Jump to content

ସାମୁଏଲ୍‌ ଜନ୍‌ସନ୍‌

ଉଇକିପିଡ଼ିଆ‌ରୁ
ସାମୁଏଲ୍‌ ଜନ୍‌ସନ୍‌

ସାମୁଏଲ୍‌ ଜନ୍‌ସନ୍‌ (୧୮ ସେପ୍ଟେମ୍ବର ୧୭୦୯ – ୧୩ ଡିସେମ୍ବର ୧୭୮୪) ଏକ ଇଂରାଜୀ କବି ଓ ସାହିତ୍ୟ ସମାଲୋଚକ ଥିଲେ।[] ଅଷ୍ଟାଦଶ ଶତାବ୍ଦୀରେ ଅଲେକ୍‌ଜାଣ୍ଡର ପୋପ ପରେ ଡ଼ଃ ଜନ୍‌ସନ୍‌ ଇଂଲଣ୍ଡର ସାହିତ୍ୟିକ କାର୍ଯ୍ୟକଳାପକୁ ବହୁତ ପ୍ରଭାବିତ କରିଥିଲେ ।

ସଂକ୍ଷିପ୍ତ ଜୀବନି

[ସମ୍ପାଦନା]

ଜନ୍‌ସନ୍‌ଙ୍କ ଜନ୍ମ ୧୭୦୯ ମସିହାରେ ଲିଚଫିଲ୍ଡ ନାମକ ସ୍ଥାନରେ ଏକ ସାମାନ୍ୟ ପୁସ୍ତକ ବିକ୍ରେତାଙ୍କ ଘରେ ହୋଇଥିଲା ।[] ଜୀବନର ଆରମ୍ଭିକ ଅବସ୍ଥାରୁ ସେ ଦାରିଦ୍ର୍ୟ ପରିସ୍ଥିତି ସହିତ ସଂଘର୍ଷ କରିଥିଲେ । ଲିଚଫିଲ୍ଡର ଗ୍ରାମାର୍ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରି ସେ ପରେ ଆକ୍ସଫୋର୍ଡର ପେମ୍ବ୍ରୋକ କଲେଜରେ ଭର୍ତ୍ତି ହେଲେ । କିନ୍ତୁ ସେଠି ସେ କେବଳ ୧୪ ମାସ ରହିପାରିଲେ ଓ ଡିଗ୍ରୀ ନ ନେଇ କଲେଜ୍ ଛାଡ଼ିବାକୁ ବାଧ୍ୟ ହେଲେ । ୧୭୩୧ ମସିହାରେ ତାଙ୍କ ବାପାଙ୍କ ଦେହାନ୍ତ ହେଲା ଓ ପରିବାରର ଆର୍ଥିକ ଅଧିକ ଗୁରୁତର ହେଲା । ୧୭୩୫ ମସିହାରେ ସେ ଏକ ବିଧବା ନାରୀ ଶ୍ରୀମତୀ ଏଲିଜାବେଥ ପୋର୍ଟର ସହ ବିବାହ କଲେ । ସେହି ସମୟରେ ସେ ଲିଚଫିଲ୍ଡ ନିକଟେ ଏକ ବେସରକାରି ବିଦ୍ୟାଳୟ ଆରମ୍ଭ କଲେ, କିନ୍ତୁ ଏହା ଚାଲି ପାରିଲା ନାହିଁ । ଶେଷରେ ୧୭୩୭ ମସିହାରେ ସେ ଲଣ୍ଡନକୁ ଯିବାକୁ ବାଧ୍ୟ ହେଲେ ଓ ସାହିତ୍ୟକୁ ଜୀବିକାର ଉପାୟ ଭାବରେ ଅନୁସରଣ କଲେ ।[]

ସାହିତ୍ୟକୃତି

[ସମ୍ପାଦନା]

ଜନ୍‌ସନ୍‌ଙ୍କ ପ୍ରଥମ କୃତି, ଯାହା ଲୋକମାନଙ୍କ ଧ୍ୟାନ ତାଙ୍କପ୍ରତି ଆକୃଷ୍ଟ କଲା, ସେହି ଥିଲା 'ଲଣ୍ଡନ' ଶୀର୍ଷକ କବିତା । ପୋପ୍ ମଧ୍ୟ ଏହାର ପ୍ରଶଂସା କରିଥିଲେ । ୧୭୪୪ ମସିହାରେ ସେ ତାଙ୍କ ମିତ୍ର ରିଚାର୍ଡ ସାଭେଜଙ୍କ ଜୀବନୀ ଲେଖିଥିଲେ। କିଛି ପ୍ରକାଶକଙ୍କ ସୁପାରିଶରେ ସେ ଇଂରାଜୀ ଭାଷାର ଶବ୍ଦକୋଷ ତିଆରି କରିବା ଉଦ୍ୟମ ଆରମ୍ଭ କଲେ। ପ୍ରକାଶନ ନିମନ୍ତେ ସାହାଯ୍ୟ ମିଳିବ ବୋଲି ଆଶାରେ ସେ ଶବ୍ଦକୋଷର ଯୋଜନା ଲାର୍ଡ ଚେଷ୍ଟରଫିଲ୍ଡଙ୍କ ପାଖକୁ ପଠାଇଥିଲେ, କିନ୍ତୁ ଯେପରି ପ୍ରୋତ୍ସାହନ ଆଶା କରାଯାଇଥିଲା, ତାହା ମିଳିଲା ନାହିଁ । ସାତ ବର୍ଷର କଠିନ ପରିଶ୍ରମ ପରେ ଯେତେବେଳେ ଶବ୍ଦକୋଷ ପ୍ରକାଶିତ ହେଲା, ଲାର୍ଡ ଚେଷ୍ଟରଫିଲ୍ଡ ଏହା ସଂପର୍କରେ 'World ନାମକ ପତ୍ରିକାରେ ଦୁଇଟି ପ୍ରଶଂସାତ୍ମକ ପତ୍ର ଲେଖିଥିଲେ ।[]

୧୭୪୯ ମସିହାରେ ତାଙ୍କର କବିତା 'ୱାନିଟି ଅଫ୍ ହ୍ୟୁମାନ୍ ୱିଶେସ୍' ପ୍ରକାଶିତ ହେଲା । ଏହି କୃତିରେ ମନୁଷ୍ୟର ବିଭିନ୍ନ ମହତ୍ଵାକାଂକ୍ଷା ଏବଂ ସେଗୁଡ଼ିକ ଯେ ଅନର୍ଥର କାରଣ ତାହା ଉଦାହରଣ ସହିତ ବ୍ୟାଖ୍ୟା କରାଯାଇଛି । ଉଦାହରଣ ସ୍ଵରୂପ, ପ୍ରସିଦ୍ଧ ବୈଜ୍ଞାନିକ ଗ୍ୟାଲିଲିଓକୁ ତାଙ୍କ ଜ୍ଞାନ ପାଇଁ ବେଶି ମୂଲ୍ୟ ଦେବାକୁ ପଡ଼ିଥିଲା ।

ତାଙ୍କର ଏକ ନାଟକ 'ଆଇରିନ୍' ମଧ୍ୟ ପ୍ରକାଶିତ ହେଲା। ସେ ସମୟର ଖ୍ୟାତନାମା ଅଭିନେତା ଡେଭିଡ୍ ଗ୍ୟାରିକ ଏହାକୁ ରଙ୍ଗମଞ୍ଚରେ ପ୍ରସ୍ତୁତ କଲେ ଓ ଲେଖକଙ୍କୁ ଏହା ପାଇଁ ୩୦୦ ପାଉଣ୍ଡ ମିଳିଲା । କିନ୍ତୁ ନାଟକୀୟ ଦୃଷ୍ଟିରୁ ଏହି କୃତି ଅସଫଳ ଥିଲା ।

୧୭୫୯ ମସିହାରେ 'ରାସେଲାଜ୍' ନାମକ ଶିକ୍ଷାପଦ ଉପନ୍ୟାସ ପ୍ରକାଶିତ ହେଲା, ଯାହା ସେ ଗୋଟିଏ ସପ୍ତାହ ମଧ୍ୟରେ ଲେଖିଥିଲେ, ତାଙ୍କ ମାଆଙ୍କ ଅନ୍ତିମ ସଂସ୍କାର ବ୍ୟୟ ଓ ଋଣ ପରିଶୋଧ କରିବା ପାଇଁ । ଜନ୍‌ସନ୍‌ 'ରାମ୍ବଲର୍' ଓ 'ଆଇଡଲର୍' ନାମକ ଦୁଇଟି ପତ୍ରିକା ମଧ୍ୟ ପ୍ରକାଶ କଲେ, ଯେଉଁଥିରେ ତାଙ୍କର ନିବନ୍ଧ ପ୍ରକାଶିତ ହେବାକୁ ଲାଗିଲା ।

ସାହିତ୍ୟ ସମାଲୋଚନାର କ୍ଷେତ୍ରରେ ମଧ୍ୟ ସେ ଗୁରୁତ୍ୱପୂର୍ଣ୍ଣ କାମ କଲେ । ଶେକ୍ସପିୟର୍ ଉପରେ ଉଚ୍ଚକୋଟୀର ନିବନ୍ଧ ଲେଖିବା ସହିତ ସେ 'ଲାଇଭ୍ସ ଅଫ୍ ଦ ରୋମାଣ୍ଟିକ ପୋଏଟ୍ସ' ନାମକ ଗ୍ରନ୍ଥ ଲେଖିଥିଲେ, ଯାହା ଇଂରାଜୀ କବିମାନଙ୍କ ବିଷୟରେ ତଥ୍ୟପୂର୍ଣ୍ଣ ବ୍ୟାଖ୍ୟା ଦିଏ ।

୧୭୬୨ ମସିହାରେ ସେ ପ୍ରତିବର୍ଷ ୧୦୦ ପାଉଣ୍ଡର ପେନ୍‌ସନ୍ ପାଇବାକୁ ଆରମ୍ଭ କଲେ, ଯାହାଦ୍ଵାରା ତାଙ୍କ ଆର୍ଥିକ ସମସ୍ୟାର ସମାଧାନ ହେଲା । ପେନ୍‌ସନ୍ ପାଇବା ସହିତ ସେ ତାଙ୍କ ସାହିତ୍ୟିକ କାର୍ଯ୍ୟକଳାପ ଧିମେଇଗଲା । ଜେମ୍ସ ବସ୍ୱେଲ୍ ତାଙ୍କ ଦୈନନ୍ଦିନ ଜୀବନ ଉପରେ ଆଧାର କରି ତାଙ୍କ ଏକ ବୃହତ୍ ଜୀବନୀ ଲେଖିଥିଲେ, ଯାହା ଇଂରାଜୀ ସାହିତ୍ୟର ଅମୂଲ୍ୟ ସଂପଦ ଅଟୁଟ ରହିଛି ।

୧୭୮୪ ମସିହାରେ ତାଙ୍କର ଦେହାନ୍ତ ହେଲା।[]

  1. ୧.୦ ୧.୧ Bate, Walter Jackson (1977). Samuel Johnson. Internet Archive. New York : Harcourt Brace Jovanovich. ISBN 978-0-15-179260-3.
  2. Bate 1977, p. 5
  3. ୩.୦ ୩.୧ "Samuel Johnson | Biography, Dictionary, Quotes, & Facts | Britannica". www.britannica.com (in ଇଂରାଜୀ). 2025-04-12. Retrieved 2025-04-15.