Jump to content

ବେଗମ ହଜରତ୍ ମହଲ

ଉଇକିପିଡ଼ିଆ‌ରୁ
(Begum Hazrat Mahalରୁ ଲେଉଟି ଆସିଛି)
ବେଗମ ହଜରତ୍ ମହଲ
ବେଗମ ହଜରତ୍ ମହଲ

Begum Hazrat Mahal
Husband Nawab Wajid Ali Shah
ଜନ୍ମ 1820[ଆଧାର ଲୋଡ଼ା]
Faizabad, Awadh
ମୃତ୍ୟ 7 April 1879 (aged 59)
Kathmandu, Kingdom of Nepal
ଧର୍ମ Shia Islam[]

ବେଗମ ହଜରତ୍ ମହଲ (ଜନ୍ମ:ଆନୁମାନିକ 1820 – 7 ଏପ୍ରିଲ 1879), ଯିଏ ଅୱଧର ବେଗମ ଭାବେ ମଧ୍ୟ ପରିଚିତ, ଅୱଧର ନବାବ ୱାଜିଦ ଅଲି ଶାହଙ୍କ ଦ୍ୱିତୀୟ ପତ୍ନୀ ଥିଲେ। ୧୮୫୭ ମସିହାର ଭାରତୀୟ ବିଦ୍ରୋହ ସମୟରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ହୋଇଥିବା ସଂଗ୍ରାମରେ ତାଙ୍କ ନେତୃତ୍ୱ ପାଇଁ ସେ ପରିଚିତ।

ତାଙ୍କ ସ୍ୱାମୀଙ୍କୁ କଲିକତାକୁ ନିର୍ବାସିତ କରାଯିବା ପରେ ଏବଂ ଭାରତୀୟ ବିଦ୍ରୋହ ଆରମ୍ଭ ହେବା ସହିତ, ସେ ତାଙ୍କ ପୁଅ ରାଜକୁମାର ବିରଜିସ୍ କଦରଙ୍କୁ ଅୱଧର ୱାଲି (ଶାସକ) ଘୋଷଣା କରିଥିଲେ ଏବଂ ତାଙ୍କ ନାବାଳକତା ସମୟରେ ନିଜେ ରେଜେଣ୍ଟ ( ଅଭିଭାବକ) ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତେବେ ଅଳ୍ପ ସମୟର ଏହି ଶାସନ ପରେ ସେ ଏହି ଭୂମିକା ତ୍ୟାଗ କରିବାକୁ ବାଧ୍ୟ ହୋଇଥିଲେ।[] ହଲୌର ମାର୍ଗରେ ସେ ଶେଷରେ ନେପାଳରେ ଆଶ୍ରୟ ନେଇଥିଲେ, ଯେଉଁଠାରେ ୧୮୭୯ ମସିହାରେ ତାଙ୍କ ମୃତ୍ୟୁ ହୋଇଥିଲା। ଇଂରେଜ ବିରୋଧୀ ବିଦ୍ରୋହରେ ତାଙ୍କ ଭୂମିକା ତାଙ୍କୁ ଉପନିବେଶୋତ୍ତର ଭାରତୀୟ ଇତିହାସରେ ଏକ ନାୟିକାର ମର୍ଯ୍ୟାଦା ଦେଇଛି।

ଜୀବନୀ

[ସମ୍ପାଦନା]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ବେଗମ ହଜରତ୍ ମହଲଙ୍କ ପ୍ରକୃତ ନାମ ମୋହମ୍ମଦୀ ଖାନମ୍ ଥିଲା। ସେ ୧୮୨୦ ମସିହାରେ ଆୱଧ ରାଜ୍ୟର ପୂର୍ବତନ ରାଜଧାନୀ ଫଇଜାବାଦରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା ତାଙ୍କୁ ବିକ୍ରୟ କରିଦେଇଥିଲେ ଏବଂ ସେ ପେଶାରେ ଏକ ତୱାଇଫ୍ ହୋଇଥିଲେ। ରାଜକୀୟ ଏଜେଣ୍ଟମାନଙ୍କ ଦ୍ୱାରା କିଣାଯିବା ପରେ ସେ ଖୱାସିନ୍ ଭାବେ ରାଜହରେମରେ ପ୍ରବେଶ କରିଥିଲେ, ଯେଉଁଠାରେ ପରେ ସେ ପରୀ ପଦବୀକୁ ପଦୋନ୍ନତି ପାଇଥିଲେ।[]

ଅୱଧର ଶେଷ ତାଜଦାର-ଏ-ଆୱଧ, ନବାବ ୱାଜିଦ ଅଲି ଶାହଙ୍କ ରାଜକୀୟ ଉପପତ୍ନୀ ଭାବେ ଗ୍ରହଣ କରାଯିବା ପରେ ସେ ବେଗମ ଉପାଧି ପାଇଥିଲେ ଏବଂ ତାଙ୍କ ଉପପତ୍ନୀ ହୋଇଥିଲେ।[] ତାଙ୍କ ପୁଅ ବିରଜିସ୍ କଦରଙ୍କ ଜନ୍ମ ପରେ ତାଙ୍କୁ ହଜରତ୍ ମହଲ ଉପାଧି ପ୍ରଦାନ କରାଯାଇଥିଲା। ୧୮୫୬ ମସିହାରେ ବ୍ରିଟିଶମାନେ ଅୱଧକୁ ଅଧିଗ୍ରହଣ କରିଥିଲେ ଏବଂ ୱାଜିଦ ଅଲି ଶାହଙ୍କୁ କଲିକତାକୁ ନିର୍ବାସିତ କରାଯାଇଥିଲା । ବେଗମ ହଜରତ୍ ମହଲ ତାଙ୍କ ପୁଅ ସହିତ ଲକ୍ଷ୍ନୌଉରେ ରହିଥିଲେ[][] ଏବଂ ଶୀଘ୍ର ହିଁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ସଶସ୍ତ୍ର ସଂଗ୍ରାମରେ ଲିପ୍ତ ଅୱଧର ବିଦ୍ରୋହୀ ମାନଙ୍କ ସହ ମିଶି ବିଦ୍ରୋହର ପରିଚାଳନାଭାର ଗ୍ରହଣ କରିଥିଲେ।

୧୮୫୭ ମସିହାର ଭାରତୀୟ ବିଦ୍ରୋହ

[ସମ୍ପାଦନା]

୧୮୫୭ ମସିହାର ବିଦ୍ରୋହ ସମୟରେ ବେଗମ ହଜରତ୍ ମହଲଙ୍କ ସମର୍ଥକ ଦଳ, ଯାହାରେ ରାଜା ହନୁମନ୍ତ ସିଂହ ଅନ୍ତର୍ଭୁକ୍ତ ଥିଲେ, ବ୍ରିଟିଶମାନଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ରାଜା ଜଇଲାଲ ସିଂହଙ୍କ ନେତୃତ୍ୱରେ ବିପ୍ଳବୀୟ ସେନା ଲକ୍ନଉର ନିୟନ୍ତ୍ରଣ ନେଇଥିଲା ଏବଂ ବେଗମ ତାଙ୍କ ଅପ୍ରାପ୍ତବୟସ୍କ ପୁଅ ବିରଜିସ୍ କଦରଙ୍କ ଅଭିଭାବକ ଭାବେ ଶକ୍ତି ଗ୍ରହଣ କରିଥିଲେ, ଯାହାଙ୍କୁ ସେ ଅୱଧର ଶାସକ (ୱାଲି) ଭାବେ ଘୋଷଣା କରିଥିଲେ। ରେଜେଣ୍ଟ ଭାବେ ସେ ସ୍ୱତଃସ୍ଫୁର୍ତ୍ତ ଭାବେ ବ୍ରିଟିଶ ବିରୋଧୀ ବିଦ୍ରୋହରେ ଏକ ମୁଖ୍ୟ ନେତୃତ୍ୱ ଭୂମିକା ଗ୍ରହଣ କରିଥିଲେ।

ବେଗମ ହଜରତ୍ ମହଲଙ୍କ ମୁଖ୍ୟ ଅଭିଯୋଗମାନଙ୍କ ମଧ୍ୟରୁ ଗୋଟିଏ ଥିଲା ଯେ ଇଷ୍ଟ ଇଣ୍ଡିଆ କମ୍ପାନୀ ସଡ଼କ ନିର୍ମାଣର ନାମରେ ଅନାବଶ୍ୟକ ଭାବରେ ମନ୍ଦିର ଏବଂ ମସଜିଦଗୁଡ଼ିକୁ ଧ୍ୱଂସ କରୁଥିଲା। ବିଦ୍ରୋହର ଶେଷ ଦିନଗୁଡ଼ିକରେ ଜାରି କରାଯାଇଥିବା ଏକ ଘୋଷଣାପତ୍ରରେ ସେ ବ୍ରିଟିଶମାନଙ୍କ ଧର୍ମୀୟ ସ୍ୱାଧୀନତା ଦାବିକୁ ବ୍ୟଙ୍ଗ କରିଥିଲେ । ହଜରତ୍ ମହଲ ପ୍ରଥମେ ନାନା ସାହେବଙ୍କ ସହିତ ସହଯୋଗରେ କାର୍ଯ୍ୟ କରିଥିଲେ, ପରେ ସେ ଫଇଜାବାଦର ମୌଲବୀଙ୍କ ସହିତ ମିଶି ଶାହଜହାନପୁର ଉପରେ ଆକ୍ରମଣ କରିଥିଲେ। ବ୍ରିଟିଶ ସେନା ଲକ୍ଷ୍ନୌ ଏବଂ ଅୱଧର ଅଧିକାଂଶ ଅଞ୍ଚଳ ପୁନଃଦଖଳ କରିବା ପରେ ସେ ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ।

ପରବର୍ତ୍ତୀ ଜୀବନ

[ସମ୍ପାଦନା]

ଶେଷରେ ସେ ନେପାଳକୁ ପଲାୟନ କରିଥିଲେ, ଯେଉଁଠାରେ ପ୍ରଥମେ ରାଣା ପ୍ରଧାନମନ୍ତ୍ରୀ ଜଙ୍ଗ ବହାଦୁର ପ୍ରଥମେ ତାଙ୍କୁ ରାଜନୈତିକ ଶରଣ/ଆଶ୍ରୟ ଦେବାକୁ ଅସ୍ୱୀକାର କରିଥିଲେ[], କିନ୍ତୁ ପରେ ସେଠାରେ ରହିବାକୁ ଅନୁମତି ମିଳିଥିଲା ।[] ୧୮୭୯ ମସିହାରେ ସେ ନେପାଳରେ ପରଲୋକ ପ୍ରାପ୍ତ ହୋଇଥିଲେ ଏବଂ କାଠମାଣ୍ଡୁର ଜାମା ମସଜିଦ ପରିସରରେ ଏକ ଅନାମ ସମାଧିରେ ତାଙ୍କୁ ସମାଧୀ ଦିଆଯାଇଥିଲା ।[] ତାଙ୍କ ମୃତ୍ୟୁ ପରେ, ୧୮୮୭ ମସିହାରେ ରାଣୀ ଭିକ୍ଟୋରିଆଙ୍କ ଜୁବିଲି ଅବସରରେ ବ୍ରିଟିଶ ସରକାର ବିରଜିସ୍ କଦରଙ୍କୁ କ୍ଷମା କରିଥିଲା ଏବଂ ତାଙ୍କୁ ଦେଶକୁ ଫେରିବାର ଅନୁମତି ଦିଆଯାଇଥିଲା।[୧୦]

  1. "Begum Hazrat Mahal Biography, History and Facts". 2018-02-03. Archived from the original on 24 August 2018. Retrieved 31 August 2018.
  2. "A link to Indian freedom movement in Nepal". The Hindu (in Indian English). 2014-04-07. ISSN 0971-751X. Retrieved 2026-02-11.
  3. Michael Edwardes (1975) Red Year. London: Sphere Books; p. 104
  4. Saul David (2002) The Indian Mutiny, Viking; p. 185
  5. Saul David (2002) The Indian Mutiny, Viking; p. 185
  6. "Begum Hazrat Mahal: The Revolutionary Queen of Awadh". Indian Culture Portal. Ministry of Culture, Government of India; Indian Institute of Technology Bombay; Indira Gandhi National Open University. Archived from the original on 17 July 2022. Retrieved 1 August 2022.
  7. Harcourt, E.S (2012). Lucknow the Last Phase of an Oriental Culture (seventh ed.). Delhi: Oxford University Press. p. 76. ISBN 978-0-19-563375-7.
  8. Harcourt, E.S (2012). Lucknow the Last Phase of an Oriental Culture (seventh ed.). Delhi: Oxford University Press. p. 76. ISBN 978-0-19-563375-7.
  9. Harcourt, E.S (2012). Lucknow the Last Phase of an Oriental Culture (seventh ed.). Delhi: Oxford University Press. p. 76. ISBN 978-0-19-563375-7.
  10. Harcourt, E.S (2012). Lucknow the Last Phase of an Oriental Culture (seventh ed.). Delhi: Oxford University Press. p. 76. ISBN 978-0-19-563375-7.