ଅନୁପ ଦେବ
ଅନୁପ ଦେବ (ଜନ୍ମ: ୦୨.୦୧.୧୯୪୩) ହେଉଛନ୍ତି ସିକ୍କିମ ଏବଂ ଗୁଆହାଟୀ ଉଚ୍ଚ ନ୍ୟାୟାଲୟର ପ୍ରାକ୍ତନ ବିଚାରପତି ।[୧] ସେ ମଧ୍ୟ ୨ ଏପ୍ରିଲ ୧୯୯୬ରୁ ୨୬ ଡିସେମ୍ବର ୧୯୯୭ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ ।[୨]
ଶିକ୍ଷା ଓ ପେଶା
[ସମ୍ପାଦନା]ଜଷ୍ଟିସ୍ ଅନୁପ ଦେବ କଲିକତା ୟୁନିଭର୍ସିଟି ଅନ୍ତର୍ଗତ କଲେଜ୍ ଅଫ୍ ଲଲାରୁ ଆଇନରେ ଡିଗ୍ରୀ ହାସଲ କରି ୨୮-୧୧-୭୨ ତାରିଖରେ ପଶ୍ଚିମବଙ୍ଗ ବାର୍ କାଉନସିଲରେ ଆଇନଜୀବୀ ଭାବେ ଯୋଗ ଦେଲେ ଏବଂ ୫-୫-୮୩ ତାରିଖରେ କଲିକତା ଉଚ୍ଚ ନ୍ୟାୟାଲୟର ବରିଷ୍ଠ ଅଧିବକ୍ତା ଭାବେ ମାନ୍ୟତା ପ୍ରାପ୍ତ ହେଲେ । ଓକିଲ ହିସାବରେ ସେ ସିକ୍କିମ ଏବଂ କଲିକତା ହାଇକୋର୍ଟରେ ସିଭିଲ, କ୍ରିମିନାଲ, ସଂବିଧାନିକ, କର ଏବଂ ସେବା ସମ୍ପର୍କିତ ମାମଲାରେ ଆଇନ ବ୍ୟବସାୟ କରିଥିଲେ । କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧୀକରଣ ଏବଂ ଭାରତ ସୁପ୍ରିମ କୋର୍ଟରେ ମଧ୍ୟ ଓକିଲାତି କରିଥିଲେ । ୧୯୭୩ ଠାରୁ ୧୯୭୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ପ୍ୟାନେଲ୍ ଆଇନଜୀବୀ ଥିଲେ । ଏହାପରେ ସିକ୍କିମ ସରକାରଙ୍କ ଦ୍ଵାରା ସରକାରୀ ଅଧିବକ୍ତା ଭାବେ ନିଯୁକ୍ତ ହେଲେ ଏବଂ କେନ୍ଦ୍ର ସରକାରଙ୍କ ଷ୍ଟାଣ୍ଡିଂ କାଉନସିଲ୍ (ରେଲୱେ ଏବଂ ଆୟକର ବିଭାଗ ବ୍ୟତୀତ) ଭାବେ ମଧ୍ୟ ନିଯୁକ୍ତ ହେଲେ । ୧୯୯୦ରୁ ତାଙ୍କ ପଦୋନ୍ନତି ପର୍ଯ୍ୟନ୍ତ ସିକ୍କିମ ହାଇକୋର୍ଟ ଆଇନଜୀବୀ ବାର୍ ଏସୋସିଏସନ୍ର ଅଧ୍ୟକ୍ଷ ଭାବେ କାମ କଲେ । ସିକ୍କିମ ହାଇକୋର୍ଟରେ ଭାରତ ସରକାରଙ୍କ ଆୟକର ବିଭାଗ ପାଇଁ ବରିଷ୍ଠ ଷ୍ଟାଣ୍ଡିଂ କଉନସିଲ୍ ଭାବେ ଦାୟିତ୍ୱ ନିବାହ କଲେ । ୦୮.୧୨.୧୯୯୨ ଠାରୁ କଲିକତା ବେଞ୍ଚରେ କେନ୍ଦ୍ରୀୟ ପ୍ରଶାସନିକ ଆଦାଲତର ବରିଷ୍ଠ ଷ୍ଟାଣ୍ଡିଂ କଉନସିଲ୍ ଭାବେ କାମ କଲେ । ସିକ୍କିମ ହାଇକୋର୍ଟରେ ଆୟକର ବିଭାଗର ବିଶେଷ କାଉନସିଲ୍ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ସିକ୍କିମର ଅତିରିକ୍ତ ଏଡଭୋକେଟ୍ ଜେନେରାଲ୍ ଏବଂ ପରେ ଏଡଭୋକେଟ୍ ଜେନେରାଲ୍ ଭାବେ ମଧ୍ୟ କାମ କରିଥିଲେ । ୧୯୮୪-୮୫ ମସିହାରେ ସେ ସିକ୍କିମ ରାଜ୍ୟ ଆଇନ କମିଶନର ସଦସ୍ୟ ଭାବେ ଓ ୧୯୮୪ ମସିହାରେ ସିକ୍କିମ ରାଜ୍ୟ ଆଇନ ସହାୟତା କମିଟିର ଉପାଧ୍ୟକ୍ଷ ଭାବେ କାମ କଲେ । ସିକ୍କିମ ସରକାରୀ ଆଇନ କଲେଜର ସାମୟିକ ଅଧ୍ୟାପକ ଭାବେ କର୍ଯ୍ୟ ନିର୍ବାହ କରିଥିଲେ ।[୩]
୧୬.୧୨.୧୯୯୪ ରେ ସେ ସିକ୍କିମ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଲେ ।[୧] ୦୯.୦୨.୧୯୯୫ ରେ ଗୁଆହାଟି ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ ଏବଂ ତାହାପରେ ସ୍ଥାନାନ୍ତର ହୋଇ ୦୨.୦୪.୧୯୯୬ ରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କଲେ । ପୁଣି ୨୭ ଡିସେମ୍ବର ୧୯୯୭ରେ ସିକ୍କିମ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇ ସେଠାରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟୀତ୍ଵ ସଂପନ୍ନ କରିଥିଲେ ।
ମାତ୍ର ୫୯ ବର୍ଷ ବୟସରେ ସ୍ଵାସ୍ଥ୍ୟ ଜନିତ ଯନ୍ତ୍ରଣା ସହ୍ୟ କରି ନ ପାରି ୧୨.୦୩.୨୦୦୨ ରେ ସେ ଆତ୍ମହତ୍ୟା କରି ମୃତ୍ୟୁ ବରଣ କଲେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Former Judges | High Court of Sikkim". hcs.gov.in (in ଇଂରାଜୀ). Retrieved 2025-01-21.
- ↑ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-21.
- ↑ "Former Hon'ble Judges of the Gauhati High Court – THE GAUHATI HIGH COURT". ghconline.gov.in. Retrieved 2025-01-21.
- ↑ "Sikkim HC judge commits suicide". The Times of India. 2002-03-13. ISSN 0971-8257. Retrieved 2025-01-21.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |