ସ୍ୱାମୀ ଚିନ୍ମୟାନନ୍ଦ
| ସ୍ୱାମୀ ଚିନ୍ମୟାନନ୍ଦ | |
|---|---|
A portrait of Chinmayananda in 1990 | |
| ଜନ୍ମ | ବାଳକୃଷ୍ଣ ମେନନ ୮ ମଇ ୧୯୧୬ Ernakulam, Cochin Princely State, British India (present-day Kerala) |
| ମୃତ୍ୟୁ | ୩ ଅଗଷ୍ଟ ୧୯୯୩ (ବୟସ ୭୭) San Diego, California, U.S. Resting place: Sidhbari |
| ସଂସ୍ଥାପକ | ଚିନ୍ମୟ ମିଶନ ବିଶ୍ଵ ହିନ୍ଦୁ ପରିଷଦ |
| ଗୁରୁ | ଶିବନନ୍ଦ ସରସ୍ଵତୀ ତପୋବନ ମହାରାଜ |
| ଦର୍ଶନ | ଅଦ୍ଵୈତ ବେଦାନ୍ତ |
| ମୁଖ୍ୟ ଶିଷ୍ୟ (ଗଣ) | Swami Tejomayananda Swami Swaroopananda Swami Dayananda |
ସ୍ୱାମୀ ଚିନ୍ମୟାନନ୍ଦ (୮ ମେ ୧୯୧୬ - ୩ ଅଗଷ୍ଟ ୧୯୯୩) ହିନ୍ଦୁ ଧର୍ମ ଓ ସଂସ୍କୃତିର ମୂଳଭୂତ ସିଦ୍ଧାନ୍ତ ବେଦାନ୍ତ ଦର୍ଶନର ଏକ ମହାନ ପ୍ରବକ୍ତା ଥିଲେ। ସମସ୍ତ ଭାରତ ଭ୍ରମଣ କରି ସେ ଦେଶରେ ଧର୍ମ ସମ୍ପର୍କିତ ବହୁ କୁସଂସ୍କାର ବ୍ୟାପ୍ତ ହୋଇଥିବାର ଦେଖିଲେ। ସେଗୁଡ଼ିକର ନିବାରଣ କରି ଶୁଦ୍ଧ ଧର୍ମର ପ୍ରତିଷ୍ଠା କରିବା ପାଇଁ ସେ ଗୀତା ଜ୍ଞାନ-ଯଜ୍ଞ ଆରମ୍ଭ କଲେ ଏବଂ ୧୯୫୩ ମସିହାରେ ଚିନ୍ମୟ ମିଶନ୍ର ସ୍ଥାପନା କଲେ ।[୧]
ସ୍ୱାମୀଜୀଙ୍କର ପ୍ରବଚନଗୁଡ଼ିକ ବହୁତ ତର୍କସଙ୍ଗତ ଏବଂ ପ୍ରେରଣାଦାୟକ ହୋଇଥାଏ । ସେମାନଙ୍କୁ ଶୁଣିବାକୁ ହଜାର ହଜାର ଲୋକ ଆସୁଥାନ୍ତି । ସେ ଶହ ଶହ ସନ୍ନ୍ୟାସୀ ଓ ବ୍ରହ୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେଲେ । ତା ସହ ହଜାର ହଜାର ସ୍ୱାଧ୍ୟାୟ ମଣ୍ଡଳ ସ୍ଥାପନ କଲେ । ବହୁ ସାମାଜିକ ସେବାକାର୍ଯ୍ୟ; ଯଥା ବିଦ୍ୟାଳୟ, ହସ୍ପିଟାଲ୍ ଇତ୍ୟାଦି ସ୍ଥାପନା କଲେ। ସ୍ୱାମୀଜୀ ଉପନିଷଦ, ଗୀତା ଓ ଆଦି ଶଙ୍କରାଚାର୍ଯ୍ୟଙ୍କର ୩୫ରୁ ଅଧିକ ଗ୍ରନ୍ଥର ଭାଷ୍ୟ ଲେଖିଥିଲେ। ଗୀତା ଉପରେ ତାଙ୍କର ଲିଖିତ ଭାଷ୍ୟକୁ ସର୍ବୋତ୍ତମ ମନେକରାଯାଏ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସ୍ୱାମୀ ଚିନ୍ମୟାନନ୍ଦଙ୍କ ଜନ୍ମ ୮ ମେ ୧୯୧୬ରେ ଦକ୍ଷିଣ ଭାରତର କେରଳ ପ୍ରାନ୍ତର ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ହୋଇଥିଲା । ଶୈଶବ କାଳରେ ତାଙ୍କର ନାମ ଥିଲା ବାଳକୃଷ୍ଣ । ତାଙ୍କର ପିତା ନ୍ୟାୟ ବିଭାଗରେ ଏକ ବିଚାରପତି ଥିଲେ । ତାଙ୍କର ପ୍ରାରମ୍ଭିକ ଶିକ୍ଷା ୫ ବର୍ଷ ବୟସରେ ସ୍ଥାନୀୟ ଶ୍ରୀ ରାମ ୱର୍ମା ବି.ଏ.ଜେ. ସ୍କୁଲରେ ହୋଇଥିଲା । ତାଙ୍କର ପ୍ରମୁଖ ଭାଷା ଇଂରାଜୀ ଥିଲା । ତାଙ୍କର ବୁଦ୍ଧି ତୀବ୍ର ଥିଲା ଏବଂ ପଢ଼ାଶୁଣାରେ ସେ ନିପୁଣ ଥିଲେ। ସେ ଆଦର୍ଶ ଛାତ୍ରମାନଙ୍କ ମଧ୍ୟରେ ଗଣନୀୟ ଥିଲେ । ସ୍କୁଲ୍ ଶିକ୍ଷା ସମାପ୍ତି ପରେ ବାଳକୃଷ୍ଣ ମହାରାଜା କଲେଜରେ ଭର୍ତ୍ତି ହେଲେ। ସେଠାରେ ମଧ୍ୟ ତାଙ୍କର ଶିକ୍ଷା ସଫଳତାର ସହ ସମାପ୍ତ ହେଲା । ସେହି ସମୟରେ ଗରିବ ଛାତ୍ର ଶଙ୍କର ନାରାୟଣ ତାଙ୍କର ମିତ୍ର ହେଲେ । ସେ କଲେଜରେ ବିଜ୍ଞାନ ବିଷୟର ଛାତ୍ର ଥିଲେ । ଜୀବବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ରସାୟନ ତାଙ୍କର ବିଷୟ ଥିଲା । ଇଣ୍ଟର ପାସ୍ କଲାପରେ ତାଙ୍କର ପିତାଙ୍କର ବଦଳି ହୋଇ ତ୍ରିଚୂରକୁ ଯିବାକୁ ପଡ଼ିଲା। ସେଠାରେ ସେ ବିଜ୍ଞାନ ବିଷୟ ଛାଡ଼ି କଳା ବିଷୟ ପଢ଼ିବା ଆରମ୍ଭ କଲେ । କିନ୍ତୁ ଏହି ପଢ଼ାଶୁଣାରେ ମଧ୍ୟ ତାଙ୍କର ମନ ଲାଗୁନଥିଲା । ପିତା ତାଙ୍କ ପାଇଁ ଟ୍ୟୁସନ୍ ବ୍ୟବସ୍ଥା କଲେ, କିନ୍ତୁ ତାହାର କୌଣସି ଲାଭ ହେଲା ନାହିଁ । ତଥାପି ସେ ବି.ଏ. ପାସ୍ କରିଲେ କିନ୍ତୁ ମାଦ୍ରାସ ବିଶ୍ୱବିଦ୍ୟାଳୟ ତାଙ୍କୁ ଏମ୍.ଏ. ଭର୍ତ୍ତି ପାଇଁ ଅନୁମତି ଦେଇନଥିଲା, ତେଣୁ ତାଙ୍କୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ଯିବାକୁପଡ଼ିଲା।
ସ୍ନାତକୋତ୍ତର ଶିକ୍ଷା
[ସମ୍ପାଦନା]ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ବାଳକୃଷ୍ଣଙ୍କୁ ଏମ୍.ଏ. ଏବଂ ତା ସହିତ ଏଲ୍.ଏଲ୍.ବି. ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲା । ସେ ୧୯୪୦ରେ ସେଠାରେ ଭର୍ତ୍ତି ହେଲେ। ଇଂରାଜୀ ସାହିତ୍ୟ ପଢ଼ିବାରେ ସେ ବହୁତ ଆଗ୍ରହୀ ହେଲେ ଏବଂ ସେଥିରେ ତାଙ୍କର ବେଶ ମନ ଲାଗିଥିଲା । ଲକ୍ଷ୍ନୌରେ ଶିକ୍ଷା ଶେଷ କରିବା ପରେ ବାଳକୃଷ୍ଣ ସାମ୍ବାଦିକତାର କାମ ଆରମ୍ଭ କଲେ। ତାଙ୍କର ଲେଖା "ମି. ଟ୍ରାମ୍ପ" ନାମରେ ପ୍ରକାଶିତ ହେଉଥିଲା । ସେହି ଲେଖାଗୁଡ଼ିକରେ ସମାଜର ଗରିବ ଏବଂ ଉପେକ୍ଷିତ ଲୋକମାନଙ୍କର ଚିତ୍ରଣ ରହୁଥିଲା । ଏକ ପ୍ରକାରରେ ସେଗୁଡ଼ିକ ସରକାର ଓ ଧନୀମାନଙ୍କ ପ୍ରତି ବ୍ୟଙ୍ଗ ଥିଲା ।
ରୁଚିର ପରିବର୍ତ୍ତନ
[ସମ୍ପାଦନା]୧୯୪୮ରେ ବାଳକୃଷ୍ଣ ଋଷିକେଶ ପହଞ୍ଚିଲେ । ସେ ଦେଖିବାକୁ ଚାହୁଁଥିଲେ ଯେ ଭାରତର ସନ୍ଥ-ମହାତ୍ମାମାନେ କେତେ ଉପଯୋଗୀ କିମ୍ବା ଅନୁପଯୋଗୀ । ସେଠାକୁ ପହଞ୍ଚିବା ପରେ ସେ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ବିଷୟରେ ଜାଣିଲେ। ସେ ଦକ୍ଷିଣ ଭାରତର ଥିଲେ ଏବଂ ତାଙ୍କର ଭାଷା ଇଂରାଜୀ ଥିଲା, ତେଣୁ ବାଳକୃଷ୍ଣ ତାଙ୍କ ଆଶ୍ରମକୁ ଯାଇ ରହିଲେ । ସ୍ୱାମୀଜୀଙ୍କ ଅନୁମତିରେ ସେ ଅନ୍ୟ ଆଶ୍ରମବାସୀମାନଙ୍କ ସହିତ ରହିବାରେ ଆରମ୍ଭ କଲେ । ସେ ସମୟରେ ସେ କୌଣସି ଧାର୍ମିକ କାର୍ଯ୍ୟରେ ବିଶ୍ଵାସ ରଖୁନଥିଲେ, ତଥାପି ଗମ୍ଭୀର ଭାବରେ ଆଶ୍ରମର ନିୟମ ଅନୁସରଣ କରୁଥିଲେ । ସେ ପ୍ରାତଃକାଳେ ଗଙ୍ଗାସ୍ନାନ କରୁଥିଲେ, ସନ୍ଧ୍ୟାରେ ପ୍ରାର୍ଥନାରେ ଯୋଗଦେଉ ଥିଲେ, ଏବଂ ଆଶ୍ରମର କାର୍ଯ୍ୟସବୁ କରୁଥିଲେ।
ଦୀକ୍ଷା
[ସମ୍ପାଦନା]ଋଷିକେଶ ରହଣି ସମୟରେ ସେ ସ୍ୱାମୀ ଶିବାନନ୍ଦଙ୍କ ଦ୍ଵାରା ଗଭୀର ଭାବରେ ପ୍ରଭାବିତ ହେଲେ ଏବଂ ତାଙ୍କଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କଲେ। ଏବେ ତାଙ୍କର ନାମ ସ୍ୱାମୀ ଚିନ୍ମୟାନନ୍ଦ ହୋଇଗଲା । ସେ ତାଙ୍କର ଗୁରୁଙ୍କୁ ମାର୍ଗଦର୍ଶକ ଭାବରେ ନେଇ ଆଶ୍ରମର ପୁସ୍ତକାଳୟରୁ ପୁସ୍ତକଗୁଡ଼ିକ ପଢ଼ିବା ଆରମ୍ଭ କଲେ। ସାରା ଦିନ ପଢ଼ିବା ପାଇଁ ପ୍ରଚୁର ସମୟ ଥାଏ । ସେସମୟରେ ଆଶ୍ରମରେ ବିଦ୍ୟୁତ୍ ନଥିଲା, ତେଣୁ ରାତିରେ ପଢ଼ିବାର ସୁବିଧା ନଥିଲା । ସ୍ୱାମୀଜୀ ତେଣୁ ରାତିରେ ଦିନରେ ପଢ଼ା ଯାଇଥିବା ବିଷୟରେ ଧ୍ୟାନ ଓ ଚିନ୍ତନ କରୁଥିଲେ । ଆସ୍ତେ ଆସ୍ତେ ତାଙ୍କର ଅଧ୍ୟୟନ ଗଭୀର ହେବାକୁ ଲାଗିଲା ଏବଂ ସେ ଗମ୍ଭୀର ଚିନ୍ତାରେ ବ୍ୟସ୍ତ ହେଉଥିଲେ । ତାଙ୍କର ଏହି ଅବସ୍ଥା ଦେଖି ସ୍ୱାମୀ ଶିବାନନ୍ଦଜୀ ତାଙ୍କୁ ସ୍ୱାମୀ ତପୋବନ ମହାରାଜଙ୍କ ପାଖକୁ ଉପନିଷଦ୍ ଶିକ୍ଷା ପାଇଁ ପଠାଇଦେଲେ । ସେସମୟରେ ସ୍ୱାମୀ ତପୋବନ ଜୀ ଉତ୍ତରକାଶୀରେ ବସବାସ କରୁଥିଲେ। ସେମାନଙ୍କ ପାଖରେ ରହି ସ୍ୱାମୀ ଚିନ୍ମୟାନନ୍ଦ ପ୍ରାୟ ୮ ବର୍ଷ ବେଦାନ୍ତ ଅଧ୍ୟୟନ କଲେ। ତପୋବନ ଜୀ ପ୍ରତିଦିନ ମାତ୍ର ଗୋଟିଏ ଘଣ୍ଟା ପଢ଼ାଉଥିଲେ, ଅବଶିଷ୍ଟ ସମୟ ଶିଷ୍ୟମାନଙ୍କୁ ମନନ ଓ ଚିନ୍ତନ ପାଇଁ ଦିଆଯାଉଥିଲା । ଏହି ଶିକ୍ଷା କେବଳ ମାନସିକ ନୁହେଁ, ବ୍ୟାବହାରିକ ମଧ୍ୟ ଥିଲା । ସ୍ୱାମୀଜୀଙ୍କୁ ଗୁରୁଙ୍କ ଶିକ୍ଷା ଅନୁସାରେ ସଂଯମୀ, ଅନାସକ୍ତ ଓ ଶାନ୍ତ ରହିବାର ଅଭ୍ୟାସ କରିବାକୁ ପଡ଼ୁଥିଲା । ଏହାର ପରିଣାମରେ ସ୍ୱାମୀ ଚିନ୍ମୟାନନ୍ଦଙ୍କର ବ୍ୟକ୍ତିତ୍ୱ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତିତ ହେଲା । ଜୀବନ ଓ ଜଗତ ପ୍ରତି ତାଙ୍କର ଦୃଷ୍ଟିକୋଣ ବଦଳିଗଲା ।
ଦେହାନ୍ତ
[ସମ୍ପାଦନା]ସ୍ୱାମୀ ଚିନ୍ମୟାନନ୍ଦ ୩ ଅଗଷ୍ଟ ୧୯୯୩ରେ ଆମେରିକାର ସାନ୍ ଡିଏଗୋ ସହରରେ ତାଙ୍କର ଭୌତିକ ଦେହ ତ୍ୟାଗ କଲେ।[୨]
ଜନସେବା
[ସମ୍ପାଦନା]ଅଧ୍ୟୟନ ଶେଷରେ ସ୍ୱାମୀଜୀଙ୍କ ମନରେ ଲୋକସେବା ମାଧ୍ୟମରେ ଧର୍ମ ପ୍ରଚାର କରିବାର ଇଚ୍ଛା ଜୋରଦାର ହେଲା। ତପୋବନ ଜୀଙ୍କର ଆଶୀର୍ବାଦ ନେଇ ସେ ଦକ୍ଷିଣ ଭାରତ ଯାଇ ପୁଣେ ପହଞ୍ଚିଲେ । ସେଠାରେ ସେ ପ୍ରଥମ ଜ୍ଞାନ-ଯଜ୍ଞ କଲେ । ଏହା ଗୋଟିଏ ନୂଆ ପରିକଳ୍ପନା ଥିଲା । ପ୍ରଥମେ ଶ୍ରୋତା ମାତ୍ର ଚାରି ବା ଛଅ ଥିଲେ, କିନ୍ତୁ ଧୀରେ ଧୀରେ ଏହି ସଂଖ୍ୟା ବଢ଼ୁଥିଲା । ପ୍ରାୟ ଗୋଟିଏ ମାସର ଧର୍ମପ୍ରଚାର ପରେ ସେ ମାଦ୍ରାସ ଗଲେ ଏବଂ ସେଠାରେ ଦ୍ୱିତୀୟ ଜ୍ଞାନ-ଯଜ୍ଞ କଲେ । ଏହି ଯଜ୍ଞଗୁଡ଼ିକରେ ସ୍ୱାମୀଜୀ ନିଜେ ପ୍ରବଚନ ଦେଇଥିଲେ ଏବଂ ନିଜେ ଯଜ୍ଞ କରୁଥିଲେ । କିଛି ସମୟ ପରେ ତାଙ୍କ ସହଯୋଗୀମାନେ ସହଯୋଗ କରିବା ଫଳରେ ଏହି କାର୍ଯ୍ୟ ଧୀରେ ଧୀରେ ସଂସ୍ଥାଗତ ଆକାର ନେଲା । ପରେ ସ୍ୱାମୀଜୀ ଜ୍ଞାନ-ଯଜ୍ଞର ଅବଧି ଗୋଟିଏ ମାସରୁ କମେଇ ୧୫ ଦିନ, ୧୦ ଦିନ ଓ ପରେ ୭ ଦିନ କରିଦେଲେ । ପ୍ରଥମେ ଏହି ଯଜ୍ଞଗୁଡ଼ିକ ଭାରତର ବଡ଼ ସହରଗୁଡ଼ିକରେ ହିଁ ହେଉଥିଲା, ପରେ ଛୋଟ ସହରଗୁଡ଼ିକରେ ହେଲା । ପରବର୍ତ୍ତୀକାଳରେ ତାଙ୍କୁ ବିଦେଶରୁ ମଧ୍ୟ ଆମନ୍ତ୍ରଣ ଆସିବାକୁ ଲାଗିଲା । ଏବେ ଯଜ୍ଞର ଚାହିଦା ଏତେ ବଢ଼ିଗଲା ଯେ ତାହା ଏକାକୀ ସ୍ୱାମୀଜୀଙ୍କ ପାଇଁ କୈବା ସମ୍ଭବ ହୋଇନଥିଲା ।[୩] ତେଣୁ ସ୍ୱାମୀଜୀ ବୋମ୍ବେରେ ସନ୍ଦୀପନୀ ଆଶ୍ରମ ସ୍ଥାପନ କଲେ ଓ ସେଠାରେ ବ୍ରହ୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ । ୨-୩ ବର୍ଷର ଶିକ୍ଷା ପରେ ଛାତ୍ରମାନେ ଛୋଟ ଯଜ୍ଞ ଓ ସ୍ୱାଧ୍ୟାୟ ମଣ୍ଡଳ ଚଳାଇବା ଏବଂ ସେବାକାର୍ଯ୍ୟ ଆରମ୍ଭ କଲେ । ଏହି କାର୍ଯ୍ୟକ୍ରମ ବୃଦ୍ଧିପାଇ ଆଜି ଭାରତରେ ପ୍ରାୟ ୧୭୫ଟି କେନ୍ଦ୍ର ଏବଂ ବିଦେଶରେ ୪୦ଟି କେନ୍ଦ୍ର କାର୍ଯ୍ୟରତ। ଏହି କେନ୍ଦ୍ରଗୁଡ଼ିକରେ ପ୍ରାୟ ୧୫୦ ସନ୍ନ୍ୟାସୀ ଓ ବ୍ରହ୍ମଚାରୀ ଜନ ସେବାରେ ନିୟୋଜିତ ଅଛନ୍ତି । ଏହି ସଂଖ୍ୟା ପ୍ରତିବର୍ଷ ବଢ଼ୁଛି ।
ଆଧାର
[ସମ୍ପାଦନା]- ↑ "C C M T |". www.chinmayamission.com (in ଆମେରିକୀୟ ଇଂରାଜୀ). Archived from the original on 2021-09-03. Retrieved 2025-11-21.
- ↑ [proquest.com/docview/365345028 "Swami Chinmayananda Dies After Heart Surgery"]. proquest.com. Retrieved 21 November 2025.
{{cite web}}: Check|url=value (help) - ↑ Emir, Rudite (1998). Swami Chinmayananda: A Life of Inspiration and Service. Central Chinmaya Mission Trust. ISBN 1-880687-32-1.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |