ବୋଧି ବୃକ୍ଷ

ବୋଧି ବୃକ୍ଷ ବିହାର ରାଜ୍ୟର ଗୟା ଜିଲ୍ଲାର ବୋଧଗୟା ସ୍ଥିତ ମହାବୋଧି ମନ୍ଦିର ପରିସରରେ ଥିବା ଗୋଟିଏ ପିପଳ ଗଛ ଅଟେ।[୧] ଏହି ଗଛ ତଳେ ଖ୍ରୀଷ୍ଟ ପୂ. ୫୩୧ ମସିହାରେ ଭଗବାନ ବୁଦ୍ଧଙ୍କୁ ବୋଧ (ଜ୍ଞାନ) ଲାଭ ହୋଇଥିଲା । ‘ବୋଧି’ର ଅର୍ଥ ହେଉଛି ଜ୍ଞାନ, ଏବଂ ‘ବୋଧି ବୃକ୍ଷ’ର ଅର୍ଥ ହେଉଛି ଜ୍ଞାନର ବୃକ୍ଷ । ଏହି ବୋଧି ବୃକ୍ଷ ଷଷ୍ଠତମ ପିଢ଼ିର ବୃକ୍ଷ ବୋଲି ମନେ କରାଯାଏ ।
ବୋଧି ବୃକ୍ଷର ଇତିହାସ ବହୁତ ପୁରୁଣା । କୁହାଯାଏ ଯେ ଭଗବାନ ବୁଦ୍ଧ ଏହି ବୃକ୍ଷ ତଳେ ଛଅ ବର୍ଷ ଧରି ତପସ୍ୟା କରିଥିଲେ । ଷଷ୍ଠତମ ବର୍ଷରେ ପୂର୍ଣ୍ଣିମା ଦିନେ ସେ ଜ୍ଞାନ ଲାଭ କଲେ । ସେହି ସମୟରୁ ବୋଧି ବୃକ୍ଷ ବୌଦ୍ଧ ଧର୍ମର ସବୁଠାରୁ ପବିତ୍ର ପ୍ରତୀକ ଭାବେ ମାନ୍ୟ ହେଲା । ବୋଧି ବୃକ୍ଷ ଗୋଟିଏ ପିପଳ ଗଛ (ବୈଜ୍ଞାନିକ ନାମ Ficus religiosa) ଅଟେ । ଏହାର ଉଚ୍ଚତା ପ୍ରାୟ 30 ମିଟର ଓ ଏହାର ଶାଖାପ୍ରଶାଖା ବହୁତ ବିସ୍ତାରିତ ହୋଇଛି । ଆଜି ବୋଧି ବୃକ୍ଷକୁ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଛି । ଏହା ଲୁହାର ଜାଲିରେ ଘେରା ହୋଇ ରହିଛି । ବୋଧି ବୃକ୍ଷ ଚାରିପାଖରେ ଗୋଟିଏ ସୁନ୍ଦର ମନ୍ଦିର ପରିସର ଅଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୋଧଗୟାକୁ ବୋଧି ବୃକ୍ଷ ଦର୍ଶନ ପାଇଁ ଯାଆନ୍ତି ।
ପବିତ୍ର ବୃକ୍ଷର ପ୍ରାଚୀନତା ସମ୍ପର୍କରେ
[ସମ୍ପାଦନା]୧୮୬୨ ମସିହାରେ, ବ୍ରିଟିଶ ପୁରାତତ୍ତ୍ୱବିଦ୍ ଆଲେକ୍ସାଣ୍ଡର କନିଂହାମ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ଦ୍ୱାରା ପ୍ରକାଶିତ ପ୍ରଥମ ଖଣ୍ଡର ପ୍ରଥମ ଅଧ୍ୟାୟରେ ଉଲ୍ଲିଖିତ ତଥ୍ୟ ଅନୁଯାୟୀ[୨],
"ପବିତ୍ର ବୋଧି ବୃକ୍ଷ ଏଯାବତ୍ ବିଦ୍ୟମାନ ଅଛି, କିନ୍ତୁ ବହୁତ ଖରାପ ଅବସ୍ଥାରେ ଅଛି । ପଶ୍ଚିମ ଦିଗକୁ ଥିବା ତିନିଟି ଶାଖା ସହ ଗୋଟିଏ ବଡ଼ ତଣ୍ଟ ସବୁଜ ଅବସ୍ଥାରେ ଅଛି, କିନ୍ତୁ ଅନ୍ୟ ଶାଖାଗୁଡ଼ିକ ଛାଲ ବିହୀନ ଓ ପଚା ଅବସ୍ଥାରେ ଅଛନ୍ତି । ସେହି ସବୁଜ ଶାଖା ସମ୍ଭବତଃ ଗୋଟିଏ ନୂତନ ବୃକ୍ଷର ଅଂଶ ହୋଇପାରେ, କାରଣ ଏଠାରେ ଅନେକ ବିଭିନ୍ନ ବୃକ୍ଷର ଶାଖାଗୁଡ଼ିକ ଏକାଠି ହୋଇ ଥିବା ଦେଖାଯାଉଛି । ଏହି ବୃକ୍ଷଟି ବହୁବାର ପୁନର୍ନବୀକୃତ ହୋଇଥିବା ମନେ ହୁଏ, କାରଣ ବର୍ତ୍ତମାନର ପିପଳ ବୃକ୍ଷଟି ଚାରିପାଖର ଭୂମିସ୍ତରଠାରୁ ଅତି କମରେ ୩୦ ଫୁଟ୍ ଉଚ୍ଚ ଏକ ଚତୁର୍ଭୁଜ ମଞ୍ଚ ଉପରେ ଦଣ୍ଡାୟମାନ । ୧୮୧୧ ମସିହାରେ ଡା. ବୁକାନାନ (ହାମିଲଟନ) ଏହି ବୃକ୍ଷ ଦେଖି ବା ସମୟରେ ଏହା ପୂର୍ଣ୍ଣ ସଜୀବତାରେ ଥିଲା, ଯିଏ ଏହାକୁ ସମ୍ଭବତଃ ୧୦୦ ବର୍ଷରୁ ଅଧିକ ପୁରୁଣା ନୁହେଁ ବୋଲି ଲେଖିଥିଲେ ।”
ଏଥିରୁ ଅନୁମାନ କରାଯାଏ ଯେ ବିଭିନ୍ନ ସମୟରେ ମୂଳ ବୃକ୍ଷକୁ ନଷ୍ଟ କରିଦେବାର ଚେଷ୍ଟା ହୋଇଥାଇପାରେ । ଏ ସମ୍ପର୍କରେ ଉପଲବ୍ଧ ତଥ୍ୟ ଅନୁସାରେ ମୂଳ ବୃକ୍ଷକୁ ଅତି କମରେ ତିନିଥର ନଷ୍ଟ କରିଦେବା ଭଳି ଚେଷ୍ଟା ହୋଇଥିଲା ।
ପ୍ରଥମ ଚେଷ୍ଟା
[ସମ୍ପାଦନା]କୁହାଯାଏ ଯେ ସମ୍ରାଟ ଅଶୋକଙ୍କ ଏକ ବୈଶ୍ୟ ରାଣୀ ତିଷ୍ୟରକ୍ଷିତା ଲୁଚିଚାପି ବୋଧି ବୃକ୍ଷକୁ କଟାଇ ଦେଇଥିଲେ । ଏହାକୁ ବୋଧି ବୃକ୍ଷକୁ ନଷ୍ଟ କରିବାର ପ୍ରଥମ ପ୍ରୟାସ ମନେ କରାଯାଏ । ସେହି ସମୟରେ ସମ୍ରାଟ ଅଶୋକ ଅନ୍ୟ ରାଜ୍ୟ ଭ୍ରମଣରେ ଥିଲେ । କିନ୍ତୁ ମାନ୍ୟତା ଅନୁସାରେ ରାଣୀଙ୍କ ଏହି ପ୍ରୟାସ ବିଫଳ ହୋଇଥିଲା ଏବଂ ବୋଧି ବୃକ୍ଷ ନଷ୍ଟ ହୋଇନଥିଲା । କିଛି ବର୍ଷ ପରେ ଏହାର ମୂଳରୁ ଏକ ନୂଆ ଗଛ ଜନ୍ମିଥିଲା, ଯାହାକୁ ଦ୍ବିତୀୟ ପିଢ଼ିର ବୋଧି ବୃକ୍ଷ ବୋଲି ମନେକରାଯାଏ ଏବଂ ଏହା ପ୍ରାୟ ୮୦୦ ବର୍ଷ ରହିଥିଲା ।
ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅନୁସାରେ ସମ୍ରାଟ ଅଶୋକ ନିଜ ପୁଅ ମହେନ୍ଦ୍ର ଓ ଝିଅ ସଂଘମିତ୍ରାଙ୍କୁ ବୋଧି ବୃକ୍ଷର ଶାଖା ଦେଇ ଶ୍ରୀଲଙ୍କାକୁ ବୌଦ୍ଧ ଧର୍ମ ପ୍ରଚାର ପାଇଁ ପଠାଇଥିଲେ । ସେମାନେ ଶ୍ରୀଲଙ୍କାର ଅନୁରାଧାପୁରରେ ଯେଉଁ ବୋଧି ବୃକ୍ଷ ଲଗାଇଥିଲେ, ସେହି ବୃକ୍ଷ ଆଜି ପର୍ଯ୍ୟନ୍ତ ଜୀବିତ ଅଛି ।
ଦ୍ବିତୀୟ ଚେଷ୍ଟା
[ସମ୍ପାଦନା]ଦ୍ବିତୀୟଥରେ ବଙ୍ଗଳାର ରାଜା ଶଶାଙ୍କ ବୋଧି ବୃକ୍ଷକୁ ମୂଳସହ ଉପାଡ଼ି ଦେବାକୁ ଚେଷ୍ଟା କଲେ, କିନ୍ତୁ ସେ ବିଫଳ ହେଲେ । କୁହାଯାଏ ଯେ, ଯେତେବେଳେ ମୂଳସହ ବୃକ୍ଷ ଉପାଡ଼ି ହୋଇ ନ ପାରିଲା, ସେ ଗଛକୁ କଟାଇ ଦେଲେ ଓ ମୂଲରେ ନିଆଁ ଲଗାଇ ଦେଲେ । ତଥାପି ମୂଳ ସଂପୂର୍ଣ୍ଣ ନଷ୍ଟ ହେଲା ନାହିଁ । କିଛି ବର୍ଷ ପରେ ସେହି ମୂଳରୁ ତୃତୀୟ ପିଢ଼ିର ବୋଧି ବୃକ୍ଷ ଜନ୍ମିଲା, ଯାହା ପ୍ରାୟ ୧୨୫୦ ବର୍ଷ ଯାଏଁ ରହିଥିଲା ।
ତୃତୀୟ ଚେଷ୍ଟା
[ସମ୍ପାଦନା]ତୃତୀୟଥରେ ୧୮୭୬ ମସିହାରେ ଏକ ପ୍ରାକୃତିକ ଦୁର୍ଘଟନା ଫଳରେ ବୋଧି ବୃକ୍ଷ ନଷ୍ଟ ହୋଇଗଲା । ସେହି ସମୟରେ ଲର୍ଡ କାନିଂହମ ୧୮୮୦ ମସିହାରେ ଶ୍ରୀଲଙ୍କାର ଅନୁରାଧାପୁରରୁ ବୋଧି ବୃକ୍ଷର ଏକ ଶାଖା ଆଣି ଏହାକୁ ବୋଧଗୟାରେ ପୁନଃସ୍ଥାପିତ କଲେ । ଏହି ଗଛ ଚତୁର୍ଥ ପିଢ଼ିର ବୋଧି ବୃକ୍ଷ, ଯାହା ଆଜି ପର୍ଯ୍ୟନ୍ତ ଜୀବିତ ଅଛି ।
ଉତ୍ସବ
[ସମ୍ପାଦନା]ବୋଧି ଦିବସ
[ସମ୍ପାଦନା]8 ଡିସେମ୍ବର ତାରିଖରେ ବୋଧି ଦିବସ ପାଳନ କରାଯାଏ; ଯେଉଁ ଦିନ ଭଗବାନ ବୁଦ୍ଧ ବୋଧି ବୃକ୍ଷ ତଳେ ଜ୍ଞାନ ଲାଭ କରିଥିଲେ । ବୌଦ୍ଧ ଧର୍ମାବଲମ୍ବୀ ମାନେ ଏହି ଅବସରରେ ପରସ୍ପରକୁ “ବୁଦୁ ସରଣାଇ” ବୋଲି ଅଭିନନ୍ଦନ ଜଣାନ୍ତି, ଯାହାର ଅର୍ଥ “ବୁଦ୍ଧଙ୍କ ଆଶୀର୍ବାଦ ତୁମ ଉପରେ ରହୁ” । ଏହି ଦିନକୁ ଧାର୍ମିକ ଛୁଟି ଭାବେ ମନାଯାଏ, ଯେପରି ଖ୍ରୀଷ୍ଟମାସ ପଶ୍ଚିମ ଦେଶରେ ପାଳନ ହୁଏ । ଏହି ଦିନ ହୃଦୟ ଆକାରର ବୋଧି ପତ୍ର ଆଧାରିତ ବିଶେଷ ମିଠା ଓ ଖିରି ପରିବେଶଣ କରାଯାଏ; ଯାହା ବୁଦ୍ଧଙ୍କ ତପସ୍ୟା ଶେଷ ପରେ ପ୍ରଥମ ଭୋଜନକୁ ସ୍ମରଣ କରେ ।[୩]
ବୋଧି ପୂଜା
[ସମ୍ପାଦନା]ବୋଧି ପୂଜା ଅର୍ଥାତ୍ ବୋଧି ବୃକ୍ଷର ପୂଜା; ଏହାର ଅର୍ଥ ହେଉଛି ବୋଧି ବୃକ୍ଷ ଓ ତା’ମଧ୍ୟରେ ବାସ କରୁଥିବା ବୃକ୍ଷ ଦେବତାଙ୍କ ପୂଜା । ଏହି ସମୟରେ ଭକ୍ତମାନେ ଭୋଜନ, ପାଣି, ଦୁଗ୍ଧ, ଦୀପ, ଧୂପ ଇତ୍ୟାଦି ନୈବେଦ୍ୟ ଦେଇ ପାଳି ଭାଷାରେ ବୋଧି ବୃକ୍ଷର ଗୁଣଗାନ କରନ୍ତି । ଏହି ସମୟରେ ପୂଜା କରିବାର ସବୁଠାରୁ ପ୍ରସିଦ୍ଧ ଶ୍ଲୋକ ହେଉଛି —
“इमे एते महाबोधिं लोकनाथन पूजिता अहम्पी ते नमस्मि बोधि राजा नमत्थु ते ।"
ଆଧାର
[ସମ୍ପାଦନା]- ↑ Centre, UNESCO World Heritage. "Mahabodhi Temple Complex at Bodh Gaya". UNESCO World Heritage Centre (in ଇଂରାଜୀ). Retrieved 2025-10-30.
- ↑ Cunningham, Alexander (1892). Mahâbodhi, or the great Buddhist temple under the Bodhi tree at Buddha-Gaya. Cornell University Library. London, W. H. Allen.
- ↑ Prasoon, Shrikant (2007). Knowing Buddha Life And Teachings (in ଇଂରାଜୀ). Pustak Mahal. ISBN 978-81-223-0963-8.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |