ସୁଲଭା ଦେଶପାଣ୍ଡେ
ସୁଲଭା ଦେଶପାଣ୍ଡେ | |
|---|---|
| ଜନ୍ମ | 1937 |
| ମୃତ୍ୟୁ | ୪ ଜୁନ ୨୦୧୬ (ବୟସ ୭୮–୭୯)[୧] |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | 1960s–2016 |
| ବୈବାହିକ-ସାଥୀ | |
ସୁଲଭା ଦେଶପାଣ୍ଡେ (୧୯୩୭ – ୪ ଜୁନ ୨୦୧୬) ଜଣେ ଭାରତୀୟ ଅଭିନେତ୍ରୀ ଏବଂ ନାଟ୍ୟ ନିର୍ଦ୍ଦେଶକ ଥିଲେ। ମୁମ୍ବାଇରେ ମରାଠୀ ଓ ହିନ୍ଦୀ ନାଟ୍ୟମଞ୍ଚରେ କାମ କରିବା ସହ ସେ ୭୩ଟିରୁ ଅଧିକ ପ୍ରମୁଖ ବଲିଉଡ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ଭୂମିକା (୧୯୭୭), ଅରବିନ୍ଦ ଦେଶାଇ କି ଅଜୀବ ଦାସ୍ତାନ (୧୯୭୮) ଏବଂ ଗମନ (୧୯୭୮) ପରି କଳାଧାରାର ଚଳଚ୍ଚିତ୍ରରେ ମଧ୍ୟ ଚରିତ୍ର ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ। ଏଥି ସହ ସେ ଅନେକ ଟେଲିଭିଜନ୍ ଧାରାବାହିକ ଓ ନାଟକରେ ମଧ୍ୟ ଅଭିନୟ କରିଥିଲେ।[୨]
୧୯୬୦ ଦଶକର ପ୍ରୟୋଗାଧାରିତ ନାଟ୍ୟ ଆନ୍ଦୋଳନରେ ସେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ସେ ରଙ୍ଗାୟନ ନାଟ୍ୟ ଦଳ ସହ ସଂପୃକ୍ତ ଥିଲେ ଏବଂ ବିଜୟ ତେଣ୍ଡୁଲକର, ବିଜୟା ମେହତା ଓ ସତ୍ୟଦେବ ଦୁବେ ପରି ବ୍ୟକ୍ତିତ୍ୱମାନଙ୍କ ସହ କାମ କରିଥିଲେ। ୧୯୭୧ ମସିହାରେ ସେ ତାଙ୍କ ସ୍ୱାମୀ ଅରବିନ୍ଦ ଦେଶପାଣ୍ଡେଙ୍କ ସହ ଆବିଷ୍କାର ନାମକ ନାଟ୍ୟ ଦଳ ସ୍ଥାପନା କରିଥିଲେ। ସେ ଏହାର ଶିଶୁ ବିଭାଗ ଚନ୍ଦ୍ରଶାଳା ମଧ୍ୟ ଆରମ୍ଭ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ପ୍ରୋଫେସନାଲ୍ ଶିଶୁ ନାଟକ ମଞ୍ଚସ୍ଥ କରୁଛି। ପରବର୍ତ୍ତୀ ବର୍ଷଗୁଡ଼ିକରେ ସେ ଜୀ ଲେ ଜରା, ଏକ ପ୍ୟାକେଟ ଉମିଦ, ଅସ୍ମିତା ପରି ଧାରାବାହିକ ଏବଂ ଇଂଲିଶ୍ ଭିଙ୍ଗ୍ଲିଶ୍ (୨୦୧୨) ପରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ଶାନ୍ତତା! କୋର୍ଟ ଚାଲୁ ଆହେ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ ମହାରାଷ୍ଟ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଲାଭ କରିଥିଲେ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁଲଭା ଦେଶପାଣ୍ଡେ ମୁମ୍ବାଇରେ ଜନ୍ମ ଓ ଲାଳନ-ପାଳନ ପାଇଥିଲେ। ସେ ମୁମ୍ବାଇର ଫୋର୍ଟ ଅଞ୍ଚଳର ସିଦ୍ଧାର୍ଥ କଲେଜ୍ ରେ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ଶିକ୍ଷା ବିଷୟରେ ଡିଗ୍ରୀ ହାସଲ କରିଥିଲେ।
କର୍ମ ଜୀବନ
[ସମ୍ପାଦନା]ଦେଶପାଣ୍ଡେ ମୁମ୍ବାଇର ଦାଦର ଅଞ୍ଚଳର ଛବିଲଦାସ ବୋୟ୍ସ୍ ହାଇ ସ୍କୁଲ୍ ରେ ଶିକ୍ଷିକା ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେଠାରେ କାମ କରୁଥିବା ସମୟରେ ସେ ପ୍ରସିଦ୍ଧ ନାଟ୍ୟକାର ବିଜୟ ତେଣ୍ଡୁଲକରଙ୍କୁ ତାଙ୍କ ଛାତ୍ରମାନଙ୍କ ପାଇଁ କିଛି ନାଟକ ଲେଖିବାକୁ ଅନୁରୋଧ କରିଥିଲେ। ଏହା ମାଧ୍ୟମରେ ତାଙ୍କର ନାଟ୍ୟମଞ୍ଚ ସହ ସମ୍ପର୍କ ଆରମ୍ଭ ହୋଇଥିଲା ଏବଂ ପରେ ସେ ୧୯୬୦ ଦଶକର ପ୍ରୟୋଗାଧାରିତ ନାଟ୍ୟ ଆନ୍ଦୋଳନର ଏକ ପ୍ରମୁଖ ଅଗ୍ରଦୂତ ହୋଇଉଠିଥିଲେ।
ସେ ବିଜୟା ମେହତା, ବିଜୟ ତେଣ୍ଡୁଲକର, ଅରବିନ୍ଦ ଦେଶପାଣ୍ଡେ ଓ ଶ୍ରୀରାମ ଲାଗୁଙ୍କ ଦ୍ୱାରା ସ୍ଥାପିତ ରଙ୍ଗାୟନ ନାଟ୍ୟ ଦଳରେ ଯୋଗଦେଇଥିଲେ।[୩] ଶୀଘ୍ରହି ସେ ଅଭିନୟ କ୍ଷେତ୍ରରେ ପ୍ରବେଶ କରିଥିଲେ ଏବଂ ମଧଲ୍ୟା ଭିନ୍ତି ଓ ସସା ଆନି କସବ ପରି ନାଟକ ପାଇଁ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ପୁରସ୍କାର ଜିତିଥିଲେ।
ପରେ ରଙ୍ଗାୟନ ଦଳ ଭଙ୍ଗ ହେବା ପରେ ସେ ତାଙ୍କ ସ୍ୱାମୀ ଅରବିନ୍ଦ ଦେଶପାଣ୍ଡେ ଓ ଅରୁଣ କାକଡେଙ୍କ ସହ ୧୯୭୧ ମସିହାରେ ଆବିଷ୍କାର ନାମକ ନାଟ୍ୟ ଦଳ ଗଠନ କରିଥିଲେ। ୧୯୬୭ ମସିହାରେ ବିଜୟ ତେଣ୍ଡୁଲକରଙ୍କ ପ୍ରସିଦ୍ଧ ନାଟକ ଶାନ୍ତତା! କୋର୍ଟ ଚାଲୁ ଆହେ ରେ ‘ଲୀଳା ବେନାରେ’ ମୁଖ୍ୟ ଚରିତ୍ରରେ ତାଙ୍କ ଅଭିନୟ ତାଙ୍କ ଦକ୍ଷତାକୁ ସ୍ଥାପିତ କରିଥିଲା। ପରେ ୧୯୭୧ ମସିହାରେ ସତ୍ୟଦେବ ଦୁବେଙ୍କ ନିର୍ଦ୍ଦେଶନାରେ ଏହି ନାଟକ ଉପରେ ନିର୍ମିତ ଚଳଚ୍ଚିତ୍ରରେ ସେ ପୁନର୍ବାର ଏହି ଭୂମିକା କରିଥିଲେ, ଯାହା ତାଙ୍କ ପାଇଁ ଚଳଚ୍ଚିତ୍ର ଜଗତରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ସାବ୍ୟସ୍ତ ହୋଇଥିଲା।
ତାହାପରେ ସେ ହିନ୍ଦୀ ଓ ମରାଠୀ ଦୁଇଟି ସିନେମାରେ ବ୍ୟାପକ ଭାବେ କାମ କରିଥିଲେ ଏବଂ ୧୯୭୦ ଓ ୧୯୮୦ ଦଶକରେ ଭାରତୀୟ ନୂତନ ଧାରାର ସିନେମାର ଉଚ୍ଚ ସମୟରେ ଶ୍ୟାମ ବେନେଗାଲ ପରି ନିର୍ଦ୍ଦେଶକମାନଙ୍କ ସହ କାମ କରିଥିଲେ।[୪]
ଆଧାର
[ସମ୍ପାଦନା]- ↑ "Veteran actor, theatre person Sulabha Deshpande passes away". The Indian Express. 4 June 2016. Retrieved 4 June 2016.
- ↑ "Theatre guru Satyadev Dubey passes away". The Hindu (in Indian English). 2011-12-25. ISSN 0971-751X. Retrieved 2026-03-11.
- ↑ Tendulkar, Vijay. Five Plays For Children (in ଇଂରାଜୀ). Scholastic India Pvt Limited. ISBN 978-81-8477-133-6.
- ↑ "Tanveer Sanman for Sulabha Deshpande". The Times of India. 2010-12-02. ISSN 0971-8257. Retrieved 2026-03-11.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |