Jump to content

ସ୍ୱାଧୀନ ବାଞ୍ଛାନିଧି ଚକଲା

ଉଇକିପିଡ଼ିଆ‌ରୁ


ସ୍ୱାଧୀନ ବାଞ୍ଛାନିଧି ଚକଲା ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ, ବାଲେଶ୍ୱର ଜିଲ୍ଲାର (ଏବେକାର ଭଦ୍ରକ ଜିଲ୍ଲା) ଇରମ ଅଞ୍ଚଳରେ ବ୍ରିଟିଶ ସରକାରଙ୍କ ସହ ଏକ ସମାନ୍ତରାଳ ସରକାର ଗଠନ କରିବା ପାଇଁ ଜାତୀୟ କବି ବାଞ୍ଛାନିଧି ମହାନ୍ତିଙ୍କ ନାମ ଅନୁସାରେ ୧୭ ସପ୍ଟେମ୍ବର ୧୯୪୨ ଗଠନ କରାଯାଇଥିବା ଏକ ଆଞ୍ଚଳିକ ପରିଷଦ ଥିଲା ।[] ଏହିପରି କେତୋଟି ଅନୁଷ୍ଠାରେ ପୂର୍ବରୁ ଭାରତରେ ପ୍ରତିଷ୍ଠା କରାଯାଇଥିଲା, କିନ୍ତୁ ଓଡ଼ିଶାରେ ଏହା ପ୍ରଥମ ଥିଲା ।[]

ଇତିହାସ

[ସମ୍ପାଦନା]

୧୯୪୨ ମସିହା ସେପ୍ଟେମ୍ବର ୧୭ ତାରିଖରେ, ଇରମ ମେଳନ ପଡ଼ିଆଠାରେ ଏକ ବଡ଼ ସଭାର ଆୟୋଜନ କରାଯାଇଥିଲା । ଏହି ସଭା ପାଇଁ ୧୩ ତାରିଖରୁ ପ୍ରଚାର ଆରମ୍ଭ କରାଯାଇଥିଲା । ୧୬ ତାରିଖରୁ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ବରଣ୍ଡୁଆରୁ ଏକ ଶୋଭାଯାତ୍ରା ବାହାରି ୧୨ ମାଇଲ ଦୂର ଇରମରେ ପହଞ୍ଚିଥିଲେ ଏବଂ ୧୭ ତାରିଖର ସଭା ପାଇଁ ରାତ୍ରିଯାପନ କରିଥିଲେ । ଏହି ସଭାର ସଭାର ସଭାପତିତ୍ୱ କରିଥିଲେ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଏବଂ ଅନିରୁଦ୍ଧ ମହାନ୍ତି, କମଳା ପ୍ରସାଦ କର, ଶ୍ୟାମ ସୁନ୍ଦର ପାଣିଗ୍ରାହୀ, ଗଣେଶ ପ୍ରସାଦ ତ୍ରିପାଠୀ ଓ ରାଧାଶ୍ୟାମ ନାୟକ ଆଦି ବକ୍ତା ଥିଲେ ।[]

ପରିସୀମା

[ସମ୍ପାଦନା]

ଏହି ସଭାରେ, ସ୍ୱାଧୀନ ବାଞ୍ଛାନିଧି ଚକଲା ଘୋଷଣା କରାଯାଇଥିଲା । ୬ଟି ପଞ୍ଚାୟତର ୨୬ଟି ଗ୍ରାମକୁ ନେଇ ଗଠିତ ଏହି ଚକଲାର ଆୟତନ ଥିଲା ୧୯ ବର୍ଗମାଇଲ ।[][] ଉତ୍ତରରେ କାଂଶବାଂଶ ନଦୀଠାରୁ ଦକ୍ଷିଣରେ ଗମେଇ ନଦୀ ପର୍ଯ୍ୟନ୍ତ ଏବଂ ପୂର୍ବରେ ବଙ୍ଗୋପସାଗର ଠାରୁ ପଶ୍ଚିମରେ କାଂଶବାଂଶ ନଦୀ ପର୍ଯ୍ୟନ୍ତ ଏହାର ସୀମା ଥିଲା । ଗାଆଁଗୁଡ଼ିକ ପରିପ୍ରେକ୍ଷୀରେ, ପଶ୍ଚିମରେ ସୁଆଁଠାରୁ ପୂର୍ବରେ ଇରମ ଏବଂ ଉତ୍ତରରେ ବଚ୍ଛଦାଠାରୁ ଦକ୍ଷିଣରେ ଅଢ଼ୁଆଁ ପର୍ଯ୍ୟନ୍ତ ଏହାର ସୀମା ଥିଲା ।[]

ଅନ୍ତର୍ଭୁକ୍ତ ଗ୍ରାମସମୂହ

[ସମ୍ପାଦନା]
  1. ଇରମ
  2. ନୂଆଗାଁ
  3. ପଢ଼ୁଆଁ
  4. ଅଢ଼ୁଆଁ
  5. ଉଆଡ଼
  6. ଭାତୃପଡ଼ା
  7. କୁମାରପୁର
  8. ବଚ୍ଛଦା
  9. ଚନ୍ଦନପୁର
  10. ସାରଙ୍ଗପୁର
  11. ଜଗନ୍ନାଥପୁର
  12. ଶଙ୍ଖାରୁ
  13. ଆର୍ତ୍ତୁଙ୍ଗ
  14. ଜିରେଇଗଡ଼ି
  15. ଆମାଜିଆ
  16. ଅନ୍ତରା
  17. ଦାମୋଦରପୁର
  18. ସୁଆଁ
  19. ଗୁଡ଼
  20. ମରିଚା
  21. ଉଲଗଡ଼ା
  22. ସୁଦର୍ଶନପୁର
  23. ସଦେଇପଡ଼ା
  24. ଇଶ୍ୱରପୁର
  25. ତିଳଦା
  26. ନନ୍ଦପୁର

ସଦସ୍ୟଗଣ

[ସମ୍ପାଦନା]

ଗଠିତ ଚକଲା ବା ସରକାର ପରିଚାଳନା ପାଇଁ ୫ ଜଣିଆ କମିଟି ଗଠନ କରାଯାଇଥିଲା । ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଥିଲେ ସଭାପତି ଏବଂ କମଳା ପ୍ରସାଦ କର ଥିଲେ ପରିଚାଳକ ବା ପ୍ରଧାନ ସେନାପତି । ପ୍ରଭାକର ତ୍ରିପାଠୀ, ଅନିରୁଦ୍ଧ ମହାନ୍ତି ଓ ଶ୍ୟାମସୁନ୍ଦର ପାଣିଗ୍ରାହୀ ଏହି ଚକଲାର ଅନ୍ୟ ସଭ୍ୟ ଥିଲେ ।[]

କାର୍ଯ୍ୟାଳୟ ଓ ଆଇନ

[ସମ୍ପାଦନା]

ଏହି ସରକାର କାର୍ଯ୍ୟାଳୟ ପରିଚାଳନା ପାଇଁ ଅର୍ଜୁନ ବିଶ୍ୱାଳଙ୍କ ଘର ଭଡ଼ାରେ ନିଆଯାଇଥିଲା, ଯାହାକୁ ସତ୍ୟାଗ୍ରହ ଆଶ୍ରମ ଭାବରେ ନାମିତ କରାଯାଇଥିଲା । ଏହି ଘରେ କଂଗ୍ରେସ ପତାକା ଉଡ଼ାଯାଉଥିଲା ଏବଂ ପ୍ରତିଦିନ ସନ୍ଧ୍ୟାରେ ତାକୁ ଅବତରଣ କରାଯାଉଥିଲା ।[]

ନବଗଠିତ ସରକାରଙ୍କ ଆଇନ ଅମାନ୍ୟ କଲେ କିମ୍ବା କୌଣସି ଲୋକ ଗୁପ୍ତଚରୀ କଲେ ଏବଂ ମହାତ୍ମା ଗାନ୍ଧୀକଂଗ୍ରେସକୁ ଭର୍ସନା କଲେ ଦଣ୍ଡ ବିଧାନ ପାଇଁ ବ୍ୟବସ୍ଥା କରାଯାଇଥିଲା । ବିଚାରାଳୟ ଭାବରେ ଇରମର କୃଷ୍ଣଚନ୍ଦ୍ର ପାଣିଙ୍କ ସିଧାହାଟ ଘରକୁ ଏବଂ କାରାଗାର ଭାବରେ ବଙ୍କବିହାରୀ ତ୍ରିପାଠୀଙ୍କ ଘରକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । କୃଷ୍ଣଚନ୍ଦ୍ର ପାଣିଙ୍କୁ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା ଏବଂ ତାଙ୍କ ବିଚାର ଉପରେ ପୁନଃବିଚାର ପାଇଁ ଏକ ଉଚ୍ଚ ଅଦାଲତ କମିଟି ନୂଆଗାଁର ପାଣୁ ଦାସଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା ।[]

ସରକାରଙ୍କ ବିଭାଗ ସମୂହ

[ସମ୍ପାଦନା]

ଏହି ସରକାରଙ୍କ ଅଧିନରେ ୩ଟି ବିଭାଗ ରହିଥିଲା; ଯଥା: ସୈନ୍ୟ ବିଭାଗ, ଗୁପ୍ତଚର ବିଭାଗ ଓ ରସଦ ବିଭାବ ।[]

ସୈନ୍ୟ ବିଭାଗ

[ସମ୍ପାଦନା]

ଏହି ବିଭାଗ ଅଧିନରେ ନିଯୁକ୍ତ ବ୍ୟକ୍ତିମାନଙ୍କୁ ମରଣସେନା ଭାବରେ ନାମିତ କରାଯାଇଥିଲା । ୩୫ ଜଣ ସଦସ୍ୟ ବିଶିଷ୍ଟ ଏକ ପଦାତିକ ବାହିନୀ ଏହି ବିଭାଗରେ ଥିଲେ । ଏହି ବିଭାଗର ଅଧକ୍ଷ ବା ସେନାଧକ୍ଷ ଥିଲେ ଗଣେଶ ପ୍ରସାଦ ତ୍ରିପାଠୀ । ସେମାନଙ୍କର ଧ୍ୱନି ଥିଲା 'କରେଙ୍ଗେ ଔର ମରେଙ୍ଗେ' ଅର୍ଥାତ 'କରିବୁ ଓ ମରିବୁ' । ମରଣସେନା ବ୍ୟତୀତ ଏହି ବିଭାଗର ଅନ୍ୟ ଏକ ଅଙ୍ଗ ଥିଲା ସେଚ୍ଛାସେବକ ବାହିନୀ, ଯାହାକୁ ଶାନ୍ତିସେନା ଭାବରେ ନାମିତ କରାଯାଇଥିଲା ଏବଂ ଅନିରୁଦ୍ଧ ମହାନ୍ତି ଥିଲେ ଏହି ସେନାର ମୁଖ୍ୟ । ଏହି ସେନାରେ ୨୩୫ ଜଣ ସଦସ୍ୟ ଥିଲେ ।[]

ଗୁପ୍ତଚର ବିଭାଗ

[ସମ୍ପାଦନା]

ଏହି ବିଭାଗର ମୁଖ୍ୟ କାର୍ଯ୍ୟ ଥିଲା ଗମେଇ ନଦୀର ଘାଟ ଜଗିବା, ଇଂରେଜ ସରକାରଙ୍କ କର୍ମଚାରୀ ବା ପୋଲିସର ଆଗମନ ବିଷୟରେ ଅବଗତ କରାଇବା ଏବଂ ସର୍ବୋପରି କଂଗ୍ରେସୀ ବିରୋଧୀ ଓ ଅନ୍ତର୍ଘାତୀ କାର୍ଯ୍ୟ ଉପରେ ନଜର ରଖିବା । ଏହି ବିଭାଗର ମୁଖ୍ୟ ବିଷୟରେ ତଥ୍ୟ ନାହିଁ । ହୁଏତ ଏହା ଗୁପ୍ତଚର ବିଭାଗ ହୋଇଥିବାରୁ, ଏଥିରେ ଥିବା ସଦସ୍ୟମାନଙ୍କ ବିଷୟରେ କୌଣସି ଲିଖିତ ତଥ୍ୟ ନାହିଁ ।[]

ରସଦ ବିଭାଗ

[ସମ୍ପାଦନା]

ଏହି ସେନାର ପ୍ରମୁଖ କାର୍ଯ୍ୟ ଥିଲା ବାହାରୁ ଆସୁଥିବା ସ୍ୱେଚ୍ଛାସେବୀ ଓ ସତ୍ୟାଗ୍ରହୀଙ୍କ ଖାଦ୍ୟପେୟର ଆୟୋଜନ କରିବା ଏବଂ ଖାଦ୍ୟ ସଂଗ୍ରହ କରିବା । ଲକ୍ଷ୍ମୀନାରାୟଣ ପାଢ଼ୀ, କୃଷ୍ଣଚନ୍ଦ୍ର ପାଣି, ବଙ୍କ ବିହାରୀ ତ୍ରିପାଠୀ, ପଞ୍ଚାନନ ତ୍ରିପାଠୀ, ଦିବାକର ତ୍ରିପାଠୀ, ବିନୋଦ ବିହାରୀ ତ୍ରିପାଠୀ, ବିବେକାନନ୍ଦ ମହାନ୍ତି, କାଶୀନାଥ ଦାଶ, ରତ୍ନାକର ଦାଶଙ୍କୁ ନେଇ ଏହି କମିଟି ଗଠନ କରାଯାଇଥିଲା । ପ୍ରତିଦିନ ସନ୍ଧ୍ୟାରେ ବନ୍ଦେ ମାତରମ ଧ୍ୱନି ଦେଇ ମୃଦଙ୍ଗ, ଝାଞ୍ଜ ଧରି ହରିନାମ ସଂକୀର୍ତ୍ତନ କରି ଏମାନେ ଗାଁରୁ ଚୁଡ଼ା, ଚାଉଳ ଓ ପରିବା ଆଦି ସଂଗ୍ରହ କରିବା ସହିତ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ଦାନ ଗ୍ରହଣ କରୁଥିଲେ ।[]

କାର୍ଯ୍ୟକଳାପ ଓ ଇରମ ଗୁଳିକାଣ୍ଡ

[ସମ୍ପାଦନା]

ଏହି ପରିଷଦର ସଦସ୍ୟମାନେ ଧନୀ ଜମିଦାରମାନଙ୍କ ଗୋଦାମ ଲୁଟ କଲେ ଏବଂ ତଟ ନିରୀକ୍ଷଣ କେନ୍ଦ୍ର ଉପରେ ଆକ୍ରମଣ କଲେ । ଜମିଦାରମାନଙ୍କ ଅଭିଯୋଗକ୍ରମେ ପୋଲିସ କାର୍ଯ୍ୟନୁଷ୍ଠାନ ପାଇଁ ୨୮ ତାରିଖରେ ଇରମ ଅଭିମୁଖେ ଯାତ୍ରା କଲେ । ପୋଲିସ ଆସିବାର ଖବର ପାଇ ଛଅ ସାତ ହଜାର ଲୋକ ଏକତ୍ରିତ ହେଲେ । ସେମାନେ ପୋଲିସ ବାହିନୀର ଜିିନିଷପତ୍ର ବୋହିଥିବା ଚୌକିଦାରମାନଙ୍କୁ ଲୁଟି ନେଲେ । ସ୍ଥାନୀୟ ମେଳଣ ପଡ଼ିଆରେ କଂଗ୍ରେସର ସଭା ଚାଲିଥିଲା ବେଳେ ପୋଲିସ ସେଠାରେ ପହଞ୍ଚି ଗୁଳି ଚାଳନା କଲେ । ସଭାରେ ଉପସ୍ଥିତ ଜନତାଙ୍କ ମଧ୍ୟରୁ ମୋଟ ୨୯ ଜଣ ଲୋକ ପୋଲିସ ଗୁଳିରେ ପ୍ରାଣତ୍ୟାଗ କଲେ; ଶହେରୁ ଅଧିକ ଲୋକ ଗୁରୁତର ଆହତ ହେଲେ ।[] ଗୁଳିଚାଳନା ପରେ ପୋଲିସ ଗାଁ ଲୋକଙ୍କ ଘରବାଡ଼ି ଲୁଟି ନେଲେ । ଆନ୍ଦୋଳନର ପ୍ରମୁଖ ନେତା ଅନିରୁଦ୍ଧ ମହାନ୍ତି, କମଳା ପ୍ରସାଦ କର ଓ ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କୁ ଅକ୍ଟୋବର ପ୍ରଥମ ସପ୍ତାହ ସୁଦ୍ଧା ଗିରଫ କରାଗଲା । ଏହା ପରେ ଇରମର ଆନ୍ଦୋଳନ ଆଉ ମୁଣ୍ଡଟେକି ପାରିଲା ନାହିଁ ଏବଂ ଏହି ସ୍ୱାଧୀନ ଚକଲାର ଅନ୍ତ ହେଲା ।[]

  1. ୧.୦ ୧.୧ Kanta, Surya (2024-09-28). "ବହୁବଚନ: ଆରକ୍ତ ଗୋଧୂଳିର ରକ୍ତରାଗିଣୀ". Sambad. Retrieved 2025-08-17.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ପଟ୍ଟନାୟକ, ଜଗନ୍ନାଥ (1986). ରକ୍ତ‌ତୀର୍ଥ ଇରମ: ସ୍ୱାଧୀନତା ସଂଗ୍ରାମରେ ଏକ ମର୍ମନ୍ତୁନ୍ଦ ଅଧ୍ୟାୟ (୧ମ ed.). ବିନୋଦବିହାରୀ, କଟକ-୨: ନାଲନ୍ଦା. pp. ୬୮-୭୦.{{cite book}}: CS1 maint: location (link) CS1 maint: url-status (link)
  3. ଆଚାର୍ଯ୍ୟ, ପ୍ରୀତିଶ. ଓଡ଼ିଶା ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୩୧୧.
  4. Digital, Sambad (2023-07-22). "ବହୁବଚନ: ସ୍ୱାଧୀନତାର ପ୍ରଥମ ପ୍ରଦୀପ". Sambad. Retrieved 2025-08-17.
  5. ଆଚାର୍ଯ୍ୟ, ପ୍ରୀତିଶ. ଓଡ଼ିଶା ଇତିହାସ (୧ମ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୩୧୨.