ବ୍ରହ୍ମାଣ୍ଡ ପୁରାଣ

ବ୍ରହ୍ମାଣ୍ଡ ପୁରାଣ, ହିନ୍ଦୁ ଜଗତର ଅଷ୍ଟାଦଶ ମହାପୁରାଣ ମଧ୍ୟରୁ ଅନ୍ୟତମ।[୧] ମଧ୍ୟକାଳୀନ ଭାରତୀୟ ସାହିତ୍ୟରେ ଏହି ପୁରାଣକୁ ‘ବାୟବୀୟ ପୁରାଣ’ କିମ୍ବା ‘ବାୟବୀୟ ବ୍ରହ୍ମାଣ୍ଡ’ ବୋଲି ମଧ୍ୟ କୁହାଯାଇଛି। ବ୍ରହ୍ମାଣ୍ଡର ବର୍ଣ୍ଣନା କରିଥିବା ବାୟୁଦେବଙ୍କ ଦ୍ୱାରା ବେଦବ୍ୟାସଙ୍କୁ ଦିଆଯାଇଥିବା ଏହି ବାର ହଜାର ଶ୍ଲୋକର ପୁରାଣରେ ବିଶ୍ୱର ପୌରାଣିକ ଭୂଗୋଳ, ବିଶ୍ୱଖଗୋଳ, ଅଧ୍ୟାତ୍ମ ରାମାୟଣ ଇତ୍ୟାଦି ବିଷୟ ରହିଅଛି ।[୨]
ବିସ୍ତାର
[ସମ୍ପାଦନା]ଏହି ପୁରାଣରେ ଚାରିଟି ପାଦ ଅଛି—ପ୍ରଥମ ‘ପ୍ରକ୍ରିୟାପାଦ’, ଦ୍ୱିତୀୟ ‘ଅନୁଷ୍ପାଦ’, ତୃତୀୟ ‘ଉପୋଦଘାତ’ ଏବଂ ଚତୁର୍ଥ ‘ଉପସଂହାରପାଦ’ । ପ୍ରଥମ ଦୁଇ ପାଦକୁ ‘ପୂର୍ବଭାଗ’, ତୃତୀୟ ପାଦକୁ ‘ମଧ୍ୟମଭାଗ’ ଏବଂ ଚତୁର୍ଥ ପାଦକୁ ‘ଉତ୍ତରଭାଗ’ ବୋଲି କୁହାଯାଏ । ପୁରାଣମାନଙ୍କର ସମସ୍ତ ପାଞ୍ଚଟି ଲକ୍ଷଣ ‘ବ୍ରହ୍ମାଣ୍ଡ ପୁରାଣ’ରେ ଉପଲବ୍ଧ । ଏହି ପୁରାଣର କଥାବସ୍ତୁ ପ୍ରାଚୀନ ଭାରତୀୟ ଋଷିମାନେ ଜାଭା ଦ୍ୱୀପ (ବର୍ତ୍ତମାନର ଇଣ୍ଡୋନେଶିଆ) କୁ ନେଇଯାଇଥିଲେ । ସେଠାରେ ଏହାକୁ ସେଥିର ପ୍ରାଚୀନ କବି-ଭାଷାରେ ଅନୁବାଦ କରାଯାଇଥିଲା, ଯାହା ଆଜି ମଧ୍ୟ ଉପଲବ୍ଧ।
କଥା
[ସମ୍ପାଦନା]‘ପୂର୍ବଭାଗ’ର ‘ପ୍ରକ୍ରିୟାପାଦ’ରେ ପ୍ରଥମେ କର୍ତ୍ତବ୍ୟ ଉପଦେଶ, ନୈମିଷା ଆଖ୍ୟାନ, ହିରଣ୍ୟଗର୍ଭର ଉତ୍ପତ୍ତି ଓ ଲୋକସୃଷ୍ଟି ଇତ୍ୟାଦି ବର୍ଣ୍ଣିତ।[୩]
ଦ୍ୱିତୀୟ ପାଦରେ କଳ୍ପ ଓ ମନ୍ବନ୍ତରର ବର୍ଣ୍ଣନା, ତାପରେ ଲୋକଜ୍ଞାନ, ମାନୁଷୀ ସୃଷ୍ଟି, ରୁଦ୍ରସୃଷ୍ଟି, ମହାଦେବଙ୍କ ବିଭୂତି, ଋଷିସୃଷ୍ଟି, ଅଗ୍ନିବିଜୟ, କାଳସଦ୍ଭାବ, ପ୍ରିୟବତ ବଂଶ, ପୃଥିବୀର ଦୈର୍ଘ୍ୟ-ବିସ୍ତାର, ଭାରତବର୍ଷର ବର୍ଣ୍ଣନା, ଅନ୍ୟାନ୍ୟ ବର୍ଷମାନଙ୍କ ବିବରଣୀ, ଜମ୍ବୁ ଆଦି ସାତ ଦ୍ୱୀପର ପରିଚୟ, ପାତାଳମାନଙ୍କ ବର୍ଣ୍ଣନା, ଭୂର-ଭୁବଃ ଆଦି ଉପର ଲୋକମାନଙ୍କ ରୂପରଚନା, ଗ୍ରହମାନଙ୍କ ଗତି, ଆଦିତ୍ୟବ୍ୟୂହ, ଦେବଗ୍ରହମାନଙ୍କ ଅନୁକୀର୍ତ୍ତନ, ଶିବଙ୍କ ‘ନୀଳକଣ୍ଠ’ ନାମ ପଡ଼ିବାର କଥା, ମହାଦେବଙ୍କ ବୈଭବ, ଅମାବାସ୍ୟା ବର୍ଣ୍ଣନା, ଯୁଗନିର୍ଣ୍ଣୟ, ଯଜ୍ଞ ପ୍ରବର୍ତ୍ତନ, ଶେଷ ଦୁଇ ଯୁଗର କାର୍ଯ୍ୟ, ପ୍ରଜାମାନଙ୍କ ଲକ୍ଷଣ, ଋଷିପ୍ରବର ବର୍ଣ୍ଣନା, ବେଦବ୍ୟସନ, ସ୍ୱାୟମ୍ଭୁବ ମନ୍ବନ୍ତର ଓ ବର୍ତ୍ତମାନ ମନ୍ବନ୍ତରର ସୃଷ୍ଟି ଇତ୍ୟାଦି ଥାଏ ।
‘ମଧ୍ୟଭାଗ’ରେ ସପ୍ତଋଷିମାନଙ୍କ ବର୍ଣ୍ଣନା, ପ୍ରଜାପତି ବଂଶର ନିରୂପଣ, ତାହାଠାରୁ ଦେବତାମାନଙ୍କ ଉତ୍ପତ୍ତି, ତାପରେ ବିଜୟ ଅଭିଳାଷା, ମରୁଦ୍ଗଣମାନଙ୍କ ଉତ୍ପତ୍ତି, କଶ୍ୟପଙ୍କ ସନ୍ତାନ, ଋଷିବଂଶ, ପିତୃକଳ୍ପ, ଶ୍ରାଦ୍ଧକଳ୍ପ, ବୈବସ୍ବତ ମନୁଙ୍କ ଉତ୍ପତ୍ତି-ସୃଷ୍ଟି, ମନୁପୁତ୍ରମାନଙ୍କ ବଂଶ, ଗାନ୍ଧର୍ବବର୍ଣ୍ଣନା, ଇକ୍ଷ୍ୱାକୁବଂଶ, ପରଶୁରାମ ଚରିତ, ବୃଷ୍ଣିବଂଶ, ସଗରଙ୍କ ଉତ୍ପତ୍ତି, ଭାର୍ଗବ ଚରିତ, ଭାର୍ଗବ ଔର୍ବ କାହାଣୀ, ଶୁକ୍ରାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଇନ୍ଦ୍ରସ୍ତୋତ୍ର, ଦେବାସୁର ସଂଗ୍ରାମ, ବିଷ୍ଣୁମାହାତ୍ମ୍ୟ, ବଳିବଂଶ, କଳିଯୁଗର ରାଜାମାନଙ୍କ ଚରିତ ଇତ୍ୟାଦି ଲେଖାଯାଇଛି ।
ତାପରେ ଉତ୍ତର ଭାଗର ଚତୁର୍ଥ ‘ଉପସଂହାରପାଦ’ରେ ବୈବସ୍ବତ ମନ୍ବନ୍ତରର କଥା ଯଥାର୍ଥଭାବରେ ଲେଖାଯାଇଛି । ପୂର୍ବରୁ ଯାହା ସଂକ୍ଷେପରେ କୁହାଯାଇଥିଲା ସେହି କଥା ଏଠାରେ ବିସ୍ତାରରେ ନିରୂପଣ କରାଯାଇଛି । ଭବିଷ୍ୟର ମନୁମାନଙ୍କ କଥାମଧ୍ୟ ଉଲ୍ଲିଖିତ, ଅସତ୍କର୍ମରୁ ମିଳୁଥିବା ନରକମାନଙ୍କ ବିବରଣୀ ମଧ୍ୟ ଦିଆଯାଇଛି। ତାପରେ ଶିବଧାମର ବର୍ଣ୍ଣନା, ସତ୍ତ୍ୱ ଆଦି ଗୁଣମାନଙ୍କ ସମ୍ବନ୍ଧରେ ଜୀବମାନଙ୍କ ତ୍ରିବିଧ ଗତି, ଶେଷରେ ଅନ୍ଵୟ-ବ୍ୟତିରେକ ଦୃଷ୍ଟିରୁ ଅନିର୍ଦ୍ଦେଶ୍ୟ, ଅତର୍କ୍ୟ ପରବ୍ରହ୍ମ ପରମାତ୍ମାଙ୍କ ସ୍ୱରୂପର ବିବେଚନା କରାଯାଇଛି ।
ଏହିସବୁ ବିସ୍ତାରିତ ତଥ୍ୟ ବ୍ୟତୀତ ଏହି ପୁରାଣରେ ଆଧ୍ୟାତ୍ମ ରାମାୟଣ ଏବଂ ଲଳିତା ସହସ୍ରନାମର ବିବରଣି ମଧ୍ୟ ଦେଖିବାକୁ ମିଳେ ।[୪]
ଆଧାର
[ସମ୍ପାଦନା]- ↑ Hazra 1962, p. 255.
- ↑ "mystery of the universe इस पुराण में छिपा है ब्रह्माण्ड रचना का रहस्य". Patrika News (in ହିନ୍ଦୀ). Retrieved 2025-11-26.
- ↑ "Brahmanda-Purana. Part 1 (38 Adhyayas)". www.sub.uni-goettingen.de. Archived from the original on 2010-01-30. Retrieved 2025-11-26.
- ↑ www.wisdomlib.org (2019-04-04). "Brahmanda Purana". www.wisdomlib.org (in ଇଂରାଜୀ). Retrieved 2025-11-26.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |