Jump to content

ସୁନ୍ଦରାକାଣ୍ଡ

ଉଇକିପିଡ଼ିଆ‌ରୁ
ହନୁମାନ ଓ ମାତା ସୀତା ଅଶୋକବାଟିକାରେ

ସୁନ୍ଦରାକାଣ୍ଡ ମୂଳତଃ ମହାର୍ଷି ବାଳ୍ମୀକିଙ୍କ ରଚିତ ରାମାୟଣର ଗୋଟିଏ ଅଂଶ (କାଣ୍ଡ ବା ସୋପାନ) ଅଟେ । ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ଶ୍ରୀରାମଚରିତମାନସ ଏବଂ ଅନ୍ୟାନ୍ୟ ଭାଷାର ରାମାୟଣମାନଙ୍କ ମଧ୍ୟରେ ମଧ୍ୟ ସୁନ୍ଦରକାଣ୍ଡ ଅଛି । ସୁନ୍ଦରାକାଣ୍ଡରେ ଭଗବାନ ହନୁମାନଙ୍କ ଦ୍ୱାରା କୃତ ମହାନ କାର୍ଯ୍ୟମାନଙ୍କ ବିବରଣି ରହିଛି । ରାମାୟଣ ପାଠରେ ସୁନ୍ଦରାକାଣ୍ଡର ପାଠକୁ ବିଶେଷ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ । ସୁନ୍ଦରାକାଣ୍ଡରେ ହନୁମାନଙ୍କ ଲଙ୍କା ଯାତ୍ରା, ଲଙ୍କା ଦହନ ଏବଂ ସେଠାରୁ ଫେରିବା ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଘଟଣାର ଉଲ୍ଲେଖ ମିଳେ । ଏହି ସୋପାନର ମୁଖ୍ୟ ଘଟଣାମାନେ ହେଲେ, ହନୁମାନଙ୍କ ଲଙ୍କା ଯାତ୍ରା, ବିଭୀଷଣ ସହିତ ସାକ୍ଷାତ୍କାର, ମାତା ସୀତାଙ୍କୁ ଶ୍ରୀରାମଙ୍କ ମୁଦ୍ରିକା ଦେବା, ରାବଣଙ୍କ ପୁଅ ଅକ୍ଷୟକୁମାରଙ୍କ ବଧ, ଲଙ୍କା ଦହନ ଏବଂ ଲଙ୍କାରୁ ଫେରିବା । ସୁନ୍ଦରକାଣ୍ଡରେ ମୋଟ ୩ଟି ଶ୍ଲୋକ, ୬୦ଟି ଦୋହା ଏବଂ ୫୨୬ଟି ଚୌପାଇ ରହିଛି ।[]

ପୌରାଣିକ ଆଖ୍ୟାନ

[ସମ୍ପାଦନା]

ଦେବୀ ସୀତାଙ୍କ ସନ୍ଧାନରେ ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ଚୈତ୍ର ମାସରେ ହନୁମାନ ଲଙ୍କା ଯାତ୍ରା ଆରମ୍ଭ କଲେ । ମାର୍ଗରେ ସୁରସା ହନୁମାନଙ୍କ ପରୀକ୍ଷା ନେଲେ ଏବଂ ତାଙ୍କୁ ଯୋଗ୍ୟ ଓ ସାମର୍ଥ୍ୟବାନ ମାନି ଆଶୀର୍ବାଦ ଦେଲେ । ରାସ୍ତାରେ ହନୁମାନ ଛାୟା ଧରୁଥିବା ରାକ୍ଷସୀଙ୍କୁ ବଧ କଲେ ଏବଂ ଲଙ୍କିନୀଙ୍କୁ ଆଘାତ କରି ଲଙ୍କାରେ ପ୍ରବେଶ କଲେ । ସେଠାରେ ତାଙ୍କ ଦେଖା ହେଲା ବିଭୀଷଣ ସହିତ । ଯେତେବେଳେ ହନୁମାନ ଅଶୋକବାଟିକାରେ ପହଞ୍ଚିଲେ, ସେତେବେଳେ ରାବଣ ମାତା ସୀତାଙ୍କୁ ଧମକ ଦେଉଥିଲା । ରାବଣ ଯିବା ପରେ ତ୍ରିଜଟା ମାତା ସୀତାଙ୍କୁ ସାନ୍ତ୍ୱନା ଦେଲେ । ଏକାନ୍ତ ସମୟରେ ହନୁମାନ ମାତା ସୀତାଙ୍କ ସହିତ ଭେଟି ତାଙ୍କୁ ଶ୍ରୀରାମଙ୍କ ମୁଦ୍ରିକା ଦେଲେ । ପରେ ହନୁମାନ ଅଶୋକବାଟିକାରେ ଉପଦ୍ରବ କରି ରାବଣଙ୍କ ପୁଅ ଅକ୍ଷୟକୁମାରଙ୍କୁ ବଧ କଲେ । ମେଘନାଦ ହନୁମାନଙ୍କୁ ନାଗପାଶରେ ବାନ୍ଧି ରାବଣଙ୍କ ସଭାକୁ ନେଲେ । ରାବଣଙ୍କ ପ୍ରଶ୍ନର ଉତ୍ତରରେ ହନୁମାନ ନିଜକୁ ଶ୍ରୀରାମଙ୍କ ଦୂତ ଭାବେ ପରିଚୟ ଦେଲେ । ତା’ପରେ ରାବଣ ହନୁମାନଙ୍କ ଲାଞ୍ଜରେ ତେଲ ଭିଜା କପଡ଼ା ବାନ୍ଧି ନିଆଁ ଲଗାଇଲା । କିନ୍ତୁ ଏହାପରେ ହନୁମାନ ସେହି ନିଆଁ ଲାଗିବା ଅବସ୍ଥାରେ ଲଙ୍କା ନଗରର ଘରକୁ ଘର ଡେଇଁ ସମ୍ପୂର୍ଣ୍ଣ ଲଙ୍କାକୁ ଦହନ କରିଦେଲେ ।[]

ହନୁମାନ ମାତା ସୀତାଙ୍କ ନିକଟରେ ପହଞ୍ଚିଲେ । ମାତା ସୀତା ନିଜର ମଥାମଣି ଦେଇ ହନୁମାନଙ୍କୁ ବିଦାୟ ଦେଲେ । ସେ ସମୁଦ୍ର ଅତିକ୍ରମ କରି ପୁଣି ଫେରିଆସି ସମସ୍ତ ବାନରମାନଙ୍କ ସହିତ ମିଳିଲେ ଏବଂ ସମସ୍ତେ ମିଶି ସୁଗ୍ରୀବଙ୍କ ନିକଟକୁ ଫେରିଗଲେ । ହନୁମାନଙ୍କ ମହାନ କାର୍ଯ୍ୟ ଦେଖି ଶ୍ରୀରାମ ଅତ୍ୟନ୍ତ ପ୍ରସନ୍ନ ହେଲେ । ପରେ ରାମ ବାନର ସେନା ସହିତ ସମୁଦ୍ରତଟକୁ ପହଞ୍ଚିଲେ ।ଏପଟେ ବିଭୀଷଣ ରାବଣଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଯେ ରାମଙ୍କ ସହିତ ଶତ୍ରୁତା କରିବା ଉଚିତ ନୁହେଁ । ଏହା ଶୁଣି ରାବଣ ବିଭୀଷଣଙ୍କୁ ଅପମାନିତ କରି ଲଙ୍କାରୁ ତାଙ୍କୁ ନିଷ୍କାସିତ କଲେ । ବିଭୀଷଣ ପରେ ଶ୍ରୀରାମଙ୍କ ଶରଣରେ ଆସିଲେ, ଏବଂ ରାମ ତାଙ୍କୁ ଲଙ୍କାର ରାଜା ଭାବେ ଘୋଷଣା କଲେ । ପରେ ରାମ ସମୁଦ୍ର ଦେବତାଙ୍କୁ ପଥ ଦେବା ପାଇଁ ନିବେଦନ କଲେ । ସମୁଦ୍ର ବିନତି ନ ମାନିବାରୁ ରାମ କ୍ରୋଧିତ ହେଲେ । ରାମଙ୍କ କ୍ରୋଧ ଦେଖି ଭୟଭୀତ ସମୁଦ୍ର ସ୍ୱୟଂ ପ୍ରକଟ ହୋଇ ରାମଙ୍କୁ ପ୍ରାର୍ଥନା କରିଲେ ଏବଂ ନଳ ଓ ନୀଳଙ୍କ ଦ୍ୱାରା ସେତୁ ନିର୍ମାଣର ଉପାୟ କହିଦେଲେ ।

ଧାର୍ମିକ ବିଶ୍ୱାସ

[ସମ୍ପାଦନା]

ଏହି ପୌରାଣିକ ଆଖ୍ୟାନ ବିଶେଷକରି ମଙ୍ଗଳବାର କିମ୍ବା ଶନିବାର ଦିନ ହିନ୍ଦୁମାନଙ୍କ ଦ୍ୱାରା ପାଠ କରାଯାଏ । କାରଣ ଏହି ଦିନଗୁଡ଼ିକୁ ହନୁମାନଙ୍କ ବିଶେଷ ପୂଜା ଓ ପ୍ରାର୍ଥନା ପାଇଁ ଶୁଭ ବୋଲି ନିର୍ଦ୍ଧାରିତ କରାଯାଇଛି । ଏହି ପାଠ ସୂର୍ଯ୍ୟ ଓ ଛାୟାଙ୍କ ପୁତ୍ର ଶନିଦେବଙ୍କ ଅଶୁଭ ପ୍ରଭାବ ନିବାରଣ ପାଇଁ ହୋଇଥାଏ । ରାମାୟଣରେ ଉଲ୍ଲେଖ ଅଛି ଯେ, ଯେତେବେଳେ ଶନି ରାବଣଙ୍କ ରାଜପ୍ରାସାଦରେ ବନ୍ଦୀ ଅବସ୍ଥାରେ ଥିଲେ, ସେତେବେଳେ ହନୁମାନ ହିଁ ତାଙ୍କୁ ମୁକ୍ତି ଦେଇଥିଲେ । ଏହି କାରଣରୁ ଶନିଦେବ ସମସ୍ତ ହନୁମାନ ଭକ୍ତଙ୍କୁ ଅନୁଗ୍ରହ ଦେବା ପାଇଁ ପ୍ରତିଜ୍ଞା କଲେ । ଧାର୍ମିକ ଦୃଷ୍ଟିରୁ, ଏହି ପାଠ ଗୃହରେ ଶାନ୍ତି ଓ ସମୃଦ୍ଧି ଆଣେ ବୋଲି ମନ୍ୟତା ଅଛି । ଅନେକ ହିନ୍ଦୁ ମନେ କରନ୍ତି ଯେ ଯଦି କେହି ସମଗ୍ର ରାମାୟଣ ପଢ଼ିବାକୁ ସମୟ ନଥାଏ, ତେବେ ସୁନ୍ଦରକାଣ୍ଡ ପାଠ କରିବା ଅତ୍ୟାବଶ୍ୟକ ଓ ଶୁଭକାରକ ଅଟେ ।[]

  1. aravamudan, krishnan (2014-09-22). Pure Gems of Ramayanam (in ଇଂରାଜୀ). PartridgeIndia. ISBN 978-1-4828-3720-9.
  2. "Sundara Kand - Contents". www.valmikiramayan.net. Retrieved 2025-11-14.
  3. Vālmīki; Sutherland, Sally J. (1996). The R_m_ya_a of V_lm_ki: An Epic of Ancient India. Sundarakāṇḍa (in ଇଂରାଜୀ). Princeton University Press. ISBN 978-0-691-06662-2.