Jump to content

ସ୍ୱାମୀ ଅଖଣ୍ଡାନନ୍ଦ

ଉଇକିପିଡ଼ିଆ‌ରୁ

ସ୍ୱାମୀ ଅଖଣ୍ଡାନନ୍ଦ (୧୮୬୪–୧୯୩୭) ରାମକୃଷ୍ଣ ମିଶନର ଜଣେ ସନ୍ନ୍ୟାସୀ ତଥା ରାମକୃଷ୍ଣ ପରମହଂସଙ୍କ ଶିଷ୍ୟ । ସେ ରାମକୃଷ୍ଣ ମିଶନର ତୃତୀୟ ଅଧ୍ୟକ୍ଷ ମଧ୍ୟ ଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଖଣ୍ଡାନନ୍ଦଙ୍କ ଜନ୍ମ ୩୦ ସେପ୍ଟେମ୍ବର ୧୮୬୪ ମସିହାରେ ପଶ୍ଚିମ କଲିକତାର ଅହିରିଟୋଲା ଅଞ୍ଚଳରେ ଶ୍ରୀମନ୍ତ ଗଙ୍ଗୋପାଧ୍ୟାୟ ଓ ବାମସୁନ୍ଦରୀ ଦେବୀଙ୍କ ଘରେ ହୋଇଥିଲା । ସେ ଜଣେ ସଂଭ୍ରାନ୍ତ ବ୍ରାହ୍ମଣ ପରିବାରର ଥିଲେ । ତାଙ୍କ ମୂଳ ନାମ ଥିଲା ଗଙ୍ଗାଧର ଘଟକ (ଗଙ୍ଗୋପାଧ୍ୟାୟ) । ସେ ସ୍ୱଭାବତଃ ରୁଢିବାଦୀ ଥିଲେ । ବାଳ୍ୟକାଳରୁ ଗଙ୍ଗାଧର ବହୁତ ଦୟାଳୁ ଥିଲେ; ଏପରିକି ଥରେ ଜଣେ ଦରିଦ୍ର ସହପାଠୀଙ୍କ ଚିରିଯାଇଥିବା କମିଜ ଦେଖି ସେ ନିଜ କମିଜ ତାକୁ ଦେଇଥିଲେ । ମାତାପିତାଙ୍କୁ ନ କହି, ସେ ଭିକ୍ଷୁକମାନଙ୍କୁ ଖାଦ୍ୟ ଦେଉଥିଲେ । ସେ ଜଣେ କଠୋର ନୈତିକତାବାଦୀ ଥିଲେ ଏବଂ ଦୟାଳୁ ସ୍ଵଭାବ ବଶତଃ ସଦା ନିଜ ସ୍ଵେଚ୍ଛାଚାରୀ ବନ୍ଧୁମାନଙ୍କୁ ସହାୟତା କରୁଥିଲେ ।

ଶିଶୁବେଳେ ଗଙ୍ଗାଧରଙ୍କ ସ୍ମୃତିଶକ୍ତି ଅତ୍ୟନ୍ତ ପ୍ରଖର ଥିଲା । ଏପରିକି ମାତ୍ର ଗୋଟିଏ ଦିନରେ ସେ ଇଂରାଜୀ ବର୍ଣ୍ଣମାଳା ମୁଖସ୍ଥ କରିନେଇଥିଲେ । ୧୮୮୪ ମସିହାରେ ସେ ପ୍ରଥମେ ଦକ୍ଷିଣେଶ୍ୱର ମନ୍ଦିରରେ ଯେତେବେଳେ ରାମକୃଷ୍ଣ ପରମହଂସଙ୍କୁ ଦେଖିଥିଲେ, ସେତେବେଳେ ତାଙ୍କ ବୟସ ୧୯ ବର୍ଷ ଥିଲା । ପରେ ସେ ତାଙ୍କୁ ନିଜ ଗୁରୁ ଭାବେ ଗ୍ରହଣ କଲେ । ସେ ପ୍ରଥମେ ଖୁବ ଛୋଟ ବୟସରେ ଦୀନନାଥ ବୋସଙ୍କ ଘରେ ରାମକୃଷ୍ଣଙ୍କୁ ଦେଖିଥିଲେ । ରାମକୃଷ୍ଣ ଚାହୁଁନଥିଲେ ଯେ ସେ ରୁଢିବାଦୀ ରହୁନ୍ତୁ, ତେଣୁ ସେ ତାଙ୍କ ପରିଚୟ ନରେନ୍ଦ୍ରନାଥ ଦତ୍ତ (ପରେ ସ୍ୱାମୀ ବିବେକାନନ୍ଦ) ସହ କରାଇଥିଲେ । ଗଙ୍ଗାଧର ନରେନ୍ଦ୍ରନାଥଙ୍କ ଦ୍ଵାରା ଗଭୀର ଭାବେ ପ୍ରଭାବିତ ହେଲେ ଓ ତାଙ୍କ ପ୍ରତି ସମର୍ପିତ ମଧ୍ୟ ହେଲେ । ନରେନ୍ଦ୍ରଙ୍କ ପ୍ରତି ଏହି ଭକ୍ତି ପରବର୍ତ୍ତୀ ସମୟରେ ତାଙ୍କୁ ଆତ୍ମିକ ଅଭ୍ୟାସ ଅପେକ୍ଷା ସେବାକୁ ପ୍ରାଧାନ୍ୟ ଦେବାକୁ ପ୍ରେରିତ କଲା । ଦକ୍ଷିଣେଶ୍ୱର ଯାତ୍ରା ସମୟରେ ଗଙ୍ଗାଧର ରାମକୃଷ୍ଣଙ୍କ ନିକଟରୁ ଧ୍ୟାନ ସମ୍ପର୍କିତ ନିର୍ଦ୍ଦେଶ ମଧ୍ୟ ଗ୍ରହଣ କରିଥିଲେ ।[]

ସେବାକାର୍ଯ୍ୟ

[ସମ୍ପାଦନା]

ଅଖଣ୍ଡାନନ୍ଦ ରାମକୃଷ୍ଣ ମିଶନ ପ୍ରଥମ ସନ୍ନ୍ୟାସୀ ଥିଲେ ଯିଏ ସ୍ୱାମୀ ବିବେକାନନ୍ଦଙ୍କ ଆନ୍ତରିକ ଅଭିଳାଷକୁ ରୂପ ଦେଇ ଗ୍ରାମୀଣ ଉନ୍ନତି କାର୍ଯ୍ୟ ଆରମ୍ଭ କରିଥିଲେ । ଜନସାଧାରଣଙ୍କ ଦୁଃଖ ଓ ଦୁର୍ଦଶା ତାଙ୍କୁ ହିମାଳୟର ଶାନ୍ତିପୂର୍ଣ୍ଣ ଜୀବନରୁ ତଳକୁ ଟାଣିଆଣିଲା ଏବଂ ସେମାନଙ୍କ ପାଇଁ ସେ ଶାନ୍ତି ଓ ସହାୟତାର ପ୍ରତୀକ ହେଲେ । ସେ ଗରିବମାନଙ୍କ ମଧ୍ୟରେ ରହି ନିଜ ଗୁରୁଙ୍କ ଆହ୍ୱାନ — “ଜୀବକୁ ଶିବ ଭାବେ ପୂଜା କର” — ଜୀବନର ଶେଷ ପର୍ଯ୍ୟନ୍ତ ପ୍ରାୟୋଗ କରିଥିଲେ । ସେ ରାମକୃଷ୍ଣ ଆନ୍ଦୋଳନର ସେବାକାର୍ଯ୍ୟର ଜଣେ ପ୍ରମୁଖ କର୍ମୀ ଥିଲେ । ସେ ଏକ ଭ୍ରମଣଶୀଳ ସନ୍ନ୍ୟାସୀ ଭାବେ ଯେଉଁ ଅନୁଭବ ହାସଲ କରିଥିଲେ, ତାହା ବିବେକାନନ୍ଦଙ୍କ ଭଳି ତାଙ୍କୁ ଲୋକଙ୍କ ଦୁଃଖ ଓ ଦୁର୍ଦଶା ନିବାରଣ ପାଇଁ ପଦକ୍ଷେପ ନେବାକୁ ପ୍ରେରିତ କଲା । ଅମେରିକାରୁ ବିବେକାନନ୍ଦଙ୍କ ଦ୍ୱାରା ପଠାଯାଇଥିବା ଉତ୍ସାହଦାୟକ ଚିଠି ତାଙ୍କୁ ଅଧିକ ଉତ୍ସାହିତ କଲା ଏବଂ ୧୮୯୪ ମସିହାରେ ସେ ଦେଶରେ ଦାରିଦ୍ର‍୍ୟା ବିରୋଧରେ ନିଜ ଅଭିଯାନ ଆରମ୍ଭ କଲେ । ସେ ଗରିବମାନଙ୍କ ପାଇଁ କାମ କରିବାର ଚିନ୍ତା କଲେ ଯେତେବେଳେ ସେ ଜାମନଗରରେ ପ୍ରସିଦ୍ଧ ଆୟୁର୍ବେଦ ଚିକିତ୍ସକ ଝଣ୍ଡୁ ଭଟ୍ଟଙ୍କ ସହ ରହୁଥିଲେ, ଯିଏ ନିଜ ରୋଗୀମାନଙ୍କୁ ଅସାଧାରଣ ଭକ୍ତି ଓ ମମତା ସହିତ ସେବା କରୁଥିଲେ ।

୧୮୯୪ ମସିହାରେ ସେ ଖେତ୍ରୀ (ରାଜସ୍ଥାନ) ରେ ଥିବା ସମୟରେ ଲୋକମାନଙ୍କ ମଧ୍ୟରେ ଶିକ୍ଷାର ପ୍ରୟୋଜନୀୟତା ବିଷୟରେ ଜାଗୃତି ଆଣିବା ପାଇଁ ଘର ଘର ବୁଲିଥିଲେ । ତାଙ୍କ ଚେଷ୍ଟାର ଫଳରେ ଖେତ୍ରୀ ରାଜ୍ୟ ଇଂରାଜୀ ବିଦ୍ୟାଳୟର ଛାତ୍ର ସଂଖ୍ୟା ୮୦ରୁ ବୃଦ୍ଧି ପାଇ ୨୫୭ ହେଲା । ତାଙ୍କ ପ୍ରେରଣାରେ ମହାରାଜା ଅଜିତ ସିଂହ ଖେତ୍ରୀ ଗୋଲା ସମ୍ପ୍ରଦାୟର ଲୋକଙ୍କ ଶିକ୍ଷା ପାଇଁ ବ୍ୟବସ୍ଥା କଲେ ଓ ଗ୍ରାମଗୁଡ଼ିକରେ ବିଦ୍ୟାଳୟ ଖୋଲିବା ପାଇଁ ସ୍ଥାୟୀ ଶିକ୍ଷା ବିଭାଗ ସ୍ଥାପନ କଲେ । ଅଖଣ୍ଡାନନ୍ଦ ଏହି ଅଞ୍ଚଳର କୃଷକମାନଙ୍କ ଶିକ୍ଷା ପାଇଁ ଏକ କୃଷି ସମ୍ବାଦପତ୍ର ପ୍ରକାଶ କରିବା ନିମନ୍ତେ ବ୍ୟବସ୍ଥା କଲେ । ତାଙ୍କ ଉଦ୍ୟମରେ, ଖେତ୍ରୀର ସଂସ୍କୃତ ବିଦ୍ୟାଳୟକୁ ଏକ ବୈଦିକ ବିଦ୍ୟାଳୟରେ ପରିବର୍ତ୍ତନ କରାଗଲା ଓ ସେ ଗରିବ ଛାତ୍ରମାନଙ୍କ ପାଇଁ ପୁସ୍ତକ କିଣିବା ପାଇଁ ଧନ ସଂଗ୍ରହ କଲେ ।

ସେ ପ୍ରଥମେ ବଙ୍ଗାଳର ମୁର୍ଶିଦାବାଦ ଜିଲ୍ଲାରେ ଯାତ୍ରା କରୁଥିବା ସମୟରେ ଭୟାବହ ଦୁର୍ଭିକ୍ଷ ସମ୍ପର୍କରେ ଜାଣିଲେ । ୧୮୯୭ ମସିହାରେ ସେ ନିଜ ସହ ସନ୍ନ୍ୟାସୀମାନଙ୍କୁ ସହାୟତା ପାଇଁ ଅନୁରୋଧ କଲେ ଏବଂ ସେତେବେଳେ ଭାରତକୁ ଫେରିଥିବା ବିବେକାନନ୍ଦ ତାଙ୍କୁ ଅର୍ଥ ସହ ଦୁଇଜଣ ସନ୍ନ୍ୟାସୀ ପଠାଇଲେ । ୧ ମଇ ୧୮୯୭ ମସିହାରେ ବିବେକାନନ୍ଦ ରାମକୃଷ୍ଣ ମିଶନର ଉଦଘାଟନ କଲେ, ଏବଂ ୧୫ ମଇରେ ଅଖଣ୍ଡାନନ୍ଦ ମୁର୍ଶିଦାବାଦର କେଦାର-ମହୁଲାର ମୃତ୍ୟୁଞ୍ଜୟ ଭଟ୍ଟାଚାର୍ଯ୍ୟଙ୍କ ମନ୍ଦିର ପରିସରରେ ଏକ ରିଲିଫ୍ ସେଣ୍ଟର ଖୋଲିଲେ ଯାହା ଦୁର୍ଭିକ୍ଷରୁ ଲୋକମାନଙ୍କୁ ବଞ୍ଚାଇବା ପାଇଁ ସାହାଯ୍ୟ କଲା । ଏହା ହେଲା ରାମକୃଷ୍ଣ ମିଶନ୍ ଦ୍ୱାରା ପ୍ରଥମ ସାର୍ବଜନୀନ ସେବାକାର୍ଯ୍ୟ ।

୧୮୯୭ ଅଗଷ୍ଟ ୩୧ ତାରିଖରେ ଅଖଣ୍ଡାନନ୍ଦ ମହୁଲା (ବେରହମ୍ପୁର ନିକଟରେ) ଏକ ଅନାଥ ଆଶ୍ରମ ଆରମ୍ଭ କଲେ ଏବଂ ପରେ ସେଠି ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିଶନର ପ୍ରଥମ ଗ୍ରାମୀଣ ଶାଖା କେନ୍ଦ୍ର ସ୍ଥାପନ କଲେ । ୧୮୯୯ ମସିହାରେ ସେ ସରଗାଛି ନିକଟର ଶିବନଗରରେ ଗୋଟିଏ ଆଶ୍ରମ ଖୋଲିଲେ, ଯାହା ୧୪ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ସେଠାରେ ଅକ୍ଷରଜ୍ଞାନହୀନତା ନିବାରଣ ପାଇଁ ଏକ ମୁକ୍ତ ବିଦ୍ୟାଳୟ ଖୋଲାଗଲା । ସେ ଗ୍ରାମ ଶିଳ୍ପଗୁଡ଼ିକୁ ପୁନରୁଜ୍ଜୀବନ ଦେବା ଓ ଛୋଟଛାତ୍ରମାନଙ୍କୁ ସ୍ଵାଧୀନ ଜୀବିକାରେ ସାହାଯ୍ୟ କରିବା ପାଇଁ କାଠକାମ ଓ ବୟନ ବିଭାଗ ଯୋଡ଼ିଥିଲେ । ଗ୍ରାମୀଣ ମହିଳାମାନଙ୍କୁ ପରିବାରିକ ଆୟ ବୃଦ୍ଧି ପାଇଁ କପାସ ଚାଷ ଶିକ୍ଷା ଦିଆଯାଇଥିଲା । ସେ ବିହାରର ଭାଗଲପୁର ଜିଲ୍ଲାରେ ଓ ମୁଙ୍ଗେର ଭୂମିକମ୍ପ ସମୟରେ ମଧ୍ୟ ରିଲିଫ୍ କାର୍ଯ୍ୟର ନେତୃତ୍ୱ କରିଥିଲେ ।[]

ସାହିତ୍ୟିକ କୃତି

[ସମ୍ପାଦନା]

ତାଙ୍କରି ସାହିତ୍ୟିକ କୃତି ମଧ୍ୟରେ ନିମ୍ନ ତିନୋଟି ଲେଖା ପ୍ରଣିଧାନଯୋଗ୍ୟ ।

  • In the Lap of the Himalayas
  • From holy wanderings to the service of God in man
  • The call of the Spirit: Conversations With Swami Akhandananda, Swami Nirmayananda

ସମ୍ମାନ

[ସମ୍ପାଦନା]
  • ରାମକୃଷ୍ଣ ମିଶନ ବିଦ୍ୟାପୀଠ, ଦେଓଘରରେ ତାଙ୍କ ସମ୍ମାନରେ “ଅଖଣ୍ଡାନନ୍ଦ ଧାମ” ନାମରେ ଗୋଟିଏ ଡର୍ମିଟୋରି ରହିଛି ।
  • ରାମକୃଷ୍ଣ ମିଶନ ବିଦ୍ୟାପୀଠ, ନରେନ୍ଦ୍ରପୁରର ଏକ ବାଳକ ଛାତ୍ରାବାସ ତାଙ୍କରି ସମ୍ମାନାର୍ଥେ ଅଖଣ୍ଡାନନ୍ଦ ଭବନ ନାମରେ ନାମିତ ।
  1. "Swamy Akhandananda". biographies.rkmm.org. Retrieved 22 October 2025.
  2. Swami Akhandananda: Service as Worship, by Swami Devarajananda, Prabuddha Bharat, January 2009, page 133
  3. The disciples of Sri Ramakrishna, published by Advaita Ashrama, Mayawati, 1943, page 321