ୱାଇ-ଫାଇ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ୱାଇ-ଫାଇ
Developed by ୱାଇ-ଫାଇ ଆଲିଆନ୍ସ୍
Compatible hardware ମୋବାଇଲ୍, କମ୍ପ୍ୟୁଟର, ଗେମିଙ୍ଗ୍ କନ୍‌ସୋଲ୍, ଟେଲିଭିଜନ

ୱାଇ-ଫାଇ (Wi-Fi) ହେଉଛି ଏକ ଟେକ୍ନୋଲୋଜି ବା ପ୍ରଯୁକ୍ତି, ଯାହାଦ୍ୱାରା ଇଲେକ୍ଟ୍ରିନିକ୍ସ୍ ଯନ୍ତ୍ରଗୁଡ଼ିକ ପରସ୍ପର ସ‌ହ ସଂଯୋଗ ସ୍ଥାପନ କରି ନିଜ ନିଜ ଭିତରେ ଯୋଗାଯୋଗ କରିଥାନ୍ତି । ଏହାର ପୁରା ନାମ ହେଉଛି ଓୟାର୍‌ଲେସ୍ ଫିଡେଲିଟି (Wireless Fidelity)ଓୟାର୍‌ଲେସ୍‌‌ର ଅର୍ଥ ତାରବିହୀନ[୧]ଫିଡେଲିଟିର ଅର୍ଥ ଭରସା ବା ବିଶ୍ୱାସ[୨] । ଅର୍ଥାତ୍ ଏହି ବ୍ୟବସ୍ଥାରେ ଯନ୍ତ୍ରଗୁଡ଼ିକ ବିନା ତାରରେ ପରସ୍ପର ସ‌ହିତ ଭରସାଯୋଗ୍ୟ ସଂଯୋଗ ସ୍ଥାପନ କରିଥାନ୍ତି । ଇଲେକ୍ଟ୍ରିନିକ୍ସ୍ ଯନ୍ତ୍ରଗୁଡ଼ିକ ମଧ୍ୟରେ ଏହି ପ୍ରକାର ସଂଯୋଗକୁ ସଂଯୋଗବିହୀନ ସଂଯୋଗ ମଧ୍ୟ କୁହାଯାଇପାରେ । ଏହି ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ରହିଥିବା ମୋବାଇଲ୍, ଲାପ୍‌ଟପ୍ ଓ କମ୍ପ୍ୟୁଟର ଇତ୍ୟାଦି ଯନ୍ତ୍ରଗୁଡ଼ିକ ମଧ୍ୟରେ ତାରବିହୀନ ଇଣ୍ଟରନେଟଦ୍ୱାରା ଯୋଗାଯୋଗ ହୋଇଥାଏ । ଏହି ପ୍ରଯୁକ୍ତିର ବିଶେଷତ୍ୱ ହେଲା ସେବା ପ୍ରଦାନ‌କାରୀ ଇଣ୍ଟର୍‌ନେଟ୍ ସଂସ୍ଥା (Internet Service Provider ବା ISP) ପକ୍ଷରୁ ଦିଆଯାଇଥିବା ଗତିଠାରୁ ଏହାର ତୀବ୍ରତା ଅଧିକ ରହିଥାଏ । ତେବେ ଏହି ତାରବିହୀନ ନେଟ୍‌ୱାର୍କ ତିଆରି କରିବା ପାଇଁ ଏକ ରାଉଟର୍‌ର ଆବଶ୍ୟକତା ପଡ଼ିଥାଏ । ରେଡ଼ିଓ ତରଙ୍ଗ ସାହାଯ୍ୟରେ ଏହି ପ୍ରଯୁକ୍ତି କାମ କରିଥାଏ । ସାଧାରଣତଃ ୨.୪ ଗିଗାହର୍ଜ ୟୁଏଚ୍ଏଫ୍ ଏବଂ ୬ ଗିଗାହର୍ଜ ଏସ୍ଏଚ୍ଏଫ୍ ବେତାର ତରଙ୍ଗ ମଧ୍ୟରେ ୱାଇ-ଫାଇ ଅନ୍ୟ ଇଲେକ୍ଟ୍ରିନିକ୍ସ୍ ଉପକରଣ‌ଗୁଡ଼ିକୁ ସଂଯୋଗ କରିଥାଏ ।[୩]

ୱାଇ-ଫାଇ ବ୍ୟବସ୍ଥାଦ୍ୱାରା ତିଆରି କରାଯାଇଥିବା ନେଟ୍‌ୱାର୍କ୍‌କୁ WLAN (Wireless Local Area Network) କୁହାଯାଏ । ସୁରକ୍ଷା ଦୃଷ୍ଟିରୁ ୱାଇ-ଫାଇ ସାଧାରଣତଃ ଦୁର୍ବଳ । କାରଣ ଏଥିପାଇଁ କୌଣସି ତାର ସଂଯୋଗ କରିବାକୁ ପଡ଼ି ନ ଥାଏ । ସୁରକ୍ଷା ଦୃଷ୍ଟିକୋଣରୁ ରାଉଟର୍‌କୁ ନିର୍ଦ୍ଦେଶ ଦେବା ପାଇଁ ପାସ୍‌ୱାର୍ଡ଼୍ ବ୍ୟବସ୍ଥା କରାଯାଇଛି । ଏହି ପାସ୍‌ୱାର୍ଡ଼୍ଦ୍ୱାରା ୱାଇ-ଫାଇ ନେଟ୍‌ୱାର୍କ୍‌ରେ କିଛିଟା ସୁରକ୍ଷା ଯୋଗାଇଦେବା ସମ୍ଭବ ହୋଇଥାଏ ।[୩]

ଇତିହାସ[ସମ୍ପାଦନା]

ୱାଇ-ଫାଇ ବ୍ୟବ‌ହାରର ଇତିହାସକୁ ଲକ୍ଷ୍ୟ କଲେ ଜଣାଯାଏ, ଏହି ପ୍ରଯୁକ୍ତି ବେଶି ପୁରୁଣା ନୁହେଁ । ୧୯୭୧ ମସିହାରେ ଆଲୋହାନେଟ୍ (ALOHAnet) ପକ୍ଷରୁ ହାଇୱାନ ଦ୍ୱୀପ‌ପୁଞ୍ଜକୁ ୟୁଏଚ୍ଏଫ୍ ତାରବିହୀନ ପ୍ୟାକେଟ୍ ନେଟ୍‌ୱାର୍କ୍ ସ‌ହ ସଂଯୋଗ କରାଯାଇଥିଲା । ସେହିପରି ୧୯୮୬ ମସିହାରେ ଆମେରିକାର ଫେଡେରାଲ୍ କମ୍ୟୁନିକେସନ୍ କମିସନ୍ (US Federal Communications Commission) ପକ୍ଷରୁ ଆଇଏସ୍ଏମ୍ ବେଣ୍ଡ୍ ପ୍ରଯୁକ୍ତିକୁ ତିଆରି କରାଯାଇଥିଲା । ଏହି ଦୁଇ ପ୍ରଯୁକ୍ତି ସାହାଯ୍ୟରେ ୧୯୯୧ ମସିହାରେ ଏନ୍‌ସିଆର୍ କର୍‌ପୋରେସନ୍ (NCR Corporation) ଓ ଏଟି ଆଣ୍ଡ୍ଟି କର୍ପୋରେସନ୍ (AT&T Corporation) ୱେଭ୍‌ଲେନ୍ ନାମକ ପ୍ରଥମ ତାରବିହୀନ ସାମଗ୍ରୀର ପ୍ରସ୍ତୁତି କରିଥିଲେ । ତେବେ ସିସ୍ରୋ ପକ୍ଷରୁ ୧୯୯୭ ମସିହାରେ ପ୍ରଥମ ପର୍ଯ୍ୟାୟରେ ୨ ମେଗାବିଟ୍/ସେକେଣ୍ଡ୍ ଏବଂ ୧୯୯୯ ମସିହାରେ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ମେଗାବିଟ୍/ସେକେଣ୍ଡ୍ ଗତି ବିଶିଷ୍ଟ ତାରବିହୀନ ସାମଗ୍ରୀ ପ୍ରସ୍ତୁତ କରାଯାଇ ଏହି ପ୍ରଯୁକ୍ତିକୁ ଲୋକପ୍ରିୟ କରାଯାଇ ପାରିଥିଲା ।[୩]

କାର୍ଯ୍ୟ ପ୍ରଣାଳୀ[ସମ୍ପାଦନା]

କୌଣସି ୱାଇ-ଫାଇ ରାଉଟର୍‌ର ଆଣ୍ଟିନାକୁ ରେଡ଼ିଓ ଫ୍ରିକ୍ୱେନ୍ସି ବିଦ୍ୟୁତ୍ ପ୍ରବାହିତ ହେଲେ ଏକ ଇଲେକ୍‌ଟ୍ରୋ-ମ୍ୟାଗ୍‌ନେଟିକ୍ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ । ଓୟାର୍‌ଲେସ୍ ନେଟ୍‌ୱାର୍କ୍ ଆଡପ୍‌ଟର୍ ଥିବା ଯେକୌଣସି ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଏହି ସିଗ୍‌ନାଲ୍‌କୁ ଡିକୋଡ୍ କରିଥାଏ ।

ନେଟ୍ ଗିୟର୍, ଲିଙ୍କ୍ ସେସ୍ ଇତ୍ୟାଦି ପରି କେତେକ ଆପ୍ ଜରିଆରେ ୱାଇ-ଫାଇକୁ ସୁବ୍ୟବସ୍ଥିତ ଢଙ୍ଗରେ ବ୍ୟବ‌ହାର କରିହେବ । ଏହି ଆପ୍‌ଗୁଡ଼ିକରେ ଗେଷ୍ଟ ମୋଡ୍, ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ଆଦି ବ‌ହୁ ଉପଯୋଗୀ ବ୍ୟବସ୍ଥାମାନ ରହିଛି ।

ଅବାଞ୍ଛିତ ୱେବ୍‌ସାଇଟ୍‌ଗୁଡ଼ିକରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଥାଏ । ଏପରିକି ଇଣ୍ଟର୍‌ନେଟ୍ ବ୍ୟବ‌ହାରର ସମୟ ସୀମା ନିର୍ଦ୍ଧାରିତ କରି ନିର୍ଦ୍ଦିଷ୍ଟ ସମୟ ଭିତରେ ଇଣ୍ଟରନେଟକୁ ବନ୍ଦ କରାଯାଇ ପାରିବ । ସମ୍ପ୍ରତି ବଜାରରେ ୨.୫ ଗିଗାହର୍ଜ ଓ ୫.୦ ଗିଗାହର୍ଜର ରାଉଟର୍ ମିଳୁଛି ।[୩]

ବ୍ୟବ‌ହାର[ସମ୍ପାଦନା]

କମ୍ପ୍ୟୁଟର ସ‌ହ ୱାଇ-ଫାଇର ସଂଯୋଗ ପାଇଁ କମ୍ପ୍ୟୁଟରରେ ଏକ ଓୟାର୍‌ଲେସ୍ ନେଟ୍‌ୱାର୍କ୍ ଇଣ୍ଟର୍‌ଫେସ୍ କଣ୍ଟ୍ରୋଲର୍ ଲଗାଇବାକୁ ପଡ଼ିଥାଏ । କମ୍ପ୍ୟୁଟର୍ ଓ ଇଣ୍ଟର୍‌ଫେସ୍ କଣ୍ଟ୍ରୋଲର୍‌କୁ ମିଳିତ ଭାବେ ଷ୍ଟେସନ୍ ବୋଲି କୁହାଯାଏ । ସମାନ ଷ୍ଟେସନ୍ ଥିବା ସାମଗ୍ରୀଗୁଡ଼ିକ ସମାନ ରେଡ଼ିଓ ତରଙ୍ଗ ବ୍ୟବ‌ହାର କରିଥାନ୍ତି । ୱାଇ-ଫାଇର ପରିସୀମାକୁ ବୃଦ୍ଧି କରିବା ପାଇଁ ନିରନ୍ତର ଗବେଷଣା ଚାଲିଛି । ଏହାଦ୍ୱାରା ଗୋଟିଏ ସ୍ଥାନରେ ବସି ଅନ୍ୟ ସ୍ଥାନରେ ରହିଥିବା ସାମଗ୍ରୀକୁ ନିୟନ୍ତ୍ରଣ କରାଯାଇ ପାରିବ ।

ଘରୋଇ ବ୍ୟବ‌ହାର ସ‌ହ ୱାଇ-ଫାଇ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବ‌ହୁଳ ଭାବେ ବ୍ୟବ‌ହୃତ ହେଉଛି ।[୩]

ବ୍ଲୁଟୁଥ୍ ବନାମ ୱାଇ-ଫାଇ[ସମ୍ପାଦନା]

ଡାଟା ସ୍ଥାନାନ୍ତର କ୍ଷେତ୍ରରେ ବ୍ଲୁଟୁଥ୍ ଓ ୱାଇ-ଫାଇକୁ ପ୍ରତିଦ୍ୱନ୍ଦୀ କୁହାଯାଇପାରେ । ଉଭୟ ଆପ୍ଲିକେସନ୍ ଜରିଆରେ ଡାଟା ସ୍ଥାନାନ୍ତରଣ କରାଯାଇଥାଏ । ତେବେ କେତେକ ମୌଳିକ ପାର୍ଥକ୍ୟ ଏହି ଦୁଇ ଆପ୍‌କୁ ପୃଥକ୍ କରିଥାଏ । ବ୍ଲୁଟୁଥ୍ ୪.୦ରେ ୨୬ ମେଗାବିଟ୍‌ସ୍/ସେକେଣ୍ଡ୍[୪] ତୀବ୍ରତାରେ ଡାଟା ସ୍ଥାନାନ୍ତରିତ ହେଉଥିବା ବେଳେ ୱାଇ-ଫାଇରେ ୨୫୦ ମେଗାବିଟ୍‌ସ୍/ସେକେଣ୍ଡ୍ ତୀବ୍ରତାରେ ଡାଟା ସ୍ଥାନାନ୍ତରିତ ହେଉଥାଏ । ତେଣୁ ୱାଇ-ଫାଇରେ ଡାଟା ଖୁବ୍ ଶୀଘ୍ର ସ୍ଥାନାନ୍ତରିତ କରାଯାଇ ପାରେ । ସେହିପରି ୱାଇ-ଫାଇ ଜରିଆରେ ଉପରକୁ ୬୦୦ ଫୁଟ ଉପରକୁ ଏହି ସେବାର ବ୍ୟବ‌ହାର କରାଯାଇପାରୁଥିବା ବେଳେ ବ୍ଲୁଟୁଥ୍ ୪.୦ ଜରିଆରେ ମାତ୍ର ୨୦୦ ଫୁଟ ଉପରକୁ ଏହି ସେବାର ବ୍ୟବ‌ହାର କରାଯାଇ ପାରେ । ସୁରକ୍ଷା ଦୃଷ୍ଟିରୁ ବ୍ଲୁଟୁଥ୍‌ ୪.୦ରେ ଏଇଏସ୍ ୧୨୮-ବିଟ୍ ଇନ୍‌ସ୍କ୍ରିପ୍‌ସନ୍ ବ୍ୟବ‌ହାର କରାଯାଉଥିବା ବେଳେ ୱାଇ-ଫାଇରେ ଡବ୍ଲ୍ୟୁପିଏ-୨ ସିକ୍ୟୁରିଟି ଓ ଏଇଏସ୍ ୨୫୬-ବିଟ୍ ଇନ୍‌ସ୍କ୍ରିପ୍‌ସନ୍ ବ୍ୟବ‌ହାର କରାଯାଇଥାଏ । ୱାଇ-ଫାଇ ତୀବ୍ରତା, ସେବା ଓ ସୁରକ୍ଷା ଦୃଷ୍ଟିକୋଣରୁ ବ୍ଲୁଟୁଥ୍‌ଠାରୁ ଭଲ ହୋଇଥିଲେ ସୁଦ୍ଧା ବ୍ଲୁଟୁଥ୍ ତୁଳନାରେ ଏଥିରେ ବ୍ୟାଟେରୀ ଉପଯୋଗ ବେଶୀ ହୋଇଥାଏ ।[୩]

ଆଧାର[ସମ୍ପାଦନା]

  1. Wireless, Meaning. "Meaning of “wireless” in the English Dictionary". Retrieved 24 August 2016. 
  2. Fidelity, Meaning. "Meaning of “fidelity” in the English Dictionary". Retrieved 24 August 2016. 
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "ୱାଇ ଫାଇ". ସମାଜ. 11 August 2016. 
  4. "The power of Bluetooth 4.0: It'll change your life". Retrieved 26 August 2016.