Jump to content

ୱାକଫ୍ (ସଂଶୋଧନ) ଆଇନ,୨୦୨୫

ଉଇକିପିଡ଼ିଆ‌ରୁ

"ୱାକଫ୍ (ସଂଶୋଧନ) ଆଇନ,୨୦୨୫" ଭାରତୀୟ ଲୋକସଭାରେ ୮ ଅଗଷ୍ଟ ୨୦୨୪ ରେ ପେଶ୍‌ ହୋଇଥିଲା । ଏହି ଆଇନଟି, ମୁସଲମାନ୍ ଓକଫ୍ ଆଇନ, ୧୯୨୩ କୁ ରଦ୍ଦ କରିବା ସହ ଏବଂ ୱାକଫ୍ ଆଇନ, ୧୯୯୫ କୁ ସଂଶୋଧନ କରିବା ପାଇଁ ଉଦ୍ଦିଷ୍ଟ ଯାହା ଫଳରେ ଏହି ଆଇନ ଦ୍ଵାରା ଭାରତରେ ଥିବା ୱାକଫ୍ ସଂପତ୍ତି ଉପରେ ସୁନିୟନ୍ତ୍ରଣ ରହିପାରିବ । ଏହି ସଂଶୋଧନ ପରେ, ଏହି ଆଇନର ନାମ ପରିବର୍ତ୍ତନ କରି "ଏକତ୍ରିତ ଓକଫ୍ ପ୍ରବନ୍ଧନ, ସଶକ୍ତିକରଣ, କାର୍ଯ୍ୟକୁଷଳତା ଏବଂ ବିକାଶ ଆଇନ, ୧୯୯୫" (UWMEED Act 1995) ରଖାଯାଇଛି ।[]

ଏହି ସଂଶୋଧନ ଆଇନରେ ଯୁଗ୍ମ ସଂସଦୀୟ ସମିତି (JPC) ର ୨୫ଟି ସୁପାରିଶ ଅନ୍ତର୍ଭୁକ୍ତ ଅଛି । ଏହାର ଉଦ୍ଦେଶ୍ୟ ହେଉଛି ଅସମତା କୁ ଅପସାରଣ କରିବା, ଲିଙ୍ଗ ସମାନତାକୁ ନିଶ୍ଚିତ କରିବା — ଯାହା ଅନୁଯାୟୀ କେନ୍ଦ୍ରୀୟ ୱାକଫ୍ ପରିଷଦ ଏବଂ ରାଜ୍ୟ ୱାକଫ୍ ବୋର୍ଡ୍‌ଗୁଡିକରେ କମ୍ ସେ କମ୍ ଦୁଇ ଜଣ ମୁସଲମାନ ମହିଳାଙ୍କ ଉପସ୍ଥିତି ଅବଶ୍ୟକ କରାଯିବ, ଏବଂ ମହିଳା ଉତ୍ତରାଧିକାର ଅଧିକାର ଦିଆଯିବ । ସେହିପରି ଆଇନଟି ମୁସଲିମ୍ ଧର୍ମର ବିଭିନ୍ନ ଉପ ବର୍ଗ ମଧ୍ୟରୁ ପ୍ରତିନିଧିତ୍ୱ ଦେଇ ଧାର୍ମିକ ସାମ୍ପ୍ରଦାୟିକ ଏକତାକୁ ଉତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ ।

ଏହି ଆଇନ ଭାରତର କେନ୍ଦ୍ର ସରକାରକୁ ୱାକଫ୍ ରେଜିଷ୍ଟ୍ରେସନ୍, ଅଡିଟ୍ ଏବଂ ହିସାବ ନିୟଂତ୍ରଣ ପାଇଁ ନିୟମ ତିଆରି କରିବା ଅଧିକାର ଦିଏ, ଯାହା ଦ୍ୱାରା ଦାୟିତ୍ଵବୋଧ ନିଶ୍ଚିତ ହେବ। ଏହି ଆଇନରେ ଏକ ଅପିଲ୍ ପ୍ରକ୍ରିୟା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି, ଯାହା ଅନୁସାରେ ୱାକଫ୍ ଟ୍ରାଇବୁନାଲ୍ ଦ୍ୱାରା ଗ୍ରହଣ କରାଯାଇଥିବା ନିଷ୍ପତ୍ତି ବିରୁଦ୍ଧରେ ୯୦ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ଅପିଲ୍ କରାଯାଇପାରିବ।

ସଂଶୋଧନର ଆବଶ୍ୟକତା

[ସମ୍ପାଦନା]

ଭାରତୀୟ ଜନତା ପାର୍ଟି ତାଙ୍କର ନିର୍ବାଚନୀ ଘୋଷଣାପତ୍ରରେ ୱାକଫ୍ ଆଇନକୁ ପୁନଃପୁନଃ ସଂଶୋଧନ କରିବା ପ୍ରତିଶୃତି ଦେବାପରେ ଭାରତୀୟ ରାଜନୀତି ତଥା ମିଡ଼ିଆରେ ଏହା ଏକ ଚର୍ଚ୍ଚାର ବିଷୟ ହୋଇଥିଲା । କର୍ଣ୍ଣାଟକ ୱାକଫ୍ ଭୂମି ଘୋଟାଳା ଭଳି ଦୁର୍ନୀତି ଓ ଜମି ଜବର ଦଖଲ ଘଟଣାମାନ ଘଟିବାପରେ "ୱାକଫ୍ (ସଂଶୋଧନ) ବିଲ୍, ୨୦୨୪" ପ୍ରସ୍ତୁତ କରାଯିବାର ଆବଶ୍ୟକତା ଅନୁଭୂତ ହେଲା । ୨୦୨୪ରେ, ଭାରତ ସରକାର ପ୍ରଚଳିତ ୱାକଫ୍ ଆଇନରେ ୪୦ରୁ ଅଧିକ ପରିବର୍ତ୍ତନ ପ୍ରସ୍ତାବ କରି ୱାକଫ୍ ସଂଶୋଧନ ବିଲ୍ ପ୍ରସ୍ତୁତ କରିଥିଲେ । ତେବେ, ଏହି ବିଲ୍‌ ମୁସଲିମ ସମ୍ପ୍ରଦାୟ ଦ୍ଵାରା ପ୍ରବଳ ବିରୋଷର ସମ୍ମୁଖୀନ ହୋଇଥିଲା । ଏହି ବିଲ୍‌ ୨୦୨୫ରେ ଭାରତୀୟ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହୋଇଛି । ଏହା ଦ୍ୱାରା ୱାକଫ୍‌ରେ ପ୍ରାମାଣିକତା ଓ ଦାୟିତ୍ଵବୋଧ ଆଣିବା ଉଦ୍ଦେଶ୍ୟ ଥିଲା ।

ଭାରତରେ ୱାକଫ୍ ଭୂ ସମ୍ପତ୍ତିର ବ୍ୟାପକ ବୃଦ୍ଧି ହୋଇଛି, ଏହା ୮୭୦,୦୦୦ ଟି ସଂପତିରେ ବିସ୍ତୃତ ଓ ଏହାର ମୂଲ୍ୟ ₹୧,୦୦,୦୦୦ କୋଟି (US$12 ବିଲିଅନ), ମୋଟ ୯୪୦,୦୦୦ ଏକର ପରିମିତ ଭୂମିକୁ ଆବୃତ କରିଛି (3,808 ବର୍ଗ କି.ମି.) । ୱାକଫ୍ ଭୂସମ୍ପତ୍ତି ଏହି ଆକୃତିରେ ବୃଦ୍ଧି ପାଇଥିବାରେ ମୁସଲିମ ଶାସକମାନେ ଓ ରାଜନେତାମାନଙ୍କର ଅନେକ ଭୂମିକା ରହିଛି । ୨୦୦୬ର ସାଚାର କମିଟି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଥିଲା ଯେ ୱାକଫ୍ ସଂପତିର ବ୍ୟବସ୍ଥିତ ରକ୍ଷଣାବେକ୍ଷଣର ଅଭାବ ସହ ଭୂସମ୍ପତ୍ତିର ଅବମୁଲ୍ୟାୟନ କରାଯାଇଥିଲା । ଫଳରେ ଏଥିରେ ଚିହ୍ନଟ କରାଯାଇଥିବା ₹୬,୦୦୦ କୋଟି ମୂଲ୍ୟର ୪.୯ ଲକ୍ଷ ସଂପତିରୁ ଆୟ କେବଳ ₹୧୬୩ କୋଟି ହେଉଥିଲା । ଏହି ରିପୋର୍ଟ୍‌ରେ ଦୁର୍ବଳ ପ୍ରଶାସନ ଓ ପରିଚାଳନା ଦର୍ଶାଇ ସଂସ୍ଥାଗତ ସୁଧାର ସୁପାରିଶ କରାଯାଇଥିଲା ।

ଅନେକ ବିବାଦିତ ଘଟଣାରେ ବେପରୁଆ ଭୂମି ଦଖଲ ଦ୍ଵାରା ବିପୁଳ ୱାକଫ୍ ସଂପତି ବୃଦ୍ଧି ହୋଇଛି । ଏହାର ଏକ ଉଦାହରଣ ହେଉଛି ତାମିଲନାଡୁର ତିରୁଚିରାପଲ୍ଲି ଜିଲ୍ଲାର ତିରୁଚେନ୍ଥୁରାଇ ନାମକ ଏକ ହିନ୍ଦୁ ଗ୍ରାମ, ଯେଉଁଠାରେ ୧,୫୦୦ ବର୍ଷ ପୁରୁଣା ସୁନ୍ଦରେଶ୍ୱର ମନ୍ଦିର ରହିଅଛି, ସେଠାକାର ଜମିକୁ ତାମିଲନାଡୁ ୱାକଫ୍ ବୋର୍ଡ ନିଜସ୍ଵ ଦାବି କରିଛି । ଏହା ଗ୍ରାମବାସୀଙ୍କୁ ହତଚକିତ କରିବା ସହ ହିନ୍ଦୁ ଜାତିକୁ କ୍ରୋଧିତ କରିଛି, କାରଣ ୱାକଫ୍ ସଂପତି ପୂର୍ବ ଆଇନ ଅନୁଯାୟୀ ଅପରିବର୍ତ୍ତନୀୟ ତଥା ବିକ୍ରୟ/ସ୍ଥାନାନ୍ତରଣ ଅଯୋଗ୍ୟ ଅଟେ । ଏଭଳି ଅନେକ ଅଭାବନୀୟ ପରିସ୍ଥିତି ପରେ ୱାକଫ୍ ବ୍ୟବସ୍ଥା ଓ ଆଇନର ସଂଶୋଧନ ଦାବି ଜନ୍ମ ନେଇଥିଲା ।[][]

  1. "Centre introduces Waqf Amendment Bill 2024: What is the bill about, key features and more - Centre introduces Waqf Amendment Bill 2024: What is the bill about, key features and more BusinessToday". Business Today (in ଇଂରାଜୀ). 2024-08-08. Retrieved 2025-04-22.
  2. "Waqf land in India grew from 2 villages gifted by invader Ghori to 9.4 lakh acre". India Today (in ଇଂରାଜୀ). 2024-11-29. Retrieved 2025-04-22.
  3. "Waqf through the ages: How Rs 1-lakh crore property owner board acquires land and what the govt aims to change". The Economic Times. 2024-08-08. ISSN 0013-0389. Retrieved 2025-04-22.