Jump to content

ୱାଇ-ଫାଇ

ଉଇକିପିଡ଼ିଆ‌ରୁ

ୱାଇ-ଫାଇ
Developed byୱାଇ-ଫାଇ ଆଲିଆନ୍ସ୍
Compatible hardwareମୋବାଇଲ୍, କମ୍ପ୍ୟୁଟର, ଗେମିଙ୍ଗ୍ କନ୍‌ସୋଲ୍, ଟେଲିଭିଜନ

ୱାଇ-ଫାଇ (Wi-Fi) ହେଉଛି ଏକ ଟେକ୍ନୋଲୋଜି ବା ପ୍ରଯୁକ୍ତି, ଯାହାଦ୍ୱାରା ଇଲେକ୍ଟ୍ରିନିକ୍ସ୍ ଯନ୍ତ୍ରଗୁଡ଼ିକ ପରସ୍ପର ସ‌ହ ସଂଯୋଗ ସ୍ଥାପନ କରି ନିଜ ନିଜ ଭିତରେ ଯୋଗାଯୋଗ କରିଥାନ୍ତି । ଏହାର ପୁରା ନାମ ହେଉଛି ଓୟାର୍‌ଲେସ୍ ଫିଡେଲିଟି (Wireless Fidelity)ଓୟାର୍‌ଲେସ୍‌‌ର ଅର୍ଥ ତାରବିହୀନ[]ଫିଡେଲିଟିର ଅର୍ଥ ଭରସା ବା ବିଶ୍ୱାସ[] । ଅର୍ଥାତ୍ ଏହି ବ୍ୟବସ୍ଥାରେ ଯନ୍ତ୍ରଗୁଡ଼ିକ ବିନା ତାରରେ ପରସ୍ପର ସ‌ହିତ ଭରସାଯୋଗ୍ୟ ସଂଯୋଗ ସ୍ଥାପନ କରିଥାନ୍ତି । ଇଲେକ୍ଟ୍ରିନିକ୍ସ୍ ଯନ୍ତ୍ରଗୁଡ଼ିକ ମଧ୍ୟରେ ଏହି ପ୍ରକାର ସଂଯୋଗକୁ ସଂଯୋଗବିହୀନ ସଂଯୋଗ ମଧ୍ୟ କୁହାଯାଇପାରେ । ଏହି ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ପରିସୀମା ମଧ୍ୟରେ ରହିଥିବା ମୋବାଇଲ୍, ଲାପ୍‌ଟପ୍ ଓ କମ୍ପ୍ୟୁଟର ଇତ୍ୟାଦି ଯନ୍ତ୍ରଗୁଡ଼ିକ ମଧ୍ୟରେ ତାରବିହୀନ ଇଣ୍ଟରନେଟଦ୍ୱାରା ଯୋଗାଯୋଗ ହୋଇଥାଏ । ଏହି ପ୍ରଯୁକ୍ତିର ବିଶେଷତ୍ୱ ହେଲା ସେବା ପ୍ରଦାନ‌କାରୀ ଇଣ୍ଟର୍‌ନେଟ୍ ସଂସ୍ଥା (Internet Service Provider ବା ISP) ପକ୍ଷରୁ ଦିଆଯାଇଥିବା ଗତିଠାରୁ ଏହାର ତୀବ୍ରତା ଅଧିକ ରହିଥାଏ । ତେବେ ଏହି ତାରବିହୀନ ନେଟ୍‌ୱାର୍କ ତିଆରି କରିବା ପାଇଁ ଏକ ରାଉଟର୍‌ର ଆବଶ୍ୟକତା ପଡ଼ିଥାଏ । ରେଡ଼ିଓ ତରଙ୍ଗ ସାହାଯ୍ୟରେ ଏହି ପ୍ରଯୁକ୍ତି କାମ କରିଥାଏ । ସାଧାରଣତଃ ୨.୪ ଗିଗାହର୍ଜ ୟୁଏଚ୍ଏଫ୍ ଏବଂ ୬ ଗିଗାହର୍ଜ ଏସ୍ଏଚ୍ଏଫ୍ ବେତାର ତରଙ୍ଗ ମଧ୍ୟରେ ୱାଇ-ଫାଇ ଅନ୍ୟ ଇଲେକ୍ଟ୍ରିନିକ୍ସ୍ ଉପକରଣ‌ଗୁଡ଼ିକୁ ସଂଯୋଗ କରିଥାଏ ।[]

ୱାଇ-ଫାଇ ବ୍ୟବସ୍ଥାଦ୍ୱାରା ତିଆରି କରାଯାଇଥିବା ନେଟ୍‌ୱାର୍କ୍‌କୁ WLAN (Wireless Local Area Network) କୁହାଯାଏ । ସୁରକ୍ଷା ଦୃଷ୍ଟିରୁ ୱାଇ-ଫାଇ ସାଧାରଣତଃ ଦୁର୍ବଳ । କାରଣ ଏଥିପାଇଁ କୌଣସି ତାର ସଂଯୋଗ କରିବାକୁ ପଡ଼ି ନ ଥାଏ । ସୁରକ୍ଷା ଦୃଷ୍ଟିକୋଣରୁ ରାଉଟର୍‌କୁ ନିର୍ଦ୍ଦେଶ ଦେବା ପାଇଁ ପାସ୍‌ୱାର୍ଡ଼୍ ବ୍ୟବସ୍ଥା କରାଯାଇଛି । ଏହି ପାସ୍‌ୱାର୍ଡ଼୍ଦ୍ୱାରା ୱାଇ-ଫାଇ ନେଟ୍‌ୱାର୍କ୍‌ରେ କିଛିଟା ସୁରକ୍ଷା ଯୋଗାଇଦେବା ସମ୍ଭବ ହୋଇଥାଏ ।[]

ଇତିହାସ

[ସମ୍ପାଦନା]

ୱାଇ-ଫାଇ ବ୍ୟବ‌ହାରର ଇତିହାସକୁ ଲକ୍ଷ୍ୟ କଲେ ଜଣାଯାଏ, ଏହି ପ୍ରଯୁକ୍ତି ବେଶୀ ପୁରୁଣା ନୁହେଁ । ୧୯୭୧ ମସିହାରେ ଆଲୋହାନେଟ୍ (ALOHAnet) ପକ୍ଷରୁ ହାଇୱାନ ଦ୍ୱୀପ‌ପୁଞ୍ଜକୁ ୟୁଏଚ୍ଏଫ୍ ତାରବିହୀନ ପ୍ୟାକେଟ୍ ନେଟ୍‌ୱାର୍କ୍ ସ‌ହ ସଂଯୋଗ କରାଯାଇଥିଲା । ସେହିପରି ୧୯୮୬ ମସିହାରେ ଆମେରିକାର ଫେଡେରାଲ୍ କମ୍ୟୁନିକେସନ୍ କମିସନ୍ (US Federal Communications Commission) ପକ୍ଷରୁ ଆଇଏସ୍ଏମ୍ ବେଣ୍ଡ୍ ପ୍ରଯୁକ୍ତିକୁ ତିଆରି କରାଯାଇଥିଲା । ଏହି ଦୁଇ ପ୍ରଯୁକ୍ତି ସାହାଯ୍ୟରେ ୧୯୯୧ ମସିହାରେ ଏନ୍‌ସିଆର୍ କର୍‌ପୋରେସନ୍ (NCR Corporation) ଓ ଏଟି ଆଣ୍ଡ୍ଟି କର୍ପୋରେସନ୍ (AT&T Corporation) ୱେଭ୍‌ଲେନ୍ ନାମକ ପ୍ରଥମ ତାରବିହୀନ ସାମଗ୍ରୀର ପ୍ରସ୍ତୁତି କରିଥିଲେ । ତେବେ ସିସ୍ରୋ ପକ୍ଷରୁ ୧୯୯୭ ମସିହାରେ ପ୍ରଥମ ପର୍ଯ୍ୟାୟରେ ୨ ମେଗାବିଟ୍/ସେକେଣ୍ଡ୍ ଏବଂ ୧୯୯୯ ମସିହାରେ ଦ୍ୱିତୀୟ ପର୍ଯ୍ୟାୟରେ ୧୧ ମେଗାବିଟ୍/ସେକେଣ୍ଡ୍ ଗତି ବିଶିଷ୍ଟ ତାରବିହୀନ ସାମଗ୍ରୀ ପ୍ରସ୍ତୁତ କରାଯାଇ ଏହି ପ୍ରଯୁକ୍ତିକୁ ଲୋକପ୍ରିୟ କରାଯାଇ ପାରିଥିଲା ।[]

କାର୍ଯ୍ୟ ପ୍ରଣାଳୀ

[ସମ୍ପାଦନା]

କୌଣସି ୱାଇ-ଫାଇ ରାଉଟର୍‌ର ଆଣ୍ଟିନାକୁ ରେଡ଼ିଓ ଫ୍ରିକ୍ୱେନ୍ସି ବିଦ୍ୟୁତ୍ ପ୍ରବାହିତ ହେଲେ ଏକ ଇଲେକ୍‌ଟ୍ରୋ-ମ୍ୟାଗ୍‌ନେଟିକ୍ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ । ଓୟାର୍‌ଲେସ୍ ନେଟ୍‌ୱାର୍କ୍ ଆଡପ୍‌ଟର୍ ଥିବା ଯେକୌଣସି ଇଲେକ୍‌ଟ୍ରୋନିକ୍ ସାମଗ୍ରୀ ଏହି ସିଗ୍‌ନାଲ୍‌କୁ ଡିକୋଡ୍ କରିଥାଏ ।

ନେଟ୍ ଗିୟର୍, ଲିଙ୍କ୍ ସେସ୍ ଇତ୍ୟାଦି ପରି କେତେକ ଆପ୍ ଜରିଆରେ ୱାଇ-ଫାଇକୁ ସୁବ୍ୟବସ୍ଥିତ ଢଙ୍ଗରେ ବ୍ୟବ‌ହାର କରିହେବ । ଏହି ଆପ୍‌ଗୁଡ଼ିକରେ ଗେଷ୍ଟ ମୋଡ୍, ପ୍ୟାରେଣ୍ଟାଲ୍ କଣ୍ଟ୍ରୋଲ୍ ଆଦି ବ‌ହୁ ଉପଯୋଗୀ ବ୍ୟବସ୍ଥାମାନ ରହିଛି ।

ଅବାଞ୍ଛିତ ୱେବ୍‌ସାଇଟ୍‌ଗୁଡ଼ିକରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଥାଏ । ଏପରିକି ଇଣ୍ଟର୍‌ନେଟ୍ ବ୍ୟବ‌ହାରର ସମୟ ସୀମା ନିର୍ଦ୍ଧାରିତ କରି ନିର୍ଦ୍ଦିଷ୍ଟ ସମୟ ଭିତରେ ଇଣ୍ଟରନେଟକୁ ବନ୍ଦ କରାଯାଇ ପାରିବ । ସମ୍ପ୍ରତି ବଜାରରେ ୨.୫ ଗିଗାହର୍ଜ ଓ ୫.୦ ଗିଗାହର୍ଜର ରାଉଟର୍ ମିଳୁଛି ।[]

ବ୍ୟବ‌ହାର

[ସମ୍ପାଦନା]

କମ୍ପ୍ୟୁଟର ସ‌ହ ୱାଇ-ଫାଇର ସଂଯୋଗ ପାଇଁ କମ୍ପ୍ୟୁଟରରେ ଏକ ଓୟାର୍‌ଲେସ୍ ନେଟ୍‌ୱାର୍କ୍ ଇଣ୍ଟର୍‌ଫେସ୍ କଣ୍ଟ୍ରୋଲର୍ ଲଗାଇବାକୁ ପଡ଼ିଥାଏ । କମ୍ପ୍ୟୁଟର୍ ଓ ଇଣ୍ଟର୍‌ଫେସ୍ କଣ୍ଟ୍ରୋଲର୍‌କୁ ମିଳିତ ଭାବେ ଷ୍ଟେସନ୍ ବୋଲି କୁହାଯାଏ । ସମାନ ଷ୍ଟେସନ୍ ଥିବା ସାମଗ୍ରୀଗୁଡ଼ିକ ସମାନ ରେଡ଼ିଓ ତରଙ୍ଗ ବ୍ୟବ‌ହାର କରିଥାନ୍ତି । ୱାଇ-ଫାଇର ପରିସୀମାକୁ ବୃଦ୍ଧି କରିବା ପାଇଁ ନିରନ୍ତର ଗବେଷଣା ଚାଲିଛି । ଏହାଦ୍ୱାରା ଗୋଟିଏ ସ୍ଥାନରେ ବସି ଅନ୍ୟ ସ୍ଥାନରେ ରହିଥିବା ସାମଗ୍ରୀକୁ ନିୟନ୍ତ୍ରଣ କରାଯାଇ ପାରିବ ।

ଘରୋଇ ବ୍ୟବ‌ହାର ସ‌ହ ୱାଇ-ଫାଇ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବ‌ହୁଳ ଭାବେ ବ୍ୟବ‌ହୃତ ହେଉଛି ।[]

ବ୍ଲୁଟୁଥ୍ ବନାମ ୱାଇ-ଫାଇ

[ସମ୍ପାଦନା]

ଡାଟା ସ୍ଥାନାନ୍ତର କ୍ଷେତ୍ରରେ ବ୍ଲୁଟୁଥ୍ ଓ ୱାଇ-ଫାଇକୁ ପ୍ରତିଦ୍ୱନ୍ଦୀ କୁହାଯାଇପାରେ । ଉଭୟ ଆପ୍ଲିକେସନ୍ ଜରିଆରେ ଡାଟା ସ୍ଥାନାନ୍ତରଣ କରାଯାଇଥାଏ । ତେବେ କେତେକ ମୌଳିକ ପାର୍ଥକ୍ୟ ଏହି ଦୁଇ ଆପ୍‌କୁ ପୃଥକ୍ କରିଥାଏ । ବ୍ଲୁଟୁଥ୍ ୪.୦ରେ ୨୬ ମେଗାବିଟ୍‌ସ୍/ସେକେଣ୍ଡ୍[] ତୀବ୍ରତାରେ ଡାଟା ସ୍ଥାନାନ୍ତରିତ ହେଉଥିବା ବେଳେ ୱାଇ-ଫାଇରେ ୨୫୦ ମେଗାବିଟ୍‌ସ୍/ସେକେଣ୍ଡ୍ ତୀବ୍ରତାରେ ଡାଟା ସ୍ଥାନାନ୍ତରିତ ହେଉଥାଏ । ତେଣୁ ୱାଇ-ଫାଇରେ ଡାଟା ଖୁବ୍ ଶୀଘ୍ର ସ୍ଥାନାନ୍ତରିତ କରାଯାଇ ପାରେ । ସେହିପରି ୱାଇ-ଫାଇ ଜରିଆରେ ଉପରକୁ ୬୦୦ ଫୁଟ ଉପରକୁ ଏହି ସେବାର ବ୍ୟବ‌ହାର କରାଯାଇପାରୁଥିବା ବେଳେ ବ୍ଲୁଟୁଥ୍ ୪.୦ ଜରିଆରେ ମାତ୍ର ୨୦୦ ଫୁଟ ଉପରକୁ ଏହି ସେବାର ବ୍ୟବ‌ହାର କରାଯାଇ ପାରେ । ସୁରକ୍ଷା ଦୃଷ୍ଟିରୁ ବ୍ଲୁଟୁଥ୍‌ ୪.୦ରେ ଏଇଏସ୍ ୧୨୮-ବିଟ୍ ଇନ୍‌ସ୍କ୍ରିପ୍‌ସନ୍ ବ୍ୟବ‌ହାର କରାଯାଉଥିବା ବେଳେ ୱାଇ-ଫାଇରେ ଡବ୍ଲ୍ୟୁପିଏ-୨ ସିକ୍ୟୁରିଟି ଓ ଏଇଏସ୍ ୨୫୬-ବିଟ୍ ଇନ୍‌ସ୍କ୍ରିପ୍‌ସନ୍ ବ୍ୟବ‌ହାର କରାଯାଇଥାଏ । ୱାଇ-ଫାଇ ତୀବ୍ରତା, ସେବା ଓ ସୁରକ୍ଷା ଦୃଷ୍ଟିକୋଣରୁ ବ୍ଲୁଟୁଥ୍‌ଠାରୁ ଭଲ ହୋଇଥିଲେ ସୁଦ୍ଧା ବ୍ଲୁଟୁଥ୍ ତୁଳନାରେ ଏଥିରେ ବ୍ୟାଟେରୀ ଉପଯୋଗ ବେଶୀ ହୋଇଥାଏ ।[]

  1. Wireless, Meaning. "Meaning of "wireless" in the English Dictionary". Retrieved 24 ଅଗଷ୍ଟ 2016.
  2. Fidelity, Meaning. "Meaning of "fidelity" in the English Dictionary". Retrieved 24 ଅଗଷ୍ଟ 2016.
  3. 1 2 3 4 5 6 "ୱାଇ ଫାଇ". ସମାଜ. 11 ଅଗଷ୍ଟ 2016. {{cite news}}: |access-date= requires |url= (help); |first= missing |last= (help)
  4. "The power of Bluetooth 4.0: It'll change your life". Retrieved 26 ଅଗଷ୍ଟ 2016.