Jump to content

ହରିଜନ (ପତ୍ରିକା)

ଉଇକିପିଡ଼ିଆ‌ରୁ
ହରିଜନ
ହରିଜନ
ସମ୍ପାଦକଆର.ଭି. ଶାସ୍ତ୍ରୀ (ପ୍ରଥମ ସଂପାଦକ)
ପ୍ରକାଶ ଅବୃତ୍ତିସାପ୍ତାହିକ
ପ୍ରକାଶକହରିଜନ ସେବକ ସଂଘ
ସଂସ୍ଥାପକମହାତ୍ମା ଗାନ୍ଧୀ
ପ୍ରଥମ ସଂଖ୍ୟା୧୧ ଫେବୃଆରୀ ୧୯୩୩
ଦେଶଭାରତ
ଭାଷାଇଂରାଜୀ ଭାଷା

ମହାତ୍ମା ଗାନ୍ଧୀ ୧୯୩୩ ମସିହାରୁ ହରିଜନ ନାମକ ଗୋଟିଏ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ । ଏହା ତାଙ୍କର ଅସ୍ପୃଶ୍ୟତା ବିରୋଧୀ ଅଭିଯାନ ଏବଂ ହରିଜନ ସେବକ ସଂଘର ପ୍ରମୁଖ ମାଧ୍ୟମ ଭାବେ କାମ କରୁଥିଲା । ପତ୍ରିକାର ନାମର ଅର୍ଥ “ଭଗବାନଙ୍କ ସନ୍ତାନ”, ଯାହାକି ସେହି “ଅସ୍ପୃଶ୍ୟ” ସମୁଦାୟଙ୍କୁ ସୂଚିତ କରୁଥିଲା, ଯେଉଁମାନଙ୍କୁ ଗାନ୍ଧୀ ମୁକ୍ତ କରିବାକୁ ଚାହୁଁଥିଲେ ।

ମୂଳ ପତ୍ରିକଟି ଇଂରେଜୀରେ ପ୍ରକାଶିତ ହେବା ସ୍ଥଲେ ଏହାର ସହୋଦର ପ୍ରକାଶନଗୁଡ଼ିକ ଥିଲା — ଗୁଜରାଟୀରେ ହରିଜନ ବନ୍ଧୁ ଏବଂ ହିନ୍ଦୀରେ ହରିଜନ ସେବକ । ଏହି ସବୁ ପତ୍ରିକା ନିୟମିତ ଲେଖା ମାଧ୍ୟମରେ ଭାରତର ସାମାଜିକ ଏବଂ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସରକାରଙ୍କ ସମ୍ମୁଖରେ ଉପସ୍ଥାପନା କରିବା ସହ ଅସମାନତାରେ ପୀଡ଼ିତମାନଙ୍କ ଅଧିକାର ସପକ୍ଷରେ କହୁଥିଲେ ଏବଂ ଅସ୍ପୃଶ୍ୟତାର ସମାପ୍ତି ପାଇଁ ଆହ୍ୱାନ କରୁଥିଲେ ।[]

୧୯୩୩ରୁ ୧୯୫୫ ପର୍ଯ୍ୟନ୍ତ ଏହା ନିୟମିତ ପ୍ରକାଶିତ ହୋଇଥିଲା, କିନ୍ତୁ ୧୯୪୦ ଦଶକର "ଭାରତ ଛାଡ଼" ଆନ୍ଦୋଳନ ସମୟରେ କିଛି ସମୟ ପାଇଁ ଏହାର ପ୍ରକାଶନ ବନ୍ଦ ରହିଥିଲା । ହରିଜନ ସାଧାରଣତଃ ପ୍ରତି ଶନିବାରରେ ପ୍ରକାଶିତ ହେଉଥିଲା । ପ୍ରଥମେ ଏହାର ମୂଲ୍ୟ ଥିଲା ଗୋଟିଏ ଅଣା, ଏବଂ ଏଥିରେ ଆଠଟି ପୂରା ପୃଷ୍ଠା ରହୁଥିଲା । ଏହା ସହିତ ହିନ୍ଦୀରେ (ହରିଜନ ସେବକ) ଏବଂ ଗୁଜରାଟୀରେ (ହରିଜନବନ୍ଧୁ) ନାମରେ ସହୋଦର ପ୍ରକାଶନଗୁଡ଼ିକ ମଧ୍ୟ ଆରମ୍ଭ ହୋଇଥିଲା ।[][]

ମହାତ୍ମା ଗାନ୍ଧୀଙ୍କୁ ଜାନୁଆରୀ ୧୯୩୨ରେ ଗିରଫ କରାଗଲାପରେ ୟଙ୍ଗ ଇଣ୍ଡିଆ ପ୍ରକାଶନ ବନ୍ଦ ହୋଇଯାଇଥିଲା । ଏହି ସମୟରେ ୟଙ୍ଗ ଇଣ୍ଡିଆର ଏକ ପ୍ରତିସ୍ଥାପନ ରୂପେ ହରିଜନ ସ୍ଥାପିତ ହୋଇଥିଲା । ୧୧ ଫେବୃଆରୀ ୧୯୩୩ରେ ପୁଣେରୁ ହରିଜନର ପ୍ରଥମ ସଂସ୍କରଣ ପ୍ରକାଶିତ ହୋଇଥିଲା, ଯାହାର ସମ୍ପାଦକ ଥିଲେ ଆର.ଭି. ଶାସ୍ତ୍ରୀ । ପ୍ରଥମେ ୧୦,୦୦୦ କପି ପ୍ରକାଶିତ ହୋଇଥିଲା ଏବଂ ଏଥିରେ ଗାନ୍ଧୀଙ୍କ ଅସ୍ପୃଶ୍ୟତା ବିଷୟରେ ଅନେକ ଲେଖା ରହିଥିଲା । ଏହି ସଂସ୍କରଣରେ ବି.ଆର୍. ଅମ୍ବେଦକରଙ୍କ ଏକ ସନ୍ଦେଶ ମଧ୍ୟ ଥିଲା, ଯେଉଁଥିରେ ସେ ସମଗ୍ର ହିନ୍ଦୁ ଧର୍ମରୁ ଜାତି ବ୍ୟବସ୍ଥାକୁ ସମୂଳେ ନିରାକରଣ କରିବାକୁ ଆହ୍ୱାନ କରିଥିଲେ । ଏହା ଗାନ୍ଧୀଙ୍କ ଭାବଧାରା ସହିତ ବିରୋଧାଭାସୀ ଥିଲା, କାରଣ ଗାନ୍ଧୀ ବର୍ଣ୍ଣ ବ୍ୟବସ୍ଥାକୁ ଅତୁଟ ରଖିବାକୁ ଚାହୁଁଥିଲେ, କିନ୍ତୁ ଏଥିରୁ ଅସ୍ପୃଶ୍ୟତା ଓ ଉଚ୍ଚ-ନିମ୍ନତାକୁ ହଟାଇବା ପକ୍ଷରେ ଥିଲେ । ପରବର୍ତ୍ତୀ ସଂସ୍କରଣମାନଙ୍କରେ ଜାତିବ୍ୟବସ୍ଥା ବିଷୟରେ ଚର୍ଚ୍ଚା ଚାଲିଥିଲା । ରବୀନ୍ଦ୍ରନାଥ ଠାକୁରଙ୍କ ସହ ଅନେକ ଚିନ୍ତକଙ୍କ ଲେଖା ମଧ୍ୟ ପ୍ରକାଶ ପାଇଥିଲା, କିନ୍ତୁ ଅମ୍ବେଦକର ପୁଣି କେବେ ମଧ୍ୟ ଏଥିପାଇଁ ଲେଖିଲେ ନାହିଁ । କାରଣ ସେ ବିଶ୍ୱାସ କରୁଥିଲେ ଯେ ପତ୍ରିକାଟି ହିନ୍ଦୁଙ୍କ ସପକ୍ଷବାଦୀ ଥିଲା ଏବଂ ଦଳିତମାନଙ୍କ ପ୍ରତି ଅବହେଳାପୂର୍ଣ୍ଣ ଥିଲା ।

ଗାନ୍ଧୀଙ୍କ ସାଧାରଣ ଯୋଗଦାନରେ ସେତେବେଳର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ପ୍ରଶ୍ନଗୁଡ଼ିକରେ ଆଲୋଚନା ଥିଲା । ତାହା ସହିତ ହରିଜନରେ କବିତା, ସମାଜିକ ସମତା ପ୍ରଚାରକ ଲେଖା ଏବଂ ସେହି ସମୟରେ ଦଳିତମାନଙ୍କୁ ଭର୍ତ୍ତି କରିବା ଆରମ୍ଭ କରିଥିବା ଧାର୍ମିକ ଓ ଶିକ୍ଷାଗତ ସଂସ୍ଥାଗୁଡ଼ିକ ସମ୍ପର୍କରେ ସୂଚନା ମଧ୍ୟ ପ୍ରକାଶିତ ହେଉଥିଲା । ଏହାର ନିୟମିତ ସ୍ତମ୍ଭ ଥିଲା ପ୍ରଶ୍ନ ପେଟି (Question Box), ଯେଉଁଠାରେ ଗାନ୍ଧୀ ଦୈନିକ ପ୍ରଶ୍ନର ଉତ୍ତର ଦେଉଥିଲେ ଏବଂ ବିଭିନ୍ନ ବିଷୟରେ ନିଜ ପକ୍ଷକୁ ସମର୍ଥନ କରୁଥିଲେ ।

ଉଦ୍ଦେଶ୍ୟ

[ସମ୍ପାଦନା]

ଏହି ପତ୍ରିକାର ଉଦ୍ଦେଶ୍ୟ ଥିଲା ତାହାର ପ୍ରକାଶକ ହରିଜନ ସେବକ ସଂଘ ("ଅସ୍ପୃଶ୍ୟ ସମାଜର ସେବକମାନଙ୍କ ସଂଘ")ର ଅଭିଯାନକୁ ସମର୍ଥନ କରିବା, ଯାହାର ମୂଳ ଲକ୍ଷ୍ୟ ଥିଲା ଭାରତରେ ଅସ୍ପୃଶ୍ୟତାର ସମାପ୍ତି । ଅସ୍ପୃଶ୍ୟତା ବିରୋଧରେ ସଂଘର୍ଷକୁ ପ୍ରଚାର କରିବା ଏବଂ “ଅସ୍ପୃଶ୍ୟ” ବୋଲି ଗଣାଯାଉଥିବା ବ୍ୟକ୍ତି ବେଶେଷଙ୍କ ଉନ୍ନତି ପାଇଁ ପ୍ରଚେଷ୍ଟା କରିବା ।

ଗାନ୍ଧିଜୀ ଜୀବନର ଶେଷ ନିଃଶ୍ଵାସ ଯାଏଁ ହରିଜନରେ ଲେଖିବା ଜାରି ରଖିଥିଲେ । ଗାନ୍ଧିଜୀଙ୍କ ବିୟୋଗ ପରେ ତତକାଳୀନ ଗଭର୍ଣ୍ଣର ଜେନେରାଲ ସି ରାଜଗୋପାଳାଚାରୀ ଉକ୍ତ ପତ୍ରିକାରେ ଲେଖିଥିଲେ,

“Harijan was Bapu’s voice. And when his body has been consigned to the elements, Harijan cannot go on”.[]

ବାହାର ଆଧାର

[ସମ୍ପାଦନା]
  • Bodurant, Joan V., ed. (1973). Harijan: Collected Issues of Gandhi's Journal, 1933-1955 (19 vols.). New York: Garland Publishing.
  1. ୧.୦ ୧.୧ Kar, Souribandhu. "Gandhi and Harijan" (PDF). magazines.odisha.gov.in/. Retrieved 24 September 2025.
  2. Guha, Ramachandra (2018). Gandhi : the years that changed the world, 1914-1948 (in ଇଂରାଜୀ). Alfred A Knopf. ISBN 9780385532327.
  3. Chakrabarty, Bidyut (2006). Social and Political Thought of Mahatma Gandhi. Routledge, Taylor & Francis. pp. 116–129. ISBN 978-0-415-36096-8.