ଭକ୍ତିବିନୋଦ ଠାକୁର

ଭକ୍ତିବିନୋଦ ଠାକୁର (IAST: Bhakti-vinoda Ṭhākura, ବଙ୍ଗଳା ଉଚ୍ଚାରଣ: [bʱɔktibinodo tʰakur]) (2 ସେପ୍ଟେମ୍ବର 1838 – 23 ଜୁନ 1914) ଜଣେ ଭାରତୀୟ ହିନ୍ଦୁ ଦାର୍ଶନିକ, ଗୁରୁ ଓ ଗୌଡ଼ୀୟ ବୈଷ୍ଣବ ଧର୍ମର ଆଧ୍ୟାତ୍ମିକ ସୁଧାରକ ଥିଲେ ।[୧] ସେ 19ମ ଶତାବ୍ଦୀ ଶେଷ ଓ 20ମ ଶତାବ୍ଦୀ ଆରମ୍ଭରେ ଭାରତରେ ଗୌଡ଼ୀୟ ବୈଷ୍ଣବ ପରମ୍ପରାର ପୁନରୁତ୍ଥାନ କରିଥିଲେ ଏବଂ ସେ ସମୟର ପଣ୍ଡିତମାନଙ୍କ ଦ୍ୱାରା ଜଣେ ପ୍ରମୁଖ ଗୌଡ଼ୀୟ ବୈଷ୍ଣବ ନେତା ଭାବେ ପରିଚିତ ହେଉଥିଲେ । ତାଙ୍କର ଜନ୍ମନାମ କେଦାରନାଥ ଦତ୍ତ ଥିଲା ।
ସେ, ତାଙ୍କ ପୁଅ ଭକ୍ତିସିଦ୍ଧାନ୍ତ ସରସ୍ୱତୀଙ୍କ ସହ ମିଶି, ଗୌଡ଼ୀୟ ବୈଷ୍ଣବ ଧର୍ମକୁ ପଶ୍ଚିମ ଦେଶଗୁଡ଼ିକରେ ପ୍ରସାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।[୨]
ଜନ୍ମ ଏବଂ ଶୈଶବ
[ସମ୍ପାଦନା]କେଦାରନାଥଙ୍କ ଜନ୍ମ 2 ସେପ୍ଟେମ୍ବର 1838 ରେ ବଙ୍ଗଳାର ଉଲା ଗାଁରେ (ବର୍ତ୍ତମାନ ବୀରନଗର) ହୋଇଥିଲା, ଯାହା ଆଜିର କଲିକାତାରୁ ପ୍ରାୟ 100 କି.ମି. (62 ମିଲ) ଉତ୍ତରରେ ଅବସ୍ଥିତ।[୩] ତାଙ୍କ ପିତା ଆନନ୍ଦ ଚନ୍ଦ୍ର ଦତ୍ତ ଏବଂ ମାତା ଜଗତ ମୋହିନୀ ଦେବୀ ଉଭୟେ କାୟସ୍ଥ ପରିବାରର ଥିଲେ ।[୪]
ଗାଁରେ ପ୍ରାରମ୍ଭିକ ଶିକ୍ଷା ପରେ ସେ କଲିକାତାର ହିନ୍ଦୁ କଲେଜରେ ଶିକ୍ଷା ଅବ୍ୟାହତ ରଖିଥିଲେ, ଯେଉଁଠାରେ ସେ ପଶ୍ଚିମୀ ଦାର୍ଶନିକତା ଓ ଧର୍ମଶାସ୍ତ୍ର ଅଧ୍ୟୟନ କଲେ । ସେଠାରେ ସେ ବଙ୍ଗୀୟ ପୁନର୍ଜାଗରଣର ସାହିତ୍ୟିକ ଓ ବୁଦ୍ଧିଜୀବୀ—ଈଶ୍ବରଚନ୍ଦ୍ର ବିଦ୍ୟାସାଗର, ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଓ ଶିଶିରକୁମାର ଘୋଷଙ୍କ ନିକଟ ସହଭାଗୀ ହୋଇଥିଲେ। ଯୁବାବସ୍ଥାରେ ସେ ଭାରତୀୟ ଓ ପଶ୍ଚିମୀ ବିଭିନ୍ନ ଧର୍ମୀୟ ଓ ଦାର୍ଶନିକ ପଥଗୁଡିକୁ ଅଧ୍ୟୟନ କରିଥିଲେ, ଯାହା ମାଧ୍ୟମରେ ଆଧ୍ୟାତ୍ମିକ ପଥକୁ ଖୋଜିବା ତାଙ୍କ ବ୍ୟାପକ ଉଦ୍ୟମ ଥିଲା । କେଦାରନାଥ ଆନନ୍ଦ ଚନ୍ଦ୍ର ଓ ଜଗତ ମୋହିନୀଙ୍କ ଛ’ଟି ସନ୍ତାନଙ୍କ ମଧ୍ୟରୁ ତୃତୀୟ ଥିଲେ। ତାଙ୍କ ପୂର୍ବରୁ ଦୁଇଭାଇ—ଅଭୟକାଳୀ (ତାଙ୍କ ଜନ୍ମ ପୂର୍ବରୁ ଦେହବିଲୋପ) ଓ କାଳୀପ୍ରସନ୍ନ—ଏବଂ ପରେ ଏକ ଭୋଣି ହେମଲତା ଓ ଦୁଇ ଭାଇ—ହରିଦାସ ଓ ଗୌରିଦାସ—ଜନ୍ମ ନେଇଥିଲେ। କେଦାରନାଥ ତାଙ୍କ ମାତାଙ୍କ ଅତ୍ୟଧିକ ସ୍ନେହ ପାଇଥିଲେ ଏବଂ ସେ ନିଜ ପୁଅର ସୁସ୍ଥ ଜୀବନ ପାଇଁ ସଦା ପ୍ରାର୍ଥନା କରୁଥିଲେ ।୧୮ ବର୍ଷ ବୟସରେ ସେ ବଙ୍ଗ ଓ ଓଡିଶାର ଗ୍ରାମଞ୍ଚଳରେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କଲେ । ଏହାପରେ ତାଙ୍କୁ ବ୍ରିଟିଶ ଶାସନର ନ୍ୟାୟ ବିଭାଗରେ ଚାକିରି ମିଳିଲା । ସେ ୧୮୯୪ ରେ ଜିଲ୍ଲା ମ୍ୟାଜିଷ୍ଟ୍ରେଟ୍ ଭାବେ ଅବସର ନେଲେ ।
କେଦାରନାଥଙ୍କ ମାତା ଜଗନ୍ମୋହିନୀ ଦେବୀ (ଜନ୍ମ—ମିତ୍ର) 18ଶତାବ୍ଦୀର ଜମିନ୍ଦାର ରାମେଶ୍ୱର ମିତ୍ରଙ୍କ ବଂଶଜ ଥିଲେ ।[21] କେଦାରନାଥଙ୍କ ପ୍ରପୁରୁଷ ରାମତାନୁ ଦତ୍ତ (ଅନ୍ୟ ଅନେକ 18ଶତାବ୍ଦୀର ଦତ୍ତଙ୍କ ସହିତ) ଶାକ୍ତ ଧର୍ମ ଓ ଦୁର୍ଗା–କାଳୀ ଉପାସନାକୁ ଗ୍ରହଣ କରିଥିଲେ । ସ୍ୱଲିଖିତ ଜୀବନୀ ସ୍ଵଲିଖିତ–ଜୀବନୀରେ କେଦାରନାଥ ନିଜ ପିତା ଆନନ୍ଦ ଚନ୍ଦ୍ର ଦତ୍ତଙ୍କୁ “ସରଳ, ସତ୍ୟନିଷ୍ଠ ଓ ଧାର୍ମିକ ବ୍ୟକ୍ତି” ଭାବେ ବର୍ଣ୍ଣନା କରିଥିବାବେଳେ, ମାତାଙ୍କୁ “ଶାନ୍ତ ଓ ବିଶିଷ୍ଟ ଗୁଣରେ ଯୁକ୍ତ” ବ୍ୟକ୍ତି ଭାବେ ଲେଖିଛନ୍ତି ।
ସରକାରୀ ସେବା
[ସମ୍ପାଦନା]ଫେବୃଆରୀ ୧୮୬୬ରେ, କେଦାରନାଥ ଦତ୍ତ ଜଣେ ମିତ୍ରଙ୍କ ସହଯୋଗରେ ବିହାରର ସାରଣ ଜିଲ୍ଲାର ଛପରାରେ ଥିବା ରେଜିଷ୍ଟ୍ରାର କାର୍ଯ୍ୟାଳୟରେ “ଡିପୁଟି ମ୍ୟାଜିଷ୍ଟ୍ରେଟ୍ ଓ ଡିପୁଟି କଲେକ୍ଟରଙ୍କ ଅଧିକାର ସହିତ ବିଶେଷ ଡିପୁଟି ରେଜିଷ୍ଟ୍ରାର ଅଫ୍ ଏସ୍ୟୁରେନ୍ସେସ୍” ପଦବୀ ପାଇଲେ ।[୫][୬] ସେତେବେଳେ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ପରିଚାଳିତ ଉଚ୍ଚସ୍ତର ବ୍ୟତୀତ, ଭଦ୍ରଲୋକମାନଙ୍କ ଦ୍ୱାରା ଚାଳିତ ନିର୍ବାହୀ ସରକାରୀ ସେବାରେ ଚାକିରି ଏକ ବିଶେଷ ସଫଳତା ଭାବେ ଗଣାଯାଉଥିଲା। ଏହା ଜୀବନରେ ଆର୍ଥିକ ସୁରକ୍ଷା, ସାମାଜିକ ପଦବୀ ଓ ସୁରକ୍ଷିତ ଅବସରଜୀବନ ନିଶ୍ଚିତ କରୁଥିଲା । ପରବର୍ତ୍ତୀ ୨୮ବର୍ଷ ଧରି, କେଦାରନାଥ ସରକାରୀ ସେବାରେ ଷଷ୍ଠ ଶ୍ରେଣୀରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଉତ୍ତୀର୍ଣ୍ଣ ହେଲେ, ଯାହା ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶାସକୀୟ ଅଧିକାର ଦେଇଥିଲା । କ୍ରମେ ସେ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ନଜରରେ ଦାୟୀତ୍ଵବାନ, କାର୍ଯ୍ୟକୁଶଳ ଓ ସତ୍ୟନିଷ୍ଠ ଅଧିକାରୀ ଭାବେ ଆତ୍ମସ୍ଥାପନା କଲେ । ତାଙ୍କ ସରକାରୀ କାର୍ଯ୍ୟଯୋଗେ ସେ ଓ ତାଙ୍କ ବୃଦ୍ଧିଶୀଳ ପରିବାର ବିହାର, ବଙ୍ଗ ଓ ଓଡିଶାରେ ଅବସ୍ଥିତ 20ଟି ଭିନ୍ନ ଭିନ୍ନ ସ୍ଥାନକୁ ଯାଇଥିଲେ । ଏହା ତାଙ୍କୁ ଭିନ୍ନ ସଂସ୍କୃତି, ଭାଷା ଓ ଧର୍ମଗୁଡ଼ିକୁ ଅଧ୍ୟୟନ କରିବାର ସୁଯୋଗ ଦେଲା । ସେ ଅଳ୍ପ ସମୟରେ ଉର୍ଦ୍ଦୁ ଓ ପର୍ସିଆ ଭାଷା ଶିଖି ନିଜକୁ ଭାଷା–ପାଣ୍ଡିତ୍ୟରେ ପ୍ରତିଷ୍ଠିତ କଲେ, ଯାହା ତାଙ୍କ ସରକାରୀ ଦାୟିତ୍ୱ ପାଇଁ ଆବଶ୍ୟକ ଥିଲା। ସେ ବୈଷ୍ଣବ ସାହିତ୍ୟ ଅଧ୍ୟୟନ ପାଇଁ ସଂସ୍କୃତରେ ମଧ୍ୟ ପାରଙ୍ଗମୀ ହେଲେ । ସଂସ୍କୃତରେ ପାରଙ୍ଗମତା ଯୋଗୁଁ ସେ ପାରମ୍ପରିକ ଭାଷ୍ୟ ସହିତ ଭାଗବତ ପୁରାଣ ପଢ଼ିବା ସହ ନିଜର ସଂସ୍କୃତ କବିତା ରଚନା କରିପାରୁଥିଲେ।[୭]
ସମ୍ମାନ
[ସମ୍ପାଦନା]୨୦୨୩ରେ, ଭକ୍ତିବେଦାନ୍ତ ରିସର୍ଚ୍ଚ ସେଣ୍ଟର୍ କଲିକତାର ପ୍ରେସିଡେନ୍ସୀ ବିଶ୍ୱବିଦ୍ୟାଳୟର ସମାଜଶାସ୍ତ୍ର ବିଭାଗ ପାଇଁ ଭକ୍ତିବିନୋଦ ଠାକୁରଙ୍କ ସମ୍ମାନରେ ଗୋଟିଏ ଏଣ୍ଡାଉମେଣ୍ଟ ସ୍ଥାପନା କରାଯାଇଛି ।[୮] ଏହି ଛାତ୍ରବୃତ୍ତିର ଉଦ୍ଦେଶ୍ୟ ବିଭାଗ ମଧ୍ୟରେ ଧର୍ମ ଅଧ୍ୟୟନ ସମ୍ବନ୍ଧୀୟ ଶାସ୍ତ୍ରୀୟ ପ୍ରୟାସକୁ ସମର୍ଥନ କରିବା ।
ହିନ୍ଦୁ/ପ୍ରେସିଡେନ୍ସୀ କଲେଜ (ଏବେ ପ୍ରେସିଡେନ୍ସୀ ବିଶ୍ୱବିଦ୍ୟାଳୟ, କଲିକତା) ସମ୍ବନ୍ଧୀୟ ରେକର୍ଡଗୁଡ଼ିକ ନେଇ ଗୋଟିଏ ସଂଗ୍ରହାଳୟ କରାଯାଇଛି, ଯାହା ବ୍ରିଟିଶ ଲାଇବ୍ରେରୀ ଓ ଯୁନିଭର୍ସିଟି ଅଫ୍ ଚିକାଗୋଙ୍କ ସହଯୋଗରେ ଅତ୍ୟାଧୁନିକ କରାଯାଇଛି । ଏହି ଆର୍କାଇଭ୍ରେ ମିଳିଥିବା ଦଲେଲମାନଙ୍କ ମଧ୍ୟରେ ହିନ୍ଦୁ କଲେଜର ଗୋଟିଏ ଉପସ୍ଥିତି ରେଜିଷ୍ଟର୍ ମଧ୍ୟ ଅଛି, ଯେଉଁଥିରେ କେଦାରନାଥ ଦତ୍ତଙ୍କ ନାମ ରହିଛି ।
ଭକ୍ତିବିନୋଦ ନିଜ ଜନ୍ମ (୧୮୩୮) ଠାରୁ ୧୮୯୪ରେ ତାଙ୍କ ଅବସର ପର୍ଯ୍ୟନ୍ତ ସମୟକୁ ଆବର୍ତ୍ତ କରି ଗୋଟିଏ ଆତ୍ମଜୀବନୀ “ସ୍ୱଲିଖିତ-ଜୀବନୀ” ଲେଖିଥିଲେ । ୨୩ ଜୁନ ୧୯୧୪ରେ ସେ କଲିକତାରେ ୭୫ବର୍ଷ ବୟସରେ ଦେହାନ୍ତ କଲେ । ତାଙ୍କ ଅସ୍ଥି ମାୟାପୁର, ପଶ୍ଚିମବଙ୍ଗ ନିକଟରେ ସମାଧିସ୍ଥ କରାଯାଇଥିଲା ।
ଆଧାର
[ସମ୍ପାଦନା]- ↑ Fuller 2005, pp. iv, 3, 90, 102.
- ↑ Dasa 1999, p. 7, 254–255.
- ↑ Dasa 1999, p. 33.
- ↑ Dasa 1999, pp. 34–36.
- ↑ Dasa 1999, pp. 67–68.
- ↑ Fuller 2005, pp. 84–85.
- ↑ Fuller 2005, p. 90.
- ↑ "Adieu to Vishwakarma & Ganesh and more news from Kolkata in pictures" (in ଇଂରାଜୀ). Retrieved 2025-11-17.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |