ଚିତ୍ରସେନ (ଗନ୍ଧର୍ବ)
| ଚିତ୍ରସେନ (ଗନ୍ଧର୍ବ) | |
|---|---|
ଚିତ୍ରସେନ ଓ ନାରଦ ବୀଣା ଧାରଣ କରିଥିବା ମୂର୍ତ୍ତି | |
| Affiliation | Gandharva |
| ଲୋକ | Svarga |
| ସନ୍ତାନଗଣ | Patreshvara |
| ପୁସ୍ତକ | Mahabharata, Puranas |
ଚିତ୍ରସେନ (ସଂସ୍କୃତ: चित्रसेन, ରୋମାନାଇଜ୍ଡ: Citrasena) ହେଉଛନ୍ତି ହିନ୍ଦୁ ପୁରାଣରେ ବର୍ଣ୍ଣିତ ଜଣେ ପ୍ରସିଦ୍ଧ ଗନ୍ଧର୍ବ ରାଜା । ସେ ମହାଭାରତରେ ବିଶେଷ ଭାବେ ସଙ୍ଗୀତ ଓ ନୃତ୍ୟରେ ତାଙ୍କ ଦକ୍ଷତା ପାଇଁ ପରିଚିତ । ସେ ଦେବତା ଇନ୍ଦ୍ର ଓ କୁବେରଙ୍କ ଦରବାର ସହିତ ନିକଟ ସମ୍ପର୍କିତ ଓ ଇନ୍ଦ୍ରଲୋକ ଗମନ ସମୟରେ ଅର୍ଜୁନଙ୍କୁ ସଙ୍ଗୀତ ଶିଖାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ପାଣ୍ଡବମାନଙ୍କ ବନବାସ ସମୟରେ ଚିତ୍ରସେନ ତାଙ୍କ ବୀରତା ଦେଖାଇଥିଲେ, ସେ ସମସ୍ତ କୌରବ ସେନାଙ୍କୁ ପରାଜିତ କରିଥିଲେ । ଚିତ୍ରସେନଙ୍କ ବିଷୟରେ ଅନେକ ପୁରାଣ ଗ୍ରନ୍ଥରେ ଆହୁରି ଏକାଧିକ କଥା ଉଲ୍ଲେଖ ମିଳେ ।[୧]
ମହାଭାରତରେ
[ସମ୍ପାଦନା]ସଭା ପର୍ବ ଅନୁସାରେ, ଚିତ୍ରସେନ ଇନ୍ଦ୍ରଙ୍କ ଦରବାରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାନ୍ତି, ସେଠାରେ ସେ ଦେବମାନଙ୍କ ମନୋରଞ୍ଜନ ପାଇଁ ସଙ୍ଗୀତ ପ୍ରସ୍ତୁତ କରୁଥିଲେ । ଚିତ୍ରସେନଙ୍କୁ କୁବେରଙ୍କ ଦରବାରରେ ସଦସ୍ୟ ଭାବରେ ମଧ୍ୟ ଉଲ୍ଲେଖ କରାଯାଇଛି । ରାଜସୂୟ ଯଜ୍ଞ ସମୟରେ ଚିତ୍ରସେନ, ସତାଇଶ ଗନ୍ଧର୍ବ ଓ ଅନେକ ଅପ୍ସରା ସହ ରାଜା ଯୁଧିଷ୍ଠିରଙ୍କ ସଭାରେ ଆସନ ଗ୍ରହଣ କରିଥିଲେ । ମହାଭାରତର ବନ ପର୍ବ ଅନୁସାରେ, ପାଣ୍ଡବମାନଙ୍କ ତେରତମ ବର୍ଷର ଅଜ୍ଞାତବାସ ସମୟରେ ଅର୍ଜୁନ ଇନ୍ଦ୍ରଲୋକକୁ ଆମନ୍ତ୍ରିତ ହୋଇଥିଲେ, ସେଠାରେ ଚିତ୍ରସେନ ତାଙ୍କୁ ସଙ୍ଗୀତ ଓ ନୃତ୍ୟକଳା ଶିଖାଇଥିଲେ । ଆଉ ଏକ ଉପାଖ୍ୟାନ ଅନୁସାରେ ଅର୍ଜୁନ ସେଠାରେ ଅପ୍ସରା ଉର୍ବଶୀ ସହିତ ସାକ୍ଷାତ କରିଥିଲେ ଓ ତାଙ୍କ ପ୍ରେମ ଆମନ୍ତ୍ରଣକୁ ଅସ୍ବୀକାର କରିଥିଲେ । ତେଣୁ ଉର୍ବଶୀ ତାଙ୍କୁ ଏକ ଶାପ ଦେଇଥିଲେ ଯେ ସେ କିଛି ସମୟ ପାଇଁ ନପୁଂସକ ଭାବେ ବାସ କରିବେ।[୨]
ପୁରାଣଗୁଡ଼ିକରେ
[ସମ୍ପାଦନା]ମହାଭାରତରେ ତାଙ୍କ ଭୂମିକା ବ୍ୟତୀତ ଚିତ୍ରସେନଙ୍କ ଉଲ୍ଲେଖ ବିଭିନ୍ନ ପୁରାଣରେ ମିଳେ, ଯେଉଁଠି ତାଙ୍କ ଜୀବନ ଓ ସମ୍ପର୍କ ସମ୍ବନ୍ଧୀୟ ଅଧିକ ବିବରଣୀ ଦିଆଯାଇଛି । ଏହି ପୁରାଣଗୁଡ଼ିକ ଅନୁସାରେ, ଚିତ୍ରସେନଙ୍କ ଦୁଇଜଣ ସ୍ତ୍ରୀ ଥିଲେ; ସନ୍ଧ୍ୟାବଳୀ ଓ ରତ୍ନାବଳୀ । ଗୋଟିଏ ପୁରାଣ କଥାରେ ଚିତ୍ରସେନ ଓ ଋଷି ଗାଳଭଙ୍କ ମଧ୍ୟରେ ହୋଇଥିବା ଗୁରୁତର ବିବାଦର ବିବରଣୀ ମିଳେ ।
ଏହି କଥା ଅନୁସାରେ, ଚିତ୍ରସେନ ତାଙ୍କ ଦୁଇ ସ୍ତ୍ରୀ ସନ୍ଧ୍ୟାବଳୀ ଓ ରତ୍ନାବଳୀ ସହିତ ତାଙ୍କ ଦିବ୍ୟ ବିମାନରେ ଯାତ୍ରା କରୁଥିଲେ। ଏହି ସମୟରେ ଅଜାଣତରେ ସେ ଛେପ କରିଥିଲେ ଓ ସେହି ଛେପ ଋଷି ଗାଳଭଙ୍କ ଉପରେ ପଡ଼ିଥିଲା, ଯିଏ ସେତେବେଳେ ସନ୍ଧ୍ୟା ବନ୍ଦନା (ସନ୍ଧ୍ୟା ସମୟର ପୂଜା କାର୍ଯ୍ୟ) କରୁଥିଲେ । ଏହି ଅପମାନରେ ଗାଳଭ ଋଷି ଅତ୍ୟନ୍ତ କ୍ରୋଧିତ ହୋଇ କୃଷ୍ଣଙ୍କ ନିକଟକୁ ଅଭିଯୋଗ କଲେ । କୃଷ୍ଣ ଏହା ଶୁଣି ଶପଥ କଲେ ଯେ ସେ ସୂର୍ଯ୍ୟାସ୍ତ ପୂର୍ବରୁ ଚିତ୍ରସେନଙ୍କ ମୁଣ୍ଡ କାଟି ଆଣିବେ । ଏହି ଶପଥ ବିଷୟରେ ଋଷି ନାରଦ ଠାରୁ ଜାଣି ଚିତ୍ରସେନ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଲେ । ଜୀବନଭୟରେ ସେ ତାଙ୍କ ସ୍ତ୍ରୀମାନଙ୍କ ସହିତ ଆଶ୍ରୟ ଖୋଜିବାକୁ ଲାଗିଲେ । ନିରାଶାରେ ସନ୍ଧ୍ୟାବଳୀ ଓ ରତ୍ନାବଳୀ ଅର୍ଜୁନଙ୍କ ସ୍ତ୍ରୀ ସୁଭଦ୍ରାଙ୍କ ନିକଟକୁ ସହାୟତା ପାଇଁ ଗଲେ । ସେମାନେ ସୁଭଦ୍ରାଙ୍କ ଘର ଆଗରେ ଗୋଟିଏ ଅଗ୍ନିକୁଣ୍ଡ କଲେ ଓ ଚିତ୍ରସେନ ସହିତ ସେଠାରେ ଜଳି ଜୀବନ ସମାପ୍ତ କରିବା ପାଇଁ ପ୍ରସ୍ତୁତ ହେଲେ ।
ଚିତ୍ରସେନ ଯେତେବେଳେ ଯଜ୍ଞକୁଣ୍ଡ ଚାରିପାଖରେ ପରିକ୍ରମା କରୁଥିଲେ ଓ ଯଜ୍ଞ ପାଇଁ ପ୍ରସ୍ତୁତି ନେଉଥିଲେ, ସେତେବେଳେ ତାଙ୍କ ସ୍ତ୍ରୀମାନେ ଜୋରରେ କାନ୍ଦିବାକୁ ଆରମ୍ଭ କଲେ । ସେମାନଙ୍କର ରୋଦନ ଶବ୍ଦ ଶୁଣି ସୁଭଦ୍ରା ବାହାରିଆସିଲେ ଓ ମଧ୍ୟସ୍ଥତା କଲେ । ଦୁଃଖିତ ସ୍ତ୍ରୀମାନେ ସୁଭଦ୍ରାଙ୍କୁ ଏକ ଵର ଦେବାକୁ ବିନୟ କଲେ, ସେମାନେ ନିଜ ସ୍ଵାମୀ ସହିତ ବଞ୍ଚି ପାରନ୍ତୁ ବୋଲି । ସେମାନଙ୍କ ଅନୁରୋଧରେ ପ୍ରଭାବିତ ହୋଇ, ସୁଭଦ୍ରା ସ୍ଥିତି ସମ୍ପର୍କରେ ପୂର୍ଣ୍ଣ ଜଣାନଥିବା ସତ୍ତ୍ୱେ, ସେମାନଙ୍କୁ ଵର ଦେଇଦେଲେ । ପରେ ଯେତେବେଳେ ସୁଭଦ୍ରା ଜାଣିଲେ ଯେ ଶ୍ରୀକୃଷ୍ଣ ଚିତ୍ରସେନଙ୍କୁ ବଧ କରିବାକୁ ଶପଥ ନେଇଛନ୍ତି, ସେ ଦ୍ୱିଧାରେ ପଡ଼ିଗଲେ। ତେବେ ଅର୍ଜୁନ ଆଗକୁ ଆସି ଶପଥ ନେଲେ ଯେ ସେ ଚିତ୍ରସେନଙ୍କୁ ଯେକୋଣସି ମୂଲ୍ୟରେ ରକ୍ଷା କରିବେ । ତା’ପରେ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଭୟାନକ ଯୁଦ୍ଧ ଆରମ୍ଭ ହେଲା— ଅର୍ଜୁନ ଚିତ୍ରସେନଙ୍କୁ ରକ୍ଷା କରୁଥିଲେ ଓ ଶ୍ରୀକୃଷ୍ଣଙ୍କ ତୀରଗୁଡିକୁ ପ୍ରତିହତ କରୁଥିଲେ । ଯେତେବେଳେ ପରିସ୍ଥିତି ଅଧିକ ଉତ୍ତେଜିତ ହେଲା, ସୁଭଦ୍ରା ମଧ୍ୟସ୍ଥତା କଲେ— ସେ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ ମଧ୍ୟରେ ଠିଆ ହୋଇ ସେମାନଙ୍କୁ ଯୁଦ୍ଧରୁ କ୍ଷାନ୍ତ କଲେ । ପରିସ୍ଥିତି ନିରାକରଣ ପାଇଁ ଶ୍ରୀକୃଷ୍ଣ ଚିତ୍ରସେନଙ୍କୁ ପରାମର୍ଶ ଦେଲେ ଯେ ସେ ଋଷି ଗାଳଭ୍ବଙ୍କ ନିକଟରେ ଯାଇ କ୍ଷମା ମାଗନ୍ତୁ । ଚିତ୍ରସେନ ନମ୍ରତାପୂର୍ଣ୍ଣ ଭାବେ ଋଷିଙ୍କ ପାଦ ଛୁଇଁ ନମସ୍କାର କଲେ । ତାଙ୍କ ଅନୁତାପରେ ସନ୍ତୁଷ୍ଟ ହୋଇ ଗାଳଭବ ତାଙ୍କୁ କ୍ଷମା କଲେ । ଏପରିଭାବେ କୌଣସି ପକ୍ଷର କ୍ଷତି ନ ହୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହେଲା ।[୩]
ଆଧାର
[ସମ୍ପାଦନା]- ↑ Williams, George M. (2008-03-27). Handbook of Hindu Mythology (in ଇଂରାଜୀ). OUP USA. ISBN 978-0-19-533261-2.
- ↑ Leslie, Julia (2014-02-04). Myth and Mythmaking: Continuous Evolution in Indian Tradition (in ଇଂରାଜୀ). Routledge. ISBN 978-1-136-77888-9.
- ↑ Mani, Vettam (2015-01-01). Puranic Encyclopedia: A Comprehensive Work with Special Reference to the Epic and Puranic Literature (in ଇଂରାଜୀ). Motilal Banarsidass. ISBN 978-81-208-0597-2.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |