ଅଗ୍ନିପୁରାଣ

ଅଗ୍ନିପୁରାଣ (Sanskrit: अग्नि पुराण, Agni Purāṇa) ହିନ୍ଦୁ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରୁ ଅନ୍ୟତମ ।[୧] ହିନ୍ଦୁ ପୁରାଣ ସାହିତ୍ୟରେ ନିଜର ବିସ୍ତୃତ ଦୃଷ୍ଟିଭଙ୍ଗୀ ଓ ବିପୁଳ ଜ୍ଞାନଭଣ୍ଡାର ନିମନ୍ତେ ଏହାର ବିଶିଷ୍ଟ ସ୍ଥାନ ରହିଛି । ବିଷୟର ବିବିଧତା ଓ ଲୋକଉପଯୋଗୀତାର ଦୃଷ୍ଟିରୁ ଏହି ପୁରାଣର ବିଶେଷ ମହତ୍ତ୍ୱ ରହିଛି। ଅନେକ ବିଦ୍ଵାନ୍ମାନେ ବିଷୟବସ୍ତୁ ଆଧାରରେ ଏହାକୁ ‘ଭାରତୀୟ ସଂସ୍କୃତିର ବିଶ୍ୱକୋଷ’ ବୋଲି କହିଛନ୍ତି । ଅଗ୍ନିପୁରାଣରେ ତ୍ରିଦେବ—ବ୍ରହ୍ମା, ବିଷ୍ଣୁ ଓ ଶିବ ଏବଂ ସୂର୍ଯ୍ୟଙ୍କ ପୂଜା-ଉପାସନାର ବର୍ଣ୍ଣନା ମିଳେ । ଏଠାରେ ପରା-ଅପରା ବିଦ୍ୟାଙ୍କ ବର୍ଣ୍ଣନା, ମହାଭାରତର ସମସ୍ତ ପର୍ବର ସଂକ୍ଷିପ୍ତ କଥା, ରାମାୟଣର ସଂକ୍ଷିପ୍ତ କଥା, ମତ୍ସ୍ୟ, କୂର୍ମ ଆଦି ଅଵତାରମାନଙ୍କ କଥା, ସୃଷ୍ଟି ବର୍ଣ୍ଣନା, ଦୀକ୍ଷା-ବିଧି, ବାସ୍ତୁ-ପୂଜା, ବିଭିନ୍ନ ଦେବତାଙ୍କ ମନ୍ତ୍ର ଆଦି ଅନେକ ଉପଯୋଗୀ ବିଷୟର ଅତ୍ୟନ୍ତ ସୁନ୍ଦର ଉପସ୍ଥାପନା ରହିଛି।
ଏହି ପୁରାଣର ବକ୍ତା ଭଗବାନ ଅଗ୍ନିଦେବ ଥିବାରୁ ଏହାକୁ ‘ଅଗ୍ନିପୁରାଣ’ ବୋଲି କୁହାଯାଏ ।[୨][୩] ଅତ୍ୟନ୍ତ ଲଘୁ ଆକାର ହୋଇଥିଲେ ମଧ୍ୟ ଏହି ପୁରାଣରେ ସମସ୍ତ ବିଦ୍ୟାର ସଂଗ୍ରହ ହୋଇଛି । ଏହି ଦୃଷ୍ଟିରୁ ଅନ୍ୟ ପୁରାଣମାନଙ୍କ ତୁଳନାରେ ଏହା ଅଧିକ ବିଶିଷ୍ଟ ଓ ମହତ୍ତ୍ୱପୂର୍ଣ୍ଣ । ପଦ୍ମ ପୁରାଣରେ ଭଗବାନ ବିଷ୍ଣୁଙ୍କ ପୁରାଣମୟ ସ୍ୱରୂପର ବର୍ଣ୍ଣନା ରହିଛି ଏବଂ ଅଠରଟି ପୁରାଣକୁ ଭଗବାନଙ୍କ ଅଠରଟି ଅଙ୍ଗ ବୋଲି କୁହାଯାଇଛି । ସେହି ଆଧାରରେ ‘ଅଗ୍ନିପୁରାଣ’କୁ ଭଗବାନ ବିଷ୍ଣୁଙ୍କ ବାମ ପାଦ ବୋଲି କୁହାଯାଇଛି ।
କଥା ଏବଂ ବିସ୍ତାର
[ସମ୍ପାଦନା]ବିସ୍ତାର
[ସମ୍ପାଦନା]ଆଧୁନିକ ଉପଲବ୍ଧ ଅଗ୍ନିପୁରାଣର ଅନେକ ସଂସ୍କରଣରେ ୧୧,୪୭୫ ଶ୍ଲୋକ ଓ ୩୮୩ ଅଧ୍ୟାୟ ମିଳେ, କିନ୍ତୁ ନାରଦ ପୁରାଣ ଅନୁସାରେ ଏଥିରେ ୧୫,୦୦୦ ଶ୍ଲୋକ ଓ ମତ୍ସ୍ୟପୁରାଣ ଅନୁସାରେ ୧୬,୦୦୦ ଶ୍ଲୋକ ଥିବା କୁହାଯାଇଛି ।[୨] ବଲ୍ଲାଳ ସେନଙ୍କ ‘ଦାନସାଗର’ରେ ଉଲ୍ଲେଖ ଥିବା ଅଗ୍ନିପୁରାଣର ଅଂଶ ଆଜିର ପ୍ରକାଶିତ ପ୍ରତିମାନଙ୍କରେ ମିଳେ ନାହିଁ । ଏହି କାରଣରୁ ଏହାର କିଛି ଅଂଶ ଲୁପ୍ତ ହୋଇଥିବା ମନେକରାଯାଏ ।
ଅଗ୍ନିପୁରାଣରେ ପୁରାଣମାନଙ୍କ ପଞ୍ଚଲକ୍ଷଣ—ସର୍ଗ, ପ୍ରତିସର୍ଗ, ବଂଶ, ମନ୍ଵନ୍ତର ଓ ବଂଶାନୁଚରିତ—ସମସ୍ତଙ୍କ ବ୍ୟାଖ୍ୟା ରହିଛି । ସମସ୍ତ ବିଷୟର ସାନୁପାତିକ ଉଲ୍ଲେଖ ଏଥିରେ ଦେଖାଯାଏ ।
କଥା
[ସମ୍ପାଦନା]ଅଗ୍ନିପୁରାଣ ଅନୁସାରେ ଏଥିରେ ସମସ୍ତ ବିଦ୍ୟାର ବର୍ଣ୍ଣନା ଅଛି । ଏହା ଅଗ୍ନିଦେବଙ୍କ ସ୍ୱୟଂ ମୁଖରେ ବର୍ଣ୍ଣିତ ହୋଇଥିବାରୁ ଏହି ପୁରାଣ ପ୍ରସିଦ୍ଧ ଓ ମହତ୍ତ୍ୱପୂର୍ଣ୍ଣ । ଅଗ୍ନିଦେବ ଏହାକୁ ମହର୍ଷି ବଶିଷ୍ଠଙ୍କୁ ଶୁଣାଇଥିଲେ । ଏହା ଦୁଇ ଭାଗରେ ବିଭକ୍ତ—ପ୍ରଥମ ଭାଗରେ ବ୍ରହ୍ମ ବିଦ୍ୟାର ସାର ଅଛି । ଆରମ୍ଭରେ ଭଗବାନ ବିଷ୍ଣୁଙ୍କ ଦଶାବତାରର ବର୍ଣ୍ଣନା ଅଛି । ୧୧ ରୁଦ୍ର, ୮ ବସୁ ଏବଂ ୧୨ ଆଦିତ୍ୟ ସମ୍ବନ୍ଧରେ ବିବରଣୀ ମିଳେ । ଵିଷ୍ଣୁ ଓ ଶିବଙ୍କ ପୂଜା-ବିଧାନ, ସୂର୍ଯ୍ୟ ପୂଜା, ନୃସିଂହ ମନ୍ତ୍ର ଆଦି ବି ଏଠିରେ ଉଲ୍ଲିଖିତ । ପ୍ରାସାଦ ଓ ଦେଵାଳୟ ନିର୍ମାଣ, ମୂର୍ତ୍ତି ପ୍ରତିଷ୍ଠା ବିଧିମାନଙ୍କୁ ମଧ୍ୟ ଏଠିରେ ବର୍ଣ୍ଣିତ କରାଯାଇଛି । ପରବର୍ତ୍ତୀ ଅଂଶରେ ଭୂଗୋଳ, ଜ୍ୟୋତିଷ, ଆୟୁର୍ବେଦ ଆଦିର ବିବରଣୀ ଏବଂ ରାଜନୀତି ସମ୍ବନ୍ଧୀୟ ବିସ୍ତୃତ ଚର୍ଚ୍ଚା ମିଳେ । ଯୁଦ୍ଧ-ଶସ୍ତ୍ର, ଧନୁର୍ବେଦ, ସେନା ଶିକ୍ଷା, ଅସ୍ତ୍ର-ଶସ୍ତ୍ରର ବିବରଣୀ ଅତ୍ୟନ୍ତ ଜ୍ଞାନବର୍ଧକ । ଶେଷ ଭାଗରେ ଆୟୁର୍ବେଦର ବିଶେଷ ବିବରଣୀ ମିଳେ । ଛନ୍ଦଶାସ୍ତ୍ର, ଅଳଙ୍କାର, ବ୍ୟାକରଣ ଓ କୋଷ ବିଷୟକ ତଥ୍ୟ ମଧ୍ୟ ରହିଛି ।
ଅଗ୍ନିପୁରାଣର ମହତ୍ତ୍ୱ
[ସମ୍ପାଦନା]ପୁରାଣ ସାହିତ୍ୟରେ ଅଗ୍ନିପୁରାଣ ତାହାର ବିସ୍ତୃତ ଦୃଷ୍ଟିଭଙ୍ଗୀ ଓ ଜ୍ଞାନଭଣ୍ଡାର ନିମନ୍ତେ ବିଶେଷ ସ୍ଥାନ ରହିଛି । ପ୍ରାଚୀନ ଭାରତର ପରା ଓ ଅପରା ବିଦ୍ୟା ଏବଂ ବିଭିନ୍ନ ବୈଜ୍ଞାନିକ ଶାସ୍ତ୍ରର ବିବରଣୀ ଏତେ ବିସ୍ତୃତ ଯେ ଆଧୁନିକ ଦୃଷ୍ଟିରେ ଏହାକୁ ଗୋଟିଏ ବିଶାଳ ବିଶ୍ୱକୋଷ ବୋଲି କୁହିପାରିବୁ।
आग्नेय हि पुराणेऽस्मिन् सर्वा विद्याः प्रदर्शिताः (ଅଗ୍ନେୟ ହି ପୁରାଣେऽସ୍ମିନ୍ ସର୍ଵା ଵିଦ୍ୟାଃ ପ୍ରଦର୍ଶିତାଃ)
ଅଗ୍ନିପୁରାଣର ଏହି କଥା ଅନୁଯାୟୀ, ଏହି ପୁରାଣରେ ସମସ୍ତ ବିଦ୍ୟାର ବର୍ଣ୍ଣନା ଅଛି । ମହର୍ଷି ବଶିଷ୍ଠଙ୍କୁ ଅଗ୍ନିଦେବ ଏହା ଶୁଣାଇଥିଲେ । ପ୍ରଥମ ଭାଗରେ ବ୍ରହ୍ମବିଦ୍ୟାର ସାର ରହିଛି । ଏହା ସୁଣିଲେ ଦେବତାମାନେ ମାତ୍ର ନୁହେଁ, ସମସ୍ତ ପ୍ରାଣୀଜଗତ ସୁଖ ପାଇଥାଏ ।ଏଠିରେ ବିଷ୍ଣୁଙ୍କ ଅବତାରମାନଙ୍କ ବର୍ଣ୍ଣନା, ପୃଥୁଙ୍କ ଆଖ୍ୟାନ, ମରୀଷାଙ୍କ କଥା, କଶ୍ୟପଙ୍କ ବିସ୍ତୃତ ପରିବାର ବର୍ଣ୍ଣନା ରହିଛି । ଅଗ୍ନିଦେବ ଦେଵାଳୟ ନିର୍ମାଣର ଫଳ ବିଷୟକ ଆଖ୍ୟାନ, ୬୪ ଯୋଗିନୀଙ୍କ ବର୍ଣ୍ଣନା, ଶିବ ପୂଜା ବିଧି, କାଳଗଣନା, ଗଣିତ ଓ ରାହୁର ବିଶେଷ ବର୍ଣ୍ଣନା, ପ୍ରତିପଦା ଓ ଅନ୍ୟାନ୍ୟ ଵ୍ରତର ବିବରଣୀ, ‘ଧୀର’ ନାମକ ବ୍ରାହ୍ମଣଙ୍କ କଥା ଆଦି ଉଲ୍ଲିଖିତ ଅଛି ।
ଅଗ୍ନିପୁରାଣର ସଂକ୍ଷିପ୍ତ ସୂଚନା
[ସମ୍ପାଦନା]ଅଗ୍ନିଦେବ ଇଶାନକଳ୍ପର ବର୍ଣ୍ଣନା ବଶିଷ୍ଠଙ୍କୁ କରିଥିଲେ । ୧୫,୦୦୦ ଶ୍ଲୋକ ଥିବା ଏହି ପୁରାଣରେ ପୁରାଣ ସମ୍ବନ୍ଧୀୟ ପ୍ରଶ୍ନ, ଅବତାର କଥା, ସୃଷ୍ଟି ବିବରଣା, ବିଷ୍ଣୁ ପୂଜା, ଅଗ୍ନିକାର୍ଯ୍ୟ, ମନ୍ତ୍ର, ମୁଦ୍ରା, ଦୀକ୍ଷା ବିଧି, ଅଭିଷେକ, ମଣ୍ଡଳ, କୁଶ ସଂଗ୍ରହ, ପବିତ୍ରାରୋପଣ, ଦେବାଳୟ ବିଧି, ଶାଳଗ୍ରାମ ପୂଜା, ମୂର୍ତ୍ତିବିଧି, ନ୍ୟାସ, ପ୍ରତିଷ୍ଠା, ଵିନାଯକ ପୂଜା, ବ୍ରହ୍ମାଣ୍ଡ ବର୍ଣ୍ଣନା, ଗଙ୍ଗାଆଦି ତୀର୍ଥର ମାହାତ୍ମ୍ୟ, ଦ୍ୱୀପ-ବର୍ଷ ଵିବରଣା, ଲୋକବିନ୍ୟାସ, ଜ୍ୟୋତିର୍ଚ୍ଚକ୍ର, ଜ୍ୟୋତିଷଶାସ୍ତ୍ର, ଯୁଦ୍ଧଜୟାର୍ଣ୍ଣବ, ଷଟ୍କର୍ମ, ଯନ୍ତ୍ର, ଔଷଧ ସମୂହ, କୁବ୍ଜିକା ପୂଜା, ନ୍ୟାସ ବିଧି, କୋଟି ହୋମ, ମନ୍ଵନ୍ତର, ଆଶ୍ରମଧର୍ମ, ଶ୍ରାଦ୍ଧ, ଗ୍ରହଯଜ୍ଞ, ପ୍ରାୟଶ୍ଚିତ୍ତ, ତିଥି-ଵ୍ରତ, ନକ୍ଷତ୍ର-ଵ୍ରତ, ମାସିକ ଵ୍ରତ, ଦୀପଦାନ, ନଵଵ୍ୟୂହ ପୂଜା, ନରକନିରୂପଣ, ନାଡୀଚକ୍ର, ସନ୍ଧ୍ୟାବିଧି, ଗାୟତ୍ରୀ ଅର୍ଥ, ଲିଙ୍ଗସ୍ତୋତ୍ର, ରାଜ୍ୟାଭିଷେକ ମନ୍ତ୍ର, ରାଜଧର୍ମ, ସ୍ୱପ୍ନ ବିଚାର, ଶକୁନ, ମଣ୍ଡଳ, ରତ୍ନ, ଧନୁର୍ବେଦ, ଆଚାର, ଦେବାସୁର ସଂଗ୍ରାମ, ଆୟୁର୍ବେଦ, ହସ୍ତିଚିକିତ୍ସା, ଗୋଚିକିତ୍ସା, ମନୁଷ୍ଯଚିକିତ୍ସା, ପୂଜାବିଧି, ଶାନ୍ତିକର୍ମ, ଛନ୍ଦଶାସ୍ତ୍ର, ସାହିତ୍ୟ, କୋଷ, ପ୍ରଳୟ, ଶରୀରୀୟ ବେଦାନ୍ତ, ନରକ, ଯୋଗଶାସ୍ତ୍ର, ବ୍ରହ୍ମଜ୍ଞାନ ଓ ପୁରାଣ ଶ୍ରବଣର ଫଳ ବିବରଣୀ ମିଳେ ।
ଆଧାର
[ସମ୍ପାଦନା]- ↑ Dalal 2014, p. 10.
- ↑ ୨.୦ ୨.୧ Wilson 1864, p. LVIII-LX.
- ↑ Hazra 1940, pp. 134–136.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |