Jump to content

ଭବିଷ୍ୟ ପୁରାଣ

ଉଇକିପିଡ଼ିଆ‌ରୁ
(Bhavishya Puranaରୁ ଲେଉଟି ଆସିଛି)
A page from the Bhavishyottara section of Bhavishya Purana (Sanskrit, Devanagari)

ଭବିଷ୍ୟ ପୁରାଣ (Bhaviṣya Purāṇa) ହେଉଛି ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରୁ ଗୋଟିଏ, ଯାହା ସଂସ୍କୃତ ଭାଷାରେ ରଚିତ।[][] ‘ଭବିଷ୍ୟ’ ଶବ୍ଦର ଅର୍ଥ ‘ଭବିଷ୍ୟତ’ ଅଟେ ଏବଂ ଏହାର ଅର୍ଥ ହେଲା—ଏହି ପୁସ୍ତକରେ ଆଗାମୀ ସମୟ ସମ୍ବନ୍ଧୀୟ ଭବିଷ୍ୟବାଣୀଗୁଡ଼ିକ ଅନ୍ତର୍ଭୁକ୍ତ ଅଛି।[][]

ଭବିଷ୍ୟ ପୁରାଣର ପ୍ରଥମ ଭାଗର ପ୍ରଥମ ୧୬ଟି ଅଧ୍ୟାୟକୁ ‘ବ୍ରହ୍ମପର୍ବ’ ବୋଲି କୁହାଯାଏ । ଗ୍ରନ୍ଥର ଦ୍ୱିତୀୟ ଭାଗ, ଯାହାକୁ ‘ମଧ୍ୟମପର୍ବ’ ବୋଲାଯାଏ, ତାହା ତନ୍ତ୍ର ସମ୍ବନ୍ଧୀୟ ରଚନା । ‘ଭବିଷ୍ୟବାଣୀ’ ସମ୍ବନ୍ଧୀୟ ତୃତୀୟ ଭାଗ ‘ପ୍ରତିସର୍ଗପର୍ବ’ ମଧ୍ୟରେ ଉପନିଷଦୀୟ ଧାରଣାମାନଙ୍କୁ ଅଣ-ଭାରତୀୟ ଧର୍ମଗୁଡ଼ିକ ସହିତ ତୁଳନା କରାଯାଇଛି । ପଣ୍ଡିତମାନେ ଏହାକୁ ୧୮ କିମ୍ବା ୧୯ଶତାବ୍ଦୀର ସୃଷ୍ଟି ବୋଲି ମନେ କରନ୍ତି । ଗ୍ରନ୍ଥର ଚତୁର୍ଥ ଭାଗକୁ ‘ଉତ୍ତରପର୍ବ’ ବୋଲାଯାଏ, ଯାହା ‘ଭବିଷ୍ୟୋତ୍ତର ପୁରାଣ’ ଭାବରେ ମଧ୍ୟ ପରିଚିତ । ଏହି ଶେଷ ଭାଗରେ ପର୍ବପର୍ବାଣୀ, ବ୍ରତ, ଦାନ ଓ ତୀର୍ଥମାନଙ୍କ ବିବରଣୀ ରହିଛି ।[][]

ଭବିଷ୍ୟ ପୁରାଣର ସଂରଚନା

[ସମ୍ପାଦନା]

ଏହି ପୁରାଣଟି ବ୍ରହ୍ମ ପର୍ବ, ମଧ୍ୟମ ପର୍ବ, ପ୍ରତିସର୍ଗ ପର୍ବ ଏବଂ ଉତ୍ତର ପର୍ବ — ଏହି ଚାରିଟି ପର୍ବରେ ବିଭକ୍ତ। ମଧ୍ୟମପର୍ବ ତିନୋଟି ଏବଂ ପ୍ରତିସର୍ଗପର୍ବ ଚାରିଟି ଉପଖଣ୍ଡରେ ବିଭକ୍ତ। ପ୍ରତ୍ୟେକ ପର୍ବର ଅଧିନରେ ଅଧ୍ୟାୟ ରହିଛି, ଯାହାର ମୋଟ ସଂଖ୍ୟା ୫୮୫। ପ୍ରତିସର୍ଗପର୍ବର ଦ୍ୱିତୀୟ ଖଣ୍ଡର ୨୩ଟି ଅଧ୍ୟାୟରେ ବେତାଳ–ବିକ୍ରମ ସଂବାଦର ରୂପରେ ଗଳ୍ପମାଳା ରହିଛି, ଯାହା ଅତ୍ୟନ୍ତ ଆକର୍ଷକ ଏବଂ ଚିତ୍ତମୋହକ। ଏହି ଗଳ୍ପଗୁଡ଼ିକର ରୋମାଞ୍ଚକତାର କାରଣରୁ ସେଗୁଡ଼ିକ ଗୁଣାଢ୍ୟଙ୍କ ‘ବୃହତ୍କଥା’, କ୍ଷେମେନ୍ଦ୍ରଙ୍କ ‘ବୃହତ୍କଥାମଞ୍ଜରୀ’, ସୋମଦେବଙ୍କ ‘କଥାସରିତ୍ସାଗର’ ଇତ୍ୟାଦିରେ ‘ବେତାଳପଞ୍ଚବିଂଶତି’ ରୂପରେ ସମ୍ମିଳିତ ହୋଇଛି। ଏହି ଭବିଷ୍ୟ ପୁରାଣରେ ଥିବା ଏହି ଗଳ୍ପମାଳାକୁ ‘ବେତାଳପଞ୍ଚବିଂଶତି’ କିମ୍ବା ‘ବେତାଳପଞ୍ଚବିଂଶତିକା’ ବୋଲି କୁହାଯାଏ।

ଏହିପରି, ପ୍ରତିସର୍ଗପର୍ବର ଦ୍ୱିତୀୟ ଖଣ୍ଡର ୨୪ରୁ ୨୯ ଅଧ୍ୟାୟ ପର୍ଯ୍ୟନ୍ତ ରହିଥିବା ‘ଶ୍ରୀ ସତ୍ୟନାରାୟଣ ବ୍ରତକଥା’ ମଧ୍ୟ ଉତ୍କୃଷ୍ଟ କଥାସାହିତ୍ୟ। ଉତ୍ତରପର୍ବରେ ରହିଥିବା ବ୍ରତ, ପର୍ବ ଓ ଦାନମାହାତ୍ମ୍ୟ ସମ୍ବନ୍ଧୀୟ କଥାଗୁଡ଼ିକ ମଧ୍ୟ ପ୍ରତ୍ୟେକଟି ପୂର୍ବପର୍ବ ଠାରୁ ଅଧିକ ଆକର୍ଷକ। ବ୍ରହ୍ମପର୍ବ ଓ ମଧ୍ୟମପର୍ବରେ ଥିବା ସୂର୍ଯ୍ୟସମ୍ବନ୍ଧୀୟ କଥାମାନେ ମଧ୍ୟ ସମାନ ଭାବେ ରୋଚକ। ଆଲ୍ହା–ଉଦଳଙ୍କ ଐତିହାସିକ କଥା ମଧ୍ୟ ଏହି ପୁରାଣକୁ ଆଧାର କରି ପ୍ରଚଳିତ।

ବ୍ରହ୍ମ ପର୍ବ

[ସମ୍ପାଦନା]

ଏହି ପର୍ବରେ ମୋଟ ୨୧୬ ଅଧ୍ୟାୟ ରହିଛି। ଭବିଷ୍ୟତ ସମ୍ବନ୍ଧୀୟ ଘଟଣାମାଳା ସଂକଳିତ ଏହି ୧୫,୦୦୦ ଶ୍ଳୋକର ମହାପୁରାଣରେ ଧର୍ମ, ଆଚାର, ନାଗପଞ୍ଚମୀ ବ୍ରତ, ସୂର୍ଯ୍ୟ ପୂଜା, ନାରୀ ସମ୍ବନ୍ଧୀୟ ପ୍ରକରଣ ଇତ୍ୟାଦି ବିଷୟ ରହିଛି ।ଏହାର ଆରମ୍ଭରେ ମହର୍ଷି ସୁମନ୍ତୁ ଓ ରାଜା ଶତାନୀକଙ୍କ ସମ୍ବାଦ ରହିଛି । ଏହି ପର୍ବରେ ମୂଳତଃ ବ୍ରତ–ଉପବାସ, ପୂଜା ପ୍ରକ୍ରିୟା, ସୂର୍ଯ୍ୟ ଉପାସନାର ମାହାତ୍ମ୍ୟ ଓ ତାହାସହିତ ସମ୍ବନ୍ଧିତ କଥାମାନଙ୍କ ବିସ୍ତୃତ ବିବରଣୀ ଦେଖିବାକୁ ମିଳେ। ଏଥିରେ ସୂର୍ଯ୍ୟ ସମ୍ବନ୍ଧୀୟ ମୋଟ ୧୬୯ଟି ଅଧ୍ୟାୟ ଅଛି।[]

ମଧ୍ୟମ ପର୍ବ

[ସମ୍ପାଦନା]

ମଧ୍ୟମପର୍ବରେ ସମ୍ପୂର୍ଣ୍ଣ କର୍ମକାଣ୍ଡର ବିସ୍ତୃତ ବିବରଣୀ ରହିଛି । ଏଠାରେ ବ୍ରତ ଓ ଦାନ ସମ୍ବନ୍ଧୀୟ ବିଷୟଗୁଡ଼ିକ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏତେ ବିସ୍ତାରରେ ବ୍ରତମାନଙ୍କ ବିବରଣୀ ଅନ୍ୟ କୌଣସି ପୁରାଣ କିମ୍ବା ଧର୍ମଶାସ୍ତ୍ରରେ ମିଳେନି । ପରବର୍ତ୍ତୀ ବ୍ରତ ସାହିତ୍ୟ ଯଥା ହେମାଦ୍ରି, ବ୍ରତକଳ୍ପଦ୍ରୁମ, ବ୍ରତରତ୍ନାକର, ବ୍ରତରାଜ ଇତ୍ୟାଦି ମୂଳତଃ ଭବିଷ୍ୟ ପୁରାଣକୁ ଆଧାର କରି ରଚିତ ।ଏଥିରେ ଶ୍ରାଦ୍ଧ, ପିତୃକର୍ମ, ବିବାହ ସଂସ୍କାର, ଯଜ୍ଞ, ବ୍ରତ, ସ୍ନାନ, ପ୍ରାୟଶ୍ଚିତ୍ତ, ଅନ୍ନପ୍ରାଶନ, ମନ୍ତ୍ରୋପାସନା, ରାଜକର ଦେଇବା, ଯଜ୍ଞଦିନଗୁଡ଼ିକର ଗଣନା ଇତ୍ୟାଦି ବିଷୟର ବିସ୍ତୃତ ବର୍ଣ୍ଣନା ରହିଛି ।

ପ୍ରତିସର୍ଗ ପର୍ବ

[ସମ୍ପାଦନା]

ଏହି ପର୍ବର ତୃତୀୟ ଓ ଚତୁର୍ଥ ଖଣ୍ଡରେ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସାମଗ୍ରୀ ରହିଛି। ଐତିହାସିକମାନେ ପ୍ରାୟଃ ଏହି ଭାଗକୁ ଆଧାର କରନ୍ତି । ଏଠାରେ ମଧ୍ୟଯୁଗୀନ ହର୍ଷବର୍ଧନ, ମହାବୀର ବପ୍ପା ରାୱଳ, ମହାରାଜ ପୃଥ୍ବୀରାଜ ଚୌହାନ, ଆଲ୍ହା–ଉଦଳ, ଛତ୍ରପତି ଶିବାଜୀ ଇତ୍ୟାଦି ହିନ୍ଦୁ ରାଜାମାନଙ୍କ ଏବଂ ଅଲାଉଦ୍ଦୀନ, ମହମ୍ମଦ ତୁଘଲକ, ତୈମୁରଲଙ୍ଗ, ବାବର, ଅକବର ଇତ୍ୟାଦିମାନଙ୍କ ଐତିହାସିକ ବିବରଣୀ ମିଳେ । ଏଠାରେ ଜଗଦ୍ଗୁରୁ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟ, ଶ୍ରୀ ରାମାନୁଜାଚାର୍ଯ୍ୟ, ମୀରାବାଇ, ଶ୍ରୀ ଚୈତନ୍ୟ ମହାପ୍ରଭୁ, ଗୁରୁ ନାନକଦେବ, ତୁଳସୀଦାସ, ସୂରଦାସ, କବୀର, ଚନ୍ଦ ବରଦାଇ ଇତ୍ୟାଦିଙ୍କ ସମ୍ବନ୍ଧରେ ମଧ୍ୟ ତଥ୍ୟ ରହିଛି ।ସେଥିପରେ ଯୀଶୁଙ୍କ ଜନ୍ମ ଏବଂ ତାଙ୍କର ଭାରତ ଯାତ୍ରା, ହଜରତ ମହମ୍ମଦଙ୍କ ଆବିର୍ଭାବ, ଦ୍ୱାପରଯୁଗର ଚନ୍ଦ୍ରବଂଶୀ ରାଜାମାନଙ୍କ ବିବରଣୀ, କଳିଯୁଗରେ ବୌଦ୍ଧ, ଶିଶୁନାଗ, ନନ୍ଦ, ମୌର୍ଯ୍ୟ ରାଜାମାନଙ୍କ ସହ ଅନ୍ୟାନ୍ୟ ବଂଶ, ଯଥା ପରମାର, ଚୌହାନ, ଗୁର୍ଜର–ପ୍ରତିହାର, ଚାଳୁକ୍ୟ (ଗୁଜରାଟ) ବଂଶ ପର୍ଯ୍ୟନ୍ତର ଇତିହାସ ମଧ୍ୟ ଉପଲବ୍ଧ ।

ଉତ୍ତର ପର୍ବ

[ସମ୍ପାଦନା]

ଏହି ପର୍ବରେ ଭଗବାନ ବିଷ୍ଣୁଙ୍କ ମାୟାରେ ନାରଦ ମୋହିତ ହେବାର କଥା ବର୍ଣ୍ଣିତ। ତାପରେ ନାରୀମାନଙ୍କୁ ସୌଭାଗ୍ୟ ପ୍ରଦାନକାରୀ ବିଭିନ୍ନ ବ୍ରତ ସମ୍ବନ୍ଧୀୟ ବିବରଣୀ ମଧ୍ୟ ଏଠାରେ ବିସ୍ତାରରେ ଉପସ୍ଥାପିତ । ଏହି ପର୍ବରେ ୨୦୮ଟି ଅଧ୍ୟାୟ ଅଛି। ଯଦିଓ ଏହା ଭବିଷ୍ୟ ପୁରାଣର ଅଂଶ, ତଥାପି ଏହାକୁ ସ୍ୱତନ୍ତ୍ର ପୁରାଣ (‘ଭବିଷ୍ୟୋତ୍ତର ପୁରାଣ’) ବୋଲି ମନେ କରାଯାଏ ।

ରଚନାକାଳ

[ସମ୍ପାଦନା]

ଏହି ପୁରାଣର ରଚନାକାଳ ସମ୍ବନ୍ଧରେ ଅନେକ ମତଭେଦ ରହିଛି । କାରଣ, ଏହି ପୁରାଣରେ ଅଠର ଓ ଉଣାଇଶ ଶତାବ୍ଦୀ ପର୍ଯ୍ୟନ୍ତର ଇତିହାସର ଝଲକ ମିଳୁଥିବା ସତ୍ତେମଧ୍ୟ, ବିଦ୍ୱାନମାନେ ଏହାକୁ ବେଦବ୍ୟାସଙ୍କ ଭବିଷ୍ୟବାଣୀ ମନେ କରି ଅନ୍ୟ ପୁରାଣମାନଙ୍କ ସମାନ ପ୍ରାଚୀନ ବୋଲି ମାନନ୍ତି ।[]

  1. Dalal 2014, p. 71.
  2. Winternitz 1922, p. 541.
  3. Rocher 1986, pp. 151–154.
  4. K P Gietz 1992, p. 215 with note 1180.
  5. Rocher 1986, pp. 78, 153–154.
  6. Dalal 2014, p. 72.
  7. "यहाँ सत्यनारायण की कथा ही नहीं है...!!". www.satyarthmitra.com. Retrieved 2025-11-26.
  8. For the quotation in Āpastambīya Dharmasūtra attributed to the Bhaviṣyat Purāṇa not extant today, see: Winternitz, volume 1, p. 519.