ ଘେରା ପୂର୍ଣ୍ଣ କରିନଥିବା ଏକ ଗାଡ଼ି (ଇଂରାଜୀରେ Back Marker) ଆସେ, ତେବେ ଧୀର ଗାଡ଼ିଟିକୁ ଦ୍ରୁତ ଗାଡ଼ିକୁ ରାସ୍ତା ଛାଡ଼ିବା ଜରୁରୀ ।[୧୯] ଏକ ନୀଳ ପତାକା ଦେଖାଯାଇ ଧୀର ଗାଡ଼ିକୁ ଏହାର ସଙ୍କେତ ଦିଆଯାଏ । ଯଦି ଗାଡ଼ିଟି ସମ୍ପୂର୍ଣ୍ଣ ଦୌଡ଼ ଦୂରତାର ୯୦%ରୁ ଅଧିକ ଦୂରତା ଅତିକ୍ରମ କରିନିଏ, ତାହାକୁ ଦୌଡ଼ରେ ସ୍ଥାନ କ୍ରମାଙ୍କ ପ୍ରଦାନ କରାଯାଏ । ବୈଷୟିକ ତ୍ରୁଟି ବା ଦୁର୍ଘଟଣା ଯୋଗୁଁ ଗାଡ଼ିଟି ଦୌଡ଼ ବା ବିଜେତାର ୯୦% ପୂର୍ଣ୍ଣ ନକରିପାରିଲେ ତାହାକୁ ସ୍ଥାନ କ୍ରମାଙ୍କ ଦିଆଯାଏ ନାହିଁ ।

ପରିକ୍ରମା ସଡ଼କ ଉପରେ ସୁରକ୍ଷା ଗାଡ଼ି ଆସିଯିବାରୁ ସମସ୍ତ ଦୌଡ଼ ଗାଡ଼ି ଅପେକ୍ଷାକୃତ କମ୍ ବେଗରେ ତାହା ପଛରେ ଚାଲୁଥିବାର ଦୃଶ୍ୟ । ସୁରକ୍ଷା ଗାଡ଼ି ପଛରେ ଚାଲୁଥିବା ସମୟରେ ପରସ୍ପରକୁ ଅତିକ୍ରମ କରିବା ଦୌଡ଼ର ନିୟମ ବିରୋଧୀ ।

ଦୌଡ଼ ସମୟରେ ଚାଳକମାନେ ଏକ କ୍ଷୁଦ୍ର ବିରତି ନେଇ ପାରିବେ ଯାହାକୁ ପିଟ୍-ଷ୍ଟପ୍ (ଇଂରାଜୀରେ Pit Stop) ବୋଲି କୁହାଯାଏ । ଗାଡ଼ିର ଚକ ବଦଳାଇବା, ଗାଡ଼ିରେ ତେଲ ପକାଇବା, ଗାଡ଼ିର ତ୍ରୁଟି ବିଚ୍ୟୁତି ସୁଧାରିବା ପାଇଁ ଏହି ବିରତିକୁ ବ୍ୟବହାର କରାଯାଏ । ବିରତିକୁ କିପରି ଉପଯୋଗ କରାଯିବ ତାହା ପାଇଁ ଦଳରୁ ଦଳ ଭିନ୍ନ ଧରଣର ଯୋଜନା କରିଥାନ୍ତି । ଦୌଡ଼ବେଳେ ୩ଟି ପ୍ରକାରର ଶୁଖିଲା ଚକରୁ ୨ଟି ପ୍ରକାର ବ୍ୟବହାର କରାଯାଏ ଓ ସମସ୍ତଙ୍କ କ୍ଷମତା ଭିନ୍ନ । ତେଣୁ ଦୌଡ଼ବେଳେ କିପରି ଭାବେ ଚକ ବଦଳାଇଲେ କମ୍ ସମୟରେ ଅଧିକ ଦୂରତା ଅତିକ୍ରମ କରାଯିବ ତାହା ବିରତି ଯୋଜନାର ଅନ୍ତର୍ଗତ । ଦୌଡ଼ ଆରମ୍ଭରେ ଅଧିକ ତେଲ ରଖାଯିବ ନା କମ୍ ତେଲ ରଖାଯିବା କଥା ତାହା ମଧ୍ୟ ଏହି ଯୋଜନାର ଅନ୍ତର୍ଗତ । କମ୍ ତେଲ ଥିଲେ ଗାଡ଼ି ହାଲୁକା ଓ ଅଧିକ ତେଲର ଗାଡ଼ି ଓଜନିଆ ହୋଇଥାଏ । ସଡ଼କ ଓଦା ଥିଲେ ଉପଲବ୍ଧ ଦୁଇ ପ୍ରକାରର ଚକରୁ ଗୋଟିଏ ବ୍ୟବହାର କରିହେବ । ସବୁ ଚକର ବାହାର ପଟକୁ ଏକ ରଙ୍ଗ ଲାଗିଥାଏ ଯାହାକୁ ଦେଖି ଦର୍ଶକମାନେ ବିଭିନ୍ନ ଦଳର ନିଷ୍ପତ୍ତି ଓ ଯୋଜନା ବିଷୟରେ ଧାରଣା କରିପାରିବେ ।

ଦୌଡ଼ ନିର୍ଦ୍ଦେଶକ
୨୦୧୮ ମସିହା ପରଠାରୁ ଚାର୍ଲି ହ୍ୱିଟିଂ ଫର୍ମୁଲା ୱାନ୍‍ର ଦୌଡ଼ ନିର୍ଦ୍ଦେଶକ ଅଛନ୍ତି । ସେ ଦୌଡ଼ର ନିୟମ ପାଳନ ହେଉଛି ନା ନାହିଁ ତାହା ନିରୀକ୍ଷଣ କରିଥାନ୍ତି । ଦୌଡ଼ ପୂର୍ବରୁ ସେ ସମସ୍ତ ଗାଡ଼ି ଓ ଦୌଡ଼ ଆୟୋଜନର ସମୀକ୍ଷା କରନ୍ତି । ବିବାଦ ପରିସ୍ଥିତି ଉପୁଜିଲେ ଦୌଡ଼ ନିର୍ଦ୍ଦେଶକ ଏହାର ସମାଧାନରେ ଏକ ବଡ଼ ଭୂମିକା ଗ୍ରହଣ କରନ୍ତି । କୌଣସି ନିୟମ ଭଙ୍ଗାଗଲେ କିପରି ଓ କେତେ ଜରିମାନା ଦିଆଯିବ ତାହାର ନିଷ୍ପତ୍ତି ମଧ୍ୟ ଦୌଡ଼ ନିର୍ଦ୍ଦେଶକ ନିଅନ୍ତି ।
ସୁରକ୍ଷା ଗାଡ଼ି
କୌଣସି ପ୍ରାକୃତିକ ବା ଅପ୍ରାକୃତିକ କାରଣରୁ ସଡ଼କରେ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଲେ ଦୌଡ଼ ନିରୀକ୍ଷକମାନେ ସଡ଼କ ଉପରକୁ ସୁରକ୍ଷା ଗାଡ଼ି ପଠାଇଥାନ୍ତି । ସୁରକ୍ଷା ଗାଡ଼ି ରାସ୍ତାକୁ ଆସିବାର ଅର୍ଥ ହେଲା ଦୌଡ଼ କିଛି ସମୟ ପାଇଁ ସ୍ଥଗିତ ହୋଇଛି, ସମସ୍ତେ ସୁରକ୍ଷା ଗାଡ଼ି ପଛରେ ଚାଲିବେ ଓ ପରସ୍ପରକୁ ଅତିକ୍ରମ କରିବାକୁ ଚେଷ୍ଟା କରିବେ ନାହିଁ । ବିପଦ ପରିସ୍ଥିତି ଦୂର ନହେବା ଯାଏଁ ସୁରକ୍ଷା ଗାଡ଼ି ବୁଲୁଥାଏ । ବିପଦ ଦୂର ହେବାର ସୂଚନା ପାଇଲେ ସୁରକ୍ଷା ଗାଡ଼ି ଏକ ନିର୍ଦ୍ଧାରିତ ସ୍ଥାନରେ ରାସ୍ତାରୁ ଓହରିଯାଏ ଓ ଗତିଜ ଅବସ୍ଥାରୁ ପୁଣି ଦୌଡ଼ର ପୁନରାରମ୍ଭ ହୁଏ । ସୁରକ୍ଷା ଗାଡ଼ି ଚାଲୁଥିବା ବେଳେ ବିରତି ନେବାର ସୁବିଧା ମଧ୍ୟ ରହିଛି । ମର୍ସେଡିସ୍-ବେଞ୍ଜ୍ କମ୍ପାନୀର ମର୍ସେଡିସ୍-ଏ.ଏମ୍.ଜି. ଗାଡ଼ିକୁ ସୁରକ୍ଷା ଗାଡ଼ି ଭାବେ ବ୍ୟବହାର କରାଯାଉଛି ।୨୦୦୦ ମସିହାରୁ ଜର୍ମାନୀର ପୂର୍ବ ଦୌଡ଼ ଚାଳକ ବର୍ଣଡ୍ ମେଲେଣ୍ଡର୍ ସୁରକ୍ଷା ଗାଡ଼ିର ଚାଳକର ଭୂମିକା ଗ୍ରହଣ କରିଛନ୍ତି ।[୨୦] ସୁରକ୍ଷା ଗାଡ଼ିର ସର୍ବାଧିକ ବେଗ ୩୦୦ କି.ମି./ ଘଣ୍ଟାରୁ ଅଧିକ । କିନ୍ତୁ ପରିକ୍ରମା ସଡ଼କରେ ଏହା ୧୯୦-୨୫୦ କି.ମି. ପ୍ରତି ଘଣ୍ଟା ବେଗରେ ଯାଉଥାଏ । ସୁରକ୍ଷା ଗାଡ଼ି ହଟିଯିବା ପରେ ପରସ୍ପରକୁ ଅତିକ୍ରମ କରିବାର ଅନୁମତି ରହିଛି ।

ଫର୍ମୁଲା ୱାନ୍ ପତାକାସମୂହ[ସମ୍ପାଦନା]

ପତାକା ସଙ୍କେତ
ହଳଦିଆ ସଡ଼କରେ କୌଣସି ବାଧା ସୃଷ୍ଟି ହୋଇଛି । ଦୁଇଟି ହଳଦିଆ ପତାକାର ଅର୍ଥ ଲୋକମାନେ ସଡ଼କରୁ ବାଧା ହଟାଇବାର କାମ କରୁଛନ୍ତି । ତେଣୁ ଚାଳକମାନେ ତୁରନ୍ତ ନିଜ ବେଗ କମ୍ କରନ୍ତୁ । ହଳଦିଆ ପତାକା ଉଡ଼ୁଥିଲେ ରାସ୍ତା ଉପରେ ବାଧା ଓ ପତାକା ଉଡ଼ୁନଥିଲେ ରାସ୍ତା କଡ଼ରେ ବାଧା ରହିଛି ବୋଲି ବୁଝିବାକୁ ହେବ ।
ସୁରକ୍ଷା ଗାଡ଼ି ପତାକା ରାସ୍ତା ଉପରକୁ ସୁରକ୍ଷା ଗାଡ଼ି ଆସିଛି । ଗାଡ଼ିର ବେଗ କମାନ୍ତୁ, ଯେଉଁ କ୍ରମରେ ଅଛନ୍ତି ସେହି କ୍ରମରେ ରହି ସୁରକ୍ଷା ଗାଡ଼ି ପଛେ ପଛେ ଯାଆନ୍ତୁ ।
କାଳ୍ପନିକ ସୁରକ୍ଷା ଗାଡ଼ି ପତାକା ଗାଡ଼ିର ବେଗ କମାନ୍ତୁ କିନ୍ତୁ ରାସ୍ତାର ଅଂଶ ଅନୁସାରେ ଗାଡ଼ିମାନେ ନିଜର ବେଗ ନିୟନ୍ତ୍ରଣ କରିବାକୁ ବାଧ୍ୟ ।
ହଳଦିଆ, ଲାଲ୍ ପଟାଦାଗ ପତାକା ପାଣି, ତେଲ ବା ଅନ୍ୟ ସାମଗ୍ରୀ ପଡ଼ି ରାସ୍ତା ଖସଡ଼ା ହୋଇଯାଇଥିବାର ସଙ୍କେତ । କୌଣସି ଜୀବଜନ୍ତୁ ରାସ୍ତା ଉପରକୁ ଚାଲି ଆସିଲେ ମଧ୍ୟ ଏହି ପତାକା ଉଡ଼ିଥାଏ ।
ସବୁଜ ସାମାନ୍ୟ ଦୌଡ଼ର ସଙ୍କେତ । ହଳଦିଆ ପରେ ସବୁଜ ପତାକା ଆସିବା ଅର୍ଥ ବାଧା ଦୂର ହୋଇଛି, ତେଣୁ ବେଗ ବଢ଼ାଇ ଗାଡ଼ି ଚଳାଇ ହେବ ।
ନୀଳ ଗୋଟିଏ ଘେରା ସମ୍ପୂର୍ଣ୍ଣ କରି ଦ୍ରୁତ ବେଗରେ ଆସୁଥିବା ଗାଡ଼ିକୁ ରାସ୍ତା ଛାଡ଼ିଦେବାର ସଙ୍କେତ ।
ଧଳା ଆଗରେ ଅପେକ୍ଷାକୃତ ଧୀର ଗାଡ଼ିଟିଏ ଦୌଡ଼ୁଛି । ମୁଖ୍ୟତଃ ପିଟ୍ ବିରତିରୁ ମୁଖ୍ୟ ରାସ୍ତାକୁ ମିଶିବା ସ୍ଥାନରେ ଏହି ପତାକା ରହିଥାଏ ।
ଲାଲ୍ ଦୌଡ଼ ବନ୍ଦ ହେବାର ସଙ୍କେତ ।
କଳା ଗାଡ଼ି ଚାଳକ ଅଯୋଗ୍ୟ ଘୋଷିତ ହେବାର ସଙ୍କେତ ।
କମଳା ଗୋଲ ଥିବା କଳା ପତାକା ଆପଣଙ୍କ ଗାଡ଼ିରେ ତ୍ରୁଟି ଦେଖା ଦେଇଛି । ତୁରନ୍ତ ପିଟ୍ ଅଭିମୁଖେ ଯାଆନ୍ତୁ ।
ଅଧା କଳା/ଅଧା ଧଳା ଅଣ-ଖେଳୁଆଡ଼ ଭାବ ବା ବିଶୃଙ୍ଖଳା ପ୍ରଦର୍ଶନ କରିଥିବା ଚାଳକଙ୍କୁ ଏହି ପତାକା ଦେଖାଯାଏ । ଆଗକୁ ଅଧିକ ବିଶୃଙ୍ଖଳିତ ମନୋଭାବ ରଖିଲେ କଳା ପତାକା ଦେଖାଯିବାର ସମ୍ଭାବନା ରହିଥାଏ ।
କଳା-ଧଳା ଛକଛକ (ଚେସ୍ ବୋର୍ଡ୍ ପରି) ପତାକା ଚାଳକ ଦୌଡ଼ ସମାପ୍ତ କରିପାରିଥିବାର ସଙ୍କେତ ।

ପଏଣ୍ଟ୍ ବ୍ୟବସ୍ଥା[ସମ୍ପାଦନା]

ପ୍ରଥମ ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମ ଷଷ୍ଠ ସପ୍ତମ ଅଷ୍ଟମ ନବମ ଦଶମ
୨୫ ୧୮ ୧୫ ୧୨ ୧୦

ବିଜେତା ଓ ଅନ୍ୟ ସ୍ଥାନରେ ରହୁଥିବା ଗାଡ଼ିମାନଙ୍କୁ ପଏଣ୍ଟ୍ ମିଳିଥାଏ । ବର୍ତ୍ତମାନ ପ୍ରଚଳିତ ପଏଣ୍ଟ୍ ବିତରଣ ବ୍ୟବସ୍ଥା ୨୦୧୦ ମସିହାରୁ ପ୍ରଚଳିତ ହୋଇଆସୁଛି । ବିଜେତା ଚାଳକ ଓ ଦଳକୁ ୨୫ ପଏଣ୍ଟ୍ ମିଳେ । ଦଳର ଉଭୟ ଗାଡ଼ି ପଏଣ୍ଟ୍ ପାଇଲେ ଦଳ ବିଜେତା ହେବାର ସମ୍ଭାବନା ଅଧିକ ହୁଏ । ପ୍ରତି ଦୌଡ଼ରୁ ମିଳୁଥିବା ପଏଣ୍ଟ୍ ମିଶି ମିଶି ଚାଲିଥାଏ ଓ ବର୍ଷ ଶେଷରେ ବାର୍ଷିକ ଚାମ୍ପିୟନ୍ ବା ବିଜେତା ଘୋଷଣା କରାଯାଏ । ଯଦି କୌଣସି ଚାଳକ ବର୍ଷ ମଝିରେ ନିଜ ଦଳ ବଦଳାଇ ଦିଅନ୍ତି ତେବେ ମଧ୍ୟ ତାଙ୍କୁ ଜିତିଥିବା ସମସ୍ତ ଦୌଡ଼ର ପଏଣ୍ଟ୍ ମିଳେ ।[୨୧]

ଅତି କମରେ ୯୦% ରାସ୍ତା ଅତିକ୍ରମ କରିଥିଲେ ଚାଳକ ମୁଖ୍ୟ ଦୌଡ଼ରେ ପଏଣ୍ଟ୍ ବା କ୍ରମାଙ୍କରେ ରହିବାର ଯୋଗ୍ୟତା ଲାଭ କରନ୍ତି । ବେଳେ ବେଳେ ଦୌଡ଼ ପୂର୍ଣ୍ଣ ନ କରିପାରିଲେ ମଧ୍ୟ ଚାଳକ ଯୋଗ୍ୟତା ଲାଭ କରିଥିଲେ ପଏଣ୍ଟ୍ ପାଇପାରିବେ । ଏଥିପାଇଁ ଚାଳକଙ୍କ ଆଗର ଗାଡ଼ି ସବୁ କଳା ପତାକା ପାଇଥିବା କିମ୍ବା ତ୍ରୁଟି ଯୋଗୁଁ ଅଟକି ଯାଇଥିବା ସମ୍ଭବପର ।[୨୨]

ଗ୍ରାଁ-ପ୍ରି[ସମ୍ପାଦନା]

ବିଶ୍ୱର ଯେଉଁ ସବୁ ସ୍ଥାନରେ ଅଦ୍ୟାବଧି ଫର୍ମୁଲା-୧ ମୋଟର ଦୌଡ଼ ହୋଇଛି ବା ୨୦୧୯ରେ ହେବାର ଅଛି
୨୦୦୩ରେ ଇଣ୍ଡିଆନାପୋଲିସ୍ ସହରରେ ଅନୁଷ୍ଠିତ ଯୁକ୍ତରାଷ୍ଟ୍ର ଆମେରିକୀୟ ଗ୍ରାଁ-ପ୍ରି ଦୌଡ଼ ଚାଲିଥିବା ସମୟର ଦୃଶ୍ୟ

ଉଦଘାଟନୀ ୧୯୫୦ ବର୍ଷରେ ୭ଟି ଗ୍ରାଁ-ପ୍ରି ଅନୁଷ୍ଠିତ ହୋଇଥିବା ବେଳେ, ୨୦୧୮ ମସିହାରେ ୨୧ଟି ଗ୍ରାଁ-ପ୍ରି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ଦଶନ୍ଧିରେ ୧୧ରୁ ଅଧିକ ଗ୍ରାଁ-ପ୍ରି ହେଉନଥିଲା, କିନ୍ତୁ ୧୯୭୦ ଦଶନ୍ଧିରେ ଏହା ବଢ଼ି ୧୬ରୁ ୧୭ଟି ଦୌଡ଼ ଅନୁଷ୍ଠିତ ହେଉଥିଲା । ୨୦୦୦ ପରେ ବାର୍ଷିକ ଗ୍ରାଁ-ପ୍ରି ସଂଖ୍ୟା ବଢ଼ି ୧୯ ହୋଇଯାଇଥିଲା । ୨୦୧୬ରୁ ବାର୍ଷିକ ୨୧ଟି ଦୌଡ଼ ଅନୁଷ୍ଠିତ ହୋଇଆସୁଛି ।


ପୂର୍ବେ ୭ରୁ ୬ଟି ଦୌଡ଼ ୟୁରୋପରେ ଆୟୋଜିତ ହେଉଥିଲା । କେବଳ ଯୁକ୍ତରାଷ୍ଟ୍ର ଆମେରିକାର ଇଣ୍ଡିଆନାପୋଲିସ୍‍ଠାରେ ଗୋଟିଏ ଦୌଡ଼ ହେଉଥିଲା । ପରେ ଫର୍ମୁଲା-୧ ଦୌଡ଼ ଅଣ-ୟୁରୋପୀୟ ଦେଶମାନଙ୍କୁ ବ୍ୟାପିବାକୁ ଲାଗିଲା । ୧୯୫୩ରେ ଆର୍ଜେଣ୍ଟିନା ଦକ୍ଷିଣ-ଆମେରିକୀୟ ଗ୍ରାଁ-ପ୍ରି ଓ ୧୯୫୮ରେ ମୋରୋକ୍କୋ ପ୍ରଥମ ଥର ପାଇଁ ଆଫ୍ରିକୀୟ ଗ୍ରାଁ-ପ୍ରିର ଆୟୋଜନ କରିଥିଲେ । ୧୯୭୬ରେ ଜାପାନ ପ୍ରଥମ ଏସୀୟ ଗ୍ରାଁ-ପ୍ରି ଓ ୧୯୮୫ରେ ଅଷ୍ଟ୍ରେଲିଆ ପ୍ରଥମ ଅଷ୍ଟ୍ରେଲୀୟ ଗ୍ରାଁ-ପ୍ରିର ଆୟୋଜନ କଲେ ।

ପ୍ରମୁଖ ମୋଟର ଦୌଡ଼ ସଡ଼କ[ସମ୍ପାଦନା]

ପ୍ରତି ପରିକ୍ରମା ସଡ଼କ ବା ରେସିଂ ଟ୍ରାକରେ କିଛି ସରଳ ରୈଖିକ ଅଂଶ ରହିଥାଏ । ସେଥିରୁ ଗୋଟିଏ ଦୌଡ଼ ଆରମ୍ଭ କରିବା ପାଇଁ କାମରେ ଲାଗେ । ବିରତି ପାଇଁ ପିଟ୍-ସଡ଼କ ରହିଥାଏ ଓ ମୁଖ୍ୟ ରାସ୍ତାରୁ ପିଟ୍ ମଧ୍ୟକୁ ପଶିବା ପାଇଁ ଦୁଇଟି ସ୍ଥାନରେ ପିଟ୍-ସଡ଼କ ଓ ମୁଖ୍ୟ ସଡ଼କ ସଂଯୁକ୍ତ ହୋଇ ରହିଥାନ୍ତି । ସାଧାରଣତଃ ଆରମ୍ଭ ବିନ୍ଦୁ ନିକଟରେ ପିଟ୍-ବିରତି ସ୍ଥାନ ରହିଥାଏ । ପ୍ରାୟ ସମସ୍ତ ସଡ଼କରେ ଚାଳକମାନେ ଘଣ୍ଟା କଣ୍ଟା ଦିଗରେ ବୁଲନ୍ତି । ଘଣ୍ଟା କଣ୍ଟାର ବିପରୀତ ଦିଗରେ ବୁଲୁଥିବା ଅଳ୍ପ କିଛି ସଡ଼କ ରହିଛି । ଏପରି ସଡ଼କରେ ସବୁ ବାଙ୍କ ବାମ ଆଡ଼କୁ ବୁଲେ । ଦ୍ରୁତ ବେଗରେ ବାମକୁ ବୁଲିଲେ ଚାଳକମାନେ ବେକରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଇଛି ।

ଅଧିକାଂଶ ଦୌଡ଼ ସଡ଼କ ସହରରୁ ଦୂର ସ୍ଥାନରେ ସ୍ୱତନ୍ତ୍ର ରୂପେ ଓ ଫର୍ମୁଲା-୧ ବା ଅନ୍ୟ ମୋଟର ଦୌଡ଼ ପାଇଁ ନିର୍ମିତ ହୋଇଛନ୍ତି । ମୋନାକୋ, ମେଲବର୍ଣ୍ଣ୍, ସିଙ୍ଗାପୁର, ଋଷର ସୋଚି ଓ ଆଜେର୍ବାଇଜାନର ବାକୁ ସହରରେ ଫର୍ମୁଲା-୧ ଦୌଡ଼ ହୋଇଥାଏ । ପୂର୍ବେ ସ୍ପେନ୍‍ର ଭାଲେନ୍ସିଆରେ ସହରର ସାଧାରଣ ଯାତାୟତ ସଡ଼କରେ ଦୌଡ଼ ହେଉଥିଲା । ବର୍ତ୍ତମାନ କେବଳ ମୋନାକୋରେ ସାଧାରଣ ଗମନାଗମନ ସଡ଼କ ଦୌଡ଼ ପାଇଁ ବ୍ୟବହାର କରାଯାଉଛି । ମୋନାକୋ ସଡ଼କ ଫର୍ମୁଲା-୧ର ସୁରକ୍ଷା ନିୟମ ସବୁ ମାନି ପାରିବାରେ ଅକ୍ଷମ ଥିବା ସତ୍ତ୍ୱେ ପାରମ୍ପରିକ ଓ ଐତିହାସିକ ମାନ୍ୟତା ଦେଇ ଏଠାରେ ଏବେ ବି ଦୌଡ଼ ଅନୁଷ୍ଠିତ ହେଉଛି । ୩ ଥର ବିଶ୍ୱବିଜୟୀ ହୋଇଥିବା ଚାଳକ ନେଲ୍ସନ୍ ପିକେ ଥରେ ମୋନାକୋ ସଡ଼କ ବିଷୟରେ କହିଥିଲେ ଯେ – ମୋନାକୋରେ ମୋଟର ଦୌଡ଼ କରିବା ନିଜ ଦାଣ୍ଡ ଘରେ ସାଇକେଲ୍ ଚଳାଇବା ପରି ।[୨୩]

ଫର୍ମୁଲା-୧ ଗାଡ଼ି ଚାଳକ[ସମ୍ପାଦନା]

ପ୍ରତି ଫର୍ମୁଲା ୱାନ୍ ଦଳରୁ ଏକ ଦୌଡ଼ରେ ଦୁଇଟି ଗାଡ଼ି ପ୍ରତିଯୋଗିତାରେ ଅଂଶଗ୍ରହଣ କରନ୍ତି । ଗୋଟିଏ ଦଳ ୪ ଜଣ ଚାଳକ ରଖିପାରିବେ ଯେଉଁଥିରୁ ୨ ଜଣ ମୁଖ୍ୟ ଚାଳକ ଓ ଅନ୍ୟ ଦୁଇ ଜଣ ଅତିରିକ୍ତ ଚାଳକ ଭାବେ ରହିଥାନ୍ତି । [୧୫] ଅଭ୍ୟାସ ଦିନ ଅତିରିକ୍ତ ଚାଳକମାନଙ୍କୁ ସୁଯୋଗ ମିଳିପାରେ[୧୫] ଓ ଏହା ନୂତନ ପ୍ରତିଭା ଚିହ୍ନଟ ପାଇଁ ମାର୍ଗ ପ୍ରସ୍ତୁତ କରେ ।[୨୪][୨୫] ପ୍ରତି ଚାଳକ ପାଖରେ ଏଫ୍. ଆଇ. ଏ. ସୁପର୍ ଲାଇସେନ୍ସ ରହିବା ଅନିବାର୍ଯ୍ୟ ଯାହା ନଥିଲେ ଚାଳକ ଦୌଡ଼ରେ ଅଂଶ ଗ୍ରହଣ କରିପାରିବେ ନାହିଁ ।[୨୬]

୨୦୦୫ କାନାଡ଼ା ଗ୍ରାଁ-ପ୍ରିରେ ମାଇକେଲ୍ ଶୁମାକରଙ୍କୁ ପଛରେ ପକାଇ କିମି ରାଇକୋନେନ୍ ଦୌଡ଼ରେ ଅଗ୍ରଣୀ ହେବା, ଜାର୍ଣ୍ଣୋ ଟ୍ରୁଲି (ବାମ) ଓ ଟକୁମା ସାଟୋଙ୍କ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ତୁମୁଳ ପ୍ରତିଯୋଗିତା ଚାଲିଥିବା ବେଳର ଏକ ଫଟୋ ଚିତ୍ର

ଅଦ୍ୟାବଧି ୩୩ ଜଣ ଚାଳକ ବିଶ୍ୱ ବିଜୟୀ ହେବାର ଗୌରବ ଲାଭ କରିଛନ୍ତି । ମାଇକେଲ୍ ଶୁମାକର୍ ସର୍ବାଧିକ ୭ ଥର, ଜୁଆନ୍ ମାନୁଏଲ୍ ଫାଙ୍ଗିଓ ଓ ସେବାଷ୍ଟିଆନ୍ ଭେଟ୍ଟେଲ୍ ଦ୍ୱିତୀୟ ସର୍ବାଧିକ ୫ ଥର ଏହି ଗୌରବର ଅଧିକାରୀ ହୋଇଛନ୍ତି । ସବୁଠାରୁ ଅଧିକ ଦୌଡ଼ ଜିତିବାର କୀର୍ତ୍ତିମାନ ମଧ୍ୟ ମାଇକେଲ୍ ଶୁମାକରଙ୍କ ନାମରେ ରହିଛି । ୟୋଖେନ୍ ରିଣ୍ଡ୍ ମରଣୋତ୍ତର ବିଶ୍ୱ ବିଜୟୀ ହୋଇଥିଲେ । ବର୍ତ୍ତମାନ ସୁଦ୍ଧା ବ୍ରିଟେନ୍‍ର ୧୦ ଜଣ ଚାଳକ ୧୮ଟି ବିଶ୍ୱ ବିଜେତା ଉପାଧୀ ଧାରଣ କରିଛନ୍ତି ।

ପ୍ରାୟ ସମସ୍ତ ଚାଳକ କାର୍ଟ୍ ରେସିଂରୁ ନିଜର କର୍ମ ଜୀବନ ଆରମ୍ଭ କରନ୍ତି । ନିମ୍ନ ଫର୍ମୁଲା ଦୌଡ଼ରେ ଭଲ ପ୍ରଦର୍ଶନ କରି ସେମାନେ ଉପରକୁ ଉତ୍ତୀର୍ଣ୍ଣ ହୋଇ ଆସିଥାନ୍ତି । ଫର୍ମୁଲା-୩, ଫର୍ମୁଲା-୨, ଫର୍ମୁଲା ରେନୋ, ଫର୍ମୁଲା ଫୋର୍ଡ୍ ଆଦି ତଳ ସ୍ତରର ମୋଟର ଦୌଡ଼ର ଉଦାହରଣ । ବ୍ରିଟିଶ୍ ଫର୍ମୁଲା-୩ରେ ଉତ୍ତମ ପ୍ରଦର୍ଶନ କରି ନାଇଜେଲ୍ ମାନ୍ସେଲ୍, ଏର୍ଟନ୍ ସେନ୍ନା ଓ ମିକା ହାକିନେନ୍‍ଙ୍କ ପରି ଚାଳକ ଫର୍ମୁଲା ୱାନ୍‍କୁ ପ୍ରବେଶ କରିଥିଲେ । ୨୦୦୭ ବର୍ଷର ବିଶ୍ୱ ବିଜେତା କିମି ରେଇକୋନେନ୍ ଫର୍ମୁଲା ରେନୋରେ ଭଲ ପ୍ରଦର୍ଶନ କରିବା ପରେ ସିଧାସଳଖ ଭାବେ ଫର୍ମୁଲା ୱାନ୍ ଖେଳିଥିଲେ ।[୨୭]

ପ୍ରାୟ ଫର୍ମୁଲା ୱାନ୍ ଗାଡ଼ି ଚାଳକ ୩୫ ବର୍ଷ ବୟସ ଆଖାପାଖି ବା ତାହା ପରେ ଅବସର ଗ୍ରହଣ କରିନିଅନ୍ତି । ଅବସର ପରେ ସେମାନେ ଅନ୍ୟ ଛୋଟମୋଟ ମୋଟର ଦୌଡ଼ରେ ଭାଗ ନିଅନ୍ତି । ଅବସର ପରେ ନାଇଜେଲ୍ ମାନ୍ସେଲ୍ ୧୯୯୩ର ଚାମ୍ପ୍ କାର୍ ଟୁର୍ଣ୍ଣାମେଣ୍ଟ୍, ରୁବେନ୍ସ ବାରିକେଲୋ ୨୦୧୨ର ଇଣ୍ଡିକାର୍ ପ୍ରତିଯୋଗିତାରେ ଭାଗନେଇଥିଲେ । ଜୁଆନ୍ ପାବ୍ଲୋ ମୋଣ୍ଟୋୟା, ମିକା ହାକିନେନ୍, ଜାକ୍ ଭିଲେନୌ, ନେଲ୍ସନ୍ ପିକେ ଜୁନିୟର୍, ସ୍କଟ୍ ସ୍ପିଡ୍ ପ୍ରଭୃତି ନାସ୍କାର୍ ପ୍ରତିଯୋଗିତାରେ ଯୋଗ ଦେଇଥିଲେ ।

ଜର୍ମାନୀରେ ଅନୁଷ୍ଠିତ ଡଏଚ୍ ଟୋରେନ୍‍ୱାଗେନ୍ ମାଷ୍ଟର୍ସ୍ (DTM) ଏକ ଲୋକପ୍ରିୟ ମୋଟର ଦୌଡ଼ ପ୍ରତିଯୋଗିତା । ଫର୍ମୁଲା ୱାନ୍‍ରୁ ଅବସର ନେବା ପରେ ଡେଭିଡ୍ କୁଲ୍ଟହାର୍ଡ୍, ରାଲ୍ଫ୍ ଶୁମାକର୍ ଓ ଜ୍ୟନ୍ ଆଲେସି ପରି ଫର୍ମୁଲା-୧ ଚାଳକ ଏହି ପ୍ରତିଯୋଗିତାରେ ଭାଗ ନେଉଥିଲେ । ୨୦୦୫ ଓ ୨୦୦୬ ମସିହାରେ ଫର୍ମୁଲା ୱାନ୍‍ରୁ ଅବସରପ୍ରାପ୍ତ ଚାଳକଙ୍କୁ ନେଇ ଗ୍ରାଁ-ପ୍ରି ମାଷ୍ଟର୍ସ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ।[୨୮] କରୁଣ ଚଣ୍ଡୋକ, ବ୍ରୁନୋ ସେନ୍ନା, ଫିଲିପେ ମାସା, ଜାର୍ଣ୍ଣୋ ଟ୍ରୁଲିଙ୍କ ପରି ଚାଳକ ଫର୍ମୁଲା-୧ ପରେ ଫର୍ମୁଲା-ଇ ଦୌଡ଼ରେ ଯୋଗ ଦେଇଥିଲେ । ଭାରତୀୟ ଚାଳକ ଓ ପଦ୍ମଶ୍ରୀ ପୁରସ୍କାର ବିଜେତା ନାରାୟଣ କାର୍ତ୍ତିକେୟନ୍ ଫର୍ମୁଲା-୧ ପରେ ଏ୧ ଗ୍ରାଁ-ପ୍ରିରେ ଯୋଗ ଦେଇଥିଲେ । ଅନେକ ପୂର୍ବତନ ଚାଳକ ବର୍ତ୍ତମାନ ଫର୍ମୁଲା ୱାନ୍ ଦଳର ମୁଖିଆ ସାଜିଛନ୍ତି ତ ଆଉ ଅନେକ ଟେଲିଭିଜନରେ ଧାରା ବିବରଣୀ ପ୍ରଦାନ କରୁଛନ୍ତି । ଆର୍ଜେଣ୍ଟିନାର ଦୌଡ଼ ଚାଳକ କାର୍ଲୋସ୍ ରଏଟେମାନ୍ ଅବସର ପରେ ରାଜନୀତିରେ ଯୋଗ ଦେଇଥିଲେ ।

କେତେକ ପ୍ରମୁଖ ଗାଡ଼ି ନିର୍ମାତା ଓ ଫର୍ମୁଲା ୱାନ୍ ଦଳ[ସମ୍ପାଦନା]

୨୦୧୦ରେ ନବାଗତ ଏଚ୍. ଆର୍. ଟି., ଲୋଟସ୍ ଓ ଭର୍ଜିନ୍ ଦଳ ୭ ବର୍ଷରୁ ବେଶୀ ଖେଳି ପାରିନଥିଲେ ।

୧୯୮୧ ମସିହା ପରଠାରୁ[୨୯] ଫର୍ମୁଲା ୱାନ୍ ଦଳମାନେ ନିଜର ଗାଡ଼ିର ଚେସିସ୍ ନିର୍ମାଣ କରିବେ ବୋଲି ନିୟମ ଆସିଥିଲା । ତେଣୁ ଫର୍ମୁଲା ୱାନ୍ ଦଳ ଓ ନିର୍ମାତା ଏକା ଜିନିଷକୁ ବୁଝାଇଲା । ସମସ୍ତ ନିର୍ମାତାଙ୍କ ମଧ୍ୟରେ ଫେରାରି ସର୍ବ ପୁରାତନ ଫର୍ମୁଲା ୱାନ୍ ଦଳ । ଫେରାରି ୧୯୫୦ର ଉଦଘାଟନୀ ମୋଟର ଦୌଡ଼ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଫର୍ମୁଲା ୱାନ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଆସିଛି ।

ପ୍ରାରମ୍ଭିକ ସମୟରେ ଗୋଟିଏ କାର୍ ନିର୍ମାତା କମ୍ପାନୀ ଏକ ଫର୍ମୁଲା ୱାନ୍ ଦଳର ମାଲିକ ଥିଲା । ସେମାନେ ନିଜର ଯନ୍ତ୍ରୀ, ଯନ୍ତ୍ର ଓ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରି ଗାଡ଼ି ନିର୍ମାଣ କରୁଥିଲେ । ଫେରାରି, ଜାଗୁଆର୍, ବି. ଏମ୍. ଡବ୍ଲୁ, ରେନୋ, ଟୋୟୋଟା, ହୋଣ୍ଡା ପ୍ରଭୃତି କମ୍ପାନୀ ୧୯୯୦ ଓ ୨୦୦୦ ଦଶନ୍ଧିରେ ନିଜର ଫର୍ମୁଲା ୱାନ୍ ଦଳ ସ୍ଥାପନ କରି ଦୌଡ଼ରେ ଅଂଶ ନେଉଥିଲେ ।

ଫେରାରି ଓ ଫେରାରିର ଗାଡ଼ି ଚଳାଉଥିବା ଚାଳକ ମାଇକେଲ୍ ଶୁମାକର୍ ନିରବଚ୍ଛିନ୍ନ ଭାବେ ୫ ବର୍ଷ (୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ) ପାଇଁ ବିଶ୍ୱବିଜୟୀ ନିର୍ମାତା ଓ ବିଶ୍ୱବିଜୟୀ ଚାଳକ ହେବାର ଗୌରବ ଅର୍ଜନ କରିଥିଲେ । ଫେରାରି ୧୯୯୯ରୁ ନେଇ ୨୦୦୪ ପର୍ଯ୍ୟନ୍ତ ୫ ବର୍ଷ ଶ୍ରେଷ୍ଠ ନିର୍ମାତା ହୋଇଥିଲା । ଶୁମାକର୍ ଅପରପକ୍ଷେ ଅନେକ ବ୍ୟକ୍ତିଗତ କୀର୍ତ୍ତିମାନ ସ୍ଥାପନ କରିଥିଲେ । ସର୍ବାଧିକ ଗ୍ରାଁ-ପ୍ରି ବିଜୟ (୯୧), ଗୋଟିଏ ବର୍ଷରେ ସର୍ବାଧିକ ବିଜୟ (୧୩/୧୮), ସର୍ବାଧିକ ଥର ଶ୍ରେଷ୍ଠ ଚାଳକ ବା ବିଶ୍ୱବିଜେତା (୭) ଇତ୍ୟାଦି ରେକର୍ଡ୍ ଶୁମାକରଙ୍କ ନାମରେ ରହିଛି ।[୩୦]

୨୦୦୮ ଓ ୨୦୦୯ ମସିହାର ବିଶ୍ୱବ୍ୟାପୀ ଆର୍ଥିକ ମାନ୍ଦାପଣ ଯୋଗୁଁ ହୋଣ୍ଡା, ବି. ଏମ୍. ଡବ୍ଲୁ. ଓ ଟୋୟୋଟା ପରି କମ୍ପାନୀ ଫର୍ମୁଲା ୱାନ୍ ଦୌଡ଼ରୁ ବାହାରି ଯାଇଥିଲେ । ତାହାର କିଛି ସମୟ ପୂର୍ବରୁ ହୋଇଥିବା କିଣାବିକା ଓ ଏହି ଘଟଣାକ୍ରମ ପରେ ଫର୍ମୁଲା-୧ରେ ନିର୍ମାତା କମ୍ପାନୀମାନଙ୍କ ପ୍ରାଧାନ୍ୟ ଆଉ ବେଶୀ ରହିଲା ନାହିଁ । ବ୍ରନ୍ ଜିପି ନାମକ ଏକ ଦଳ ହୋଣ୍ଡାର ଫର୍ମୁଲା-୧ ଦଳର ମାଲିକାନା ହାସଲ କଲା । ସେହି ବର୍ଷ ଦୌଡ଼ରେ ଜେନ୍ସନ୍ ବଟନ୍ ଓ ରୁବେନ୍ସ ବାରିକେଲୋ ନାମକ ଚାଳକଯୁଗଳ ଏହି ଦଳର ପ୍ରତିନିଧିତ୍ୱ କରିଥିଲେ ଓ ଏହାକୁ ବିଜୟୀ କରାଇଥିଲେ । ସେହିପରି ପିଟର୍ ସାଉବର୍ ବି. ଏମ୍. ଡବ୍ଲୁ. ଦଳର ମାଲିକ ହୋଇଥିଲେ । ସେହିବର୍ଷ ଲୋଟସ୍ ବୋଲି ଆଉ ଏକ ନୂତନ ଫର୍ମୁଲା-୧ ଦଳ ଆବିର୍ଭାବ ହୋଇଥିଲା ।[୩୧] ଏପରି ଧୀରେ ଧୀରେ ନିର୍ମାତାମାନଙ୍କଠାରୁ ଦଳର ମାଲିକାନା ବେସରକାରୀ ଓ ସ୍ୱତନ୍ତ୍ର କମ୍ପାନୀମାନଙ୍କ ହାତକୁ ଯିବାକୁ ଲାଗିଲା । ୨୦୦୭ ମସିହାରେ ଫେରାରି ଦଳର ଗୋପନୀୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିବା ଓ ଗୁପ୍ତ ଗୋଇନ୍ଦାଗିରି କରିବା ପାଇଁ ମକ୍ଲାରେନ୍ କମ୍ପାନୀକୁ ଦଣ୍ଡିତ କରାଗଲା । ୨୦୧୦ ବେଳକୁ କେବଳ ତିନୋଟି ନିର୍ମାତା ସଂସ୍ଥା ମର୍ସେଡିସ୍, ମକ୍ଲାରେନ୍ ଓ ଫେରାରି ଫର୍ମୁଲା ୱାନ୍‍ର ପ୍ରତିଯୋଗୀ ଦଳ ଥିଲେ । ୨୦୦୭ ମସିହାରେ ସ୍ପାଇକର୍ ଫର୍ମୁଲା ୱାନ୍ ଦଳକୁ ବିଜୟ ମାଲ୍ୟା ଓ ମିଶେଲ୍ ମୋଲ୍ କିଣି ଫୋର୍ସ୍ ଇଣ୍ଡିଆ ଫର୍ମୁଲା-୧ ଦଳ ଆରମ୍ଭ ହୋଇଥିଲା ।[୩୨] ଆର୍ଥିକ ଅଭାବ କାରଣରୁ ୨୦୧୮ ମସିହା ଜୁଲାଇ ମାସରୁ ଫୋର୍ସ୍ ଇଣ୍ଡିଆ ଫର୍ମୁଲା ୱାନ୍ ଦୌଡ଼ରେ ଅଂଶ ଗ୍ରହଣ କରୁନାହିଁ । [୩୩]

ଫର୍ମୁଲା ୱାନ୍ ଦଳମାନେ ନିଜର ଆୟବ୍ୟୟ ତଥ୍ୟ ଗୋପନୀୟ ରଖିଥାନ୍ତି । କିନ୍ତୁ ଆକଳନ ଅନୁସାରେ ଏକ ଦଳ ବର୍ଷକୁ ହାରାହାରି ୬୬୦-୪୪୦୦ ଲକ୍ଷ ଆମେରିକୀୟ ଡଲାର୍ ଖର୍ଚ୍ଚ କରେ ।[୩୪]

ଫର୍ମୁଲା ୱାନ୍ ଦୌଡ଼ରେ ଏକ ନବାଗତ ଦଳ ଭାଗ ନେବା ପାଇଁ ତାକୁ ଅନ୍ତର୍ଜାତୀୟ ମୋଟର ମହାସଂଘକୁ ଏକା ଥରକରେ ୨୫୦ ଲକ୍ଷ ଆମେରିକୀୟ ଡଲାର୍ ଦେବାକୁ ପଡ଼ିଥାଏ । ତେଣୁ ନିର୍ମାତା ବା ବେସରକାରୀ ସଂସ୍ଥା ଏକ ସକ୍ରିୟ ଦଳର ମାଲିକାନା ହାସଲ କରି ଦୌଡ଼ରେ ପଶନ୍ତି ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Discovering What Makes Formula One, Formula One – For Dummies". Dummies.com. Retrieved 14 September 2009.
  2. ୨.୦ ୨.୧ "International Sporting Code" (PDF). FIA. 28 March 2007. Archived from the original (PDF) on 6 August 2009. Retrieved 30 August 2009.
  3. Barretto, Lawrence. "F1 2017 rule changes the biggest for 'decades'". Autosport.com. Retrieved 6 February 2018.
  4. "VIDEO: Analysing 2017's massive rises in G-Force". Formula1.com. Retrieved 2018-08-08.
  5. Tovey, Alan (1 November 2014). "Formula One's vast costs are driving small teams to ruin". The Telegraph.
  6. "The last of the non-championship races". forix.com. Archived from the original on 27 February 2007. Retrieved 17 November 2007.
  7. "Formula One unveils new logo". ESPN.
  8. Lawton, James (28 August 2007). "Moss can guide Hamilton through chicane of celebrity". The Independent. Newspaper Publishing.
  9. Henry, Alan (12 March 2007). "Hamilton's chance to hit the grid running". The Guardian. London. Retrieved 30 October 2007.
  10. "Decade seasons 1950–1959". Autocourse. Archived from the original on 7 August 2007. Retrieved 17 November 2007.
  11. Note: at the time the only two cars competitive with the new Formula were the pre-war Alfa Romeo 158/159 Alfetta and the new BRM Type 15, the latter having a poor reliability record when introduced causing it not to finish a number of the first Formula One races, forcing the Alfa to complete the races against the remainder of a field consisting of uncompetitive cars.
  12. Tuckey, Bill (28 January 1994). "Moss returns to scene of GP victory". The Age. Australia Company. the all-conquering Mercedes-Benz cars... When the Germans withdrew from racing after the Le Mans 24-hour tragedy
  13. "A brief history of Formula One". ESPN UK. Retrieved 21 September 2017.
  14. "Practice and qualifying". Formula One. Retrieved 21 October 2009.
  15. ୧୫.୦ ୧୫.୧ ୧୫.୨ "Driver changes and additional drivers". Formula One World Championship. 10 June 2011. Retrieved 10 June 2011.
  16. "2017 Grand Prix tyre compound selections". ESPN. ESPN Internet Ventures. Retrieved 21 September 2017.
  17. "Sporting regulations: Practice and qualifying". Formula1.com. Formula One World Championship. Retrieved 3 January 2016.
  18. "F1 race starting regulations". Formula One. Retrieved 16 October 2010.
  19. "Flags". Formula One. 21 ଜୁନ 2003. Archived from the original on 2 July 2008. Retrieved 3 July 2008.
  20. "New safety car driver announced". GPUpdate.net. 8 March 2000. Retrieved 30 January 2011.
  21. "Sporting regulations: Points". Formula1.com. Formula One World Championship. Retrieved 12 January 2015.
  22. "Sporting regulations: Classification". Formula1.com. Formula One World Championship. Retrieved 12 January 2015.
  23. "Monaco challenge remains unique – Formula 1". Motor Sport Magazine. 24 May 2011. Retrieved 12 October 2013.
  24. Saward, Joe (20 September 2010). "Jérôme d'Ambrosio and Virgin‽". Joe Saward's Grand Prix Blog. Retrieved 11 June 2011.
  25. "Klien signed as HRT Friday driver". Grandprix.com. 6 May 2010. Retrieved 10 June 2011.
  26. "APPENDIX L TO THE INTERNATIONAL SPORTING CODE" (PDF). Fédération Internationale de l'Automobile. 7 ଅପ୍ରେଲ 2011. Archived from the original (PDF) on 2 ଅକ୍ଟୋବର 2011. Retrieved 10 ଜୁନ 2011.
  27. "Five F1 champions who wouldn't have made their debuts". crash.net. Crash Media Group. 8 January 2015. Retrieved 12 October 2015.
  28. "Masters series officially wound up". Autosport. 29 November 2007. Retrieved 4 July 2008.
  29. Diepraam, Mattijs (21 November 2007). "Poachers turned gamekeepers: how the FOCA became the new FIA Part 1: Introduction and timeline". 8W. FORIX/Autosport.com. Retrieved 16 October 2010.
  30. "Schumacher makes history". BBC Sport. 21 July 2002. Retrieved 12 September 2006.
  31. This is not the same team as the 1954–94 nor 2010–11 iterations.
  32. "Mallya and Mol set for Spyker takeover". formula1.com. Formula One Administration Ltd. 3 September 2007. Retrieved 9 July 2010.
  33. Andrew Benson (28 July 2018). "Hungarian Grand Prix: Force India put into administration by High Court". BBC. Retrieved 28 July 2018.
  34. "McLaren is F1's biggest spender". F1i. 16 June 2006. Archived from the original on 9 February 2008. Retrieved 7 January 2007.

ଆହୁରି ପଢ଼ିପାରିବେ[ସମ୍ପାଦନା]

  • Arron, Simon & Hughes, Mark (2003). The Complete Book of Formula One. Motorbooks International. ISBN 0-7603-1688-0.
  • Gross, Nigel et al. (1999). "Grand Prix Motor Racing". In, 100 Years of Change: Speed and Power (pp. 55–84). Parragon.
  • Hayhoe, David & Holland, David (2006). Grand Prix Data Book (4th edition). Haynes, Sparkford, UK. ISBN 1-84425-223-X.
  • Higham, Peter (2003). The international motor racing guide. David Bull, Phoenix, AZ, USA. ISBN 1-893618-20-X.
  • "Inside F1". Formula1.com. 2011. Retrieved 11 November 2011.
  • Jones, Bruce (1997). The Ultimate Encyclopedia of Formula One. Hodder & Stoughton.
  • Jones, Bruce (1998). Formula One: The Complete Stats and Records of Grand Prix Racing. Parragon.
  • Jones, Bruce (2003). The Official ITV Sport Guide: Formula One Grand Prix 2003. Carlton. Includes foreword by Martin Brundle. ISBN 1-84222-813-7.
  • Jones, Bruce (2005). The Guide to 2005 FIA Formula One World Championship: The World's Bestselling Grand Prix Guide. Carlton. ISBN 1-84442-508-8.
  • Lang, Mike (1981–1992). Grand Prix! volumes 1–4. Haynes, Sparkford, UK.
  • Menard, Pierre (2006). The Great Encyclopedia of Formula 1, 5th edition. Chronosport, Switzerland. ISBN 2-84707-051-6
  • Miltner, Harry (2007). Race Travel Guide 2007. egoth: Vienna, Austria. ISBN 978-3-902480-34-7
  • Small, Steve (2000). Grand Prix Who's Who (3rd edition). Travel Publishing, UK. ISBN 1-902007-46-8.
  • Tremayne, David & Hughes, Mark (1999). The Concise Encyclopedia of Formula One. Parragon
  • Twite, Mike. "Formula Regulations: Categories for International Racing" in Northey, Tom, ed. The World Of Automobiles, Volume 6, pp. 701–3. London: Phoebus, 1978.

ବାହ୍ୟ ଲିଂକ୍[ସମ୍ପାଦନା]