Jump to content

ଭକ୍ତିବିନୋଦ ଠାକୁର

ଉଇକିପିଡ଼ିଆ‌ରୁ
(Bhaktivinoda Thakurରୁ ଲେଉଟି ଆସିଛି)
ଭକ୍ତିବିନୋଦ ଠାକୁର

ଭକ୍ତିବିନୋଦ ଠାକୁର (IAST: Bhakti-vinoda Ṭhākura, ବଙ୍ଗଳା ଉଚ୍ଚାରଣ: [bʱɔktibinodo tʰakur]) (2 ସେପ୍ଟେମ୍ବର 1838 – 23 ଜୁନ 1914) ଜଣେ ଭାରତୀୟ ହିନ୍ଦୁ ଦାର୍ଶନିକ, ଗୁରୁ ଓ ଗୌଡ଼ୀୟ ବୈଷ୍ଣବ ଧର୍ମର ଆଧ୍ୟାତ୍ମିକ ସୁଧାରକ ଥିଲେ ।[] ସେ 19ମ ଶତାବ୍ଦୀ ଶେଷ ଓ 20ମ ଶତାବ୍ଦୀ ଆରମ୍ଭରେ ଭାରତରେ ଗୌଡ଼ୀୟ ବୈଷ୍ଣବ ପରମ୍ପରାର ପୁନରୁତ୍ଥାନ କରିଥିଲେ ଏବଂ ସେ ସମୟର ପଣ୍ଡିତମାନଙ୍କ ଦ୍ୱାରା ଜଣେ ପ୍ରମୁଖ ଗୌଡ଼ୀୟ ବୈଷ୍ଣବ ନେତା ଭାବେ ପରିଚିତ ହେଉଥିଲେ । ତାଙ୍କର ଜନ୍ମନାମ କେଦାରନାଥ ଦତ୍ତ ଥିଲା ।

ସେ, ତାଙ୍କ ପୁଅ ଭକ୍ତିସିଦ୍ଧାନ୍ତ ସରସ୍ୱତୀଙ୍କ ସହ ମିଶି, ଗୌଡ଼ୀୟ ବୈଷ୍ଣବ ଧର୍ମକୁ ପଶ୍ଚିମ ଦେଶଗୁଡ଼ିକରେ ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।[]

ଜନ୍ମ ଏବଂ ଶୈଶବ

[ସମ୍ପାଦନା]

କେଦାରନାଥଙ୍କ ଜନ୍ମ 2 ସେପ୍ଟେମ୍ବର 1838 ରେ ବଙ୍ଗଳାର ଉଲା ଗାଁରେ (ବର୍ତ୍ତମାନ ବୀରନଗର) ହୋଇଥିଲା, ଯାହା ଆଜିର କଲିକାତାରୁ ପ୍ରାୟ 100 କି.ମି. (62 ମିଲ) ଉତ୍ତରରେ ଅବସ୍ଥିତ।[] ତାଙ୍କ ପିତା ଆନନ୍ଦ ଚନ୍ଦ୍ର ଦତ୍ତ ଏବଂ ମାତା ଜଗତ ମୋହିନୀ ଦେବୀ ଉଭୟେ କାୟସ୍ଥ ପରିବାରର ଥିଲେ ।[]

ଗାଁରେ ପ୍ରାରମ୍ଭିକ ଶିକ୍ଷା ପରେ ସେ କଲିକାତାର ହିନ୍ଦୁ କଲେଜରେ ଶିକ୍ଷା ଅବ୍ୟାହତ ରଖିଥିଲେ, ଯେଉଁଠାରେ ସେ ପଶ୍ଚିମୀ ଦାର୍ଶନିକତା ଓ ଧର୍ମଶାସ୍ତ୍ର ଅଧ୍ୟୟନ କଲେ । ସେଠାରେ ସେ ବଙ୍ଗୀୟ ପୁନର୍ଜାଗରଣର ସାହିତ୍ୟିକ ଓ ବୁଦ୍ଧିଜୀବୀ—ଈଶ୍ବରଚନ୍ଦ୍ର ବିଦ୍ୟାସାଗର, ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଓ ଶିଶିରକୁମାର ଘୋଷଙ୍କ ନିକଟ ସହଭାଗୀ ହୋଇଥିଲେ। ଯୁବାବସ୍ଥାରେ ସେ ଭାରତୀୟ ଓ ପଶ୍ଚିମୀ ବିଭିନ୍ନ ଧର୍ମୀୟ ଓ ଦାର୍ଶନିକ ପଥଗୁଡିକୁ ଅଧ୍ୟୟନ କରିଥିଲେ, ଯାହା ମାଧ୍ୟମରେ ଆଧ୍ୟାତ୍ମିକ ପଥକୁ ଖୋଜିବା ତାଙ୍କ ବ୍ୟାପକ ଉଦ୍ୟମ ଥିଲା । କେଦାରନାଥ ଆନନ୍ଦ ଚନ୍ଦ୍ର ଓ ଜଗତ ମୋହିନୀଙ୍କ ଛ’ଟି ସନ୍ତାନଙ୍କ ମଧ୍ୟରୁ ତୃତୀୟ ଥିଲେ। ତାଙ୍କ ପୂର୍ବରୁ ଦୁଇଭାଇ—ଅଭୟକାଳୀ (ତାଙ୍କ ଜନ୍ମ ପୂର୍ବରୁ ଦେହବିଲୋପ) ଓ କାଳୀପ୍ରସନ୍ନ—ଏବଂ ପରେ ଏକ ଭୋଣି ହେମଲତା ଓ ଦୁଇ ଭାଇ—ହରିଦାସ ଓ ଗୌରିଦାସ—ଜନ୍ମ ନେଇଥିଲେ। କେଦାରନାଥ ତାଙ୍କ ମାତାଙ୍କ ଅତ୍ୟଧିକ ସ୍ନେହ ପାଇଥିଲେ ଏବଂ ସେ ନିଜ ପୁଅର ସୁସ୍ଥ ଜୀବନ ପାଇଁ ସଦା ପ୍ରାର୍ଥନା କରୁଥିଲେ ।୧୮ ବର୍ଷ ବୟସରେ ସେ ବଙ୍ଗ ଓ ଓଡିଶାର ଗ୍ରାମଞ୍ଚଳରେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କଲେ । ଏହାପରେ ତାଙ୍କୁ ବ୍ରିଟିଶ ଶାସନର ନ୍ୟାୟ ବିଭାଗରେ ଚାକିରି ମିଳିଲା । ସେ ୧୮୯୪ ରେ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଭାବେ ଅବସର ନେଲେ ।

କେଦାରନାଥଙ୍କ ମାତା ଜଗନ୍ମୋହିନୀ ଦେବୀ (ଜନ୍ମ—ମିତ୍ର) 18ଶତାବ୍ଦୀର ଜମିନ୍ଦାର ରାମେଶ୍ୱର ମିତ୍ରଙ୍କ ବଂଶଜ ଥିଲେ ।[21] କେଦାରନାଥଙ୍କ ପ୍ରପୁରୁଷ ରାମତାନୁ ଦତ୍ତ (ଅନ୍ୟ ଅନେକ 18ଶତାବ୍ଦୀର ଦତ୍ତଙ୍କ ସହିତ) ଶାକ୍ତ ଧର୍ମ ଓ ଦୁର୍ଗା–କାଳୀ ଉପାସନାକୁ ଗ୍ରହଣ କରିଥିଲେ । ସ୍ୱଲିଖିତ ଜୀବନୀ ସ୍ଵଲିଖିତ–ଜୀବନୀରେ କେଦାରନାଥ ନିଜ ପିତା ଆନନ୍ଦ ଚନ୍ଦ୍ର ଦତ୍ତଙ୍କୁ “ସରଳ, ସତ୍ୟନିଷ୍ଠ ଓ ଧାର୍ମିକ ବ୍ୟକ୍ତି” ଭାବେ ବର୍ଣ୍ଣନା କରିଥିବାବେଳେ, ମାତାଙ୍କୁ “ଶାନ୍ତ ଓ ବିଶିଷ୍ଟ ଗୁଣରେ ଯୁକ୍ତ” ବ୍ୟକ୍ତି ଭାବେ ଲେଖିଛନ୍ତି ।

ସରକାରୀ ସେବା

[ସମ୍ପାଦନା]

ଫେବୃଆରୀ ୧୮୬୬ରେ, କେଦାରନାଥ ଦତ୍ତ ଜଣେ ମିତ୍ରଙ୍କ ସହଯୋଗରେ ବିହାରର ସାରଣ ଜିଲ୍ଲାର ଛପରାରେ ଥିବା ରେଜିଷ୍ଟ୍ରାର କାର୍ଯ୍ୟାଳୟରେ “ଡିପୁଟି ମ୍ୟାଜିଷ୍ଟ୍ରେଟ୍ ଓ ଡିପୁଟି କଲେକ୍ଟରଙ୍କ ଅଧିକାର ସହିତ ବିଶେଷ ଡିପୁଟି ରେଜିଷ୍ଟ୍ରାର ଅଫ୍ ଏସ୍ୟୁରେନ୍ସେସ୍” ପଦବୀ ପାଇଲେ ।[][] ସେତେବେଳେ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ପରିଚାଳିତ ଉଚ୍ଚସ୍ତର ବ୍ୟତୀତ, ଭଦ୍ରଲୋକମାନଙ୍କ ଦ୍ୱାରା ଚାଳିତ ନିର୍ବାହୀ ସରକାରୀ ସେବାରେ ଚାକିରି ଏକ ବିଶେଷ ସଫଳତା ଭାବେ ଗଣାଯାଉଥିଲା। ଏହା ଜୀବନରେ ଆର୍ଥିକ ସୁରକ୍ଷା, ସାମାଜିକ ପଦବୀ ଓ ସୁରକ୍ଷିତ ଅବସରଜୀବନ ନିଶ୍ଚିତ କରୁଥିଲା । ପରବର୍ତ୍ତୀ ୨୮ବର୍ଷ ଧରି, କେଦାରନାଥ ସରକାରୀ ସେବାରେ ଷଷ୍ଠ ଶ୍ରେଣୀରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହେଲେ, ଯାହା ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସକୀୟ ଅଧିକାର ଦେଇଥିଲା । କ୍ରମେ ସେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ନଜରରେ ଦାୟୀତ୍ଵବାନ, କାର୍ଯ୍ୟକୁଶଳ ଓ ସତ୍ୟନିଷ୍ଠ ଅଧିକାରୀ ଭାବେ ଆତ୍ମସ୍ଥାପନା କଲେ । ତାଙ୍କ ସରକାରୀ କାର୍ଯ୍ୟଯୋଗେ ସେ ଓ ତାଙ୍କ ବୃଦ୍ଧିଶୀଳ ପରିବାର ବିହାର, ବଙ୍ଗ ଓ ଓଡିଶାରେ ଅବସ୍ଥିତ 20ଟି ଭିନ୍ନ ଭିନ୍ନ ସ୍ଥାନକୁ ଯାଇଥିଲେ । ଏହା ତାଙ୍କୁ ଭିନ୍ନ ସଂସ୍କୃତି, ଭାଷା ଓ ଧର୍ମଗୁଡ଼ିକୁ ଅଧ୍ୟୟନ କରିବାର ସୁଯୋଗ ଦେଲା । ସେ ଅଳ୍ପ ସମୟରେ ଉର୍ଦ୍ଦୁ ଓ ପର୍ସିଆ ଭାଷା ଶିଖି ନିଜକୁ ଭାଷା–ପାଣ୍ଡିତ୍ୟରେ ପ୍ରତିଷ୍ଠିତ କଲେ, ଯାହା ତାଙ୍କ ସରକାରୀ ଦାୟିତ୍ୱ ପାଇଁ ଆବଶ୍ୟକ ଥିଲା। ସେ ବୈଷ୍ଣବ ସାହିତ୍ୟ ଅଧ୍ୟୟନ ପାଇଁ ସଂସ୍କୃତରେ ମଧ୍ୟ ପାରଙ୍ଗମୀ ହେଲେ । ସଂସ୍କୃତରେ ପାରଙ୍ଗମତା ଯୋଗୁଁ ସେ ପାରମ୍ପରିକ ଭାଷ୍ୟ ସହିତ ଭାଗବତ ପୁରାଣ ପଢ଼ିବା ସହ ନିଜର ସଂସ୍କୃତ କବିତା ରଚନା କରିପାରୁଥିଲେ।[]

ସମ୍ମାନ

[ସମ୍ପାଦନା]

୨୦୨୩ରେ, ଭକ୍ତିବେଦାନ୍ତ ରିସର୍ଚ୍ଚ ସେଣ୍ଟର୍ କଲିକତାର ପ୍ରେସିଡେନ୍ସୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପାଇଁ ଭକ୍ତିବିନୋଦ ଠାକୁରଙ୍କ ସମ୍ମାନରେ ଗୋଟିଏ ଏଣ୍ଡାଉମେଣ୍ଟ ସ୍ଥାପନା କରାଯାଇଛି ।[] ଏହି ଛାତ୍ରବୃତ୍ତିର ଉଦ୍ଦେଶ୍ୟ ବିଭାଗ ମଧ୍ୟରେ ଧର୍ମ ଅଧ୍ୟୟନ ସମ୍ବନ୍ଧୀୟ ଶାସ୍ତ୍ରୀୟ ପ୍ରୟାସକୁ ସମର୍ଥନ କରିବା ।

ହିନ୍ଦୁ/ପ୍ରେସିଡେନ୍ସୀ କଲେଜ (ଏବେ ପ୍ରେସିଡେନ୍ସୀ ବିଶ୍ୱବିଦ୍ୟାଳୟ, କଲିକତା) ସମ୍ବନ୍ଧୀୟ ରେକର୍ଡଗୁଡ଼ିକ ନେଇ ଗୋଟିଏ ସଂଗ୍ରହାଳୟ କରାଯାଇଛି, ଯାହା ବ୍ରିଟିଶ ଲାଇବ୍ରେରୀ ଓ ଯୁନିଭର୍ସିଟି ଅଫ୍ ଚିକାଗୋଙ୍କ ସହଯୋଗରେ ଅତ୍ୟାଧୁନିକ କରାଯାଇଛି । ଏହି ଆର୍କାଇଭ୍‌ରେ ମିଳିଥିବା ଦଲେଲମାନଙ୍କ ମଧ୍ୟରେ ହିନ୍ଦୁ କଲେଜର ଗୋଟିଏ ଉପସ୍ଥିତି ରେଜିଷ୍ଟର୍ ମଧ୍ୟ ଅଛି, ଯେଉଁଥିରେ କେଦାରନାଥ ଦତ୍ତଙ୍କ ନାମ ରହିଛି ।

ଭକ୍ତିବିନୋଦ ନିଜ ଜନ୍ମ (୧୮୩୮) ଠାରୁ ୧୮୯୪ରେ ତାଙ୍କ ଅବସର ପର୍ଯ୍ୟନ୍ତ ସମୟକୁ ଆବର୍ତ୍ତ କରି ଗୋଟିଏ ଆତ୍ମଜୀବନୀ “ସ୍ୱଲିଖିତ-ଜୀବନୀ” ଲେଖିଥିଲେ । ୨୩ ଜୁନ ୧୯୧୪ରେ ସେ କଲିକତାରେ ୭୫ବର୍ଷ ବୟସରେ ଦେହାନ୍ତ କଲେ । ତାଙ୍କ ଅସ୍ଥି ମାୟାପୁର, ପଶ୍ଚିମବଙ୍ଗ ନିକଟରେ ସମାଧିସ୍ଥ କରାଯାଇଥିଲା ।

  1. Fuller 2005, pp. iv, 3, 90, 102.
  2. Dasa 1999, p. 7, 254–255.
  3. Dasa 1999, p. 33.
  4. Dasa 1999, pp. 34–36.
  5. Dasa 1999, pp. 67–68.
  6. Fuller 2005, pp. 84–85.
  7. Fuller 2005, p. 90.
  8. "Adieu to Vishwakarma & Ganesh and more news from Kolkata in pictures" (in ଇଂରାଜୀ). Retrieved 2025-11-17.