ସମାନ ନାଗରିକ ସଂହିତା
ସମାନ ନାଗରିକ ସଂହିତା (ଇଂରାଜୀ: Uniform Civil Code, UCC) ଏକ ସାମାଜିକ ବିଷୟ ସମ୍ବନ୍ଧୀୟ ଆଇନ ଯାହା ସମସ୍ତ ଧର୍ମର ଲୋକଙ୍କ ପାଇଁ ବିବାହ, ଛାଡ଼ପତ୍ର, ଜୀବିକା ନିର୍ବାହ, ଉତ୍ତରାଧିକାର ଓ ଦତ୍ତକ ସମ୍ବନ୍ଧୀୟ ମାମଲାରେ ସମଭାବରେ ଲାଗୁ ହୁଏ । ଅନ୍ୟ ଶବ୍ଦରେ, ଭିନ୍ନ ଭିନ୍ନ ଧର୍ମୀୟ ଭାବନାର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ସିଭିଲ୍ ଆଇନ ନ ରହି ‘ସମାନ ନାଗରିକ ସଂହିତା’ର ମୂଳ ଭାବନା ଅଟୁଟ ରହେ । ଏହା ଯେକୌଣସି ଧର୍ମ ବା ଜାତିର ବ୍ୟକ୍ତିଗତ ଆଇନର ଉର୍ଦ୍ଧ୍ଵରେ ରହେ ।[୧]
ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫-୨୮ ଭାରତୀୟ ନାଗରିକଙ୍କୁ ଧାର୍ମିକ ସ୍ୱାଧୀନତାର ଅଧିକାର ଦେଇଥାଏ ଓ ଏହା ଫଳରେ ଧାର୍ମିକ ଗୋଷ୍ଠୀମାନେ ସ୍ୱୟଂ ତାଙ୍କର କାର୍ଯ୍ୟ ବ୍ୟବସ୍ଥାପନ କରିପାରିବେ । ବର୍ତ୍ତମାନ ସମୟରେ, ଭାରତରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଆଇନ ତିଆରି କରି ସମାନ ନାଗରିକ ସଂହିତାକୁ ପ୍ରଚଳିତ କରିବା ପ୍ରସ୍ତାବ ଅତୁଟ ଅଛି । ତେବେ ଏହି ପ୍ରସ୍ତାବ ଲାଗୁ ହୋଇ ନ ଥିବାରୁ ବର୍ତ୍ତମାନ ଭିନ୍ନ ଭିନ୍ନ ସଂପ୍ରଦାୟର ବ୍ୟକ୍ତିଗତ ଆଇନ ସେମାନଙ୍କର ପ୍ରଚଳିତ ଧାର୍ମିକ ଗ୍ରନ୍ଥ ଦ୍ୱାରା ଅନେକାଂଶରେ ପ୍ରଭାବିତ ହୋଇଛି ।[୨]
ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ
[ସମ୍ପାଦନା]ସମାନ ନାଗରିକ ସଂହିତା(UCC)ର ଉଦ୍ଦେଶ୍ୟ ହେଉଛି ଭାରତରେ ସମସ୍ତ ଧର୍ମ ଓ ସମୁଦାୟ ପାଇଁ ପ୍ରଚଳିତ ଭିନ୍ନ ଭିନ୍ନ ଆଇନ ମଧ୍ୟରେ ଯେଉଁ ବିରୋଧାଭାସ ଅଛି, ସେଗୁଡ଼ିକୁ ବଦଳାଇ ଏକ ସମାନ ଆଇନ୍ ଲାଗୁ କରିବା । ଏହି ଆଇନଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଅଛି ହିନ୍ଦୁ ବିବାହ ଅଧିନିୟମ, ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ଭାରତୀୟ ଖ୍ରୀଷ୍ଟୀୟାନ ବିବାହ ଅଧିନିୟମ, ଭାରତୀୟ ବିଚ୍ଛେଦ ଆଇନ, ପାର୍ସୀ ବିବାହ ଓ ବିଚ୍ଛେଦ ଆଇନ । ଏହା ସହିତ କିଛି ଆଇନ ଯଥା ଶରିଆ ଆଇନ (ଇସଲାମିକ୍ ଆଇନ) ଏପର୍ଯ୍ୟନ୍ତ ଲିଖିତ ଭାବେ ନାହିଁ ଓ ସେଗୁଡ଼ିକ ଧାର୍ମିକ ଗ୍ରନ୍ଥମାନେ ଉପରେ ଆଧାରିତ।
ସମାନ ନାଗରିକ ସଂହିତା(UCC) ର ପ୍ରସ୍ତାବଗୁଡ଼ିକ ମଧ୍ୟରେ ଅଛି ଏକବିବାହ ପ୍ରଥା, ପିତୃ ସମ୍ପତିରେ ପୁଅ ଓ ଝିଅଙ୍କୁ ସମାନ ଅଧିକାର ଓ ଇଚ୍ଛାପତ୍ର, ଦାନ-ପୁଣ୍ୟ, ଧାର୍ମିକତା, ଅଭିଭାବକତ୍ୱ, ଓ ସନ୍ତାନ ଦାୟିତ୍ୱ ବଣ୍ଟନ ସମ୍ପର୍କିତ ଆଇନଗୁଡ଼ିକୁ ଲିଙ୍ଗ ଓ ଧର୍ମ ନିରପେକ୍ଷ କରିବା । ଏହି ପ୍ରସ୍ତାବଗୁଡ଼ିକ ହିନ୍ଦୁ ସମାଜରେ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବ ନାହିଁ, କାରଣ ଏହି ଆଇନଗୁଡ଼ିକ ଦଶକ ଦଶକ ଧରି ହିନ୍ଦୁ କୋଡ୍ ବିଲ୍ ମାଧ୍ୟମରେ ହିନ୍ଦୁମାନଙ୍କ ଉପରେ ଲାଗୁ ହୋଇ ଆସୁଛି ।[୩]
ଇତିହାସ
[ସମ୍ପାଦନା]ବ୍ୟକ୍ତିଗତ ଆଇନ ପ୍ରମୁଖତଃ ହିନ୍ଦୁ ଓ ମୁସଲିମ୍ ନାଗରିକଙ୍କ ପାଇଁ ବ୍ରିଟିଶ୍ ଶାସନକାଳରେ ଲାଗୁ ହୋଇଥିଲା । ଇଂରେଜମାନେ ଭାରତର ତତକାଳୀନ ଧାର୍ମିକ ନେତାମାନଙ୍କର ବିରୋଧର ଭୟରେ ଏହି ଧର୍ମିକ ତଥା ବ୍ୟକ୍ତିଗତ ଆଇନ ମାମଲାରେ ଅଧିକ ହସ୍ତକ୍ଷେପ କରିବାକୁ ଚାହୁଁ ନ ଥିଲେ । ଗୋଆ ରାଜ୍ୟ, ଯାହା ସେଇ ସମୟରେ ପୁର୍ତ୍ତୁଗୀଜ୍ ଉପନିବେଶ ଶାସନ ଅଧୀନରେ ଥିଲା ଓ ବ୍ରିଟିଶ୍ ଭାରତରୁ ପୃଥକ୍ ଥିଲା, ସେଠାରେ ଗୋଟିଏ ସମାନ ପାରିବାରିକ ଆଇନ ବଜାୟ ରହିଲା ଯାହା ଗୋଆ ନାଗରିକ ସଂହିତା ନାମରେ ପରିଚିତ ଥିଲା । ଏହି ପରିପ୍ରେକ୍ଷୀରେ ଗୋଆ ଆଜି ପର୍ଯ୍ୟନ୍ତ ସମାନ ନାଗରିକ ସଂହିତା ଥିବା ଭାରତର ଏକମାତ୍ର ରାଜ୍ୟ ଥିଲା । ତେବେ ସ୍ଵାଧୀନୋତ୍ତର ଭାରତରେ [୪]ନିକଟରେ ଉତ୍ତରାଖଣ୍ଡ ସରକାର ସେହି ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ପାଇଁ ଆଇନ ଆଣିଛନ୍ତି ।
ଭାରତ ସ୍ୱାଧୀନତା ପରେ, ହିନ୍ଦୁ କୋଡ୍ ବିଲ୍ ପ୍ରସ୍ତୁତ କରାଯାଇଥିଲା, ଯାହା ବୌଦ୍ଧ, ହିନ୍ଦୁ, ଜୈନ୍ ଓ ଶିଖ୍ ଭଳି ଭାରତୀୟ ଧର୍ମ ତଥା ବିଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଗତ ଆଇନଗୁଡିକୁ ସଂହିତାବଦ୍ଧ କରିଥିଲା ଓ ସେଥିରେ ସୁଧାର ମଧ୍ୟ କରାଯାଇଥିଲା । କିନ୍ତୁ ଏହି ବିଲ୍ରେ ଖୀରସ୍ତାନ, ଯେହୁଦୀ, ମୁସଲିମ୍ ଓ ପାରସୀମାନଙ୍କୁ ହିନ୍ଦୁମାନଙ୍କୁ ଠାରୁ ଭିନ୍ନ ସମ୍ପ୍ରଦାୟ ବୋଲି ଚିହ୍ନଟ କରାଯାଇଥିଲା ଫଳରେ ସେମାନେ ହିନ୍ଦୁ କୋଡର ଅନ୍ତର୍ଭୁକ୍ତ ନ ଥିଲେ ।
୧୮୩୫ ମସିହାରେ ବ୍ରିଟିଶ ସରକାର ଭାରତରେ ୟୁନିଫର୍ମ ସିଭିଲ କୋଡ(UCC)ର ଆବଶ୍ୟକତା ଉପରେ ଜୋର ଦେଇ ନିଜର ରିପୋର୍ଟ ପ୍ରସ୍ତୁତ କରିଥିଲା । ଏହାପରେ ହିନ୍ଦୁ ଏବଂ ମୁସଲମାନଙ୍କ ପର୍ସନଲ ଲ’କୁ ଏହାଠୁ ଅଲଗା ରଖାଯିବାକୁ ପରାମର୍ଶ ଦିଆଯାଇଥିଲା । ୧୯୪୧ ମସିହାରେ ହିନ୍ଦୁ ଆଇନ ପାଇଁ ବି.ଏନ ରାଓଙ୍କ କମିଟି ଗଠନ କରାଯାଇଥିଲା । ହିନ୍ଦୁ କମିଟିର କାମ ଥିଲା ସାମାନ୍ୟ ହିନ୍ଦୁ ଆଇନର ଆବଶ୍ୟକତାର ପ୍ରଶ୍ନର ଯାଞ୍ଚ କରିବା । କମିଟି ଶାସ୍ତ୍ର ଅନୁସାରେ, ଏକ ହିନ୍ଦୁ ଆଇନ ପାଇଁ ପରମର୍ଶ ଦେଇଥିଲା, ଯାହା ମହିଳାମାନଙ୍କୁ ସାମନ୍ୟ ଅଧିକାର ପ୍ରଦାନ କରିବ । ୧୯୩୭ ଅଧିନିୟମର ସମୀକ୍ଷା ପରେ କମିଟି ହିନ୍ଦୁ ବିବାହ ଏବଂ ଉତ୍ତାରାଧିକାରୀ ନାଗରିକ ସଂହିତା ପାଇଁ ପରାମର୍ଶ ଦେଇଥିଲା ।[୫]
ରାଜନୈତିକ ପୃଷ୍ଠପୋଷକତା
[ସମ୍ପାଦନା]ସମଗ୍ର ଦେଶରେ ସମାନ ନାଗରିକ ସଂହିତା ଲାଗୁ କରିବା ଭାରତର ଶାସକ ଦଳ ଭାରତୀୟ ଜନତା ପାର୍ଟି ଦ୍ୱାରା ଦିଆଯାଇଥିବା ବିବାଦସ୍ପଦ ପ୍ରତିଶ୍ରୁତିମାନଙ୍କ ମଧ୍ୟରୁ ଗୋଟିଏ । ଏହା ଭାରତୀୟ ରାଜନୀତିରେ ଧର୍ମନିରପେକ୍ଷତା ବିଷୟରେ ଧାର୍ମିକ ପାରମ୍ପରିକତାକୁ ରକ୍ଷା କରିବା ନାମରେ ଭାରତର ରାଜନୈତିକ ବାମପନ୍ଥୀ, ମୁସଲିମ୍ ଗୋଷ୍ଠୀ ଓ ଅନ୍ୟ ରୁଢିବାଦୀ ଧାର୍ମିକ ଗୋଷ୍ଠୀ ଓ ସମ୍ପ୍ରଦାୟମାନଙ୍କ ଦ୍ୱାରା ବିବାଦିତ ହୋଇରହିଛି ।
ସାମ୍ବିଧାନିକ ବୈଧତା
[ସମ୍ପାଦନା]ପ୍ରଚଳିତ ଭାରତୀୟ ସମ୍ବିଧାନର ଧାରା ୪୪ରେ ଉଲ୍ଲେଖ ଅଛି[୬];
“The State shall endeavour to secure for the citizens a uniform civil code throughout the territory of India”
ଅର୍ଥାତ, ସମ୍ବିଧାନର ଧାରା ୪୪ର ସ୍ପଷ୍ଟ ନିର୍ଦ୍ଦେଶ ହେଉଛି, ‘ଦେଶର ନାଗରିକମାନଙ୍କ ପାଇଁ ସାରା ଭାରତରେ ସମାନ ନାଗରିକ ସଂହିତା ଲାଗୁ କରିବା ହେତୁ ସରକାର ପ୍ରୟାସ କରିବେ।’ ଏହି ଧାରା ସମ୍ବିଧାନର ଚତୁର୍ଥ ଭାଗ ରାଜ୍ୟ ନୀତିର ନିର୍ଦ୍ଦେଶକ ତତ୍ତ୍ଵ (ଡାଇରେକ୍ଟିଭ୍ ପ୍ରିନ୍ସିପୁଲ୍ସ ଅଫ୍ ଷ୍ଟେଟ୍ ପଲିସି) ଅନ୍ତର୍ଗତ। ଏହା ହେଲା ସମ୍ବିଧାନ ରଚୟିତାଙ୍କ ଭବିଷ୍ୟତ ପିଢ଼ି ଉଦ୍ଦେଶ୍ୟରେ ଦିଶା ନିର୍ଦେଶ । ଏହା ବାଧ୍ୟତାମୂଳକ ନୁହେଁ । ଅଦାଲତ ଜରିଆରେ ଏହାର କାର୍ଯ୍ୟାନ୍ବୟନ ସୁନିଶ୍ଚିତ କରି ହେବନାହିଁ । ତେବେ ସରକାରଙ୍କ ଉପରେ ଏହା ଏକ ନୈତିକ ଦାୟିତ୍ବ । [୭]
ବିଧି ଆୟୋଗ ଦୃଷ୍ଟିରେ
[ସମ୍ପାଦନା]ବିଧି ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ୨୦୧୬ ମସିହାରେ ସମାନ ନାଗରିକ ସଂହିତା ସହିତ ସଂପୃକ୍ତ ବିଷୟଗୁଡ଼ିକର ସମଗ୍ର ଅଧ୍ୟୟନ ପାଇଁ ଗୋଟିଏ ବିଧି ଆଯୋଗ ଗଠନ କରାଯାଇଥିଲା । ଉକ୍ତ ବିଧି ଆଯୋଗ କହିଥିଲେ ଯେ ସମାନ ନାଗରିକ ସଂହିତାର ବିଷୟଟି ଭାରତୀୟ ସମ୍ବିଧାନର ମୂଳ ଅଧିକାର ଅନ୍ତର୍ଗତ ଅନୁଛେଦ ୧୪ ଓ ୨୫ ମଧ୍ୟରେ ଥିବା ଦ୍ୱନ୍ଦ୍ୱରୁ ପ୍ରଭାବିତ। ଆଯୋଗ ଭାରତୀୟ ବହୁବାଦୀ ସଂସ୍କୃତି ସହିତ ନାରୀ ଅଧିକାରର ସର୍ବୋଚ୍ଚତା ବିଷୟକୁ ପ୍ରାଧାନ୍ୟ ଦେଇଛନ୍ତି । ପର୍ସନାଲ ଲ ବୋର୍ଡ଼ ଦ୍ୱାରା ହେଉଥିବା କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ବିଧି ଆଯୋଗ କହିଛନ୍ତି ଯେ ନାରୀ ଅଧିକାରକୁ ପ୍ରାଥମିକତା ଦେବା ଉଚିତ ଓ ଏହା ପ୍ରତ୍ୟେକ ଧର୍ମ ଓ ସଂସ୍ଥାର କର୍ତ୍ତବ୍ୟ ହେବା ଉଚିତ । ବିଧି ଆଯୋଗର ମତାନୁସାରେ, ସମାଜରେ ଅସମାନତା ସୃଷ୍ଟି କରୁଥିବା ସମସ୍ତ ପୁରୁଣା ପ୍ରଥାଗୁଡ଼ିକର ପୁନଃସମୀକ୍ଷା ହେବା ଆବଶ୍ୟକ । ସେହିପାଇଁ ସମସ୍ତ ବ୍ୟକ୍ତିଗତ ଆଇନ ନିୟମଗୁଡ଼ିକୁ ଏକ ସଂହିତାରେ ବାନ୍ଧିବା ଦରକାର, ଯାହାଦ୍ୱାରା ସେଥିରେ ଥିବା ପୂର୍ବାଗ୍ରହ ଓ ପୁରୁଣା ଧାରଣାଗୁଡ଼ିକରେ ଥିବା ଅସମାନତା ପ୍ରକାଶ ପାଇପାରିବ । ବିଶ୍ୱସ୍ତରରେ ଚାଲିଥିବା ମାନବ ଅଧିକାର ଦୃଷ୍ଟିକୋଣରୁ ସମସ୍ତଙ୍କ ପକ୍ଷରେ ଗ୍ରହଣଯୋଗ୍ୟ ନିଜସ୍ୱ ଆଇନଗୁଡ଼ିକୁ ପ୍ରାଥମିକତା ମିଳିବା ଉଚିତ ।[୮]
ବିରୋଧ
[ସମ୍ପାଦନା]ସମାନ ନାଗରିକ ସଂହିତା (UCC) ର ବିରୋଧୀମାନେ ଏହାକୁ ଧାର୍ମିକ ସ୍ୱାଧୀନତା ପାଇଁ ଏକ ଆପଦ ବୋଲି ଭାବି ଏହାର ବିରୋଧ କରୁଛନ୍ତି । ସେମାନେ ଧାର୍ମିକ ଆଇନଗୁଡ଼ିକୁ ବିଲୋପ କରିବାକୁ ଧର୍ମନିରପେକ୍ଷତାର ହନନ ମନେ କରନ୍ତି । ଅପରପକ୍ଷରେ ଭାରତୀୟ ଜନତା ପାର୍ଟିର ନେତାମାନେ କହନ୍ତି ଯେ ସମାନ ନାଗରିକ ସଂହିତା (UCC)କୁ ଧାର୍ମିକ ସମତା ଓ ନାରୀମାନଙ୍କ ପାଇଁ ସମାନ ଅଧିକାର ସୁନିଶ୍ଚିତ କରିବା ପାଇଁ ଏକ ମାଧ୍ୟମ ।
ଆଇନ ବିଶେଷଜ୍ଞମାନେ ଓ ଅଧିକାର ସଂଗଠନମାନେ କହିଛନ୍ତି ଯେ ସମାନ ନାଗରିକ ସଂହିତା (UCC) ଲାଗୁ କରିବା ପୂର୍ବରୁ ପ୍ରଚଳିତ ଲିଙ୍ଗ ଭିତ୍ତିକ ଆଇନଗୁଡିକୁ ସଂଶୋଧନ କରିବା ଉଚିତ ।
୨୦୨୩ ଜୁଲାଇ ୧୭ ତାରିଖରେ, ଭାରତ ସୁପ୍ରିମ୍ କୋର୍ଟର ପୂର୍ବତନ ନ୍ୟାୟମୂର୍ତ୍ତି କୃଷ୍ଣ ଆୟାର କହିଥିଲେ ଯେ – “ଯେକୌଣସି ରୂପରେ ହେଉ, ସମତା ସର୍ବଦା ଲାଭାଦାୟକ ହୋଇଥାଏ”, ହେଲେ ବି ସମାନ ନାଗରିକ ସଂହିତା ଲାଗୁ ପୂର୍ବରୁ ବ୍ୟାପକ ଅଲୋଚନା ଓ ସାଧାରଣ ଜନତା ସହ ବ୍ୟାପକ ପରାମର୍ଶ ହେବା ଦରକାର ।
୨୦୨୪ ଫେବ୍ରୁଆରୀ ୭ ତାରିଖରେ, ଉତ୍ତରାଖଣ୍ଡ ବିଧାନସଭା ‘ଉତ୍ତରାଖଣ୍ଡ ସମାନ ନାଗରିକ ସଂହିତା ଆଇନ, ୨୦୨୪’ ପାରିତ କଲା, ଯାହା ସ୍ଵାଧୀନୋତ୍ତର ଭାରତରେ ଉତ୍ତରାଖଣ୍ଡକୁ ଏହି ଆଇନ୍ ଗ୍ରହଣ କରିଥିବା ପ୍ରଥମ ରାଜ୍ୟ ରୂପେ ଚିହ୍ନଟ କରେ ।[୯] ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହାକୁ ଦେଶ ପାଇଁ "ଏକ ଐତିହାସିକ ମୁହୂର୍ତ୍ତ" ବୋଲି ବର୍ଣ୍ଣନା କରିଛନ୍ତି । ତଥାପି, ଏହି ଆଇନରେ ଅନୁସୂଚିତ ଜନଜାତିମାନେ ଅନ୍ତର୍ଭୁକ୍ତ ହୋଇ ନଥିବା ସହିତ କିଛି ବୈଷୟିକ ତୂଟି ଥିବା ଦର୍ଶାଇ ଏହା ଆଲୋଚନାର ସମ୍ମୁଖୀନ ହୋଇଛି [୧୦]।
ଆଧାର
[ସମ୍ପାଦନା]- ↑ "Article 44: Uniform civil code for the citizens". Constitution of India (in ଆମେରିକୀୟ ଇଂରାଜୀ). Retrieved 2025-04-22.
- ↑ "ସମାନ ନାଗରିକ ସଂହିତା (Uniform Civil Code) - Samadrusti" (in ଆମେରିକୀୟ ଇଂରାଜୀ). 2023-10-07. Retrieved 2025-04-22.
- ↑ Ojha, Srishti (2021-04-11). "Plea In Supreme Court Seeks Transfer Of Plea For Uniform Civil Code From Delhi High Court To SC". www.livelaw.in (in ଇଂରାଜୀ). Retrieved 2025-04-22.
- ↑ "Uniform Civil Code bill passed in Uttarakhand assembly". Hindustan Times (in ଆମେରିକୀୟ ଇଂରାଜୀ). 2024-02-07. Retrieved 2025-04-22.
- ↑ "ସମାନ ନାଗରିକ ସଂହିତା କ'ଣ ? ଏହା ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ". prameyanews7.com. Retrieved 2025-04-22.
- ↑ "ସମାନ ନାଗରିକ ସଂହିତା (Uniform Civil Code) - Samadrusti" (in ଆମେରିକୀୟ ଇଂରାଜୀ). 2023-10-07. Retrieved 2025-04-22.
- ↑ "ସମାନ ନାଗରିକ ସଂହିତା-ସମସ୍ୟା ଓ ସମ୍ଭାବନା - Samaja Live" (in ଆମେରିକୀୟ ଇଂରାଜୀ). 2023-07-16. Retrieved 2025-04-22.
- ↑ "Law Commission's report on Uniform Civil Code — undesirable and unnecessary". The Indian Express (in ଇଂରାଜୀ). 2023-06-23. Retrieved 2025-04-22.
- ↑ "ସମାନ ନାଗରିକ ସଂହିତା କ'ଣ ? ଏହା ଲାଗୁ କରିବାରେ ପ୍ରଥମ ରାଜ୍ୟ ହେବ ଉତ୍ତରାଖଣ୍ଡ". prameyanews7.com. Retrieved 2025-04-22.
- ↑ "The Wire: The Wire News India, Latest News,News from India, Politics, External Affairs, Science, Economics, Gender and Culture". thewire.in. Retrieved 2025-04-22.
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |