ହରିବନ୍ଧୁ ବେବର୍ତ୍ତା

ଉଇକିପିଡ଼ିଆ ରୁ
Jump to navigation Jump to search
ହରିବନ୍ଧୁ ବେବର୍ତ୍ତା ପଟ୍ଟନାୟକ
ଜନ୍ମ ଓ ଜନ୍ମସ୍ଥାନ୩ ଫେବୃଆରୀ ୧୮୨୬
ମୃତ୍ୟୁମାଘ କୃଷ୍ଣ ନବମୀ, ୧।୮।୧୮୯୬
ଜାତୀୟତାଭାରତୀୟ
ଜୀବିକାକବି
ପୈତୃକ ବାସସ୍ଥାନପାରଳାଖେମୁଣ୍ଡି
ବାପା ବୋଉବୈଦ୍ୟବିତ୍ କୂର୍ମନାଥ ବେବର୍ତ୍ତା
ସୁବର୍ଣ୍ଣଦେବୀ

ହରିବନ୍ଧୁ ବେବର୍ତ୍ତା ଊନବିଂଶ ଶତାବ୍ଦୀର ଜଣେ ପ୍ରସିଦ୍ଧ କବି । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଓ ସାହିତ୍ୟ ଅନୁକରଣରେ ଅନେକ ଚଉପଦୀ ରଚନା କରିଛନ୍ତି । ହରିବନ୍ଧୁଙ୍କ ରଚନା ମଧ୍ୟରୁ ଅଳ୍ପ କେତେକ ମାତ୍ର ଥରେ ପ୍ରକାଶିତ ହୋଇଛି ଏବଂ ଅଧିକାଂଶ ରଚନା ଏଯାବତ ଅପ୍ରକାଶିତ ହୋଇ ରହିଅଛି ।

ଜୀବନୀ[ସମ୍ପାଦନା]

ହରିବନ୍ଧୁଙ୍କ ଜନ୍ମ ପାରଳାଖେମୁଣ୍ଡିର କରଣ ସାହିରେ ହୋଇଥିଲା । ତାଙ୍କର ପିତା ବୈଦ୍ୟବିତ୍ କୂର୍ମନାଥ ବେବର୍ତ୍ତା ଓ ମାତା ସୁବର୍ଣ୍ଣଦେବୀ ଥିଲେ । ସେ ସୁବର୍ଣ୍ଣଦେବୀଙ୍କ ଚତୁର୍ଥ ଓ ସର୍ବ କନିଷ୍ଠ ସନ୍ତାନ ଥିଲେ । କୂର୍ମନାଥ ଗୋପାଳକୃଷ୍ଣଙ୍କ ପିତା ବନବାସୀ ପଟ୍ଟନାୟକଙ୍କ ସଙ୍ଗାତ ଥିଲେ ।[୧] କବିଙ୍କ ପିତାମହଙ୍କ ନାମ ମଧ୍ୟ ହରିବନ୍ଧୁ । ନିଜ ପାଣ୍ଡିତ୍ୟ ଯୋଗୁଁ ସେ ଗଜପତି ଜଗନ୍ନାଥ ଦେବଙ୍କର ଛାମୁରେ ବେବର୍ତ୍ତା ଉପାଧି ପାଇଥିଲେ ଓ ନିଜ କୌଳିକ ଉପାଧି ପରିତ୍ୟାଗ କରିଥିଲେ । ରଜାଙ୍କଠାରୁ ସେ ଅନକଣ୍ଡା ଗ୍ରାମ ଜାଗିରି ପାଇଥିଲେ । ତାଙ୍କ ପୁତ୍ର କୂର୍ମନାଥ ବୈଦ୍ୟ ଭାବେ ବିଖ୍ୟାତ ଥିଲେ କିନ୍ତୁ ଜାଗିରି ପ୍ରତି ଦୃଷ୍ଟି ନ ଦେବାରୁ ଶେଷରେ ତହିଁରୁ ଉଚ୍ଛେଦ ହେଲେ । ହରିବନ୍ଧୁଙ୍କ ପୂର୍ବପୁରୁଷ ପୁରୁଷୋତ୍ତମ ଦେବଙ୍କ ଅମଳରେ ଗଜପତି ମହାରାଜଙ୍କ ଗହଣରେ ଦକ୍ଷିଣକୁ ଆସି ପାରଳାଖେମୁଣ୍ଡିରେ ବସତି ସ୍ଥାପନ କରିଥିଲେ ।[୨]

ହରିବନ୍ଧୁ ଛୋଟବେଳୁଁ ଅନାଥ ହୋଇ ବିଧବା ବଡ଼ ଭଉଣୀ ରାଧିକାଙ୍କଦ୍ୱାରା ପ୍ରତିପାଳିତ ହେଲେ । ତାଙ୍କଠାରେ ଆର୍ଥିକ ସ୍ୱଚ୍ଛଳତା ନ ଥିଲା । ହରିବନ୍ଧୁ ପାଠପଢ଼ାରେ ପାରଙ୍ଗମ ଥିଲେ ଓ ତାଙ୍କ ଅକ୍ଷର ଭାରି ସୁନ୍ଦର ଥିଲା । ବହୁମୂଲ୍ୟ କାଗଜ ଓ ତାଳପତ୍ରରେ ଲେଖିବାରେ ସେ କୃତିତ୍ୱ ଅର୍ଜନ କରିଥିଲେ । ପରେ ପରେ ସାହିତ୍ୟ, ଗଣିତ, ସଙ୍ଗୀତ ଓ ଜ୍ୟୋତିଷ ବିଦ୍ୟାରେ ତାଙ୍କର ଦକ୍ଷତା ଥିଲା । ସେ ମାତୃଭାଷା ଓଡ଼ିଆ ଛଡ଼ା ସେ ତେଲୁଗୁ ଓ ସଂସ୍କୃତ ମଧ୍ୟ ଜାଣିଥିଲେ । ସେ ଦକ୍ଷ ବୀଣା ବାଦକ ଓ ଗାୟକ ଥିଲେ ଏବଂ ଓଡ଼ିଶୀ ଓ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷା କରିଥିଲେ ।[୨]

ଗୋପାଳକୃଷ୍ଣ ଓ ହରିବନ୍ଧୁ[ସମ୍ପାଦନା]

ହରିବନ୍ଧୁ ଗୋପାଳକୃଷ୍ଣଙ୍କ ଅନୁଚର ଥିଲେ । ଗୋପାଳକୃଷ୍ଣ ତାଙ୍କୁ ଥଟ୍ଟାରେ ସମୁଦ୍ରପେଟା ଡାକୁଥିଲେ ଓ ତାଙ୍କୁ କେହି ଗୀତ ମାଗିଲେ ହରିବନ୍ଧୁଙ୍କଠୁଁ ଆଣିବାକୁ ନିର୍ଦ୍ଦେଶ ଦେଉଥିଲେ । ଗୋପାଳକୃଷ୍ଣଙ୍କ ତିରୋଧାନ ସମୟରେ ହରିବନ୍ଧୁ ୩୬ ବର୍ଷର ଯୁବକ ଥିଲେ ।

ସାହିତ୍ୟିକ ରଚନା[ସମ୍ପାଦନା]

ପାରଳାଖେମୁଣ୍ଡିର ବୟସ୍କ କବି ଗୋପାଳକୃଷ୍ଣ ପଟ୍ଟନାୟକ, ଗୌରହରି ପରିଚ୍ଛା, ରଘୁନାଥ ପରିଚ୍ଛା, ନରସିଂହ ପଟ୍ଟନାୟକ, ଗୌରାଙ୍ଗ ପଟ୍ଟନାୟକ ଆଦିଙ୍କ ସଂସ୍ପର୍ଶରେ ଆସି ହରିବନ୍ଧୁ ନିଜେ କବିତା ରଚନା କରିବା ଆରମ୍ଭ କରିଥିଲେ ।[୨] ହରିବନ୍ଧୁଙ୍କ କବିତାରେ ପୂର୍ବ କବିମାନଙ୍କ ପ୍ରଭାବ ସ୍ପଷ୍ଟ ଭାବେ ପରିଦୃଷ୍ଟ ହୁଏ । ବିପ୍ରଲମ୍ଭ ଶୃଙ୍ଗାର, ଖଣ୍ଡିତା ଓ କଳହାନ୍ତରିତା ନାୟିକାର ବର୍ଣ୍ଣନା ଇତ୍ୟାଦି ପ୍ରଚଳିତ ବିଷୟରେ ସେ ଚଉପଦୀ ଲେଖିଛନ୍ତି ।[୩] ପୃଷ୍ଠପୋଷକତା ଅଭାବରୁ ତାଙ୍କର ଅନେକ ରଚନା ଏଯାବତ ଅପ୍ରକାଶିତ ରହିଛି ଓ ଆଦୃତ ହୋଇପାରିନାହିଁ ।

ଏହାଙ୍କ ରଚନା ପାରଳାଖେମୁଣ୍ଡି ସ୍ଥିତ ଗଜପତି ପ୍ରେସ ତରଫରୁ 'ହରିବନ୍ଧୁ ପଦ୍ୟାବଳୀ' ନାମରେ ପ୍ରକାଶିତ ହୋଇଥିଲା ।[୪]

ଆଧାର[ସମ୍ପାଦନା]

  1. ପାରଳାଖେମୁଣ୍ଡିର ଲେଖା ଓ ଲେଖକ - ଅଧ୍ୟାପକ ବିନୋଦ ବିହାରୀ ବିକ୍ରମ ।
  2. ୨.୦ ୨.୧ ୨.୨ ପାରଳା ପ୍ରତିଭା - ବିଷ୍ଣୁ ଚରଣ ମହାନ୍ତି । ପ୍ରିୟଦର୍ଶୀ ପ୍ରକାଶନୀ, ଭୁବନେଶ୍ୱର, ୧୯୯୨ ।
  3. ଓଡ଼ିଆ ବୈଷ୍ଣବ ପଦାବଳୀ - ଡକ୍ଟର ନୀଳାଦ୍ରିଭୂଷଣ ହରିଚନ୍ଦନ । ଗ୍ରନ୍ଥମନ୍ଦିର, ବିନୋଦବିହାରୀ କଟକ, ୧୯୭୯ ।
  4. ଓଡ଼ିଆ ଲେଖକ ପରିଚୟ (୧୪୫୦-୧୮୫୦) - ସଂକଳକ ଡଃ କୃଷ୍ଣଚରଣ ସାହୁ । ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର, ୧୯୮୧ ।