ବୈଷ୍ଣବଚରଣ ନାୟକ

ଉଇକିପିଡ଼ିଆ‌ରୁ
(Baisnaba Charana Nayakରୁ ଲେଉଟି ଆସିଛି)
ବୈଷ୍ଣବଚରଣ ନାୟକ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ

ବୈଷ୍ଣବଚରଣ ନାୟକ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ । ମହାତ୍ମା ଗାନ୍ଧୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୯୪୨ ମସିହାରେ ଅଗଷ୍ଟ ବିପ୍ଳବ ସମୟରେ ତାଙ୍କ ନେତୃତ୍ୱରେ ଭଣ୍ଡାରୀପୋଖରୀଠାରେ ଥିବା ଥାନା, ପୋଷ୍ଟଅଫିସ ଓ ଟ୍ରେଜେରୀ ଆଦି ପୋଡ଼ି ଦିଆଯାଇଥିଲା ।[୧]

ସ୍ୱାଧୀନତା ସଂଗ୍ରାମରେ ଭୂମିକା[ସମ୍ପାଦନା]

ବୈଷ୍ଣବ ଚରଣ ନାୟକ ଜଣେ ଯୁବ ଆନ୍ଦୋଳକ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ସେ କଟକସ୍ଥିତ ରେଭେନ୍ସା କଲେଜରେ ପଢ଼ୁଥିବାବେଳେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।[୨] ଗାନ୍ଧୀଙ୍କ ଆଦର୍ଶକୁ ଗ୍ରାମଗୁଡ଼ିକରେ ବୁଲି ବୁଲି ପ୍ରଚାର କରିବା ସ‌ହ ଲୋକମାନଙ୍କୁ ସ୍ୱାଧୀନତା ଆନ୍ଦୋଳନ ପ୍ରତି ଆକୃଷ୍ଟ କରାଉଥିଲେ । ତାଙ୍କ କଥା ଏବଂ ତାଙ୍କର ନିଷ୍ଠାପର ଦେଶଭକ୍ତି ଓ ଦେଶ ସେବାରେ ଲୋକମାନେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଉଥିଲେ ।[୧]

ଅଗଷ୍ଟ ମାସରେ ମୁଖ୍ୟତଃ ଅଭାବ ଅନାଟନ ଲାଗି ରହିଥାଏ, ତେଣୁ ସେହି ସମୟରେ ବୈଷ୍ଣବଚରଣ ନାୟକ ତାଙ୍କର କେତେଜଣ ସ‌ହଯୋଗୀଙ୍କ ସ‌ହ ସେ ଅଞ୍ଚଳର ମହାଜନଙ୍କଠାରୁ ବୁଝାସୁଝା କରି ଧାନ ଆଣି ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ । ସେହି ସମୟରେ ଭଣ୍ଡାରୀପୋଖରୀର କୁମ୍ଭାରିଆଠାରେ ଥିବା କଂଗ୍ରେସ ଅଫିସକୁ ଆପତ୍ତିଜନ‌କ କାମରେ ଲିପ୍ତ ଥିବା ଦର୍ଶାଇ ବେଆଇନ ଘୋଷଣା କରିଦେଇଥିଲା, ତେଣୁ ସେ ଅଞ୍ଚଳରେ କର୍ମୀମାନଙ୍କ ସ‌ମେତ ସାଧାରଣ ଜନତା ମଧ୍ୟ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ । ଫଳରେ ଅଗଷ୍ଟ ବିପ୍ଳବ ସେଠାରେ ଏହ ଭୟଙ୍କର ରୂପ ଧାରଣ କରିଥିଲା ।[୧]

୧୯୪୨ ମସିହା ଅଗଷ୍ଟ ମାସ ୧୭ ତାରିଖ ଦିନ ବୈଷ୍ଣବଚରଣ ନାୟକ, ମୁରଲୀଧର ଜେନାମୁରଲୀଧର ପଣ୍ଡାଙ୍କ ନେତୃତ୍ୱରେ ୪୦୦୦ରୁ ୫୦୦୦ ଲୋକ କିରୋସିନୀ ଓ ନିଆଁ ହୁଳା ଧରି ଭଣ୍ଡାରୀପୋଖରୀ ପାଖରେ ଥିବା ପୋଲିସ କର୍ମଚାରୀଙ୍କ ବାସଗୃହ, ଫାଣ୍ଡି, ପୋଷ୍ଟଅଫିସ, ଟ୍ରେଜେରୀ ଆଦି ପୋଡ଼ି ଦେଇଥିଲେ । କଟକରୁ ଭଣ୍ଡାରୀପୋଖରୀଦେଇ ଭଦ୍ରକ ଯାଇଥିବା ଜଗନ୍ନାଥ ସଡ଼କ (ଏବେକାର ୧୬ ନଂ ଜାତୀୟ ରାଜପଥ) ଉପରେ ଥିବା ଏକ କାଠପୋଲକୁ ମଧ୍ୟ ଭାଙ୍ଗିଦେଇଥିଲେ । ଏହି ଘଟଣା ସମୟରେ ସେଠାରେ ଉପସ୍ଥିତ ଦୁଇ ପୋଲିସ କନେଷ୍ଟବଳଙ୍କୁ ମାଡ଼ ମାରି ଆନ୍ଦୋଳନ‌କାରୀମାନେ ଦୂରକୁ ଫିଙ୍ଗି ଦେଇଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ପଟ୍ଟନାୟକ, ଡକ୍ଟର ଜଗନ୍ନାଥ. ରକ୍ତ‌ତୀର୍ଥ ଇରମ. ନାଲନ୍ଦା. p. 19. Retrieved 13 August 2018.
  2. Mahotsav, Amrit. "Baishnab Charan Nayak". Azadi Ka Amrit Mahotsav, Ministry of Culture, Government of India (in English). Retrieved 2023-09-28.{{cite web}}: CS1 maint: unrecognized language (link)